Unknown

 

 

 

 

 

 

 

 

 

 

 

 

ଗଳ୍ପ ମୋର ଅଳ୍ପ ନୁହେଁ

ଗଗନ ବିଶ୍ଵାଳ

 

ସୂଚୀପତ୍ର

 

୧.

ନାରୀ ନୁହେଁ ନେତ୍ରୀ

୨.

ପ୍ରତୀକ୍ଷା

୩.

ସଫଳ ସ୍ଵପ୍ନ

୪.

ଶେଷ ପ୍ରଶ୍ନ

୫.

ରଥଚକ୍ର

୬.

ସେ ଏକ ମଉଳା ପାରିଜାତ

୭.

ନୀଳିମା, ନିଦାନଭୂଇଁ, ନୀଳରାତି

୮.

ରକ୍ତଚାପ

୯.

କିଏ

୧୦.

ଏକ ନୀଡ଼, ଅନେକ ଝଡ଼

୧୧.

ଉଦୟ ଅସ୍ତ

୧୨.

ଅଗ୍ନି ଦାହ

୧୩.

ସ୍ମୃତିତୀର୍ଥ

୧୪.

ହୃଦୟ ବିଜୟ

୧୫.

କାଞ୍ଚି କାବେରୀ

୧୬.

ଜଳ ଦାନବ

୧୭.

ଶୀତଳ ଦହନ

୧୮.

ଝଡ଼ର ଶେଷ

୧୯.

ଏକ ଦେହ, ଏତେ ଦାହ !

୨୦.

ପୁଅ

୨୧.

ତ୍ରିଶଙ୍କୁ

୨୨.

କାଳିମା

୨୩.

ଭୂତକୋଠିର ରହସ୍ୟ

୨୪.

ମୂଷିକାୟନମଃ

୨୫.

ଶେଷ ସୁମନର ସୁରଭୀ

୨୬.

ଅଭିମାନ

୨୭.

ନୀଳ ସାଗର–ଧୂସର ବାଲୁକା

୨୮.

ଦିନ ଗଡ଼ିଯାଏ, ଚିହ୍ନ ରହିଥାଏ

୨୯.

ଚକ୍ର

୩୦.

ଦିନେ ରାତିରେ

☆☆☆

 

ଗଳ୍ପ ନ ହେଲେ ବି ଗଳ୍ପ

(କ)

 

ଅଧୀକାଂଶ ଲେଖକଙ୍କ ଭଳି କବିତା ଲେଖାରୁ ହିଁ ମୋର ଲେଖକଜୀବନର ଜନ୍ମ । ଆଜି ହୁଏତ ଏକଥା ମନେ ପଡ଼ିଲେ, ବିସ୍ମିତ ହେବାକୁ ହୁଏ । ପୁରୁଣା ଲେଖାର ଫାଇଲ ଘାଣ୍ଟିଲା ବେଳେ, ଆମ ଗ୍ରାମର ବଳଦେବଙ୍କର ଚନ୍ଦନ ଯାତ୍ରାଠାରୁ ଆରମ୍ଭ କରି ପର୍ଶୁରାମଙ୍କର ମାତୃହତ୍ୟା ପର୍ଯ୍ୟନ୍ତ ଗୀତି–କବିତା; ହରିଶ୍ଚନ୍ଦ୍ର, କର୍ଣ୍ଣ, ଶ୍ରୀକ୍ଷେତ୍ର ପ୍ରଭୃତି କାବ୍ୟର ଜରାଜୀର୍ଣ୍ଣ ପାଣ୍ଡୁଲିପି ଆଖିରେ ପଡ଼ିଯାଏ । ବହୁଦିନ ପରେ ଅଜ୍ଞାତବାସରୁ ଫେରିଥିବା ସନ୍ତାନକୁ ଦେଖିଲେ ଜନ୍ମଦାତ୍ରୀର ହୃଦୟ ଆନନ୍ଦିତ ହୋଇ ଉଠିଲାଭଳି, ଏସବୁ ପାଣ୍ଡୁଲିପିଗୁଡ଼ିକୁ ଦେଖିଲେ ମୁଁ ଆନନ୍ଦରେ ଆତ୍ମହରା ହୋଇଉଠେ । ଏ ଯୁଗ–ଯନ୍ତ୍ରଣାକୁ ଅଧ୍ୟୟନ କରି ଗଳ୍ପ ରଚନା କରିବାର ଦୁଃସହ–ଜ୍ୱାଳାରୁ ମୁକ୍ତିନେଇ, କଳ୍ପନା–ବିଳାସୀ କବି ହେବାର ସ୍ୱପ୍ନ ମୋ ମନରେ ପୁଣି ଉଥଳିଉଠେ । ମାତ୍ର ଆଜିର ଛନ୍ଦବିହୀନ–ଦୁର୍ବୋଧ୍ୟ–ଆଧୁନିକ କବିତା–କାଳିସୀର ଲାଲଲାଲ୍, ଡିମାଡ଼ିମା ଆଖି, ଲହଲହ ଜିହ୍ଵା ଚିକଚିକ୍ ତରୁଆଲ ଦେଖି ମୁଁ ହୋଇଉଠେ, ଆଧୁନିକ–ଦୁର୍ବୋଧ୍ୟ କବିତାର ତ୍ରିସୀମା ମୁଁ ଆଉ ମାଡ଼ିପାରେ ନା...

 

ଗଳ୍ପକୁ ମୁଁ ଛାଡ଼ି ପାରେନା....

 

ଅଥଚ ଦିନ ଥିଲା, ଗଳ୍ପ ଉପନ୍ୟାସ ଲେଖିବା ତ ଦୂରର କଥା, ଏ ସବୁକୁ ପଢ଼ିବାକୁ ବି ମୁଁ ଭୟଙ୍କର ଭାବେ ଘୃଣା କରୁଥିଲି । ହାଇସ୍କୁଲ–ଜୀବନ ଶେଷ ହେବା ପର୍ଯ୍ୟନ୍ତ ମୁଁ କେବଳ ମୋର “ଗୁରୁଜୀମାନଙ୍କଠାରୁ ଶୁଣିଥିଲି “ଗଳ୍ପ ଉପ୍ୟାସ ପଢ଼ିଲେ ପିଲାଏ ବଜାରୀ–ଛତରା ହୋଇ ଯାଆନ୍ତି” ସମ୍ଭବତଃ ବଜାରୀ ଛତରା ନ ହେବାର ପ୍ରଲୋଭନ ଗଳ୍ପ ଉପନ୍ୟାସ ଠାରୁ ମୋତେ ଦୂରେଇ ରଖିଥିଲା । ସେଥିଲାଗି କାବ୍ୟ କବିତା ଲେଖୁଥିଲି, ପ୍ରାଚୀନ–କବିମାନଙ୍କର ପଦାଙ୍କ ଅନୁସରଣ କରି, ଛନ୍ଦବଦ୍ଧ କବିତା ! (ଏବେ ବି ସେଇ କାବ୍ୟଗୁଡ଼ିକ ଏଦେଶର ପ୍ରତିଷ୍ଠିତ ପାଲାଦଳ କେତୋଟି ପରିବେଷଣ କରୁଛନ୍ତି)

 

ମୁଁ ଦିନେ ପୁଣି ସେଇ ପାପ କରିବସିଲି...

 

୧୯୫୯ ମସିହାରେ କଲେଜରେ ପଢ଼ିବାଲାଗି ମୁଁ ଯେତେବେଳେ ଆଧୁନିକ ସଭ୍ୟତାର ଲୀଳାଭୂମି ସହରରେ ପାଦଦେଲି, ସର୍ବପ୍ରଥମେ ଆରମ୍ଭ କଲି ମୋର ପ୍ରଥମ ଗଳ୍ପ “ଦ୍ଵିତୀୟ ପକ୍ଷ”...(ଗଳ୍ପଟି ଅଧା କମ୍ପୋଜ ହୋଇ ସାରିବା ପରେ ଆର୍ଥିକ–ସଙ୍କଟ ପଡ଼ିବାରୁ ତାହା ପ୍ରକାଶ ପାଇ ପାରିଲା ନାହିଁ । ପତ୍ରିକା ନାହାରିବ–ବାହାରିବ ନାହିଁର ଆଶାନିରାଶା ଭିତରେ ଦିନ ଦିନ କଟିଗଲା–ପାଣ୍ଡୁ ଲିପିଟି ହଜିଗଲା ! (ଜ୍ୟେଷ୍ଠ ପୁତ୍ରର ମୃତ୍ୟୁ–ଦୁଃଖ, ଭଳି ଏବେ ବି ସେଇ ଗଳ୍ପ ମୋ ମନକୁ ହରାଇ ଦେଇଥିବା ଯନ୍ତ୍ରଣାରେ ଦହନ କରେ ।) ପରିସ୍ଥିତିରେ ପଡ଼ି ମଣିଷ ଯେ ତାର ମତ ବଦଳାଇ ଦିଏ, ଏ ଗଳ୍ପରେ ଏହାହିଁ ଥିଲା ମୋର କହିବାର କଥା !

 

ତେବେ, ଏବେ ବି ମୋର ମନରେ ପ୍ରଶ୍ନର ନାଗ ବାରମ୍ୱାର ମଥା ଉତ୍ତୋଳନ କରେ–ମୁଁ ଗଳ୍ପ ଉପନ୍ୟାସ ଲେଖିଥିଲି କାହିଁକି ? ଆଧୁନିକ କବିତା ପ୍ରତି ବିରକ୍ତିରୁ ! ଗଳ୍ପ ସାହିତ୍ୟ ପ୍ରତି ଅନୁରକ୍ତିରୁ ! କାହିଁକି ଯେ କବିତା ଛାଡ଼ି ଗଳ୍ପ ଉପନ୍ୟାସ ଲେଖିବା ଲାଗି ପ୍ରଲୋଭନ ମୋର ଜିଭ କାଢ଼ି ଅଥୟହେଲା, ସେକଥା ଆଜି ଠିକ୍ କରି କହିପାରିବି ନାହିଁ । ହୋଇପାରେ ଗଳ୍ପ ଉପନ୍ୟାସ ଭିତରେ ନିଜକୁ ଆବିଷ୍କାର କରିବାକୁ, ସମାଜର ସୁଖ–ଦୁଃଖର ଚିତ୍ରାଙ୍କନ କରିବାକୁ, ଜୀବନ–ଯନ୍ତ୍ରଣା ଭିତରେ ଜୀବନର ସନ୍ଧାନ ନେବାକୁ !

 

ଏବେ ମୁଁ କେବଳ ଗଳ୍ପ ଉପନ୍ୟାସ ରଚନା କରୁଛି, (ଦୁଇଟି ପ୍ରକାଶିତ ଉପନ୍ୟାସକୁ ବାଦ୍ ଦେଲେ ଆଉ ଚାରୋଟି ଉପନ୍ୟାସ, ମୁକ୍ତିପାଇଁ ମୋତେ ସର୍ବଦା ବିଚଳିତ କରୁଛନ୍ତି !) ମୋ ଜୀବନର ଅନୁଭୂତି ସବୁକୁ ରୂପଦେବା ପାଇଁ ଏହାହିଁ ବୋଧହୁଏ ମୋ ପାଇଁ ଏକ ପ୍ରକୃତ–ମାଧ୍ୟମ ! ନିଜକୁ ବିଶ୍ଳେଷଣ କରୁଛି । ବିଶ୍ଳେଷଣ କରୁଛି ଏ ସମାଜକୁ, ଏ ସଭ୍ୟତାକୁ, ପ୍ରତ୍ୟେକ ମଣିଷର ମନକୁ । ଆଉ ଆଜି ତ ଏଇ ବହୁବର୍ଣ୍ଣା ପୃଥିବୀ ମୋ ପାଖରେ ଗଳ୍ପମୟ ହୋଇ ଉଠିଛି, ପ୍ରତ୍ୟେକ ମଣିଷର ଜୀବନୀ ମୋ ପାଖରେ ସତେ ଯିମିତି ଏକ ଉପନ୍ୟାସ, ଏକ ବିରାଟ–ଗଳ୍ପ ସଂକଳନ ।

 

ସମୟ ଥିଲା ରାତି ରାତି ଉଜାଗର ରହି ମୁଁ ପୃଷ୍ଠା ପୃଷ୍ଠାଧରି ଗଳ୍ପ ଉପନ୍ୟାସ ରଚନା କରୁଥିଲି; ସେ ମୋର ଗାଳ୍ପିକ–ଜୀବନର ପ୍ରଥମ ସକାଳ ବେଳର କଥା । ସେତେବେଳେ ମୋର ଧାରଣା ଥିଲା–ଗଳ୍ପ ଉପନ୍ୟାସ ଲେଖିବା ବୋଧହୁଏ ସବୁଠାରୁ ବଳି ସହଜକଥା ! ମାତ୍ର ଆଜି ଦେଖୁଛି, ଗଳ୍ପ ଉପନ୍ୟାସ ଲେଖିବାଠାରୁ ବଳି ଜ୍ୱାଳ ଆଉ କିଛି ନାହିଁ । ଏଇଆକୁ ଦେଖି ଆଜି ମୋର ମାନସିକ ଶାନ୍ତି ନଷ୍ଟ ହୋଇଛି, ପାରିବାରିକ ଜୀବନରେ ଧକ୍କା ସହିଛି, ଶାରୀରିକ ଅସୁସ୍ଥତା ହୋଇଛି । ତଥାପି ପୃଥିବୀକୁ ମୁଁ ଚିହ୍ନି ପାରୁନାହିଁ–ବୁଝି ପାରୁନାହିଁ–ନିଜର କରି ପାରୁନାହିଁ । ମୋର ଧାରଣା ହୋଇଛି ଏ ପୃଥିବୀକୁ ବୁଝିବାକୁ ହେଲେ ମୋତେ ବାରବାର ଏଇ ପୃଥିବୀରେ ପୁଣି ଜନ୍ମ ନେବାକୁ ହେବ ।

 

(ଆଜିତ ଗଳ୍ପ ଲେଖିବାକୁ ମୁଁ ଭୟ କଲିଣି । ଏଇଯେ ପରୀକ୍ଷାମୂଳକ ଗଳ୍ପ ନାମରେ ଯେଉଁସବୁ ମେରୁଦଣ୍ଡ ବିହୀନ ଦୁର୍ବୋଧ୍ୟଗଳ୍ପ ଆଜି ଆମ ପତ୍ରିକାମାନଙ୍କରେ ବହୁ ସଂଖ୍ୟାରେ ପ୍ରକାଶ ପାଉଛି, ସେ ସବୁ ଦେଖି ମୋର ତ ସନ୍ଦେହ ହେଉଛି–କବିତା ଭଳି ଗଳ୍ପ ଲେଖାରେ ମୁଁ କଣ ପରାଜିତ ହୋଇଯିବି କି !)

 

ଗଳ୍ପ ହେଉ ବା କବିତା ହେଉ, ଜନନୀ ପାଖରେ ପୁତ୍ର କନ୍ୟାଙ୍କର ସମାନ ଗର୍ଭଯନ୍ତ୍ରଣା ଭଳି, ଲେଖକ ପାଖରେ ପ୍ରତ୍ୟେକ ସୃଷ୍ଟିର ଯନ୍ତ୍ରଣା ସମାନ ! ମନକୁ ଯା ଆସିଲା ତା ଲେଖିଦେଇ କୌଣସି ମତେ ଛାପି ଦେଲେ ଯେ ଗଳ୍ପ କବିତା ହୋଇଗଲା, ଏମନ୍ତନୁହେଁ । ଅସଲ କଥା ହେଲା ଗଳ୍ପ କବିତା ଲେଖିବା ପୂର୍ବରୁ ଲେଖକର ପୂର୍ବ–ପ୍ରସ୍ତୁତି ଦରକାର । କିଛି ଲେଖିବା ପୂର୍ବରୁ ଲେଖକ ନିଜକୁ ପ୍ରଶ୍ନ କରିବା ଉଚିତ୍–ଏ ଲେଖାରେ କଣ ମୋର କହିବାର ଅଛି ? କେଉଁ ସତ୍ୟର ଉଦ୍‍ଘାଟନ ପାଇଁ ମୋର ଏ ସୃଷ୍ଟି । ଗଳ୍ପକଥା କହୁଛି–ଗଳ୍ପଟି ଘଟଣାପ୍ରଧାନ, ଚରିତ୍ରପ୍ରଧାନ, ଅଥବା ପରିବେଷଣ ପ୍ରଧାନ । ଯାହା କିଛି ହେଉନା କାହିଁକି ଲେଖକ ଗଳ୍ପର ପ୍ରଗତି ଓ ପରିଣତି ପ୍ରତି ତୀକ୍ଷଣ୍ ଦୃଷ୍ଟି ଦେବା ଉଚିତ୍ । ଲେଖିବା ତ ଦିନ ଅଧକର କାମ ନୁହେଁ, ଏଥିପାଇଁ ଦୀର୍ଘଦିନ ସାଧନା କରିବାକୁ ପଡ଼ିବ । ଗଳ୍ପ, ପ୍ରବନ୍ଧ, କବିତା, ଉପନ୍ୟାସ ଯା’ କିଛି ଲେଖ ନା କାହିଁକି, ପ୍ରଥମେ ଲେଖକ ତାର ସଂଜ୍ଞା କଣ ତାହା ଭଲଭାବେ ଜାଣି ରଖିବା ଉଚିତ୍ । ତା’ଛଡ଼ା ସୁଲେଖକ ହେବାକୁ ହେଲେ କଠୋର ଅଧ୍ୟବସାୟ, ବିଭିନ୍ନ ଭାଷାର ସାହିତ୍ୟ ଅଧ୍ୟୟନ ଓ ଗଭୀର ଅନୁଭୂତି ଆବଶ୍ୟକ ।

 

ଏଇ ଦୀର୍ଘ ବାରବର୍ଷର ଗାଳ୍ପିକ ଜୀବନରୁ ମୁଁ ଶିକ୍ଷାପାଇଛି–ଯେତେ ଭାଷା ଦେଇ ଲେଖିଲେ ବି ଅନୁଭୂତିର ଅଭାବରେ କୌଣସି ଗଳ୍ପ ପଦବାଚ୍ୟ ହୋଇ ନପାରେ । ମୋର ଆଗ୍ରହ ସାହିତ୍ୟିକମାନଙ୍କର ରଚନାରୁ ଏହା ମୁଁ ଶିକ୍ଷା ପାଇଛି । ମୋର କନିଷ୍ଠ ସାହିତ୍ୟିକ ମାନେ, ଓଡ଼ିଆ ଗଳ୍ପର ମାନୋନ୍ନତି ଲାଗି ଯେଉଁମାନେ ଆଜି ଶପଥ ନେଇଛନ୍ତି ଏଇ ଶିକ୍ଷାପ୍ରତି ସେମାନେ ସର୍ବଦା ସଚେତନ ରହନ୍ତୁ–ଏଇ କାମନା ।

 

 

ଏଇ କେତେବର୍ଷ ଭିତରେ ମୋର ଶତାଧିକ ଗଳ୍ପ ଓଡ଼ିଶାର ବିଭିନ୍ନ ପତ୍ରପତ୍ରିକାରେ ପ୍ରକାଶିତ ହୋଇଛି । ଏ ଦେଶର ପରିଚିତ ଅପରିଚିତ ଅନେକ ପାଠକ–ପାଠିକା ମୋର ଗଳ୍ପ ପାଠକରି “ଗଳ୍ପ ଭଲ ହେଉଛି, ଆହୁରି ଭଲକରି ଲେଖନ୍ତୁ” ପ୍ରେରଣାସୂଚକ ପତ୍ରମାନ ପଠାଇ ମୋର ଲେଖନୀକୁ କରିଛନ୍ତି ଚଞ୍ଚଳ...ସେମାନଙ୍କର ସେଇ ସବୁ ପତ୍ର ମୁଁ ସଯତ୍ନରେ ସାଇତିରଖିଛି । ମୋର ଚରମ ଦୁର୍ଦ୍ଦିନରେ ସେଗୁଡ଼ିକୁ ପଢ଼ି ମାନସିକ ଶାନ୍ତି ଫେରାଇ ଆଣିବା ପାଇଁ...ଗଳ୍ପ ସଂକଳନଟିଏ କଲେ ମୋର ଗଳ୍ପଗୁଡ଼ିକ ଉପରେ ସମାଲୋଚନା କରିବାର ପଥସୁଗମ ହେବ ବୋଲି ଅନେକ ବନ୍ଧୁ ମୋତେ ବିଭିନ୍ନ ସମୟରେ ପରାମର୍ଶ ଦେଇଛନ୍ତି । ମାତ୍ର ଗଳ୍ପ ସଂକଳନ କରିବାକୁ ଇଚ୍ଛା କଲେ ଯେ ସଂକଳନ ହୋଇଯିବ, ଏକଥା ତ ନୁହେଁ, ଏଥିପାଇଁ ପଇସା ଦରକାର, ପ୍ରକାଶକଙ୍କ ଅନୁକମ୍ପା ଦରକାର ।

 

ବିଳମ୍ବରେ ହେଲେବି ନିଉଷ୍ଟୁଡ଼େଣ୍ଟସ୍ ଷ୍ଟୋର ମୋର ଏ ସଂକଳନଟିକୁ ପ୍ରକାଶ କରି ମୋତେ ଅନୁଗୃହୀତ କରିପକାଇଛନ୍ତି । ମୋର ସମସ୍ତ ଗଳ୍ପ ଗୋଟିଏ ପୁସ୍ତକରେ ପ୍ରକାଶ କରିବା ସମ୍ଭବପର ନୁହେ । ଭବିଷ୍ୟତରେ ଦ୍ଵିତୀୟ ଭାଗ ପ୍ରକାଶ କରିବାର ବସନା ରଖୁଛି ।

 

ସଂକଳନଟିରେ ଅନେକ ମୁଦ୍ରାଜନିତ ତ୍ରୁଟି ରହିଗଲା । ଏପରିକି ଗୋଟିଏ ବାକ୍ୟ ମଧ୍ୟ ହଜିଯାଇଛି । ପରବର୍ତ୍ତୀ ସଂସ୍କରଣରେ ଏସବୁର ସଂଶୋଧନ କରିବାଛଡ଼ା ଆଉ କିଛି ଉପାୟ ନାହିଁ-। ଏସବୁ ମୁଦ୍ରାପ୍ରମାଦ ପାଇଁ ମୁଁ ବିଶେଷ ଦୁଃଖିତ ।

 

ମୋର ସମ୍ପାଦନାରେ ପ୍ରକାଶିକ “ମୟୂଖ” ପତ୍ରିକାରେ କେତେଜଣ ଛାତ୍ର ଛାତ୍ରୀଙ୍କ ନାମରେ ପ୍ରକାଶିତ ହୋଇଥିବ ମୋର ଗଳ୍ପ କେତୋଟି ଏ ସଙ୍କଳନରେ ମଧ୍ୟ ପତ୍ରସ୍ଥ ହୋଇଛି । ଗଳ୍ପଗୁଡ଼ିକର ପାଣ୍ଡୁଲିପି ପ୍ରସ୍ତୁତ କରିବାରେ ଯେଉଁ ଛାତ୍ରଛାତ୍ରୀମାନେ ମୋତେ ସାହାଯ୍ୟ କରିଥିଲେ, ସେମାନଙ୍କୁ ମୁଁ ମୋର ଅନ୍ତରର ଗଭୀର ପ୍ରଦେଶରୁ ଶୁଭେଚ୍ଛା ଜଣାଉଛି । ମୋର ପ୍ରାକୃତିକ ଜୀବନରେ ଯେଉଁ ବନ୍ଧୁମାନେ ମୋତେ ବିଭିନ୍ନ ଭାବରେ ସାହାଯ୍ୟ ସହାନୁଭୂତି ଦେଇ ଉତ୍ସାହିତ କରୁଛନ୍ତି, ସେମାନଙ୍କ ଭିତରେ ବନ୍ଧୁ ଶ୍ରୀ ଉଦୟଚନ୍ଦ୍ର ମହାପାତ୍ର, ଶ୍ରୀ ଲକ୍ଷ୍ମୀକାନ୍ତ ସେନ୍ଙ୍କ ଦାନ ଭୁଲିପାରିବି ନାହିଁ । ଆଜି ଏଇ ସ୍ଵର୍ଣ୍ଣ ଅବସରରେ ମୁଁ ମୋର ସବୁ ଶ୍ରେଣୀର ବନ୍ଧୁମାନଙ୍କୁ ହାର୍ଦ୍ଦିକ କୃତଜ୍ଞତା ଜ୍ଞାପନ କରୁଛି ।

 

ସଂକଳଟି ପ୍ରକାଶ ପାଇବାର ଦଶମାସ ପୂର୍ବରୁ ଯେଉଁ ଜନନୀ ରାଧାରାଣୀ ଦେବୀଙ୍କର ଦେହାନ୍ତ ହୋଇ ଯାଇଛି । ଗଳ୍ପ ଲେଖା ଲେଖି କଲାବେଳେ “ଏଗୁଡ଼ାକ କଣ କାହିଁକି ଲେଖୁଛ ବା” ସେ ମୋତେ ଅନେକ ଥର ପଚାରି ବ୍ୟସ୍ତ କରୁଥିଲା, ଏ ସବୁ ଲେଖାଥିବାରୁ ସେ ମୋତେ ପାଗଳା ବୋଲି କହୁଥିଲା, ଆଜି ହୁଏତ ସେ ବଞ୍ଚି ଥିଲେ ଏ ସଂକଳଟି ଦେଖି ତା ପ୍ରଶ୍ନର ସେ ଉତ୍ତର ପାଇ ପାରିଥାଆନ୍ତା, ଆନନ୍ଦିତା ହୋଇଥାଆନ୍ତା । ମାତ୍ର ତାହା ମୋ ଜୀବନରେ ସବୁଦିନ ପାଇଁ ଅବଶେଷ ରହିଗଲା ! ସଂକଳଟି ତାର ପବିତ୍ର–ସ୍ମୃତି ଉଦ୍ଦେଶ୍ୟରେ ଅର୍ପଣ କରୁଛି....

 

ଅକ୍ଷୟ ତୃତୀୟା, ୧୯୦୩

 

ପଳାଶୋଳ

ଗଗନ ବିଶ୍ଵାଳ

ଜଗତସିଂହପୁର, କଟକ

 

☆☆☆

 

ନାରୀ ନୁହେଁ ନେତ୍ରୀ

 

ଜୀବନର ମଧ୍ୟାହ୍ନ ଉତ୍ତୀର୍ଣ୍ଣ ହୋଇଗଲା !

 

ଏ ଯୁଗ–ମଣିଷର ହାରାହାରି ପରମାୟୁ ଯଦି ଷାଠିଏ ବର୍ଷ ହୁଏ, ତିରିଶିଟି ବର୍ଷ ଅତିକ୍ରମ କରିଥିବା ଯୁବକର ଜୀବନର ମଧ୍ୟାହ୍ନ ଯେ ଉତ୍ତୀର୍ଣ୍ଣ ହୋଇଗଲା, ଏଥିରେ ବିସ୍ମିତ, ଚିନ୍ତିତ, ବ୍ୟଥିତ ହେବାର କ’ଣ ଅଛି ?

 

ଅଥଚ ଦୀନବନ୍ଧୁ, ଏକ ବୃଦ୍ଧ ଦାର୍ଶନିକ ଭଳି, ନିଜ ମୁଣ୍ଡକୁ ଗୋଳମାଳ କରୁଥିଲା; ନିଜକୁହିଁ ନିଜେ ପଚାରୁଥିଲା–କେତେ ସହଳ ଏତେଗୁଡ଼ାଏ ବର୍ଷ ତା’ର କଟିଗଲା !

 

ଦୀନବନ୍ଧୁଙ୍କର ସନ୍ଦେହ ହେଉଥିଲା–ତିରିଶଟି ଗ୍ରୀଷ୍ମ, ବର୍ଷା, ଶୀତ, ବସନ୍ତ ତା’ର ଏ ଦେହର ଧରଣୀକୁ ଯିମିତି ସ୍ପର୍ଶ କରି ଯାଇନି; ଆଉ ପିଲାଦିନେ, ଅଙ୍କ କଷୁ କଷୁ ଏକ ଭୁଲ ହିସାବ କରି ପକାଇଲା ଭଳି, ସେ ଯିମିତି ଏକ ଭୁଲ ହିସାବ କରି ପକାଇଛି ।

 

କିନ୍ତୁ ନା, ବୟସର ହିସାବରେ ଏତେ ସହଜରେ ଭୁଲ ହୁଏ ନାହିଁ । ତିରିଶ । ଆଜି ତା’ର ଏଇ ଜନ୍ମ–ବାର୍ଷିକୀ ପାଳନ କରିବାକୁ ରୀତା କିଛି ପଇସା ବି ବରବାଦ କରିଦେଇଛି ।

 

ସ୍ୱପତ୍ନୀ ରୀତାର ଏ ଅପବ୍ୟୟକୁ ସମର୍ଥନ କରିପାରିନି ସେ । ବରଂ ଦୁଃଖ ପ୍ରକାଶ କରିଛି ଦୀନବନ୍ଧୁ–ମୋ ଭଳି ଏକ ଅପଦାର୍ଥର ଜନ୍ମବାର୍ଷିକୀ ପାଳନ କରିବାକୁ ତମେ ଏତେଗୋଟି ମୁଦ୍ରା–ରାକ୍ଷସଙ୍କର ଅକାଳ ବିୟୋଗ ଘଟାଇ ଦେଲ ?

 

ରୀତା ମୁହଁରେ ହସର ସେଇ ଗାରେ ରେଖା, ଦୀନବନ୍ଧୁଙ୍କ ଆଖିରେ ଖଣ୍ଡେ କାଠ କଟା କରତ ପରି, ଧରା ପଡ଼ି ଯାଇଛି । ଏକ ଅର୍ଥନୀତି–ବିଶାରଦ ଭଳି ଅମିତବ୍ୟୟୀ ରୀତାକୁ ସତର୍କ କରିଦେବାକୁ, ସେ ତେଣୁ ପରାମର୍ଶ ଦେଇଛନ୍ତି–ତମେ ଅକାରଣେ ଏତେଗୁଡ଼ାଏ ଅର୍ଥ ବ୍ୟୟ କରି ଭୁଲ କଲ ରୀତା, ପଇସାଟିଏ ଉପାର୍ଜ୍ଜନ କରିବାକୁ କେତେ ଯେ କଷ୍ଟ ପଡ଼ୁଛି, ତା’ ଯଦି ତମେ ଜାଣିପାରନ୍ତ...

 

ପଇସା କିମିତି ଆସିବ, କେଉଁଠୁ ଆସିବ, ସେ ବିଷୟରେ ଚିନ୍ତା କରିବା ତ ରୀତାର କାମ ନୁହେଁ; ଦୀନବନ୍ଧୁ ତ ଜଣେଲୋକ, ସେ ବିଷୟରେ ଅହରହ ଚିନ୍ତା କରିବାକୁ ବେଶ ଧୁରନ୍ଧର ! ତେବେ ପଇସାକୁ ଉପଯୁକ୍ତ ଭାବେ ବ୍ୟୟ କରିବାର ଦାୟିତ୍ଵ କେବଳ ତା’ର । ମୁହଁର ତ୍ୱକ୍ ଉପରେ ସେଇ ବିଶ୍ୱାସ ଆନନ୍ଦର ରେଖାଙ୍କନ କରି ରୀତା ପ୍ରତ୍ୟୁତ୍ତର କରିଛି–‘ତୁମ ଜୀବନ କାହା ପାଖରେ ସାଧାରଣ ହୋଇପାରେ; କିନ୍ତୁ ମୋ ପାଖରେ, ମୋ ପରିବାର ପାଖରେ ଯେ ଅତି ମହାନ୍ ! ନିଜର ଚରମ ସ୍ଵାର୍ଥ ତ୍ୟାଗ କରି ନିଜକୁ ଦୀପ ଭଳି ତିଳ ତିଳ କରି ଜାଳି ତମେ ଆମ ମୁହଁରେ ହସର ଆଲୋକ ଫୁଟାଇବାକୁ ସର୍ବଦା ଚେଷ୍ଟିତ । କୁହ ତ ତମର ଜନ୍ମ–ବାର୍ଷିକୀ ପାଳନ କରିବା କ’ଣ ଆମର କର୍ତ୍ତବ୍ୟ ନୁହେଁ ?

 

ନାରୀମାନେ ଅଶିକ୍ଷିତା ହେଲେ ବି ବେଶ୍ ବୁଦ୍ଧିମତୀ; ପୁରୁଷଙ୍କ ପ୍ରଶ୍ନର ଯଥାର୍ଥ ଉତ୍ତର ଦେବାକୁ ସେମାନଙ୍କର ସେ ଶକ୍ତି ଯେ ସହଜାତ, ଏକଥା ଅନେକ ବାର ପରୀକ୍ଷା କରି ପରାସ୍ତ ହୋଇଛନ୍ତି ସେ । ସୁତରାଂ ରୀତା ସହ ଅଯଥା ତର୍କ କରି ସମୟ କ୍ଷୟ କରିବା ଅପେକ୍ଷା, ତା’ କାର୍ଯ୍ୟକୁ ନୀରବରେ ସମର୍ଥନ କରିଯିବାକୁ ସେ ବହୁଦିନୁ ଅଭ୍ୟାସ କରିଛନ୍ତି ।

 

ଏକ ପରାଜିତ ସୈନିକ ଭଳି, ଦୀନବନ୍ଧୁ ହାଇମାରିଲେ, ତା’ପରେ କୁକୁର–କୁଣ୍ଡଳୀ କରି ଘୋଡ଼ିଘାଡ଼ି ହୋଇ ନିଶ୍ଚିନ୍ତରେ ଶୋଇଯିବାକୁ ଚେଷ୍ଟା କଲେ । କିନ୍ତୁ ନା–ହେଲା ନାହିଁ ସେ ବରଂ ପୁଣି ଭାବନାର ମାଳା ଜପ କରିବାକୁ ବେଶ ପସନ୍ଦ ମନେକଲେ–‘ତାଙ୍କ ଜୀବନର ମଧ୍ୟାହ୍ନ ହୋଇଗଲା ନା ! ଏହାପରେ ତାଙ୍କର ଏଇ କାକ–କୃଷ୍ଣ କୁଞ୍ଚିତ କେଶ କ୍ରମେ କ୍ରମେ ରଙ୍ଗ ବଦଳାଇ ନେବ, ଆଖିର ଦୃଷ୍ଟିଶକ୍ତି କ୍ରମେ କ୍ରମେ ହ୍ରାସ ହୋଇ ଆସିବ, ଶରୀରର ମାଂସପେଶୀ ଦୁର୍ବଳ ହୋଇ ପଡ଼ିବ, ଆଉ କିଏ ମନା କରିବ ଯେ, ବୃଦ୍ଧ ବୟସରେ ତାଙ୍କୁ ନର୍କକୁଣ୍ଡରେ ଶଯ୍ୟା ରଚନା କରିବାକୁ ନ ପଡ଼ିବ !

ଆଃ...ଦୀନବନ୍ଧୁ ଅତିଷ୍ଠ ହୋଇ ଉଠିଲେ ।

ଆଗାମୀ କାଲିର ସେଇ ନିଦାରୁଣ ଦୁଃଖ କଥା ମନେ ପକାଇ ଦେହ ଓ ମନରେ ଏକପ୍ରକାର ଶୈଥିଲ୍ୟଭାବ ଅନୁଭବ କଲେ, ସତେ ଯିମିତି ଏସବୁ ଦୁଃଖକୁ ଭେଟିବା ଲାଗି ତାଙ୍କ ମନରେ ଧୈଯ୍ୟ, ସାହସ, ଏତେ ଟିକେ ବି ନାହିଁ । ଅଥଚ ସେ ନିଶ୍ଚିତ ଜାଣିଛନ୍ତି ଯେ ତାଙ୍କୁ ଦିନ ସେଇ ଦୁଃଖ ସହ ସାଥି ହେବାକୁ ହେବ, ବିଶ୍ୱର ଅତି ସତ୍ୟ କଥା, ‘ଯିବ ରେ ଯିବ ରେ ଜୀବ ଦିନେ ଚାଲିଯିବ ରେ’ ତାଙ୍କ ଜୀବନର ଯବନିକା ଅବଶ୍ୟ ପଡ଼ିବ ଦିନେ । ନିଶ୍ଚୟ ଦିନେ ପଡ଼ିବ । ଆଉ ଥରେ ରେଜେଇଟାକୁ ଦେହ ଉପରେ ସଜାଡ଼ି ନେଇ, କିଛି ସମୟ ଉଷୁମ ଉପଭୋଗ କରିବା ଲାଗି ସେ ବ୍ୟାକୁଳ ହୋଇପଡ଼ିଲେ ।

ତେବେ, କାହିଁକି ସେ ଆସିଥିଲେ ? କଣ ଅବା ସେ କଲେ ? କ’ଣପାଇଁ ସେ ବଞ୍ଚିବାକୁ ଚାହାଁନ୍ତି ? ତାଙ୍କ ଜୀବନର ଶେଷ ହେବ କେବେ ? ତା’ପରେ ସେ ଏ ବିଶ୍ୱକୁ ଆସିବେ କି ନାଁ ? ଯଦି ନ ଆସନ୍ତି କୁଆଡ଼େ ଯିବେ ସେ ?

 

...ଏଇ କାଲି ପରି ଲାଗୁଛି; ଖଣ୍ଡେ ଖାକି କନାର ପ୍ୟାଣ୍ଟ, ଗାରିଗାରିକା କାନର ହାଫସାର୍ଟ ପିନ୍ଧି, କାନ୍ଧରେ ମାଟିଆ କନାର ବସ୍ତାନୀ ପକାଇ, ଡୋର ଲଗା କାଳି ଘଡ଼ିକୁ ହାତରେ ଓହଳାଇ, ସେ ବିଦ୍ୟାଳୟକୁ ଯାଉଥିଲେ । ଧଳା ପରଦା ଉପରେ ଚଳଚ୍ଚିତ୍ରର ରଙ୍ଗିନ ଛବି ସବୁ ଭାସି ଉଠିଲା ଭଳି, ସ୍ମୃତିର ପରଦା ଉପରେ ଅତୀତର ସେ ସ୍ଵର୍ଣ୍ଣ–ଉଜ୍ଜ୍ଵଳ ଛବି ସବୁ ଭାସି ଭାସି ଯାଉଛି ।

 

ଥରେ, ସେ ତାଙ୍କର ନିମ୍ନ ପ୍ରାଇମେରୀ ସ୍କୁଲରେ ପଢ଼ିଲା ବେଳର ସ୍ମୃତି । ସବିତା ସହ କଳି କରି ତା’ କାଳି ଢାଳି ଦେଇଥିବାରୁ ଆନନ୍ଦ ମାଷ୍ଟ୍ରେ ତାକୁ ଯେଉଁ ଚାପୁଡ଼ା ମାରିଥିଲେ, ଏବେ ବି ସେ ସ୍ମୃତି ମନେପଡ଼ିଲେ, ଅଯଥା ଆତଙ୍କରେ ଗାଲ, ପିଠି ତାଙ୍କର ଶୀତେଇ ଉଠୁଛି । ଆଉ ଯେଉଁଦିନ ଗାଁ ପହିଲମାନ ରମାକାନ୍ତ (ଆନନ୍ଦ ମାଷ୍ଟ୍ରେ ତାକୁ ଏଇ ନାମରେ ଡାକନ୍ତି) ଅଙ୍କ ଖାତା ଆଣି ନ ଥିଲା, ସେଦିନ ସେ ତାକୁ ଯେଉଁ ବ୍ରହ୍ମ ଚାପଡ଼ ମାରିଥିଲା ନା...

 

ଶ୍ରେଣୀରେ ଭଲ ପାଠ ପଢ଼ୁଥିଲା ବୋଲି ଶିକ୍ଷକ ମହଲରେ ତା’ର ଯିମିତି ଆଦର ଥିଲା, ଗାଁରେ ଭଲ ଖେଳୁ ନ ଥିଲା ବୋଲି ଗାଁ ପିଲାଙ୍କ ପାଖରେ ତା’ର ସେମିତି ଦୁର୍ନାମ ଥିଲା । ଆନନ୍ଦ ମାଷ୍ଟ୍ରେ କହୁଥିଲେ ଭବିଷ୍ୟତରେ ସେ ଗୋଟାଏ ବଡ଼ ମଣିଷ ହେବ, ଆଉ ଗାଁ ପିଲା ତାକୁ ଥଟ୍ଟା କରି କହୁଥିଲେ ସେ ହେବ ଗୋଟାଏ ନିପଟ ମାଇଚିଆ ।

 

ଜୀବନର ଏ ମଧ୍ୟାହ୍ନରେ; ଅତୀତ–ପୃଥିବୀକୁ ଫେରି ଚାହିଁଲେ, ଅନେକ ସହପାଠୀଙ୍କର ମୁଖ, ସ୍ମୃତିର ଦର୍ପଣରେ ପ୍ରତିଭାତ ହୋଇଉଠେ । ସେଥିମଧ୍ୟରୁ କେତେକ ଏକ ଏକ ଶ୍ରେଣୀର ଏକାଧିକବାର ବିଶ୍ରାମ ନେବାପରେ, ଅନେକ ଦିନରୁ ପିତାଙ୍କର କୃଷି ମହାବିଦ୍ୟାଳୟରେ ଯୋଗ ଦେଇଛନ୍ତି । କେତେକ ମଧ୍ୟ ତା’ ସହିତ କିଛି ବାଟ ଆଗେଇ ଆସି, ବିଦ୍ୟା ନ ହେଉଥିବା ଦୁଃଖରେ, ସରସ୍ଵତୀଙ୍କୁ ଅଭିଶାପ ଦେଇ, ବର୍ତ୍ତମାନ କେଉଁ ଅଫିସର ତଳିଆ କର୍ମଚାରୀ ହିସାବରେ ଗଣତି ହେଉଛନ୍ତି; କେତେକ ଗାଁ–ଗଣ୍ଡାରେ ରହି ପାର୍ଟି ପ୍ରଚାରକ ରୂପେ କାର୍ଯ୍ୟ କରିବା ସାଥେ ସାଥେ ଟାଉଟରିକୁ ଜୀବିକା କରିଛନ୍ତି; ଆଉ ବି କେତେକ ତାକୁ ଅଧବାଟରେ ଛାଡ଼ିଦେଇ, ଉନ୍ନତିର ଶିଡ଼ିରେ ସୁନାମର ଉପର ପାହାଚକୁ ଉଠିଯାଇଛନ୍ତି ।

 

ସୀତାକାନ୍ତ । ମାଇନର ପଢ଼ିଲାବେଳେ ଯିଏ ମାଷ୍ଟ୍ରଙ୍କ ମାଡ଼ ଦାଉରୁ ରକ୍ଷା ପାଇବାକୁ ତା’ ଖାତାରୁ ଅଙ୍କ କପି କରୁଥିଲା ସେ ଆଜି ଅର୍ଥନୀତିରେ ଏମ୍. ଏ. ପାଶ୍ କରି ଇଂଲଣ୍ଡ ଯାଇଛି ।

 

ଏଇତ, ସେଦିନ ଖବରକାଗଜରୁ ପଢ଼ିଥିଲା ଦୀନବନ୍ଧୁ, ରମାପତି ପଟ୍ଟନାୟକ ଇତିହାସରେ ଗବେଷଣା କରି ଏ ବର୍ଷ ଉତ୍କଳ ବିଶ୍ଵବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରୁ ଡକ୍ଟରେଟ୍ ଉପାଧି ଲାଭକଲା । ଆଉ ତ୍ରିବିକ୍ରମ ! ଶ୍ରେଣୀରେ ଅତି ଅପରିଷ୍କାର କାଛୁଆ ପିଲା ବୋଲି ଯାହାକୁ ଦିନେ ସେ ଥଟ୍ଟା କରୁଥିଲା, ସେ ଯେ ପୁଣି ଚିକିତ୍ସକ ହୋଇ ଉଚ୍ଚ ଡିଗ୍ରୀ ହାସଲ କରିବାକୁ ବର୍ଲିନ ଯିବା, ଏ କଥା କଣ କିଏ କେବେ କଳ୍ପନା କରିଥିଲା !

 

ସବୁଠାରୁ ଲଜ୍ଜାକର କଥା ଏଇ ପ୍ରତିଭା ମହାନ୍ତି; ସ୍କୁଲରେ ମାଷ୍ଟର କହୁଥିଲେ–‘ଏ ହୁଣ୍ଡୀର ପାଠ ହେବ ନାହିଁ; ଘରେ ଯାଇ ରୋଷେଇ ଶିଖ’–ଆଜି ସବୁ ଗୋଟି ଗୋଟି ମନେ ପଡ଼ିଯାଇଛି । ମାଟ୍ରିକ୍ ପରୀକ୍ଷା ଥିଲା ମାସଟିଏ ମାତ୍ର । ଏଇ ପ୍ରତିଭା ସେଦିନ ଅଶ୍ରୁ ବିଗଳିତ କଣ୍ଠରେ ତାକୁ କହିଥିଲା–‘ମତେ ଟିକେ ଯଦି ସାହାଯ୍ୟ ନ କରିବ ମୁଁ ମାଟ୍ରିକଟା ବି ପାଶ କରି ପାରିବି ନାହିଁ,’ ଆଜି ସେ ପୁଣି ଅଧ୍ୟାପିକା । ହା–ହା–ଜୀବନରେ ଏତେ ଲଜ୍ଜା, ଏତେ ଅପମାନ, ଏତେ ଅସନ୍ତୋଷ, ଏତେ ଦୁଃଖ ପୁଣି ତାକୁ ସହ୍ୟ କରିବାକୁ ଥିଲା ?

 

ନରୋତ୍ତମ ସେଦିନ ଠିକ୍ କହୁଥିଲା, କଣ୍ଟ୍ରାକ୍ଟର ନରୋତ୍ତମ ସ୍ଵାଇଁ ହଠାତ୍ ସେ ଦିନ କଟକ ମଟରଷ୍ଟାଣ୍ଡ ପାଖରେ ଭେଟ ହୋଇ ଯାଇଥିଲା ।

 

ଦୀର୍ଘ ଆଠବର୍ଷ ପରେ ନରୋତ୍ତମ ସ୍ଵାଇଁଙ୍କୁ ଦେଖି ସେ ତ ଆଦୌ ଚିହ୍ନି ପାରିଲା ନାହିଁ । ଏଇ ଆଠବର୍ଷ ଭିତରେ ନରୋତ୍ତମ ଅସମ୍ଭବ ରକମର ମୋଟା ହୋଇଯାଇଛି । ଆଉ ତାର ସେଇ ବେଲ–ବର୍ତ୍ତୁଳ ଶରୀରକୁ ଖଦଡ଼ ଲୁଗା ଓ ପଞ୍ଜାବୀ ଏଭଳି ସୁନ୍ଦର ଭାବରେ ଖାପ ଖାଉଛି ଯେ, ହଠାତ୍ ଯିଏ ଦେଖିବ ନିଃସନ୍ଦେହରେ ସରକାରୀ ଦଳର କୌଣସି ତୁଙ୍ଗ ନେତା ବୋଲି ସହଜରେ ଗ୍ରହଣ କରିନେବ ।

 

ରିକ୍‍ସାରୁ ଓହ୍ଲାଇ ପଡ଼ି ନରୋତ୍ତମ ଯେତେବେଳେ ତାକୁ କୁଣ୍ଢାଇ ପକାଇଲା, ଦୀନବନ୍ଧୁ ନରୋତ୍ତମର ବାହୁ–ବେଷ୍ଟନୀ ଭିତରେ ନିଜକୁ ବଡ଼ ଅସହାୟ ମନେ କଲା, ବଡ଼ ଅସୁସ୍ଥ ଏବଂ ଲଜ୍ଜିତ । ସେ ଏକ ବିକଳ–ବିକୃତ ଚାହାଣୀରେ ବସଷ୍ଟାଣ୍ଡରେ ଜମି ରହିଥିବା ଯାତ୍ରୀମାନଙ୍କୁ ତରଙ୍ଗ ତରଙ୍ଗ କରି ଚାହିଁଗଲା, କାରଣ ତା’ର ଧାରଣା ହେଲା, ଦୀନବନ୍ଧୁ ଭଳି ଜଣେ ସାଧାସିଧା ସ୍କୁଲ ଶିକ୍ଷକକୁ ନରୋତ୍ତମ କୋଳାଗ୍ରତ କରୁଥିବାର ଦୃଶ୍ୟ, ହୁଏତ ଅନେକ ଯାତ୍ରୀ ସହ୍ୟ କରି ପାରୁ ନ ଥିବେ । ହୁଏତ ସେମାନେ ଭାବୁଥିବେ–ହୁଏତ–

 

–ତୁ କ’ଣ ମତେ ଚିହ୍ନି ପାରୁନୁ ଦୀନବନ୍ଧୁ ?

 

–ଏଁ ନାଁ, ନ ଚିହ୍ନିବି କେମିତି ? ଆଇ.ଏ.ପଢ଼ିଲାବେଳେ ଏକା ବସାରେ ଯେତେବେଳେ ରହିଥିଲେ......

 

–ହାଃ–ହାଃ–ହାଃ–ହାଃ...ବର୍ତ୍ତମାନ କେଉଁଠି ?

 

ନରୋତ୍ତମ ସ୍ୱାଇଁ ପାଖରେ ନିଜର ଚାକିରି କଥା କହିବାକୁ ଦୀନବନ୍ଧୁ କୁଣ୍ଠିତ ହୋଇପଡ଼ିଲା । ହୁଏତ ନରୋତ୍ତମ ଏକଥା ଶୁଣି ଅଟ୍ଟହାସ କରି ଉଠିବ–କହିବ, ଛାତ୍ର ଜୀବନର ସେ ନେତା ହେବାର ସ୍ଵପ୍ନ ତୋର କୁଆଡ଼େ ଗଲା ରେ ?

 

ନରୋତ୍ତମ କହିଲା–ଶୁଣିଥିଲି, ତୁ କୁଆଡ଼େ ମାଷ୍ଟର ହୋଇଛୁ ?

 

ସଙ୍କୁଚିତ କଣ୍ଠରେ ଦୀନବନ୍ଧୁ କହିଲା–ଇଚ୍ଛା କରିଥିଲେ ଗୋଟାଏ ଭଲ କିରାଣୀ ହୋଇ ପାରି ଥାଆନ୍ତି; କିନ୍ତୁ ସେ ଲାଇନରେ ଯିବାକୁ ମୋର ଆଉ ଆଗ୍ରହ ହେଲାନାହିଁ । ସେଲଟ୍ୟାକ୍‍ସ ଅଫିସରେ ଦୁଇବର୍ଷ କିରାଣୀ ଚାକିରି କରିବା ପରେ ବାଧ୍ୟ ହେଲି ସେ ଚାକିରି ଛାଡ଼ିବାକୁ ।

 

–କାହିଁକି ? ସେଥିରେ ତ ଭଲ ଟୁ–ପାଇସ୍ ଥିଲା, ଛାଡ଼ିଲୁ କାହିଁକି ?

 

ଅପରାଧୀ କଣ୍ଠରେ ଦୀନବନ୍ଧୁ କହିଲା–ଅଫିସରଙ୍କ ସହ ପଡ଼ିଲା ନାହିଁ; –ତା’ଛଡ଼ା ଏଇ ଟୁ–ପାଇସ......

 

–ଓ...ହୋ–ହୋ–ସ୍ଵର୍ଗରୁ ତୁ ନର୍କକୁ ଖସି ଆସିଲୁ ! ତୋ ମୁଣ୍ଡରେ କ’ଣ ଅଛି ରେ ?

 

ଦୀନବନ୍ଧୁ ଏଥର ପରିଷ୍କାର କଣ୍ଠରେ କହିଲା–

 

ତୁ ତ ଜାଣୁ ପିଲାଦିନୁ ମୁଁ ଅନ୍ୟାୟ, ଅତ୍ୟାଚାର, ଶୋଷଣ ବିରୁଦ୍ଧରେ ସଂଗ୍ରାମ କରିଆସିଛି । ଜାଣୁ ଜାଣୁ କିମିତି ଏବେ ମୁଁ ଉତ୍କୋଚ ଗ୍ରହଣ କରନ୍ତି ?

 

ପ୍ରତିବାଦୀ ଗଳାରେ ନରୋତ୍ତମ କହିଲା ତୁ ଏସବୁ ବହିପଢ଼ା ଆଦର୍ଶ କଥା କହୁଛୁ ଦୀନବନ୍ଧୁ, ବୁଝିଲୁ ? ସଂସାରରେ ବଞ୍ଚି ରହିବାକୁ ହେଲେ ଏ ନିଷ୍ଫଳ ଆଦର୍ଶକୁ ଭୁଲିଯିବାକୁ ପଡ଼ିବ । କହତ, ଆଦର୍ଶ ଗୋଟାଏ କ’ଣ ? ଅର୍ଥ ହେଉଛି ସବୁ ଆଦର୍ଶର ପ୍ରାଣକେନ୍ଦ୍ର । ଆଦର୍ଶକୁ ବଳି ଦେଇ ଯଦି ଅର୍ଥ ଉପାର୍ଜନ କରାଯାଇ ପାରେ, ମୋ ମତରେ ସେଭଳି ଆଦର୍ଶକୁ ଆଶୁ ବଳିଦେବା କଥା ।

 

ତା’ପରେ ନରୋତ୍ତମ ଏକ ବିରୁଦ୍ଧ ଦଳର ନେତାଭଳି କହି ଚାଲିଲା–ତୁ ଯା’ କହ ପଛେ; ମୁଁ କିନ୍ତୁ ତୋତେ ଗୋଟାଏ ଶିକ୍ଷକ ରୂପରେ ଦେଖିବାକୁ କେବେ ଚାହିଁ ନଥିଲି । ସେଥିରେ କ’ଣ ଅଛି କହିଲୁ ? ସମ୍ମାନ, ଅର୍ଥ ! ନା...ବୁଝିଲୁ ଏ ଯୁଗ ଏକ ପ୍ରତିଯୋଗିତାର ଯୁଗ, ଆଉ ଏ ପ୍ରତିଯୋଗିତାରେ ଭାଗ ନେବାକୁ ହେଲେ, ଅର୍ଥକୁ ମୂଳଧନ କରିବାକୁ ପଡ଼ିବ । ଯା’ର ଗାଡ଼ି ନାହିଁ ବାଡ଼ି ନାହିଁ, ବ୍ୟାଙ୍କ ବାଲାନ୍‍ସ ନାହିଁ, ସେ ବଞ୍ଚିଛି ବୋଲି କହିଲେ ଏ ଯୁଗରେ ଭୁଲ ହେବ । ମୁଠାଏ ଖାଇ, ଖଣ୍ଡେ ପିନ୍ଧି, ଆଦର୍ଶ ପଛରେ ଧାଇଁବାର ଯୁଗ ଚାଲିଗଲାଣି । ତୁ କହୁନୁ, ଖଣ୍ଡେ ଭଲ ପୋଷାକ ନ ପିନ୍ଧିଲେ ପଚାରିବେ କିଏ ? ତୁ ସେ ବାଜେ କଥା ଛାଡ଼, ମଣିଷ ହେବାକୁ ଇଚ୍ଛା ଥିଲେ, ସେ ପିଣ୍ଡାଓଲୁ ଚାକିରି ଛାଡ଼ି ବ୍ୟବସାୟ କର, ନ ହେଲେ ସରପଞ୍ଚ କି ଚେୟାରମ୍ୟାନ...କ’ଣ ବୁଝିଲୁ ? ଲୋକେ ଯେଉଁଠି ଚନ୍ଦ୍ରକୁ ଯିବାକୁ ବସିଲେଣି, ସେଠି ଚନ୍ଦ୍ର ମାମୁଁ ଯୁଗର ଆଦର୍ଶକଥା ତୁ ଆଉ କହନା । ମୋ କଥା ମାନି ସେ ଗୁରୁ ବ୍ରହ୍ମା, ବିଷ୍ଣୁ, ମହେଶ୍ୱର ହେବାର ପ୍ରଲୋଭନ ଛାଡ଼ । ତା’ ନ ହେଲେ ଭବିଷ୍ୟତରେ ଅର୍ଥାଭାବ ଯେତେବେଳେ ଉତ୍କଟ ହୋଇ ଉଠିବ, ତୋ ଭଳି ସେନ୍‍ସିଟିଭ୍ ଆଇମିନ୍ ଆତ୍ମସଚେତନ ଲୋକ ଶେଷରେ ଆତ୍ମହତ୍ୟା କରିବା ଯେ...

 

ଆତ୍ମହତ୍ୟା ! ଇସ୍–ଇସ୍...

 

ନରୋତ୍ତମ ସ୍ଵାଇଁକୁ ସେଦିନ ସେ ଭରସି କରି ଚାହିଁବାର ସକଳ ସାହସ, ଧୈର୍ଯ୍ୟ ହରାଇ ବସିଥିଲା ଦୀନବନ୍ଧୁ । ଆକଣ୍ଠ ଲଜ୍ଜାରେ ସେ ମ୍ରିୟମାଣ ହୋଇ ପଡ଼ିଥିଲା–ଆଇ.ଏ.ପରୀକ୍ଷାରେ ତିନି ତିନିଥର ଫେଲ ହୋଇ, ଆତ୍ମହତ୍ୟା କରିବାକୁ ଘରୁ ପଳାଇଥିବା ସେ ଦିନର ନରୋତ୍ତମ ସ୍ଵାଇଁ ।

 

ତା’ଭଳି କୃତି ଛାତ୍ରକୁ ଆଜି ଏ କଥା କହି ପାରିଲା !

 

ଖଦଡ଼ ପଞ୍ଜାବୀ ପକେଟରୁ ସିଗାରେଟ୍ ପ୍ୟାକେଟଟା ବାହାର କରି ଦୀନବନ୍ଧୁ ଉଦ୍ଦେଶ୍ୟରେ ବଢ଼ାଇ ଦେଲା ନରୋତ୍ତମ–ସିଗାରେଟ୍ ଚଳେନା ?

 

ସିଗାରେଟକୁ ଦୀନବନ୍ଧୁ ଘୃଣା କରନ୍ତି । ଭୀଷଣ, ଭୟଙ୍କର ଭାବେ । ଧୂଆଁ ଖାଇଲେ ହୃତପିଣ୍ଡ ଦୁର୍ବଳ ହୋଇଯାଏ ବୋଲି ବିଶେଷଜ୍ଞମାନେ ମତ ପୋଷଣ କରନ୍ତି । ସେଥିଲାଗି ନିଜେ ଦୀନବନ୍ଧୁ ଶ୍ରେଣୀରେ ପାଠ ପଢ଼ାଉଥିଲାବେଳେ, ଧୂମପାନର ଅପକାରୀତା ବିଷୟରେ ବେଳେ ବେଳେ ଭାଷଣ ଦେଇ ଆସନ୍ତି । ନରୋତ୍ତମ ହାତରେ ସିଗାରେଟ୍ ପ୍ୟାକେଟଟା ଦେଖି ଶିକ୍ଷକ ଦୀନବନ୍ଧୁଙ୍କର ଜିଭଟା ଛଟପଟ ହୋଇ ଉଠିଲା । କିନ୍ତୁ ନା, ହେଲାନାହିଁ । ସିଗାରେଟ୍ ବିରୁଦ୍ଧରେ କିଛି ଗୋଟାଏ କଟୁ ମନ୍ତବ୍ୟ ଦେଲେ, ଧୂମପାୟୀ ନରୋତ୍ତମ ସ୍ଵାଇଁ ନିଶ୍ଚୟ ଅଟ୍ଟହାସ୍ୟ କରି କିଛି ସମୟ ବସଷ୍ଟାଣ୍ଡକୁ ଶବ୍ଦାୟିତ କରିଦେବ । ସଂକ୍ଷେପରେ କହିଲେ ଦୀନବନ୍ଧୁ–ସିଗାରେଟ୍ ମୁଁ ଖାଏନା...

 

–ଏବଂ ସିଗାରେଟ୍ କୁ ତୁ ଘୃଣାକରୁ, ନା କ’ଣ ?

 

ସିଗାରେଟରେ ଅଗ୍ନି ସଂଯୋଗ କରୁ କରୁ ନରୋତ୍ତମ କହିଲା–ଆଉ ମୋର ତ ଧାରଣା ତୁ ନିଜକୁ ବି ଘୃଣା କରୁଥିଵୁ । ବୁଝାଇଵା ଭଙ୍ଗୀରେ ନରୋତ୍ତମ କହିଲା–ସିଗାରେଟ୍ ଧୁଆଁ ପିଇବା ଯେ ଖରାପ, ଏକଥା ମୁଁ କଦାପି ମାନିବି ନାହିଁ । ମୁଁ ବରଂ କହିବି–ଏ ଦୁଶ୍ଚିନ୍ତା–ଜଞ୍ଜାଳ–ବ୍ୟସ୍ତ ମଣିଷ ଲାଗି ଏ ଧୂମପାନ ସତେ ଯିମିତି ସ୍ଵର୍ଗର ଅମୃତ । ବୁଝିଲୁ ? ଶିକ୍ଷକତା କରି, ପିଲାଙ୍କର ଭୁଲ ଧରି ଧରି ତୁ ଗୋଟାଏ ଭୁଲ ମଣିଷ ହୋଇଗଲୁଣି । ଜୀଵନଟାକୁ ତୁ ଜୀବନ ଭଳି ଉପଭୋଗ କରି ପାରିଲୁ ନାହିଁ, ଏ ଶତାବ୍ଦୀର ମଣିଷଙ୍କ ମନକଥା ତୁ ବୁଝିପାରିଲୁ ନାହିଁ, ବିଦ୍ୟାଳୟର ସଂକୀର୍ଣ୍ଣ ଗଣ୍ଡି ଭିତରେ ଆବଦ୍ଧ ରହି, ତୁ ଗୋଟାଏ କୂପମଣ୍ଡୁକ ପାଲଟିଗଲୁ, ଏ ବିଶ୍ଵ ଯେ କେତେ ବିରାଟ, ବିଚିତ୍ର ଆଉ ବ୍ୟସ୍ତ ଏକଥା ତୁ କଳ୍ପନା ବି କରି ପାରିଲୁ ନାହିଁ...

 

ସିଗାରେଟରେ ଆଉ ବାରେ ଚୁମ୍ବନ ଦେଇ ନରୋତ୍ତମ ପୁଣି କହିଲେ–ସେଥିଲାଗି ମୁଁ କହୁଥିଲି ତୁ ଶିକ୍ଷକତା ଛାଡ଼ । କ’ଣ ପାଇଁ ତୁ ପଡ଼ି ରହିବୁ ? ପ୍ରମୋଶନ ? ପଇସା ? ନା ସମ୍ମାନ-? ବୁଝିଲୁ, ଗୋଟାଏ ଶିକ୍ଷକ ଗୁଡ଼ାଏ ଆଦର୍ଶକୁ ମୁଖସ୍ଥ କରିବା ଛଡ଼ା ଆଉ କ’ଣ କରିଥାଏ-

 

ନରୋତ୍ତମର ଏ କଥା ଶୁଣି ଦୀନବନ୍ଧୁ ନିଃଶବ୍ଦରେ ହସିଲା ସତ କିନ୍ତୁ ନରୋତ୍ତମ ଯେ ଜାଣି ଜାଣି ତାକୁ ଅପମାନିତ କରୁଛି, ଏ କଥା ବୁଝିବାକୁ ବାକି ନ ଥିଲା ତା’ର । ବରଂ ସେ ଏ ଅସହ୍ୟ ଅପମାନ ଦାଉରୁ ରକ୍ଷା ପାଇବାକୁ ପଳାଇଯିବାଲାଗି ମନେ ମନେ ପଥ ଖୋଜୁଥିଲା ।

 

ନରୋତ୍ତମ କହିଲା–ଗାଁକୁ ଯିଵୁ ନା ?

 

ଦୀନବନ୍ଧୁ ମଥା ଦୋହଲାଇ ସମ୍ମତି କଲା–ତୁ ?

 

–ମତେ କହୁଛୁ ? ହାତ ଘଡ଼ିକୁ ଲକ୍ଷ୍ୟ କରି ନରୋତ୍ତମ କହିଲା–ଭୁବନେଶ୍ଵର ଯିବି; ଚିଫ୍ ଇଞ୍ଜିନିୟରଙ୍କ ସହ ସାକ୍ଷାତ କରିବାର ଅଛି । ଏକକୋଟି ଟଙ୍କାର ଗୋଟିଏ କାମର ଟେଣ୍ଡର ନେଇଛି । ତା’ ଛଡ଼ା କେଇଟା ବିଲ୍ ଉପରେ ଅବଜେକ୍‍ସନ ଥିଲା, ସେ ବିଷୟ ବି ବୁଝିବି ।

 

ଦୀନବନ୍ଧୁ ସଂଯତ କଣ୍ଠରେ କହିଲା–ବସରେ ଯିବୁ ନା ?

 

–ହଁ, ଗାଡ଼ିଟା ମୋର ସ୍ତ୍ରୀ ନେଇ ଯାଇଛନ୍ତି । ଅଣ୍ଡର ସେକ୍ରେଟାରୀ ସୁବ୍ରତ ମହାନ୍ତିଙ୍କ ଝିଅ ବାହା ହେଉଛି–ନ ଗଲେ କିମିତି ହେବ କହନି ?

 

ଦୀନବନ୍ଧୁର ଏ ବିଷୟରେ କିଛି ପରାମର୍ଶ ଦେବାର ନଥିଲା । ତା’ର ଏତିକି କେବଳ ଧାରଣା ହୋଇଥିଲା ଯେ, ନରୋତ୍ତମ ସ୍ଵାଇଁ ଆଖିରେ ଯୁଗଟା ସଂପୂର୍ଣ୍ଣ ବଦଳି ଯାଇଛି ଏବଂ ନରୋତ୍ତମ ସ୍ଵାଇଁ ସତେ ଯିମିତି ସ୍ଵର୍ଗଲୋକର ଅନତିଦୂରରେ ଅବସ୍ଥାନ କରୁଛି ।

 

ନରୋତ୍ତମ କହିଲା–ମୋ ସ୍ତ୍ରୀ ଅଣ୍ଡର ସେକ୍ରେଟାରୀଙ୍କ ବାସଭବନକୁ ଯିବା କଥା ଶୁଣି ତୁ ବୋଧେ ପସନ୍ଦ କରୁ ନଥିବୁ; କିନ୍ତୁ ଏ ଯୁଗରେ ନାରୀ ପ୍ରଗତି ଯେତେବେଳେ ହୋଇଛି, ସବୁ କାର୍ଯ୍ୟରେ ସେମାନଙ୍କୁ ବାଟ ଛାଡ଼ିଦେବା କଥା । ତା’ ଛଡ଼ା କନ୍‍ଟ୍ରାକଟ୍ରି କଲେ ସମୟ ନ ଥାଏ ଅନ୍ୟମାନଙ୍କର ଭୋଜିରେ ଯୋଗ ଦେବାଲାଗି । କଣ୍ଟ୍ରାକ୍ଟରଙ୍କ ପତ୍ନୀ ଏ ସବୁରେ ଯୋଗ ଦେଇ ସେମାନଙ୍କୁ ଲଜ୍ଜ୍ୟାରୁ ରକ୍ଷା କରନ୍ତି ।

 

ଦୀନବନ୍ଧୁ ଏଥର କିଛି ନ କହି ଛାଡ଼ିବନାହିଁ ବୋଲି ସ୍ଥିର କଲା–ତୁ ଯା’ ଭାବେ ପଛେ, ଏ ସବୁକୁ ମୁଁ ଆଦୌ ପସନ୍ଦ କରେ ନା । ନାରୀ ପ୍ରଗତି ହେଲା ବୋଲି ଯେ ପୁରୁଷକୁ ଛାଡ଼ି ନାରୀ ଏକା ପାର୍ଟି ଆଟେଣ୍ଡ କରିବ, ଏ କଥାକୁ ମୁଁ ଆଦୌ ସମର୍ଥନ କରି ପାରିବି ନାହିଁ ।

 

–ଏବଂ ମୁଁ ମଧ୍ୟ; ନରୋତ୍ତମ କହିଲେ–ସବୁ ସ୍ୱାମୀ ତା’ର ସ୍ତ୍ରୀକୁ ଏକା କାହା ପାଖକୁ ପଠାଇବାକୁ ଇଚ୍ଛା କରେନା, କିନ୍ତୁ ମୁଁ କ’ଣ କରିବି କୁହନି ? ମୁଁ ହୋପ୍‍ଲେସ ! ନିଜେ ଯେତେବେଳେ କୌଣସି ନିମନ୍ତ୍ରଣ ରକ୍ଷା କରିପାରୁ ନାହିଁ....

 

–ତା’ ବୋଲି ତୁ ତୋ ସ୍ତ୍ରୀକୁ ପଠାଇବୁ ?

 

ସ୍ମିତ ହସି ନରୋତ୍ତମ କହିଲା–ମୁଁ ତ ପଠାଏ ନାହିଁ, ପଠାଇବାକୁ ବାଧ୍ୟ ହୁଏ । ତା’ ନ ହେଲେ ବ୍ୟବସାୟ ମାନ୍ଦା ପଡ଼ିଯିବ ଯେ...

 

–ମାନେ ?

 

ସହଜ କଣ୍ଠରେ କହିଲା ନରୋତ୍ତମ–ଟେଣ୍ଡର ମିଳିବ ନାହିଁ, ବିଲ୍ ପାସ କରିବାରେ ଡିଲେ ହେବ, ଏହିପରି ନାନା ଝାମେଲା । ତେବେ ଏତିକି ମୋର ଦୃଢ଼ବିଶ୍ଵାସ, ମୋ ସ୍ତ୍ରୀ ସେ ସବୁ ଧରଣର ନୁହେଁ ।

 

ସେ ଆଧୁନିକା–ଅଥଚ–ଆଉ–ମାନେ–ଅର୍ଥାତ୍...

 

–ବୁଝିଲି । ଦୀନବନ୍ଧୁ କହିଲେ ସ୍ତ୍ରୀ ଉପରେ ଅପର୍ଯ୍ୟାପ୍ତ ବିଶ୍ୱାସ ରଖିବା ଦାମ୍ପତ୍ୟଜୀବନରେ ନିହାତି ଜରୁରୀ । ତଥାପି.... ନିମ୍ନକଣ୍ଠରେ ଦୀନବନ୍ଧୁ କହିଲେ–ନାରୀମାନଙ୍କୁ ଏତେଟା ସ୍ଵାଧୀନତା ଦେବା ଆଦୌ ଉଚିତ ନୁହେଁ ।

 

ପ୍ରତିବାଦୀ ଗଳାରେ ନରୋତ୍ତମ କହିଲା–ନା, ନା, ଏକଥାକୁ ମୁଁ ଆଦୌ ସମର୍ଥନ କରିପାରିବି ନାହିଁ । ଏଇ ନାରୀମାନଙ୍କୁ ଏ ଜାତି ଅବମାନନା କରିଥିବା ଅପରାଧରେ ଆଜି ଅସଭ୍ୟ-। ତୁ ବୋଧେ ଇଂଲଣ୍ଡ, ଆମେରିକାର ରମଣୀମାନଙ୍କ କଥା ଶୁଣୁଥିବୁ । ସେମାନେ ପୁରୁଷଭଳି ଅର୍ଥ ଉପାର୍ଜନ କରି ତା’ର ପରିବାରକୁ ଚଳାନ୍ତି । ସେ ଦେଶ ଏତେ ବିତ୍ତଶାଳୀ ହେବାର କାରଣ, ସେ ଦେଶରେ ନାରୀ–ଜାଗୃତି ଅନେକ ଦିନରୁ ହୋଇ ଯାଇଛି । ପୁରୁଷଭଳି ନାରୀ ସେ ଦେଶରେ ସମାନ ଅଧିକାର ପାଉଛି । ଆଉ ଆମ ଦେଶରେ....

 

ଦୀନବନ୍ଧୁ ଏଥର ରୀତିମତ ବିରକ୍ତ ହୋଇ ଯାଇଥିଲେ । ସେ କହିଲେ–ସେ ପାଶ୍ଚାତ୍ୟ ସଭ୍ୟତା କଥା ମତେ ଆଉ କହନା ନରୋତ୍ତମ । ସେ ଦେଶ ବିତ୍ତଶାଳୀ ହେବାର ସମ୍ବାଦ ତୁ ଖାଲି ରଖିଛୁ; କିନ୍ତୁ ଦାମ୍ପତ୍ୟ ଜୀବନ ଯେ ସେଠାରେ କିଛି ନାହିଁ, ଏକଥା ତୁ ଭୁଲି ଯାଉଛୁ କାହିଁକି ? ସେ ଦେଶର ରମଣୀମାନେ ଏକାଧିକ ପୁରୁଷର ବଲ୍ଲଦ୍ଭା ହେବାରେ କୌଣସି ପ୍ରତିବନ୍ଧକ ନାହିଁ । କହତ, ତୋ ପତ୍ନୀକୁ ତୁ ଏଭଳି ହେବାଲାଗି ଛାଡ଼ି ଦେବାକୁ କ’ଣ କେବେ ଚାହିଁବୁ ?

 

ନରୋତ୍ତମ କ’ଣ କହିବାକୁ ଯାଉଥିଲା, ଗାଡ଼ି ଆସିବାର ଶବ୍ଦ ହେବାରୁ ସେ ନୀରବ ରହିଗଲା; କିନ୍ତୁ ନା, ଯାତ୍ରୀବାହୀ ଗାଡ଼ି ନୁହଁ, ମାଲବୋଝାଇ ଟ୍ରକ୍...

 

ସେ ଦିଗରୁ ଦୃଷ୍ଟି ଘୂରାଇ ନରୋତ୍ତମ କହିଲା, ଛାଡ଼ ସେ କଥା । ହଁ, ତୋର କ’ଣ ପିଲାପିଲି ହେଲେଣି ?

 

–ପାଞ୍ଚ…

 

–ପାଞ୍ଚ !

 

ଦୀନବନ୍ଧୁ କହିଲା–ତୁ ତ ଜାଣୁ ଆଇ. ଏ. ପଢ଼ିଲା ବେଳେ ମୋର ବିବାହ ହୋଇଥିଲା । ଆଉ ସେଇ ଦିନଠାରୁ ପ୍ରତିବର୍ଷ, ଦୁଇବର୍ଷ ଅନ୍ତରରେ ସ୍ତ୍ରୀ–ଗଛରୁ ମୋର ଗୋଟିଏ ଗୋଟିଏ ଫଳ ଆମଦାନୀ ହେଉଛି ।

 

–ଫଳ ନା, କାଳ ! ତୁ ଏପର୍ଯ୍ୟନ୍ତ ବାର୍ଥ କନଟ୍ରୋଲ ନ କରୁଛୁ କାହିଁକି ? ଖାଦ୍ୟ ସମସ୍ୟା ଯେଉଁଠି ଉତ୍କଟ ହେଲାଣି ସେଠି ତୁ ସେ ମହାଭାରତ ଯୁଗୟୀ ଚିନ୍ତାଧାରା ଛାଡ଼ି ପାରୁନୁ କାହିଁକି ? ଭବିଷ୍ୟତରେ ତୁ କ’ଣ…

 

ମନ୍ଦ ମନ୍ଦ ହସୁଥିଲା ଦୀନବନ୍ଧୁ । “ଜନ୍ମ ନିୟନ୍ତ୍ରଣ କରିବା ଅପେକ୍ଷା ଯଦି ନିଜକୁ ନିୟନ୍ତ୍ରଣ କରାଯାଇ ପାରିବା ବୁଦ୍ଧି ତୋତେ ଜଣାଅଛି ମତେ ବତା । ମୁଁ ତା କରିବାକୁ ପ୍ରସ୍ତୁତ ଅଛି । ହେଲେ ଏ ସବୁରେ ମୋର ଆଗ୍ରହ, ବିଶ୍ୱାସ ନାହିଁ । ତମଭଳି ପାଶ୍ଚାତ୍ୟ ସଭ୍ୟତାକୁ ଅନୁକରଣ କରୁଥିବା ଲୋକଙ୍କୁ ଏସବୁ ସାଜେ । ଯେଉଁ ଦେଶରେ ରାମକୃଷ୍ଣ ପରମହଂସ, ନିଗମାନନ୍ଦ, ଅରବିନ୍ଦ ପ୍ରଭୃତି ଯୋଗୀମାନେ ଜନ୍ମ ଗ୍ରହଣ କରି ଆଧ୍ୟାତ୍ମିକ ଶକ୍ତିବଳରେ ବଳିୟାନ ହୋଇ ପାରିଛନ୍ତି, ସେ ଦେଶର ସନ୍ତାନଙ୍କୁ ତୁ ଏ ଅସ୍ତ୍ର ଉପଚାର କରି ଜନ୍ମନିରୋଧ କରିବା କଥା କହୁଛୁ ! ଆରେ ଏ ଦେଶର ସଭ୍ୟତା, ସଂସ୍କୃତି, ପରମ୍ପରାକୁ ତୁ ଧ୍ଵଂସ କରିବୁ ନା କ’ଣ ?”

 

–ହାଃ–ହାଃ–ହାଃ, ହସିଉଠି ନରୋତ୍ତମ କହିଲା–ବୁଝିଲୁ ଦୀନବନ୍ଧୁ, ତୁ ଆଦୌ ବାସ୍ତବବାଦୀ ହେଲୁ ନାହିଁ । ଛାତ୍ର ଜୀବନରେ ତୁ ଯିମିତି କଳ୍ପନାବିଳାସୀ ଥିଲୁ, ଏବେ ଦେଖୁଛି, ତୁ ଠିକ୍ ସେଇଆ ଅଛୁ… ବୁଝିଲୁ ? ମୋର ଦୁଃଖ ହେଉଛି–ତୋର ଏଇ ବାସ୍ତବ ଜ୍ଞାନର ଅଭାବ ଦେଖି-। ତମ ରାମକୃଷ୍ଣ, ନିଗମ, ଅରବିନ୍ଦଙ୍କ ଦେଶରେ ତ ଜନସଂଖ୍ୟା ଚକ୍ରବୃଦ୍ଧି ହାରରେ ପ୍ରତିବର୍ଷ ବଢ଼ି ଚାଲିଛି । ଖାଲି ବୃଥା ଅଭିମାନର ବଶବର୍ତ୍ତୀ ହୋଇ ତୁ ଯୁକ୍ତି କରୁଛୁ ସିନା, ହେଲେ ଫଳ କିଛି ନାହିଁ-। ଆରେ ଏବହୁଁ ଯଦି ଜନ୍ମନିରୋଧ କରା ନ ଯାଏ, ଏ ଦେଶରେ ଯେମିତି ଲୋକସଂଖ୍ୟା ବୃଦ୍ଧି ପାଉଛି ନା, ଦିନ ଆସିବ ମଣିଷ ମାଂସ ପରିଶେଷରେ ମଣିଷ ଖାଇବେ । କ’ଣ ବୁଝିଲୁ ? ଏ ଅମଙ୍ଗଳରୁ ରକ୍ଷା ପାଇବାକୁ ହେଲେ ଜନ୍ମନିୟନ୍ତ୍ରଣ କରିବା ଉଚିତ କି ନୁହେଁ, କହିଲୁ ?

 

ଦୀନବନ୍ଧୁ କହିଲା–ଯିଏ ନିଜକୁ ନିୟନ୍ତ୍ରଣ କରି ଶିଖି ନ ଥିବ, ତା’ ପାଖରେ ଉଚିତ ନୁହେଁ ଆଉ କ’ଣ ?

 

ବ୍ୟଙ୍ଗକରି ନରୋତ୍ତମ କହିଲା–ତୁ ତ ନିଜକୁ ନିୟନ୍ତ୍ରଣ କରି ଶିଖିଛୁ ? ଆଜି ପାଞ୍ଚୋଟି ସନ୍ତାନ ହେଲା କିପରି ? …କ’ଣ ବୁଝିଲୁ ? ସେ ବାଜେ ଯୁକ୍ତି ଛାଡ଼ି ତୁ ଜନ୍ମନିୟନ୍ତ୍ରଣ କରିନେ । ତା’ ନ ହେଲେ ନିଜକୁ ନିୟନ୍ତ୍ରଣ କର । ଖାଦ୍ୟ ସମସ୍ୟା ଯେଭଳି ହେଲାଣି, ଭବିଷ୍ୟତରେ ତୁ ଏ ସନ୍ତାନମାନଙ୍କୁ ପୋଷିପାରିବୁ ନାହିଁ ଯେ…

 

ନରୋତ୍ତମ କଥା ଶୁଣି ଦୀନବନ୍ଧୁ ବଡ଼ ଅପଦସ୍ଥ ହୋଇପଡ଼ିଲା । ଲଜ୍ଜାରେ ମୁହଁ ତାର ଆରକ୍ତ ହୋଇଗଲା ।

 

ନରୋତ୍ତମ ତା’ର ଏ ପରିବର୍ତ୍ତିତ ଭାବ ଦେଖି କହିଲା–ତୁ ବୋଧେ ମୋ ଉପରେ ଅଭିମାନ କରିବୁଣି; କିନ୍ତୁ ଦେଖ, ଦିନ ଆସିବ, ତୁ ଯେତେବେଳେ ହଇରାଣ ହେବୁ–ମୋ କଥା ମନେ ପକାଇବୁ । କ’ଣ ବୁଝିଲୁ ? ମୋ କଥା ମାନି ବାର୍ଥ କଣ୍ଟ୍ରୋଲ କର ଆଉ ଏବହୁଁ ଗୋଟାଏ ଜୀବନବୀମା କରିନେ…ସୁବିଧା ଥିଲେ ପିଲାମାନଙ୍କ ନାମରେ ବି ଗୋଟାଏ ଗୋଟାଏ କରିନେ । ସେମାନଙ୍କ ପାଠ ପଢ଼ାପଢ଼ି ବେଳେ ବେଶ ସାହାଯ୍ୟ ତୋତେ ହେବ ।

 

ନରୋତ୍ତମର କଥାଗୁଡ଼ାକ ଦୀନବନ୍ଧୁର ଦେହରେ ଶତ ସହସ୍ର ବିଷାକ୍ତ ତୀର ଢୁକିଯିବାର ଯନ୍ତ୍ରଣା ସୃଷ୍ଟି କରୁଥିଲା । ନରୋତ୍ତମ ଜୀବନବୀମା କରିବାଲାଗି ପରାମର୍ଶ ଦେଇଥିବାର ଶୁଣି ସେ କହିଲା–ତୁ ତ ମୋର ଜୀବନ ନାହିଁ ବୋଲି କହୁଛୁ–ପୁଣି ବୀମା କରିବି କାହାର ? ଛାଡ଼ ସେ କଥା । ତୁ କହିଲୁ, ତୋର ପିଲାପିଲି କ’ଣ ?

 

–ମୋର ! ଏତେ କମ୍ ବୟସରେ ସନ୍ତାନର ଜନକ–ଜନନୀ ହେବାକୁ ଆମେ କିନ୍ତୁ ପସନ୍ଦ କରୁ ନା । ଜୀବନଟା ଶୁଷ୍କ ହୋଇଯିବ । ଏଇ ଆଶଙ୍କାରେ ମୋ ସ୍ତ୍ରୀ ତାଙ୍କର ଡାକ୍ତର ବନ୍ଧୁଠାରୁ କେଇଟା ପିଲ ଗିଳିଛନ୍ତି । ଅନ୍ତତଃ ଆଉ ପାଞ୍ଚବର୍ଷ ଲାଗି ପିଲା ନ ହେବାର ନିଶ୍ଚିତ ବିଶ୍ୱାସ ଅଛି ।

 

ଆଜି ତୋର ପାଞ୍ଚୋଟି ସନ୍ତାନ କଥା ସେ ଯଦି ଶୁଣିବେ ନା...ଭଗବାନ୍ !!

 

ଦୀନବନ୍ଧୁଙ୍କର ଏ ଦୁର୍ଭାଗ୍ୟର କାହାଣୀ ଶୁଣି ନରୋତ୍ତମ ବ୍ୟଥିତ ହୋଇ ପଡ଼ିଥିଲେ । ଗାଡ଼ି ବି ଆସିଯାଇ ଥିଲା । ନରୋତ୍ତମଠାରୁ ବିଦାୟ ନେଇ ଗାଡ଼ିରେ ବସିଲାବେଳେ ଦୀନବନ୍ଧୁ ଭାବୁଥିଲା–ନରୋତ୍ତମ ! କ’ଣ କିଛି ମିଛ କହିଛି ?

 

ଖାଲି ନରୋତ୍ତମ କାହିଁକି–କିଏ ଯେ ତା’ର ଏ ଅଧୋଗତି ଦେଖି ଦୁଃଖପ୍ରକାଶ ନ କରୁଛି...

 

ଥରେ କଥାପ୍ରସଙ୍ଗରେ ରୀତା କହୁଥିଲା–ଆଚ୍ଛା, ଏ ଚାକିରି ଛାଡ଼ି ଆଉ ଗୋଟିଏ ଚାକିରି କଲେ କ’ଣ ହୁଅନ୍ତା ନାହିଁ ? ଦୁନିଆରେ କେଡ଼େ କେଡ଼େ ଚାକିରି ଅଛି । ଏତେ ପାଠ ପଢ଼ି ଶେଷକୁ ତମେ ଏ ମାଷ୍ଟର ଚାକିରି କାହିଁକି କଲ ? ମଣିଷ ଟିକିଏ ବାହାର ପୃଥିବୀକୁ ଦେଖିପାରିଲା ନାହିଁ; ଟିକେ ସୁଖ କରିପାରିଲା ନାହିଁ । ଏଇପରା, ଆମ ଗାଁର ଊର୍ମିଳା, କ’ଣ ବା ତା’ ବର ପଢ଼ିଛି ? ମାଟ୍ରିକ ପାଶଟା କରି ଓଭରସିୟର ହୋଇଛି ଯେ ଊର୍ମିଳାକୁ ସାଙ୍ଗରେ ଧରି ବୁଲୁଛି । ଊର୍ମିଳା କହୁଥିଲା ତାକୁ କୁଆଡ଼େ ରୋଷାଇ କରାଇ ଦିଏ ନାହିଁ । ରୋଷାଇ କରିବାକୁ, ପାଣି ଦେବାକୁ, ପିଲାଙ୍କୁ ଧରିବାକୁ ବର ତା’ର ଗୋଟାଏ ଗୋଟାଏ ଲୋକ ରଖିଛି । ଊର୍ମିଳା ତ ସେଦିନ ମୋର ଏ ରୂପ ଦେଖି କାନ୍ଦି ପକାଇଲା...ସତରେ ତମେ ଏ ଚାକିରି ଛାଡ଼ିଲ...

 

ସେଦିନ ରୀତା ମନର ଚରମ ଅସନ୍ତୋଷ ବେଶ ଅନୁଭୂତିର ମୂଲ୍ୟ ଦେଇ ବୁଝି ପାରିଥିଲା ଦୀନବନ୍ଧୁ । ସବୁ ନାରୀ ସୁଖ ଚାହାନ୍ତି, ଧନ ଚାହାନ୍ତି, ମୁକ୍ତ ବିହଙ୍ଗୀଭଳି ସହର ବଜାରରେ ବୁଲିବାକୁ ଚାହାନ୍ତି । କିନ୍ତୁ ରୀତାକୁ ସେ ସୁଯୋଗ ସେ ଦେଇପାରିନି । ମୁହଁରେ ସିନା ରୀତା କିଛି କହୁନାହିଁ, ହେଲେ ମନେ ମନେ କ’ଣ ଭାଗ୍ୟକୁ ସେ ଧିକ୍‍କାର କରୁ ନ ଥିବ ?

 

ରୀତାକୁ ଥରେ ବୁଝାଇଥିଲେ ଦୀନବନ୍ଧୁ । ଦେଖ, ମାଷ୍ଟର ଚାକିରି ନ କଲେ ଯେ ଚାକିରି ଆଉ ମିଳିବ ନାହିଁ ଏ କଥା ନୁହଁ । ଆଜି କହିଲେ ଆଜି ଭଲ ଚାକିରି କରିପାରିବି । କିନ୍ତୁ ଏ ଚାକିରିରେ ଯେତେ ସମ୍ମାନ ନା... ! ଗୁରୁଟି ! ବିଦ୍ୟାଦାନ କରିବାଠାରୁ ଆଉ କ’ଣ କିଛି ବଡ଼ କଥା ଅଛି ? ଆଜି ଯୁଗରେ ପଇସା ତ ଊଣା–ଅଧିକେ ସମସ୍ତେ ରୋଜଗାର କରୁଛନ୍ତି । ହେଲେ ଏମିତି ସମ୍ମାନ କାହା ଭାଗ୍ୟରେ ଯୁଟୁଛି ?

 

ସେଦିନ ଦୀନବନ୍ଧୁଙ୍କର ଏ ଚାକିରି–ପ୍ରୀତି ଦେଖି ମୁହଁଟାକୁ କିମ୍ଭୁତ କିମାକାର କରି ରୀତା କହିଥିଲା–ସମ୍ମାନ ? ସେଇଆକୁ ଧୋଇ ପିଉନ ! ହଇଓ କି ସମ୍ମାନ ଦେଖାଉଛ ? ଆଜି ତମ ପାଖରେ ଅଛନ୍ତି ବୋଲି ସମ୍ମାନ ଦେଖାଉଛନ୍ତି । କାଲି ଯେତେବେଳେ ବଡ଼ ଅଫିସର ହେବେ, ହଇଓ ତମକୁ ସେମାନେ କ’ଣ ପଚାରିବେ ? ମାଷ୍ଟ୍ରେ ଗରିବ ବୋଲି କ’ଣ ପାଞ୍ଚ ଦଶ ଦେବେ ? ବୁଝିଲ, ସ୍ୱାର୍ଥ ହାସଲ କରିବାକୁ ସମ୍ମାନ ଦେଖାଉଛନ୍ତି । କାମ ସରିଲେ ତୁ କିଏ ନା ମୁଁ କିଏ ? ହେଇତି ପରା, ତମରି ପାଖରୁ କେତେ ପିଲା ଗଲେଣି । ଆଜି କେଇଜଣ ଦେଖା କରିବାକୁ ଆସୁଛନ୍ତି ? ତମେ ପରା ସେଦିନ କହୁଥିଲ......

 

ରୀତାକୁ ଆଉ ବୁଝାଇବାକୁ ସେଇଦିନୁ ଚେଷ୍ଟା କରନ୍ତି ନାହିଁ ଦୀନବନ୍ଧୁ । ଏ ଶତାବ୍ଦୀର ଗୃହିଣୀ ରୀତାକୁ ଆଦର୍ଶ କଥା କହି କ’ଣ କେବେ ମନଭୁଲା ଯାଇପାରେ ? ଯେଉଁ ଶତାବ୍ଦୀରେ ନାରୀ ଜାତିର ନେତୃତ୍ୱ ନେବାକୁ ଆଗେଇ ଗଲାଣି, ସେ ଶତାବ୍ଦୀରେ ନାରୀକୁ ଗୃହ କୋଣରେ ବନ୍ଦିନୀ କରି ଆଦର୍ଶ କଥା କହିବା, ଅଳ୍ପକେ ସନ୍ତୁଷ୍ଟ ହେବାକୁ ପ୍ରେରଣା ଦେବା ବୋକାମି ଛଡ଼ା ଆଉ କ’ଣ ହୋଇପାରେ ?

 

ଅନେକଥର ଦୀନବନ୍ଧୁ ଅନୁଭବ କରିଛନ୍ତି ପରିବାରରେ ଅଭାବ, ଅନାଟନ ଦେଖା ଦେଲେ, ରୀତା ରୁଦ୍ରାଣୀ ରୂପ ଧାରଣ କରି ତାଙ୍କର ପୌରୁଷକୁ ଧିକ୍‍କାର କରିବାକୁ ପଛାଏ ନାହିଁ । ବେଳେ ବେଳେ ବି ତା ବିରୁଦ୍ଧରେ ଗୁରୁତର ଅଭିଯୋଗ କରି କହିପକାଏ–ତମକୁ ବିବାହ କରି ଦୁଃଖ ଭୋଗିବାକୁ ପଡ଼ିବା ଜାଣିଥିଲେ ମୁଁ ବରଂ ଅବିବାହିତା ରହିଯାଇ ଥାଆନ୍ତି । ମଣିଷ ଦୁଃଖରେ ପଡ଼ି ସରିଗଲା ।

 

ରୀତାର ଏ କଥା ଶୁଣିଲେ ଦୀନବନ୍ଧୁ ନିଜକୁ ଭୀଷଣ ଅପଦସ୍ଥ ମନେ କରନ୍ତି । ଜୀବନଟା ବିପର୍ଯ୍ୟସ୍ତ ହୋଇଯିବାର ଦୁଃଖରେ ଭାଙ୍ଗି ପଡ଼ନ୍ତି । ଏପରି କି ନିଜ ଉପରୁ ସେ ଆସ୍ଥା ହରାଇ ସଂସାର–ଯନ୍ତ୍ରଣା ଛାଡ଼ି କେଉଁଆଡ଼େ ପଳାଇ ଯିବାର ଚିନ୍ତା ମନେ ମନେ ସ୍ଥିର କରନ୍ତି । କଳ୍ପନାର ସମୁଦ୍ରରେ ସନ୍ତରଣ କରି ଚାଲେ ତାଙ୍କ ମନର ପୋତ...ଗୃହତ୍ୟାଗ କରି ସେ ଏକ ଅଜ୍ଞାତ ସ୍ଥାନକୁ ଚାଲି ଯାଇଛନ୍ତି; ସେଠାରେ ନିଜର ଆଦର୍ଶକୁ ଫିଙ୍ଗିଦେଇ ଅନ୍ୟାୟ ଉପାୟରେ ଅର୍ଥ ଉପାର୍ଜ୍ଜନ କରିଛନ୍ତି । ଇମିତି ବର୍ଷେ, ଦୁଇବର୍ଷ...ପାଞ୍ଚବର୍ଷ ଅଜ୍ଞାତବାସ କରିଛନ୍ତି ସେ । ତା’ ପରେ ଦିନେ, ଅମାପ ଅର୍ଥର ଅଧୀଶ୍ଵର ହୋଇ ଫେରି ପଡ଼ିଛନ୍ତି । ପ୍ରତୀକ୍ଷମାଣା ରୀତା ଚମକି ଉଠିଛି । ଆଶ୍ଚର୍ଯ୍ୟ ଚାହାଣୀ ତୋଳି ସେ କେବଳ ଦୀନବନ୍ଧୁଙ୍କୁ ଚାହିଁ ରହିଛି ତମେ ଏତେ ଟଙ୍କା କେଉଁଠୁ ଆଣିଲ ?

 

ଦୀନବନ୍ଧୁ କେବଳ ହସୁଛନ୍ତି; ପରିତୃପ୍ତିର ସେ ଆନନ୍ଦ ତାଙ୍କର ମୁଖ ଉପରେ ଫୁଟି ଉଠିଛି ଏକ ବିଚିତ୍ର ଭାବରେ–ସେ କଥା ତମର ଜାଣିବା ଦରକାର ନାହିଁ । ତମର ପଇସା ଦରକାର, ସେଥିନେଇ ଅଭିମାନ କରୁଥିଲ । ତମ ଭାଗ୍ୟକୁ ଧିକ୍‍କାର କରୁଥିଲ, ମୋତେ ଝିଙ୍ଗାସ କରୁଥିଲ ନା ? ଏଣିକି ଆଉ ତ ଝିଙ୍ଗାସ କରିବ ନାହିଁ ? ...ଏଇ ଦେଖ, ସେଣ୍ଟ୍ରାଲ ବ୍ୟାଙ୍କରେ ମୋର ଏତେ ଲକ୍ଷ ଟଙ୍କା ଗଚ୍ଛିତ ଅଛି; ଏଇ ଦେଖ, କାର କିଣିବାକୁ ମୁଁ ଲାଇନ୍ ଲଗାଇଛି; ଏଇ ଦେଖ, ଆମ କୋଠା ଘରର ନକ୍‍ସା...

 

ଆଃ...ପର ମୁହୂର୍ତ୍ତରେ ଦୀନବନ୍ଧୁ ନିଜର ଚିନ୍ତାଧାରାକୁ ସଂଯତ କରି ନିଅନ୍ତି–କ’ଣ ଯେ ସେ ଏତେ ଅବାନ୍ତର କଳ୍ପନା କରି ଚାଲିଛନ୍ତି...ଦୀନବନ୍ଧୁଙ୍କର ମନେ ପଡ଼ିଯାଏ ରାଜା ବିଶ୍ଵାମିତ୍ରଙ୍କର କଥା; କାନ୍ୟକୁବ୍‍ଜର ରାଜସିଂହାସନ ପରିତ୍ୟାଗ କରି, ସେ ଯାଇଥିଲେ ତପସ୍ୟା କରି । ନିଜେ ବ୍ରହ୍ମଦର୍ଶୀ ବ୍ରାହ୍ମଣ ହେବା ପରେ, ନିଜ ରାଜ୍ୟକୁ ଫେରିଆସି ଦେଖନ୍ତି, ଦୀର୍ଘଦିନ ବର୍ଷା ଅଭାବରେ ରାଜ୍ୟରେ ତାଙ୍କର ମଡ଼କପଡ଼ିଛି । ଆଉ ରାଜପୁତ୍ର, ରାଜଲକ୍ଷ୍ମୀ ନିଜର ଜୀବନ ରକ୍ଷା କରିବାକୁ ଭକ୍ଷଣ କରିଛନ୍ତି ଚଣ୍ଡାଳ ହସ୍ତରୁ ଗୋ–ମାଂସ...

 

ନିଜକୁ ନିଜେ ଉପହାସ କରି ଉଠନ୍ତି ଦୀନବନ୍ଧୁ । ପାଞ୍ଚବର୍ଷ କାହିଁକି, ସେ ଯଦି ପାଞ୍ଚଟି ମାସ ଅଜ୍ଞାତବାସ କରନ୍ତି, ତା’ ହେଲେ ପରିବାର ସଫା ହୋଇଯିବ । ଖାଦ୍ୟାଭାବରେ ପାଞ୍ଚପାଞ୍ଚଟି ପିଲା ଛଟପଟ ହୋଇ ପ୍ରାଣ ହରାଇବେ । ଆଉ ଏ ସବୁ ଦୁଃଖ ଦେଖି ନିଜ ପତ୍ନୀ ହୁଏତ କୂଅଦଉଡ଼ିର ଆଶ୍ରା ନେଇଯିବ...

 

ଦୀନବନ୍ଧୁ ଏକ ବାତଜ୍ୱର ରୋଗୀ ଭଳି ଥରିଉଠନ୍ତି, ବଡ଼ ହେବାର ସ୍ୱପ୍ନ–ବିଫଳ ଯନ୍ତ୍ରଣା ତାଙ୍କୁ ଅତିଷ୍ଠ କରିପକାଏ...

 

ଏମିତି ବି ହୁଏ । ସହରୀ ରାସ୍ତାରେ ଯିବା ଆସିବା କଲାବେଳେ, ଅତ୍ୟାଧୁନିକ ଯୁଗର ବିଳାସ ସାମଗ୍ରୀ ଚକ୍ଷୁରେ ପଡ଼ିଗଲେ ଦୀନବନ୍ଧୁ ଅନୁଭବ କରନ୍ତି, ସେ ବିଳାସ–ସାମଗ୍ରୀକୁ କ୍ରୟ କରି, ଜୀବନକୁ ବିଳାସର ରଙ୍ଗରେ ରଙ୍ଗୀନ କରିବାକୁ । ପ୍ରଲୋଭନ ତାଙ୍କର ଜିଭ କାଢ଼ି ଅଥୟ ହୋଇ ଉଠୁଛି । କିନ୍ତୁ ପରମୁହୂର୍ତ୍ତରେ ସେ ସଂଯତ ହୋଇ ଯାଆନ୍ତି । ସେଇ “ସରଳ ଜୀବନ ଓ ଉଚ୍ଚ ଚିନ୍ତାର” ଚିନ୍ତାଧାର ପୁଣି ତାଙ୍କୁ ବିଭ୍ରାନ୍ତ କରିଦିଏ । ସେ କିନ୍ତୁ କିଣି ପାରନ୍ତି ନାହିଁ ସତ, ହେଲେ ଏଇସବୁ ଅଳୀକ ଆଦର୍ଶର ବଶବର୍ତ୍ତୀ ହୋଇ, ଜୀବନକୁ ନାରଖାର କରି ଦେଇଥିବା ଦୁଃଖରେ ସେ ଭାଙ୍ଗିପଡ଼ନ୍ତି ।

 

ଆହା–ଆହା...ଯନ୍ତ୍ରଣା–ଯୁଗର–ଶିକ୍ଷକ–ଦୀନବନ୍ଧୁଙ୍କର ଅନ୍ତରଟା ଅନୁଶୋଚନାରେ ରାଇ ରାଇ କରି ଉଠିଲା । ଅଭିମାନରେ, ଚରମ ବିରକ୍ତିରେ ରେଜେଇଟାକୁ ଫିଙ୍ଗି ଦେଇ ସେ ଉଠି ବସିଲେ–ନା, ତାଙ୍କୁ କିଛି ଗୋଟାଏ କରିବାକୁ ପଡ଼ିବ । ଭାଗ୍ୟର ଦ୍ୱାହି ଦେଇ ଗୋଟାଏ ଜୀବନରେ ସେ ଏତେ ଦୁଃଖ ଆଉ ସହ୍ୟକରି ପାରିବେ ନାହିଁ । “ଉଦ୍‍ଯୋଗେନ ପୁରୁଷ–ସିଂହମୁପୈତି ଲକ୍ଷ୍ମୀ” ବଡ଼ ହେବା ଲାଗି ତାଙ୍କୁ ଉଦଯୋଗ କରିବାକୁ ପଡ଼ିବ । ସାଧାସିଧା ଭାବେ ଚଳି ଉଚ୍ଚଚିନ୍ତା କରିବାର ନିଷ୍ଫଳ ଆଦର୍ଶକୁ ତାଙ୍କୁ ଭୁଲିଯିବାକୁ ପଡ଼ିବ । ନିଜର ସମସ୍ତ ବୁଦ୍ଧି ବିବେକ ଜ୍ଞାନ ଖଟାଇ ସେ ଦେଖିବେ ଯେ ଭାଗ୍ୟଦେବୀ ତାଙ୍କର ସୁପ୍ରଶ୍ନ ହେଉଛନ୍ତି କି ନା ।

 

–ଶୁଣୁଛ ?

 

ଉତ୍ତେଜିତ ଦୀନବନ୍ଧୁ ଖୁବ୍ ଜୋରରେ ରୀତାକୁ ହଲାଇଦେଲେ ।

 

–ଏଁ...କ’ଣ ?

 

–ଏଇ ବର୍ତ୍ତମାନ ଚେଇଁଥିଲ, ଏତେ ଶୀଘ୍ର ନିଦ ହୋଇଗଲା ?

 

ଅସନ୍ତୁଷ୍ଟ । ରୀତା ପାଟି କରିଉଠିଲା–କାଇଁ, କ’ଣ ତମର କରିଥାଆନ୍ତି କି ? ଦିନତମାମ ଖଟି ଖଟି ମଣିଷ ଟିକେ ଶୋଉଥିଲା ଯେ, ଶୁଆଇ ଦେଲେ ନାହିଁ । ନାଇଁ ତମେ ଶୋଇଲ । ମୋ ଦେହ ଭଲ ନାହିଁ...

 

ଦୀନବନ୍ଧୁ ହସିଲେ, ରୀତାର କଟିରେ କର ସଞ୍ଚାଳନ କରି କହିଲେ–ଉଠୁନ...

 

–କ’ଣ କହୁଛ କହୁନ । ଉଠିଲେ ହେବ, ନଇଲେ ନାଇଁ... ଆରେ...ହାତ ବାହାରକୁ ନେଲ, ମତେ ଭାରୀ ଶୀତ କରୁଛି...

 

ରୀତାକୁ ଆଉ ବିରକ୍ତ କରିବାକୁ ଚେଷ୍ଟା କଲେନି ଦୀନବନ୍ଧୁ ।

 

ରୀତା କହିଲା–କ’ଣ କହିବ ପରା...କହୁନ...

 

–ମୁଁ ଏ ଚାକିରି ଛାଡ଼ି ଦେଉଛି ।

 

–ଏଁ... ଚାକିରି ଛାଡ଼ିଦେବ ? କାହିଁକି, କ’ଣ ହେଲା କି ?

 

ସଂଯତ କଣ୍ଠରେ ଦୀନବନ୍ଧୁ କହିଲେ–ନା, କିଛି ହୋଇ ନାହିଁ ଯେ...

 

–ଆଉ ଚାକିରି ଛାଡ଼ିବ କାହିଁକି ?

 

ଦୀନବନ୍ଧୁ କହିଲେ–ଏଇ ଚାକିରିଟା କରିଥିବାରୁ ତୁମେ ମୋ ଉପରେ ଅସନ୍ତୁଷ୍ଟ, ମୋର ବନ୍ଧୁମାନେ ମଧ୍ୟ ବିରକ୍ତ । ଏପରିକି କେହି କେହି ମୋତେ ଘୃଣା କରିବାକୁ, ଥଟ୍ଟା କରିବାକୁ ଆରମ୍ଭ କଲେଣି... ଦୁନିଆରେ ସବୁଠାରୁ ବଡ଼କଥା ହେଲା ପଇସା । ଦେଖୁଛି, ଏ ଚାକିରି ନ ଛାଡ଼ିଲେ ମୋ ପରିବାରକୁ ଆଉ ଅର୍ଥ ସଙ୍କଟରୁ ମୁଁ ରକ୍ଷା କରିପାରିବି ନାହିଁ । ସେଥିଲାଗି କହୁଥିଲି...

 

–କାହିଁକି ? ପଇସା ନ ଥାଉ, ସମ୍ମାନ ତ ଅଛି ? ବ୍ୟଙ୍ଗ କରି ରୀତା କହିଲା–ଏଭଳି ଚାକିରି ଛାଡ଼ିବ କାହିଁକି ?

 

ଦୀନବନ୍ଧୁ ହସି ଉଠିଲେ, ତା’ ପରେ କହିଲେ–ହଁ, ସମ୍ମାନ ଥିଲା । ଦିନ ଥିଲା ସମାଜରେ ଗୁରୁମାନେ ଉଚ୍ଚାସନ ଲାଭ କରୁଥିଲେ । ଆଜି ସେତେକ କିନ୍ତୁ ଲୋପ ହୋଇ ଯାଇଛି । ଆଜି ଯୁଗର ଛାତ୍ର ତଥା ଅଭିଭାବକମାନଙ୍କଠାରୁ ସେ ସମ୍ମାନ ଆଶା କରିବ ବିଡ଼ମ୍ବନା ମାତ୍ର । ତା’ ଛଡ଼ା ଶିକ୍ଷାବିଭାଗର କର୍ମକର୍ତ୍ତାମାନେ ଏ ବିଭାଗ ପ୍ରତି ଯେଉଁ ବଇରୀ ମନୋଭାବ ଧରୁଛନ୍ତି ନା, ଏଥିରେ ଆଉ ଶିକ୍ଷକତା କରିହେବ ନାହିଁ । ଯେଉଁଥିରେ ସମ୍ମାନ ମିଳିବ ନାହିଁ, ପଇସା ମିଳିବ ନାହିଁ, ସେ ଚାକିରିରେ ଦଣ୍ଡେ ରହିବାକୁ ମୁଁ ଆଉ ପସନ୍ଦ ମନେକରୁ ନାହିଁ ।

 

–ବୁଝିଲଟି ? ମୁଖ ବିକୃତ କରି ରୀତା କହିଲା–ମୁଁ ଯେତେବେଳେ କହୁଥିଲି ସେତେବେଳେ ଶୁଣିଲ ନାହିଁ । ଆଉ ଏ ବୟସରେ ଭାବିଲେ ସେ କଥା ଲାଭ କ’ଣ ? ହଁ, ଚାକିରି ଛାଡ଼ି ଆଉ କ’ଣ କରିବ ଶୁଣେ ?

 

ଚିନ୍ତିତ କଣ୍ଠରେ ଦୀନବନ୍ଧୁ କହିଲେ... ସେଇ କଥା ତ ମୁଁ ଚିନ୍ତା କରୁଛି... ତେବେ ବ୍ୟବସାୟ କଲେ କ’ଣ ଚଳିବ ନାହିଁ ? ‘ବାଣିଜ୍ୟେ ବସତେ ଲକ୍ଷ୍ମୀ’ ପୁଣି ଏ ଯୁଗରେ ଦ୍ରବ୍ୟ ମୂଲ୍ୟ ଯିମିତି ଘନଘନ ବୃଦ୍ଧି ପାଉଛି, ବ୍ୟବସାୟ କରି ବଡ଼ଲୋକ ହେବାକୁ ବେଶୀ ଦିନ ଅପେକ୍ଷା କରିବାକୁ ପଡ଼ିବ ନାହିଁ–କ’ଣ କହୁଛ ?

 

ଅବିଶ୍ଵାସୀ କଣ୍ଠରେ ରୀତା କହିଲା–ବ୍ୟବସାୟ କରିବ ? ପଇସା ?

 

–କରଜ କରିବା ।

 

କିମ୍ବା ଜମି ବିକ୍ରି କରିବା...

 

ଧେତ୍, କଥାଟା ନ ଶୁଣି ଏମିତି କ’ଣ ହଉଚ ?

ଚରମ ବିରକ୍ତିରେ ରୀତା କହିଲା–ଶୁଣିବି ଆଉ କ’ଣ ? ଏମିତି ତ କେତେ କଥା ଶୁଣି ଶୁଣି କାନ ବଧିରା ହେଲାଣି । ଆଉ ଅଧିକ କ’ଣ ଶୁଣିବ ?

 

ଦୀନବନ୍ଧୁ ଏଥର ନିଜକୁ ଯଥେଷ୍ଟ ଅପମାନିତ ମନେକଲେ, ଯଥେଷ୍ଟ ବିରକ୍ତ ହେଲେ । କହିଲେ–ଦେଖ ତୁମେ ହୁଏତ ମୋ କଥାକୁ ବିଶ୍ଵାସ କରି ନ ପାର, ହେଲେ ମୁଁ ଠିକ୍ କହୁଛି–ଏ ଚାକିରି ଛାଡ଼ି ବ୍ୟବସାୟ କରିବି । ମୋ ହାତରେ ବିଶେଷ ପଇସା ନାହିଁ ବଡ଼ଲୋକ ହେବାକୁ ବିଶେଷ ଧୈର୍ଯ୍ୟ ଧରିବାର ଶକ୍ତି ନାହିଁ । ସେଥିପାଇଁ ଅନେକ ଚିନ୍ତାକରି ମୁଁ ସ୍ଥିର କରିଛି–ମୁଁ ମଦ ବ୍ୟବସାୟ କରିବି । ଏଥିରେ ଅଧକୁ ଅଧ ଲାଭ । ଖାଲି ସେତିକି ନୁହଁ; ଖୁବ୍ କମ୍ ଦିନ ଭିତରେ ଏ ବ୍ୟବସାୟ କରି ଅନେକ ବଡ଼ ହୋଇଥିବାର ପ୍ରମାଣ ମୁଁ ପାଇଛି । ବୁଝିଲ ?

 

–ବୁଝିଲି । ମଦ ବିକିବ, ବେଶ୍ୟା କେଇଟି ରଖି ତାଙ୍କ ସାଙ୍ଗରେ ନାଚିବ, ଆଉ–

 

–କାହିଁକି ? ମୋ ଭଳି ତ ଅନେକ ଲୋକ ଇମିତି ମଦ ବିକୁଛନ୍ତି; ଅନ୍ୟକୁ ମାତାଲ କରି ତାଙ୍କ ପକେଟରୁ ଟଙ୍କା ଛଡ଼ାଇ ଆଣୁଛନ୍ତି । ମୁଁ ମଦ ବିକିଲେ କ୍ଷତି କ’ଣ ?

–କିଛି ନାହିଁ । ଶୋଇଲ ତମେ । ମତେ ନିଦ ମାଡ଼ିଲାଣି ମୁଁ ଶୋଉଛି...

 

ରୀତା ପୁଣି ଘୋଡ଼ିଘାଡ଼ି ହୋଇ ଶୋଇବାକୁ ଉଦ୍ୟମ କଲା ।

 

ଦୀନବନ୍ଧୁ କହିଲେ–ଶୋଇଲ କ’ଣ ମ ? ମୋ ପ୍ରଶ୍ନର ଉତ୍ତର ଦେଲ ନାହିଁ ଯେ...

 

–ଓ...ଭାରି ଭଲ କଥାଟାଏ କରିବାକୁ ଯାଉଛି ! ଛିଃ ଛିଃ, ତମକୁ ଆଉ କିଛି ମିଳିଲା ନାହିଁ ଯେ ମଦ ବ୍ୟବସାୟ କରିବାକୁ ଇଚ୍ଛା ହେଲା । ପୁଣି...

 

ପ୍ରତିବାଦୀ ଗଳାରେ ଦୀନବନ୍ଧୁ କହିଲେ–ସେ କଥା ମତେ ଆଉ କହି ଟଳାଇ ପାରିବ ନାହିଁ ରୀତା । ଅନେକ ଭାବିଚନ୍ତି ମୁଁ ଯା ସ୍ଥିର କରିଛି, ତା ଅବଶ୍ୟ କରିବି । ଅଳ୍ପ ପଇସାରେ ଅଳ୍ପ ଦିନ ଭିତରେ ବଡ଼ଲୋକ ହେବାକୁ ମୁଁ ଚାହେଁ । ସେଥିଲାଗି ମତେ ମଦ ବ୍ୟବସାୟ ନିଶ୍ଚୟ କରିବାକୁ ପଡ଼ିବ ।

 

ଶଯ୍ୟା ଉପରେ ଗଡ଼ି ପଡ଼ିଲେ ଦୀନବନ୍ଧୁ । ଦୀନବନ୍ଧୁଙ୍କର ଏ ଅଦ୍ଭୁତ ଜିଦ୍ ଦେଖି ମନେ ମନେ ପ୍ରମାଦ ଗଣିଲା ରୀତା । ସ୍ଵାମୀଙ୍କର ସେଇ ସରଳ ଛାତ୍ର–ବତ୍ସଳ, ସ୍ନିଗ୍‍ଧ ପରିପୂର୍ଣ୍ଣ ଜ୍ଞାନଦୀପ୍ତ ଚାହାଣି ବଦଳରେ–ସେ ଆଖି ଦୁଇଟିରେ କି ଉତ୍କଟ ଆଉ ବୀଭତ୍ସ ଅର୍ଥଲାଳସାର ନିଆଁ–ଆଲୁଅ ନୁହେଁ–ଖାଲି ଡହ ଡହ ନିଆଁ–ମଳିନ, ରକ୍ତାଭ, ବିକୃତ, ଉଗ୍ର, ଭୟଙ୍କର ।

 

ଦୁଃଖରେ ଭାଙ୍ଗି ପଡ଼ିଲା ସେ । ବ୍ୟଥିତ କଣ୍ଠରେ ସେ କହିଲା–ତମକୁ ଏ ମନ୍ଦ ବୁଦ୍ଧି କିଏ ଦେଲା ଶୁଣେ ? ଖାଲି ମଦ ବିକି ସମସ୍ତେ କ’ଣ ବଡ଼ଲୋକ ହେଉଛନ୍ତି ? ୟା ତୁମର ତ ବୁଦ୍ଧି ନାହିଁ । ଖାଲି ଗୁଡ଼ାଏ ଚିନ୍ତା କରିବା, କ’ଣ ନାଇଁ କ’ଣ ଗପିବା, ତମେ ଖାଲି ଏତିକି ଜାଣ । କିଓ ମଣିଷର ଯଦି ବୁଦ୍ଧିଥିବ, ବଡ଼ଲୋକ ହେବା କେତେ ମାତ୍ର ।

 

ବୁଦ୍ଧି ? କି ବୁଦ୍ଧି ତୁମେ ଆଉ ଦବ ରୀତା ? ମଦ ବିକି ବଡ଼ଲୋକ ହେବା ବୁଦ୍ଧିଠାରୁ, ଆଉ କି ଅଧିକ ବୁଦ୍ଧି ତୁମେ ବତାଇ ପାରିବ ?

 

–ପାରିବ, ଯାହା କହିବି ?

 

–କାହିଁକି ପାରିବି ନାହିଁ ?

 

ଉଠିବସି ରୀତା କହିଲା–ତମର କେତେମାଣ ଜମି ଅଛି ?

 

–ତିନି ।

 

–ବର୍ଷକୁ କେତେ ପାଅ ?

 

–ତିନି ଭରଣ ।

 

–ଆଚ୍ଛା, ସେଇ ଜମି ଭାଗ ନ ଦେଇ ତମେ ଯଦି ନିଜ ହାତରେ ଚାଷ କରନ୍ତ, ଆଉ ଭରଣ ପାଆନ୍ତ ନାହିଁ ?

 

–କ’ଣ ମୁଁ ଚାଷ କରିବି ?

 

–କାହିଁକି ? ନିଜେ ନ କଲେ ଲୋକ ଲଗାଇ କରିବ ! କିଓ ଚାଉଳ, ଡାଲି କିଣିବାରେ ତ ଆମର ପଇସା ଯାଉଛି । ତମେ ଯଦି ନିଜ ହାତରେ ଚାଷ କରିବ, ସେଇଥିରୁ ଆମେ ଧାନ, ମୁଗ ପାଇବା । କରିପାରିଲେ, ଆଳୁ ଚାଷ କରି ପରିବା କଷ୍ଟ ବି ଦୂର କରି ପାରିବା । ଆଉ ତେଲ ଲୁଣ ଖର୍ଚ୍ଚ ସିଏବା କେତେ ! ହଁ....ଗୋଟାଏ ବର୍ଷ ଆମକୁ କଷ୍ଟ କରିବାକୁ ପଡ଼ିବ । ବଳଦ କିଣିବା, ହଳ ବାନ୍ଧିବା, ଲୋକ ରଖିବାରେ କିଛି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ ଏଇତ ! ମୁଁ ମୋର ଗହଣାପତ୍ର ଦେଇ ଦେଉଛି । ତମେ ସେଇଆକୁ ବିକି ହଳବାନ୍ଧି ଚାଷ କର । ଦେଖିବ ବର୍ଷ କେଇଟାରେ ତମେ ଯେଉଁ ବଡ଼ଲୋକଙ୍କ କଥା କହୁଛନା, ସେମାନେ ଆମ ପାଦ ପାଖକୁ ଧାଇଁବେ । ମୁଠାଏ ଦାନାପାଇଁ ବିକଳ ହୋଇ ଗୋଡ଼ାଇବେ, ବୁଝିଲ ? ବର୍ତ୍ତମାନ ଖାଦ୍ୟ ସମସ୍ୟା ଯେଭଳି ଉତ୍କଟ ହେଲାଣି, ଯା’ଘରେ ମୁଠାଏ ଦାନା ନାହିଁ, ଯେତେ ଟଙ୍କା ରୋଜଗାର କଲେ କ’ଣ ହେବ, ଖାଇବାକୁ ତ ଗଣ୍ଡାଏ ମିଳିବ ନାହିଁ । ମୋ ସାନକଥା ମାନ, ସେ ମଦ ବ୍ୟବସାୟ ଥାଉ, ତମେ ସେଇ ଚାକିରି କରି ଏ ଚାଷକାମ କଲ....

 

ରୀତାର ପରାମର୍ଶକୁ ଧୈର୍ଯ୍ୟର ସହିତ ଶୁଣୁଥିଲେ ଦୀନବନ୍ଧୁ । ଏଥର ଆଉ ସେ ଧୈର୍ଯ୍ୟଧରି ପାରିଲେ ନାହିଁ । ଉଠି ବସି ସେ କହିଲେ–ଚାଷ କାର୍ଯ୍ୟରେ ତ ମୁଁ ଲାଗିଯିବି, ସ୍କୁଲ, ବିଲ ହୋଇ ସମୟ ଯିବ, ତମ ଯୋଗଜନ୍ମା ପୁଅମାନଙ୍କୁ ପଢ଼ାଇବ କିଏ ?

 

–ଯେତିକି ପଢ଼ିବେ ସେତିକି । ମୁଁ ତ ତାଙ୍କୁ ଗୁଡ଼ାଏ ପଢ଼ାଇ ଦେଶୀ ସାହେବ କରିବାକୁ ଚାହେନା । କ’ଣ ମିଳିବ ସେଥିରୁ । ଏ ଯେଉଁ ଦିନ କାଳ ଆସୁଛି, ଖାଇବାକୁ ପାଇବେ ନାହିଁ । ଏ ସାହେବୀପଣିଆରେ ଲାଭ କ’ଣ ? ସେମାନେ ଯେତିକି ଜ୍ଞାନ ହାସଲକରିବାକୁ ପଢ଼ୁଛନ୍ତି ପଢ଼ନ୍ତୁ । ବାକି ସମୟ ସେ ବାଡ଼ି ବଗିଚାରେ ଫୁଲ ଫଳ ଚାଷ କରନ୍ତୁ । ନିଜ ଲାଗି ପରିଶ୍ରମ କରି ଖାଦ୍ୟ ଉତ୍ପାଦନ କରିବାର ଶକ୍ତି ହାସଲ କରନ୍ତୁ ।

 

ଶାରିରୀକ ପରିଶ୍ରମ କଲେ ସେମାନଙ୍କର ଶକ୍ତି ବଢ଼ିବ; ମାନସିକ ଶାନ୍ତି ମିଳିବ; ଆଉ ଦରକାର ପଡ଼ିଲେ....

 

ତମେ ପରା ସେଦିନ ସମ୍ବାଦପତ୍ର ପଢ଼ି କହୁଥିଲ–ଶହ ଶହ ଦେଶୀ ସାହେବ ଚାକିରି ନ ପାଇ ବସିଛନ୍ତି । ଆମ ପୁଅମାନେ ପାଠ ପଢ଼ିଲେ ସେଇ ବେକାର ହେବେନା ?

 

ଏକ ଉତ୍ତେଜନାରେ ରୀତା ଭାଷଣ ଦେଇ ଚାଲିଥିଲା । ବୁଝିଲ, ସେଦିନ ରେଡ଼ିଓ କହୁଥିଲା, ଦେଶରେ ବର୍ତ୍ତମାନ ଦୁଇଟି ସମସ୍ୟା ଦେଖା ଦେଇଛି । ଖାଦ୍ୟ ଆଉ ଯୁଦ୍ଧ । ନିଜେ ବଞ୍ଚିବା ଲାଗି ଖାଦ୍ୟ ଉତ୍ପାଦନ କରିବା ଆମର ଯେତିକି କର୍ତ୍ତବ୍ୟ, ଏ ଦେଶରେ ସ୍ଵାଧୀନତାକୁ ଶତ୍ରୁ ଶକ୍ତି ପାଖରୁ ସୁରକ୍ଷା କରିବା ଆମର ସେତିକି କର୍ତ୍ତବ୍ୟ । ମୁଁ ଚାହେନା ମୋ ପୁଅ ବଡ଼ ଅଫିସର ହୁଅନ୍ତୁ । ନିଜେ ବଞ୍ଚିବାଲାଗି ସେମାନେ ଖାଦ୍ୟ ଉତ୍ପାଦନ କରନ୍ତୁ । ନିଜ ଦେଶକୁ ରକ୍ଷା କରିବା ଲାଗି ସେମାନେ ନିଜ ଦେହରେ ଶକ୍ତି ସଞ୍ଚୟ କରନ୍ତୁ, ତାହେଲେ.....

 

–ରୀତା !

 

ଉଠିଯାଇ ରୀତାକୁ କୁଣ୍ଢାଇ ପକାଇଲେ ଦୀନବନ୍ଧୁ–ତମେ ଏତେ କଥା ଶିଖିଲ କେଉଁଠୁ ରୀତା... ? ତମେ କଣ...

 

ରୀତା କହିଲା–ଏଇ କେତେ ବର୍ଷ ମୋର ପରିବାର ଚଳାଇବା ଭିତରେ ମୁଁ ଯେଉଁ ସବୁ ସମସ୍ୟାର ସମ୍ମୁଖୀନ ହୋଇଛି, ସେଇଥିରୁ ମୁଁ ଏ ଅଭିଜ୍ଞତା ହାସଲ କରି ପାରିଛି । ଦିନେ ମୁଁ ବାହାର ପୃଥିବୀ ଦେଖି ପାରିଲିନି ବୋଲି ଦୁଃଖ କରୁଥିଲି, ଆଜି କିନ୍ତୁ ସେ ଦୁଃଖ ମୋର ଦୂର ହୋଇ ଯାଇଛି । ମୁଁ ବେଶ୍ ବୁଝିପାରିଛି ଏଇ ବାହ୍ୟ ଚାକଚକ୍ୟର ପ୍ରଲୋଭନରେ ପଡ଼ି ଆମେ ଏତେ ଦୁଃଖ ବରଣ କରୁଛୁ । ଆମେ ଆମର ଖାଦ୍ୟ ପଦାର୍ଥ ଉତ୍ପାଦନ ନ କରି ଏତେ ଦରିଦ୍ର ହୋଇଛୁ । ଏକ ଦିଗରେ ଅର୍ଥର ଅନାଟନ, ଅନ୍ୟ ଦିଗରେ ବିଳାସ ବ୍ୟସନରେ ମଜ୍ଜି ଯିବାର କଳ୍ପନା ଆମକୁ ଇମିତି ଅସନ୍ତୁଷ୍ଟ କରୁଛି । ସେଥିଲାଗି ଅନେକ ଚିନ୍ତା କରି ଅନେକ ଥର କହିବି କହିବି ହୋଇ ସମୟ ପାଇ ନଥିଲି । ଆଜି....

 

ରୀତାକୁ ନିଜର ବାହୁବେଷ୍ଟନୀ ଭିତରେ ବନ୍ଦିନୀ କରି ପାଗଳଙ୍କଭଳି ଦୀନବନ୍ଧୁ କହିଉଠିଲେ–ତମେ ମୋର ଆଜି ଚକ୍ଷୁ ଖୋଲିଦେଇଛ ରୀତା; ତମେ ମୋର ଉପଯୁକ୍ତ ସହଧର୍ମିଣୀ-। ଆଜି ତମର ପରାମର୍ଶ ତମ ରୁଗ୍‍ଣ ପରିବାରକୁ ବିତ୍ତଶାଳୀ କରିବାର ବାଟ ଦେଖାଇ ନାହିଁ–ଏ ଦେଶକୁ ବିଭବଶାଳୀ, ଶକ୍ତିଶାଳୀ କରିବାର ମହାମନ୍ତ୍ର ଶୁଣାଇ ଦେଇଛି । ତମେ ମୋ ପରିବାରର ଖାଲି ନାରୀ ନୁହଁ, ତମେ ଏ ଦେଶର ସମସ୍ୟା ସମାଧାନ କରିବାର ଉପଯୁକ୍ତା ନେତ୍ରୀ । କ’ଣ ଦେଇ ଯେ ତୁମକୁ ମୁଁ....

 

–ଓ... ଆ.... ଥାଉ, ଆରେ....

☆☆☆

 

ପ୍ରତୀକ୍ଷା

 

ଚରମ ବିରକ୍ତିରେ ଅତିଷ୍ଠ ବୁଧିଆ ଫୁତ୍‍କାର କରି ଉଠିଲା, ହାତ୍‍ତେରିକି, ଧେତ୍..... ଅଲକ୍ଷଣାଟାର ମୋ ସହିତ ଅଦୌତି !

 

ଭଣ୍ଡାରୀ କାଉଟା କେବଳ ବୁଧିଆକୁ କଲବଲ କରୁ ନଥିଲା, ଗତ ରାତ୍ରିରେ ପଡ଼ିଯିବା ଫଳରେ ଠେଙ୍ଗେଣିଟାରେ ଯେଉଁ କ୍ଷତଟା ସୃଷ୍ଟି ହୋଇ ଲାଲ୍ ଟକ୍ ଟକ୍ ଦିଶୁଥିଲା, ନିଷ୍ଠୁର କାଉଟା ସେଇ କ୍ଷତରେ ବାରମ୍ବାର ଖୁମ୍ପି ତାକୁ ଯନ୍ତ୍ରଣା–ଜର୍ଜର କରି ତୋଳୁଥିଲା ।

 

ନା, ଧୈର୍ଯ୍ୟର ତ ପୁଣି ସୀମା ଅଛି ! ବୁଧିଆ ରୀତିମତ ନିଜକୁ ପ୍ରସ୍ତୁତ କରି ନେଲା । ତା’ର ସରଳତାର ସୁଯୋଗ ନେଇ ଅଧମ କାଉଟା ତାକୁ ଯଥେଷ୍ଟ ପରଭବ ଦେଇ ଚାଲିଛି । ନାଁ ଏଥର ଆଉ ସେ ଅଧମକୁ କ୍ଷମା ଦେଇ ହେବ ନାହିଁ ।

 

ନିଜର ସମସ୍ତ ଶକ୍ତି ପ୍ରୟୋଗ କରି ଖୁବ୍ ଜୋରରେ ଲାଞ୍ଜଟାକୁ ପିଟି ଦେଲା ସେ–କିନ୍ତୁ ହା–କାଉଟା ଏଡ଼େ ଚତୁର ଯେ ବୁଧିଆ ଲାଞ୍ଜ ଘୂରାଇବାର ଅବ୍ୟବହିତ ପୂର୍ବରୁ ସେ ଉଡ଼ି ଯାଇଥିଲା-। ନୈରାଶ୍ୟ ଓ ଦୁଃଖରେ ଅପମାନିତ ବୁଧିଆ ଅନନ୍ୟୋପାୟ ହୋଇ କାଉଟା ଉପରେ ରବେଇ ଖବେଇ ହେବା ଛଡ଼ା ଆଉ କିଛି କରିବାର ବୁଦ୍ଧି ପାଇଲା ନାହିଁ ।

 

ନିଜକୁ ଧିକ୍‍କାର କଲା ସେ–ତାର ଶକ୍ତି ସାମର୍ଥ୍ୟକୁ ବି...। ଏତେ ବଡ଼ ଜନ୍ତୁ ସେ, ଛାର ଛିକର କାଉଟା ତାକୁ ଟିକେ ଭୟ ନ କରି, ଏମିତି ଅତ୍ୟାଚାର କରି ଚାଲିଛି !

 

ନିଜକୁ ବଡ଼ ଅସହାୟ ମନେକଲା ସେ । ତା’ର ଭୟ ହେଲା–ଏଥର ଯଦି କାଉଟା ତା’ ଉପରେ ଆକ୍ରମଣ କରେ, ତଥାପି ସେ ତା’ର କିଛି ଅନିଷ୍ଟ କରିପାରିବ ନାହିଁ । କାଉଟା ଯେମିତି ଏକ ଅରଣା ମହିଁଷି ଭଳି ତାକୁ ଦେଖାଗଲା...!

 

ଭୟରେ, ଆତଙ୍କରେ, ନିଜ ଅବସ୍ଥିତିର ଚତୁର୍ଦ୍ଦିଗକୁ ତରଙ୍ଗ ତରଙ୍ଗ କରି ଚାହିଁଲା ସେ–କେହି କଣ କୁଆଡ଼ୁ ଆସୁ ନାହାନ୍ତି ? ତାର ଏ ଦୁଃଖ ଦେଖୁ ନାହାଁନ୍ତି ?

 

ସତକୁ ସତ କେହି ଆସୁ ନ ଥିଲେ, ଆଉ ଯିଏ ତା’ର ଏ ଦୁଃଖ ଦେଖି ବିକଳ ପାଉଥିଲେ, ବୁଧିଆ ଦେଖିଲା, ଶୁଣିଲା–ସେ ଖାଲି ଚିତ୍କାର କରୁଛନ୍ତି, ଚଟାଣରେ ଠେଙ୍ଗା ବାଡ଼ଉଛନ୍ତି–ଆରେ କିଏ କୁଆଡ଼େ ଗଲ ? କାଉଟା ସେ ହଡ଼ାଟାକୁ ହାଣି ପକାଇଲାରେ...ହାସ୍–ହାସ୍ ହା...ସ୍ ।

 

ବଡ଼ ସାଆନ୍ତଙ୍କ ପାଟି ଶୁଣି ବୁଧିଆ ମନରେ ସାହସ ସଞ୍ଚୟ କରିପାରିଲା ନାହିଁ । କାରଣ, ବଡ଼ ସାଆନ୍ତେ ତା’ ଠାରୁ ବେଶୀ ଦୁର୍ବଳ । କେହି ନ ଧରିଲେ ତାଙ୍କର ଉଠିବାର ଜୁ ନାହିଁ । ପ୍ରତିଦିନ ବୁଧିଆ ଦେଖେ, ବଡ଼ ସାଆନ୍ତାଣୀ ସାଆନ୍ତଙ୍କର ଖୁଆଧରି ଏଇ ପିଣ୍ଡାକୁ ଘେନି ଆସନ୍ତି । ସେଇଠି ମୁଣ୍ଡ ତଳକୁ କରି ସାଆନ୍ତେ ବସି ରହନ୍ତି ଯେ, ପୁଣି ଦିନ ବାର...ପୁଣି କିଏ ଆସି ଧରିଲେ ସାଆନ୍ତେ ଉଠନ୍ତି; ଥରି ଥରି ଗୋଡ଼ ଚିପି ଚିପି ଘରକୁ ଯାଆନ୍ତି...ଉଃ ସେ କି କଷ୍ଟ !

 

ସାଆନ୍ତଙ୍କର ଏ ଦୁର୍ଦ୍ଦଶା ଦେଖିଲେ ବୁଧିଆ ମନରେ ସମବେଦନାର ସ୍ପର୍ଶ ଲାଗେ–ମନେ ମନେ ବିଶ୍ଵ ପିତାଙ୍କ ପାଖରେ ପ୍ରାର୍ଥନା କରେ–ଭଗବାନ, ସାଆନ୍ତଙ୍କୁ ଆମର ମୁକ୍ତ କରିଦିଅ ! କେତେ ଏବେ ଘାଣ୍ଟି ହୋଇ ସାଆନ୍ତେ ନର୍କ ଯନ୍ତ୍ରଣା ଭୋଗ କରିବେ !

ବଡ ସାଆନ୍ତେ ଏଥର ଚିତ୍କାର କରି ଉଠିଲେ । ବୁଧିଆ ଦେଖିଲା, ସାଆନ୍ତେ ଏତେ ଚିତ୍କାର କଲେବି କେହି ବି ତାଙ୍କ କଥା ଶୁଣୁ ନାହାଁନ୍ତି । ଘରଟା ସାରା ସାଆନ୍ତଙ୍କର କଥା ଶୁଣିବାକୁ ଯିମିତି ଆଉ କାହାର ଆଗ୍ରହ ନାହିଁ ।

କଥାଟା ଚିନ୍ତା କରି ଦୁଃଖରେ ଭାଙ୍ଗି ପଡ଼ିଲା ବୁଧିଆ । ଅତୀତର କଥା ତା’ର ଗୋଟି ଗୋଟି ହୋଇ ମନେ ପଡ଼ିଗଲା...

ହଁ ସେବର୍ଷ ନୂଆ ହୋଇ ସେ ୟାଙ୍କ ଘରକୁ ଆସିଥାଏ । ଗାଈପୁଅ ବୋଲି ପଧାନ ଘର ତାକୁ ବିକ୍ରୀ କରି ଦେବାରୁ ଏଙ୍କ ଚାକର ବିଷୁଆ ତାକୁ କିଣି ଆଣିଥାଏ । ହେଲେ ପଧାନ ଘର ଛାଡ଼ି ଆସିବାକୁ ତା’ର ଆଦୌ ମନ ହେଉ ନ ଥାଏ । କିମିତି ବା ସେ ମନ କରନ୍ତା ? ପିଲାଟି ଦିନରୁ ସେ ପାଳି ନାଳି ଆଣିଛନ୍ତି । ତାକୁ ଚାଉଳ, ପାଣି, ଦୁବଘାସ ଦେଇ ବଢ଼େଇଛନ୍ତି । ପିଲାଟିଦିନରୁ ତା ପ୍ରତି ଏତେ ସ୍ନେହ ଯେଉଁମାନେ ଦେଖାଇଛନ୍ତି, କିମିତି ଏବେ ସେମାନଙ୍କର ସେ ସ୍ନେହ–ମମତାକୁ ଏତେ ଶୀଘ୍ର ସେ ଭୁଲି ଯାଆନ୍ତା ? ସବୁଠାରୁ ବେଶୀ ଦୁଃଖ ଲାଗୁଥିଲା–ପଧାନଙ୍କର ଝିଅ ଛଇଳା ଲାଗି । କେତେ ସ୍ନେହ ସେ ନ କରି ଥିଲା ! ସକାଳୁ ଡାଲାରେ ମୁଢ଼ି ପୁରାଇ ଖାଇଲା ବେଳେ ତାକୁ ଦି’ଚାରି ମୁଠା ନ ଦେଲେ ତା ମନ ଥୟ ଧରୁ ନ ଥିଲା । ସ୍କୁଲରୁ ଫେରି ତାକୁ ଟିକେ ଗେଲ ନ କଲେ ନିଜେ ଖାଉ ନ ଥିଲା ।

ଛଇଳା କେଡ଼େ ସୁନ୍ଦର ! କେତେ ମିଠା ତା’ର କଥା ! ପଧାନଘରୁ ବିଦାହୋଇ ଆସିଲାବେଳେ ଛଇଳା ଆଖିରେ ଲୁହ ସେ ଦେଖିଛି । ନିଜେ ପଧାନ ମଧ୍ୟ ତାକୁ ବିକ୍ରୀ କରି ଦେଇ କାନ୍ଦିଛନ୍ତି.....ସେ ସବୁକଥା ମନେ ପଡ଼ିଯିବାରୁ ସେ ଅଥୟ ହୋଇ ଉଠୁଥିଲା । ସେଇ କିମିତି ଟିକେ ସୁବିଧା ପାଇଲେ ଚିଲାମାରି ଛଇଳାକୁ, ତା ବୁଢ଼ୀମା’କୁ, ଧଳା କଳା ମଉସା ଦୁହିଁଙ୍କୁ ଦେଖି ଆସିବାକୁ ମନ ତା’ର ଡହଳ–ବିକଳ ହୋଇ ଉଠୁଥିଲା । ସେଇଥିଲାଗି ବାଟରେ ସେ ବଡ଼ ହୁରୁମା ହୋଇଥିଲା । ବିଷ୍ଣୁଆକୁ ନାକେଦମ୍ କରିଥିଲା, ସେଇ ଅଇରିଷ ରଖି ସେଦିନ ତାକୁ ଗୁହାଳରେ ବାନ୍ଧିଦେବା ପରେ ତାର ବଦମାସ ଖୋଇ ଛଡ଼ାଇବାକୁ, ବିଷ୍ଣୁଆ ଯେଉଁ ମାଡ଼ ଦେଇଥିଲା ନା.....

 

ସେଦିନ ସେ ଦେଖିଛି–ଏଇ ସାଆନ୍ତଙ୍କର ବିକ୍ରମ । କୁଆଡ଼େ ଥିଲେ, ଛୁଟି ଆସି ଗୋଟାଏ ରଡ଼ିରେ ଦିଗ କମ୍ପାଇ ଦେଲେ, ବିଷ୍ଣୁଆକୁ ଧମକ ଦେଇ କହିଲେ, ଭବିଷ୍ୟତରେ ଏଭଳି ଗାଇଗୋରୁଙ୍କୁ ମାଡ଼ ଦେଲେ ତୋତେ ବିଦା କରି ଦେବି । ସାଆନ୍ତଙ୍କର ସେଇ ରଡ଼ି ଶୁଣି, ତା ଉପରେ ଏତେ ପରାକ୍ରମ ଦେଖାଉଥିବା ବିଷ୍ଣୁଆ ଗୁହାଳ କଣରେ ଚୋରଭଳି ଲୁଚି ଯାଇଥିଲା । ତା’ ଉପରେ ଦେଖାଉଥିବା ତୋଡ଼ ହଠାତ୍ ତାର ଥମି ଯାଇଥିଲା...ସେଇଦିନଠାରୁ କେଜାଣି କାହିଁକି ଏଇ ସାଆନ୍ତଙ୍କୁ ଦେଖିଲେ ତା’ର ମନଟା ଆନନ୍ଦରେ ଭରି ଉଠୁଥିଲା; ତା ପାଖରେ ସାଆନ୍ତେ ଯିମିତି ଏକ ଦେବତା ।

 

ଏଇ ସାଆନ୍ତେ...ବୁଧିଆ ପୁଣି ଥରେ ସାଆନ୍ତଙ୍କ ଆଡ଼କୁ ଦୟନୀୟ ଚାହାଣୀରେ ଚାହିଁଲା–ଚାକିରିରୁ ଯେତେବେଳେ ଆସୁଥିଲେ ଗାଡ଼ି ବୋଝାଇ କରି ଆଣୁଥିଲେ, ବୁଧିଆ ଅନେକଥର ନିଜ କାନ୍ଧରେ ଗାଡ଼ି ଟାଣି ଆଣିଛି । ସେ କଥା ମନେପଡ଼ିଲେ ଏବେ ବି ତ କାନ୍ଧ ବିନ୍ଧି ଉଠୁଛି–ଉଃ କେତେ ଯେ ଜିନିଷ, ଟ୍ରଙ୍କ, ବାକ୍‍ସ, ପେଡ଼ି ପୁଟୁଳା ।

 

ନିଜ ଆଖିରେ ଦେଖିଛି ବଟୁଆ–ସାଆନ୍ତେ ଘରେ ଗୋଡ଼ ଦେବାଠାରୁ ଚାକିରିକୁ ଯିବା ପର୍ଯ୍ୟନ୍ତ କିଏ ଟିକେ ବଡ଼ ପାଟି କରି କଥାବାର୍ତ୍ତା କରିବ ! ସାଆନ୍ତେ ଦାଣ୍ଡରେ ବସିଥିଲେ କିଏ ଚାଲିଯିବ !

 

ସାଆନ୍ତଙ୍କ ମିଜାଜ ଟିକେ କଡ଼ା ବୋଲି ଘରେ ବାହାରେ ସମସ୍ତେ ଥରହର । ଆଉ ସାଆନ୍ତେ ଯଦି ରଡ଼ି ଦେଉଥିବେ ନା... !

 

ସେଇ ସାଆନ୍ତଙ୍କ ରଡ଼ି ଆଜି କେହି ଶୁଣୁନାହାଁନ୍ତି । ସେତେବେଳେ ସାଆନ୍ତେ ରୋଜଗାର କରୁଥିଲେ, ହାତରେ କଞ୍ଚା ପଇସା ହାଉଜାଉ ହେଉଥିଲା, ପରିବାର ଚଳାଉଥିଲେ । ସେତେବେଳେ ସେ ଥିଲେ ଏକ ମହାବଳ ବାଘ । ଆଜି ରୋଜଗାର ନାହିଁ, ଖାତିର ନାହିଁ, ଭୟ ତୁଟି ଯାଇଛି, ସେ ହୋଇଯାଇଛନ୍ତି ଯେମିତି ଏକ ବିଲେଇ...

 

ଘର ଭିତରୁ ଏକ କର୍କଶ କଣ୍ଠସ୍ୱର ଭାସିଆସିଲା । ବୁଧିଆର ଚିନ୍ତାଧାରା–ବିଭ୍ରାଟ ହୋଇଗଲା । ଓ...ବଡ଼ ସାଆନ୍ତାଣୀ । ତା ନ ହେଲେ ଏତେବଡ଼ ଚିତ୍କାର ଆଉ କିଏ କରନ୍ତା !

 

ବୁଧିଆ କାନ ପାତିଲା–

 

ରାଗରେ ଗରଗର ହୋଇ, ଅଣ୍ଟାରେ ଲୁଗା ଭିଡ଼ିଦେଇ ଘରଭିତରୁ ବାହାରି ଆସିଲେ ବଡ଼ ସାଆନ୍ତାଣୀ...କ’ଣ କି ? କାହିଁକି ଗୋଟାଏ ଏଡ଼େ ପାଟି କରୁଛ ଶୁଣେ ?

 

ଅପେକ୍ଷାକୃତ ନରମ ଗଳାରେ କହିଲେ ସାଆନ୍ତେ–ଆରେ ସେ ହଡ଼ାଟାକୁ ଗୁହାଳକୁ ନେଇଯାଅ । କାଉଗୁଡ଼ାକ ତାକୁ ହାଣି ପକାଉଛନ୍ତି । କାହାକୁ କ’ଣ ଦେଖା ଯାଉନି ?

 

ତମେ ତ ଦେଖୁଛ; ନେଇଗଲ ନାହିଁ ! ଆଉ କାହାକୁ କାହିଁକି କହିବାକୁ ଯାଉଛ ? କିଏ କଣ ଖାଲି ବସିଛନ୍ତି ?

 

ଆରେ ମୋର ଯଦି ବଳ ଥାଆନ୍ତା, ତମମାନଙ୍କୁ ଏତେ ଡାକନ୍ତି କାହିଁକି–ଗଲ...ଗଲ ।

 

ଗଲ...ଗଲ...ନିଜର ତ କାଢ଼ ନାହିଁ, ଏତେ ହାକିମୀ କାହିଁକି ? ମୁଁ କ’ଣ ଖାଲି ବସିଛି ? ବଡ଼ ସାଆନ୍ତାଣୀ ଦାନ୍ତ ଦେଖାଇ, ଖତାଇ ହୋଇ କହିଲେ–ମଣିଷ ଟିକେ ଶାନ୍ତିରେ ବସି ପାରିଲା ନାହିଁ । ଏ ଘରେ ଯେତେ ଖଟିଲେ ବି କାମ ସରିଲା ନାହିଁ । କି ବଦଅନୁକୂଳରେ ଏ ଘରେ ଗୋଡ଼ ଦେଇଥିଲି ଯେ, ଖାଲି କାମ କାମ କାମ ।

 

ବଡ଼ ସାଆନ୍ତେ ଏଥର ହସିଲେ–ଦାନ୍ତହୀନ ବୀଭତ୍ସ ମାଢ଼ି ଦୁଇଧାଡ଼ି ତାଙ୍କର ବାହାରକୁ କେବଳ ଦେଖାଗଲା–ତମକୁ କିଏ କହିଛି ଭଲା ଖଟିବାକୁ । କାମ ନ କଲେ ତମର ତ ହାତ ଖଜ୍‍ବଜ୍ ହେଉଥିବ !

 

ବଡ଼ ସାଆନ୍ତାଣୀ ଏଥର ତାତିଉଠିଲେ, ହାତ ହଲାଇ କହିଲେ–ଏଁ ଭାରି ବସେଇ ଖାଇବାକୁ ଦେଉଛ ! ହଇହୋ, କେବେ କାହାକୁ ବସାଇ ଖାଇବାକୁ ଦେଇଥିଲ ? ଆସିଲାଦିନୁ ତ ତମ ଘରେ ଖଟୁଚି...

 

–ହଉ, ଯାଅ, ଗଲ...ହଡ଼ାଟାବିଚରା । ବଡ଼ କଷ୍ଟ ପାଇଲାଣି । ତାକୁ ଗୁହାଳକୁ ନେଇଯାଅ ।

 

ବୁଧିଆ ଟିକେ ସ୍ୱସ୍ତିର ନିଃଶ୍ୱାସ ମାରିଲା । ଅଲକ୍ଷଣା କାଉଟା କବଳରୁ ନିସ୍ତାର ହେଲେ ମିଳିଲା...

 

ବୁଧିଆ ପାଖରେ ପହଞ୍ଚିଗଲେ ବଡ଼ ସାଆନ୍ତାଣୀ । ମୁଖ ବିକୃତ କରି ସେ କହିଲେ–ନିରୁମୂଳା ହଡ଼ାଟା ମରୁନି ନା, ମୋ କାମ ସରୁନି । ସାପଖିଆଟାର କେତେ ଆଇଷ ବା ! ଆମକୁ ହଇରାଣ କରି ମାରିଲାଣି...

 

–ହାଁ–ହାଁ ହଡ଼ାଟା ଉପରେ ରାଗୁଛ କାହିଁକି ? ବିଚରା ପଶୁଜନ୍ତୁ, ଆମ ଘରେ ଖଟି ଖଟି ତାର ବଳ ବୟସ ଗଲା, ଆଜି ବୁଢ଼ାହୋଇ ଯିବାରୁ ତା ଉପରେ ରାଗ !

 

–ଆହା, ଦେହରେ ଯଦି ଲାଗିଯାଉଛି, ସେବା କରୁନା ! ଏତେ ପାଟିକରି ଆମକୁ କାହିଁକି ଡାକୁଛ ? ତା’ ଉପରେ ବୁଧିଆ ପିଠିରେ ହାତ ବାଡ଼େଇ ସାଆନ୍ତାଣୀ କହିଲେ–ଚୁଲିପଶା ମର...ଚାଲ...

 

ଠକ୍‍ଠକ୍ ହୋଇ ଦୁଇଟୋପା ଲୁହ ବୁଧିଆ ଆଖିରୁ ଗଡ଼ି ପଡ଼ିଲା–ହା’ରେ କୃତଘ୍ନ ମଣିଷ-!

 

ସାଆନ୍ତେ କହିଲେ–ତା’ ପିଠିରେ ଗୋଟାଏ ଅଖା ବାନ୍ଧିଦିଅ, ତା’ ନ ହେଲେ କାଉ ଚେମେଣୀ ତାକୁ ରଖିଦେବେ ନାହିଁ । ତା’ପରେ କୋମଳ କଣ୍ଠରେ ବଡ଼ସାଆନ୍ତେ କହିଲେ–ବୁଧିଆ–ଯା–ଗୋଟିଏ ଗୋଟିଏ ଚାଲିଯା’......

 

ବଡ଼ କରୁଣ ଦୃଷ୍ଟିରେ ବଡ଼ସାଆନ୍ତଙ୍କ ଆଡ଼କୁ ଚାହିଁ ଚାହିଁ ଗୁହାଳ ଅଭିମୁଖରେ ଯାତ୍ରାକଲା ବୁଧିଆ; ବଳ ପାଉ ନାହିଁ । ଗୋଡ଼ ଘୋଳି ହୋଇ ପଡ଼ୁଛି । ତଥାପି ସେ ସାଆନ୍ତାଣୀଙ୍କ ମାଡ଼ ଭୟରେ ଚାଲିଲା । ଗୁହାଳ ଭିତରେ ପଶିଗଲା ପରେ ବଡ଼ ସାଆନ୍ତାଣୀ ତାକୁ ସତର୍କ କରାଇ ଦେଲେ–ପୁଣି ଯଦି ବାହାରକୁ ବାହାରୁ ନା, ଦେଖିବୁ...

 

ଧଡ଼ାସ୍ କରି ଗୁହାଳ କବାଟ ପକାଇ ଚାଲିଗଲେ ବଡ଼ ସାଆନ୍ତାଣୀ । ବଡ଼ ସାଆନ୍ତଙ୍କ ପାଟି ଶୁଭୁଥିଲା–କୁଟା କେରାଏ ପକାଇଦେଲ ଟି ?

 

କୁଟା ନା ପିଟା

 

ମନକୁ ମନ କହି ପକାଇଲା ବୁଧିଆ

 

–ବାପା ଏକୁ ରଖିଲ–

 

 

କୁନାର ଡେଣା ଦୁଇଟାକୁ ଧରି ଏକରକମ ଟେକି ଟେକି ଆଣୁଥିଲା ଶକୁନ୍ତଳା । ଗୋପୀନାଥଙ୍କ ପାଖରେ କଚି ଦେଇ ବିରକ୍ତିବ୍ୟଞ୍ଜକ କଣ୍ଠରେ କହିଲା–ବଦମାସ୍ ମେଞ୍ଚଡ଼ ଟୋକାଟାର ଏତେ ଜିଦ୍ ! ହଜାର ବାର କହିଲି ରୋଷାଇ ସାରିଲେ ଗାଧୋଇ ନେବି ତଥାପି ସେଇ ଜିଦ୍ କଲୁ ?

 

ତା’ପରେ ଶକୁନ୍ତଳା ରଙ୍ଗମଞ୍ଚର ଏକ ଖଳ–ନାୟିକା ଭଳି ଗୃହ ଭିତରକୁ ପଶିଗଲା । ଶକୁନ୍ତଳା ଚାଲିଯିବା ଦେଖି କୁନାର କ୍ରନ୍ଦନ ବହୁଗୁଣ ବୃଦ୍ଧି ପାଇଲା । ଚଟାଣ ଉପରେ ଚିତ୍ ହୋଇ ଶୋଇ, ହାତ ଗୋଡ଼ ପିଟି ଚିତ୍କାରରେ ସେ ମେଦିନୀ କମ୍ପାଇଦେଲା...

 

–କୁନା ! ଆରେ ତୋତେ କିଏ ମାରିଲା ? ବୋଉ ! ଆଛା–ଆଛା, ସେ ମାଡ଼ ଖାଇବ । ତୁ ତୁନିହ, ନେଲୁ ନେ; ପାନକୁଟା ନେଇ ପାନକୁଟ–ମୁଁ ବୋଉକୁ ମାଡ଼ ଦେବି ।

 

ତା’ପରେ ଗୋପୀନାଥ ବହୁ କଷ୍ଟରେ କୁନା ପର୍ଯ୍ୟନ୍ତ ଘୁସୁରି ଆସି ନିଜ କୋଳକୁ ନେବାକୁ ଚେଷ୍ଟା କଲେ । ହେଲେ କୁନା କଣ କିଛି ଶୁଣିଲା । ତାର ଯେତେବେଳେ ଜିଦ୍ ରହି ନାହିଁ, ସେ ବା କାହିଁକି ଆଉ କାହାର କଥା ଶୁଣିବ ?

 

ଅସହାୟ ଗୋପୀନାଥ ତଥାପି କୁନାକୁ ଶାନ୍ତ କରିବାକୁ ତାଙ୍କର ସକଳ ବୁଦ୍ଧି ପ୍ରୟୋଗ କରି ବ୍ୟର୍ଥ ହେଲେ । ସେଇଭଳି ଏଁ ଏଁ ହୋଇ କ୍ରନ୍ଦନ କରି ଚାଲିଥିଲା କୁନା । ଯେ ପର୍ଯ୍ୟନ୍ତ ତାର ଜିଦ୍ ରହିନାହିଁ ସେ ପର୍ଯ୍ୟନ୍ତ ଯିମିତି ଏଇଭଳି କ୍ରନ୍ଦନ କରି ସେ ସତ୍ୟାଗ୍ରହ କରିବ !

 

ଗୋପୀନାଥଙ୍କ ପଛପଟେ, ଟିକେ ଦୂରକୁ କୁଣ୍ଡଳୀ କରି ଅନେକ ବେଳରୁ କ୍ଳାନ୍ତି ନିବାରଣ କରୁଥିଲା ଏକ ଧେଡ଼ୀ କୁକୁର । କୁନାର ଏ ଅଶାନ୍ତ କ୍ରନ୍ଦନ ତାର ଶାନ୍ତ ନିଦ୍ରାକୁ ବହୁ ପରିମାଣରେ ନଷ୍ଟ କରିଦେଲା । ଏକ ବିରକ୍ତିପୂର୍ଣ୍ଣ–ଦୃଷ୍ଟିପାତ କରି ମଥା ତୋଳି ଚାହିଁଲା ସେ । କିମିତିକା ଏକଜିଦିଆ ଟୋକାଟା...ହଇବା; ବୁଢ଼ାଟା, ତାର ବଳ କାହିଁ ଯେ ତୋତେ କାଖେଇବ ! ଧେଡ଼ି କୁକୁରର ଆଉ ଦେହ ସହିଲା ନାହଁ, ଚିଡ଼ି ଉଠି ସେ ପାଟି କରି ଉଠିଲା–ଭାକ୍–ଭାକ୍–ଭାକ୍–ବଦମାସ ମେଞ୍ଚେଡ଼ା ଟୋକା...ଯା...ଯା...ଭାକ୍

 

କୁନାର କ୍ରନ୍ଦନ ଶୁଣି ଅଧା ଗାଧୁଆ ହୋଇ ପୋଖରୀ ତୁଠରୁ ଛୁଟିଥିଲା ସତ୍ୟଭାମା, କୁନା ପାଖରେ ପହଞ୍ଚି ଯାଇ କୋଳକୁ ଟେକିନେଲା ସେ । କୁନାର ମୁହଁକୁ ଓଦା ପଣତରେ ପୋଛି ଦେଇ କହିଲା–ମୋ ସୁନାକୁ କିଏ ମାରିଲାଲୋ ।

 

–ଓହୋ, ବୁଢ଼ାକୁ ନୟାନ୍ତ କରିଦେଲାଣି ହୋ, କିମିତିଆ ଏକ ଜିଦିଆ ଖେଚେଡ଼ା ଟୋକାଟା ବା ! ଭାକ୍–ଭାକ୍ ।

 

କୁକୁରର ଚିତ୍କାର ଶୁଣି କୁନାର କ୍ରନ୍ଦନ ହଠାତ୍ ନିଆଁରେ ପାଣି ପଡ଼ିଲା ଭଳି ବନ୍ଦ ହୋଇଗଲା । ସତ୍ୟଭାମାର ବେକକୁ ଜାବୁଡ଼ିଧରି ନିଜର ମୁହଁ ଲଗାଇ ନେଲା କୁନା ।

 

–ବଦମାସ କୁକୁର, ଖାଇକରି କଲିଜା ମୋଟ ହେଲାଣି କି? ମରୁଛୁ, ମୋ କୁନାକୁ ଡରୋଉଛୁ !

 

ଗୋପୀନାଥଙ୍କର ବାଙ୍କୁଲି ବାଡ଼ି ଧରି ଭିଡ଼ିଗଲା ସତ୍ୟଭାମା, କୁକୁର ପିଠିରେ ବସାଇ ଦେଇ କହିଲା–ମର–ମର–

 

ଭାକ–ଭାକ୍

 

ପ୍ରାଣରକ୍ଷା କରିବାକୁ ଘୁସୁରି ଘୁସୁରି ପଳାଇଲା ସେ ।

 

ଦୟାର୍ଦ୍ର କଣ୍ଠରେ ଗୋପୀନାଥ କହିଲେ–ଆହା, ତାକୁ କାହିଁକି ମାରିଲ ?

 

ମାରିବି ନାହିଁ ଆଉ କଣ ପୁଜିବି ? ଆରେ ଏ ତ କଣ ଏବେ ଧର୍ମ ଯୁଜେଷ୍ଠି ପାଲଟି ଗଲେଣି ଦେଖୁଛି ! କୁକୁରଟା ପ୍ରତି ଦୟା ହେଉଛି, ଆଉ ପିଲାଟା କାନ୍ଦୁଛି ତା ପ୍ରତି ନାହିଁ ।

 

ଗୋପୀନାଥ ହସିଲେ, ତା’ପରେ ଯୋଗକଲେ–ମୋର କଣ ଆଉ ବଳ ଅଛି ଯେ, ତାକୁ କୁଣ୍ଢେଇ କାଖେଇ ବୋଧ କରିବି ?

 

–କାଇଁ, କୁଆଡ଼େ ସବୁ ବଳ ଗଲା କି ? ଖାଇବା ତ ଊଣା ହୋଇନି, ବଳ କୁଆଡ଼େ ଗଲା ?

 

ରସିକତା କରି ଗୋପୀନାଥ କହିଲେ–ସେ କଥା ତମଠାରୁ ଆଉ କିଏ ବେଶି ଜାଣେ ଯେ କାହାକୁ ପଚାରୁଛ ?

 

ଓ ହୋ...ହୋ...ହୋ, ଆଉତ କିଛି ନାହିଁ ଏଇ କଥା, ଏଇ ପାଟିଟା ଖାଲି ବୋଲ କରୁଛି-। ଛୁଆଟା ଅମାନିଆ ହୋଇଛି, ତାକୁ ବୁଝାଇ ପାରିବ ନାହିଁ ? ତାପରେ ସତ୍ୟଭାମା କୁନା ଉଦ୍ଦେଶ୍ୟରେ କହିଲା–ଚାଲ୍–ଚାଲ୍ ଯିବା, ବୋଉ ତୋତେ ମାରିଛି ପରା–ଚାଲିଲୁ ପଚାରିବା–ମୋ କୁନାକୁ ମାରିବ ? ଏତେ ସାହସ ।

 

ସତ୍ୟଭାମା ଭିଡ଼ି ଯାଉଥିଲେ । ଗୋପୀନାଥ କହିଲେ–ନେଇଯାଅ ତା’ମାକୁ ଦେଇଦେବ ।

 

ମା’କୁ ଦେବି ? ଆଉ ରୋଷାଇ କରିବ କିଏ, ପୁଣି ଗୁଣ୍ଡା ଚଳିବ କେମିତି ?

 

ଗୁଣ୍ଡା ଚଳିବା କଥା ଶୁଣି ଗୋପୀନାଥଙ୍କର ମୁଣ୍ଡ ଥଣ୍ଡା ହୋଇଗଲା । ସେ ତେଣୁ ଚୁପ୍ ରହିଗଲେ ।

 

ଅବିକା ଖାଇବଟି ?

 

ନାଁ, ବରଂ ତମେ ଯାଅ ଦି’ଟା ଖାଇଦେବ ।

 

ମୁଁ ଆଉ କ’ଣ ଖାଆନ୍ତି ନାହିଁ କି ? ୟେ ସିନା ଖାଆସେ ବସିଛି ଯେ, ୟାକୁ ଭୋକ ହେବନାହିଁ, ୟା ବୋଲି ଆଉ କ’ଣ କିଏ ବସିଛି ଯେ, ଭୋକ କରିବ ନାହିଁ । ଚାଲି ଯାଉଁ ଯାଉଁ ସତ୍ୟଭାମା କହିଲା– ହଉ ନ ଖାଅ, ତାପରେ ସେ ଦୁଲ୍ ଦୁଲ୍ ହୋଇ ଭିଡ଼ିଗଲେ...

 

ଗୋପୀନାଥ ଫେରି ଚାହିଁଲେ–ପୁଣି କେତେବେଳେ ତାଙ୍କ ପାଖରେ ମଥା ପୋତି ଶୋଇଗଲାଣି ଭାଲୁଆ, ସ୍ନେହମିଶ୍ରିତ କଣ୍ଠରେ ଡାକିଲେ ଗୋପୀନାଥ–ଭାଲୁଆ ! ଭାଲୁଆ !

 

କୁଁ କୁଁ କୁଁ–(ଏଁ ଏଁ ଏଁ)

 

ଭାଲୁଆ ମଥା ଟେକି ଚାହିଁଲା । ତା’ପରେ ପୁଣି ମଥା ପୋତି ଶୋଇଯିବାର ଉପକ୍ରମ କଲା । ଗୋପୀନାଥଙ୍କ ପାଖକୁ ଆସି ଘଷିହେବାକୁ ଇଚ୍ଛା କରି ସେ ଆସି ପାରିଲା ନାହିଁ–

 

ଅନେକ ଅନେକ କ୍ଳାନ୍ତିର ପାହାଡ଼ ଯିମିତି ତା ଉପରେ ଲଦି ହୋଇ ରହିଥିଲା ।

 

ଆହା...,

 

ଗୋପୀନାଥଙ୍କର ଇଚ୍ଛା ହେଉଥିଲା, ସେ ନିଜେ ଉଠି ଯାଇଁ ଭାଲୁଆର ପିଠିରେ ହାତ ବୁଲାଇଆଣିବେ । କିନ୍ତୁ ତା ସେ କରି ପାରିଲେ ନାହିଁ । ଭାଲୁଆକୁ ଏକ ନିରୀହ ଦୃଷ୍ଟିରେ ଚାହିଁ ପାନକୁଟା ଧରିଲେ– ।

 

ଏଇ ଭାଲୁଆ, ହାଇମାରିଲେ ଗୋପୀନାଥ । ପିଲାଦିନେ କେତେ ସୁନ୍ଦର ହୋଇ ନଥିଲା-! ମାଆ କ୍ଷୀର ନ ଛାଡ଼ୁଣୁ ଗୋପୀନାଥ ତାକୁ ନିଜ ଘରକୁ ଘେନି ଆସିଥିଲେ । ତାକୁ ପିତୃସ୍ନେହ ଦେଇଥିଲେ; ଗୋଟିଏ ଉତ୍ତମ ଶିକାରୀ କୁକୁର କରିତୋଳିବାକୁ ଅନେକ ପ୍ରକାର ଶିକ୍ଷା ଦେଇଥିଲେ-। କାଳେ କେଉଁଆଡ଼େ ପଳାଇବ, ଏଥିଲାଗି ତାର ଲାଞ୍ଜ ହାଣି ବାରିଆଡ଼େ ପୋତିଥିଲେ-। ଖାଇସାରି ଭାଲୁଆ ଲାଗି ହାତରେ ମୁଠାଏ ଧରି ଉଠୁଥିଲେ । ଭାଲୁଆ କୁଆଡ଼େ ବୁଲିଗଲେ ଗୋପୀନାଥ ପୁଣି ସ୍ଥିର ହୋଇ ରହି ପାରୁ ନ ଥିଲେ । ଭାଲୁଆ ଯେମିତି ତାଙ୍କର ଆଉ ଏକ ପୁଅ-!

 

ଏଇ କୁକୁର ପୋଷୁଥିବାରୁ ଥରେ ବିରକ୍ତ ହୋଇ ସତ୍ୟଭାମା ଢଗ ପକାଇଥିଲା, ଯାହାର ମାନେ ହେଲା–ଚାକିରି ଛାଡ଼ି ଆସିଲ, ଏଣିକି ତମକୁ ତ କିଏ ପୋଷିବ, ପୁଣି ତମେ କୁକୁର ପୋଷିବାକୁ ମନ କରୁଛ ! ଏଡ଼ିକି ବେହିଆ ପୁଣି ମଣିଷ ଥାଆନ୍ତି ?

 

ଗୋପୀନାଥ ସେଦିନ ହସିଥିଲେ । ସତ୍ୟଭାମାକୁ ଚିଡ଼େଇବାକୁ ଡାକିଥିଲେ–ଭାଲୁଆ, ଏ ଭାଲୁଆ । ଗୋପୀନାଥଙ୍କର ଡାକ ଶୁଣି ଭାଲୁଆ ବିଜୁଳିଭଳି ଛୁଟି ଆସିଥିଲା । ଗୋଡ଼ ଦୁଇଟାକୁ ଉପରକୁ ଟେକିଦେଇ ସତେ ଯେମିତି କହିଥିଲା–ମତେ ଟିକେ କୋଳକର ! ପିତୃତ୍ଵର ଆନନ୍ଦରେ ଉତ୍‍ଫୁଲ୍ଲିତ ହୋଇଥିଲା ତାଙ୍କର ମନ–ଭାଲୁଆ ! ସଲାମ କର । ଆରେ ତୋ ମାଆକୁ ଗୋଟାଏ ସଲାମ କର ତ ।

 

ମଲା ଯୋଗଣିଖିଆ ଯାଉଛୁ ନା ଦେଖିବୁ ?

 

ନିର୍ଭୟରେ ଭାଲୁଆ ଗୋପୀନାଥଙ୍କ ପାଖରେ ଠିଆହୋଇ ଲାଞ୍ଜ ହଲାଉଥିଲା...ଆଜି ସେଇ ଭାଲୁଆ ଉଠି ପାରୁନାହିଁ । ଦେହରୁ ଲୋମ ଉପୁଡ଼ି ଯାଇଛି । ସେ ଦିନର ସେ ଚେହେରା ତା’ର ଆଉ ନାହିଁ...ଦିନେ ଯେଉଁ ଭାଲୁଆର ପ୍ରତାପ ଏ ଅଞ୍ଚଳରେ ପ୍ରତ୍ୟେକଙ୍କ ପ୍ରାଣରେ ଭୀତି ସଂଚାର କରୁଥିଲା, ଆଜି ସେଇ ଭାଲୁଆ ଜୀବନ–ଭୀରୁ ହୋଇପଡ଼ିଛି ।

 

ଗୋପୀନାଥଙ୍କର ମନେଅଛି, ସେଦିନ ମଧ୍ୟାହ୍ନରେ ସାନ ଶାଳକ ପ୍ରଫୁଲ୍ଲ ଆସିଥିଲା ତାଙ୍କ ଘରକୁ । କୋଟ ପ୍ୟାଣ୍ଟ ପିନ୍ଧି ଆଖିରେ ଚଷମାଦେଇ ସେ ଯେତେବେଳେ ସାଇକେଲରୁ କୁଦାମାରିଲା, ଏଇ ଭାଲୁଆ ଝପଟିଯାଇ ତା ଉପରକୁ କୁଦା ମାରିଥିଲା । ସେ ଦିନ ଯଦି ଚାକର ଟୋକାଟା ନଥାନ୍ତା ନା...

 

ଖାଇଲାବେଳେ ପରିହାସ କଣ୍ଠରେ ପ୍ରଫୁଲ୍ଲ କହିଥିଲା–ଏ ବଳିଆକୁ କେଉଁଠୁ ପାଇଲ ଭାଇ ?

 

ଛଣଗଦାର ଜଙ୍ଗଲରୁ...ହାଃ–ହାଃ–ହାଃ ଖତେଇ ହୋଇ ସତ୍ୟଭାମା କହିଥିଲେ–ଆଉ ବେପାର କ’ଣ କି ! ଚାକିରି ତ ଗଲା, ଏଣିକି କୁକୁର ବିଲୁଆ ନ ପୋଷିଲେ ପେଟ ପୋଷିବେ କିମିତି ?

 

ଗୋପୀନାଥଙ୍କର ମନେପଡ଼ୁଛି । ଏଇ ଭାଲୁଆ ଲାଗି ସେ କେତେ କାହାର କୁ–କଥା ନ ସହିଛନ୍ତି । ଏଇ ଭାଲୁଆ ଏଠି ଝାଡ଼ାଫେରିଲା, ଏଇ ଭାଲୁଆ ହାଣ୍ଡି ଛୁଇଁଲା, ଏଇ ଭାଲୁଆ ୟା ପିଲାକୁ କାମୁଡ଼ିଲା–ଏଭଳି ନାନା ଅଭିଯୋଗ ଶୁଣିଛନ୍ତି । ପତ୍ନୀଠାରୁ ଆରମ୍ଭକରି କୂଳବଧୂ ପର୍ଯ୍ୟନ୍ତ ତାଙ୍କୁ ଗାଳି ଦେଇଛନ୍ତି । ହେଲେ ଏ ସବୁକୁ ହସି ହସି ସେ ଏ ଦେହରେ ହଜମ କରିଛନ୍ତି । ଶେଷ ପର୍ଯ୍ୟନ୍ତ ତାକୁ ସେ ଛାଡ଼ିପାରି ନାହାନ୍ତି...

 

ପାନ କୁଟୁ କୁଟୁ ଗୋପୀନାଥ ଅଟକି ଗଲେ । ସେଦିନର ହୁରମା ବୁଧିଆ ଆଜି ହଡ଼ା...

 

ହୁଣ୍ଡା ଭାଲୁଆ ଆଜି ଧେଡ଼ା...ସମୟ ଚାଲିଯାଇଛି, ବଳ ହଟି ଯାଇଛି, କେବଳ ଏମାନେ ଏ ଜନ୍ମର ମୁକ୍ତିଲାଗି ପ୍ରତୀକ୍ଷା କରିଛନ୍ତି ।

 

ଗୋପୀନାଥ ଚମକି ଉଠିଲେ...ଆଉ ସେ ?

 

କଥାଟା ମନେ ପଡ଼ିଯିବାରୁ ଗୋପୀନାଥ ନିଜକୁ ବଡ଼ ଅସହାୟ ମନେ କଲେ–ଓଃ, ସେଦିନ କୁଆଡ଼େ ଗଲା । ତାଙ୍କ ଦେହରୁ ସେ ଶତସିଂହର ବଳ କିଏ ହରିନେଲା ? ପିଲାଦିନେ ବାଗୁଡ଼ି ଖେଳରେ ସେ ଗଣ୍ଡା ଗଣ୍ଡା ଭେଣ୍ଡାଙ୍କୁ ପରାସ୍ତ କରି ଦେଉଥିଲେ, ସେଥିନେଇ ତ ଗାଁଟାଯାକର ଟୋକା ତାଙ୍କୁ ନେତା ବୋଲି ମାନିଥିଲେ । ଭୋଜି କରିବା ଲାଗି ଚୋରି କରିବା, ନଡ଼ିଆ ଗଛରେ ଚଢ଼ି ନଡ଼ିଆ ତୋଳିବା, ଭେଡ଼ ଡେଇଁ ଆଳୁ କୋବି ଚୋରି କରିବାକୁ ସେ ନେତୃତ୍ଵ ନେଉଥିଲେ । ଖାଲି କଣ ସେତିକି ? ବାଗୁଡ଼ି ଖେଳ ଛାଡ଼ି ସେ ଯେତେବେଳେ ଜୀବନର ଖେଳ ଖେଳିବାକୁ ବାହାରି ପଡ଼ିଲେ, ସେତେବେଳେ କିଏ ନ ଡରିଛନ୍ତି ତାଙ୍କୁ ? ଗଡ଼ଜାତର ଲୋକେ ଏବେ ବି ତ କହନ୍ତି ସେ ଜମାଦାର ନୁହେଁ, ଯମ । ତାଙ୍କ ହାବୁଡ଼େ ଚୋର ପଡ଼ିଲେ ସେ କେବେ ତାର ଜୀବନ ଚୋରି ନ କରି ଛାଡ଼ନ୍ତି ନାହିଁ । ଲୋକେ କହନ୍ତି, ଯୁଆନ ବେଳେ ନିଶ ମୋଡ଼ି ଠିଆ ହୋଇଗଲେ, ଘୋଡ଼ା ଉପରେ ଚଢ଼ି ଆସୁଥିଲେ କିଏ ଭେଟଣା ନ ହେବ ।

 

ଏଇ ନିଶକୁ ଦେଖି ଦିନେ ପତ୍ନୀ ସତ୍ୟଭାମା ତ ପୁଣି କହିଥିଲେ–ତୁମେ ଏ ମୂଛ କାଟିପକାଇଲ, ମୋତେ ଭାରି ଡର ମାଡ଼ୁଛି...

 

ଗୋପୀନାଥ ନିଜକୁ ନିଜେ ଯିମିତି ପ୍ରଶ୍ନକରି ଉଠିଲେ–ସେଦିନର ଦୁର୍ଦ୍ଦମ ସାହସୀ ଗୋପୀନାଥ ଆଜି ଏଇ ବୃଦ୍ଧ ଗୋପୀନାଥ ତ !

 

ଆଖିକୁ ପାଣି ଆସି ଯାଉଥିଲା–କ’ଣ ସେ ଥିଲେ, କ’ଣ ପୁଣି ହେଲେ !

 

ଗଛ ଚଢ଼ିବା, ଘୋଡ଼ା ଦୌଡ଼ାଇବା, ନଈ ପହଁରିବାରେ ଯିଏ ଦିନେ ପ୍ରଥମ ସ୍ଥାନ ଅଧିକାର କରୁଥିଲେ, ତାଙ୍କୁ ନ ଧରିଲେ ସେ ଆଜିଉଠି ପାରୁ ନାହାନ୍ତି; ୟାଠାରୁ ବଳି ଦୁଃଖ କଣ ଆଉ କିଛି ଥାଇପାରେ ! ଆଜି ଆଉ ଘରେ କେହି ପଚାରୁ ନାହାନ୍ତି, ଗାଁ ଜାନିଯାତ୍ରାରେ ତାଙ୍କୁ ଖୋଜୁ ନାହାନ୍ତି, ଗାଁ ନିଶାପରେ ତାଙ୍କୁ ନିମନ୍ତ୍ରଣ କରୁ ନାହାନ୍ତି । ସେ ଯେମିତି ପୁରୁଣା ପଇସା ହୋଇ ଯାଇଛନ୍ତି...

 

ଉଚ୍ଚରେ ଖୁବ୍ ପାଟିକରି କାନ୍ଦିବାକୁ ଗୋପୀନାଥଙ୍କର ଇଚ୍ଛା ହେଉଥିଲା । ତାହା କିନ୍ତୁ ସେ କରି ପାରିଲେ ନାହିଁ, କାରଣ ଶକୁନ୍ତଳା ଗୃହ ଭିତରୁ ବାହାରି ଆସୁଥିଲା ।

 

–ଖାଇବ ଆସ ବାପା...

 

–ଖାଇବା ! ହଉ, ଧ’...ଧ’ ମୋତେ । ତା’ ପରେ ଥର ଥର ଗଳାରେ କହିଲେ–କେତେ ଦିନ ତମମାନଙ୍କୁ ମୁଁ ହଇରାଣ କରିବି, ତା ପ୍ରଭୁ ଜାଣେ !

 

ଶକୁନ୍ତଳା କିଛି କହିଲା ନାହିଁ । କାରଣ ପ୍ରଭୁ ତ ଏ ସବୁରେ ପ୍ରାୟ ନିଷ୍ଠୁର...

 

ଶକୁନ୍ତଳାକୁ ଭରାଦେଇ ଉଠୁ ଉଠୁ ଗୋପୀନାଥ ମନ୍ତ୍ର ଉଚ୍ଚାରଣ କଲା ଭଳି କହିଉଠିଲେ–

 

ଓ...ହରି ହେ କର ପାରି–

 

ଦୀନବନ୍ଧୁ ଦଇତାରୀ ।

☆☆☆

 

ସଫଳ ସ୍ଵପ୍ନ

 

ଶ୍ଵେତପଦ୍ମାର ଦୁଧ–ଅଳତା ରଙ୍ଗର ମୁଖ ମଣ୍ଡଳରୁ ସଫଳ ସ୍ଵପ୍ନର ଆନନ୍ଦ ଅମୃତ–ନିର୍ଝର ଚକ୍ଷୁରୁ ପଲକେ ନିଃଶେଷ ହୋଇଗଲା । ତା ଆଶାଆଶ୍ୱାସନାର ମୋହନ ନୟନଯୁଗଳ ହଠାତ୍ ଅଶ୍ରୁ ସଜଳ ହୋଇ ଉଠିଲା । ଦୁଇଟି ଗଙ୍ଗଶିଉଳି ସ୍ତବକ ସେ ମୋହନ ନୟନଯୁଗଳରୁ ଝରି ଆସି ତା’ ଗଣ୍ଡଦେଶ ଭିଜାଇ ଦେଲା । ଏକ ଆହତ–କରୁଣ ଚାହାଣିରେ ଥରେ ସେ ହର୍ଷବର୍ଦ୍ଧନଙ୍କ ମୁଖମଣ୍ଡଳକୁ ଚାହିଁ ଚାହାଣି ତା’ର ଆନତ କରିନେଲା ଏବଂ ଅନେକ ସମୟ ଧରି ଧରିତ୍ରୀ ଉପରେ ସ୍ଥିର କରି ରଖିଲା...

 

ହର୍ଷବର୍ଦ୍ଧନଙ୍କର ଆତଙ୍କ ଚରମ ସୀମା ସ୍ପର୍ଶ କଲା–ମ୍ଳାନ ବିଦ୍ୟୁତାଲୋକରେ ଶ୍ଵେତପଦ୍ମାର ମୁଖମଣ୍ଡଳରୁ ଏତାଦୃଶ ଭାବ ପରିବର୍ତ୍ତନ ପରିଲକ୍ଷିତ କରି ସେ ଅସହ୍ୟ ବେଦନାରେ ଅତିଷ୍ଠ ହୋଇ ଉଠିଲେ । ଅନ୍ତର ପୁରୁଷ ତାଙ୍କର ଆର୍ତ୍ତ ହାହାକାର କରିଉଠିଲା । ବଙ୍ଗୋପସାଗର ଭଳି ଉଦ୍‍ବେଳିତ ଜନସମୁଦ୍ର ଉପରେ ଏକ ବ୍ୟଥାହତ ଦୃଷ୍ଟି ଘୂରାଇ ଆଣି ସେ ଦୃଷ୍ଟି ଊର୍ଦ୍ଧ୍ଵମୁଖୀ କଲେ...

 

ନକ୍ଷତ୍ର ବିମଣ୍ଡିତ ମାର୍ଗଶିରର ଆକାଶକୁ ଚାହିଁ ଭାନୁଚନ୍ଦ୍ର କଲେଜର ଇତିହାସ ଅଧ୍ୟାପକ ହର୍ଷବର୍ଦ୍ଧନ ସାମନ୍ତରାୟ ଭାବୁଥିଲେ–କ୍ଷଣକ ପୂର୍ବରୁ, ସମାବର୍ତ୍ତନ ଉତ୍ସବର ଶୋଭା ଭିତରେ, ସମବେତ ଶିଷ୍ଟ ମଣ୍ଡଳିଙ୍କର ହର୍ଷ ଧୂନି ଓ କରତାଳି ପୂର୍ଣ୍ଣ ପରିବେଶ ମଧ୍ୟରେ, ନିଜ ବୀଣାବିନିନ୍ଦିତ କଣ୍ଠରେ, ଶପଥ ପାଠ କରି ଯିଏ ବିଶିଷ୍ଟ ଅତିଥିଙ୍କ ଠାରୁ ଆଶୀର୍ବାଦ ଧରି ସ୍ଵର୍ଣ୍ଣପଦକ ଗ୍ରହଣ କରି ବିଜୟିନୀ ଗର୍ବରେ ଚିତ୍ରିତ ପ୍ରଜାପତି ଭଳି ଡେଇଁ ଡେଇଁ ଯାଉଥିଲା, ଚରମ ଦୁର୍ବଳତା ବଶତଃ ସେ ପାଷାଣ୍ଡ ତାକୁ ସାକ୍ଷାତ ଦେଇ କି ନିର୍ଘାତ ଭୁଲ ନକଲା !!

 

କିନ୍ତୁ ଶ୍ୱେତପଦ୍ମାର ମନ–ବୀଣାରେ ଜାଗିଛି ଗୋଟିଏ ଝଙ୍କାର । ତା ଅନ୍ତରର କେଉଁ ଏକ ନିଭୃତ କନ୍ଦରରୁ ଗୋଟିଏ ପ୍ରଶ୍ନର ନାଗ ମଥା ତୋଲୁଛି ବାର ବାର । ପିଚୁ ଢଳା ରାଜପଥ ଛାତିରେ ସେ ତା ହାଇହିଲ ସୁରେ ଅଜସ୍ର ଅସ୍ପଷ୍ଟ ରେଖାଙ୍କନ କରୁ କରୁ ସେଇ ପ୍ରଶ୍ନଟି ପଚାରି ଦେଲା, ଗଭୀର ଆଶାରେ । ଆବେଗ କମ୍ପିତ ଅସ୍ପଷ୍ଟ ଭାଷାରେ...

 

ମତେ ଭୁଲି ନାହାଁନ୍ତି ସାର !!

 

ଅଧ୍ୟାପକ ସାମନ୍ତରାୟ ସେତେବେଳେ ଭାବୁଥିଲେ ତାଙ୍କ ନିର୍ବୋଧତାର ବିଷମୟ ପରିଣତି ଉପରେ ଗୁଡ଼ାଏ, ଦୁର୍ଭାବନା । ଶୁଣି ପାରିଲିନି ସେ ଶ୍ୱେତାର ପ୍ରଶ୍ନ । କିଛି ସମୟ ନୀରବରେ ଉତ୍ତରକୁ ଅପେକ୍ଷା କରି ନିରାଶ ହେଲା ଶ୍ୱେତା । ପରିଶେଷରେ ନିଜ ପ୍ରଶ୍ନର ପୁନରାବୃତ୍ତି କରିବାକୁ ବାଧ୍ୟ ହେଲା ସେ...ମତେ ଭୁଲି ନାହାନ୍ତି ସାର!!!

 

ସଚେତନ ହେଲେ ଶ୍ରୀ ସାମନ୍ତରାୟ । କଫର ଆଳ ନେଇ ସେ ତାଙ୍କ କଣ୍ଠର ଜଡ଼ତାକୁ କାଶି ସଂଶୋଧନ କରିଦେଲେ । ଅଧରରେ ଏକ ମ୍ଲାନ ହସର ଝଲକ ସୃଷ୍ଟି କରି ଧୀର ଅଥଚ ଗମ୍ଭୀର କଣ୍ଠରେ ସେ ଉତ୍ତର ଦେଲେ– “ଭୁଲିଯିବାକୁ ସମୟ ପାଇଲିନି ଶ୍ୱେତା ! ଜଣକୁ ଅନ୍ତର ସହିତ ଭଲ ପାଇ ତାକୁ ପୁଣି ଭୁଲିଯିବା କ’ଣ ଏତେ ସହଜ !!”

 

ସାର !

 

ହର୍ଷବର୍ଦ୍ଧନ ସାମନ୍ତରାୟ ଅନ୍ୟ ଦିଗକୁ ଦୃଷ୍ଟି ଘୂରାଇ ନେଉଥିଲେ । ନିଜକୁ ଶତ ଧିକ୍‍କାର କରିଉଠିଲା ଶ୍ୱେତା । ଏଭଳି ଏକ ପ୍ରଶ୍ନର ବାଣ ନିକ୍ଷେପ କରି ହର୍ଷବର୍ଦ୍ଧନଙ୍କ ଅନ୍ତରରେ ସେ ଯେଉଁ ଦାରୁଣ କ୍ଷତ ସୃଷ୍ଟି କଲା, ସେ କ୍ଷତର ଯନ୍ତ୍ରଣା ନିଜ ଅନ୍ତରରେ ଅନୁଭବ କରି ବ୍ୟଥିତା ବିଚଳିତା ହୋଇ ଉଠିଲା ସେ...। ଅନ୍ତର କୁରରୀ ତାର ବିକଳ ଭାବରେ ବିଳାପ କରିଉଠିଲା । ନିଜ ପଣତକାନିକୁ ମୁଖମଣ୍ଡଳରେ ଚାପି ଧରି ଏକ ଗିରିନଦୀ ଭଳି ଫୁଲି ଫୁଲି କାନ୍ଦି ଉଠିଲା ଶ୍ୱେତା...

 

ସହସା ହର୍ଷବର୍ଦ୍ଧନଙ୍କର ଆଶଙ୍କା ହେଲା–ଦୁର୍ବଳତା ବଶତଃ ସେ ତାଙ୍କ ମନର ଗୋପନ କଥା ଶ୍ୱେତା ପାଖରେ ପ୍ରକାଶ କରି ଦେଇଛନ୍ତି କି ?

 

ଦୁହେଁ ଲଜ୍ଜିତ ନୀରବ ଥିଲେ ଅନେକ ସମୟ ଧରି...

 

ଉତ୍ସବମଣ୍ଡପ ଜନଶୂନ୍ୟ ହୋଇଗଲାଣି । ଯାନ–ବହାନର ସେ ବାୟୁ ବିକମ୍ପିତ ଧ୍ୱନି ଆଉ ଶୁଭୁ ନାହିଁ । ସବୁ ଥମ୍ ଥମ୍, ସବୁ ସ୍ଥିର...ତଥାପି ସେ ଦୁହେଁ ଥିଲେ ରାଜପଥର ବତୀ ଖୁଣ୍ଟ ପରି ଅଟଳ, ସାଶ୍ରୁଳ...ମାର୍ଗଶିରର କାକରଭିଜା ସମୀରଣ ସେ ଦୁହିଁଙ୍କ ଲୋମ ମୂଳରେ ସୁଜୁଥିଲା କମ୍ପନ । ତଥାପି ସେ ଦୁହେଁ ଥିଲେ ନୀରବ, ଅବିଚଳିତ, ସ୍ଥିର...

 

ଠନ୍, ଠନ୍, ଠନ୍

 

–ବାବୁ ! ଆପ ଯାଏଙ୍ଗେ ?

 

–ଏଁ, ହଁ ।

 

ପ୍ରକୃତିସ୍ଥ ହେଲେ ହର୍ଷବର୍ଦ୍ଧନ, ସେ ନିଜ ହସ୍ତଘଡ଼ିକୁ ଦେଖି ଚଞ୍ଚଳ ହୋଇ ଉଠିଲେ । ତା’ପରେ ଗଳା ପରିଷ୍କାର କରି ଶ୍ୱେତପଦ୍ମା ଉଦ୍ଦେଶ୍ୟରେ କହିଲେ–‘‘ପରମ ସୌଭାଗ୍ୟ ମୋର, ତମ ସହିତ ଦେଖା ହୋଇଗଲା ।”

 

“ପଦ୍ମା !” ଆଉ ହୁଏତ... ଆଉ କିଛି ଅଧିକା କହି ପାରିଲେନି । ଆଉ କିଛି କହିବା ଲାଗି ଯେଉଁ ମାନସିକ ଧୈର୍ଯ୍ୟ ଦରକାର ତାହା ହର୍ଷବର୍ଦ୍ଧନଙ୍କ ଅନ୍ତରରୁ ଅନ୍ତର୍ହିତ ହୋଇଗଲା । ଜଡ଼ତାରେ କଣ୍ଠସ୍ୱର ତାଙ୍କର ଅସ୍ପଷ୍ଟ ହୋଇ ଉଠିଲା–

 

ଶ୍ୱେତପଦ୍ମା ଈଷତ୍ ଚିତ୍କାର କରିଉଠିଲା–ସାର୍ !

 

ହଁ, କ’ଣ କୁହ !

 

ଗୋଟିଏ ଅନୁରୋଧ ସାର । ବଡ଼ ନିରାଶ କରୁଣ କଣ୍ଠରେ ମିନତି କଲା ଶ୍ୱେତା ।

 

ଶ୍ଵେତାର ଏକାନ୍ତ କରୁଣ, ହୃଦୟସ୍ପର୍ଶୀ ମିନତି ହର୍ଷବର୍ଦ୍ଧନଙ୍କ ଅନ୍ତରକୁ ଆନ୍ଦୋଳିତ କରିଦେଲା । ସେ ବିସ୍ମୟ ନିର୍ବାକ ହୋଇ ପଡ଼ିଲେ...

 

ଶ୍ଵେତପଦ୍ମା ଦ୍ଵିତୀୟ ଥର ଲାଗି ମିନତି କରି ବସିଲା–ଏ ପରମ ସୌଭାଗ୍ୟ ଦିନରେ ହିଁ ମୁଁ ଚାହେଁ–

 

ହର୍ଷବର୍ଦ୍ଧନଙ୍କର ନୟନଯୁଗଳ ବିଷ୍ଫାରିତ ହୋଇ ଉଠୁଥିଲା ।

 

ସେଇ କରୁଣ, ସେଇ ମର୍ମସ୍ପର୍ଶୀ ଭଙ୍ଗୀରେ ଶ୍ୱେତା କହିଉଠିଲା–ଆପଣ କ’ଣ ଏ ମିନତି ମୋର ରଖିବେନି ସାର ??

 

ହର୍ଷବର୍ଦ୍ଧନ ଏକ ସ୍ଥିର ଅପଲକଦୃଷ୍ଟି ଘୂରାଇ ଆଣିଲେ ଶ୍ଵେତାର ସୌମ୍ୟ ମୁଖ ମଣ୍ଡଳରେ । ଶ୍ଵେତାର ବିଧୂବଦନ ଚିନ୍ତା ରାହୁ କବଳରେ ପଡ଼ି କିମିତି ଏକ ବିବର୍ଣ୍ଣ–ବୀଭତ୍ସ ହୋଇ ଉଠିଛି । ହର୍ଷବର୍ଦ୍ଧନ ଅତିଷ୍ଠ ହୋଇ ଉଠିଲେ–ଏ ପରିସ୍ଥିତିରେ ଆଉ ଦଣ୍ଡେ ଦଣ୍ଡାୟମାନ ହେବାକୁ ତାଙ୍କ ବିବେକ ନାସ୍ତିବାଣୀ ଶୁଣାଇଲା ।

 

ସେ ବାଷ୍ପାକୁଳ କଣ୍ଠରେ କହିଉଠିଲେ–ମୁଁ ଯାଉଛି, ଶ୍ଵେତା...ବିଦାୟ ।

 

ହର୍ଷବର୍ଦ୍ଧନ ଫେରିବାର ଉପକ୍ରମ କରୁଥିଲେ । ହାତ ଧରି ପକାଇଲା ଶ୍ଵେତା ।

 

ଆଉ କଣ କହିବାର ଅଛି ?

 

କିନ୍ତୁ ମୁଁ ଯେ କିଛି କହି ପାରିନି ସାର !

 

ନୀଳ ସାଗରର ନିଳୀମା ଭେଦ କରି ଉଠୁଥିବା ତରଙ୍ଗ ଭଳି ନିଜ ବୁକୁର କୋହକୁ ବୁକୁରେ ଚାପି ଧରି କହିଲା ଶ୍ୱେତା ।

 

ହର୍ଷବର୍ଦ୍ଧନ ଗମ୍ଭୀର ହୋଇଉଠିଲେ । ପରିବେଶକୁ ସାଧ୍ୟାତୀତ ଭାବେ ଆୟତ୍ତ କରି ସେ କହିଲେ–

 

କଣ କୁହ, ରାତି ଯେ ଅନେକ ହେଲାଣି...

 

ଶ୍ଵେତପଦ୍ମା ବିନା ବିଳମ୍ବରେ କହିଉଠିଲା–ମୋର ଗୋଟିଏ ଅନୁରୋଧ ରଖିବେନି ସାର-!

 

ପୁଣି ସେଇ ଅନୁରୋଧ ! ହର୍ଷବର୍ଦ୍ଧନ କିଂକର୍ତ୍ତବ୍ୟବିମୁଢ଼ ହୋଇ ପଡ଼ିଲେ । ପରିଶେଷରେ ସେ କହିଲେ–ଜୀବନରେ ଏଇ ଅନୁରୋଧ ଏଡ଼ି ନ ପାରି ମୁଁ ଆଜି ଚରମ ଦୁର୍ଗତିର ସମ୍ମୁଖୀନ । ତଥାପି ଏ ପର୍ଯ୍ୟନ୍ତ କାହାରି ଅନୁରୋଧକୁ ପ୍ରତ୍ୟାଖ୍ୟାନ କରି ପାରିନି ତେବେ...

 

ତେବେ ?

 

ଏତେ ଦୁଃଖରେ ବି ଶ୍ୱେତପଦ୍ମାର ମୁଖ ମଣ୍ଡଳରେ ହସର ବିଜୁଳି ଖେଳିଗଲା । ଆଶା–ଆଲୋକରେ ନୟନ ତାର ଉଜ୍ଜ୍ଵଳ ହୋଇ ଉଠିଲା । ସେ ଏକ ସେକେଣ୍ଡ ବ୍ୟୟ ନ କରି ଆଦେଶ ଦେବା ଭଙ୍ଗୀରେ କହି ଉଠିଲା–ଆପଣଙ୍କୁ ଆଜି ଆମର ଆତିଥ୍ୟ ଗ୍ରହଣ କରିବାକୁ ପଡ଼ିବ...

 

ଶ୍ଵେତା !

 

ଶ୍ଵେତା କିନ୍ତୁ କୌଣସି ଯୁକ୍ତି ଶୁଣିବାକୁ ପ୍ରସ୍ତୁତ ନଥିଲା । ତା ହାବ ଭାବରୁ ଜଣାପଡ଼ୁଥିଲା ସେ ଯିମିତି ବହୁତ ପଛକୁ ଫେରିଯାଇଛି ଆଜି ।

 

ହର୍ଷବର୍ଦ୍ଧନ ଶ୍ୱେତାର ଏ ପ୍ରକାର ଚପଳାମିରେ ଈଷତ୍ ବିରକ୍ତ ହୋଇ କହିଲେ–ଏତେ ଅବାଧ୍ୟ ହେଲେ ଚଳିବ ଶ୍ୱେତା । ମୁଁ ମେଘମାଳା ରେଷ୍ଟୁରାଣ୍ଟର ଏକ କାମେରାକୁ ଆଜି ପାଇଁ ନୁହଁ, ତିନୋଟି ଦିନ ପାଇଁ ରିଜର୍ଭ କରିଛି । ଏଠି ମୋର ଅନେକ କାମ ଅଛି । ମୋ ବୋଲ ମାନ । ଏ ଅନୁରୋଧ ତମର ମୁଁ ଗ୍ରହଣ କଲି । ତମର ଯଦି କିଛି କହିବାର ଥାଏ, ତା’ହେଲେ ମୁଁ କାଲି ନିଶ୍ଚୟ ଯିବି ।

 

ନା, ନା, ମୁଁ କିଛି ଶୁଣିବିନି ସାର ! ହଜିଲା ମାଣିକ୍ୟକୁ ହାତରେ ପାଇ କିଏ କେବେ ଛାଡ଼ି ପାରେ ସାର୍ ।

 

କିନ୍ତୁ ହଜାଇ ନ ଦେଇ ମାଣିକ୍ୟକୁ ଜାଣି ଜାଣି ଯଦି ଫୋପାଡ଼ି ଦିଆଯାଇ ଥାଏ ?

 

ତେବେ ବି ସେ ମାଣିକ୍ୟ ମୋର, ଯେହେତୁ ମୁଁ ସେ ମାଣିକ୍ୟକୁ ସାଉଁଟି ନେବାକୁ ଏବେ ବି ପ୍ରସ୍ତୁତ ।

 

ନିଃଶବ୍ଦରେ ପ୍ରଥମେ ହସିଲେ ହର୍ଷବର୍ଦ୍ଧନ, କହିଲେ–ତୁ ୟା ଭିତରେ ଗୋଟେ ଫାଜିଲ ହୋଇଗଲୁଣି ଶ୍ୱେତା !

 

ଶ୍ୱେତପଦ୍ମା ହସି ଉଠିଲା ଖିଲି ଖିଲି ହୋଇ–ଏ ଫାଜିଲାମି ଆପଣ ଶିଖାଇଛନ୍ତି ଯେ ସାର !

 

ଏଁ, ମୁଁ !

 

ସଶବ୍ଦରେ ଏଥର ହସିଉଠିଲେ ହର୍ଷବର୍ଦ୍ଧନ । ସେ ହସର ଉଜ୍ଜ୍ୱଳ ପ୍ରବାହରେ ସତେ ଯିମିତି ତାଙ୍କ ମନର ସମସ୍ତ ଗ୍ଳାନି ଧୋଇ ଯାଉଥିଲା ଧୀରେ, ଧୀରେ...ତା’ପରେ ସେ ସେଇ ହସ ସଂମିଶ୍ରିତ ସ୍ଵରରେ କହିଲେ–ଦେଖ, ମେଘମାଳା ରେଷ୍ଟୁରାଣ୍ଟରେ ମୋର ବେଡ଼ିଂ ପ୍ରଭୃତି ଅଛି । ଆଜି ନ ଗଲେ ନିହାତି ଅସୁବିଧା ଭୋଗ କରିବାକୁ ପଡ଼ିବ ।

 

ବ୍ୟସ୍ତ ହୁଅନି, ମୁଁ କାଲି ନିଶ୍ଚୟ ଯିବି ।

 

କିନ୍ତୁ...ସୁଧାକରର ସ୍ନିଗ୍‍ଧ ଚନ୍ଦ୍ରିକା ପାଇ ଘୁମେଇ ପାରେ କି ଚକୋରୀ ! ପ୍ରବାସୀ ପ୍ରିୟକୁ ବହୁ ଦିନେ ପାଇ ଛାଡ଼ି ପାରେ କି ବିରହିଣୀ ?

 

ଶ୍ୱେତପଦ୍ମା ହର୍ଷବର୍ଦ୍ଧନଙ୍କ କୌଣସି କଥା ଶୁଣି ନଥିଲା । ଆସନ୍ତା କାଲି ସେ ମେଘମାଳା ରେଷ୍ଟୁରାଣ୍ଟରୁ ହର୍ଷବର୍ଦ୍ଧନଙ୍କ ବେଡ଼ିଂ ନେଇଯିବ ବୋଲି ଆଶ୍ଵାସନା ଦେଇ ତା ଦୁଷ୍ଟାମି ଆରମ୍ଭ କରିଦେଲା । ବଳତ୍‍କାର କରି ସେ ହର୍ଷବର୍ଦ୍ଧନଙ୍କ ହାତକୁ ଧରି ରିକ୍‍ସା ଆରୋହଣ କଲା ଏବଂ ରିକ୍‍ସାବାଲା ଉଦ୍ଦେଶ୍ୟରେ କହିଲା–ଏ ରିକ୍‍ସା ଚଲା ବାଦଶାହା ବସ୍ତି !!

 

ବାଧ୍ୟ ଶିଶୁଟି ଭଳି ଆଦେଶ ମାନିଲା ରିକ୍‍ସାବାଲା । ନିଜର ସମସ୍ତ ଶକ୍ତି ବ୍ୟୟ କରି ସେ ରିକ୍‍ସା ଛୁଟାଇଲା...

 

ଅନେକ ଦିନ ପରେ, ଏମିତି ଅତି ନିକଟରେ ଦୁହେଁ ଦୁହିଁଙ୍କୁ ପାଇ ଶିହରି ଉଠୁଥିଲେ, ଆନନ୍ଦିତ ହୋଇ ଉଠୁଥିଲେ ଏବଂ ଦୁଇଟି ବିରହୀ, ବିରହିଣୀଙ୍କ ପ୍ରାଣ ଏକାକାର ହେବାକୁ ଲାଳାୟିତ ହୋଇଉଠୁଥିଲା...

 

ଏ ଶେଷାର୍ଦ୍ଧ ରାତି ବକ୍ଷ ଚିରି ତୀର ବେଗରେ ଛୁଟି ଯାଉ ଯାଉ ଏକ ଅଜ୍ଞାତ ପକ୍ଷୀ ଦୁର୍ବୋଧ୍ୟ ସଂଗୀତ ଗାଉଥିଲା...ସେ ସଂଗୀତକୁ ପୁଲକିତ ହୋଇ ଶୁଣୁଥିଲେ, ବୁଝୁଥିଲେ, ସେ ଦୁଇଜଣ । ଶ୍ୱେତପଦ୍ମା ଛୋଟରାୟ ଆଉ ଇତିହାସ ଅଧ୍ୟାପକ ହର୍ଷବର୍ଦ୍ଧନ ସାମନ୍ତରାୟ...

 

ପରିବର୍ତ୍ତନ ! ବିରାଟ ପରିବର୍ତ୍ତନ !!!

 

ଏଇ କେଇ ବର୍ଷ ଭିତରେ ବିଶ୍ୱାସ କଲାଭଳି ଯଦି କିଛି ପୃଥିବୀରେ ପରିବର୍ତ୍ତନ ହୋଇଥାଏ, ତାହା ଏଇ ଶ୍ୱେତପଦ୍ମା ପରିବାର...ତାଙ୍କର ସେଇ ଶାନ୍ତ କୋମଳ ପରିବାର ଉପରେ ଯେଉଁ ଦାରୁଣ ଦୁଃଖର ଝଡ଼ ଉଠିଲା, ସେ ଝଡ଼ର ଡେଣାଘାତରେ ଶ୍ୱେତପଦ୍ମା ପରିବାରର ଅନେକ କ୍ଷତି ହୋଇପଡ଼ିଛି...ଓଡିଶାର ଅନ୍ୟତମ ବିପ୍ଳବୀ ନେତା ମନ୍ଦରଧର ବାବୁଙ୍କର ମୃତ୍ୟୁ ପରେ ଏ ଘରଟି ଅବସ୍ଥା ଯେ ଏତେ ସାଂଘାତିକ ହୋଇ ପଡ଼ିବ, ଏକଥା କଦାପି ବିଶ୍ୱାସ କରି ନଥିଲେ ହର୍ଷବର୍ଦ୍ଧନ....

 

ମନ୍ଦରଧର ବାବୁଙ୍କର ଡ୍ରଇଂ ରୁମରେ ଏକଆରା କେଦାରା ଉପରେ ଅର୍ଦ୍ଧଶାୟିତ ରହି ହର୍ଷବର୍ଦ୍ଧନ ଏକ ଦୟାପୂର୍ଣ୍ଣ ଚାହାଣୀରେ ସେ ଘରଟିର ଚତୁର୍ଦ୍ଦିଗକୁ ତରଂତରଂ କରି ଚାହୁଁଥିଲେ । ରୂପେଲି ପରଦାର ଛବି ଭଳି ତାଙ୍କ ମନ ପରଦାରେ କେତେଗୁଡ଼ିଏ ସ୍ମୃତିର ଛବି ଉଙ୍କିମାରି ପୁଣି ଉଭାନ ହୋଇଯାଉଥିଲା ....ହର୍ଷବର୍ଦ୍ଧନ ସ୍ମୃତିର ଡାଏରୀ ଖୋଲି ପ୍ରତ୍ୟେକ ପୃଷ୍ଠା ପ୍ରତି ଦୃଷ୍ଟି ଘୂରାଇ ଆଣୁଥିଲେ...

ସିଏ ହୁଏତ ହେବ ଊଣେଇଶ ଛୟାଳିଶି ମସିହାର ଏକ ଶରତ ସୂର୍ଯ୍ୟାସ୍ତ ! ପ୍ରସ୍ଥାନୋନ୍ମୁଖୀ ସୂର୍ଯ୍ୟଙ୍କର ତପ୍ତ–କନକ ବିନିନ୍ଦିତ କିରଣ ପଶ୍ଚିମ ଦିଗଭାଲକୁ କରିଥିଲା କନକିତ ରକ୍ତାଭ....ନୀଳ ମହାନଦୀର ସ୍ୱଚ୍ଛ ନୀଳିମ ଜଳରେ ସେ ରକ୍ତ ରଂଗ ପ୍ରତିଫଳିତ ହୋଇ ଏକ ଅନିର୍ବଚନୀୟ ସୁଷମାର ସୁଅ ଛୁଟାଇ ଦେଉଥିଲା । ମହାନଦୀର ପାଷାଣ–ବନ୍ଧ ବୁକୁ ଉପରେ ବସି ସେଦିନ ସେଇ ଦୃଶ୍ୟକୁ ମନ ଭରି ଉପଭୋଗ କରୁଥିଲେ ଏକ ମନ....ଏକ ଲୟରେ...ହଠାତ୍ ତାଙ୍କର ଧାରଣା ହେଲା ଭାରତୀୟ ପୋଷାକ ପରିହିତ ଏକ ସ୍ଵାସ୍ଥ୍ୟବାନ ଭଦ୍ରଲୋକଙ୍କ ସହ ଏକ ସୁଶ୍ରୀ ମାର୍ଜିତ ରୂପବତୀ ଶ୍ରୀମତୀଟିଏ ତାଙ୍କରି ଆଡ଼କୁ ଆଗେଇ ଆସୁଛନ୍ତି । ହର୍ଷବର୍ଦ୍ଧନ କିନ୍ତୁ ସେଥିପ୍ରତି ବିଶେଷ ଦୃଷ୍ଟି ନ ଦେଇ ପ୍ରକୃତିର ଶ୍ରୀସଂପଦ ଉପରକୁ ଦୃଷ୍ଟି ଘୂରାଇ ନେଇଥିଲେ । କିନ୍ତୁ ଠିକ୍ ତାର କେଇ ସେକେଣ୍ଡ ପରେ ତାଙ୍କୁ ଏକ ପ୍ରଶ୍ନର ଉତ୍ତର ଦେବାକୁ ପଡ଼ିଥିଲା :–

ଆପଣଙ୍କ ନାମ ହର୍ଷବର୍ଦ୍ଧନ ସାମନ୍ତରାୟ !

ଅପ୍ରତିଭ ହୋଇ ଉଠିଥିଲେ ସେ । ଭଦ୍ରଲୋକଙ୍କ ମୁହଁରୁ ସହସା ତାଙ୍କ ନାମ ଉଚ୍ଚାରଣ ଶୁଣି ସେ ପ୍ରଥମେ ତାଙ୍କ ସର୍ବାଙ୍ଗକୁ ଥରେ ନିରୀକ୍ଷଣ କରିଥିଲେ–ତାଙ୍କର ଆଶଙ୍କା ହୋଇଥିଲା, ତାଙ୍କ ନା’ଟା କଣ ତାଙ୍କ ସର୍ବାଙ୍ଗରେ ଲେଖା ହୋଇଛି କି ?

 

କିନ୍ତୁ ନା–ହର୍ଷବର୍ଦ୍ଧନ ନିଜ ସର୍ବାଙ୍ଗ ଉପରେ ଦୃଷ୍ଟି ଘୂରାଇ ଆଣି ନିରାଶ ହେଲେ ଏବଂ ଆନନ୍ଦିତ ହେଲେ ଯେ ତାଙ୍କ ନାମ ସହିତ ଏ ସହରର ଅନେକ ଭଦ୍ରଲୋକଙ୍କର ପରିଚୟ ହୋଇଯାଇଛି ତା’ହେଲେ...

 

ତାପରେ ଲଜ୍ଜା ସଂକୋଚ ଅଥଚ ଧୀର କଣ୍ଠରେ ଉତ୍ତର ଦେଇଥିଲେ–ଆଜ୍ଞା !

 

ମୃଦୁ ମୃଦୁ ହସି ଉଠିଥିଲେ ସେ ମହାଶୟ ଏବଂ ସେ ସୁଶ୍ରୀ ଶ୍ରୀମତୀଙ୍କ ଉଦ୍ଦେଶ୍ୟରେ କହିଥିଲେ–ଇଏ ହେଉଛନ୍ତି ଆମ ଓଡ଼ିଶାର ଅନ୍ୟତମ ଛାତ୍ରନେତା ଏବଂ ଅନ୍ୟତମ ଶକ୍ତିମାନ କଥାଶିଳ୍ପୀ ଶ୍ରୀମାନ୍ ହର୍ଷବର୍ଦ୍ଧନ ସାମନ୍ତରାୟ...

 

ସତେ ! ଧନ୍ୟବାଦ, ଶ୍ରୀ ଶ୍ରୀମତୀ ଆନନ୍ଦ ପ୍ରକାଶ କରିଥିଲେ । ନିଜ ପ୍ରଶସ୍ତି ପ୍ରଶଂସା ଶୁଣି ଚମକି ଉଠିଥିଲେ ହର୍ଷବର୍ଦ୍ଧନ...ଓଡ଼ିଶାର ବାୟୁମଣ୍ଡଳ ସହିତ ସେ ଖାଲି ହର୍ଷବର୍ଦ୍ଧନ ସାମନ୍ତ ରାୟ ଭାବରେ ପରିଚିତ ନୁହନ୍ତି, ଜଣେ ତୁଙ୍ଗ ଛାତ୍ରନେତା ଓ ଶକ୍ତିମାନ କଥାଶିଳ୍ପୀ ହିସାବରେ ବି ପରିଚିତ...

 

ତା’ପରେ ସେ କହିଥିଲେ–ଆପଣମାନଙ୍କ ପରିଚୟଟା...

 

ଦେବା ଏକାନ୍ତ ଉଚିତ, ହିଃ ହିଃ ହିଃ, ଇଏ ହେଲେ ଶ୍ରୀମତୀ ମନ୍ଦାକିନୀ ଛୋଟରାୟ ଆଉ ମୋ ନାଁ ମନ୍ଦରଧର ଛୋଟରାୟ...

 

ମନ୍ଦରଧର ଛୋଟରାୟ !

 

ହର୍ଷବର୍ଦ୍ଧନଙ୍କ ଅନ୍ତରରେ ପ୍ରଶ୍ନ ଉଠିଥିଲା–ଏ ସହରର ବିପ୍ଳବୀ ନେତା ମନ୍ଦରଧର ଛୋଟରାୟ ଏଇ ନୁହନ୍ତି ତ !!

 

ତା’ପରେ ସେଇଠି, ଦେଶର ରାଜନୈତିକ ପରିସ୍ଥିତି ଉପରେ ସେମାନେ ଅନେକ ସମୟ ଧରି ଆଲୋଚନା କରିଥିଲେ ଏବଂ ଅନେକ ରାତି ହେବାରୁ ମନ୍ଦରଧର ବାବୁ ଫେରି ଯିବାକୁ ଅନୁମତି ମାଗି ଅନୁରୋଧ କରିଥିଲେ–କାଲି ସଂଧ୍ୟାରେ ତାଙ୍କ ଘରକୁ ଯିବାକୁ... । ସମ୍ମତି ଦେଇ ବିଦାୟ ଦେଇଥିଲେ ସେ ଦୁହିଁଙ୍କୁ ସେ...

 

ଏଇ ହେଲା ମନ୍ଦରଧର ବାବୁ ଏବଂ ଶ୍ରୀମତୀ ମନ୍ଦାକିନୀଙ୍କ ସହିତ ତାଙ୍କର ପ୍ରଥମ ପରିଚୟ । ପ୍ରଥମଥର ପାଇଁ କଥାବାର୍ତ୍ତା । ତାପରେ ସେ ଅନେକ ବାର ତାଙ୍କ ଘରକୁ ଯାଇଛନ୍ତି । ମନ୍ଦରଧର ବାବୁ ତାଙ୍କୁ ତାଙ୍କ ଦଳଭୁକ୍ତ କରିବାକୁ ଚେଷ୍ଟା କରିଛନ୍ତି । ଫଳରେ ତାଙ୍କ ଦୁହିଁଙ୍କ ମଧ୍ୟରେ ଏକ ଘନିଷ୍ଠ ସମ୍ବନ୍ଧ ଗଢ଼ିଉଠିଛି । ଏଇ ଶ୍ଵେତପଦ୍ମାର ପଠନ ଦାୟିତ୍ୱ ବହନ କରିବାକୁ ଅନୁରୋଧ କରାଯାଇଛି...

 

ମନ୍ଦରଧର ବାବୁଙ୍କ ପାଖରେ ହର୍ଷବର୍ଦ୍ଧନ ଜଣେ ସାହିତ୍ୟିକ, ଜଣେ ଛାତ୍ରନେତା ଭାବେ ଖାଲି ପରିଚିତ ହୋଇ ନଥିଲେ, ଦିନ ଆସିଲା ତାଙ୍କ କନ୍ୟାର ଗୃହଶିକ୍ଷକ ରୂପେ ବି ପରିଚିତ ହେଲେ...

 

ସେ ଅନେକ ଦିନ ତଳର କଥା ।

 

ସେତେବେଳେ ଶ୍ଵେତପଦ୍ମା ଥିଲା ବକ୍ଳି ଗାର୍ଲସ ହାଇସ୍କୁଲର ଏକାଦଶ ଶ୍ରେଣୀର ଶ୍ରେଷ୍ଠାଛାତ୍ରୀ । ତା ସହିତ ପ୍ରଥମ ସାକ୍ଷାତରେ ହର୍ଷବର୍ଦ୍ଧନର ନିଶ୍ଚିନ୍ତ ବିଶ୍ୱାସ ହୋଇଥିଲା, ଶ୍ଵେତା ଠାରେ ରୂପ ସହିତ ଗୁଣର ଅପୂର୍ବ ସମାବେଶ ଘଟିଛି...ଅପରପକ୍ଷରେ ତା ଭଳି ଜଣେ ଉଚ୍ଚକୋଟୀର ସାହିତ୍ୟିକ ତଥା ଛାତ୍ର ନେତାକୁ ନିଜର ଗୃହଶିକ୍ଷକ ରୂପେ ପାଇ ଶ୍ଵେତା ସାତିଶୟ ଆନନ୍ଦିତ ହୋଇଥିଲା ଏବଂ ଏଇ ଆନନ୍ଦ ଭିତରେ ଲୁଚି ଛପି ରହିଥିଲା ଅନେକ କଥା...

 

ପୁରୁଷର ରୂପ ଗୁଣର ପ୍ରଶଂସା କରିବା ନାରୀ ମନର ଯିମିତି ଏକ ଗୋପନ ସହଜାତ ପ୍ରବୃତ୍ତି, ନାରୀ ରୂପର ପ୍ରଶଂସା କରିବା ବି ସିମିତି ପୁରୁଷର ଏକ ସହଜାତ ପ୍ରବୃତ୍ତି । ହର୍ଷବର୍ଦ୍ଧନର ବିରାଟ ବ୍ୟକ୍ତିତ୍ଵ ବହ୍ନିରେ ଶ୍ଵେତା ତା ରୂପ ଗୁଣକୁ ବିସର୍ଜ୍ଜନ କରିବାକୁ ଲାଳାୟିତ ହୋଇ ଉଠିଲା । ଯିମିତି ହର୍ଷବର୍ଦ୍ଧନ ବି. ଏ. ପରୀକ୍ଷାରେ ଅକୃତକାର୍ଯ୍ୟ ହେଲେ ଆଉ ମନ୍ଦରଧର ବାବୁଙ୍କର ବହୁଦିନର ସ୍ଵପ୍ନ ସଫଳ ହୋଇ ପାରିଲା ନାହିଁ । ଶ୍ଵେତପଦ୍ମା ଖାଲି ପ୍ରଥମ ଶ୍ରେଣୀରେ ମାଟ୍ରିକ୍ ପାଶ୍ କଲା.....

 

ତାପରେ....

 

ଶ୍ଵେତାର ଏ ଚରମ ଅଧୋଗତିରେ ବିବ୍ରତ ହୋଇ ପଡ଼ିଲେ ମନ୍ଦରଧର ବାବୁ । ତାଙ୍କ ପରିବାରରେ ଅଶାନ୍ତି ଅସନ୍ତୋଷର ଦିହୁଡ଼ି ତୁହାଇ ତୁହାଇ ଜଳି ଉଠିଲା । ଆଉ ଏ ଦିହୁଡ଼ିରେ ଇନ୍ଧନ ଯୋଗାଇଲା ଶ୍ଵେତାର ଚୁଡାନ୍ତ ନିଷ୍ପତ୍ତି...‘ମୁଁ ହର୍ଷବର୍ଦ୍ଧନଙ୍କୁ ହିଁ ବିବାହ କରିବି.....’

 

ତୁ ହର୍ଷବର୍ଦ୍ଧନକୁ ବିବାହ କରିବୁ ?

 

ଶ୍ଵେତାର ଏ ପ୍ରକାର ନିଷ୍ପତ୍ତିରେ ବିବ୍ରତ ହୋଇ ପଡ଼ିଲେ ମନ୍ଦରଧର ବାବୁ । ରୋଷ ଅଭିମାନର ବିଷ ତାଙ୍କ ସର୍ବାଙ୍ଗରେ ସଂଚରିଗଲା । ଏକ କୁଟିଳ ଭ୍ରୂକୁଟିପାତ କରି ସେ ଶ୍ଵେତାକୁ ହି ଚୂଡ଼ାନ୍ତ ନିଷ୍ପତ୍ତି ଶୁଣାଇଲେ ହର୍ଷବର୍ଦ୍ଧନ ଭଳି ଲୋଫରକୁ ସେ ଜାମାତା ରୂପେ ବରଣ କରି ନ ପାରନ୍ତି..... ହେଉପଛେ ସେ ଗୋଟେ ବିଖ୍ୟାତ ସାହିତ୍ୟକ, ହେଉପଛେ ସେ ସଂଭ୍ରାନ୍ତବଂଶୀୟ ଉଚ୍ଚଶିକ୍ଷିତ । ତଥାପି ସେ ଦରିଦ୍ର ଲୋଫର.... । ବିରାଟ ବ୍ୟକ୍ତିତ୍ଵକୁ ନେଇ ଧନହୀନ ବ୍ୟକ୍ତି ସମାଜରେ ଆସନ ପ୍ରତିଷ୍ଠା କରିବା ଏକ ବିଡ଼ମ୍ବନା ମାତ୍ର । ନା–ନା–ହର୍ଷବର୍ଦ୍ଧନଙ୍କୁ ସେ କଦାପି ଜାମାତା ରୂପେ ଗ୍ରହଣ କରିନପାରନ୍ତି । ଶ୍ଵେତ ଜୀବନ ବିସର୍ଜନ କରୁ; ତଥାପି ସେ ତିଳେ ହେଲେ ବିବ୍ରତ–ଦୁଃଖିତ ହେବେନି....

 

ଏକ ମୃତଭର୍ତ୍ତୁକା ରମଣୀ ଭଳି ଉଚ୍ଚରେ–ଖୁବ୍ ଉଚ୍ଚରେ । କ୍ରନ୍ଦନ କରିଥିଲା ଶ୍ଵେତା । କିନ୍ତୁ ସେ କ୍ରନ୍ଦନ ମନ୍ଦରଧର ବାବୁଙ୍କ ଭଳି ବିପ୍ଳବୀ ଅନ୍ତରରେ ଆଲୋଡ଼ନ ସୃଷ୍ଟି କରି ନଥିଲା । ମନ୍ଦରଧର ବାବୁ ମନ୍ଦର ପର୍ବତ ଭଳି ଅବିଚଳିତ ରହିଥିଲେ....

 

ଆଉ ସେ !!

 

ସେ ଶୁଣିଥିଲେ । ଏଇ ନିଷ୍ଠୁର ନିର୍ମମ ଘୋଷଣା ଶୁଣି ହର୍ଷବର୍ଦ୍ଧନଙ୍କ କର୍ଣ୍ଣରନ୍ଧ୍ର ସ୍ପନ୍ଦିତ ହୋଇ ଉଠିଥିଲା । ପ୍ରବଳ ବେଗରେ ପ୍ରଜ୍ୱଳିତ ହୋଇ ଉଠି ସେ ପରିତ୍ୟାଗ କରିଥିଲେ ଏଇ ସହର ଏକ ଅନିର୍ଦ୍ଦିଷ୍ଟ ପଥର ପଥିକ ହୋଇ.... ଯେଉଁଦିନ ସେ ଏ ସଂସାରରେ ଉଚ୍ଚାସନ ଅଧିକାର କରିବାକୁ ସକ୍ଷମ ହେବେ, ସେଦିନ ସେ ମନ୍ଦରଧର ବାବୁଙ୍କୁ ହିଁ ସାକ୍ଷାତ କରିବେ ପ୍ରଥମେ, ସର୍ବ ପ୍ରଥମେ....

 

ସିଏ ଏକ ଧୂସର ଅତୀତର ସ୍ମୃତି ।

 

ସେ ସ୍ମୃତି ଦୀର୍ଘ ଛଅ ବର୍ଷର !! ତା’ ପରେ କେତେ ଦୁଃଖ, କେତେ କଷ୍ଟ, କେତେ ପରିଶ୍ରମ ସେ ସବୁର ହିସାବ କଲେ ସୁସ୍ଥ ମସ୍ତିଷ୍କ ଗୋଳମାଳ ହୋଇ ଉଠିବ । ଏଇ କଠିଣ ଅଭେଦ୍ୟ ସମସ୍ୟା ଭଳି ସେ ହିସାବ ଅଭ୍ୟେଦ !!!

 

ସେ ହଜିଗଲା ଦିନର ବିଷାଦମଧୁର ସ୍ମୃତିକୁ ସ୍ମରଣ କରି ହର୍ଷବର୍ଦ୍ଧନଙ୍କ ନୟନଯୁଗଳ ଜଳପୂର୍ଣ୍ଣ ହୋଇ ଉଠିଲା । ବାହାରେ କାହାର ପଦଧ୍ଵନି । ହୁଏତ କିଏ ଆସି ଥାଇ ପାରେ । ହର୍ଷବର୍ଦ୍ଧନ ନିଜ ନୟନରୁ ଅଶ୍ରୁ ପୋଛି ପରିଷ୍କାର କରି ଦେଉଥିଲେ । ପାଗଳିନୀ ଭଳି ଗୃହ ଭିତରକୁ ପଶି ଆସୁ ଆସୁ ମନ୍ଦାକିନୀ କହିଉଠିଲେ–ତୁ ଆସିଛୁ ହର୍ଷ ! ତୁ ଏତେଦିନେ ଆସିଛୁ ହର୍ଷ ।

 

ହର୍ଷବର୍ଦ୍ଧନ ବିସ୍ମୟ–ଚକିତ ଚାହାଣିରେ ଥରେ ମନ୍ଦାକିନୀଙ୍କର ମଳିନ ନିଷ୍ପ୍ରଭ ମୁଖକୁ ଚାହିଁ ମଥା ନତ କଲେ–ନମସ୍କାର କଲେ । ହର୍ଷବର୍ଦ୍ଧନଙ୍କ ହୃଦୟ କଳସୀ ମନ୍ଦାକିନୀଙ୍କର ଏତାଦୃଶ ଦୁରବସ୍ଥା ଦେଖି ଶତଧା ବିଭକ୍ତ ହୋଇ ପଡ଼ିଲା–ମନ୍ଦାକିନୀଙ୍କର ସୀମନ୍ତ ସିନ୍ଦୂର ଲିଭି ଯାଇ କି ବୀଭତ୍ସ ରୂପ କରି ପକାଇଛି !!!

 

ହର୍ଷବର୍ଦ୍ଧନ ନିଜ ନୟନରୁ ଲୁହ ପୋଛୁଥିଲେ । ମନ୍ଦାକିନୀ ଚମକି ଉଠି କହିଲେ–ତୁ କାନ୍ଦୁଛୁ ହର୍ଷ ! ନାଇଁ ନାଇଁ । ତୋତେ ଆଉ କାନ୍ଦିବାକୁ ଦେବି ନାହିଁ । ତୋ କାନ୍ଦ ଦେଖି ମୋ ଅନ୍ତରକୁ ମୁଁ ଇମିତି କ୍ଷତ ବିକ୍ଷତ କରିବି ନାହିଁ...ମୋ ବାପ ! ମୋ ଧନ ! ତୁ ଆଉ କାନ୍ଦନି ।

 

ମନ୍ଦାକିନୀ ହର୍ଷବର୍ଦ୍ଧନଙ୍କ ପାଇଁ ପାଗଳୀ ହୋଇ ଉଠିଛନ୍ତି । ମାତୃ ହୃଦୟରେ ତାଙ୍କର ମନ୍ଦାକିନୀର ନିର୍ଝର ଫିଟିଛି । ସେ ତୀର ଗତିରେ ଛୁଟି ଯାଇଁ ହର୍ଷବର୍ଦ୍ଧନଙ୍କୁ କୋଳ କରି ନେଲେ । ନିଜର ରୁକ୍ଷ ପାପୁଲିର ସ୍ପର୍ଶ ତାଙ୍କ ସର୍ବାଙ୍ଗରେ ଦେଇ ବୁଝାଇବା ଭଙ୍ଗୀରେ ପାଗଳିଙ୍କ ଭଳି କହି ଚାଲିଲେ–

 

ତୁ ଜାଣିନୁ ହର୍ଷ ! ତୋତେ ଏହା ଜଣାଇବାକୁ ଶ୍ଵେତା ନିଶ୍ଚେ ସଂକୋଚ ବୋଧ କରିଥିବ-। କିନ୍ତୁ ମୁଁ ଆଉ ଏକଥା ଲୁଚାଇବାକୁ ପ୍ରସ୍ତୁତ ନୁହେଁ, ମୁଁ ଯଦି ୟାକୁ ଲୁଚାଇବି ହୁଏତ ସବୁଦିନ ଲାଗି ଏ କଥା ଲୁଚି ରହିଯିବ । ପୁଣି ତୋତେ ଯଦି ଏକଥା ଲୁଚାଇବି ତେବେ କହିବି କାହାକୁ-?

 

ତେବେ ଶୁଣ ! ତୁ ଯେଉଁଦିନ ଏ ସହର ପରିତ୍ୟାଗ କଲୁ, ମନ୍ଦରଧରବାବୁ ଏ ସହରର ପ୍ରତ୍ୟେକ ଗଳି କନ୍ଦିରେ ତୋର ସନ୍ଧାନ ନେଇ ନିରାଶ ହେଲେ । ତୋ ବିଚ୍ଛେଦ–ତୀରର ତୀବ୍ର ଆଘାତରେ ଶ୍ଵେତା ଟାଇଫଏଡ଼ ରୋଗରେ ଆକ୍ରାନ୍ତ ହେଲା । ଶ୍ଵେତାର ଏ ଚରମାବସ୍ଥା ଦେଖି ମନ୍ଦରଧର ବାବୁ ଅତିଷ୍ଠ ହୋଇ ଉଠିଲେ । ଅନେକ ଲୋକଙ୍କ ପାଖକୁ ପତ୍ର ଦେଇ ପରିଶେଷରେ ନିରାଶ ହେଲେ–ତୋର ସନ୍ଧାନ ମିଳିଲା ନାହିଁ । ଦିନେ ରାତିରେ ତୋ କଥା କହୁ କହୁ ସେ ଭୋ ଭୋ ହୋଇ କାନ୍ଦିଉଠିଲେ । ମୁଁ ତାଙ୍କୁ ଅନେକ ପ୍ରକାର ବୁଝାଇଲି; କିନ୍ତୁ ମାନିଲେ ନାହିଁ । ତୋତେ ସେ ଏତେ ଭଲ ପାଉଥିଲେ ଯେ ତୋର ବିଚ୍ଛେଦ ଶ୍ଵେତାକୁ ଯେତିକି ବାଧିଥିଲା ତା’ ଠାରୁ କୌଣସି ଗୁଣେ କମ୍ ବାଧି ନ ଥିଲା ତାଙ୍କୁ !! ଗୋଟିଏ ପାଖରେ ଶ୍ଵେତାର ଚରମାବସ୍ଥା; ଅନ୍ୟ ପାଖେ ତୋର ବିଚ୍ଛେଦ । ମଝିରେ ରହି ସେ ବିବ୍ରତ ବ୍ୟଥିତ–ଅତିଷ୍ଠ ହୋଇଉଠିଲେ । ‘କଣ କରିବେ’ ଏଇ ଚିନ୍ତା କରି କରି ସେ ଶଯ୍ୟାଶାୟୀ ହେଲେ । ପରିଶେଷରେ ସେଇ ଚିନ୍ତା ରାକ୍ଷସହିଁ ତାଙ୍କ ଜୀବନ ନେଲା...

 

କହୁଁ କହୁଁ ଖୁବ୍ ଉଚ୍ଚରେ କାନ୍ଦି ଉଠିଲେ ମନ୍ଦାକିନୀ । ହର୍ଷବର୍ଦ୍ଧନ ତାଙ୍କର ଏ ଅବସ୍ଥାକୁ ସମ୍ଭାଳି ନେବାକୁ କହିଲେ–ତମେ କାନ୍ଦୁଛ ମାଉସି ! ଛିଃ–ସବୁ ଜାଣି କଣ ତମକୁ ମୋର ବୁଝାଇବାକୁ ପଡ଼ିବ ?

 

ମନ୍ଦାକିନୀ କାନ୍ଦ ବନ୍ଦକରି କହିଲେ–ନା, ମୁଁ ଆଉ କାନ୍ଦିବିନି, ଗତ ସୁଖ କଥା ମନେ ପଡ଼ି ଦୁଃଖ ଆସୁଛି ତଥାପି ମୁଁ ଦୁଃଖ କରିବିନି, ତଥାପି ମୁଁ ଆଉ କାନ୍ଦିବିନି’ ବହୁଦିନ ପରେ ଭଗବାନ ମୋର ସ୍ଵପ୍ନ ସଫଳ କରିଛନ୍ତି...

 

ହର୍ଷବର୍ଦ୍ଧନ କହିଲେ–ମାଉସୀ ତମ ଦେହ ବ୍ୟସ୍ତ ଅଛି । ତମେ ଯାଅ, ଶୁଅ । ଅନେକ ରାତି ହୋଇଗଲାଣି, କିନ୍ତୁ ମନ୍ଦାକିନୀଙ୍କର ଆଖିକି ଆଜି ନିଦ ଆସୁନି । ଦେହ ତାଙ୍କର ଯିମିତି ସୁସ୍ଥ ହୋଇଯାଇଛି, ମନ ତାଙ୍କର ସିମିତି ସତେଜ ହୋଇ ଉଠିଛି । ହର୍ଷବର୍ଦ୍ଧନଙ୍କ ଆବିର୍ଭାବରେ ତାଙ୍କ ଦେହ ମନରେ ଏକପ୍ରକାର ପ୍ରଶାନ୍ତି ଅନୁଭବ କରୁଛନ୍ତି...

 

ମନ୍ଦାକିନୀ ପୁଣି କହିବାକୁ ଆରମ୍ଭ କଲେ–

 

ସେ ଦିନ ତାଙ୍କର ଶେଷଦିନ । ସେ ଜାଣି ପାରିଲେ ଆଉ କେଇ ଘଣ୍ଟା ପରେ ତାଙ୍କ ଶେଷ ନିଃଶ୍ୱାସ ତ୍ୟାଗ କରିବାର ସମୟ ଆସିଯିବ । ତେଣୁ ସେ ମତେ ଏବଂ ଶ୍ଵେତାକୁ ଡାକି ବେଦନାଜଡ଼ିତ ଅସ୍ପଷ୍ଟ କଣ୍ଠରେ କହିଲେ–ଶୁଣ ! ମୋର ପୂର୍ଣ୍ଣ ବିଶ୍ୱାସ ହର୍ଷବର୍ଦ୍ଧନ ଫେରିବ–ସେ ଫେରିଲେ ତାକୁ ମୋର ଏ ଶେଷ ବାଣୀ ଶୁଣାଇବ । ସେ ମତେ ଭୁଲ ବୁଝିଛି । ତଥାପି ମୁଁ ତାକୁ ଭର୍ତ୍ସନା କରି ମୁଁ ଠିକ୍ କରିଛି । ମୋର ଏ ଭର୍ତ୍ସନାରେ ସେ ନିଶ୍ଚେ ତା ପଥ ଠିକ କରିନେଇ ସମାଜରେ ଦିନେ ଶ୍ରେଷ୍ଠ ଆସନ ଅଧିକାର କରିବ । ମୋର ଶେଷ କଥା ତାକୁ କହିବ–ଶ୍ଵେତା ତାର...ଶ୍ୱେତା ତାକୁ ହିଁ ପାଇଲେ ମୋର ଆତ୍ମା ଶାନ୍ତି ପାଇବ । ମୁଁ ଯାଉଛି...

 

ମନ୍ଦାକିନୀ କାନ୍ଦିଉଠୁଥିଲେ । ମନ୍ଦରଧର ବାବୁଙ୍କର ଅନ୍ତିମ ବେଳର ସେ କରୁଣ ଦୃଶ୍ୟ ତାଙ୍କ ମନ ଦର୍ପଣରେ ପ୍ରତିବିମ୍ବିତ ହୋଇ ଉଠୁଥିଲା । ସେ ସେଇ ଅଶ୍ରୁଭରା ନେତ୍ରରେ, ବାଷ୍ପାକୁଳ କଣ୍ଠରେ କହି ଚାଲିଥିଲେ–ଆଜି ଯଦି ସେ ଥାଆନ୍ତେ, ତୋତେ ଦେଖି, ଶ୍ଵେତାର ସ୍ଵର୍ଣ୍ଣପଦକ ପାଇବା ଜାଣି କି ଆନନ୍ଦ ନ ହେଉ ଥାଆନ୍ତେ !!! କିନ୍ତୁ ଛାଡ଼–ସେତେ ବଡ଼ ଭାଗ୍ୟ ତାଙ୍କର ନାହିଁ । ତେବେ ତୁ କଣ ସେଇ ସ୍ୱର୍ଗତ ଆତ୍ମାର ଅନୁରୋଧ ରଖିବୁନି ହର୍ଷ ! ମୋର ଅନୁରୋଧ ଏ ବୟସରେ ମତେ ତୁ ସାହାଯ୍ୟ କର । ମୁକ୍ତ କର...

 

କଥା ଛଳରେ ମନ୍ଦାକିନୀ ହର୍ଷବର୍ଦ୍ଧନ ଉଦ୍ଦେଶ୍ୟରେ ପ୍ରଶ୍ନ କଲେ ସେ ପ୍ରଶ୍ନର ଯଥାର୍ଥ ଉତ୍ତର ଦେବାକୁ ସହସା ଅକ୍ଷମ ହେଲେ ହର୍ଷବର୍ଦ୍ଧନ । ସେ କିୟତ୍‍ କ୍ଷଣ ମୌନ ବ୍ରତ ଅବଲମ୍ବନ କଲେ...

 

ମନ୍ଦାକିନୀ କିନ୍ତୁ ହର୍ଷବର୍ଦ୍ଧନଙ୍କର ଉତ୍ତରକୁ ଅପେକ୍ଷା କରି ନଥିଲେ । ସେ ଉଚ୍ଚ କଣ୍ଠରେ ଡାକ ଦେଲେ ଶ୍ଵେତା ! ଶ୍ଵେତା !

 

ଧିରେ, ଅତି ସନ୍ତର୍ପଣରେ ଗୃହ ଭିତରକୁ ପଶି ଆସି ଶ୍ଵେତା । କହିଲା, ମତେ ଡାକିଲ ମା !

 

ହଁ ହଁ, ତୁ ମୋ ପାଖକୁ ଆ–ମନ୍ଦାକିନୀ ଶ୍ୱେତପଦ୍ମାର ହସ୍ତକୁ ନେଇ ହର୍ଷବର୍ଦ୍ଧନ ହସ୍ତରେ ଛନ୍ଦିଦେଇ କହି ଉଠିଲେ–ହର୍ଷ ! ମନ୍ଦରଧର ବାବୁଙ୍କର ଆଉ ମୋର ବହୁ ଦିନର ସ୍ୱପ୍ନ ଆଜି ସଫଳ ହୋଇଛି । ଶ୍ୱେତପଦ୍ମା ଆଜି ତୋର...

 

ଶ୍ୱେତପଦ୍ମାର ଦୁଧ ଗୋଲାପ ମୁଖମଣ୍ଡଳ ରକ୍ତିମ ହୋଇ ଉଠିଲା ଚରମ ଲଜ୍ଜାରେ... ସେ ମଥା ଅବନତ କରିନେଲା ଧୀରେ ଧୀରେ...

☆☆☆

 

ଶେଷ ପ୍ରଶ୍ନ

 

ଆଜି ହିଁ ମୋତେ ଚାଲିଯିବାକୁ ହେବ ! କେଉଁଠାକୁ ଯିବି, କେଉଁଠି ରହିବି, କିମ୍ବା ଫେରିବି କି ନାହିଁ ଏ ସବୁ ବିଷୟରେ ଚିନ୍ତା–କରିବାକୁ ମୋର ଆଦୌ ସମୟ ନାହିଁ । ଦାର୍ଶନିକମାନେ ଏ ସବୁ ବିଷୟରେ ଚିନ୍ତା କରି ସ୍ଥିର କରିବେ ।

 

ବର୍ତ୍ତମାନ ମୋ ମନରେ କେବଳ ଦୁଃଖ–ଏଇ ଯେଉଁ ଆଶ୍ଚର୍ଯ୍ୟ–ସୁନ୍ଦର ଆକାଶ, ଏଇ ଯେଉଁ ବହୁରୂପୀ ପୃଥିବୀ ଏକୁ ଛାଡ଼ି କଣ ମୁଁ ସତରେ ଚାଲିଯିବି ?

 

କାଲି, ହଁ ଆଗାମୀ କାଲିର ନୂତନ ସୂର୍ଯ୍ୟ ଉଦୟନ ଉତ୍ସବ ଶେଷ ହେବା ପରେ ପରେ ପ୍ରକୃତି ହସିବ, ନାନାଜାତିର ଫୁଲ ଫୁଟି ସୌରଭ ବିତରଣ କରିବା, ପଶୁ ପକ୍ଷୀ, କୀଟ ପତଙ୍ଗମାନେ ନାଚିଉଠିବେ, ପବନ ବହିବ, ନିଦ୍ରା ତ୍ୟାଗକରି ପୃଥିବୀର ମାନବ କର୍ମ–ତତ୍ପର ହୋଇ ଉଠିବେ...କିନ୍ତୁ, ମୁଁ କିନ୍ତୁ ଏ ସବୁ ଦେଖିବାକୁ ନଥିବି । ଏଇ ସୂର୍ଯ୍ୟର ଉଦୟ ଉତ୍ସବ ସଙ୍ଘଟିତ ହେବାର ଅବ୍ୟବହିତ ପୂର୍ବରୁ ମୋ ଜୀବନର ସୂର୍ଯ୍ୟ ଚିରଦିନ ଲାଗି ଅସ୍ତମିତ ହୋଇଯିବ... !

 

ହୃଦୟର ସ୍ପନ୍ଦନ ବେଗବାନ ହୋଇଉଠୁଛି । ଚିନ୍ତାଧାରା ବିଭ୍ରାନ୍ତ ହୋଇ ଯାଉଛି । ଦୁଃଖ, ଅଭିମାନ, ଅସନ୍ତୋଷରେ ଅନ୍ତରଟା ହା–ହାକାର କରି ଉଠୁଛି, ସତେ ଯେମିତି ଏଇ ଆକାଶ, ଏଇ ପୃଥିବୀର ମାୟାରଜ୍ଜୁ ଛିନ୍ନ କରି ଚାଲିଯିବା ଲାଗି ମୋର ଆଦୌ ଇଚ୍ଛା ନାହିଁ । ମତୃଗର୍ଭରୁ ପତିତ ହେଲା ଦିନୁ ଏମାନଙ୍କ ସହ ମୋର ପରିଚୟ, ମୋର ବନ୍ଧୁତ୍ୱ, ଗଲାବେଳେ ସେ ସବୁର ମାୟା କାଟି ଯିବାକୁ ପଡ଼ୁଛି, ଦୁଃଖ ହେବ ନାହିଁ ?

 

ନାଁ, ମୋତେ ନିଶ୍ଚୟ ଯିବାକୁହିଁ ହେବ । ଆସିଥିଲି ଦିନେ, ଯିବା ତ ତେଣୁ ବିଧିନିର୍ଦ୍ଦିଷ୍ଟ...ତଥାପି ଅଗତ୍ୟା ଯିବାକୁ ପଢ଼ୁଛି ବୋଲି ଦୁଃଖ–ହେଲେ ବି ନିରୁପାୟ । କାରଣ ଏହାଛଡ଼ା ଯେ ମୋର ଆଉ କିଛି କରିବାର ନାହିଁ... ଉଚ୍ଚ ବିଚାରାଳୟ ଯେତେବେଳେ ଚୂଡ଼ାନ୍ତ ରାୟ ଦେଇ ଦେଇଛନ୍ତି....

 

ହେଇ,...ସେମାନେ ଆସିଗଲେଣି । ଏଇ କିଛି ସମୟ ପୂର୍ବରୁ ବନ୍ଦୀଶାଳର ଘଣ୍ଟାରେ ତିନି ବାଜିଥିଲା, ତା’ପରେ ସେମାନେ ସେଇ ଘଣ୍ଟା ଶବ୍ଦ ଶୁଣି ମୋତେ ବିଦାୟ ଦେବାକୁ ଆସିଗଲେଣି... ଆଉ କେଇ ମିନିଟ୍ ବା ?

 

ସେମାନେ ନିଜ ନିଜର ହାତ ଘଡ଼ିକୁ ଚାହୁଁଛନ୍ତି । ବୋଧେ ସମୟ ଅନେକ ଅଛି । ସେ ଚାରି ଜଣଯାକ ସେଠାରେ ଏକତ୍ରିତ ହୋଇ କ’ଣ ଗଳ୍ପ କରୁଛନ୍ତି । ହସୁଛନ୍ତି, ସିଗାରେଟ ଖାଇ ଧୂଆଁ ଛାଡ଼ୁଛନ୍ତି...ଆରେ ପୋଲିସ ଇନିସ୍‍ପେକ୍‍ଟର ବି ଆସିଛନ୍ତି ? ଆଉ ସେଇଟି କିଏ ? ସେଇ ଯେଉଁ କାଳିଆ ହୋଇ, ବାଙ୍ଗରା ହୋଇ ଲୋକଟି ? ଧଳା ପ୍ୟାଣ୍ଟ ଧଳା ହାୱାନି ପିନ୍ଧିଛନ୍ତି । ବେକରେ ଟେଥିସ୍କୋପ୍ ?

 

ଏଇ ସେମାନେ ପୁଣି ହସିଲେ । ଆଶର୍ଯ୍ୟ ! ସେମାନେ ହସି ପାରୁଛନ୍ତି ?

 

ଆଃ...ଇଚ୍ଛା ହେଉଛି ବାଘ ଭଳି ଝପଟି ଯାଇ ସେମାନଙ୍କୁ ଖତମ୍ କରିଦିଅନ୍ତି ।... ମୁଁ ତ ଯାଉଛି ସେମାନେ କାହିଁକି ରହିବେ ? ସେମାନେ କାହିଁକି ଏ ପୃଥିବୀକୁ ଦେଖିବେ ? ସେମାନେ କାହିଁକି ହସିବେ ?

 

ଆଃ..କେଡ଼େ ଶକ୍ତ ଏଇ ଲୌହ ଶୃଙ୍ଖଳା ! ତା ନ ହେଲେ ତମେ ପୁଣି ହସନ୍ତ ? ତମେ ପୁଣି ସତେ ପରିହାସ କରନ୍ତ ।

 

ଓଃ, ନା, କେହି ନୁହେଁ । ବିଭ୍ରମ ହେଉଛି । ମୃତ୍ୟୁ ପୂର୍ବରୁ କ’ଣ ଏଭଳି ବିଭ୍ରମ ହୁଏ ?

 

ହଁ, କ’ଣ କହୁଥିଲି ? ମୋ ମନର ଅସନ୍ତୋଷ କଥା ? ତମେ କ’ଣ ସତରେ ଶୁଣିବ ? ଏ ଖୁନୀ ଆସାମୀ ଜୀବନର ଇତିକଥା ? ତମ ବିଚାରାଳୟ ଯାହାକୁ ଦୋଷୀ ବୋଲି ସାବ୍ୟସ୍ତ କରିଛି ? ଆଉ ଯାହା ଲାଗି, ସେଠି ଦଉଡ଼ି ଦେବାର ଦୋଳି ଲଗା ହୋଇ ଝୁଲୁଛି ?

 

କଣ କହୁଛ ? ଧୈର୍ଯ୍ୟ ଧରିପାରିବ ? ମୋ କଥା ଶୁଣି ବିଚାର କରି ପାରିବ ?

 

–ଆରେ, ଭୟ କରୁଛ କି ? ମୁଁ କିନ୍ତୁ ଆଉ ବଞ୍ଚିବାକୁ ଚାହେଁନା, କାହିଁକି ବଞ୍ଚିବି ? କଣ ପାଇଁ ବଞ୍ଚିବି ??

 

ଆଃ...ଡେରି ହୋଇଯାଉଛି । ଭୀଷଣ ଡେରି ହୋଇ ଯାଉଛି । ତମେ ଧୈର୍ଯ୍ୟ ଧର । ହୃଦୟକୁ ପଥର କର; ମୋ କଥାର ବିଚାର ତମେ କଲେ ଲାଭ ନାହିଁ । ଏକ ଖୁଣୀ ଆସାମୀର କୈଫିଅତ ଶୁଣିଯାଅ...

 

ଆଉ ଶୁଣିଯାଅ ଏ ସଭ୍ୟ ସମାଜର ଅସଭ୍ୟତାର କାହାଣୀ... ମୋ ମୃତ୍ୟୁ ପରେ କେହି କାନ୍ଦିବାକୁ ନାହିଁ, ଆହା କରିବାକୁ ନାହିଁ, ତମେ ବି ନ କାନ୍ଦ, ତମେ ବି ଆହା ନ କୁହ, ତଥାପି ତମକୁ ମୁଁ କହିବି । ଶୁଣିବ ନାହିଁ ? ଶୁଣିବ ନାହିଁ ?? ଶୁଣିବ ନାହିଁ ???

 

୧୫ ଜୁନ୍ ୧୯୫୨

 

ଚିତ୍ରରେଖାକୁ ପତ୍ନୀ ରୂପେ ପାଇ ମୁଁ ବାସ୍ତବିକ୍ ଗର୍ବ ଅନୁଭବ କରୁଛି । ତାର ମୁନି–ମନ ଲୋଭା ରୂପ, ତାର ମରାଳ–ସୁଲଭ–ଚାଲି, ତାର କୋକିଳ–ସୁନ୍ଦର–କଣ୍ଠସ୍ୱର ଏବଂ ତାର ନଷ୍ଟ ବ୍ୟବହାର ମୋତେ ମୁଗ୍‍ଧ କରିଛି । କେବଳ ମୋତେ କାହିଁକି ଚିତ୍ରରେଖାର ବ୍ୟବହାର ଯେ ମୋର ପିତାମାତାଙ୍କୁ ସନ୍ତୁଷ୍ଟ କରିପାରିଛି, ଏଥିନେଇ ମୁଁ ବିଶେଷ ସନ୍ତୁଷ୍ଟ । ଦାମ୍ପତ୍ୟ ଜୀବନରେ ଏଭଳି ସୁଶ୍ରୀ, ଶିକ୍ଷିତା, ଗୁଣବତୀ ପତ୍ନୀ ପାଇବା ଏକ ସୌଭାଗ୍ୟର କଥା ।

 

ଚିତ୍ରରେଖା ସହ ପ୍ରଥମେ ଯେତେବେଳେ ମୋର ବିବାହ ପ୍ରସ୍ତାବ ଆସିଲା, ମୁଁ ବାପାଙ୍କୁ ରୋକ୍‍ଠୋକ୍ ମନା କରିଦେଇଥିଲି–ମୁଁ ସେଠାରେ କୌଣସି ମତେ ବିବାହ କରିପାରିବି ନାହିଁ । କାରଣ ପାଠୋଈ ଝିଅମାନେ ଯେ ଭାରି ଉଦ୍ଧତା । କିମିତି କେଜାଣି ମୋ ମନରେ ଧାରଣା ହୋଇଯାଇଥିଲା । ଆଜି କିନ୍ତୁ ସେ ଧାରଣା ମୋର ଭ୍ରମରେ ପରିଣତ ହୋଇଯାଇଛି । ବରଂ ମୁଁ ଆଶ୍ଚର୍ଯ୍ୟ ହେଉଛି–ଏତେ ପାଠ ପଢ଼ିବା ଭିତରେ ଚିତ୍ରରେଖା ଶାଶୁ ଶଶୁରର ସେବା କରିବା, ଭଲ ରୋଷାଇ କରିବାର ଗୁଣ କିମିତି ହାସଲ କଲା ?

 

ଆଜି ନିଶ୍ଚୟ ପଚାରିବି

 

୨୧ ଅଗଷ୍ଟ ୧୯୫୪

 

ଅତି ଅସମୟରେ ବାପାଙ୍କର କାଳ ହୋଇଗଲା । ବାପା ଯଦି ଆଉ ପାଞ୍ଚ ବର୍ଷ ବଞ୍ଚିଥାନ୍ତେ ନା...

 

ବାପାଙ୍କ ସୁଦ୍ଧିରେ ଅନେକ ପଇସା ଖର୍ଚ୍ଚ ହୋଇଗଲା । ସବୁଗୁଡ଼ାକ ମତେ କରଜ କରିବାକୁ ହିଁ ପଡ଼ିଲା । କାରଣ ବାପା ମୋ ଉପାର୍ଜନରୁ ଘର ଖର୍ଚ୍ଚ କରି ଯାହା ଅବଶିଷ୍ଟ ପାଣ୍ଠି କରିଥିଲେ, ମୋ ବିବାହରେ ସେତକ ସାରି ଆହୁରି ତିନିଶହ ଟଙ୍କା କରଜ କରି ଦେଇଥିଲେ । ସେ କଣ ଜାଣିଥିଲେ ଏତେ ଶୀଘ୍ର ମରିଯିବେ ?

 

ଘରେ ବିଶେଷ ଧାନ ନାହିଁ; ଯାହା ଅଛି, ଦୁଇଟି ମାସ କୌଣସି ମତେ ଯିବ । ତା’ପରେ ଧାନ କିଣା, କରଜ ଶୁଝା, ପରିବାରର ଖର୍ଚ୍ଚ...କେତେ ପାଇବି ଯେ ଏସବୁ ସମସ୍ୟାର ସମାଧାନ ହୋଇଯିବ ?

 

ଚିତ୍ରା କହୁଥିଲା–ସେ ଚାକିରି କରିବ, ମାଟ୍ରିକ ଯେତେବେଳେ ପାଶ କରିଛି, ଅନ୍ତତଃ ମାଇନର ସ୍କୁଲର ମାଷ୍ଟ୍ରାଣୀ ତ ହୋଇପାରିବ ?

 

ବୋଉ କିନ୍ତୁ ପସନ୍ଦ କରୁନି । ମୁଁ ବା କିମିତି ପସନ୍ଦ କରିବି ? ଦେଖାଯାଉ ଅସୁବିଧା ହେଲେ ଏମାନଙ୍କୁ କଟକ ନେଇଯିବି । କରଜ ଶୁଝି ପାରିଲେ ଜମି କେଇଗୁଣ୍ଠ ଛଡ଼ାଇଦେବି ।

 

୨୧ ଡିସେମ୍ବର, ୧୯୫୪

 

ବୋଉ ଦେହ ଭୀଷଣ ଖରାପ । କି ଦୁର୍ଯୋଗ ! ଗତ ଦୁଇଦିନ ଧରି ସେ ଆଖି ଫିଟାଇ ଚାହିଁନି । ପାଖରେ ପଇସା କାହିଁ ଯେ, ଔଷଧ କିଣିବି ? ପହିଲା ହେବାକୁ ଆହୁରି ଦଶ ଦିନ ବାକି

 

ବନ୍ଧୁ ସୁଧାମୟକୁ କିଛି ଟଙ୍କା ମାଗିଛି । କହିଛି ତ ଆସନ୍ତା କାଲି ଦେବ ବୋଲି ! କଣ କରୁଛି ଦେଖାଯାଉ.....

 

୩ ଫେବୃଆରୀ ୧୯୫୫

 

ସୁଧାମୟକୁ ଚିତ୍ରାରେଖା ଲୁଚୁଛି କିଆଁ ? ଏତେ ପାଠପଢ଼ି ‘ସୁଦ୍ଧା ଚିତ୍ରାର ମଫସଲି ଝିଅ ସ୍ୱଭାବ ବଦଳିଲା ନାହିଁ ? ଛିଃ ଛିଃ କି ଲଜ୍ୟାର କଥା ! କଣ ଭାବିଥିବ ସୁଧାମୟ ! ଆଉ ଚିତ୍ରା ଚାକିରି କରିବ ବୋଲି କଣ କହୁଥିଲା ? ସେ ତ ଏ ପର୍ଯ୍ୟନ୍ତ ତାର ସେଇ ଗ୍ରାମ୍ୟ ସଂସ୍କୃତିକୁ ପରିତ୍ୟାଗ କରି ପାରିଲା ନାହିଁ....

 

୧ ମାର୍ଚ୍ଚ ୧୯୫୫

 

ବାସ୍ତବିକ ସୁଧାମୟ ଯଦି ମୋତେ ସାହାଯ୍ୟ କରି ନ ଥାନ୍ତା, ମାଆଙ୍କ ଶୁଦ୍ଧିକ୍ରିୟା ମୁଁ କରି ପାରି ନ ଥାନ୍ତି । କେଉଁଠୁ ପାଇସା ଆଣିଥାଆନ୍ତି ? ବାପାଙ୍କ ଶୁଦ୍ଧିକୁ ଆଣିଥିବା କରଜ ଟଙ୍କାର ସୁଧ ବଢ଼ୁଛି...ପୁଣି କିଏ ଦେଇଥାଆନ୍ତା ମୋତେ ଟଙ୍କା !

 

ସୁଧାମୟର ଋଣ ମୁଁ ପରିଶୋଧ କରିପାରିବି ନାହିଁ ।

 

୪ ଅପ୍ରେଲ ୧୯୫୫

 

ଚିନ୍ତାର ଅଭିଯୋଗଟା ଶୁଣି ମୁଁ ଅବାକ୍ ହୋଇଗଲି । କି ଯେ ସନ୍ଦେହୀ ମନ ତାର ! ସୁଧାମୟ ଭଳି ବନ୍ଧୁଙ୍କୁ ଯେ ସେ ସନ୍ଦେହ କରିବ, ଏ କଥା ମୁଁ ଆଦୌ କଳ୍ପନା କରି ନ ଥିଲି । ଚିତ୍ରା ଏତେ ସଂକୀର୍ଣ୍ଣମନା ! ଗୁଡ଼ାଏ ପାଠ ପଢ଼ିଥିଲେ ବି ତାର ସେଇ ଯେଉଁ ନାରୀସୁଲଭ ସନ୍ଦେହୀ ମନ...ଏ ବି ଗଲା ନାହିଁ ! ଛିଃ ଛିଃ...

 

ଚିତ୍ରା ଆଜି ଅଭିଯୋଗ କରିଥିଲା–ସୁଧାମୟ ବନ୍ଧୁ ହେଲେ ମଧ୍ୟ ତାକୁ ଏତେଟା ପ୍ରଶ୍ରୟ ଦେବା ଉଚିତ ନୁହେଁ ।

 

ଚିତ୍ରାକୁ ବୁଝାଇ ଦେଇଛି–ସୁଧାମୟର ସ୍ତ୍ରୀ କୌଣସି ଗୁଣରେ ତାଠାରୁ ହୀନା ନୁହେଁ । ତା’ ଛଡ଼ା ସୁଧାମୟ ବଡ଼ଲୋକ । ଅନ୍ତତଃ ଏତେ ତଳକୁ ଆସିବାର ତାର ଲୋଭ ନାହିଁ । ଆମର ଭାଗ୍ୟ ତା’ ଭଳି ବନ୍ଧୁଟିଏ ପାଇଛୁ । ତମେ ତାକୁ ଅବିଶ୍ଵାସ କଲେ ଅନ୍ୟାୟ ହେବ ।

 

୧୯ ନଭେମ୍ବର ୧୯୫୫

 

ସୁଧାମୟର ସ୍ତ୍ରୀ ମେଘମାଳା ଆସିଥିଲା । ମେଘମାଳା କୋଳରେ ଆଠମାସର ଶିଶୁ ‘ଟୁଟୁ’ କେଡ଼େ ସୁନ୍ଦର ଦିଶୁଥିଲା । ସତେ ସେଇ ଟୁଟୁ ଭଳି ଛୁଆଟିଏ ଚିତ୍ରାର ନାହିଁ । ବିବାହର ଚାରି ବର୍ଷ ପରେ ବି ତାର ଶୂନ୍ୟ କୋଳ ପୂର୍ଣ୍ଣ ହେଲା ନାହିଁ । ଭୀଷଣ ଦୁଃଖ କରୁଛି ଚିତ୍ରା, ନା ! ତେବେ କର୍ମଫଳ ଆମର, ଆମେ ଭୋଗିବା ନି ତ ଆଉ ଭୋଗିବ କିଏ ?

 

୫ ମାର୍ଚ୍ଚ ୧୯୫୬

 

ଆଜି ସୁଧାମୟ ମନ କଷ୍ଟ କରିଥିବ । ଅତି ଆଗ୍ରହରେ ଗାଡ଼ି ଘେନି ଆସିଥିଲା । କପିଳାସରେ ଟୁଟୁର ଜାଆଁବାଳ ପଡ଼ିବ । ମତେ ଏବଂ ଚିତ୍ରାକୁ ନେବାକୁ ତାର ଜିଦ୍ ଥିଲା...

 

କିମିତି ଯାଇଥାଆନ୍ତି ? ମାର୍ଚ୍ଚ ମାସ ସମୟ । କାର୍ଯ୍ୟବ୍ୟସ୍ତ ମୁଁ । ଅତି ବାଧ୍ୟ କରିବାରୁ ଚିତ୍ରାକୁ ମନା ଅବଶ୍ୟ କରୁଥିଲା ।–ବନ୍ଧୁଙ୍କ ସେଥିରେ ଗଲେ କ୍ଷତି କଣ ?

 

୧ ଜାନୁଆରୀ ୧୯୫୭

 

ବାସ୍ତବିକ ସୁଧାମୟ ମୋର ଉପଯୁକ୍ତ ବନ୍ଧୁ, ବିପଦ, ଆପଦରେ ବନ୍ଧୁ ଯଦି ବନ୍ଧୁକୁ ସାହାଯ୍ୟ ନ କରେ, ସେ କଣ କେବେ ବନ୍ଧୁ ହୋଇ ପାରେ ?

 

ଗତ ଆଠଦିନ ଧରି ମୋତେ ଟାଇଫଏଡ଼ ହୋଇଥିଲା । ଏଇ ଆଠ ଦିନ ଭିତରେ ସୁଧାମୟ ତାର କଂଟ୍ରାକ୍ଟରୀ ବ୍ୟବସାୟକୁ ମାନ୍ଦା କରି ମୋ ପିଛାରେ ଲାଗିଛି । ଚିତ୍ରା କହୁଥିଲା–ମୁଁ ଯେଉଁଦିନ ସଂଜ୍ଞାହୀନ ହୋଇପଡ଼ିଲି, ସେ ଦିନ ରାତିରେ ଡାକ୍ତର ଡାକିବା, ଉଜାଗର ରହି ଔଷଧ ଦେବା, ମତେ ଜଗି ବସି ନାଡ଼ି ପରୀକ୍ଷା କରିବାରେ ସେ ରାତି ବିତାଇ ଦେଇଛି ।

 

ସୁଧାମୟ ଯଦି ନ ଥାନ୍ତା ମୁଁ କଣ ବଞ୍ଚି ପାରିଥାଆନ୍ତି ?

 

୨୩ ଅଗଷ୍ଟ ୧୯୫୭

 

ଯା’ ହଉ ଅନେକ ଦିନ ପଡ଼ିବା ପରେ ଗ୍ରେଡ଼ ୱାନକୁ ମୋର ପ୍ରମୋସନ୍‍ ହେଲା । ସୁଧାମୟ ଯଦି ମନ୍ତ୍ରୀକୁ କହି ନଥାନ୍ତା, ହୁଏତ ପ୍ରମୋସନଟା ମୋର ହୋଇ ପାରି ନ ଥାନ୍ତା...

 

୨୫ ସେପ୍ଟେମ୍ବର ୧୯୫୭

 

ସୁଧାମୟ ସ୍ତ୍ରୀ ମେଘମାଳା’କୁ ଟି:ବି: ହୋଇଛି । ସୁଧାମୟ ଭଳି ଦେବୋପମ ଲୋକର ସ୍ତ୍ରୀକୁ ଟି:ବି: ହେଲା କାହିଁକି ? ଭଗବାନ, ମେଘମାଳା ଶୀଘ୍ର ଆରୋଗ୍ୟ ହୋଇଯାଉ !

 

ଚିତ୍ରା କହୁଥିଲା, ସେ ଯଦି ନ ଥାଆନ୍ତା, ସୁଧାମୟ ମାନସିକ ଦୁଶ୍ଚିନ୍ତାରେ ପାଗଳ ହୋଇ ଯାଆନ୍ତାଣି । ବାସ୍ତବିକ୍ ସୁଧାମୟ ତା ସ୍ତ୍ରୀକୁ ଯେତେ ସ୍ନେହ କରେ ନା, ସ୍ତ୍ରୀର ଏ ଅବସ୍ଥାରେ ସେ ଧୈର୍ଯ୍ୟ ଧରିବ କିମିତି ?

 

ସୁଧାମୟର ବସାରୁ ଚାଲିଆସିବାକୁ ଚିତ୍ରା କହୁଥିଲା । ମନାକଲି । ବିପଦବେଳେ ସେ ଆମକୁ ସାହାଯ୍ୟ କରିଛି, ତାର ବିପଦ ବେଳେ ଆମେ ଛାଡ଼ି ଆସିବା ଅନ୍ୟାୟ ହେବା । ଅବଶ୍ୟ ସୁଧାମୟ ପରିବାରର ଏତେ ଚାକର ଯେ, କିଛି କାମ କରିବାକୁ ଚିତ୍ରାକୁ ପଡ଼ିବ ନାହିଁ । କେବଳ ସୁଧାମୟ ମା’ର ସେବା, ଶୁଶ୍ରୂଷା କରିବାର ଦାୟିତ୍ଵ...ଆମକୁ ଯେ ଦୁଃଖରୁ ବଞ୍ଚାଇଛି, ତା ଲାଗି ଆମେ ଏତିକି ସ୍ଵାର୍ଥ ତ୍ୟାଗ କରି ପାରିବୁ ନାହିଁ ?

 

ଚିତ୍ରା ବରଂ ଆଉ କିଛି ଦିନ ତାଙ୍କ ବସାରେ ରହୁ । ମୁଁ ହୋଟେଲରେ ଖାଇନେବି ।

 

୨୫ ଅକ୍ଟୋବର ୧୯୫୭

 

ଚିତ୍ରା କ’ଣ ଆଜି ସୁଧାମୟ ଘରେ ରହିଗଲା ? କାଇଁ, ରାତି ତ ବାରଟା ହୋଇଗଲା...ଚିତ୍ରା କାହିଁ ।

 

ମୁଁ ଜାଣେ, ସୁଧାମୟ ଘରକୁ ଗଲେ ତା’ର ମାଆ ନିଶ୍ଚୟ ଅଟକାଇ ଦେବ । ସେଇଥିଲାଗି ମନା କରୁଥିଲି ଏ ପାର୍ବଣରେ ଚିତ୍ରା ତମେ ଯାଅ ନା । ସୁଧାମୟ ମା’ କୌଣସି ମତେ ଛାଡିବେ ନାହିଁ...ମୋ କଥା ନ ମାନି ଚିତ୍ରା ଗଲା....ନିଶ୍ଚୟ ଫେରିବ ବୋଲି କହିଗଲେ ମଧ୍ୟ ଫେରିଲା ନାହିଁ । ଏ ପୂଜା–ପାର୍ବଣରେ ଚିତ୍ରା ତାଙ୍କ ଘରେ ରହିଯିବାକୁ ପସନ୍ଦ କଲା ?

 

୪ ଡିସେମ୍ବର ୧୯୫୭

 

ଚିତ୍ରାକୁ ଏତେ ଗହଣା, ଏତେ ରଙ୍ଗ ବେରଙ୍ଗରେ ଶାଢ଼ି କାହିଁକି ଦେଲା ସୁଧାମୟ ? ଆଉ ଚିତ୍ରା କିମିତି ତାକୁ ଗ୍ରହଣ ବି କରିନେଲା ?

 

ପଚାରିଲେ ଚିତ୍ରା କହୁଛି–ବାଧ୍ୟ କରି ଦେଲେ......

 

ସୁଧାମୟ ଅବଶ୍ୟ ବାଧ୍ୟ କରିଥିବ, କାରଣ ବାଧ୍ୟ କରି ଦେବା ସୁଧାମୟର ଧର୍ମ; ୟା ବୋଲି ଚିତ୍ରା ବିନା ପ୍ରତିବାଦରେ ଗ୍ରହଣ କରିଯିବା ଉଚିତ ହୋଇନି ।

 

୮ ଡିସେମ୍ବର ୧୯୫୭

 

ସୁଧାମୟ ସହ ସିନେମା ଯିବାକୁ ଚିତ୍ରାକୁ ଅନୁମତି କିଏ ଦେଲା ? ସୁଧାମୟ ଆମର ବନ୍ଧୁ ହୋଇପାରେ, ହେଲେ ନିଜ ସ୍ୱାମୀର ଅନୁମତି ନ ନେଇ ବନ୍ଧୁ ସହ ସିନେମା ଯିବାକୁ ଚିତ୍ରା ସାହସ ମଧ୍ୟ କରିପାରିଲା ? ଆଶ୍ଚର୍ଯ୍ୟ–ଆଜି ଆସୁ ଚିତ୍ରା....

 

୧୨ ଡିସେମ୍ବର ୧୯୫୭

 

ସୁଧାମୟ ଅଭିମାନ କରିଛି । ଆମ ଘରକୁ ଆଉ ଆସୁନି–ନ ଆସୁ, ୟା ବୋଲି ମୁଁ ମୋ ସ୍ତ୍ରୀକୁ ଆକଟ ବି କରିବି ନାହିଁ ?

 

୧୫ ଡିସେମ୍ବର ୧୯୫୭

 

ସୁଧାମୟ ଆସିଥିଲା, ଅଥଚ ମୁଁ ଫେରିବା ପର୍ଯ୍ୟନ୍ତ ସେ ଅପେକ୍ଷା କରିପାରିଲା ନାହିଁ ? କାହିଁକି ? କାହିଁକି ଆସିଥିଲା ତା’ହେଲେ ସୁଧାମୟ ? ମୋ ଠାରେ ତାର ତେବେ କାମ କିଛି ନ ଥିଲା, ଆଉ ସବୁ କାମ ତାର କେବଳ ଚିତ୍ରା ପାଖରେ ?

 

ପରିଷ୍କାର କହି ଦେଇଛି–ଦେଖ ଚିତ୍ରା, ଭବିଷ୍ୟତରେ ସୁଧାମୟ ଯେପରି ଏ ବସା ନ ମାଡ଼େ–

 

ଚିତ୍ରା କାନ୍ଦୁଛି–କାନ୍ଦୁ !

 

୨୨ ଜାନୁୟାରୀ ୧୯୫୮

 

ଚିତ୍ରାକୁ ମାଡ଼ ଦେବା ଏଇ ମୋର ପ୍ରଥମ । ମାରିବି ନାହିଁ ? ସ୍ତ୍ରୀ ଯଦି ସ୍ୱାମୀ କଥା ନ ମାନିବ, ସ୍ୱାମୀର ମନକଥା ନ ବୁଝିବ, ସେ ଭଳି ସ୍ତ୍ରୀ ବଞ୍ଚିରହିବ ବା କାହିଁକି ?

 

ମୋତେ ନ ପଚାରି ସୁଧାମୟର ବସାକୁ ଯାଇଥିଲା ଚିତ୍ରା । ପଚାରିବାରୁ ଯୁକ୍ତି କଲା– ବନ୍ଧୁଙ୍କ ଘରକୁ ଗଲେ କ୍ଷତି କଣ ? ତମେ ପୁଣି କହୁଥିଲ....

 

ଇଚ୍ଛା ହେଉଥିଲା ଏବାର ତାକୁ ଶେଷ କରିଦେବି ! ଖାଲି ବନମାଳୀର ସ୍ତ୍ରୀ ହେମନ୍ତ ଆସିଗଲା...

 

କହିଦେଇଛି–ଆଉ ଯଦି କେବେ ଏଭଳି ସାହସ କରେ–ଜୀବନଟାକୁ ପାଣିଛଡ଼ାଇ ଦେବ....

 

ଏଇ ସେ ଘରେ ଚଟାଣରେ ମୁହଁ ମାଡ଼ି ଶୋଇ କାନ୍ଦୁଛି ଚିତ୍ରା...ଓଃ...ନ ମରି ପୁଣି କାନ୍ଦୁଛି ରାକ୍ଷସୀ !

 

୧୦ ମାର୍ଚ୍ଚ ୧୯୫୮

 

ସୁଧାମୟ ତଥାପି ଏ ବସାକୁ ଆସୁଛି ! ଅଥଚ ଚିତ୍ରା କହୁଛି–ସୁଧାମୟ ଗତ ଦୁଇ ମାସ ଧରି ଏ ବସାକୁ ଆଉ ଆସୁନି ! ପଡ଼ୋଶୀ ରମାକାନ୍ତ କଣ ମିଛ କହୁଛି ? ନା–ଚିତ୍ରା ?

 

୧୨ ମାର୍ଚ୍ଚ ୧୯୫୮

 

ବାସ୍ତବିକ୍ ଏ ନାରୀ ଜାତିକୁ ଆଉ ବିଶ୍ୱାସ କରିହେବ ନାହିଁ । ସମସ୍ତେ କହୁଛନ୍ତି ସୁଧାମୟ ଆମ ବସାକୁ ଆସୁଛି । ଅଥଚ ମୋ ମୁଣ୍ଡ ଛୁଇଁ ଚିତ୍ରା କହୁଛି, ସୁଧାମୟ ଗତ ଦୁଇ ମାସ ଧରି ଆସୁନି ! କଣ କଥା ? ମାର୍ଚ୍ଚ ମାସ ହୋଇ ନ ଥିଲେ ମୁଁ ନିଜେ କଥାର ପ୍ରମାଣ ନିଅନ୍ତି । ଆଚ୍ଛା, ଯାଉ ଆଉ କିଛି ଦିନ...

 

୧୫ ମାର୍ଚ୍ଚ ୧୯୫୮

 

ନା, ଆଉ ହେବ ନାହିଁ...

 

ମାନସିକ ଅଶାନ୍ତି ଦିନୁଦିନ ପ୍ରଖର ହେଲା । କଣ କରିବି ? ଭଗବାନ ! ଏ ଅସନ୍ତୋଷ କବଳରୁ ମୁକ୍ତି ପାଇବାକୁ କଣ ଆତ୍ମହତ୍ୟା କରିବି ?

 

ପାପିନୀ ଚିନ୍ତାକୁ ନିଃଶେଷ କରିଦେବି ?

 

ସୁଧାମୟ ଭଳି ଲମ୍ପଟକୁ ଶେଷ କରି ଦେବି ?

 

ଡାଏରୀଟା ପଢ଼ିସାରି ଜେଲର ହାତକୁ ବଢ଼ାଇ ଦେଲେ ଡାକ୍ତର ସୁବ୍ରତ ଚୌଧୁରୀ...ତା’ପରେ ସିଗାରେଟରେ ଅଗ୍ନି ସଂଯୋଗ କରି କହିଲେ–ତା’ପରେ କଣ ହେଲା, କୁହନ୍ତୁ ତ ମିଃ ମହାପାତ୍ର !

 

ମିଃ ମହାପାତ୍ର ଟିକେ ହାତ ଘଡ଼ିକୁ ଚାହିଁଲେ । ଟିକେ କଣ୍ଠ ପରିଷ୍କାର କରି ନେଇ କହିଲେ–ଏହା ପରେ ଆସାମୀର ମାନସିକ ଅଶାନ୍ତି ବୃଦ୍ଧି ପାଇଛି ନିଶ୍ଚୟ । ଏପରି କି ଡାଏରୀ ଲେଖାର ଧୈର୍ଯ୍ୟ, ମଧ୍ୟ ସେ ହରାଇ ବସିଛି, ନା, କଣ କହୁଛନ୍ତି ?

 

ଡାକ୍ତର ଚୌଧୁରୀ ସିଗାରେଟରେ ଆଉ ବାରେ ଚୁମ୍ବନ ଦେଲେ–

 

ନାଃ, ମହାପାତ୍ର କହିଲେ–କୋଡ଼ିଏ ମାର୍ଚ୍ଚରେ ଏ ଦୁର୍ଘଟଣା ଘଟିଲା । ଆସାମୀ ଅଫିସରୁ ଅକସ୍ମାତ ଦିନ ଦୁଇଟାରେ ଫେରିଆସି ଦେଖେ ତ ସୁଧାମୟ କୋଳରେ ଶୋଇ ରହିଛି ତାର ସ୍ତ୍ରୀ......

 

–ଏଁ–ନିଜ ଆଖି ଆଗରେ ସେଇ ବୀଭତ୍ସ ଦୃଶ୍ୟଟା ଦେଖିଲା ଭଳି ଚମକିଉଠିଲେ ଡାକ୍ତର ଚୌଧୁରୀ......

 

–ସଚେତନ ହେଲେ ଜେଲର ମିଃ ମହାପାତ୍ର...ସମୟ ତା’ହେଲେ ହୋଇଗଲାଣି ?

 

ଡାକ୍ତର ଚୌଧୁରୀ ହାତଘଡ଼ିକୁ ଲକ୍ଷ୍ୟ କଲେ, ଚାରିଟା ବାଜିବାକୁ ପାଞ୍ଚମିନିଟ୍ ବାକି.......

 

–ଏଁ କଣ କହିଲେ ? ଭଗବାନଙ୍କ ନାମ ନେବି ? ହୁଁ, ଭଗବାନ କଣ ଅଛନ୍ତି ବୋଲି ଆପଣ ବିଶ୍ୱାସ କରନ୍ତି ? ସେ ଯଦି ଥାଆନ୍ତେ, ଏତେ ଅନ୍ୟାୟ ଅତ୍ୟାଚାର, ବିଶ୍ୱାସଘାତକତା, ବ୍ୟଭିଚାର ସହ୍ୟ କରି ପାରିଥାଆନ୍ତେ ?

 

ଓଃ...ପାଟି କରନି କହୁଛି, କହୁଛିପରା ସେ ଗୀତା, ରାମାୟଣ, ଭାଗବତ ଆଉ ପଢ଼ନି, ସେ ସବୁ ଶୁଣିବା ମାତ୍ରେ ମୋ ଦେହରେ ଯନ୍ତ୍ରଣା ପ୍ରଖର ହେଉଛି, ଅସନ୍ତୋଷର ବହ୍ନି ଏ ଦେହରେ ଜଳିଉଠୁଛି...ଆଃ... ବନ୍ଦକର... ବନ୍ଦକର... କହୁଛି...ବରଂ ମତେ ଶ୍ରୀଘ୍ର ମୁକ୍ତ କରିଦେବାର ବ୍ୟବସ୍ଥା କଲେ...

 

–କଣ କହିଲେ ? ମୁଁ କଣ ଚାହେଁ ? ହାଃ–ହାଃ–ହାଃ–ଭାବୁଛ କି ମୁଁ ବଞ୍ଚିବାକୁ ଚାହେଁ ? ଇସ, ତମେ ଏତେ ପାଗଳ ! ଏତେ ଉନ୍ମାଦ । ନା, ନା, ମୁଁ ଆଦୌ ବଞ୍ଚିବାକୁ ଚାହେଁନା, ମତେ ବଂର ଶୀଘ୍ର ମୁକ୍ତି ଦିଅନ୍ତୁ, ଏ ଅଭିଶପ୍ତ ସମାଜରୁ । ଯେତେ ଶୀଘ୍ର ମୁଁ ମୁକ୍ତି ପାଇଯିବି, ସେତେ ଭଲ...ଆରେ...ପୁଣି କହିଁକି ଅଟକି ଗଲେ ? ପୁଣି କାହାକୁ ଅପେକ୍ଷା ? ଡାକ୍ତର ବାବୁଙ୍କୁ ? ଜେଲର ସାହେବଙ୍କୁ ? ...ଏଇ ତ, ସେମାନେ ଆସିଗଲେ, ପୁଣି କଣ ? ପୁଣି କାହାକୁ ଅପେକ୍ଷା ?

 

–ନା, ଏଥର ପ୍ରସ୍ତୁତ...

 

ବିଚାରପତି ରାୟ ନକଲ ବାହାର କଲେ–

 

–ତମେ ଅନାଦି ପଟ୍ଟନାୟକ ତମ ସ୍ତ୍ରୀ ଏବଂ ବନ୍ଧୁଙ୍କୁ ଅମାନୁଷିକ ଭାବେ ହତ୍ୟା କରିଥିବାରୁ ୩୦୨ ଦଫାରେ ତମ ବିରୁଦ୍ଧରେ ମକଦ୍ଦମା ରୁଜୁ କରାଯାଇଥିଲା; ତଳ ବିଚାରାଳୟ ଏ ମକଦ୍ଦମା ବିଚାର କରି ତୁମକୁ ପ୍ରାଣଦଣ୍ଡାଦେଶ ଦେଇଥିଲେ; ତମେ ଉଚ୍ଚ ବିଚାରାଳୟରେ ଏହାର ପ୍ରତିବାଦ କରିଥିଲ । ଉଚ୍ଚ ବିଚାରାଳୟର ମାନ୍ୟବର ବିଚାରପତି ତା୨୦/୧୨/୬୧ ରିଖ ନିର୍ଦ୍ଦେଶନାମାରେ ତଳ ବିଚାରାଳୟର ଆଦେଶକୁ କାଏମ ରଖିବାକୁ ହୁକୁମ୍ ଦେଇଛନ୍ତି.....

 

–ଓଃ.. ଥାଉ, ସେତିକି ଥାଉ, ସେ କାହାଣୀର ପୁନରାବୃତ୍ତି କାହିଁକି ? ଆଉ କାହିଁ–କି-??

☆☆☆

 

ରଥ ଚକ୍ର

 

କଲେଜ ଗଲାବେଳେ, ଫେରିଲାବେଳେ, ସହର ପରିଭ୍ରମଣ କଲାବେଳେ, ନତୁବା ନଈ କୂଳରେ ହାୱା ଖାଇଲାବେଳେ–ସେ ସତୃଷ୍ଣ ଆଖି ଯୋଡ଼ିକ ଖୋଜେ ଦୁଇଟି ଭସାଣିଆ ଆଖି ପତାର ଚଳନ...ବିମ୍ବୋଷ୍ଠର ଆହ୍ଵାନ...ମୋହଘନ ମୁଖମଣ୍ଡଳ...ଆଉ ତା’ବକ୍ଷରେ ଥିବା ଅୟୁତ ଯୁଗର ରୋମାନ୍‍ସ...

 

ପଛରେ କିମ୍ବା ଆଗରେ ରିକ୍‍ସା ଘଣ୍ଟିର ଠନ୍ ଠନ୍ ଆୱାଜ ମତେ ସଚେତନ କରେ, ସଛତ୍ରୀ ରିକ୍‍ସା ଭିତରକୁ ଚାହେଁ–କେତେବେଳେ ଅମାନିଆ ଅଭ୍ୟସ୍ତ ଆଖି ଯୋଡ଼ିକ ରିକ୍‍ସା ଭିତରୁ ଫେରି ଆସେ ନିରାଶାରେ...କେତେବେଳେ ଆନନ୍ଦିତ ହୋଇ ପଡ଼େ–ସତର୍କ ହୋଇ ଉଠେ ମୋର କର୍ଣ୍ଣ ଦୁଇଟି–ଶୁଣିବାକୁ ଭଲପାଏ ଛଳ ଛଳ ନୟନା ଲବଙ୍ଗଲତାଙ୍କର କଳ କଳ ହସର ଝରଣା...ମନ ଆନମନା ହୁଏ–ଅଯଥା ଭାବ ପ୍ରବଣ ହୋଇ ଉଠେ ମୁଁ...ସେଇ ଷୋଡ଼ଶୀ ଲବଙ୍ଗଲତାଙ୍କର ପଣତକାନି ଘୋଡ଼ି ହେବାକୁ ମନ ଉନ୍ମାଦ–ଅଧୀର ହୁଏ–ଅସଂଖ୍ୟ ବିନିଦ୍ର ରଜନୀ ଖୋଲା ଆଖିରେ ଅତିବାହିତ କରି କଳ୍ପନା କରେ–ମୋ ବାହୁ ବଲ୍ଲରୀର ଆବେଷ୍ଟନି ଭିତରେ ଛନ୍ଦି ଧରେ... ତା’ପରେ ନିରାଶ...ଖାଲି ଦୀର୍ଘଶ୍ୱାସ...

 

ଏ ସବୁ ମୋର ଉଦ୍ଦାମ ଯୌବନ ସମୟର ଦୁର୍ବଳତା, ଏ ସବୁ ମୋର ଚପଳ ଯୌବନର ଚପଳତା । ଭାବିଲେ ମନ କ୍ଷୁବ୍‍ଧ ହୁଏ–ବିସ୍ମିତ ହୁଏ–ଲଜ୍ଜା ବି ବୋଧକରେ ।

 

ଏ ବଦଭ୍ୟାସ ମୋର ବହୁ ଦିନର–ସେଇ କଲେଜ ଜୀବନର । ତା’ ପୂର୍ବ ଘଟଣାବଳୀ ଈଷତ୍ ସ୍ମୃତିପଟରେ ଝଲସି ଉଠେ–ଏତେ ଭାବପ୍ରବଣ ମୁଁ ନଥିଲି । କିନ୍ତୁ ହାୟ–ଏ ଉଦ୍ଦାମ ଯୌବନ…

 

ସେଇ ଦୁର୍ଦ୍ଧର୍ଷ ଯୌବନର କଥା–ସେଇ ଦୁର୍ବଳ ମୁହୂର୍ତ୍ତର କଥା–ନିହାତି ଅସୁନ୍ଦରୀ ମର୍କଟିବି ମୋର ଏ ତୃଷ୍ଣାଯୁକ୍ତ ଆଖିରେ ଭେଳିକି ଲଗାଏ–ଅନିନ୍ଦ୍ୟ ସୁନ୍ଦରୀ ହୋଇ ଉଠେ–ଏବେ ସବୁ ଭାବିଲେ ହସ ମାଡ଼େ…ପଦଟିଏ ସେ ସ୍ମୃତିରେ ଛନ୍ଦେ…‘‘ପରଶେ ଯୌବନ…ମଳୟପବନ, ମର୍କଟି ଦିଶଇ ଆହାକି ଲାବଣ୍ୟ” !! ଏ ପଦ୍ୟଟିକୁ ନିଜେ ରଚେ, ନିଜେ ଗାଏ, ପୁଣି ହସେ, ଭାବେ–ଦୁର୍ଦ୍ଧର୍ଷ ଯୌବନ ଏଡ଼ିକି ଦାରୁଣ !! ସେଇ ନିର୍ବୋଧ ଯୌବନର କଥା

 

ସେତେବେଳେ ମନର ପକ୍ଷୀରାଜ ଘୋଡ଼ା ଉପରେ ବସି ଆକାଶରେ କେଉଁ ଏକ ଅଜଣା ଦେଶକୁ ଅଭିସାର କରେ…ମନର ବଳ ନେଇ ସାତ ସମୁଦ୍ର, ତେର ନଈକୁ ଏକ ନିଶ୍ଵାସରେ ଡେଇଁପଡ଼ିବାକୁ ସାହସ ବାନ୍ଧେ । ସବୁକିଛି ଅସାଧ୍ୟ କାମ ସାଧନ କରିବାକୁ ମନର ଦୃଢ଼ତା ବଢ଼ିଯାଏ-। ନ ହେବ ବା କାହିଁକି–

 

କଲେଜରେ ପଢ଼ିଲା ବେଳେ–

 

ବଡ଼ ବଡ଼ ମନୀଷୀମାନଙ୍କ ଜୀବନୀ ପଢ଼ି ବହୁ ସାଥି ମୋର ବଡ଼ଲୋକ ହେବାକୁ ଆଶା କରିଛନ୍ତି ! ବହୁ ଲେଖକ ମଧ୍ୟ ସାଜିଛନ୍ତି । କିନ୍ତୁ ଆଜି !! ଘଟଣା ଚକ୍ରରେ ପଡ଼ି ତାଙ୍କର ସେହି ବିରାଟ କଳ୍ପନାର କୋଣାର୍କ ଧୂଳିସାତ୍ ହୋଇଛି–ମନୀଷୀ ପରିବର୍ତ୍ତେ ଏ ଦେଶରେ କିଏ ଟାଉଟର ସାଜିଛି–କିଏ କିରାଣୀ ହୋଇ କିଳାପୋତା ବେଉସା କରିଛି–କେହି ବଡ଼ ବଡ଼ କଥା କହି ଶିଖିଛି–ଆଉ କେହି କେହି (ଖୁବ୍‍ କ୍ଵଚିତ) ଲେଖକ ରୂପେ ପ୍ରତିଷ୍ଠିତ ହୋଇ ପାରିଛନ୍ତି ।

 

ମନେ ଅଛି…ଓଡ଼ିଆ ଅଧ୍ୟାପକ ଥରେ କ୍ଲାସରେ କହିଥିଲେ…ବର୍ଷା ହେଲେ ଏ ଧରଣୀରେ ଅସଂଖ୍ୟ ଗୁଳ୍ମାଦି କିନ୍ତୁ ସରଣୀ ହଜାଇ ଦିଅନ୍ତି । କିନ୍ତୁ ସବୁ ଗୁଳ୍ମ କଣ ପ୍ରଖର ରୌଦ୍ରତାପ ସହ୍ୟ କରି ବଞ୍ଚି ରହନ୍ତି ? ଯୌବନ ସମୟଟା ଠିକ୍ ସେହିଭଳି–ଏ ସମୟର ସବୁ କିଛି କରିବାକୁ ଇଚ୍ଛା ହୁଏ । ସ୍ଵର୍ଗ ସିଂହାସନ ? ଖୁବ୍ ପାଖରେ–ଖୁବ୍ ନିକଟରେ ମନେ ହୁଏ । କିନ୍ତୁ ସେ ସବୁ ଦୁର୍ବାର ଆଶା–ବାର୍ଦ୍ଧକ୍ୟ ସତ୍ତା ଅନୁଭବ କଲେ ମଉଳିଯାଏ ।”

 

ଠିକ୍ ମଉଳି ଯାଇଛି–ତାଙ୍କ କଥାଟା ସେତେବେଳେ ଶ୍ରୁତିକଟୁ ହୋଇଥିଲା । ଏବେ ଠିକ୍ ମନେ ପଡ଼ିଲେ ଭାବେ–କଥାଟା ଅପ୍ରିୟ ହେଲେ ବି ସତ୍ୟ । ମୋର ବିରାଟ କଳ୍ପନା ଗଛରେ ଫୁଲ ଧରିନି । ଫଳ ଫଳିବ କିମିତି ? ଆପଣ କହିବେ ଡିମ୍ବିରି ଗଛରେ ଫୁଲ ନ ଧରି ଫଳ ଫଳେ–ମୁଁ କହିବି ମୋ କଳ୍ପନା ଗଛଟା ଡିମ୍ବିରି ଗଛ ନୁହେଁ–ହେଲା !

 

ଆଜି ମୁଁ ପଲ୍ଲବଗ୍ରାହୀ । ସେ ଦିନର ସଂଯମୀ ବହ୍ମଚାରୀ ଆଜି ବ୍ରହ୍ମନାଶ କରିବାକୁ ଦ୍ୱିଧା ବୋଧ କରେ ନା । ଆଜି ମୁଁ ମୋ ଆତ୍ମଜଙ୍କ ମୁଖାବଲୋକନ କରି ପରମ ତୃପ୍ତ–ପୁଣି ବଡ଼ ବୀତସ୍ପୃହ ଏଇ ଆତ୍ମଜମାନଙ୍କ ବିଷାଦ–ମଧୁର କଥା ମତେ ବୀତସ୍ପୃହ କରି ପକାଉଛି । ମୋ ଉଦାସୀନତା ବହୁ ଗୁଣରେ ହ୍ରାସ ପାଇଛି । ମୁଁ ବର୍ତ୍ତମାନ ସଚ୍ଚା ଗୃହସ୍ଥ–ପରିବାର ପରିପୋଷଣରେ ମୋ ସତ୍ତା ବିଲୁପ୍ତ…

 

ଅଫିସରୁ ଦରମା ପାଇଲେ ସିନେମା ଟିକେଟ୍ କିଣିବାକୁ ମନ ହୁଏନା । ମାଇକର ସୁନ୍ଦର ସୁଲଳିତ ଗାନ ଆହ୍ଵାନ କରୁଥିବା ରେଷ୍ଟୁରାଣ୍ଟ ଆଡ଼କୁ କାନ କି ଆଖି ଯାଏନା । ବରଂ ମନେପଡ଼େ–ମୁଁ ଥରିଉଠେ–ଆମ ୟାଙ୍କର ଶାଢ଼ି ନାହିଁ…ତେଲ ନଥିଲା । ଆରେ ସେ ବଡ଼ ଟୋକାର ସ୍କୁଲ ଦରମା ଦିଆଯାଇନି ଯେ…ଆଉ…ଆଉ ସେ ସାନ ଟୋକୀର ସାଗୁ…ବାର୍ଲି…ମିଶ୍ରି…ହାୟ ମୋର ସେ କଲେଜ ଜୀବନ କୁଆଡ଼େ ଗଲା ? ଆଉ ମୋର ସେ ଉଦାସୀନତା…

 

ହଁ ମୁଖ୍ୟ କଥାଟା କହିବାକୁ ମୁଁ କେତେଦୂର ବୁଲି ପଡ଼ିଲିଣି ମ ! ହଁ–ଠିକ୍ ତ–ଠିକ୍ ଯେଭଳି କଲେଜ ଜୀବନରେ କୌଣସି ସ୍ଥାନକୁ ଯିବାକୁ ବାହାରି ଥିଲାବେଳେ କୌଣସି ବନ୍ଧୁଙ୍କୁ ହଠାତ୍ ଦେଖିଲେ ପ୍ରୋଗ୍ରାମଟା ବଦଳାଇ ଦେବାକୁ ବାଧ୍ୟ ହୋଇ ଅନ୍ୟଆଡ଼େ ବୁଲିଯାଏ–ସେଭଳି ବୁଲି ଯାଇଛି–ନା–ଏଥର ମୁଖ୍ୟ କଥାଟା ଆରମ୍ଭ ହେଉ ।

 

ଆଜି ମୁଁ ବିବାହିତ...ପୁଣି ସପୁତ୍ରକ । ମୁଁ ଧନ୍ୟ; କାରଣ ପୁତ୍ ନାମକ ନରକରୁ ମୋତେ ପରିତ୍ରାଣ ମିଳିବ ! କିନ୍ତୁ...ବୟସ ବଢ଼ିବା ସହିତ ଯୌବନର ମାଦକତା, ଉଷ୍ଣତା, ମୋର ଅନେକ ପରିମାଣରେ ହ୍ରାସ ପାଉଛି । ଆଉ ଏଇ ହ୍ରାସର ସନ୍ତକ ସ୍ୱରୂପ ମୋ ସ୍ତ୍ରୀ ବକ୍ଷରୁ ଫି ବର୍ଷ ଫୁଲ କଷି ଗୋଟିଏ ଗୋଟିଏ ଧରି ମୋତେ କାଙ୍ଗାଳ କରି ପକାଉଛନ୍ତି–ଜଞ୍ଜାଳ ଜାଲରେ ଛନ୍ଦି ପକାଉଛନ୍ତି । ବହୁଥର ଭାବିଲିଣି–ସ୍ତ୍ରୀଙ୍କର ବାର୍ଥ–କଣ୍ଟ୍ରୋଲ କରିଦେବାକୁ । ଓଡ଼ିଶା ସରକାର ମତେ ଯଦି ସାହାଯ୍ୟ କରନ୍ତେ....କିନ୍ତୁ...କିନ୍ତୁ କଲେଜ ଜୀବନରେ ସିଗାରେଟ୍ ଖିଆ ମୁଁ ଯେମିତି ଛାଡ଼ି ଦେଇଛି, ସେଭଳି ଗୋଟିଏ କଥା ଛାଡ଼ିପାରି ନାହିଁ ।

 

ଏବେ ବି ଅଫିସରୁ ଫେରିଲା ବେଳେ ଏ ଅମାନିଆ ଅଭ୍ୟସ୍ତ ଆଖିଦି’ଟା ସେ ଲବଙ୍ଗଲତାଙ୍କର ରୂପ ମୋହ ବର୍ଜନ କରି ପାରୁନି । ତେବେ ଏତିକି ଅନୁଭବ କରେ...ସେମାନଙ୍କ ରୂପ ଏ ଦେହର ଖାଦ୍ୟ କରିବାକୁ ଆଶାୟୀ ନୁହେଁ । କିନ୍ତୁ ତାଙ୍କ ରୂପର ପ୍ରଶଂସା କରିବାକୁ ଦେଖେ, କାଇଁ ନା...କବି ଗୁରୁ ଲେଖିଛନ୍ତି–ସୁନ୍ଦରେ ତୃପ୍ତିର.....

 

ଶରତର ସେ ଏକ ସ୍ଵର୍ଣ୍ଣ ଅପରାହ୍ନ ଆକାଶ ପଥରେ ନୀଡ଼ାଭିମୁଖୀ ସ୍ୱେଚ୍ଛାଚାରୀ ବିହଙ୍ଗମଙ୍କର ଭୀଡ଼–ଆଉ ତଳ ରାଜପଥରେ ଅସଂଖ୍ୟ ଯାତ୍ରୀ ଭିଡ଼–କାର–ରିକ୍‍ସା–ସାଇକେଲ–ଘୋଡ଼ାଗାଡ଼ି–ପୁଣି ପଦ ଯାନ...

 

ମୋର ସପତ୍ନୀ ପିତାଙ୍କର ଶୁଭେଚ୍ଛାରୁ ମୁଁ ସେଇଟି ପାଇଛି । ତା’ର ପୂର୍ବ ଅବସ୍ଥାର ଅସ୍ୱାଭାବିକ ଭାବେ ପରିବର୍ତ୍ତନ ହେଲେ ସୁଦ୍ଧା ମୁଁ ସେଇଟିକୁ ପରିତ୍ୟାଗ କରି ପାରୁନି, ବରଂ ପୂର୍ବାପେକ୍ଷା ତାକୁ ଆଦର କରିବାକୁ, ତା’ର ଯତ୍ନ ନେବାକୁ ଶିଖି ଗଲିଣି–ସକାଳେ, ସଞ୍ଜେ ତା’ ଦେହରେ ହାତ ନ ମାରିଲେ ମୋର ମନ ତିରିପତି ନାହିଁ । ମୁଁ କେଉଁ ବନ୍ଧୁଙ୍କ ଦରକାରରେ ସେଇଟିକୁ ଲଗାଇବାକୁ ଦବାକୁ ରାଜି ନୁହେଁ । ଯଦି ବନ୍ଧୁ ଅତି ବାଧ୍ୟ କରନ୍ତି, ତା ହେଲେ ତା’ର ରୁଗ୍‍ଣ ଅବସ୍ଥାକୁ ମୁଁ ରୁଗ୍‍ଣ ମନରେ ବଖାଣି ତାକୁ ନିରାଶ ନ କରି ଛାଡ଼େ ନା । ମୋର ଦୁଃଖୀ ହୃଦୟର ଦୁଃଖ ନିବାରକ ଏମନ୍ତ ସେଇ ଦ୍ଵିଚକି ଯାନ ଖଣ୍ଡିକରେ ବସି ମୁଁ କଷିଛି ପେଡ଼ାଲ–ପେଡ଼ାଲ–ପରେ ପେଡ଼ାଲ–ଅନିର୍ବାର–ଅବିରାମ–ଆଉ ମୋର ଏ ଘନ ଘନ ପେଡ଼ାଲ ମରା ସହି ନପାରି ସେ ଅସହ୍ୟ ଯନ୍ତ୍ରଣାରେ ଆଉ–ଚିତ୍କାର କରି ମତେ ନିବେଦନ କହୁଛି–ଥାଉ–ଥାଉ–ମୁଁ ଏତେ ସହିବିନି...

 

–“କେଁ–କାଁ–

 

ମୁଁ ବି ତା ଆବେଦନ ଶୁଣେ ! ମାରିଛି ପେଡ଼ାଲ–ଘନ ଘନ ପେଡ଼ାଲ....ହଠାତ୍ ପଛରୁ ଶୁଣିଲି–ଠନ୍-ଠନ୍ । ଫେରିଚାହିଁଲି–ଗୋଟିଏ ତ୍ରିଚକୀ ରଥ...ତା’ ଦେହରେ ବସିଛନ୍ତି ଗୋଟିଏ ଭଦ୍ରଲୋକ ଏବଂ ତାଙ୍କ ସହଯାନ୍ତ୍ରିଣୀ....ଏଭଳି ଅବସ୍ଥାରେ ମୁଁ ବେଶୀ ସମୟ ଧରି ତାଙ୍କୁ ଚାହିଁଲେ ହୁଏତ ସେ ପୁରୁଷଟିର ପୌରୁଷରେ ବାଧା ପଡ଼ିବ । ଆଖି ଫେରାଇଲି । କିନ୍ତୁ ସଂପୂର୍ଣ୍ଣ ଫେରାଇ ନାହିଁ, ଫେରାଇ ପାରିଲି ବି ନାହିଁ । ପୁଣି ଚାହିଁଲି–ଏଥର ମୋ ରଥରୁ ଅବତରଣ କରିବାକୁ ବାଧ୍ୟ ହେଲି–ଆରେ ଲତିକା ଯେ...

 

ଲତିକା ନମସ୍କାର କରୁଛି । ମୁଁ ପ୍ରତି ନମସ୍କାର କଲି । କିନ୍ତୁ ସେଇଟି କିଏ ? ସେଇ ଯୁବତୀଟି....ନାଇଁ–ପୁରୁଷଟି ??

 

ଲତିକା କହିଲା–ଏ ହେଉଛନ୍ତି.... । ତା’ପରେ ତାଙ୍କ ଆଡ଼କୁ ଥରେ ଚାହିଁ ମୋ ଉଦ୍ଦେଶ୍ୟରେ କହିଲା–ଏ ହେଉଛନ୍ତି ସୁଯୋଗ୍ୟ ଦାସ ମୋ କଲେଜ ଜୀବନର ସହଧ୍ୟାୟୀ–ଗୋଟେ ବିରାଟ ସାହିତ୍ୟିକ ଲେଖକ । ମୁଁ ହସିବା ଆରମ୍ଭ କରି ଦେଇଛି । ହସିବା ଆରମ୍ଭ କରି ଦେଇଛି ଲତିକାର ହସ ଦେଖି ନୁହଁ–ତା’ ପ୍ରଶସ୍ତି ପ୍ରଶଂସା ଶୁଣି... କିନ୍ତୁ ଇଏ କଣ ଲତିକାର ଇଏ ଯେ ମୋ ପ୍ରଶଂସା ଶୁଣି ହସି ପାରୁନାହାନ୍ତି...ଲତିକା ! କଥାରୁ ବୁଝିଲି ସେ ତା’ର...ନମସ୍କାର କରିବା କଥା–ନମସ୍କାର କଲି–ନମସ୍କାର ଆଜ୍ଞା । ସେ ପ୍ରତି ନମସ୍କାର ଫେରାଇଲେ । ତା’ପରେ ଏକ ନିରାନ୍ଦନ ହସ ମୁହଁରେ ଫୁଟାଇ କହିଲେ, ଆମେ ଆସୁଛୁ ଆଜ୍ଞା, କିଛି ଭାବିବେନି ଏକ ଜରୁରୀ କାମ ଅଛି...

 

ମୋ ପାଖରେ ବୋଧେ ସେ ବେଶୀ ସମୟ ରହିବାକୁ ଇଚ୍ଛା କରିନଥିଲେ । କିନ୍ତୁ ଲତିକା ତାଙ୍କ ସହିତ ଯିବାକୁ ଏକାନ୍ତ ଅନିଚ୍ଛୁକ, ବାଧ୍ୟହୋଇ ଗଲା । ଗଲାବେଳେ ରିକ୍‍ସାର ପଛ ପାଲ ଟେକି କହିଲା–ଆମ ବସାକୁ ଯିବେ–ଯିବେ ନିଶ୍ଚେ–ଏଁ–

 

ସମ୍ମତି କଲି । ଘଡ଼ିଏ ଯାଏ ତା’ ଆଡ଼କୁ ଚାହିଁଲି । ଲତିକା ବସିଥିବା ରିକ୍‍ସା ଲୁଚିଲା । ଲତିକା ଅଦୃଶ୍ୟ ହେଲା–କିନ୍ତୁ ମୋର ମନରେ ଲତିକାର ରୂପ ଉଙ୍କି ମାରିଲା । ଆଉ ଲତିକାର ସେଇ କଲେଜ ଜୀବନର ଫାଜିଲ୍ ମିଠା କଥା–ନିଦୁଆ ଆଖି–ଆଉ ଝରଣାର ହସ...

 

ଲତିକା ! କଲେଜ ଜୀବନର ଲତିକା ମୋର ସହାଧ୍ୟାୟୀ । ତା’ପରେ ମୋର କଲେଜ ଜୀବନର ଅଗଣିତ ସହଧ୍ୟାୟୀଙ୍କ ମଧ୍ୟରୁ ଏକାନ୍ତ ଆତ୍ମୀୟା–ଏକାନ୍ତ ନିଜର...ଥରେ ଲତିକା ମୋ ପ୍ରଶସ୍ତି ଗାନ କରି କହି ଥିଲା–ମନେହୁଏ ମୁଁ ଆପଣଙ୍କର ଏଭଳି ପ୍ରଶସ୍ତି ଗାନ କରି ଆପଣଙ୍କ ପାଖରେ ନିଜକୁ ହଜାଇ ଦେବାକୁ...ମୁଁ କହିଥିଲି–ଥାଉ–ଥାଉ–ଆମ ଦୁଇ ଜଣଙ୍କ ଉପରେ ମୁରବି ଅଛନ୍ତି ଯେ...

 

ଲତିକା ସେଦିନ ପ୍ରତିବାଦ କରିଥିଲା–ଜୋର ଦେଇ କହିଥିଲା–ଛାଡ଼–ସେ ଯା’ କହିଥିଲା–ସେଇ ଲତିକା ଆଜି ନାହିଁ । ସେ ଦିନର କୁମାରୀ ଲତିକା ଆଜି ବିବାହର ହୋମ ନିଆଁରେ ଜଳିଯାଇଛି–ସେ ଆଜି ଶ୍ରୀମତୀ ଲତିକା...ମୁଣ୍ଡରେ ତାର ସେଦିନ ପରି ସରୁ କୁକୁମ ବିନ୍ଦୁ ନାହିଁ । ପରିବର୍ତ୍ତେ ବିଣ୍ଡାଏ ସିନ୍ଦୁର...ସେ ଆଜି ଅନ୍ୟର ସହଧର୍ମିଣୀ...

 

ଲତିକା ଆଜି ଅନ୍ୟର ସହଧର୍ମିଣୀ–ଅଥଚ ତା ଚପଳ ଯୌବନର ଚପଳ କଥା ଚପଳା ପରି ଉଭେଇ ଯାଇଛି ଅତୀତ ମେଘରେ ସେ ତାର କଥା ରଖି ପାରିନି....

 

–“ବାବୁ ଗାଡ଼ି କାଢ଼ !”

 

–‘ହଁ’

 

ମୁଁ ସଚେତନ ହେଲି । ଏ ରାଜ ପଥରେ ମୋର ଯେଭଳି ଅଧିକାର, ଏ ରିକ୍‍ସାବାଲାର ବି ସେଭଳି ଅଧିକାର ଅଛି । କିଛି ନ କହି ସାଇକେଲ ଘୁଞ୍ଚାଇ ଆଣିଲି–ନାଇଁ ଚାଲିଯିବି–ସାଇକେଲ୍ ଛୁଟାଇଲି...

 

ସେ ଦିନ ରାତିରେ ମୁଁ ଅନୁଭବ କଲି, କଲେଜ ଜୀବନରେ ଲତିକାର ଭାବନା ଭୂତ ମୋ ମୁଣ୍ଡରେ ପଶି ଯେଭଳି ଗୋଳମାଳ କରେ, ଏ ବିବାହିତ ଜୀବନରେ ସେଭଳି ସେ ଭାବନା ଭୂତ ତା’ର ଆଧିପତ୍ୟ ବିସ୍ତାର କଲା । ଲତିକା ବିବାହିତା, ମୁଁ ବିବାହିତ । କେହି ଏକାକି ନୁହଁ–ଜଏଣ୍ଟ ଦାମ୍ପତ୍ୟ ଜୀବନ...କିନ୍ତୁ କାହିଁକି ମୋର ଏ ଭାବପ୍ରବଣତା ?

 

ହଠାତ୍ ମନେ ପଡ଼ିଗଲା ମୋର ତା’ ସ୍ଵାମୀଙ୍କ କଥା । ସତେ ତ ସେ ହସିଲେ ନାହିଁ କାହିଁକି ? କାହିଁକି ମଣିଷର ମନ ହସକଥାରେ ବେଳେ ବେଳେ ହସେ ନାହିଁ ?

 

ନିଜ ମନର ମାପ କାଠିରେ ମୁଁ ଦୁନିଆକୁ ମାପିଛି । ନିଜେ ଭାବନା କରି ଦୁନିଆର ଭାବନା ବୁଝିଛି–ସେ ପୁରୁଷ ହେଉ ବା ସ୍ତ୍ରୀ ହେଉ ଚାହେଁ ଏକଛତ୍ରତା......ଶାସକ ଚାହେଁ ଏକଛତ୍ରବାଦୀ ଶାସନ । ଧନୀ ଚାହେଁ ତା’ଠାରୁ ବଳି ବଡ଼ ଧନୀ କେହି ନହେଉ । ଲେଖକ ଚାହେଁ ସେ ଏକମାତ୍ର ପ୍ରତିଷ୍ଠିତ ହୋଇ ରହୁ । ସର୍ବୋପରି ପୁରୁଷ ଚାହେଁ ଏକାନ୍ତ ଭାବେ ତା’ ସ୍ତ୍ରୀର ରୂପ ଯୌବନକୁ ଉପଭୋଗ କରିବାକୁ । ସେ ଯଦି କୌଣସି ଉପାୟରେ ଜାଣେ ଯେ ସେ ରୂପ ଅନ୍ୟ କାହାଦ୍ଵାରା ସ୍ପଷ୍ଟ ହୋଇଛି, ତା’ ହେଲେ ସେ ଭୟଙ୍କର ବିରକ୍ତ ହୁଏ–ଅବିଶ୍ଵାସର ଅଗ୍ନି ପ୍ରବଳ ବେଗରେ ପ୍ରଜ୍ଜ୍ଵଳିତ ହୋଇ ଉଠେ ତା’ର ଅନ୍ତରେ–ଅନ୍ତରେ...... । ନାରୀମାନେ ବି ସେଭଳି ତା’ ପୁରୁଷକୁ ସେ ଏକାକୀ ନିଜ ଅକ୍ତିଆରରେ ରଖିବାକୁ ଚାହେଁ । କିନ୍ତୁ ତା’ ଅକ୍ତିଆରରୁ ପୁରୁଷ ବାହାରି ଗଲେ–ଅଭିମାନ–କଳହ–ଆତ୍ମହତ୍ୟା (ଏବେ କିନ୍ତୁ ଆତ୍ମହତ୍ୟା କରିବାକୁ ବେଶୀ ପଡ଼ୁନି । କାରଣ ଛାଡ଼ପତ୍ର ବ୍ୟବସ୍ଥା ହୋଇ ଯାଇଛି )

 

ନାରୀମାନଙ୍କ କଥା ମୋ ଅନୁଭୂତିର ମୂଲ୍ୟ ଦେଇ ମୁଁ ବୁଝି ପାରିନଥାନ୍ତି; କିନ୍ତୁ ସେ ଦିନ ତାଙ୍କ କଥାରୁ ବୁଝିଛି–ଏଇ ଲତିକାର ଚିଠିଟି ପଢ଼ି ସେ ଯେଭଳି ହୋଇଥିଲେ–ଓଃ ମା ! ସାକ୍ଷାତ୍‍ ଚଣ୍ଡୀଙ୍କର ବାଳମୁକୁଳା ଅବତାର....ଏବଂ ଯୁଦ୍ଧ ଦେହି ଡାକ.....

 

ମନେ ପଡ଼ିଲା–ଓଃ..... ତା’ହେଲେ ଲତିକା–ସ୍ୱାମୀ ମତେ ସନ୍ଦେହ କରିଛନ୍ତି ? କେବେ ମୁଁ ତାଙ୍କ ବସାକୁ ଯିବି କିଭଳି ? ଯିବି ?

 

ଅନେକ ଚିନ୍ତାକଲି, ନ ଯିବାକୁ ବି ମନ ହେଲା ନାହିଁ । ଲତିକା କହିଛି–ଭୟଙ୍କର ଭାବେ ମନ କଷ୍ଟ କରିବ । ମନ କଷ୍ଟ କରୁ.....ଏତିକି କଥା ଲତିକା ମତେ ଶିଖାଇନି । ସେ ମତେ ଶିଖାଇଛି ତାଙ୍କୁ ଭଲ ପାଇବା..... କେମିତି ଏବେ ତାକୁ ଭୁଲିଯିବି ? ତା କଥାକୁ ?

 

ଲତିକା ସ୍ୱାମୀଙ୍କର ବିଷଣ୍ଣ ମୁଖ, ନିରାନନ୍ଦ ହସ ମୋ ମାନସ ପଟରେ ଝଲସି ଉଠିଲା । ମୁଁ କିନ୍ତୁ ଭାବି ନେଲି–ପୂର୍ବରୁ ପରିଚୟ ନଥିଲା, ତେଣୁ ବୋଧେ ଏଭଳି ପରିସ୍ଥିତିର ସେ ସମ୍ମୁଖୀନ ହେଲେ । ଏବେ ଗଲେ ସେ ହସିବେ ଯେ–ଆଶ୍ଵସ୍ତ ହେଲି–ପୁଣି ଯାଇଥିଲି–କିନ୍ତୁ ହାୟ–ମୋ ଜୀବନର ଅନୁଭୂତି ଗୁଡ଼ାକ କଣ ଏତେ ମୁଲ୍ୟହୀନ ହେବ ? ଘୁଷୁରି ପ୍ରକୃତି ପଙ୍କେ ଲୋଟେ, ମଣିଷ ପ୍ରକୃତି ମଲେ ତୁଟେ । “ସାଧୁବାଦ୍ ! ଏକ କଥା ଆଜ୍ଞା ନିରାଟ ସତ୍ୟ । ତିନିରେ ଦୁଇ ମିଶିଲେ ପାଞ୍ଚ ଯେଭଳି ଗାଣିତିକ ସତ୍ୟ–ସେଇଭଳି.....

 

ଲତିକା ବସାକୁ ଯାଇଁ ତା’ ସ୍ୱାମୀଙ୍କର କୌଣସି ପ୍ରକାର ପରିବର୍ତ୍ତନ ନଦେଖି କ୍ଷୁବଧ ହେଲି । ବେଶୀ ସମୟ ସେଠି ନରହି ଫେରିଲି–ଫେରିଲାବେଳେ ଲତିକା ତା’ ଗେଟ୍ ପର୍ଯ୍ୟନ୍ତ ଆସି ମୋତେ ଚୁପ୍ ଚୁପ୍ କହିଲା–ଏ କଣ ମଣିଷ ! ଭାରି ସନ୍ଦେହୀ ଲୋକ ! ତମେ ଯାଅ, ଏ ନଥିଲା ବେଳେ ଆସୁଥିବ । ଲତିକାର କଥା ଶୁଣିବାକୁ ଧୈର୍ଯ୍ୟ ନଥିଲା, ଫେରୁଥିଲି, ଲତିକା ମୋର ଅଭିମାନିଆ ନାଲିଆ ମୁହଁ ଦେଖି ଅଭିମାନ ଭାଙ୍ଗିବାକୁ ପୁଣି କହିଲା–କଣ ଲେଖା ଲେଖି କରୁଛ ଟି ? କାଇଁ କୌଣସି ପତ୍ରପତ୍ରିକାରେ ତ ତମ ଲେଖା ବାହାରୁ ନାହିଁ !

 

ମୁଁ ଜାଣେ, ଲତିକା ମୋପାଇଁ କେତେ ଦରଦୀ–ମୋ ମୁଁହରେ ହସ ଦେଖିଲେ ସେ କେତେ ଆନନ୍ଦ ହୁଏ । ହସିଲି–କହିଲି–ଲତା । ଏ ପତ୍ରପତ୍ରିକା ସାଧ୍ୟମରେ ସାହିତ୍ୟରେ ଯେଉଁ ରାସଲୀଳା ଚାଲିଛି, ମୁଁ ଯଦି ଗୋଟାଏ ଯୁବତୀ ହୋଇଥାନ୍ତି, ସଂପାଦକେ ମୋର ଲେଖାତକ ଯେ କେବେଠାରୁ ସଂଶୋଧନ କରି ବି ପ୍ରକାଶ କରି ସରନ୍ତେଣି । କିନ୍ତୁ......ଲତିକା ହସି ଉଠିଲା( ସେ ବୁଝିପାରିଲା ମୋ କଥାର ମହତ୍ତ୍ଵ) କହିଲା ସତେ ତ ! ଯିଏ ସପ୍ତମ ଶ୍ରେଣୀରେ ଲେଖି ପଠାଉଥିଲା, ସେ ଏମ୍. ଏ ପାଶ କରି ଲେଖି ପଠାଇଲେ ବି ପତ୍ରିକାରେ ସ୍ଥାନ ପାଉନି । ଅଥଚ....ମୁଁ କହିଲି–ଯୁଗ ତ ହୋଇଛି ସେଇଆ ଲତା ! ଏ ଯେଉଁ ସମ୍ପାଦକେ ସାଜିଛନ୍ତି, ସବୁ କେବଳ କୃଷ୍ଣ ହେବା ପାଇଁ । ତାଙ୍କର ଉଦ୍ଦେଶ୍ୟ କଣ ସାହିତ୍ୟ ସୃଷ୍ଟି ? ଲତିକା ମୋ କଥା ଶୁଣି ପରିହାସରେ କହିଲା–ସମ୍ପାଦିକା ଯଦି ବାହାରନ୍ତି....ମୁଁ ଆହୁରି ହସି ଉଠୁଥିଲି । କିନ୍ତୁ ଲତିକା ସ୍ଵାମୀ ଅନତିଦୂରେ ଠିଆ ହୋଇଥିଲେ ଦରୁଭୂତ ମୁରାରି ପରି, ହୁଏତ ମୋର ଏ ଉଚ୍ଚାଟ ହସରେ ସେ କିଛି ଭାବି ପାରନ୍ତି, ତେଣୁ ଏ ଭୟରେ ହସକୁ ଚାପିଦେଇ କହିଲି–ତା’ ହେଲେ ବି ଆମଭଳି ବିବାହିତଙ୍କର ଲେଖା ବାହାରନ୍ତା ନାହିଁ । ଲତିକା ଏକଥା ଶୁଣି ଅସ୍ପଷ୍ଟ ସ୍ୱରରେ କହିଲା–କିନ୍ତୁ ତୁମେ ଯେ ଭାରି ସୁନ୍ଦର..... ମୁଁ ଫେରିଲି–ଏକ ନିଃଶ୍ୱାସକେ ବସାରେ ପହଞ୍ଚିଲି....

 

ସମୟର ରଥଚକ୍ର ଘୂରି ଯାଇଛି । ଦିନକର ଲଙ୍ଗଳା ପିଲା, ଗାଁ ଦାଣ୍ଡରେ ଧୂଳିଘର କରି ଖେଳୁଥିଲି, ପୁଣି ବଡ଼ ହୋଇ ସେ ଧୂଳି ଘରକୁ ଘୃଣା କରି ପାଠ ପଢ଼ିଲି । ମୋ ଜୀବନରେ ଯୌବନ ଆସିଲା–ମୁଁ ମହାମାନବ ହୋଇ ପାରିନି କିରାଣୀ । ମୋ ବାକ୍‍ଦତ୍ତା ଆଜି ଶ୍ରୀମତୀ ଅନାର.....ମୁଁ ଆଜି ୟାଙ୍କର ଶ୍ରୀଯୁକ୍ତ ସ୍ଵାମୀ...ଦେବତା....ଏ ପଳାୟିତ ଯୌବନର ଦ୍ୱାର ଦେଶରେ ରହି ମୁଁ ଭୀତତ୍ରସ୍ତ.....ବାର୍ଦ୍ଧକ୍ୟ ମୋତେ ଆଖି ଠାରିଲାଣି....ଆଉ ତା’ର ଅଧୀନତା ସ୍ୱୀକାର କରିବାକୁ ପଡ଼ିବ–ଅଣ୍ଟା ଭାଙ୍ଗି ବାଡ଼ିଧରି ଚାଲିବାକୁ ପଡ଼ିବ, ପୁଣି ନପଡ଼ି ବି ପାରେ । କେଉଁ ମୁହୂର୍ତ୍ତରେ ମରିବି ତା’ର ଇୟାତ୍ତା ନାହିଁ। ମଣିଷ ଜୀବନ ପାଣି ଫୋଟକା...ତଥାପି ପଳାୟିତ ଯୌବନ ଦ୍ୱାରରେ ରହି ମୁଁ ପଛ ଜୀବନର ସ୍ମୃତି ମନେ ପକାଏ–ସେ ସବୁ ହସ–କାନ୍ଦର–ଆନନ୍ଦ–ନୈରାଶ୍ୟର....ସେ ଆଜି ଭାସି ଯାଉଛି ସମୟ ସୁଅରେ.....ସମୟର ରଥଚକ୍ର–ଗଡ଼ି ଚାଲିଛି....ଗଡ଼ି ଚାଲୁଛି....ଗଡ଼ି ଚାଲୁଥିବ ବି.....ଆଗକୁ.....ଆଗକୁ; କିନ୍ତୁ ଏ ମନରୁ ଏ ସୃତି ସବୁ ଲିଭିଯିବ ସେଇଦିନ, ଆମ ଗାଁ ମଶାଣୀରେ ମୋର ଦେହର ଦାହ ହେଉଥିବ ଯେଉଁଦିନ.....ସେଦିନ ସମୟର ରଥଚକ୍ର ଘୂରି ଆସିବ ଅନତି ବିଳମ୍ବେ..... ଆଉ ସେ ଦିନ ବି ସାରୁ ଗଛମୂଳେ ବସି ବୁଢ଼ା ବେଙ୍ଗ ତା ବୁଢ଼ୀକୁ କହୁଥିବ–‘‘ବେଙ୍ଗୁଲି ଲୋ ! ପୃଥ୍ଵୀ କ୍ଷଣ କ୍ଷଣକେ ଆନ”.....

☆☆☆

 

Unknown

ସେ ଏକ ମଉଳା ପାରିଜାତ

 

ଧୂଳିମାଟିର ପୃଥିବୀରୁ ଜନ୍ମ ନେଇଥିବା କୌଣସି ଫୁଲ ସହିତ ସେ ରୂପ ସଂଭାରର ତୁଳନା କରିହେବ ନାହିଁ । ସ୍ଵର୍ଗ ଲୋକର ପାରିଜାତ ହୁଏତ ସୌନ୍ଦର୍ଯ୍ୟର ସେ ବୈଭବ ପାଖରେ ଏକମାତ୍ର ପ୍ରତିଦ୍ଵନ୍ଦୀ ହେଇପାରେ । କିନ୍ତୁ ଏ ପାରିଜାତଟି ବେଦନଗରୀର ନନ୍ଦନ କାନନରେ ଫୁଟି ନଥିଲା, ମର୍ତ୍ତ୍ୟପୁରୀର ଏକ ଅଭିଜାତ ବଂଶ ବନରେ ଫୁଟିଥିଲା । ଏ ପାରିଜାତର ରୂପର ଆତିଥ୍ୟ ଗ୍ରହଣ କରିବାକୁ, ଏହାର ପରଶରେ ନିଜର କାମନା ଚରିତାର୍ଥ କରିବାକୁ, ଦେବତା ନୁହେଁ, ବହୁ ଯୁବକ ଆଶା କରିଥିଲେ । ୟା’ପଛରେ ଗୋଡ଼ାଇ ଥିଲେ ମଧ୍ୟ । ତା’ର ହସନ୍ତ ଆଖିରେ ସେ ଭାଷା ଫୁଟାଇ ସମସ୍ତଙ୍କୁ ନିଜର କରିଥିଲା । ତାକୁ କିନ୍ତୁ କେହି ନିଜର କରି ପାରି ନାହାନ୍ତି ।

ସେ ପାରିଜାତଟି ଆଜି ମଉଳିଛି । ତା’ ଭୁବନମୋହିନୀ ରୂପ ଆଜି ବିରୂପ ହୋଇଛି । ତା’ ସୁଗୋଲ ଗୋଲାପ ଗଣ୍ଡ ଆଜି ନିଷ୍ପ୍ରଭ ହେଲାଣି । ତା’ ଭେଲଭେଟ ଭଳି ନରମ କୁଞ୍ଚିତ କୃଷ୍ଣ କୁନ୍ତଳ ମଧ୍ୟରୁ ଅନେକ ଆଜି ରଙ୍ଗ ବଦଳାଇଛନ୍ତି । ତା ନିତମ୍ବଲମ୍ବିତ ବେଣୀସର୍ପ ଆଜି କେଳା ପେଡ଼ିର ସର୍ପ ପରି ଗୁରେଇ ହୋଇଯାଇଛି–ସେ ଗଭା ପାଚିଲାଣି । ତା’ ଆଖିରେ ନାଇଁ ଆଉ ହସ ଇଙ୍ଗିତ । ରୂପବଜାରରେ ସେ ହତାଦୃତ ହୋଇ ପଡ଼ିଛି । ଆଜି ତାକୁ ଦେଖିଲେ କେହି ବିଶ୍ଵାସ କରିବେ ନାହିଁ, ଇଏ ସେଇ କୈଶୋରିକା ବୋଲି–ସେ କିନ୍ତୁ ଠିକ୍ ସେଇ କୈଶୋରିକା–ସେବିକା କୈଶୋରିକା । ମୋ ଅନୁମାନ ତା ହେଲେ ନିହାତି ସତ୍ୟ । ଚନ୍ଦ୍ରଲୋକରେ ତାରା ଗୁଡ଼ାକଯେପରି ଅସ୍ପଷ୍ଟ ଦିଶନ୍ତି, ବାର୍ଦ୍ଧକ୍ୟ କବଳରେ ତା’ର ଯୌବନଶ୍ରୀ ସେଇପରି ଅସ୍ପଷ୍ଟ ହୋଇଉଠିଛି । କିନ୍ତୁ ସତ୍ତା ହରାଇ ନାହିଁ, ମୁଁ ଭାବୁଥିଲି–ଏଡ଼େ ସୁନ୍ଦର ରୂପ ଯୌବନ ପୁଣି ଦିନେ ଏମିତି ଉଭେଇଯାଏ !!

ଟ୍ରେନ ଆସିବାକୁ ଥିଲା ଆହୁରି ଦଶମିନିଟ–ପ୍ରଥମଘଣ୍ଟା ବାଜିଲା । ମୁଁ ଅତିଷ୍ଠ ହୋଇପଡ଼ି ଖର ନିଃଶ୍ଵାସ ପାତ କଲି–ଆହୁରି ଦଶମିନିଟ୍ ଏଇ ପ୍ଲାଟଫର୍ମରେ ହିଁ କଟାଇବାକୁ ପଡ଼ିବ । ଏତିକି ନିଶ୍ଚିତ ରୂପେ ଜାଣି ଟ୍ରେନ ବିଷୟରେ ଆଉ ଅଧିକା ଭାବି ମନକୁ ଚଞ୍ଚଳ କରିବି ନାହିଁ ବୋଲି ଠିକ୍ କଲି । ତା ପରେ ମୁଁ ମୁହଁ ଫେରାଇ ଚାହିଁଲି ତା ଆଡ଼କୁ...

 

ମୋର ନାତିଦୀର୍ଘ ଦୂରରେ ଏକ ସିମେଣ୍ଟ ବେଞ୍ଚ ଉପରେ ହାତରେ ଭ୍ୟାନିଟି ବ୍ୟାଗ ଧରି ଅବିଚଳିତ ହୋଇ ବସିଛି ସେ । ଆଖିରେ ତାର ଚଷମା । ମୁଁ ଅନୁମାନ କଲି ଦୃଷ୍ଟି ଶକ୍ତିର ହ୍ରାସ ହେତୁ ସେ ଏ ଚଷମାଟିର ସାହାଯ୍ୟ ନେଇଛି, ନତୁବା ବାର୍ଦ୍ଧକ୍ୟ କବଳରେ ପଡ଼ି ମଳିନ ହୋଇ ଉଠୁଥିବା ରୂପଶ୍ରୀକୁ ଅକ୍ଷୁଣ୍ଣ ରଖିବା ଉଦ୍ଦେଶ୍ୟରେ ପିନ୍ଧିଛି । ସେ ଯାହା ହେଉ, ସେ ଗୋଟିଏ ରୋଲ୍ଡ଼ ଗୋଲ୍ଡ଼ ଫ୍ରେମର ଚଷମା ପିନ୍ଧିଛି ଏବଂ ଚଷମାର କାଚଦେଇ ସମ୍ମୁଖର ଧୂସର ପୃଥିବୀକୁ ସେ ଚାହିଁଛି ଅପଲକ ନେତ୍ରରେ–

 

ଗୋଟିଏ ସ୍ଥାନରେ ବସି ରହିବା ମୋ ପକ୍ଷରେ ଅସମ୍ଭବ ହୋଇ ପଡ଼ିଲା । ତା ସହିତ ଦୁଇ ଚାରିପଦ କଥାବାର୍ତ୍ତା ହେବାକୁ ମୋ ମନ କାହିଁକି ଅସ୍ଥିର ହେଲା । ପକେଟରୁ ସିଗାରେଟ କାଢ଼ି ଅଗ୍ନି ଧରାଇଲି । ତା’ ପରେ ଉଠି ପ୍ଲାଟଫର୍ମରେ ଚଲାବୁଲା ଆରମ୍ଭ କରିଦେଲି ।

 

ବହୁବାର ଏପାଖ ସେପାଖ ହେବା ଭିତରେ ମୁଁ ସାହସ କରିଛି, ତା ଆଗ ଦେଇ ଚାଲିଯିବି । ଯା ଫଳରେ ସେ ମତେ ଦେଖି ପାରିବ ଏବଂ କଥାବାର୍ତ୍ତା ହେବାପାଇଁ ବି ସୁଯୋଗ ଜୁଟିବ । କିନ୍ତୁ ତା’ କଣ ମୁଁ କରି ପାରିବି ! ବିବେକ ବାଧା ଦେଲା । ଯାଇ ପାରିଲି ନାହିଁ ।

 

ୟା’ ଭିତରେ ଆହୁରି ପାଞ୍ଚମିନିଟ କଟି ଯାଇଛି–ଦ୍ଵିତୀୟ ଘଣ୍ଟା ବାଜିଲା । ମୁଁ ଏଥର ଅସ୍ଵାଭାବିକ ଭାବେ ଅସ୍ଥିର ହୋଇ ଉଠିଲା । ଆଉ ମୋଟେ ପାଞ୍ଚ ମିନିଟ । ୟା’ ଭିତରେ ଚିହ୍ନା, ପରିଚୟ, ଗପ ବିଦାୟ ସବୁ କିଛି ହୋଇ ପାରିବ ତ ?

 

ମୁଁ ପ୍ୟାଣ୍ଟ ପକେଟରେ ହାତପୂରାଇ ଚିନ୍ତା କରୁଛି କି ଉପାୟରେ ତା ସହିତ କଥାବାର୍ତ୍ତା ହୋଇ ପାରିବି–ହଠାତ୍ ସେ ମତେ ଦେଖି ଆଗେଇ ଆସିଲା–

 

ନମସ୍କାର ଆଜ୍ଞା !

 

ହଠାତ୍ ଏଭଳି ପରିସ୍ଥିତିଟାର ସମ୍ମୁଖୀନ ହେବା ପାଇଁ ନିହାତି ଅପ୍ରସ୍ତୁତ ଥିଲି । ତାର ନମସ୍କାର ଶୁଣି ମୁଁ ଅପ୍ରତିଭ ହୋଇଉଠିଲି । ପ୍ରତି ନମସ୍କାରଟା ବି କରିପାରିଲି ନାହିଁ ।

 

ମୋର ଏପରି ଅବସ୍ଥା ଦେଖି ସେ ବୋଧହୁଏ ବୁଝିଲେ ମୁଁ ତାଙ୍କୁ ଚିହ୍ନି ପାରୁନାହିଁ । ତେଣୁ ସେ ଈଷତ୍ ବିଚଳିତ ହୋଇ ସେଇଆ କହିଲେ–ମତେ ଚିହ୍ନି ପାରୁ ନାହାନ୍ତି । ମୁଁ...

 

ତାଙ୍କ ପରିଚୟଟା ମୋର ଆଦୌ ଦରକାର ନଥିଲା । କିନ୍ତୁ ତାଙ୍କ ମୁଖରୁ ତାଙ୍କରି ପରିଚୟ ଶୁଣି ମୁଁ ଲଜ୍ଜିତ ହୋଇ ପଡ଼ିଲି । ଲଜ୍ଜିତ ହୋଇ ପଡ଼ିଲି ଏଇଥି ପାଇଁ, ମୋର ଏ ମୁକତା ଲାଗି । ତଥାପି ମୋ ଦୁର୍ବଳତାକୁ ଘୋଡ଼ାଇ ମୁଁ ହସିଲି–ନିଃଶବ୍ଦର ହସ; କହିଲି–ନିଶ୍ଚୟ ନିଶ୍ଚୟ, ଆପଣଙ୍କୁ ନ ଚିହ୍ନିବି ତ ଆଉ କାହାକୁ...?

 

ମୋ ବାକ୍ୟ ସମାପ୍ତ ହେବା ପର୍ଯ୍ୟନ୍ତ ସେ ଅପେକ୍ଷା କରି ନଥିଲେ, ମୋ ବାକ୍ୟଟିରେ ଦୃଢ଼ତାର ଚିହ୍ନ ପାଇ ସେ ହସିଲେ–ଏକ ମଉଳା ହସ । ତା’ପରେ ଅଭିମାନିନୀ ଗଳାରେ କହିଲେ–ଏମିତି ସମସ୍ତେ ଆଜ୍ଞା କହନ୍ତି । ପାଖରୁ ଗଲା ପରେ ସମସ୍ତେ ଭୁଲିଯାଆନ୍ତି...।

 

ଏକଥା ପଦକ ସେ ମିଛ କହିନାହିଁ । ତା ଜୀବନର ଅନୁଭୂତିରୁ ସେ କହିଛି । ...ପାଖରୁ ଗଲା ପରେ ସମସ୍ତେ ଭୁଲି ଯାଆନ୍ତି । ମୁଁ ଭାବୁଥିଲି ସତେ ତ ମୁଁ ତାଙ୍କୁ ୟା ଭିତରେ ଭୁଲିଯାଇଛି । ଆଉ ଏଇଭଳି ବହୁ ପରିସ୍ଥିତିର ସମ୍ମୁଖୀନ ହୋଇଛି ସେ ନିଶ୍ଚୟ । ତେଣୁ ତାର ସେଇ କେଇ ପଦ କଥା ସେଦିନ ମୋ ଅନ୍ତରରେ ଦାଗ ଦେଇଥିଲା । ଆଉ ଯେଉଁ ଦାଗ କି ସେ ଜାଣି ଜାଣି ମୋ ଅନ୍ତରରେ ପକାଇଥିଲା–କେବଳ ଅନୁଭବ ପାଇଁ... ।

 

ମୁଁ ସେତେବେଳେ ସାମାନ୍ୟ ଚିନ୍ତିତ ଥିଲି । ମୋର ଏଇ ଚିନ୍ତା ଦେଖି ସେ କଥାର ଗତି ଅନ୍ୟ ଦିଗକୁ ବଦଳାଇ ପ୍ରଶ୍ନକଲେ–ଆପଣବୋଧେ ଏଇ ଟ୍ରେନରେ ଯିବେ ?

 

ମୁଁ ସରଳଭାବେ ଜବାବ ଦେଲି...ହଁ ପୁରୀ–

 

ମୋର ପୁରୀ ଯିବାକଥା ଶୁଣି ସେ ହାଠତ୍ ଆନନ୍ଦିତ ହୋଇ ପଡ଼ି କହିଉଠିଲେ–ମୁଁ ଯେ ପୁରୀ ଯିବି–

 

“ସତେ”–ମୁଁ ଆଶ୍ଚର୍ଯ୍ୟ ଆନନ୍ଦ ହୋଇ ପ୍ରଶ୍ନ କଲେ–ଜଗନ୍ନାଥ ଦର୍ଶନକୁ–ନା–

 

ନା–ପୁରୀକୁ ମୋର ବଦଳି ହୋଇଛି ।

 

ତାଙ୍କ ମୁହଁରୁ ବଦଳି ହେବାକଥା ଶୁଣି ମୁଁ କାହିଁକି ହଠାତ୍ ଦୁଃଖିତ ହେଇପଡ଼ି ପ୍ରଶ୍ନ କଲି–ପୁରୀରେ ତ ଅପଙ୍କର ଅସୁବିଧା ହେବ ନିଶ୍ଚୟ !

 

ମୋର ଏଭଳି ପ୍ରଶ୍ନର ଉତ୍ତର ମୁଁ ଯେଉଁ ଗଳାରେ ପାଇବାକୁ ଆଶା କରିଥିଲି, ସେ–ସେଗଳାରେ ଦେଇ ନଥିଲେ–ବରଂ ଆନନ୍ଦିତ ହୋଇ କହିଲେ–କାହିଁକି ? ବରଂ ମୁଁ ତାହାହିଁ ଚାହୁଁଥିଲି । ଘରେଇ ଜିଲ୍ଲା । ଅସୁବିଧା କଣ ?

 

ମୁଁ ଯେଉଁ ଦିନ ତାଙ୍କୁ ପ୍ରଥମେ ଦେଖିଥିଲି, ସେ ଦିନ ତା’ଙ୍କ ଘର କେଉଁଠାରେ ହୋଇଥିବ ଜାଣିବାର ଇଚ୍ଛା କରିନଥିଲି, ତଥାପି ଅଜ୍ଞାତରେ ମୁଁ ଧରି ନେଇଥିଲି ସେ କଟକ ଜିଲ୍ଲାର ଲୋକ । କିନ୍ତୁ ତାଙ୍କ ମୁହଁରୁ ସେ ପୁରୀ ଜିଲ୍ଲାର ଲୋକ ଶୁଣି ଆଶ୍ଚର୍ଯ୍ୟ ବିସ୍ମୟ ହୋଇ ପ୍ରଶ୍ନ ତୋଳିଲି–ପୁରୀ ଜିଲ୍ଲାର କେଉଁ ଥାନାରେ ?

 

ସେ କହିଲେ–ଆପଣ ଗୋପ ଥାନା ଜାଣନ୍ତି ? ସେ ଗୋପ ଥାନାର ନିମାପଡ଼ା ଗ୍ରାମରେ–

 

ମୁଁ ଆହୁରି ଆଶ୍ଚର୍ଯ୍ୟ ହେଲି–ଆରେ–ନିମାପଡ଼ା ଯେ ଆମ ମାମୁଁଙ୍କ ଘର–

 

ଏ କଥା ପଦିକ ମୋ ମୁହଁରୁ ଶୁଣିବା ପରେ ତାଙ୍କ ମୁହଁର ରଙ୍ଗ ବଦଳି ଗଲା, ଏଥର ସେ ଆଶ୍ଚର୍ଯ୍ୟ ହୋଇ ପ୍ରଶ୍ନ କଲେ–ଆପଣଙ୍କ ମାମୁଁ ଘର ?

 

ମୁଁ କହିଲି–ହଁ–ଚନ୍ଦ୍ରଶେଖର ମହାନ୍ତି–

 

ସେ ଆଶ୍ଚର୍ଯ୍ୟ ଆନନ୍ଦିତ ହୋଇ ହଠାତ୍ କହିଉଠିଲେ–ଆରେ ଆପଣ ଯେ ଆମର ନିଜର ଲୋକ–

 

ପରସ୍ପର ଭିତରେ ଏଭଳି ପରିଚୟଟା ହୋଇଗଲା । ମୁଁ ତାଙ୍କୁ ଏବଂ ସେ ମତେ ୟା’ଭିତରେ ଅତି ଆପଣାର ଧରି ନେଲୁ । ୟା’ଭିତରେ ଥିବା ଗୋଟିଏ ଦୁର୍ଭେଦ୍ୟ ପାଚେରୀ ଯେପରି ଭାଙ୍ଗି ପଡ଼ିଛି–ଆଉ ଆମେ ଯେପରି ପରସ୍ପରର ନିକଟତର ହେଇଯାଇଛୁ–ମୁଁ ଅନୁଭବ କରୁଥିଲି ।

 

ହଠାତ୍ ତୃତୀୟ ଘଣ୍ଟା ଚିତ୍କାର କରି ଉଠିଲା । ଆଉ ଚିତ୍କାର ଶୁଭିଲା ସେଇ ଯନ୍ତ୍ରଦାନବ ଟ୍ରେନର ରୁକ୍ଷ ସ୍ୱର–ସହସା ଟ୍ରେନ ଅପେକ୍ଷାରେ ଥିବା ଜନତା ଚଞ୍ଚଳ ହୋଇ ଉଠିଲେ । ଏକ ଭୈରବ ଗର୍ଜନ କରି ଷ୍ଟେସନରେ ପହଞ୍ଚି–ହାଓଡ଼ା ପୁରୀ ପାସେଞ୍ଜର–ତାପରେ କୋଳାହଳ–ଧାଁ ଧଡ଼ପ । ବିରାଟ ଚିତ୍କାର–ପ୍ରଜାତନ୍ତ୍ର–କଳିଙ୍ଗ

 

ମୁଁ ଡାକିଲି ଏ ପ୍ରଜାତନ୍ତ୍ର ! ଦେଇ ଯା’ତ–

 

ଛଅଟି ପଇସା ବଢ଼ାଇ ପ୍ରଜାତନ୍ତ୍ରଟିଏ ଆଣିଲି ।

 

ପ୍ରଜାତନ୍ତ୍ରର ପ୍ରଥମ ପୃଷ୍ଠାର ଶିରୋନାମାରେ ଲେଖାଥିବା ବିରାଟ ବିରାଟ କଳା ଅକ୍ଷର ଉପରେ ମୁଁ କିଛି କ୍ଷଣ ଦୃଷ୍ଟି ନିବଦ୍ଧ ରଖି କଣ ଖୋଜି ଚାଲିଥିଲି । ସେ ମୋ ନିକଟରେ ସେଭଳି ଠିଆ ହୋଇଛନ୍ତି ଅବିଚଳିତ ଭାବେ । ତାଙ୍କର ଏଭଳି ଠିଆ ହେବାଟା ମୋ ପକ୍ଷେ ଅସହ୍ୟ ହୋଇପଡ଼ିଲା । ମୁଁ ଅସୁସ୍ଥ ବୋଧ କଲି । କହିଲି–ଏଥର ‘ଦିଦି’ ଚାଲ ବସିବା । ସେ କିଛି ନ କହି ମୋର ପିଛା ଧରିଲେ । ଆଗପଛ ହୋଇ ଆମେ ଚାଲିଥାଉଁ ଗୁଡ଼ିଏ କମ୍ପାର୍ଟମେଣ୍ଟ ଅତିକ୍ରମ କରି ମୁଁ ଏକ କ୍ଷୁଦ୍ର କମ୍ପାର୍ଟମେଣ୍ଟ ଉପରକୁ ଉଠିଲି–ମୋ ପଛେ ପଛେ ସେ ବି–ସେ କମ୍ପାର୍ଟମେଣ୍ଟରେ ଲୋକ ବେଶୀ ନ ଥିଲେ । ଚାରି ପାଞ୍ଚଜଣ । ହୁଏତ ବଙ୍ଗାଳୀ ହେବେ, କଲିକତାରୁ ଆସୁଛନ୍ତି । ଦୀର୍ଘ ଯାତ୍ରାର କ୍ଳାନ୍ତି–ସେମାନେ ଘୁମାଇ ପଡ଼ିଛନ୍ତି ସଂଜ୍ଞାହୀନ ଭାବରେ–ଆମ ଦୁହିଁଙ୍କୁ ଭିତରକୁ ପଶିବାର ଦେଖି ହଠାତ୍ ଜଣଙ୍କର ମୁଦ୍ରିତ ଆଖି ଉନ୍ମୀଳିତ ହୋଇଉଠିଲା । ସେ ସେଇ ତନ୍ଦ୍ରା ଜଡ଼ିତ ଆଖିରେ ଚାହିଁ ମୋ ଉଦ୍ଦେଶ୍ୟରେ ପ୍ରଶ୍ନ କଲେ–ଏ କେଉଁ ଷ୍ଟେସନ !

 

ମୁଁ ଉତ୍ତର ଦେଲି–କଟକ–

 

ହଠାତ୍ ଲୋକଟି ଅସ୍ଥିର ହୋଇ ଉଠି ଗୋଟାଏ ଚିତ୍କାର କଲା–ଆରେ ବ୍ରଜ, ଆରେ ଘନ–ଉଠ୍ ଉଠ୍–କଟକ ହେଲାଣି ଯେ ।

 

ମୁଁ ପ୍ରଥମେ ତାଙ୍କୁ ବଙ୍ଗାଳୀ ବୋଲି ଭାବି ନେଇଥିଲି । କିନ୍ତୁ ତାଙ୍କ ପାଟିରେ ମୋରି ମାତୃଭାଷା ଶୁଣି ମୁଁ ଠିକ୍ ବୁଝି ନେଲି ଏ ବଙ୍ଗାଳୀ ନୁହନ୍ତି, ଓଡ଼ିଆ–ଶ୍ରମିକ ହେବେ ବୋଧେ–

 

ଲୋକଟିର ଚିତ୍କାର ଶୁଣି ତା’ସାଙ୍ଗମାନେ ଧଡ଼୍ ପଡ଼୍ ହୋଇ ଉଠିଲେ, ଏବଂ ଅସଂଖ୍ୟ ପେଡ଼ି ପୁଟୁଳି ଧରି ଓହ୍ଲାଇ ଗଲେ ତଳକୁ ।

 

ମୁଁ–ୟା’ ଭିତରେ ଏକ ବେଞ୍ଚରେ ବସି ସାରିଥିଲି । ସେବି ସେଇ ବେଞ୍ଚରେ ବସିଥିଲେ । କମ୍ପାର୍ଟମେଣ୍ଟ ସେଇ କଲିକତା ଯାତ୍ରୀଙ୍କର ପ୍ରସ୍ଥାନ ପରେ ପରେ ନୀରବ ହୋଇଗଲା । ଟ୍ରେନ ଚାଲିବାକୁ ଆରମ୍ଭ କଲାପର୍ଯ୍ୟନ୍ତ କେହି ଆଉ ସେଥିରେ ଉଠିନଥିଲେ । ମୁଁ ସ୍ୱସ୍ତିର ନିଶ୍ୱାସ ନେଲି–ଯା’ହେଉ ଦି’ଚାରିପଦ ମନଖୋଲା କଥାବାର୍ତ୍ତା ହୋଇ ପାରିବା । ମୁଁ ଏଥର ବାଗେଇ ହୋଇ ବସିଲି । ଟ୍ରେନ ଚାଲିବା ପାଇଁ ସଂକେତ ଦେଲା–ଚାଲିଲା । ହଠାତ୍ ମୋ ମୁଣ୍ଡଉପରୁ ଏକ ସ୍ୱର ଆସୁ ଥିବାର ଶୁଣି ମୁଁ ଚମକି ଉଠିଲି ଏବଂ ଉପରକୁ ଚାହିଁଲି । ଜଣେ ଯୁବକ ଶ୍ଳିପିଂ ବେଡ଼ରେ ଶୋଇ କହୁଛନ୍ତି–ଖୋର୍ଦ୍ଧା ରୋଡ଼ରେ ମତେ ଡାକିଦେବେ ଆଜ୍ଞା !!

 

ଆଚ୍ଛା !! ଆଚ୍ଛା ! ! କହି ମୁଁ ମୁହଁ ଫେରାଇଲି ।

 

ଟ୍ରେନ୍ ଚାଲିଲା–ହାଓଡ଼ା ପୁରୀ ପାସେଞ୍ଜର ଏଥର ଭୀଷଣ ଗର୍ଜ୍ଜନ କରି ଲୁହା ଧାରଣ ଉପରେ ସାଇଁ ସାଇଁ ଛୁଟିଛି ଆଗକୁ–ଆଗକୁ ।

 

ତା’ ଜଳନ୍ତା କୋଇଲାର ଛୋଟ ଛୋଟ ଅଗ୍ନି ସ୍ଫୁଲିଙ୍ଗ ଗତିର ପ୍ରତୀପ ଗତିରେ ଅମାବାସ୍ୟାର ଅନ୍ଧକାର ଭେଦି ଖଦ୍ୟୋକ୍ତିକା ପରି ଉଡ଼ିଯାଉଛି । କୃଷ୍ଣ ପକ୍ଷର ରାତ୍ରି କ୍ରମେ ଭୟଙ୍କର ହୋଇଉଠୁଛି । ଆଉ ଆକାଶ ଚାନ୍ଦୁଆରେ ଅସଂଖ୍ୟ ତାରା ହୀରା ଗୁଡ଼ାକ ନିଜ ରଶ୍ମି ବିକରଣ କରୁଛନ୍ତି । କଟକଠାରୁ ପୁରୀ–ଏ ଦୀର୍ଘ ଟ୍ରେନ୍ ଯାତ୍ରା ସମୟକୁ ସୁସ୍ତିକର କରି କଟାଇବା ପାଇଁ ଆମେ ଗପ କରିବା ପ୍ରଧାନ ଅବଲମ୍ବନ ବୋଲି ଧରିନେଇ ଗପ ଆରମ୍ଭ କରି ଦେଇଛୁ । କିଛି ସମୟ ଗପ କରିବା ପରେ ମୋ ଅନ୍ତରରେ ଏକ କୌତୁକ ପ୍ରଶ୍ନ ଢୁକିଲା । ସେ ପ୍ରଶ୍ନଟି କଥା ଛଳରେ ପଚାରିଦେଲି–ଦି’ଦି ! ତମେ ବିଭା କଲ ନାହିଁ କାହିଁକି ?

 

ହଠାତ୍ ତାଙ୍କ ଆଖି ଜଳିଉଠି ପୁଣି ନିଷ୍ପ୍ରଭ ହୋଇଗଲା । ମୁଁ ଠିକ୍ ଲକ୍ଷ୍ୟ କରିଛି ମୋ ପ୍ରଶ୍ନରେ ତାଙ୍କ ଚଷମା କାଚତଳ ଆଖି ଦୁଇଟି ଜଳି ଉଠିଲା । ତା’ପରେ ସେ କାହିଁକି ଅସ୍ଵାଭାବିକ ଭାବେ ଭାବପ୍ରବଣ ହୋଇଉଠିଲେ । ମୁଁ ତାଙ୍କର ଏ ପରିସ୍ଥିତିରେ ବିଶେଷ ଦୁଃଖିତ ହୋଇ ଭାବୁଥିଲି–ଏ ପ୍ରଶ୍ନଟି ପଚାରି ମୁଁ କିଛି ଭୁଲ କରି ଦେଇଛି କି ?

 

ମୁଁ ଅସ୍ୱାଭାବିକ ଭାବେ ଲଜ୍ଜିତ ହୋଇ ପଡ଼ୁଥିଲି । ସେ ମୋର ଏ ଲଜ୍ଜିତ ଅବସ୍ଥା ଦେଖି ସହସା ପାଟି ଖୋଲିଲେ–ଆପଣ ଏ ପ୍ରଶ୍ନଟି ପଚାରି ଭୁଲ କରିଛନ୍ତି ବୋଲି ଭାବିଲେଣି ନିଶ୍ଚୟ । କିନ୍ତୁ ଏଥିରେ ଭାବିବାର କିଛି ନାହିଁ । ମୁଁ ଆପଣଙ୍କ ପ୍ରଶ୍ନର ଉତ୍ତର ଦେବି ନିଶ୍ଚୟ । ତଥାପି ସେ ପ୍ରଶ୍ନର ଉତ୍ତର ଦେବା ମୋ ପକ୍ଷେ କେତେଦୂର ସମ୍ଭବପର ହେବ ମୁଁ ଜାଣି ପାରୁନି । ମୁଁ ବି ସେଇ ପ୍ରଶ୍ନଟିକୁ ଚାହେଁ । ସତରେ ମୁଁ ବିଭା ନକଲି କାହିଁକି ? ଏବେ ବି ଏ ପ୍ରଶ୍ନଟି ମୋ ମନରେ ଅମୀମାଂସିତ ହୋଇ ରହିଛି । ଆଶା କରୁଛି ଆପଣ ଆଜି ଏ ପ୍ରଶ୍ନଟିର ମୀମାଂସା କରିବେ..... ଏତକ କହି ଗଳାରେ ଜମି ଆସୁଥିବା ଜଡ଼ତାକୁ ସେ ପରିଷ୍କାର କଲେ ।

 

ମୁଁ ବିସ୍ମିତ ହୋଇ ପଡ଼ିଲି । ଆଉ ମତେ....କିନ୍ତୁ ବାସ୍ତବିକ ତାଙ୍କ କହିବା କଥାର ଉଦ୍ଦେଶ୍ୟଟା ତା’ ନଥିଲା । ସେ ପୁଣି ଆରମ୍ଭ କଲେ–ମୁଁ ଏଥର ଆପଣଙ୍କୁ ମୋ ଜୀବନୀ କହିବି । ହୁଏତ ସେଇଥିରୁହିଁ ଆପଣ ଆପଣଙ୍କ ପ୍ରଶ୍ନର ଉତ୍ତର ପାଇବେ ନିଶ୍ଚୟ ।

 

ୟା ଭିତରେ ଟ୍ରେନ କେତୋଟି ଷ୍ଟେସନ ଅତିକ୍ରମ କରି ସାରିଲାଣି । କିନ୍ତୁ ବିଶେଷ ଯାତ୍ରୀ ନଥିଲେ ବୋଧେ । କାହିଁକି ନା ଆମ କମ୍ପାର୍ଟମେଣ୍ଟରେ କେହି ଏପର୍ଯ୍ୟନ୍ତ ଉଠିନାହାନ୍ତି ।

 

ମୁଁ ତାଙ୍କ କଥା ଶୁଣିବା ପାଇଁ ବସିଥାଏ । ମୋ ମୁଣ୍ଡ ଉପରୁ ଖର ନିଶ୍ୱାସର ସୁଉ ସୁଉ ଶବ୍ଦ ଶୁଭୁଥାଏ । ଯାତ୍ରୀ ବି ବୋଧେ ନିଶ୍ଚିନ୍ତ ନିଦ୍ରାରେ ବିଭୋର–ଯା ହଉ ସେ ଏଥର ସବୁ ଅନୁକୂଳ ପରିସ୍ଥିତି ଲକ୍ଷ୍ୟ କରି ଆରମ୍ଭ କଲେ–ଏ ମୋର ନିର୍ବୋଧ ଯୌବନର ଇତିହାସ । ସେତେବେଳେ ଷୋହଳ ବର୍ଷ ମତେ । ଟାଟାରେ ବାପାଙ୍କ ପାଖରେ ରହି ମାଟ୍ରିକ ପଢ଼ୁଥିଲା ବେଳେ ହଠାତ୍ ମୁଁ ଜଣକୁ ଭଲପାଇ ବସେ । ଯା’ ଫଳରେ ସମାଜ ଚକ୍ଷୁରେ ମୁଁ ଅସତୀ ହୁଏ–ବାପା ଏ ସବୁ କଥା ଶୁଣି, ଜାଣି ମତେ ବିଭା ଦେବାକୁ ଇଛା କରନ୍ତି । କିନ୍ତୁ କୁପ୍ରଚାର ହେତୁ ତାଙ୍କ ସଦ୍ଇଛା ପୂର୍ଣ୍ଣ ହୁଏନି-। ଫଳରେ ବାଧ୍ୟହୋଇ ମୁଁ ନର୍ସ କୋର୍ସ ଆରମ୍ଭ କରେ–

 

ନର୍ସ କୋର୍ସ ପଢ଼ୁଥିଲାବେଳେ ସେଭଳି ମୋ ଜୀବନରେ ଅଶୁଭ ମୁହୂର୍ତ୍ତ ଆସେ । ମୁଁ ଭଲ ପାଇ ବସେ ଜଣେ M.B.B.S ଛାତ୍ରକୁ ଏବଂ ତାକୁହିଁ ବିବାହ କରିବାକୁ ମନସ୍ଥ କରି କଳ୍ପନାର କୋଣାର୍କ ତୋଳିଲା ବେଳେ ସେ କୋଣାର୍କ ତା’ ପିତାମାତା ଲାଗି ଭୁଷୁଡ଼ି ପଡ଼େ । ମୁଁ ଶୋଚନୀୟ ଭାବେ ଭାଙ୍ଗିପଡ଼େ । ଆଉ ସେଇଦିନଠାରୁ ମୁଁ ପୁରୁଷଙ୍କୁ ଦେଖିଲେ ସ୍ନେହ ପରିବର୍ତ୍ତେ ଘୃଣା କରିବାକୁ ଆରମ୍ଭ କରେ । କିନ୍ତୁ ଯୌବନର ସମୟରେ କଣ ଏ ଘୃଣା ଚିରସ୍ଥାୟୀ ହୋଇ ରୁହେ ? ଯୌବନର ଦାଉରେ ମୁଁ ବିଚଳିତ ହୋଇ ପଡ଼ିଲାବେଳେ ମୋ ସହିତ ଭେଟହୁଏ ଏକ କଣ୍ଟ୍ରାକ୍ଟର ସଙ୍ଗେ । ସେତେବେଳେ ମୁଁ ନର୍ସ କୋର୍ସ କମ୍ପଲିଟ କରି ଏଇ ବଡ଼ ଡାକ୍ତରଖାନାରେ ଥାଏ । ବଡ଼ ଡାକ୍ତରଖାନାର ନବନିର୍ମିତ ପ୍ରସୂତି ଭବନର ସେତେବେଳେ ମୂଳଦୁଆ ପଡ଼ୁଥାଏ ଏବଂ ତାକୁହିଁ ସେଇ କଣ୍ଟ୍ରାକ୍ଟର କରୁଥାଏ ।

 

ତାଙ୍କ ସହିତ ଗୋଟିଏ ବର୍ଷ ମୁଁ ହସ ଖୁସିରେ ଅତିବାହିତ କରି ଦେଇଛି । ତା’ପରେ ମୋ ଭାଗ୍ୟ ଆକାଶରେ ଘୋଟି ଆସେ କଳାହାଣ୍ଡିଆ ମେଘ । ଇନ୍‍ଫ୍ଲୁଏଞ୍ଜାରେ ସେ ମରିଗଲେ–ମୁଁ କିନ୍ତୁ ତାଙ୍କ ମୃତ୍ୟୁରେ କାନ୍ଦିପାରେ ନା, ନ କାନ୍ଦିବା ପାଇଁ ମତେ ଏ ସମାଜରେ ଲାଲ ଲାଲ ଡିମା ଡିମା ଆଖି ଧମକ ଦିଏ । ମୁଁ ସେଇ ସମାଜଘେରା ଦୁର୍ଭେଦ୍ୟ ପାଚେରୀ ଭିତରେ ରହି ଅସହାୟା ମନେକରେ ନିଜକୁ । କିନ୍ତୁ ଏ ପରିସ୍ଥିତି ବହୁଦିନ ଧରି ମୋତେ ଭୋଗ କରିବାକୁ ପଡ଼େନା–ମୁଁ ପୁଣି ଜଣେ ଭଦ୍ରଲୋକ, ମାନେ ଆମ ସେଇ ଡାକ୍ତରଖାନାର କିରାଣୀଙ୍କର ବାହୁ ଛାୟାତଳେ ଆଶ୍ରୟ ନିଏ । କିନ୍ତୁ ଭାଗ୍ୟମୋର ଛୋଟ, ସେ ମତେ ଭୁଲ ବୁଝନ୍ତି । ଫଳରେ ମୁଁ ତାଙ୍କୁ ପରିତ୍ୟାଗ କରେ ।

 

ଯୌବନର ଉଦ୍ଦାମତାରେ ସେତେବେଳକୁ ମୋର ବିଚଳିତ ହେବାର ବୟସ ମୁଁ ଡେଇଁ ଆସିଥାଏ । ଆଉ ଏଇ ଉଦ୍ଦାମତା ସହ୍ୟ କରି କରି ମୋର ଦେହସହା ହୋଇ ଯାଇଥାଏ । ତାଙ୍କ ପାଖରେ ଅବିଶ୍ଵାସର ଚିହ୍ନ ଦେଖି ତାଙ୍କ ମୁହଁ ଦେଖିଲେ ମୁଁ ଜଳିଉଠେ–ଅନ୍ତର ମୋର ବିଦ୍ରୋହୀ ହୋଇଉଠେ । ଆଉ ଏଇ ଦେହର ପ୍ରତ୍ୟେକ ଶିରା ପ୍ରଶିରାରେ..... ।

 

ସେ ଆଉ କିଛି କହିପାରିଲେ ନାହିଁ । କଣ୍ଠସ୍ଵର ତାଙ୍କର ଜଡ଼ତାରେ ଅସ୍ପଷ୍ଟ ହୋଇଉଠୁଥିଲା । ଆଉ ଆଖିରେ ପାଣି ଜମି ଆସୁଥିଲା । ସେ ଏଥର ସେ ପାଣିକୁ ରୁମାଲରେ ପୋଛିଲେ–ତା’ କରୁଣ ଜୀବନର ଇତିହାସ ଶୁଣି ମୁଁ ଦୀର୍ଘନିଶ୍ଵାସ ତ୍ୟାଗ କଲି । ମୋ ମୁଣ୍ଡ ଉପରେ ଶୋଇଥିବା ଯାତ୍ରୀଟି ବି ଦୀର୍ଘ ନିଶ୍ୱାସ ପକାଉ ଥିଲା । ଆଉ ଖୁବ୍ ଦ୍ରୁତଗତିରେ ଘୂରୁଥିଲା ବିଦ୍ୟୁତ ପଂଙ୍ଖାଟା !!! ମୁଁ ମନେକଲି ଏଠି ଏକ ଝଡ଼ ଆରମ୍ଭ ହୋଇଗଲା କି !

 

ଆଜି ବି ସେ ଅବିବାହିତା । କିନ୍ତୁ ତାକୁ କୁମାରୀ କହି ହେବ ନି, ନା, କାହିଁକି ବିବାହ କଲେନି, ବି ପଚାରି ହେବନି । ମୁଁ ଠିକ୍ ଭାବୁଥିଲି–ସେ ଠିକ୍ କହିଛନ୍ତି, ମୋର ଏଇ ପ୍ରଶ୍ନ ଏକ ଅମୀମାଂସିତ ପ୍ରଶ୍ନ... I

 

ଟ୍ରେନ୍ ଦ୍ରୁତଗତିରେ ପଡ଼ି ଉଠି ଧାଇଁଛି, ୟା ଭିତରେ ଖୋର୍ଦ୍ଧାରୋଡ଼ ଗଲାଣି । ସେ ଯୁବକଟି ବି ଚାଲି ଯାଇଛନ୍ତି । ଆଉ ବି ଅନେକ ସେଇ କମ୍ପାର୍ଟମେଣ୍ଟରେ ଉଠି ପୁଣି ନିର୍ଦ୍ଦିଷ୍ଟ ସ୍ଥାନକୁ ଚାଲି ଯାଉଛନ୍ତି ।

 

ଯିବା ଆସିବା ଲାଗିଛି–କିନ୍ତୁ ମୁଁ ବସିଥିଲି ଚୁପ୍ ହୋଇ–

 

ହୁଠାତ୍ ସଶବ୍ଦରେ ଟ୍ରେନର ଗତି ବନ୍ଦ ହେଲା । ମୋ ଭାବନାରେ ଆଘାତ ଜନ୍ମିଲା । ମୁଁ କମ୍ପାର୍ଟମେଣ୍ଟର ଝରକା ଦେଇ ବାହାରକୁ ଚାହିଁଲି, ମୋ ଆଖି ଆଗରେ ହିନ୍ଦି, ଓଡ଼ିଆ, ବଙ୍ଗଳା, ଉର୍ଦ୍ଦୁରେ ଏଭଳି ଚାରୋଟି ଭାଷାର ଶବ୍ଦ ଭାସିଉଠିଲା–ପୁରୀ–ପୁରୀ–ପୁରୀ– ।

 

ମୁଁ ଅନୁଭବ କଲି ସେଇ ମତେ ଆହ୍ଵାନ କରୁଛି–ଆସ ! ଆସ !

 

ମୋ ଉଠିବା ପୂର୍ବରୁ ସେ ଉଠି ଠିଆ ହୋଇଥିଲେ । ମୋ ଚେତନା ଫେରିବା ଦେଖି ସେ କହିଲେ–ଚାଲ ଯିବା !

 

ମୁଁ ମୁଣ୍ଡ ଦୋହଲାଇଲି, ମୋ ମୁଣ୍ଡ ଦୋହଲାରୁ ସେ ବୁଝିଲେ, ତାଙ୍କ କଥାରେ ମୁଁ ସମ୍ମତି ଦେଲି । ତେଣୁ ସେ ଆଗେଇଲେ–ତା’ପରେ ପରେ ମୁଁ–ଦୁହେଁ ବାହାରକୁ ଗଲୁ । ତା’ପରେ ସେ ପ୍ରଶ୍ନ କଲେ–ଆପଣ ଏଥର ଯିବେ କୁଆଡ଼େ ?

 

–ବସାକୁ ।

 

–ଆଉ କେବେ ଦେଖା ହେବ ?

 

ରାତ୍ରିର ଅପରିଚ୍ଛନ୍ନ ଅନ୍ଧକାର ଆହୁରି କଟି ନଥିଲା । ରାସ୍ତାକଡ଼ର ବିଜୁଳିବତୀ ଖୁଣ୍ଟରୁ ବିଚ୍ଛୁରିତ ଆଲୋକରେ ମୁଁ ତାଙ୍କୁ ଚାହୁଁଥିଲି । ତାଙ୍କର ଦୃଷ୍ଟିକେନ୍ଦ୍ର ମୋରି ଉପରେ ନିବଦ୍ଧ ଥିଲା । କେବେ ଦେଖା ହେବ ! ହୁଏତ ଆଉ ଦେଖା ହୋଇ ନପାରେ । ଦେଖା ହେବା ପାଇଁ ପରସ୍ପର ମନରେ ସେ ଭଳି କିଛି ଦୁର୍ବାର କାମନା ନଥିଲା । ବହୁ ଦିନ ପରେ ଆକସ୍ମିକ ଏ ସାକ୍ଷାତ, ଆଉ ଦିନେ ହୁଏତ ୟା ଠାରୁ ଆହୁରି ଆକସ୍ମିକ ଭାବେ କେବେ ଦେଖା ହୋଇ ପାରେ ।

 

ସେ ରିକ୍‍ସା ବାଲା ସହିତ ୟା’ ଭିତରେ ଭଡ଼ା ଚୁକ୍ତିକରି ଉଠିବାର ଉପକ୍ରମ କରୁଥିଲେ । ଜନଗହଳି ବଡ଼ ପାତାଳ । ସେ ବିଗତଯୌବନା ନାରୀଟିକୁ ମୁଁ ଚାହିଁଥିଲି । ସେ ଚାହିଁବା ପଛରେ ଲକ୍ଷ୍ୟହୀନତା ନଥିଲା । ହଠାତ୍ ମୋ ମନ ଭିତରେ କିଏ ଯେମିତି ବିଳାପ କରୁଥିଲା, ସେ ବିଳାପକୁ ବୁଝି ହୁଏନି, ବୁଝାଇ ହୁଏନି, ତାର କାରଣ ବି ଖୋଜି ହୁଏନି । ତଥାପି କିଏ ତୁହାଇ ତୁହାଇ କହୁଥିଲା–ଆହା, ଆହା– I

☆☆☆

 

ନୀଳିମା ନିଦାନଭୂଇଁ ନୀଳରାତି

 

ମୁହଁଟି ତା’ର ପ୍ରସ୍ଫୁଟିତ ପଦ୍ମର ଶୋଭା ଧାରଣ କରିଥିଲା । ତା କଜଳପାତିର ଆଖିରେ ବିନୀତ ବଶମ୍ବଦ ଚାହାଣୀ ଫୁଟି ଉଠିଥିଲା । ଆଉ ତା’ର ରକ୍ତାଧର ଦୁଇଟିରେ ଚଳନ ସୃଷ୍ଟି ହେଉଥିଲା...ସେ କ’ଣ କହିବ କହିବ ହୋଇ କହିପାରୁ ନ ଥିଲା ।

 

ସେ ଭଗିନୀ ପଦବାଚ୍ୟ ନୁହେଁ । ଭାଇଭଉଣୀର ସମ୍ପର୍କରେ ଯେଉଁ ସରଳତା ସୁଲଭ, ତାହା ଆମ ଭିତରେ ନ ଥିଲା । ‘ଆପଣ’ କହିଲେ ହୁଏତ ସେ କ୍ଷୁଣ୍ଣ ହେବ, କାରଣ ଆମ ପରିଚିତର ନିବିଡ଼ତାକୁ ସେଥିରେ ଅପମାନିତ କରାହେବ । ଏକ ଉଚିତ ସମ୍ବୋଧନ ଅବିଷ୍କାର ଲାଗି ମୁଁ ସେତେବେଳେ ବ୍ୟସ୍ତ ଥିଲି । ସେ କିନ୍ତୁ ସେଇ ଦ୍ଵନ୍ଦ୍ଵର ଧାର ସୁଦ୍ଧା ଧାରି ନ ଥିଲା । ଖୁବ୍ ସହଜଭାବେ ସେ ମତେ ସମ୍ବୋଧନ କଲା–ଆପଣ !

 

ଛକ ପୁଲିସର ହୁଇସିଲ୍ ଓ ନିର୍ଦ୍ଦେଶରେ ଚକୋଲେଟ୍ ରଙ୍ଗର ସେଇ ଅଷ୍ଟିନକାରଟି ଗତିରେ ବ୍ରେକ କଷିଛି । ଦ୍ରୁତଗତି ତା’ର ଶିଥିଳ ହୋଇ କ୍ରମେ ଅବିଚଳିତ ରହିଛି । ଆଉ ସେଇ ଜାତିହୀନ ଗାଡ଼ିର ଝରକାରେ ମୁହଁ ଗଳେଇ ସେ ମୋ ଆଡ଼େ ଚାହଁଛି.......ଆଉ ଚାହିଁଛି......

 

କିଛି ଗୋଟାଏ ନିର୍ଦ୍ଦିଷ୍ଟ କାମରେ କିମ୍ଵା ନିର୍ଦ୍ଦିଷ୍ଟ କେଉଁ ସ୍ଥାନକୁ ମୁଁ କିନ୍ତୁ ଯାଉ ନ ଥାଏ । ସନ୍ଧ୍ୟା ହେଲେ ଏ ଭଳି ଲକ୍ଷ୍ୟହୀନ ଭାବେ କୁଆଡ଼କୁ ନାଇଁ କୁଆଡ଼କୁ ବୁଲିଯିବା ମୋର ଏକ ବହୁଦିନର ବଦଭ୍ୟାସ–ସଉକ । ଏଭଳି ଯିବା ପୁର୍ବରୁ କେଉଁଠାକୁ ମୁଁ ଯାଉଛି ଜାଣେନା, କିନ୍ତୁ ଯାଉ ଯାଉ ଯୁଆଡ଼େ ଚାଲିଯାଏ ।

 

ଏଭଳି ଏକ ଲକ୍ଷ୍ୟହୀନ ଭାବରେ ମୁଁ ଏବଂ ମୋର ଜନୈକ ବନ୍ଧୁ ବାରଆଡ଼ୁ ତେର ଗପ କରି ରାଜପଥରେ ଚାଲିଥାଉ । ପୋଲିସ ଷ୍ଟାଣ୍ଡ ଟପି ଦୁଇପାଦ ଆଗକୁ ଯାଇଛୁ, ମୁଁ ଅଟକି ଗଲି ଏବଂ ସଂଭ୍ରମରେ ଥରେ ଚାହିଁଲି–ମୋର କେଇ ହାତ ଦୂରରେ ଏକ ଚକୋଲେଟ୍ ରଙ୍ଗର ଅଷ୍ଟିନ କାର ଅଟକିଛି, ଆଉ ସେଇ କାରର ଝରକା ଦେଇ ଜଣେ ସୁଶ୍ରୀ ତରୁଣୀ ମୋ ନାମ ଧରି ସମ୍ବୋଧନ କରୁଛି ।

 

ସିଏ ନୀଳିମା । ଆଉ ଟିକିଏ ତା’ ପରିଚୟଟା ସ୍ପଷ୍ଟ କରି କହିଲେ, ତାକୁ କୁହାଯିବ ମିସ୍ ନୀଳିମା ସାମନ୍ତରାୟ । ଏଇ ସହରର କେଉଁ ଏକ ବାଳିକା ବିଦ୍ୟାଳୟର ସେ ସହଶିକ୍ଷୟିତୀ...

 

ତା’ ପାଟିରୁ ମୋ ନାମଟା ଶୁଣି ମୁଁ ଆଶ୍ଚର୍ଯ୍ୟ କିମ୍ବା ବିସ୍ମିତ ହୋଇନି । କାରଣ ତା’ ସହିତ ମୋର ପୂର୍ବରୁ ପରିଚୟ ଅଛି । ଆଉ ତା’ ସହିତ ମୋର ପ୍ରଥମ ଚିହ୍ନା ପରିଚୟ ହୁଏ ଏଇ କଟକରେ...ଶିକ୍ଷକ ତାଲିମ ଅନୁଷ୍ଠାନରେ...

 

ଉପାଧି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାପରେ ଗୋଟାଏ ଶିକ୍ଷକ ହେବାକୁ ମୋର କାହିଁକି ଏକ ଝୁଙ୍କ ଉଠିଲା । ଆଜୀବନ ଶିକ୍ଷକ ବୃତ୍ତି କରି କଟାଇ ଦେବାକୁ ବଦ୍ଧପରିକର ହୋଇ ତାଲିମ ଲାଗି ଆସିଲି । ମନରେ ଅକଳନ୍ତି ଆଶା ଓ ଅଶେଷ ଭାବାବେଶ...

 

ମୋରି ଭଳି ସିଏ ବି ସେଇ ଆଶା କରି ଆଗେଇ ଆସିଥିଲା । ଅକସ୍ମାତ କେଉଁ ଏକ ମାହେନ୍ଦ୍ର ବେଳାରେ ତା’ ସହିତ ମୋର ହୁଏ ପ୍ରଥମ ଦେଖାସାକ୍ଷାତ...

 

ସେ ଦୀର୍ଘ, ଦୀର୍ଘ, ଦୁଇବର୍ଷ ତଳର କଥା–

 

ପରୀକ୍ଷା ସରିଲା । ସେ ଦିନ ଟ୍ରେନିଂ କଲେଜରୁ ବିଦାୟ ଘେନି ଆସିବା କଥା । ହଠାତ୍ ଏଇ ନୀଳିମା ମୋ ପାଖକୁ ଆସି ପ୍ରଶ୍ନ କରିଥିଲା–ଏଥର ଆପଣ ଶିକ୍ଷକତା କରିବେ ନା ?

 

ସେ ପର୍ଯ୍ୟନ୍ତ ମୁଁ ଶିକ୍ଷକତା କରିବି ବୋଲି ମନସ୍ଥ କରିଥିଲି ଏବଂ ସେଇଆହିଁ ତାଙ୍କୁ ପ୍ରତିଶ୍ରୁତି ଦେଇଥିଲି; କିନ୍ତୁ ଏ ଦେଶରେ ଶିକ୍ଷକର ସ୍ଥାନ ଏତେ ହେୟ ବୋଲି ମୁଁ ଜାଣି ନ ଥିଲି । ପରେ ଯେତେବେଳେ ଜାଣିଲି, ବାଧ୍ୟ ହୋଇ ସେ ବୃତ୍ତି ଛାଡ଼ି ପୁନଶ୍ଚ ମହାବିଦ୍ୟାଳୟର ସ୍ନାତକୋତ୍ତର ଶ୍ରେଣୀରେ ନାମ ଲେଖାଇଲି ।

 

କିନ୍ତୁ ନୀଳିମା ?

 

ସେ ଶିକ୍ଷୟିତ୍ରୀ ହୋଇଛି । ଏଇ ଦୁଇବର୍ଷ ଭିତରେ ତା’ସହିତ ଏଇ ରାଜପଥରେ ଅସଂଖ୍ୟ ଥର ଅକସ୍ମାତ୍ ଦେଖା ସାକ୍ଷାତ ହୋଇଥିବ ଏବଂ ଅସଂଖ୍ୟ ଥର ବି ସେ ତା ବସାକୁ ଯିବାକୁ ମତେ ଅନୁରୋଧ କରି କହିଥିବ–ଆପଣ ଏଇଠି ଥାଇଁ ଯାଉନାହାନ୍ତି ?

 

ତା’ ବସାକୁ ଯିବାପାଇଁ ମୋର ଯଥେଷ୍ଟ ଇଚ୍ଛା ଥିଲେହେଁ ଯାଇ ପାରେ ନା । ଅବଶ୍ୟ ତାଙ୍କ ବସାଟା କାଳିଗଳିରେ ବୋଲି ମୁଁ ଜାଣେ, ତେବେ କେଉଁ ବସାଟା ତାଙ୍କର ଏବଂ ତାଙ୍କ ପିତାଙ୍କ ନାମ କ’ଣ ଜାଣେନା । ତେଣୁ ଯାଇ ପାରେନା । କେମିତି ବା ଯିବି ? କେମିତି ବସାଟା ଚିହ୍ନିବି ? ଆଉ କାହାକୁ ପଚାରିବି ? କ’ଣ ପଚାରିବି ? ଏଭଳି ନାନା ଅସୁବିଧାରୁ ସବୁଥର ତାଙ୍କୁ ଯିବାକୁ ପ୍ରତିଶ୍ରୁତି ଦେଇ ଯାଇ ପାରେନା ।

 

ମିସ୍ ନୀଳିମା ସାମନ୍ତରାୟ ମୋ ଉପରେ ତାଙ୍କର ମୀନାକ୍ଷିଯୁଗଳରେ ଅଶେଷ ପ୍ରଶ୍ନ ଫୁଟାଇ ଚାହିଁଥିଲେ–ସେ ମୋଠାରୁ କିଛି ଉତ୍ତର ଆଶା କରନ୍ତି ବୋଧେ...ସେ ଉତ୍ତର ହେଉଛି–ମୁଁ କେବେ ବସାକୁ ଯିବି ?

 

ମୁଁ ସେ ପର୍ଯ୍ୟନ୍ତ ସଂବୋଧନଟା ଠିକ୍ କରି ପାରି ନ ଥିଲି । ଆଉ ବି ଠିକ୍ କରିବାକୁ ସମୟ ନ ଥିଲା । ସେ ୟା ଭିତରେ ମୋତେ ଅନେକ କଥା ପଚାରି ସାରିଛନ୍ତି, ମୁ ଖାଲି ହସୁଛି । କିନ୍ତୁ ହଠାତ୍ ମୋରଧାରଣା ହେଲା, ତାଙ୍କ ବସାକୁ ମୁଁ କେବେ ଯିବାକୁ ସେ ପ୍ରଶ୍ନ ପଚାରୁଛନ୍ତି ।

 

ମୁଁ ହଠାତ୍ କହିଉଠିଲି–ଏଇ ଦୁଇ ଚାରି ଦିନ ଭିତରେ ଯିବି । ତେବେ ବସାଟା....

 

ସେ ମୋ କଥା ଶୁଣି ହସି ଉଠିଲେ...ଝରଣାର ହସ ଏବଂ ସହସା ସେ ହସର ସ୍ରୋତକୁ ଧୈର୍ଯ୍ୟର ସହିତ ରୋକି ତାଙ୍କ ପିକ କଣ୍ଠରେ କହିଲେ...ଆପଣ ମୋ ବସା ଦେଖି ନାହାନ୍ତି ? ହେ ମା ! ଅଥଚ ଆପଣ ଯିବେ ଯିବେ ବୋଲି ସବୁଥର କହୁଛନ୍ତି ଯେ... ତାଙ୍କ କଥା ଶୁଣି ମୁଁ ଟିପି ଟିପି ହସି ଉଠିଲି । ଆଉ ମୋର ହସ ମତେ ହିଁ ସ୍ଵୀକାର କରୁଥିଲା–ମୁଁ ଅପଦସ୍ଥ ।

 

ହଠାତ୍ ତାଙ୍କ ଗାଡ଼ି ଈଷତ୍ ଥରିଉଠିଲା । ମିସ୍ ନୀଳିମା ଅସ୍ଥିର ହୋଇ ଉଠିଲେ । ତାଙ୍କ ଗାଡ଼ି ଷ୍ଟାର୍ଟ ଦେଲା ବୋଧେ । ତେଣୁ ସେ ତାଙ୍କ ବସା ଠିକଣାଟା ଖୁବ୍ ଚଞ୍ଚଳ କହିଦେଲେ । ଷ୍ଟାଣ୍ଡ ପୋଲିସ ତାଙ୍କ ଗାଡ଼ିକୁ ପାସ ଦେଲା । ସେ ଏଥର ସଂପୂର୍ଣ୍ଣ ବିଚଳିତା ହୋଇ କହିଲେ–ବସା ଠିକଣା ଜାଣିଲେ–ଯିବେ–ଯିବେ ନିଶ୍ଚୟ–ନମସ୍କାର !

 

–ଏଇ ଗୋଟାକ ଖାନ୍‍ନଗର ମଶାଣି ।

 

–ଏଇ...

 

ୟା ଭିତରେ ଆମେ ବହୁତ ପଥ ଅତିକ୍ରମ କରି ଆସିଛୁ । ନୀଳିମା ବିଷୟରେ ଭାବିବା ଛଡ଼ା ବନ୍ଧୁ ଜଣକ ମୋତେ କ’ଣ କହୁଛନ୍ତି, ଏକ ଖିଆଲରେ ମୁଁ ଶୁଣି ପାରିନି ! ହଠାତ୍ ବନ୍ଧୁ ଜଣଙ୍କ କଥାରେ ମୁଁ ହାତ ଆଙ୍ଗୁଠି ବଢ଼ାଇ ଦେଉ ଦେଉ ସଚେତନ ହେଲି–ଇସ୍ ! ମୁଁ ମଶାଣିକୁ ହାତ ବଢ଼ାଇ ଦେଲି ?

 

ନିହାତି କଅଁଳ ବୟସରେ ମୁଁ ଯଦି ଅଜାଣତରେ ଗାଁ ମଶାଣିକୁ ହାତ ବଢ଼ାଇ ଦିଏ, ସାଥି ସାଥି ହାତଟିକୁ ପାଟିରେ ଭରିଦିଏ । ଆଜି ମୁଁ ମଶାଣିକୁ ହାତ ବଢ଼ାଇ ଦେଇଥିଲେହେଁ ପାଟିରେ ହାତ ଭରି ପାରିଲି ନାହିଁ ।

 

ବନ୍ଧୁ ଜଣକ ପୁଣି କହିଲେଣି–ଚାଲନ୍ତୁ ମଶାଣି ଆଡ଼େ ବୁଲିଯିବା !

 

ମୁଁ ମନା କଲି । କହିଲି–ତ୍ରିକାଳ ସନ୍ଧ୍ୟାରେ ମଶାଣିକୁ ଯିବା ଅନୁଚିତ ।

 

ମୋର ଏହି ହିତ ଉପଦେଶ ଶୁଣି ବନ୍ଧୁ ଜଣକ ହସିଉଠିଲେ ।

 

ମୁଁ ତାଙ୍କ ସହିତ ହସରେ ତାଳ ମିଳାଇ ଦେଇ ହସିଲି । ମୁଁ ହସିଲି କାହିଁକି ? ଓଃ....ମୁଁ ମଶାଣିକୁ ଭୟ କରିଛି ! ଆରେ–ମତେ ଯେ କେଉଁ ମୁହର୍ତ୍ତରେ ଦିନେ ଏଇ ମଶାଣିକୁ ଯିବାକୁ ପଡ଼ିବ–ଏଇ ମଶାଣିକୁ ନ ହେଲେ ଆଉ କେଉଁ ମଶାଣିକୁ..... ବହୁ ଆଦର ଯତ୍ନରେ ପାଳିତ ଏ ଶରୀର ଏଇ ମଶାଣିର କେତେ ମୁଠା ଅବଶିଷ୍ଟ ପାଉଁଶରେ ପରିଣତ ହେବ । ଜୀବନଗୋଟାକର ପ୍ରିୟ ପଦାର୍ଥର ଏ ପରିଣତି କଥା ଭାବି ମୁଁ ଶିହରି ଉଠିଲି।

 

ଶୀତୁଆ ସଞ୍ଜବେଳଟିଏ ସେ..... ହେମନ୍ତର..... କାଠଯୋଡ଼ିକୂଳ ଅଭିମୁଖରେ ମୁଁ ଓ ମୋ ବନ୍ଧୁ ଚାଲିଥାଉ । ମୁଁ ଏ ସଂସାରର ମାୟା ମମତାକୁ ଖିନିଭିନି ଭାବେ ବିଶ୍ଳେଷଣ କରି ଆଗୋଉଥାଏ । ମୁଁ ଦିନେ ମରିବି; ଅଥଚ ମୁଁ ଏ ସଂସାରର ମାୟାରେ ଏଭଳି ଓତଃପ୍ରୋତ ଭାବେ ଜଡ଼ିତ ଯେ, ଏକ ନିରାଟ ସାଧୁବାଣୀ ଜାଣି ସୁଦ୍ଧା ବିଶ୍ୱାସ କରେନା ।

 

ମୁଁ ଦିନେ ମରିବ ? ହେଃ–ମୁଁ ନୁହଁ–ମୁଁ ନୁହଁ..... ଆମେ ଆଗେଇ ଯାଉଛୁ । ଅନ୍ଧକାର ଘନେଇ ଆସୁଛି । ଦୂରେ–ବହୁଦୂରେ ଦିଗବଳୟର ତୀରେ ତୀରେ କୁହୁଡ଼ି ଧୂଆଁରେ ତରୁଲତା ଆଚ୍ଛନ୍ନ ହୋଇ ଗଲାଣି । ରାତି ଘନେଇ ଆସୁଥିବାରୁ କାଠଯୋଡ଼ି କୁଳର ଭ୍ରମଣକାରୀମାନେ ବେଶୀ ସଂଖ୍ୟକ ଲେଉଟାଣି ପଡ଼ିଲେଣି । କାଠଯୋଡ଼ିର ବନ୍ଧ ଅନ୍ଧାରର ଶୀର୍ଣ୍ଣାଲୋକରେ ଅସ୍ପଷ୍ଟ ଦିଶିଲାଣି । ମଶାଣି ଉପରେ ବହୁ ଆଲୋଚନା କରି ଆମେ ଆଗେଇଛୁ । ହଠାତ୍ ମୋର ଧାରଣା ହେଲା ଯେ ରାତି ଅନେକ ହେଲାଣି–ଅତଏବ ଫେରିବା ।

 

ମୁଁ ଆଉ ଆଗକୁ ପାଦେ ନ ଚାଲି ଅଟକିଗଲି । ବନ୍ଧୁ ଜଣଙ୍କୁ କହିଲି–ଫେରିବା ?

 

–ହଁ ।

 

ବନ୍ଧୁ ମୋର ଏବାଉଟର୍ଣ୍ଣ କଲେ ।

 

ମଶାଣି ଭୂଇଁ ନୁହେଁ, ସେଇ ନିଦାନଭୂଇଁ ରହିଗଲା ଆମ ପଛରେ.....

 

ପୁଣି ସେଇ ଟ୍ରାଫିକ୍ ପୋଲିସର ହୁଇସିଲ୍, ପୁଣି ସେଇ ସତର୍କ ନିର୍ଦ୍ଦେଶ.....

 

ଆମେ ଦୁହେଁ ଅଟକି ଗଲୁ । ଗୋଟାଏ ଚକୋଲେଟ୍‍ ରଙ୍ଗର କାର ଆମଆଡ଼କୁ ମାଡ଼ି ଆସୁଛି । ସେ କାର କିନ୍ତୁ..... ମୋ ମନ ଯେଉଁ କାରଟିକୁ ଚାହିଁଥିଲା ସେ କାର ନୁହଁ ।

 

ତେବେ ମୋ ମନ କେଉଁ କାରଟିକୁ ଚାହିଁଥିଲା ? –ସେଇଭଳି ଅଷ୍ଟିନ୍ କାରକୁ, ଯଦିଓ ସେଇଟିକୁ ନୁହେଁ । କାରଣ ତା’ ଭିତରେ ସେଇ ତରୁଣୀଟି ନଥିଲା ।

 

ସେ ତରୁଣୀଟି ! ସେ ତରୁଣୀଟି କିଏ ?

 

–ମିସ୍ ନୀଳିମା ସାମନ୍ତରାୟ ।

 

–ମିସ୍ ନୀଳିମା ସାମନ୍ତରାୟ ! ଏଇ ଘଣ୍ଟାକ ପୂର୍ବରୁ ଯିଏ ମତେ ତାଙ୍କ ବସାକୁ ଯିବାକୁ ଅନୁରୋଧ କରିଗଲେ ?

 

କାରଟି ଆମକୁ ଅତିକ୍ରମ କଲା । ମୁଁ ବୁଲିପଡ଼ି ଆଉ ଥରେ ସେ କାରଟି ଉପରେ ବିହଙ୍ଗମ ଦୃଷ୍ଟି ଖେଳାଇ ଆଣିଲି–ଆଉ ସିସ୍ ନୀଳୀମା ସାମନ୍ତରାୟ ସେଥିରେ ଗଲେନି ତ ?

 

–ନା–ସେ ଯାଇନାହାଁନ୍ତି ।

 

ଅଯଥା ମୁଁ ଭାବପ୍ରବଣ ହୋଇପଡ଼ିଲି । ମୋର ଏ ଭାବପ୍ରବଣତା ଲକ୍ଷ୍ୟ କରି ବନ୍ଧୁ ମୋର ବୋଧେ ମୋ ସହିତ ନୀରବରେ ଯିବାକୁ ରାଜି ନଥିଲେ । ତେଣୁ ସେ କାମର ଆଳରେ ମୋଠାରୁ ଦୂରେଇ ଯିବାକୁ ଚାହିଁ କହିଲେ–ମୁଁ ଆସୁଛି.....

 

ବନ୍ଧୁ ଜଣକ ଚାଲିଗଲେ । ମୁଁ ଏଥର ଏକାକୀ ହୋଇ ରାଜପଥରେ ଆସୁ ଆସୁ ନୀଳିମା ବିଷୟରେ ଭାବିବାକୁ ଅବସର ପାଇଲି ।

 

ମିସ୍ ନୀଳିମା ଆଜି ଶିକ୍ଷୟିତ୍ରୀ I

 

ମୁଁ ଆଜି ଛାତ୍ର । ଅଥଚ ଦିନେ ଦୁହେଁ ଥିଲୁ ଛାତ୍ର । ଆଜି ସିସ୍ ନୀଳିମା ପରି ଆମକୁ ଶିକ୍ଷକ ପଢ଼ାଉଛନ୍ତି । ଆଉ ମିସ୍ ନୀଳିମା କ୍ଳାସରେ ଛାତ୍ରୀ ହିସାବରେ ବସି ତା’ ଶିକ୍ଷକଙ୍କ କଥା ଶୁଣିବାର ସମୟ ଡେଇଁ ଆସିଛି । ସେ ଆଜି ତା’ ଛାତ୍ରୀଙ୍କୁ ସେମିତି ପାଠ ପଢ଼ାଇ ଚାଲିଛି; କିନ୍ତୁ ଦିନେ ସେ ଥିଲା ଛାତ୍ରୀ....

 

ସେ କାହିଁ କେତେଦୂର ଅତୀତର ସେଇ ମୁହୂର୍ତ୍ତଟି ?

 

ସେ ଆଜି ଶିକ୍ଷାଦାନ କରୁଛି । ପିଲାଙ୍କ ପରୀକ୍ଷା ଖାତା ଦେଖିଛି । ଅଥଚ ଦିନେ ତା ପରୀକ୍ଷା ଖାତା ଶିକ୍ଷକ ଦେଖୁଥିଲେ । ଆଜି ନୀଳିମା ଜୀବନରେ ବିରାଟ ପରିବର୍ତ୍ତନ ଆସିଛି

 

ଦୀର୍ଘ ନିଶ୍ଵାସ ଛାଡ଼ିଲି……

 

ମଣିଷ ଜୀବନରେ ଏଭଳି ପରିବର୍ତ୍ତନ ହେବା କିଛି ବିଚିତ୍ର ନୁହେଁ, ବରଂ ସ୍ୱଭାବିକ । ଆଉ ମୋ ଜୀବନରେ ଏଭଳି ବି ପରିବର୍ତ୍ତନ ହୋଇଛି । ମୁଁ ପିଲାଟିରୁ ବଡ଼, ମୁର୍ଖରୁ ଶିକ୍ଷିତ–ଉଚ୍ଚ ଶିକ୍ଷିତ ହୋଇଛି । ମିସ୍ ସାମନ୍ତରାୟ ଭଳି ମୁଁ ହୁଏତ ଆରବର୍ଷ କେଉଁ କଲେଜରେ ଶିକ୍ଷକ ନୁହେଁ ଅଧ୍ୟାପକ ହେବି । ନ ହୋଇ ପାରେ ବି । କହିବ ? କିନ୍ତୁ ମୋର ଏ ଛାତ୍ର ଜୀବନରେ ଦିନେ ପୂର୍ଣ୍ଣଛେଦ ପଡ଼ିବ ନିଶ୍ଚୟ । ବିରାଟ ପରିବର୍ତ୍ତନ ହେବ । ଆଜି ମୁଁ ମୋ ପାରିବାରର ଧନରେ ପ୍ରତିପାଳିତ । ଦିନ ଆସିବ ମୋ ପରିବାର ମୋ ଅର୍ଜିତ ଅର୍ଥ ଉପରେ ନିର୍ଭର କରିବ । ଆଉ କିଏ କହିବ ଯେ ଦିନ ନ ଆସିବ ମୁଁ ମୋ ପୁଅମାନଙ୍କ ଉପାର୍ଜିତ ଅର୍ଥ ଉପରେ ଦିନେ ନିର୍ଭର ନ କରିବି ? ପରିବର୍ତ୍ତନଶୀଳ ଦୁନିଆ–ଏମିତି ର୍ମୁହୁମୁହୁ ପରିବର୍ତ୍ତନ ହେଉଛି–ହେଉଥିବ ।

 

ପୁଣି ଏକ ଦୀର୍ଘନିଶ୍ଵାସ ଛାଡ଼ି ବସାଦ୍ଵାର ଖୋଲିଲି, ବସାଘରଟା ସଂପୂର୍ଣ୍ଣ ଅନ୍ଧକାରାଚ୍ଛନ୍ନ-। ଏ ଅନ୍ଧକାର ଦୁରୀଭୂତ ହେବ ଆଲୋକ ଜଳିଲେ । ଦିଆସିଲି ମାରି ଆଲୋକ ଜଳାଇଲି-। ପୋଷାକ ବଦଳାଇ ବସିଲି–ମୁଁ ଏଥର ପଢ଼ିବି । ମୋତେ ପଢ଼ିବାକୁ ହେବ । ମୋତେ ଆଗକୁ ଆଗେଇବାକୁ ହେବ । ନୀଳିମାର ଜୀବନରେ ପରିବର୍ତ୍ତନ ଆସିଲାଭଳି ମୋ ଜୀବନରେ ପରିବର୍ତ୍ତନ ଆସିବ । ପୁଣି ପରିଶେଷରେ ସେଇ ନିଦାନ ଭୂଇଁକୁ ମତେ ଯିବାକୁ ପଡ଼ିବ……

 

ରାତି ଆଠଟା ହୋଇଥାଏ । ବସାରେ ସଂପୂର୍ଣ୍ଣ ଏକାକୀ ମୁଁ । ବନ୍ଧୁମାନେ ଛୁଟିରେ ଗାଁକୁ ଯାଇଛନ୍ତି । ଦିନ କେଇଟି ପୂର୍ବେ ଯେଉଁ ଘରଟି ହସର କଳକଲ୍ଲୋଳରେ ଫାଟି ପଡ଼ୁଥିଲା, ପୁଣି ଅସ୍ପଷ୍ଟ ଗୁଞ୍ଜନରେ ଭରିଉଠୁଥିଲା, ସେଠି ନୀରବତାର ରାଜୁତି…କେମିତି ଡର ଲାଗୁଛି । ପୁଣି ହେମନ୍ତର ଏ କାକରଭିଜା ସମୀରଣ ଦେହକୁ ଅସହ୍ୟ ବୋଧ ହେଉଛି । ନା–ଆଉ ସହି ହେବନି ।

 

କବାଟ ବନ୍ଦକଲି । କବାଟ ବନ୍ଦ କରି ମୁଁ ଏଥର ପଢ଼ିବି; କିନ୍ତୁ ପଢ଼ିପାରିଲି କେଉଁଠି ? ବାଧ୍ୟ ହୋଇ ସାଢ଼େ ଆଠଟାରେ ଖାଇବାକୁ ଗଲି ଏବଂ ଫେରିଲି ।

 

ପଢ଼ାବହିରେ ମନଧ୍ୟାନ କେନ୍ଦ୍ରୀଭୂତ କରିବା ଲାଗି ପୁଣି ସେଇ ସାଧନା । ପୃଷ୍ଠାଏ ଦୁଇପୃଷ୍ଠା । ବହିର ବହୁ ପୃଷ୍ଠା ବଦଳୁଛି । ହଠାତ୍ ମନେ ହେଲା–କେଉଁଠି ବାଜା ବାଜୁଛି । ସେ ଶବ୍ଦ ଆସ୍ତେ ଆସ୍ତେ ପାଖେଇ ଆସିଲା । କିମିତି କ୍ଳାନ୍ତିକର ବାଜା–କେତୋଟି ମୁହୂର୍ତ୍ତ–ରାମନାମ ସତ୍ୟ–ହୈ ।

 

–କିଏ ଜଣେ ମରିଗଲା ।

☆☆☆

 

ରକ୍ତଚାପ

 

ଗୋଲକ–ବିଜେତା–ଦର୍ପାନ୍ଧ–ବିନତା ନନ୍ଦନର ଅତର୍କିତ ପ୍ରତ୍ୟାବର୍ତ୍ତନର ଦୁଃସମ୍ବାଦ ଶୁଣି; ନିଜ ପକ୍ଷର ଚରମ ବିପର୍ଯ୍ୟୟ–ଆତଙ୍କିତ–ଶତ ସହସ୍ର ଫଣିପତିଙ୍କର ସମ୍ମିଳିତ ବିକଳ ବିକୃତ ଫୁତ୍‍କାରର ସ୍ଵର ନେଇ, ଝାଉଁବାଟିକା ସଁ ସଁ ହୋଇ ଗର୍ଜନ କରୁଥିଲା । ରଣବିଜେତା–ସୈନିକଙ୍କ ବିଜୟ–ଉନ୍ନତ–ଦୁନ୍ଦୁଭି ନିନାଦର ଉଦଣ୍ଡି–ଗମ୍ଭୀର–ସ୍ୱର ନେଇ ଗର୍ଜନ କରୁଥିଲା ବଙ୍ଗ ଉପସାଗର ।

 

ନାଇଁ–ନାଇଁ, ସେମାନେ କେବଳ ଗର୍ଜନ କରୁ ନ ଥିଲେ, ସେମାନେ ବିଦ୍ରୋହ କରୁଥିଲେ, ପ୍ରତିବାଦ କରୁଥିଲେ, ଜନତାର ଦାବୀ ପୂରଣ କରିବାଲାଗି, ବିପ୍ଳବୀ ଦଳର ନେତାମାନେ ସଭାସମିତିରେ ଭାଷଣଗର୍ଜନ କଲା ଭଳି; ଗର୍ଜନ କରି ପ୍ରତିପାଦର ଉଦ୍ଦେଶ୍ୟ ଜଣାଇ ଦେଉଥିଲେ.....

 

ସମୁଦ୍ର ତା’ ବକ୍ଷରେ ବାରମ୍ବାର ଅଶାନ୍ତି ଊର୍ମି ସୃଷ୍ଟିକରି କହୁଥିଲା–ମୁଁ ଏ ବିଶ୍ଵକୁ ମୋ ବକ୍ଷରେ ଲୀନ କରିଦେବି; ସମଗ୍ର ବିଶ୍ୱରେ ମହାପ୍ଳାବନ ସୃଷ୍ଟି କରି, ଏ ହିଂସା, ଦ୍ୱେଷ, ବ୍ୟଭିଚାର–ବିଷଜର୍ଜରିତ ବିଶ୍ୱକୁ ନିଶ୍ଚିହ୍ନ କରିଦେବି । ଝାଉଁ ବାଟିକାର ଅପ୍ରତିହତ ପବନ କହୁଥିଲା–ମୁଁ ବି ଅଶାନ୍ତ ଘୂର୍ଣ୍ଣି ସୃଷ୍ଟି କରି ଏ ବିଶ୍ୱକୁ ଛାରଖାର କରିଦେବି; ଏ ସଭ୍ୟ ସମାଜର ଅସ୍ତିତ୍ୱକୁ ଧୂଳି-ଧୂସରିତ କରି ଏ ବିଶ୍ୱରେ ମହାଶ୍ମଶାନର କରାଳ ପ୍ରପଞ୍ଚଲୀଳା ସୃଷ୍ଟି କରିବି ।

 

–କାହିଁକି ? କାହିଁକି ଏ ବିଶ୍ୱ ଉପରେ, ଏ ମାନବ ସମାଜ ଉପରେ ତମର ଏ ବିରାଗ, ଏ ରଣ ହୁଙ୍କାର ପ୍ରକୃତି ?

 

ଉତକ୍ଷିପ୍ତ କଣ୍ଠରେ ମୋ ପ୍ରଶ୍ନ ଶୁଣିପାରି, ସାଗର, ପବନ ଯିମିତି ସହସା ପ୍ରତ୍ୟୁତ୍ତର କଲେ, ତମେ ପ୍ରମତ୍ତ ମନୁର ସନ୍ତାନ ବିଜ୍ଞାନର ଆୟୁଧ ଧରି ପ୍ରକୃତି ବିରୁଦ୍ଧରେ ଉତ୍ତୋଳନ କରିଛ । ତା’ର ସମସ୍ତ ସ୍ଥିତି, ସତ୍ୟ, ସହନଶୀଳତାର ମହାନତାକୁ ଅସ୍ୱୀକାର କରି; ତମେ ବିଜ୍ଞାନୀ ମାନବ ଚାଲିଛ ସର୍ଜନା କରିବ ଏକ ଅଭିନଵ ସୃଷ୍ଟି ଗ୍ରହ, ଉପଗ୍ରହ ସୃଷ୍ଟି କରି, ଏଇ ବିଶ୍ୱର ଚତୁର୍ଦ୍ଦିଗରେ ଚକା ଚକା ଭଉଁରୀ ଖେଳାଇବ; ଗ୍ରହ ଗ୍ରହାନ୍ତର ଯାତ୍ରା କରି ତମେ ଚାହିଁଛ ଏ ସୃଷ୍ଟିର ସ୍ରଷ୍ଟାକୁ ଚମକାଇ ଯେଉଁ ଅଭିନଵ ସୃଷ୍ଟିର ଚାପ ପରିଗ୍ରହ କରିବ, ସେଥିରେ ପୁରୁଣା ସ୍ରଷ୍ଟା ସୃଷ୍ଟିଭଳି ଅଭାବ, ଅନଟନ, ରୋଗ, କଷଣର ରାକ୍ଷସ ରାଜୁତି ନ ଥିବ, ଖାଲି ଥିବ କଳ, କଳ, କଳର ରାଜୁତି-। ମଣିଷ କେବଳ ନିମିତ୍ତ ମାତ୍ର ହୋଇ, ନିଜର ଅଭାବ ଅସୁବିଧା ଦୂରୀଭୂତ କରିବାକୁ ସକ୍ଷମ ହୋଇପାରିବ । କଳ ମଣିଷ ହେବ ଏ ସୃଷ୍ଟିର ଅଧିପତି । କମ୍ ଗର୍ବର କଥା ! କୁହନ୍ତୁ ତ ? ଏଥିରେ ଆମେ ପ୍ରତିବାଦ କରିବୁ ନାହିଁ ? ଆମେ ତୁମକୁ ସୃଷ୍ଟି କଲୁ; ତୁମର ଜୀବନଯାତ୍ରାରେ ସାହାଯ୍ୟ କଲୁ, ତମମାନଙ୍କର ଏତେ ଗର୍ବ, ଏତେ ଔଦ୍ଧତ୍ୟ ? ଏ ଗର୍ବ, ଏ ଔଦ୍ଧତ୍ୟ ଆମେ କିନ୍ତୁ କଦାପି ବରଦାସ୍ତ କରିପାରିବୁ ନାହିଁ । ତମେ ଆଜି ସେଇ ପୁରୁଣା ଭଷ୍ମାସୁରର ଭୂମିକା ଗ୍ରହଣ କରିଛ-। ବିଜ୍ଞାନର ଏହି ଯେଉଁ ପରମାଣିକ ଆୟଧ ଆଜି ତମ ସମାଜକୁ ଧ୍ଵଂସ କରିବାକୁ ଉଦ୍ୟତ–ପ୍ରସ୍ତୁତ-। ଏଥିରେ ଆମେ ନୀରବ ନିଶ୍ଚେଷ୍ଟ ରହିପାରିବୁ ? ନାଁ–ନାଁ–

 

ସଂବିତ ଫେରି ଆସିଲା, ମହାନିଦ୍ରାରେ ଏକ ବିକଟାଳ ସ୍ଵପ୍ନ ଦେଖୁଥିଲାବେଳେ ତା ସରିଗଲେ ଆତଙ୍କର କରୁଣ ଶିହରଣ ଦେହ ଓ ମନକୁ ଯେପରି ଅବଶ–ପୀଡ଼ିତ କରି ତୋଳେ; ସେଭଳି ଅନୁଭବ କଲି । ସାମରିକ ଶିକ୍ଷାର୍ଥୀ ଶିକ୍ଷା ଗ୍ରହଣ କରିବାର ଅବ୍ୟବହିତ ପୂର୍ବରୁ, ସାବଧାନ ପୋଜିସନରେ ଠିଆ ହେଲାଭଳି, ଦେହର ଲୋମରାଜି ମୋର ନିଜ କ୍ଷେତ୍ର ଉପରେ ସେଭଳି ସମକୋଣ ଅଙ୍କନ କରି, ଠିଆ ହୋଇଗଲେ...

 

ସଙ୍କିତ, ବିହ୍ୱଳିତ, ଆତଙ୍କିତ ଚିତ୍ତରେ ମୁଁ ଆଉ କିଛି ଶୁଣିବାକୁ ମୋର କର୍ଣ୍ଣ ଦୁଇଟିକୁ ପ୍ରସାରିତ କରିଦେଲି ।

 

–ଶୁଣନ୍ତୁ ! ସାଗର ପୁଣି ଆରମ୍ଭ କଲା–ଚପଳ ବାଳକ ତାର କ୍ରୀଡ଼ନକକୁ ଅନ୍ୟ ଉପରେ ଫିଙ୍ଗି ଅପାର ଆନନ୍ଦ ଲାଭ କଲା ଭଳି, ମୋ ବକ୍ଷରେ ବାରମ୍ବାର ପରମାଣୁ ବୋମା ନିକ୍ଷେପକରି, ତୁମେ ଆନନ୍ଦ, ଅତିଷ୍ଠ । କିନ୍ତୁ ମୁଁ ଯେ ପୀଡ଼ା ପାଉଛି, ବିରକ୍ତ ହେଉଛି; ମୋ ବକ୍ଷର ଜଳ ସେ ବିଷାକ୍ତ ହେଉଛି । ତୁମେ ଅଧମ, ଅଜ୍ଞାନ, ବିଜ୍ଞାନ ଧ୍ଵଜାଧାରୀ ଜାଣି ପାରୁନ ? ମୋ ଦୁଃଖ ବୁଝିବାକୁ ଚେଷ୍ଟା ବି କରୁନ । କିନ୍ତୁ ମନେରଖ ମୋର ଜଳ ଜଳୀୟବାଷ୍ପ ହୋଇ ତୁମଙ୍କୁ ଜଳ ଯୋଗାଉଛି । ମୋରି ଜଳରୁ ଲବଣ ଆମଦାମୀ କରୁଛ । ମୋ ବକ୍ଷର ଜୀବମାନଙ୍କୁ ତମେ ଭକ୍ଷଣ କରୁଛ; ଅଥଚ ମୂଢ଼ ତମେ, ଜାଣୁନ ମୋତେ ପୀଡ଼ା ବା ବିରକ୍ତ କଲେ ତମର ଅମଙ୍ଗଳ ହେବ, ତମ ସମାଜ ସେଇ ବିଷାକ୍ତ ଜଳ ପାନକରି ନିଃଶେଷ ହେବ ! !

 

ପବନ କତୁଲା–ଆଉ ମୋ କଷଣ କଥା ଆପଣ ଶୁଣିବେ ? କି ଯେ ଏକ ଦ୍ରୁତଗାମୀ ଯାନ ନିର୍ମାଣ କଲ, ସଦାସର୍ବଦା ମୋ ବକ୍ଷକୁ ବିଷାକ୍ତ ଧ୍ରୂମରେ ପୂର୍ଣ୍ଣ କରି ସାଇଁ ସାଇଁ ହୋଇ ଛୁଟୁଛି-। ଓଃ.... ତାର ସେଇ ବିଷାକ୍ତ ଧୂମ୍ର କି ଉତ୍କଟ ସତେ ! ମୁଁ ଅଣନିଶ୍ଵାସୀ ହୋଇଯାଉଛି–ତା’ର ଶ୍ରୁତିକଟୁ ଶବ୍ଦ ଶୁଣିଲେ ମୋ ବକ୍ଷରେ ଦାରୁଣ କମ୍ପନର ମୁଦ୍ରାଙ୍କନ ହେଉଛି–ମୁଁ ଭୀତତ୍ରସ୍ତ ହୋଇଉଠୁଛି–

 

ସମୁଦ୍ର ଉପରେ ପଡ଼ି ପ୍ରତିବାଦ ଗଳାରେ କହିଲା–ଏଥିରେ କ୍ଷମା ଦେବା ଲାଗି ଆପଣ ଅନୁରୋଧ କରିପାରିବେ ?–ନା, ସଭୟାତିଷ୍ଠ ହୋଇ ବ୍ୟଗ୍ର କଣ୍ଠରେ ମୁଁ କହି ପକାଇଲି–

 

ମୋର ସ୍ଵୀକାରୋକ୍ତି ଶୁଣି ସେମାନେ କ’ଣ ଭାବି ହସିଲେ; ତା’ପରେ ପଥଶ୍ରାନ୍ତ ପଥିକ ଭଳି ନିର୍ବାକ୍, ନିସ୍ତେଜ ହୋଇ ରହିଲେ ଅନେକ ସମୟ ଧରି....

 

ଉପସ୍ଥିତ ବିପଦରୁ ଉଦ୍ଧାର ପାଇବା ପରେ ଭୟ ବିତାଡ଼ିତ ହୃଦୟରୁ ମୋର ଧୀରେ ଧୀରେ ଏକ ସୁସ୍ଥିର ନିଶ୍ଵାସ ବାହାରି ପଡ଼ିଲା । ମନକୁ ପରିବର୍ତ୍ତନ କରିବାକୁ, ମନରେ ସାହାସ ସଞ୍ଚୟ କରିବାକୁ, ମୁଁ ଅନନ୍ତ, ଅଚିନ୍ତନୀୟ ଆକାଶକୁ କେବଳ ଚାହିଁବାକୁ ପସନ୍ଦ ମନେକଲି ।

 

ଏଇ କେଇ ମିନିଟ୍ ପୂର୍ବରୁ ସେଇ ମାଟିଆ ଚିଲ ପିଠିଆ ଆକାଶର, ଯେଉଁ ଅଂଶରେ ପାଳଧୂଆ ଫୁଲର ରଙ୍ଗ ଲାଗି ଏକ ବଧୂବଦନର ଭ୍ରମ ସୃଷ୍ଟି କରୁଥିଲା, ତାହା ସଂପୂର୍ଣ୍ଣ ବଦଳିଗଲାଣି; କେଉଁ ଏକ ଅଦୃଶ୍ୟ ଶିଳ୍ପୀର ଅଦେଖା ହସ୍ତ, ସେଇ ରଙ୍ଗ ଉପରେ, ଆଉ କିଛି କୃଷ୍ଣ–ନୀଳ ରଙ୍ଗ ବୋଳି ଦେଇଛି । ଆକାଶଟା ବର୍ତ୍ତମାନ ଏକ ବିଧବା ନାରୀର ମୁଖ ଭଳି ବିବର୍ଣ୍ଣ–ପାଣ୍ଡର–ଧୂସର ଦେଖାଯାଉଛି ।

 

ଅବାକ୍ ବିସ୍ମିତ ହେଲି । ସନ୍ଦେହର ରେଣୁ ଅନ୍ଧକାର ମନ ଆଳାଶକୁ ମୋର ଆଚ୍ଛନ୍ନ କରି ଆସିଲା–କିଏ ମନା କରିବ । ସେଇ ବିଚିତ୍ରମନା ଶିଳ୍ପୀ, ଏଇ ଆକାଶର କାନଭାସରେ ଆଉ କିଛି ଅନ୍ଧାର ରଙ୍ଗ ବୋଳି ଦେଇ, ତହିଁରେ ଧଳା ରଙ୍ଗରେ କିଛି ଟଗର, ହେନା, ମଲ୍ଲୀଫୁଲ ଭଳି ଚିତ୍ର ଅଙ୍କନ କରି ନ ଦେବ !!!

 

–ବାବୁ ପଇସାଟିଏ !

 

ଅବକାଶ କଳ୍ପନାରୁ ମୁଁ ପାତାଳକୁ ଖସି ପଡ଼ିଲି.... ମୋ ସମ୍ମୁଖରେ ଗୋଟିଏ ଶିରାବହୁଳ ହସ୍ତ । ସେଇ ହସ୍ତରେ ଧରିଛି ଗୋଟିଏ କଲେଇ ଛଡ଼ା ଗୁଡ଼ାଖୁ ଡବା, ସେ ଡବା ଯେମିତି ମତେ କହୁଛି–ଏଥିରେ କିଛି ପକାନ୍ତୁ ! ନିଶ୍ଚୟ ଧର୍ମ ହେବ....

 

ଭିକାରୀଟିର ମୁହଁକୁ ଚାହିଁ ଦେଖିଲି, ସନ୍ଧ୍ୟାର ଅନ୍ଧକାର ଭଳି ମୁହଁରେ ତାର ଦୁଃଖ, ଦୈନ୍ୟ, ଅଭାବ, ଅନାଟନର ଅନ୍ଧକାର ଜମାଟ ବାନ୍ଧୁଛି...ଏବଂ ସେଇ ଅନ୍ଧକାର ଭିତରେ ଦକ୍ଷିଣ–ଆକାଶରେ ଏକାକୀ ସନ୍ଧ୍ୟା ତାରା ଉଦିତ ହେଲା ଭଳି ଶୁଷ୍କ ଓଠ ଫାଙ୍କରେ କିଛି ପାଇବା ଆଶା–ଆନନ୍ଦରେ–ହସଟିକିଏ ଫୁଟି ଉଠିଛି...

 

କାଳବିଳମ୍ବ ନ କରି ମୋ ପକେଟରୁ କିଛି ସମୟ ଖୁଚୁରା ପଇସାକୁ ମନ୍ଥନ କରି; ଅନୁମାନ କରି, ପାଞ୍ଚୋଟି ନୂତନ ପଇସା ବାହାର କରିବାଲାଗି ପ୍ରତୀକ୍ଷା କରିଥିବା ସେଇ କଲେଇ ଛଡ଼ା ଗୁଡ଼ାଖୁ ଡବା ଭିତରକୁ ପକାଇ ଦେଲି.....

 

“ବାବୁଙ୍କର ଉଜୁତି ହେଉ, କଲମ ବଜର ହେଉ”

 

ସାମାନ୍ୟ ଶଦ୍ଧ ସୃଷ୍ଟି କରି, ସେଇ ଡବା ଭିତରେ ଥିବା ଅନ୍ୟପଇସା ଭିତରେ ମୋର ସେଇ ପାଞ୍ଚୋଟି ପଇସା ହଜିଯିବା ପରେ ପରେ ତା’ର ସେଇ ବିଷାଦ ଅନ୍ଧାରାଚ୍ଛାଦିତ ମୁଖର ଆକାଶରେ ପୁଣି କେତୋଟି ଆନନ୍ଦର ତାରକା ଫୁଟି ଉଠିଥିଲା...ବାଲି ଉପରେ ତା’ର ସତର୍କ ପାଦ, ଖୁବ୍ କ୍ଷିପ୍ର ଗତିରେ ପକାଇ ଚାଲୁ ଚାଲୁ ମୋତେ ଏତକ କହି, ମୋର ଦାନୀ ପଣକୁ ଜୟ ଜୟ କରିବାକୁ ସେ ଭୁଲିଯାଇ ନ ଥିଲା....ତା’ର ଏ ଆନନ୍ଦ, ଏ ଆତ୍ମତୃପ୍ତି ଦେଖି ମୋର ମନରେ ବସ୍ତୁବାଦିତାର ମରୁଭୂମିରେ କର୍ଣ୍ଣ, ହରିଶ୍ଚନ୍ଦ୍ର ଯୁଗୀୟ ଚିନ୍ତାଧାରା ଘଡ଼ଘଡ଼ି ବିଜୁଳି ସହ, ଏକ କଳାହାଣ୍ଡିଆ ମେଘର ସଞ୍ଚାର ହେଲାଭଳି ଦେଖା ଦେଇ, ମୋ ମନରେ ଆଉ ଏକ ସ୍ଵପ୍ନ ଜଗତର ରୂପ ପରିଗ୍ରହ କଲା ।

 

ବାବୁ ! ପଇସାଟିଏ...

 

ଗୋଟିଏ ଭିକାରୀ ପରିବର୍ତ୍ତେ ଆଉ ଗୋଟିଏ; ଏକ ଥାଳ ପରିବର୍ତ୍ତେ ଆଉ ଏକ ଥାଳ, ଏ ସ୍ଥାନଟା ତାହେଲେ ଶୂନ୍ୟ ହେବ ନାହିଁ–ଏହା ହିଁ ତ ଓଡ଼ିଶାର ଆଦର୍ଶ । ଅନ୍ୟକୁ ସବୁ ଦେଇ, ନିଜେ ଭିକ୍ଷା ମାଗିବାର ଆଦର୍ଶରେ ସେଦିନର ବୀର ଉତ୍କଳୀ ଆଜି ବହୁଦିନରୁ ଅଭ୍ୟସ୍ତ ହୋଇଯାଇଛି...ଅତୀତରେ ଯା’ର ବୀରତ୍ଵ ଯା’ର ଐଶ୍ଵର୍ଯ୍ୟ, କେତେ କେତେ ରାଜ୍ୟଲୋଭୀଙ୍କୁ ଆକୃଷ୍ଟ କରିଥିଲା । ଆଜି ଏଇ ବିଜ୍ଞାନ ଯୁଗରେ ସେଇ ଦେଶବାସୀଙ୍କ ମୁଖରେ ‘ଭିକ୍ଷାଂ ଦେହି’ ର ନୂତନ ଓଁକାର ଶବ୍ଦ ଶୁଣି, ମୋ କିଞ୍ଚିତ ଦାନ, ମୋ କୃପଣତାର ଚରମ ସ୍ଵାକ୍ଷର ମନେକରି ଲଜ୍ଜାରେ ଅଭିମାନରେ, ଅପମାନିତ ହୋଇ ମୁଖ ଲୁଚାଇବାକୁ କିଛି ବସ୍ତୁ ପାଇଲି ନାହିଁ....

 

–ବାବୁ ପାଇସାଟିଏ...

 

କ୍ଷଣିକ ପୂର୍ବରୁ ମୋ ଦାମୀ ପଣକୁ ବଧାଇ ଜଣାଇ ଜଣେ ଭିକ୍ଷୁ ଚାଲି ଯାଇଥିବାର ଦେଖି, ସେ ବି କିଛି ପାଇବାର କାମନା ବଳବତ୍ତର କରି ଛୁଟି ଆସିଥିଲେ ବି ମୋର ଟିକେ ବିଳମ୍ଵ ହେବାର ଦେଖି, କିଛି ନ ପାଇବାର ଆଶଙ୍କା ନିରାଶ–ଦୁଃଖରେ ସେ ଈଷତ୍ ଅତିଷ୍ଠ ହୋଇ ଉଠିଲା.....

 

ପାଞ୍ଚୋଟି ନୂଆପଇସା...ପୁଣି ବାହାର କରି ଦେବାକୁ ମୁଁ ମୋ ପକେଟରେ ଥିବା ଖୁଚୁରା ପଇସା ଗୁଡ଼ିକ ପୁଣି ଗୋଳମାଳ କରିଦେଲି...

 

ସେ ପର୍ଯ୍ୟନ୍ତ ସେ ଆଶାବାଡ଼ିକୁ ଆଶ୍ରା କରି ଗୋଟିଏ ଗୋଡ଼କୁ ତହିଁରେ ଗୁଡ଼ାଇ, ଶକୁନିନୟନରେ ମୋର ହାତକୁ କେବଳ ଚାହିଁ ରହିଥିଲା...ମୋ ତରଫରୁ ଆହୁରି ଡେରି ହେବାର ଅନୁମାନ କରି, ସେ ଟିକେ ବିଚଳିତ ହୋଇପଡ଼ି ଦୋ–ଦୋ ପାଞ୍ଚ ହୋଇ ଚତୁର୍ଦ୍ଦିଗକୁ ହରିଣ–ଶିଶୁ ନୟନରେ ଚାହିଁ ସହସା ସୈକତ ଶଯ୍ୟା ଉପରେ –ନିଜର ସମସ୍ତ ଶକ୍ତି ଖଟାଇ ଦୌଡ଼ା ମାରିଲା...

 

ମୁଁ କେବଳ ଆହତ, ଲଜ୍ଜିତ ହୋଇ ନ ଥିଲି । ବିସ୍ମୟର ତୀର ମୋର “ମହାଦାନୀ” ଅନ୍ତରକୁ କ୍ଷତବିକ୍ଷତ ବି କରିଥିଲା ଏବଂ ମୋ ପ୍ରତି ତା’ର ଏ ଚରମ ଅବମାନନାର କାରଣ ଜାଣିବାକୁ ତା’ ଗତିପଥକୁ ମୁଁ ମୋର ବିହଙ୍ଗମ ଦୃଷ୍ଟି ଘୂରାଇନେଇ ଦେଖିଲି, ସହେବୀ ପୋଷାକ ପରିହିତ ଏକ ବିଶାଳକାୟ ଭଦ୍ର ଲୋକ, ଐରାବତ ହସ୍ତୀଭଳି ମନ୍ଥର ଗମନ କରୁଥିବା ତାଙ୍କ ସହଧର୍ମିଣୀଙ୍କ ସହ, ଧୀରେ ଧୀରେ, ଚକୋଲେଟ୍ ରଙ୍ଗର ଅଷ୍ଟିନ କାରରୁ ଅବତରଣ କରି, ହାୱା ଖାଇବାକୁ କଥୋପକଥନ କରି, ସୈକତ ଶଯ୍ୟା ଉପରେ ଗତିକରି ଆସୁଛନ୍ତି...

 

ଚିହ୍ନିଲି... ଏ ସହରର ସିଏ ହେଉଛନ୍ତି ବିରାଟ କଣ୍ଟ୍ରାକ୍ଟର ।

 

ହସିଲି... ଭିକାରୀଟି ତାଙ୍କଠାରୁ ମୋ ଦାନ ଅପେକ୍ଷା ଅଧିକ ପାଇବା ଆଶାରେ ଆବେଗରେ ଧାଇଁ ଯାଇଛି ନିଶ୍ଚୟ ।

 

ଅପେକ୍ଷା କରି ଦେଖିଲି କଣ୍ଟ୍ରାକ୍ଟର ସାହେବ ଭିକାରୀଟିର ବିନମ୍ର ନିବେଦନ ପ୍ରତି କର୍ଣ୍ଣପାତ କଲେନି–ବଂର ଏକ କୁଟିଳ କଟାକ୍ଷପାତ କରି ଚାଲିଗଲେ ।

 

ଭାବିଥିଲି, ସାହେବାଣୀ ନିଶ୍ଚୟ ସଦୟା ହୋଇ, ଅନେକ ସମୟରୁ ତାଙ୍କ ଉନ୍ନତ ମାଂସଳ–ବିଷମ ବକ୍ଷ ଉପରେ ଚାପି ଧରିଥିବା ମନି ପର୍ସର ବଟମ୍ ଫିଟାଇ ଅତିନ୍ୟୂନ ଗୋଟିଏ ମୁଦ୍ରା ନିଶ୍ଚୟ ଦେଇ ଦେବ...କିନ୍ତୁ ଭିକାରୀଟି ଉପରକୁ ଥରେ ଦୃଷ୍ଟିପାତ କରିବାକୁ ସେ ସଂପୂର୍ଣ୍ଣ ଭୁଲିଗଲେ । “ଭିକାରୀଟିର ମା” ସମ୍ବୋଧନ ତାଙ୍କର ବଡ଼ଲୋକଙ୍କର ପାଷାଣ ହୃଦୟରେ କୌଣସି ପରିବର୍ତ୍ତନର ତରଙ୍ଗ ସୃଷ୍ଟି କଲା ନାହିଁ I ନୈରାଶ୍ୟର ଦୁଃଖରେ ଭାଙ୍ଗିପଡ଼ି ଭିକାରୀଟି ଫେରିପଡ଼ିଲା ସିନା, ହେଲେ ମୋ ପାଖକୁ ଫେରିବାକୁ ଯିମିତି ଆଉ ତା’ର ସାହସ ନ ଥିଲା....

 

ଡାକିଲି–ହେ ! ହେ ! ଶୁଣ–ପଚାରିଲି–କେତେ ଦେଲେ ! ଭିକାରିଟି ନିଜର ଅଯତ୍ନବର୍ଦ୍ଧିତ ବାଳକୁ କୁଣ୍ଡାଉ କୁଣ୍ଡାଉ ହସିବାକୁ ଚେଷ୍ଟାକଲା, କିନ୍ତୁ ସେ ବରଂ ନହସିବା ଭଲ ଥିଲା-। କାରଣ ତାର ଶୁଷ୍କ ଅଧର ଫାଙ୍କରେ ସେ ହସ ବଡ଼ ବୀଭତ୍ସ–ବଡ଼ ବିକୃତ ଦେଖା ଯାଉଥିଲା.....

 

–ନିଅ, ଆଉ ଶୁଣ, ବେଶୀ ପାଇବା ଆଶାରେ ଅଳ୍ପକୁ ବର୍ଜ୍ଜନ କରି ଯିବା ଆଦୌ ଉଚିତ ନୁହେଁ । ତମେ ଭୀକାରୀ ଲୋକ, ଯେତିକି ପାଇବ ସେତିକିରେ ତୃପ୍ତ ହେବା ଉଚିତ । ବେଶୀ ଆଶାରେ ବିଫଳ ହେବା ଅପେକ୍ଷା କମ୍ ପାଇବାରେ ବି ଏକପ୍ରକାର ସାନ୍ତ୍ୱନା ଅଛି...ବୁଝିଲ ?

 

ମୋ ପାଖରୁ ଦଶ ପଇସାଟିଏ ପାଇ କିଛି ପ୍ରତ୍ୟୁତ୍ତର ନକରି, ଧୀରେ ଧୀରେ ତଳକୁ ମୁହଁ ପୋତି ସେ ଚାଲିଗଲା...

 

କଣ୍ଟ୍ରାକ୍ଟର ସାହେବ ଓ ତାଙ୍କ ସହଧର୍ମିଣୀ ଏଥି ଭିତରେ ଅନେକ ଅନେକ ପଥ ଚାଲି ଗଲେଣି....

 

ତାଙ୍କ ପଛରେ ଆଉ କେତୋଟି ଲୋକ, ଖାଦ୍ୟ ପାତ୍ରଧାରୀ ଲୋକ ପଛରେ ବୁଲା କୁକୁର ଭିଡ଼ ଜମାଇବା ଭଳି ସେଇ ଅଭିନୟ ଆରମ୍ଭ କରିଦେଲେଣି । କିଏ ଚାଟୁବାକ୍ୟ କହି ମନ ତୋଷୁଛନ୍ତି, ଆଉ କିଏ ଆସନ୍ତାକାଲି ଲାଗି କେତେ କୁଲି ଦରକାର ଜାଣିବାକୁ ଚାହିଁ ତାଙ୍କ ପଛରେ ପାଦ ଗଣୁଛନ୍ତି–କଣ୍ଟ୍ରାକ୍ଟର ସାହେବ ଜିନ୍ଦାବାଦ୍ !!! ସ୍ଵାଧୀନତା ପ୍ରାପ୍ତି ପରେ, ଏଦେଶର ଯା ଉନ୍ନତି ହେଉନା କାହିଁକି, ମୁଁ କହିବି ତୁମର, ତୁମ ପେଟର ଜରୁର ଉନ୍ନତି ହୋଇଛି । ତୁମରି ଭାଗ୍ୟ ଚକ୍ରରେ ମକର–ମଙ୍ଗଳ ଯୋଗ ! ଏ ରାମରାଜ୍ୟର ସମସ୍ତ ଘିଅ, ମହୁ ହିଁ ତୁମର–ତୁମେ ହିଁ ଏ ଦେଶରେ କାର ଚଢ଼ି, କୋଠା ତୋଳ, ଫୁର୍ତ୍ତିକର ଓ ଗରିବ ନିରୀହଙ୍କର ଯା’ ହେଉ ସେଥିରେ ତୁମର ଯାଏ ଆସେ କେତେ । ସେମାନଙ୍କ ଭାଗ୍ୟଚକ୍ରରେ ଆଜି ଶନିଗ୍ରହର ରାଜୁତି...ଏତିକିବେଳେ ତୁମେ ଯଦି ବୁଦ୍ଧି, ବିବେକ, ଜ୍ଞାନ ଖଟାଇ ପାର, ତାହାହେଲେ ଆସନ୍ତାକାଲି ଲାଗି ଏ ଦେଶରେ ତୁମେ ହିଁ ମୃତ୍ୟୁବିଜୟୀ ମହାମାନବ ହୋଇ ପାରିବ.....

 

ପିଲାଟିଏ କାନ୍ଦି ଉଠିଲା । ମୋ ଚିନ୍ତାଧାରା ସହସା ପ୍ରଜ୍ଜ୍ଵଳିତ ବହ୍ନିରେ ବାରି ନିକ୍ଷେପ କଲା ଭଳି ଶିଥିଳ ହୋଇଗଲା.......ଦେଖିଲି, ବେଲୁନ କିଣିବା ଲାଗି ମା’ର ଅଞ୍ଚଳ ଧରି ଟାଣି ଓଟାରି ପଇସା ପାଇଁ ଜିଦ୍ ଧରିଛି ଗୋଟିଏ ପିଲା । ତାର ମା’ ଅଶେଷ ବିରକ୍ତ ବ୍ୟତିବସ୍ତ ହୋଇ ଧମକ ଦେଇ ବଡ଼ ବଡ଼ ଆଖି ଦେଖାଇ, କାଲି କିଣି ଦେବାକୁ କହିଲେ ମଧ୍ୟ ସେ ଏକଜିଦିଆ ଅଲକ୍ଷଣା ପିଲା କିନ୍ତୁ ଶୁଣୁନାହିଁ........

 

ଏଥର ମା’ ତାର ସର୍ବଶ୍ରେଷ୍ଠ ଅସ୍ତ୍ର “ମାଡ଼” ପ୍ରୟୋଗ କଲେ । ହୁଏତ ମା’ ପାଖରେ ତା’ର ପାଇସା ନାହିଁ । ଏ ବିଲାତି ପୋଷାକ ପିନ୍ଧି ସିନା ହାୱା ଖାଇବାକୁ ଛୁଟି ଆସିଥିଲା, ହେଲେ ପୁତ୍ର କ’ଣ ତାର ବୁଝିଲା ।

 

ତନ୍ଵୀ ଲବଙ୍ଗଲତାର ସ୍ଵାମୀ, ଅନେକ ବେଳୁ ଯିଏ ସମୁଦ୍ରର ଅଶାନ୍ତ ବକ୍ଷକୁ ଏକ ମନ, ଏକ ଲୟରେ ଚାହିଁ ରହିଥିଲେ, ପୁତ୍ରର ଚିତ୍କାର ଶୁଣି କ୍ଷୁବ୍‍ଧ ହୋଇ ବିରକ୍ତିବ୍ୟଞ୍ଜକ କଣ୍ଠରେ ଚିତ୍କାର କରି ଉଠିଲେ ଚୁପ୍.......

 

–ଆଉ ତୁ ମୋତେ ପାଇସା ଦେଉନୁ ?

 

ଚୁପ୍ !

 

ମେଘ ଘଡ଼ଘଡ଼ିର ସେ ଶବ୍ଦ ନୁହେଁ । ପୁତ୍ରଙ୍କ ଉପରେ ପିତାଙ୍କର ରୋଷ, ଅଭିମାନର ଗର୍ଜ୍ଜନ....

 

ସତକୁ ସତ ପିଲାଟି ଭୟରେ, ଆତଙ୍କରେ ପାଟି ବନ୍ଦ କରିଦେଇ ନିଜର ମୁଖ୍ୟକୁ ଲୁଚାଇ ଦେଲା....

 

ଏ ଦୃଶ୍ୟ ଦେଖି ମୁଁ ନହସି ରହିପାରିଲି ନାହିଁ । ନିଜ ପୁତ୍ରକୁ ପଇସା ଦି’ଟି ଦବାକୁ, ତାର ଅଭାବ ଦୂର କରିବାକୁ ଯାହାଙ୍କର ପଇସା ନାହିଁ, ଏ ସାହେବୀ ପୋଷାକ ପ୍ରଲୋଭନରେ ସିଏ ଏତେ ପ୍ରଭାବିତ କିଆଁ ?

 

ମନ ଭିତର ମଣିଷ ମୋର ମୋ ପ୍ରଶ୍ନର ପ୍ରତ୍ୟୁତ୍ତର କଲା, “ଦେଖାଇହବା”...ଆଜି ଯୁଗରେ ଏ ସାହେବୀ ପୋଷାକ ପରିଚ୍ଛଦରେ ଶରୀର ମଣ୍ଡନ କରି, ଅନ୍ୟ ମନରେ କାମନାର ବହ୍ନି ଜାଳିଦେବା, ଅନ୍ୟ ମନରେ “ବଡ଼ଲୋକ ଇଏ” କଳ୍ପନାର ଭୟ ଜନ୍ମାଇବାକୁ ସମସ୍ତେ ବ୍ୟଗ୍ର । ଏ ପୋଷାକ ପରିଚ୍ଛଦ ପିନ୍ଧିଲେ ଯେ ‘ବାବୁ’ ହୋଇଯିବେ ଏକଥା କିମିତି କେଜାଣି ସମସ୍ତଙ୍କ ମନରେ ଏକପ୍ରକାର ଧାରଣା ଜନ୍ମାଇଲାଣି । ସେଥିଲାଗି ଖାଦ୍ୟ ପଦାର୍ଥର ଉନ୍ନତି ନକରି ସମସ୍ତେ ଆଜି ଏ ଚୂନ ପାଉଁଶ ସଭ୍ୟତାରେ ନିଜର ରୂପ ଉପରେ, ଅଂଗ ସଜ୍ଜା ଉପରେ ପ୍ରାଧାନ୍ୟ ଦେବାକୁ ବ୍ୟଗ୍ର–ଅତିଷ୍ଠ । ଏସବୁ ଶୁଭଲକ୍ଷଣ କି ଅପଶକୁନ ତା’ ଚିନ୍ତାଶୀଳ ବ୍ୟକ୍ତିମାନେ ନିଷ୍ପତ୍ତି କରିବେ । ତେବେ ଯାହା ଦେଖାଯାଉଛି; ସେହି ବିଲାତି ପୋଷାକର ଖୋଳ ଭିତରୁ ଆଜିର ସଭ୍ୟ ମଣିଷ ଯେତେବେଳେ ବାହାରି ପଡ଼ୁଛି, ତା’ ଦେହର ସମସ୍ତ ହାଡ଼ ଗଣିବା ପାଇଁ ମାତ୍ର କେଇଟି ସେକେଣ୍ଡ ବ୍ୟୟ କରିବାକୁ ପଡ଼ୁଛି । ପଣ୍ଡିତମାନେ କହନ୍ତି–ଏ ମଣିଷସମାଜର ପୂର୍ବପୁରୁଷମାନେ ଥିଲେ, ବାନର । ଆଜି ଚାକଚକ୍ୟର ପ୍ରଲୋଭନରେ ନିଜ ଶରୀର ପ୍ରତି ମଣିଷ ଯେଭଳି ଚରମ ଉଦାସୀନତା ଦେଖାଉଛି, ଆସନ୍ତା କେତେ ବର୍ଷ ପରେ ଏ ମଣିଷର ପରପୁରୁଷ ସେଇ ବାନରରେ ପର୍ଯ୍ୟବସିତ ହୋଇଯିବା କିଛି ବିଚିତ୍ର ନୁହେଁ...

 

–ଚେନାଚୂର

 

ଚେନାଚୂର ବିକାଳିର କର୍କଶ–ମଧୁର–କଣ୍ଠସ୍ୱର ଆଉ ଶୁଣି ପାରିବି ନାହିଁ ବୋଲି ମୋ ଶ୍ରବଣେନ୍ଦ୍ରିୟରେ ଅଙ୍ଗୁଳି ଚାପି ଦେଲି...କେଡ଼େ ଚିତ୍କାରଟାଏ କରୁଛି ଲୋକଟା !

 

ସନ୍ଧ୍ୟା ସମୟରେ କର୍ମବ୍ୟସ୍ତ ମଣିଷ ସର୍ବ କର୍ମର ଜଞ୍ଜାଳକୁ ପଛରେ ପକାଇ ଟିକିଏ ଶାନ୍ତି, ସୁଖ, ମନ ପରିବର୍ତ୍ତନ ଲାଗି ଏଇ ସାଗର ବେଳାରେ ଭିଡ଼ ଜମାନ୍ତି–ଆଉ ଏଇ ସୁଯୋଗ ନେଇ ‘କାଳେ ବିକ୍ରୀ ହେବ’ ଆଶାରେ ବଡ଼ ଦାଣ୍ଡର ସେଇ ଚେନାଚୂର, ବେଲୁନ୍ ବିକ୍ରୟକାରୀ ଦଳ ତାଙ୍କର କର୍କଶ–ମେଷଗମ୍ଭୀର କଣ୍ଠସ୍ଵର ଫିଟାଇ ଦିଅନ୍ତି...

 

ଚେନାଚୂର...

 

ବାବୁ ଚେନାଚୂର ନେବେ ?

 

–ଏଁ...ନା...

 

–ଆଉ ଟଙ୍କା, ଗହଣା, ଧାନ, ମୋ ପୁଅ ଭରତିଆକୁ ନେବ ? ହିଃ–ହିଃ–ହିଃ–ଆଉ କ’ଣ ଅଛି ଯେ ନେବ ?

 

ଆରେ ବାବା ଏ ପୁଣି କିଏ ?

 

–ପାଗଳୀ...

 

ସତ, ସେ ଏକ ପାଗଳୀ । ସଭ୍ୟ ସମାଜ ପାଖରେ ତାର ବିଶେଷଣ ସେଇଆହିଁ । ଡାକ୍ତର କହନ୍ତି ମତି ବିକୃତି, ଆଉ ଅର୍ଥନୀତିବିଶାରଦ କହନ୍ତି ସମାଜ ଅଙ୍ଗର ଅପବ୍ରଣ ।

 

ସେଦିନ ଡାକ୍ତର ପଟ୍ଟନାୟକ ଏଭଳି ଏକ ମନ୍ତବ୍ୟ ଦେଇଥିଲେ । ଏ ଯୁଗରେ ଏଇ ମତିବିକୃତି ହିଁ ଶ୍ରେଷ୍ଠ ବ୍ୟାଧି । ମଣିଷ ବସ୍ତୁବାଦୀ ହୋଇ କ୍ରମେ ନିଷ୍ଠୁର ହୋଇ ଯାଉଛି, ଯାର ପରିଣାମରେ ଏଇ ସଂଘାତିକ ବ୍ୟାଧି ଏ ପୃଥିବୀରେ ଦେଖା ଦେଇଛି; କିନ୍ତୁ ମୁଁ ଭାବୁଛି, ସେ ସବୁ ମିଥ୍ୟା । ଏଠି ପାଗଳାମି ହିଁ ସବୁଠାରୁ ବଡ଼ ସତ କଥା । କିଏ ଯେ ଏଠି ପାଗଳ ନୁହେଁ ? କିଏ ଯଶ ପଛରେ, ଧନ ପଛରେ, ନାଇଁ ତ ମନ ପଛରେ ପାଗଳ; ମରୁଭୂମିରେ ଚନ୍ଦ୍ରକିରଣ ଦେଖି ମୃଗୁଣୀ ଜଳ ଭାବି ଧାଇଁଲା ଭଳି ଧାଁ ଧାପଡ଼ କରୁଛନ୍ତି । ଯଦିଓ ଏଠି ସବୁ ଅସତ୍ୟ, ଅସ୍ଥିର; ତଥାପି ମଣିଷ ସବୁକୁ ପାଇବାକୁ ବ୍ୟଗ୍ର, ଅତିଷ୍ଠ !

 

‘ଘର ବୋଲି ଅର୍ଜିଛୁ.....

 

ତଥାପି ନିଜର ଘର, ପୁଅ, ସ୍ତ୍ରୀ, ପରିବାର କହି ମନୁର ସନ୍ତାନ କେତେ ହିନସ୍ତା ନ ହେଉଛି ? ଅନ୍ୟର ଯଥାସର୍ବସ୍ୱ ଅପହରଣ, ଅନ୍ୟର ରାଜ୍ୟକୁ ପଦାନତ କରିବା, ଅନ୍ୟର ସାର୍ବଭୌମତ୍ୱକୁ ଅସ୍ଵୀକାର କରିବାକୁ ମଣିଷ ଯିମିତି ବ୍ୟାକୁଳ...ଏଇ ଭିଏତନାମର ପରିସ୍ଥିତି, ଏଇ ମାଓର ରଣହୁଂକାର...ଏମାନେ ପାଗଳ ନୁହନ୍ତି ??

 

ସମୁଦ୍ର କଥା ମୋର ସ୍ମରଣ ହେଲା । ସେ ଠିକ୍ କହୁଥିଲା ଭସ୍ମାସୁରର ଅବତାର ଧରି ପାରମାଣିକ ଅସ୍ତ୍ରରେ ପୃଥିବୀ ଧ୍ଵଂସ କରିବାର କଳ୍ପନା ମାନବ କରି ଚାଲିଛି, ଆଜିର ସଭ୍ୟମାନବ...ଅପକାର୍ଯ୍ୟ, ଅତ୍ୟାଚାର, ଦୁର୍ନୀତିର ଧ୍ଵଜା ଧରି ମଣିଷ ଆଜି ଆଧ୍ୟାତ୍ମିକ ଶକ୍ତିର କବର ଉପରେ ପ୍ରତିଷ୍ଠା କରିବାକୁ ବସିଛି ବିଜ୍ଞାନର ମଣ୍ଡପ । ଧର୍ମର ସିଂହାସନରୁ ସତ୍ୟର ନରପତିକୁ ବିତାଡ଼ିତ କରି, ଅସତ୍ୟ, ଅଧର୍ମ, ଅସନ୍ତୋଷର ଅପଦେବତାକୁ ଅଭିଷେକ କରାଇବାକୁ ଚାହିଁଛି...।

 

ହେ, କ’ଣ କହୁଛୁ ! ନବୁ ମୋ ପୁଅ ଭରତିଆକୁ ବା ତୋ ଚାକର ହେବ ଗୋଲାମି ଖଟିବ...ହେଇତି ସେ ଭଲକାମ କରେ, ଜାଇଁଲୁ ସେ କମ୍ ଖାଏ କି ? ହିଃ–ହିଃ–ହିଃ ।

 

ପାଗଳୀର ମୁଖକୁ ଦୟନୀୟ ଚାହାଁଣିରେ ଚାହିଁ ରହିଲି–ତୈଳହୀନ କେଶ, ବିଲୁଆ ଖିଆ ପାଚିଲା ତାଳଭଳି ସାମୁଦ୍ରିକ ବାୟୁଘାତରେ ଫୁରୁ ଫୁରୁ ହୋଇ ଉଡ଼ୁଛି ।

 

ତା’ର ଛିନ୍ନ ବସ୍ତ୍ର, ମାତୃ ଜାତିର ଇଜ୍ଜତକୁ ଯେ ଭଳି ବିକୃତ ଉଲଗ୍ନ କରିଛି, ତାକୁ ନ ଦେଖିବା ଲାଗି ମୁଁ ଆଖି ବୁଜିନେଲି ସତ...କିନ୍ତୁ ସେହି ମୁଦ୍ରିତ ନୟନରେ ମୁଁ ବି ଦେଖିବାକୁ ପାଇଲି ତାରି ଭଳି ଅନେକ ଜନନୀ ଏ ଭଳି ବିକଳାଙ୍ଗ, ବସ୍ତ୍ରହୀନା ହୋଇ ଚାମଣ୍ଡା ଭଳି ଖୁବ୍ ଉଚ୍ଚରେ ଅଟ୍ଟହାସ୍ୟ କରି ନାଚୁଛନ୍ତି...ହିଃ–ହିଃ–ହିଃ । ଆଖି ବୁଜି ମୁଁ ରଖିପାରିଲି ନାହିଁ, ମୋର ଭୟ ହେଲା–ସେମାନେ ଯେମିତି ଆମକୁ ତାଙ୍କ ପ୍ରତି ଚରମ ଅବମାନନାର କାରଣ ପଚାରି କହୁଛନ୍ତି–ଉତ୍ତର ଦେ...ଉତ୍ତର ଦେ–ତା’ ନ ହେଲେ ଆମେ ତୁମର ରକ୍ତପାନ କରିବୁ ହିଃ–ହିଃ–ହିଃ ।

 

ହିଃ–ହିଃ–ହିଃ–ଆରେ କ’ଣ ତୁ ଭାବୁଛୁ ? ଭରତିଆକୁ ନେବୁ ନାହିଁ ?

 

–ନା...

 

କାହିଁକି ? ସେ କ’ଣ ଧନ ନୁହେଁ । ଯୁଗୁଣିଖିଆ ଖାଲି ଧନ ନବୁ–ଧନ–ଧନ–ରହ–ରହ, ତୋର ହାଡ଼ ମଡ଼ ମଡ଼ କରି ଚୋବାଇ କଁ କଁ କରି ତୋ ରକ୍ତ ପିଉଛି–ତୁ ଭରତିଆକୁ ନବୁ ନାହିଁ ?

 

ତା’ ପରେ ସେ କୁଦାମାରି ବାଳ ମୁକୁଳା କରି ଅଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରି ସେ ସ୍ଥାନକୁ କୋଳାହଳମୁଖର କରିଦେଲା–ମୋର ଭୀତତ୍ରସ୍ତ ଅବସ୍ଥାକୁ ଦେଖି ।

 

ମୋ ଆଡ଼କୁ ତ୍ରିଶୁଳ ଧରି, ଡମ୍ବରୁ ବଜାଇ, ପିଠିରେ ବିରାଟ ବୁଜଳା, ତା’ ଉପରେ ଖଣ୍ଡେ ବ୍ୟାଘ୍ର ଚର୍ମ, କପାଳରେ ପ୍ରଶସ୍ତ ସିନ୍ଦୁରଗାର ଦାଢ଼ି ଆଚ୍ଛନ୍ନ ମୁଖ, ବେକରେ ଢମଣା ସାପ ଗୁଡ଼ାଇ, କଳିଯୁଗର ମହାଦେବ ମାଡ଼ି ଆସୁ ଆସୁ କହିଲେ...ଭୟ କରନି ।

 

ବାବା ! ପାଗଳୀଟୀଏ । ତା’ର ପୁଅ ମରି ଯିବାରୁ, ଦୁଃଖରେ ଏ ଭଳି ପାଗଳୀ ହୋଇ ଯାଇଛି...

 

ଆଉ ତମେ କେଉଁ ଦୁଃଖରେ ବିଭୂତିଭୂଷଣ ହୋଇ ଏ ଶ୍ମଶାନବାସୀ ଭୋଳାନାଥଙ୍କ ଅବତାର ଧରି ଭ୍ରମଣ କରୁଛ କହିପାରିବ ବାବାଜୀ ?

 

ହରିବୋଲ ବାବା–ହରିବୋଲ–ବାପା ମୁଁ ତ ବାବାଜୀ ଲୋକ–ବସୁଧୈବ କୁଟୁମ୍ବକଂ...ମୋର ପୁଣି ଦୁଃଖ କ’ଣ ? ମିଳିଲେ ଖାଇବି, ନଇଁଲେ ନାଇଁ ହେଁ–ହେଁ–ହେଁ ଆପଣମାନଙ୍କ ଆଶ୍ରାଧରି ପଡ଼ିଛି–। ମୁଁ ପଚାରିଲି...ତମର ଚେହେରା କହୁଛି ତମେ ବେଶ ପରିଶ୍ରମ କରି ଅର୍ଥ ଉପାର୍ଜନ କରିପାରିବ, କିନ୍ତୁ ତା ନ କରି ଏ ବିକୃତ ଭାବରେ ମାଗି ବୁଲୁଛ କାହିଁକି ?

 

ସେ ଟିକେ ହସିଦେଇ, ନିଜ ଦାଢ଼ିକୁ ଆଉଁସି ଦେଇ, ଟିକେ ଖଣ୍ଡିକାଶ ମାରି ଗଳା ପରିଷ୍କାର କରି ନେଲା । ତା’ପରେ ସେ ଆରମ୍ଭ କଲା–ବାବୁ ଦିନେ ଏଇ ହାତରେ କୁଠାର ଧରି ବଡ଼ ବଡ଼ ଗଛ ତଳେ ଶୁଆଇ ଦେଉଥିଲି; କିନ୍ତୁ ବାବୁ ବାଡ଼ି ମଇଦାନ ମୋ ସ୍ତ୍ରୀକୁ, ଦୁଇପିଲାଙ୍କୁ ଜିଭ ବୁଲାଇ ଚାଟି ଦେଲାପରେ ସଂସାର ପ୍ରତି ମୋର ବୈରାଗ୍ୟ ଜନ୍ମିଲା–ଆଉ ଏ ମିଛ, ମାୟା ସଂସାରରେ ରହି, ନାଗସାପ ଗୁଡ଼ାଇ ହୋଇ ଦୁଃଖ ଭୋଗିବାକୁ ମୁଁ ପସନ୍ଦ କଲି ନାହିଁ । ଭଗବାନଙ୍କ ନାମ ଧରି ଭବସାଗରରୁ ତରିଯିବା ପାଇଁ ମୁଁ ଏଇ ବେଶ ଧରିଛି । ବୁଝିଲେ ବାବୁ, ଏଇଥିରେ ମୁଁ ଖୁବ୍ ଆନନ୍ଦ ପାଉଛି, ପିଲାପିଲି ନ ଥାଇ ମଧ୍ୟ ବାବା, ରାଜ୍ୟ ନ ଥାଇ ମୁଁ ‘ମହାରାଜ’ । ଘର ନ ଥିଲେ ବି ଏ ଦୁନିଆଟା ମୋର ଘର–ଦୁଃଖ କ’ଣ ! ମିଛରେ କାହିଁକି ଆଉ ଗୋଟିଏ ବିଭା ହୋଇଥାନ୍ତି । ଏ ସୁଖଠାରୁ ସେ ସୁଖ କେବେ ବଡ଼ ହେବ ? ହେଁ–ହେଁ–ହେଁ ଏଥିରେ ମୁଁ ଖୁବ୍ ଆନନ୍ଦ ପାଉଛି–ହଉ ବାବୁ, ଭଗବାନ ଆପଣଙ୍କର ମଙ୍ଗଳ କରନ୍ତୁ–ଦେଲେ, ଏ ବାବାଜୀକୁ କିଛି ଦେଲେ–ରାତି ହେଲାଣି–ଠାକୁରଙ୍କ ଧୂପ ବ୍ୟବସ୍ଥା କରିବାକୁ ହେବ । ପଇସା ନାଇଁ–ପରେ କେବେ ଦେଖାହେଲେ ଦେବି ।

 

ହଉ, ହଉ ବାବୁ, ଆପଣ କ’ଣ ଦେବେ ନାହିଁ ? ହଁ ବାବୁ, ଆପଣଙ୍କ ପିଲାପିଲି ଅଛନ୍ତି-?

 

କହିଲି–ପାଞ୍ଚୋଟି....

 

ବାବୁ, ପିଲାପିଲିଙ୍କୁ ଭଲ କରିବାକୁ ମୋ ପାଖରେ ଟୁଣୁଟୁଣିଆ ଅଛି । ପିହୁଳା ମାରିଲେ, ଦୃଷ୍ଟି ପଡ଼ିଲେ, ପିଲା କାନ୍ଦିଲେ, ମୁଁ ଚେରମୂଳିରେ ଭଲ କରିଦିଏ । ଆପଣଙ୍କର ଯଦି ଦରକାର ଥାଏ....

 

କହିଲି–କିଛି ଦରକାର ନାହିଁ...ପିଲାଙ୍କ ଦେହ ଅସୁଖ ହେଲେ ଡାକ୍ତର ଅଛନ୍ତି ।

 

ସେ ପୁଣି ହସିଲା–କହିଲା–ସେଇ ଡାକ୍ତର ତ ରୋଗ ବଢ଼ାଇ ଦେଇଛନ୍ତି–ବୁଝିଲେ ବାବୁ–ଆପେଣେ ପାଠ ପଢ଼ିଛନ୍ତି, ମଣିଷ ଚରାଉଛନ୍ତି–ବୁଝିଲେ ଏ ଚେରମୂଳକୁ କେହି ଲାଗନ୍ତି ନାହିଁ-। ହେଁ–ହେଁ–ହେଁ ।

 

କହିଲି–ବାବାଜୀ ତମେ ଯାଅ । ମୁଁ ଟିକେ ଶାନ୍ତିରେ ବସିବାକୁ ଚାହେଁ...

 

ହଉ, ମୁଁ ଯାଉଛି ପୁଣି ଦେଖା ହେବ ଯେ, ତା’ପରେ ସେ ତା ଡମ୍ବରୁ ବଜାଇ ଶଙ୍ଖ ଫୁଙ୍କି ଧୀରେ ଧୀରେ ଚାଲିଗଲା...ଖୁଚୁରା ଥିଲେ ବି ମୁଁ କାହିଁକି ତାକୁ ନିରାଶ କଲି ସେଇକଥା ନିଜ ମନକୁ ପଚାରି ବୁଝିବାକୁ ଚେଷ୍ଟା କରୁଥିଲି.....

 

ବାବୁ–ବସାକୁ ଚାଲ ।

 

–ବସା ! ଓ...ହଁ ! ଆରେ ଗୋବିନ୍ଦ ତୁ କାହିଁକି ଆସିଲୁ ?

 

–ମା’ ପଠାଇଲେ ଏଇ ଚାରିଟାରେ ପରା ଗୋଟାଏ ଲୋକ ମଟର ଧକ୍କାରେ ମରିଯାଇଛି–ଆପଣ କ’ଣ ଶୁଣି ନାହାନ୍ତି ବାବୁ !

 

–ଓ, ସେଇଥିପାଇଁ ମା ବ୍ୟସ୍ତ ହୋଇ ତୋତେ ପଠାଇଛନ୍ତି, ନା ! ତେବେ ଗୋବିନ୍ଦ, ଯେଉଁ ଲୋକଟି ମରିଗଲା, ତୁ ତାକୁ ଦେଖିଛୁ ।

 

–ନାଇଁ ବାବୁ ଦେଖିନି, ଏଇ ରାସ୍ତାରେ ଲୋକେ କୁହାକୁହି ହେଉଥିଲେ, ସେ କୁଆଡ଼େ ବାବୁ ଭେଣ୍ଡିଆଟାଏ...

 

–ଇସ୍ ! ଗୋବିନ୍ଦ ସେ ମରିଯାଇଛି ତା’ହେଲେ ?

 

–ଆଜ୍ଞା । ଆପଣ ବେଗି ଚାଲନ୍ତୁ ବାବୁ, ମା’ ଭାରି ବ୍ୟସ୍ତ ହେଉଥିବେ...

 

–ମା’ତ ବ୍ୟସ୍ତ ହେଉଥିବେ ଗୋବିନ୍ଦ, ହେଲେ ସେଇ ଯେଉଁ ଯୁବକର ଅପମୃତ୍ୟୁ ଘଟିଲା, ତା’ର ଯଦି, ପୁତ୍ର, କନ୍ୟା, ସ୍ତ୍ରୀ,ପିତା ଓ ମାତା ଥିବେ,ତାର ଏ ଅପମୃତ୍ୟୁର ଦୁଃସମ୍ବାଦ ଶୁଣି ସେମାନେ କ’ଣ ହେଉ ନ ଥିବେ ?

 

–ବାବୁ, ହେଲେ କ’ଣ ହେବ, ସେତ, ସେଇଥିରେ ଯିବ ବୋଲି ଆସିଥିଲା....

 

–ଧେତ୍ ଓଲୁ ! କହିଲା–ମଟର ଧକ୍କାରେ ଯିବ ବୋଲି ଆସିଥିଲା–

 

ନାଇ ଆଉ କ’ଣ ବାବୁ ? ପୂର୍ବଜନ୍ମରେ କିଏ ଅଭିଶାପ ଦେଇଥିଲା, ଫଳିଲା, ବାଟରେ ପଡ଼ି ମଲା....

 

ମୁଁ ଠୋ ଠୋ ହସି ଉଠିଲି–ପୂର୍ବେ ମଟର ତିଆରି ହୋଇ ନ ଥିଲା । ଆଉ ମଟର ଧକ୍କାରେ ମରିବ ବୋଲି କିଏ କିମିତି ତାକୁ ଅଭିଶାପ ଦେଲା ?

 

–ବାବୁ, ଆପଣେ ତ ଏଇକଥା କହିବେ...ମୁଁ କ’ଣ ମିଛ କହୁଛି ?

 

ଗୋବିନ୍ଦ ଶୁଣ, ତୋ କଥା ଯଦି ସତ ହୁଏ, ଆଉ ତୋ ପୁରାଣ ଯମଦେବତା ଯଦି ସତରେ ଥାଆନ୍ତି, ତା’ ହେଲେ ମୁଁ ଭାବୁଛି ଏ ମଟର, ରେଳ, ଦପ୍ତରରେ ତା ହେଲେ ଏଇ ଖସିପଡ଼ି ମଟର ରେଳରେ କଟିଯିବା ପାଇଁ ଉଡ଼ାଜାହାଜରୁ ଖସି ମରିବା ଲୋକଙ୍କ ପାଇଁ ସ୍ୱତନ୍ତ୍ର ଅଫିସ ତିଆରିହେବଣି ଏବଂ ସେଥିପାଇଁ ଚିତ୍ରଗୁପ୍ତ ଭଳି ଆଉ ଏକ I.A.S ଅଫିସର ନିଯୁକ୍ତ ହେବଣି–କ’ଣ କହୁଛ ? ଗୋବିନ୍ଦ ମୋ ପ୍ରଶ୍ନର ଯଥାର୍ଥ, ଉତ୍ତର ଦେବାକୁ ଏକାନ୍ତ ଅକ୍ଷମ...କହିଲି, ବୁଝିଲୁ ଗୋବିନ୍ଦ, ଏ ସବୁ ଅପମୃତ୍ୟୁ, ଏଥିପାଇଁ ଆମେ ହିଁ ଦାୟୀ, ଆଉ ଏ ଦେଶରେ ଏତେ ଅଶାନ୍ତି ସୃଷ୍ଟି ହେବାର କାରଣ ତୁ ଜାଣୁ ! ଏଇ ଅପମୃତ୍ୟୁରେ ମରିଥିବା ଅତୃପ୍ତ ଆତ୍ମା ଏ ଦେଶରେ ଅନେକ ହୋଇ, ଆମ ଚତୁର୍ଦ୍ଦିଗରେ ଘୂରି ବୁଲୁଛନ୍ତି ଏବଂ ତାଙ୍କରି ଅଭିଶାପ ଚିତ୍କାରରେ ଆମ ମନ ଆଜି ଅଶାନ୍ତିଜର୍ଜର ହୋଇ ଉଠୁଛି...

 

ଗୋବିନ୍ଦ ଟିକେ ବିଚଳିତ ହୋଇଉଠିଲା । ତା’ର ଏ ଅବସ୍ଥା ଦେଖି କହିଲି ହଉ ଚାଲ ଗୋବିନ୍ଦ, ଯିବା...

 

ଗୋବିନ୍ଦ ପ୍ରସ୍ତୁତ ହୋଇଗଲା...ସୈକତ ଶଯ୍ୟା ଛାଡ଼ି ମୁଁ ମୋ ବସ୍ତ୍ରରେ ଲାଗିଥିବା ବାଲୁକା ଗୁଡ଼ିକୁ ଝାଡ଼ି ଦେଇ ଗୋବିନ୍ଦର ପଦାଙ୍କ ଅନୁସରଣ କରୁ କରୁ ଅନୁଭବ କଲି–ମୁଁ ଯିମିତି ଅନେକ ଦିନରୁ ତୃଷାର୍ତ୍ତ...

 

–ଆରେ ଗୋବିନ୍ଦ, କପେ ଚା’ ବ୍ୟବସ୍ଥା କଲୁ...

 

–ଚା’ ! ଗୋବିନ୍ଦ ଲେଉଟି ପଡ଼ି ଚମକି ପଡ଼ିବା ଭଳି କଣ୍ଠରେ କହିଲା

 

–ବାବୁ, ଡାକ୍ତର ପରା ମନା କରିଛନ୍ତି...

 

–ଆବେ ମାର୍ ଗୋଲି ତୋ ଡାକ୍ତରଙ୍କୁ । ଚା’ ଖାଇଲେ ରକ୍ତଚାପ ହୁଏ ନି, ଡାକ୍ତରଙ୍କ କଥା ଶୁଣିଲେ ତାଙ୍କ ଲମ୍ବା ଲମ୍ବା ପ୍ରେସକ୍ରିପ୍‍ସନ ଦେଖିଲେ ରକ୍ତଚାପ ବୃଦ୍ଧି ହୁଏ, ବୁଝିଲୁ ! ଗୋବିନ୍ଦ ମୋର ଏ ପାଗଳାମୀ ଦେଖି ବିନୀତ କଣ୍ଠରେ କହିଲା–ବାବୁ ! ମା ଶୁଣିଲେ ।

 

ଓଲୁ ! ଚାଲ ଚାଲ, ତୋ ଉପଦେଶ ଶୁଣିଲେ ବି ମୋ ରକ୍ତରେ ଚାପ ବୃଦ୍ଧି ହେବ...ବୁଝିଲୁ । ଗୋବିନ୍ଦ ଟିକେ ଶଙ୍କିଗଲା । ତାକୁ ଆଶ୍ୱାସନାପୂର୍ଣ୍ଣ କଣ୍ଠରେ କହିଲି, ମା’ ଜାଣିବେ ବା କାହିଁକି ? ତୋ ଛଡ଼ା ଆଉ କେହି ଜାଣି ପାରିବେ ନାହିଁ । ଗଲୁ, ବହୁ ଦିନରୁ ଚା’ ନ ଖାଇ ପାଟିଟା ଅରୁଚା ହୋଇଗଲାଣି... ।

 

ବହୁ ଅନୁନୟ ବିନୟ ପରେ ପ୍ରଭୁଭକ୍ତ ଗୋବିନ୍ଦ ମୋ କଥା ମାନିଲା–ମୋତେ ବାସ୍ତବିକ ତୃଷା ହେଉଥିଲା–ଭାବିଥିଲି ଚା’ ପାନ ପରେ ସେ ତୃଷା ମୋର ନିବାରିତ ହେବ; କିନ୍ତୁ ଏ ମହାତୃଷାକୁ ନିବାରିତ କରିବାର ଶକ୍ତି କ’ଣ ଏ ଚା’ରେ ଅଛି ???

 

ବରଂ ମୁଁ କ୍ଳାନ୍ତ ଅବସନ୍ନ ଅନୁଭବ କଲି । ବିଶ୍ରାମ ମୋର ଏକାନ୍ତ ଆବଶ୍ୟକ ମନେ କରି ମୋର ଦୁର୍ବଳ ପଦକୁ ଆଉ ଟିକିଏ ପ୍ରଖର କରିଦେଲି...ରକ୍ତର ଚାପ ଏକ ସାଂଘାତିକ ବ୍ୟାଧି । ପୂର୍ବେ ଏ ଦେଶର ଜମିଦାର, ରାଜା, ମହାରାଜାମାନଙ୍କ ବର୍ତ୍ତୁଳାକାର ଶରୀରରେ ଏ ମାରାତ୍ମକ ବ୍ୟାଧି ବେଶୀ ପରିମାଣରେ ଦେଖା ଯାଉଥିଲା । ଭାରତ ସ୍ଵାଧୀନ ହେବା ପରେ ଏ ଦେଶରୁ ଜମିଦାରୀ ପ୍ରଥାର ବିଲୋପ ସାଧନ ହେବା ପରେ ଏ ବ୍ୟାଧି ଏମ୍. ଏଲ୍. ଏ., ମନ୍ତ୍ରୀ, ଏମ୍. ପି. ନତୁବା ପୁଞ୍ଜିପତି, ମଦ ବ୍ୟବସାୟୀ, କଣ୍ଟ୍ରାକ୍ଟର, ଶିଳ୍ପପତିଙ୍କୁ ଆକ୍ରମଣ କରିବାର କଥା; କିନ୍ତୁ ମୋ ଭଳି ସ୍ୱଳ୍ପ ବେତନଭୋଗୀ ଶିକ୍ଷକର କୁଶକ୍ଷୀଣ ଶରୀରରେ ଯେ ସେଇ ବ୍ୟାଧି ଦେଖାଦେବ, ଏ କଥା ଯେ ଶୁଣିଲା, ଅନ୍ତତଃ ଅଧଘଣ୍ଟା ନ ହସି ରହିପାରିଲା ନାହିଁ–(ରଙ୍କ ଘରେ ରାଜବ୍ୟାଧି ।) ଯାହାର ପିଲେ ମାସର ଦ୍ଵିତୀୟାର୍ଦ୍ଧରେ ଶାନ୍ତିରେ ଶାକାନ୍ନ ଭୋଜନ କରିବାକୁ ପାଆନ୍ତି ନାହିଁ, ଯାହାର ଦାବୀକୁ ସରକାର ନିର୍ମମଭାବେ ଉପେକ୍ଷା କରିବାକୁ ଉଦ୍ୟତ, ପ୍ରସ୍ତୁତ, ସଭ୍ୟ ସମାଜ ଯା’ର କଥା ଶୁଣିଲେ ନାସିକା କୁଞ୍ଚନ କରନ୍ତି, ତା’ ଦେହରେ ରକ୍ତ କାହୁଁ ଆସିଲା ଯେ ଚାପ ସୃଷ୍ଟି ହେବ । ଆଉ ଏ କଥା ଶୁଣି ହସିବାକୁ କାହାର ବା ମନରେ ପ୍ରେରଣା ନ ଜାଗିବ ।

 

...ଶିର ନାସ୍ତି...ଶିରପୀଡ଼ା ।

 

ଡାଃ ମହାପାତ୍ର–ମୋ ହସ୍ତରେ ତଥାପି “ରକ୍ତଚାପ ମାପିବାର ଯନ୍ତ୍ରର ପଟିଟା ବାନ୍ଧି, ଗୁରାଇ ବାର ବାର ପ୍ରେସର ଦେଇ, କିନ୍ତୁ ନିଃସନ୍ଦେହରେ ଯେତେବେଳେ ‘ରକ୍ତଚାପ’ ହୋଇଛି ବୋଲି ଘୋଷଣା କଲେ, ମୋ ସ୍ତ୍ରୀଙ୍କ ପାଣିଚିଆ କଳା ରଙ୍ଗର ମୁଖ ମଣ୍ତଳରେ ସତେ ଯେମିତି କିଏ ଆଲକାତରା ବୋଳିଦେଲା...ମୋ “ପଞ୍ଚପାଣ୍ତବ”ଙ୍କ ଦାୟିତ୍ଵ ଆଉ କିଏ ବହନ କରିବ ସେଇ ଚିନ୍ତାରେ ସେ ଏକ ପ୍ରକାର ପ୍ରମାଦ ଗଣିଲେ...

 

ମିଃ ମହାପାତ୍ର, ମୋ ସ୍ତ୍ରୀଙ୍କ ମୁଖରେ ଏତାଦୃଶ ଭାବ ପରିବର୍ତ୍ତନ ଲକ୍ଷ୍ୟକରି ଆଶ୍ୱାସନା ପୂର୍ଣ୍ଣ କଣ୍ଠରେ କହିଲେ–ଦୁଃଖ କରନି, ଏତ High b।ood pressure ହୋଇନି ଯେ କିଛି ଅନିଷ୍ଟ ହେବ । Low b।ood pressure ପ୍ରାୟ ସମସ୍ତଙ୍କ ଦେହରେ ଥାଏ । ତା ଛଡ଼ା ତୁମ ସ୍ୱାମୀଙ୍କର Hook–warm (Three p।us) ଅଛି ନା, ଟିକିଏ…ଅସୁବିଧା ହୋଇ ଯାଇଛି, ତେବେ ମୁଁ ପ୍ରେସ୍‍କିପ୍‍ସନ କରୁଛି ‘ଲିଭର ଏକ୍‍ଟ୍ରାକ୍‍ସ ଇନ୍‍ଜେକସନ’ ଏବଂ “ଟୋନିଆ ଜଲ” “ଇଉପେପ୍‍ଟିନ୍” “ନିଓ ଫେରଲେକ୍‍ସ ଟନିକ” ଖାଆନ୍ତୁ, ଟିକେ ରକ୍ତ ଆସିଗଲେ Hook–warm treatment କରିବେ I କ’ଣ ବୁଝିଲେ ! ତେବେ ଟିକେ ପଥ୍ୟ ଠିକ୍ କରନ୍ତୁ, ଅନ୍ତତଃ ଦିନକୁ ଦୁଇଟା ଅଣ୍ଡା, ଦୁଧ ଅଧ ସେର, ଆଉ ଫଳରସ–ବାସ୍…ଦେଖିବେ ମାସ କେଇଟାରେ କି ଅଭୂତ ପରିବର୍ତ୍ତନ ହୋଇଆସିବ ?–ଡାକ୍ତର ମହାଶୟଙ୍କ କଥା ସ୍ତ୍ରୀ ମୋର ଥମ୍ ଥମ୍ ହୃଦୟରେ ଏକମନ ଏକଲୟରେ ଶୁଣି ଯାଉଥିଲେ…।

 

ଏଇ ଅଣ୍ଡା, ଫଳରସ କଥା ଶୁଣି ସେ ତାଙ୍କ କାନ, ବେକ ହାତ ଉପରେ ଥରେ ହାତ ଛୁଆଇଁ ଆଣିଲେ–ବାପଘରୁ ଯେଉଁ ସୁନା ଗହଣା ଆସିଥିଲା, ସେଗୁଡ଼ିକ ଆଜି ପରଘର ସିନ୍ଦୁକରେ ଆରାମ କରିଛନ୍ତି–ଆଉ ଟଙ୍କା କେଉଁଠାରୁ ଆସିବ ?

 

ମିଃ ମହାପାତ୍ର ପୁଣି ଆରମ୍ଭ କଲେ I ତା’ ଛଡ଼ା ସ୍ୱାମୀଙ୍କୁ ଟିକିଏ ଜଳବାୟୁ ପରିବର୍ତ୍ତନ କରାଇ ଆଣନ୍ତୁ I ଅନ୍ତତଃ ମାସଟିଏ ଲାଗି I ଆପଣ ତ ଆଉ ସିମିଳା, ଦାର୍ଜିଲିଂ, ନୈନିତାଲ ଯିବେ ନି, ଏଇ ପୁରୀ ତା’ ନ ହେଲେ କପିଳାସ–ବେଶୀ ପଇସା ଖର୍ଚ୍ଚ ହେବନି; ଅଳ୍ପ ପଇସାରେ ସ୍ୱାମୀ ଆରୋଗ୍ୟ ହୋଇଯିବେ–ବୁଝିଲେ ?

 

ମିଃ ମହାପାତ୍ରଙ୍କ କଥାରୁ ସ୍ତ୍ରୀ ବେଶ୍ ବୁଝିଲେ, ଏଥର ନିଶ୍ଚୟ କିଛି ଜମି ବନ୍ଧକ ଦେବାକୁ ପଡ଼ିବ I ତଥାପି ମିଃ ମହାପାତ୍ର ଯିବାପରେ ସେ ଜମି ବନ୍ଧା ଦେଇ ଟଙ୍କା ଆଣିବାକୁ ମୋତେ ଜିଗର ଲଗାଇଲେ–କାରଣ ଜମିଠାରୁ ମୋ ଜୀବନ ତାଙ୍କ ପାଖରେ ମୂଲ୍ୟବାନ, କିନ୍ତୁ ଥରେ ଜମି ହାତରୁ ଗଲେ ପୁଣି ଆସିବା, ମୋ ପାଖରେ ଯେ ନିଷ୍ଠୁର ବିଡ଼ମ୍ବନା !

 

ସ୍ତ୍ରୀଙ୍କ ଜିଦ୍, ବନ୍ଧୁମାନଙ୍କ ପରାମର୍ଶକ୍ରମେ ପୁରୀ ଆସିବାକୁ ପ୍ରସ୍ତୁତ ହେଲି I ଏକେ ତ ଦେବଭୂମି, ଦେବତା ଚରଣରେ ଆଶ୍ରୟ ନେବା ହେବ, ଜଳବାୟୁ ପରିବର୍ତ୍ତନ ହେବ, ମନ୍ଦ କ’ଣ ?

 

ସଂପୂର୍ଣ୍ଣ ଦୁଇମାସ ପୁରୀରେ ମୋର ଅତିବାହିତ ହୋଇଯାଇଛି I ପ୍ରତ୍ୟହ ଦିଅଁ ଦର୍ଶନ କରିବା, ସମୁଦ୍ର କୂଳରେ ଭ୍ରମଣ କରିବା ଛଡ଼ା ତୃତୀୟ କଥା ମୋର କିଛିନାହିଁ । ଏଇ ସମୁଦ୍ର କୂଳରେ ଭ୍ରମଣ କରିବା ସମୟରେ ମୁଁ ପ୍ରତ୍ୟହ ବିଚିତ୍ର ପ୍ରକାର ଦୃଶ୍ୟ, ବିଚିତ୍ର ପ୍ରକାର ଲୋକଙ୍କ ସଂସ୍ପର୍ଶରେ ଆସେ । ଶ୍ରୀକୃଷ୍ଣ ପାଟିରୁ ଯଶୋଦା ବିଶ୍ଵ ବ୍ରହ୍ମାଣ୍ଡ ଦେଖିଲା ଭଳି ଏଇ କ୍ଷୁଦ୍ର ପରିବେଶ ଭିତରୁ ମୁଁ ଦେଖିବାକୁ ପାଏ, ଏ ପୃଥିବୀର ଚାପ । ଯେଉଁଠି ଦଳେ ଭୋଗ ବିଳାସରେ ସମୟ ଅତିବାହିତ କରୁଛନ୍ତି, ଦଳେ ଗ୍ରହୀତା ଦଳେ ବେପାରୀ, ଦଳେ ଦାନୀ, ଦଳେ ଭିକ୍ଷୁ I ଏ ସବୁ ଦୃଶ୍ୟ ଦେଖି ଦେଖି ମନ ବିରକ୍ତି ବିଷରେ ଭରିଗଲାଣି । ଉପାୟ ଏହାର ! ପ୍ରତିକାର ଚିନ୍ତା କରି ନ ଥିଲେ ବି ଏ ସ୍ଥାନ ତ୍ୟାଗ କରିବାର ବାସନା ମନରେ ବଳବତ୍ତର ହୋଇଗଲାଣି । ଏଠି ଆଉ ବେଶୀ ଦିନ ରହିଲେ ମୋର ଯେ ରକ୍ତଚାପ କ୍ରମେ ବୃଦ୍ଧି ପାଇବ ଏ ଆଶଙ୍କା ମୋ ମନରେ ଯଥେଷ୍ଟ I

 

ଆଜି ଡାକରେ ଆମ ସ୍କୁଲର ପ୍ରଧାନଶିକ୍ଷକଙ୍କ ପତ୍ର ପାଇଲି I ସେ ମହାଶୟ ବିରକ୍ତ ହୋଇ ସୁଦୀର୍ଘ ପତ୍ର ପଠାଇଛନ୍ତି, ଯାର ସାରମର୍ମ ହେଲା ଆପଣ ଶୀଘ୍ର ଚାଲି ଆସନ୍ତୁ I କାରଣ ଆପଣଙ୍କ ଚାକିରି ସମୟ ତୁଳନାରେ ଛୁଟି ଏତେ ବେଶୀ ହୋଇଗଲାଣି ଯେ, ଆଉ ଛୁଟିଦେବା ସମ୍ଭବପର ହେବନି । ବରଂ ଅଧିକା ଛୁଟି ନେବାକୁ ବାଧ୍ୟ କରିଲେ ପରିଚାଳନା ସମିତି ଆପଣଙ୍କୁ ଏ ସ୍କୁଲରୁ ଚିରଦିନ ପାଇଁ ଛୁଟି ନେବାକୁ ବାଧ୍ୟ କରିବ–ଏଥିରେ ତ ତାଙ୍କର କିଛି ଅସୁବିଧା ହେବନି ! ଏ ଦେଶରେ ଶିକ୍ଷକତା କରିବା ପାଇଁ ଯଥେଷ୍ଟ ଲୋକ ମିଳିବେ–ଶୀଘ୍ର ଆସିବେ I ଅବସ୍ଥା ଦେଖି ବ୍ୟବସ୍ଥା କରିବେ–

 

ଚିଠିଟି ପାଇ ପତ୍ନୀ ମୋର ରୋଷ ଅଭିମାନରେ ପଞ୍ଚମ ହୋଇ ଉଠିଲେ । ଏ ଚାକିରି ଛାଡ଼ି ଦେବାକୁ ସେ ପରାମର୍ଶ ଦେଇ ମୋତେ କହିଲେ–ନା ତମେ ସେ ଚାକିରି ଛାଡ଼ିଦିଅ I କେଉଁ ଯେ ଚାକିରି–ଖାଲି ଗପର ଗପର ହୋଇ ବେମାରୀ ହେବା ଅପେକ୍ଷା ବିଲବାଡ଼ି ଦେଖିବା ସବୁଠାରୁ ଭଲ ।

 

ପ୍ରଧାନ ଶିକ୍ଷକଙ୍କ ପତ୍ରକୁ ପଢ଼ିଲି–ପତ୍ନୀଙ୍କ ପରାମର୍ଶ ଶୁଣିଲି–କିନ୍ତୁ କ’ଣ କରିବି ମୁଁ-???

 

ପଞ୍ଚପାଣ୍ଡବଙ୍କୁ ମଣିଷ କରିବା ଦାୟିତ୍ଵ ମୋ ଉପରେ । ସେମାନେ ମଣିଷ ନ ହେଲେ ଯେ ଏ ଦେଶର ଯେମିତି କିଛି ଉଲ୍ଲେଖ ଯୋଗ୍ୟ ପରିବର୍ତ୍ତନ ହୋଇଯିବ, ଏ କଥା ବି ନୁହେଁ । ତେବେ ଜୀବନଯାତ୍ରାରେ ଏ ଯେଉଁ ପ୍ରତିଯୋଗିତା ଚାଲିଛି, ଏଥିରେ ସେମାନେ ପଛାଇ ଯିବେ । ମୋ ସନ୍ତାନ ହୋଇଥିବାରୁ ଭାଗ୍ୟକୁ ଧିକ୍କାର କରିବେ । ଏହିଠାରୁ ବଳି ଦୁଃଖ କ’ଣ ହୋଇପାରେ-? ନିଜ ପୁତ୍ରଙ୍କୁ ମଣିଷ କରିବାକୁ ଯେଉଁ ପିତା ଅସମର୍ଥ, ସେ ପିତା ନିଃସନ୍ଦେହରେ ପୁତ୍ରଙ୍କ ପାଖରେ ‘ପି–ତା’ ରୂପେ ଆଗ୍ରାହ୍ୟ ହେବ ନି ???

 

ରୋଗ ତଥାପି ଆରୋଗ୍ୟ ହୋଇନି । ତଥାପି ପ୍ରଧାନ ଶିକ୍ଷକଙ୍କ ଏ ପତ୍ର–ତଥାପି ଦୁନିଆଁରେ ବଞ୍ଚି ରହିବା ପାଇଁ ଆଶା–

 

ତା’ ହେଲେ କ’ଣ ମତେ ପୁଣି ପାଗଳ ପ୍ରଳାପ କରିବାକୁ ଏ ସଂସାରକୁ ବାହାରି ଯିବାକୁ ପଡ଼ିବ ???

 

ପତ୍ନୀଙ୍କୁ ବୁଝାଇବାକୁ ଚେଷ୍ଟା କରି କହିଲି–ଶୁଣ, କାଲିଠାରୁ ଚାଲିଯିବା । ଦେହ ତ ଆରୋଗ୍ୟ ହେଲାଣି, ମିଛରେ ଚାକିରିଟା ଛାଡ଼ିବା କାହିଁକି ? ତା’ ଛଡ଼ା ଚାକିରିକୁ ଅଭିମାନ କରି ଛାଡ଼ିଲେ ଯେ କେହି ସେ ସ୍ଥାନ ପୂରଣ କରିନେବ; କିନ୍ତୁ ଏ ବୟସରେ ମୋ ପାଇଁ କ’ଣ ଆଉ ଚାକିରି ମିଳିବ । ଏ ପଞ୍ଚପାଣ୍ଡବ ମଣିଷ କେମିତି ହେବେ ? ?

 

ଶିକ୍ଷିତ ବାପ ଥାଉଁ ଥାଉଁ ପାଞ୍ଚ ପାଞ୍ଚଟା ପୁଅ ମୂର୍ଖ ହୋଇ ବେକାର ସମସ୍ୟା ବଢ଼ାଇଲେ, ଲୋକେ କ’ଣ କହିବେ । ଚାଲ ଆମର ଦୁଃଖ ସେଇ ଜଗତର ନାଥଙ୍କୁ ଜଣାଇ ଫେରିଯିବା, ବୁଝିଲ ?

 

ସ୍ତ୍ରୀ ବହୁ କଷ୍ଟରେ ବୁଝିଲେ, ମୁଁ ଆଶ୍ୱସ୍ତ ହେଲି। ଆଜି ତ ସମଗ୍ର ପୃଥିବୀକୁ ରକ୍ତଚାପ ବ୍ୟାଧି ଗ୍ରାସ କରିଛି । ମୋତେ ହୋଇଛି ବୋଲି ଭୟରେ ମୁଁ ସଂଗ୍ରାମ ଭୂମିରୁ ପଛଘୁଞ୍ଚା ଦେବି କାହିଁକି ???

☆☆☆

 

କିଏ

 

କାହାରେ କେବଳ ସୂଚୀଭେଦ ଅନ୍ଧକାର । ବୃଦ୍ଧ ଦିନପତିଙ୍କର ବିୟୋଗ ପରେ ଏଇ ଅନ୍ଧକାରର ଅରାଜକତା ଧରିତ୍ରୀ ବୁକୁକୁ ଗ୍ରାସ କରିବା ଏକ ପ୍ରାଗୈତିହାସିକ ସତକଥା । ତଥାପି ଆଜିର ଏଇ ନିରନ୍ଧ୍ର ଅନ୍ଧକାର ବିଷୁବମଣ୍ଡଳୀୟ ଅରଣ୍ୟ ଭଳି କାହିଁକି ଅଧିକରୁ ଅଧିକ ନିର୍ଜନ, ଗମ୍ଭୀର, ଭୟଙ୍କର ଜଣାପଡ଼ୁଥିଲା ।

 

ଘରଭିତରେ ଦିକ୍ ଦିକ୍ ହୋଇ ଜଳୁଥିଲା ଲ୍ୟାମ୍ପଟା । ସଦା ଅଭାବ ଅନଟନ ଜର୍ଜରିତ କିରାଣୀର ମାସିକ ବେତନଭଳି ତାହା ଏଇ ବନ୍ୟ ଅନ୍ଧକାରକୁ ସଂପୂର୍ଣ୍ଣ ନିଃଶେଷ କରିଦେଇ ପାରୁନଥିଲା କିମ୍ବା ନିଜେ ମଧ୍ୟ ଅନ୍ଧକାରର ବିଶାଳଗର୍ଭରେ ଲୀନ ହୋଇଯିବାକୁ ପ୍ରସ୍ତୁତ ନଥିଲା । ବରଂ ଜୀବନ–ଯନ୍ତ୍ରଣାରେ ଦଗ୍‍ଧ ଅତିଷ୍ଠ ଏକ ଦରିଦ୍ର ଭଳି ନିର୍ଲଜ୍ଜ ଆତ୍ମାଭିମାନ ନେଇ ଆହୁରି କିଛିକ୍ଷଣ ବଞ୍ଚିରହିବାକୁ ପ୍ରୟାସୀ ହୋଇ ଉଠିଥିଲା ।

 

ବାହାର ଅନ୍ଧକାରରୁ ଦୃଷ୍ଟି ଫେରାଇ ନିର୍ବାଣୋନ୍ମୁଖୀ ଏଇ ବତୀଟି ଉପରେ ଅନେକ ଅନେକ ସମୟ ଧରି ସ୍ଥିର–ସଂଯତ ଦୃଷ୍ଟି ପକାଇଥିଲା ଜୀବନ । ଏଥର କିନ୍ତୁ ସେ ଆଉ ନିଜକୁ ଆୟତ୍ତ କରିପାରିଲା ନାହିଁ । ଜୀବନ ମହାପାତ୍ର ହସିଉଠିଲା । ବତୀଟିର ସୀମିତ ଆଲୋକରେ ସେ ହସ କିନ୍ତୁ ବଡ଼ ବୀଭତ୍ସ, ବଡ଼ କରୁଣ ଦେଖାଗଲା । ଚଟାଣ ଉପରେ ସଉପ ଖଣ୍ଡେ ପକାଇ ମୁହଁମାଡ଼ି ଶୋଇଯାଇ ଥିଲା ବନଲତା । ଏଇ କୋତୋଟି ମିନିଟ୍ ପୂର୍ବରୁ ଶେଷଶ୍ରାବଣର ଆକାଶ ଭଳି ସେ ଅଶ୍ରୁପାତ କରୁଥିଲା । ଏଥିଭିତରେ ହୁଏତ କାନ୍ଦି କାନ୍ଦି ଫୁଲି ଉଠିଥିବା ତା ଚକ୍ଷୁରେ ନିଦ୍ରାଦେବୀ ଅଧିଷ୍ଠାନ କରିଯାଇଛନ୍ତି ।

 

ଏକ ଦୟନୀୟ ଚାହାଣୀରେ ବନଲତାକୁ ଚାହିଁଲା ଜୀବନ । ଚମ୍ପାଫୁଲ ପରି ତାର ଯେଉଁ ରଙ୍ଗ, ବିବର୍ଣ୍ଣ ଦେଖାଗଲାଣି । । ଆଉ କେଇଟା ବର୍ଷପରେ ସେ ହୁଏତ ବୁଢ଼ୀ ହୋଇଯିବ । ତୈଳହୀନ କେଶ ତାର ରଙ୍ଗ ବଦଳାଇଦେବ । ଆଉ ଇମିତି କାନ୍ଦି କାନ୍ଦି ସେ ତାର ଦୃଷ୍ଟି ଶକ୍ତି ବି ହରାଇ ବସିବ....

 

ଜୀବନ ମହାପାତ୍ର ମନରେ ଆଶଙ୍କାର ପେଚା କୁନ୍ଥେଇ ଉଠିଲା । କିଏ କହିବ ଅନାହାର ଅନିଦ୍ରାରେ ରହି ରହି ତାର ଜୀବନ–ମହାଦୀପଟି ଦିନେ ଅକାଳରେ ଅସମୟରେ ନିର୍ବାପିତ ହୋଇ ନ ଯିବ ?

 

ଗଡ଼ି ଆସୁଥିବା ଲୁହ ଦୁଇଧାରକୁ ପୋଛି ନେଲା ଜୀବନ । ଲୁହ–ଗ୍ରନ୍ଥିରୁ ଏ ଅସରନ୍ତି ଲୁହର ନିର୍ଝର ତାର ବି କଣ ଶୁଖିବ ନାହିଁ ?

 

ଶତ ବୃଶ୍ଚିକର ଦଂଶନଜ୍ୱାଳରେ ଅତିଷ୍ଠ ହୋଇ ପଡ଼ିଲା ସେ । ଏତେ ସଂଗ୍ରାମ, ଏତେ ପରିଶ୍ରମ କରିବା ପରେ ବି ତା’ ଭାଗ୍ୟରେ ତା’ ହେଲେ କଣ ଟିକେ ସୁଖ, ଟିକିଏ ଶାନ୍ତି ମିଳିଲା ନାହିଁ ?

 

ଅତୀତରେ ସେ ସୁଖ ପାଇନି । ଶୈଶବରେ ପିତାଙ୍କର ଅକାଳ ବିୟୋଗ ଦୁଃଖକୁ ସହ୍ୟ କରିଛି । ପାଠପଢ଼ି, ବଡ଼ ମଣିଷ ହେବବୋଲି ଭୋକଶୋଷ ଭୁଲି ଅନେକ କଷ୍ଟ ସହିଛି । ଅନେକଙ୍କ ପାଖରେ ହାତପତାଇ ଏ ଦେହରେ ଅପମାନ ଓ ନୈରାଶ୍ୟ–ଯନ୍ତ୍ରଣାକୁ ମିଶାଇ ଦେଇଛି । ତଥାପି ଭାଙ୍ଗିପଡ଼ିନି, ତାର ଚରମ ଆତ୍ମବିଶ୍ୱାସଥିଲା, ଚାକିରିଟିଏ ପାଇବାପରେ ତାର ବହୁ ବାଞ୍ଛିତ ସୁଖ–ଶାନ୍ତି ଆତ୍ମପ୍ରକାଶ କରିବ । କିନ୍ତୁ ଇଏ ପୁଣି କଣ ହେଲା......

 

ରୁଗ୍‍ଣା ମା’ ପାଇଁ ଠୋପେ ଔଷଧ ଯୋଗାଇ ପାରୁନି । ନିଜ ପିଲାଙ୍କ ପାଇଁ ସୁଷମ ଖାଦ୍ୟ ଯୋଗାଇବା ତା ସ୍ୱପ୍ନ ଏପରି କି ଚୁଡ଼ା ମୂଢ଼ି ଗଣ୍ଡାଏ ଖାଇ ଓଳିଏ ଓଳିଏ ସେମାନେ କଟାଇ ଦେଉଛନ୍ତି । ପ୍ରିୟତମା ବନଲତା ପାଇଁ ଖଣ୍ଡେ ମନଲାଖି ଶାଢ଼ି ବି କିଣି ପାରୁନି ସେ......

 

ଏସବୁ ଯୋଗାଇ ଦେବାପାଇଁ ତାର ସେ ମନ ନାହିଁ ତାହା ନୁହେଁ, ଏଥିଲାଗି ଆବଶ୍ୟକ ହେଉଥିବା ଅର୍ଥର ପରିମାଣ ତା’ ର ନାହିଁ ।

 

ଗତ ତିନିବର୍ଷ ହେଲା ସେ ଚାକିରି କଲାଣି । ନିଜ ବାସଗୃହର ରୂପ ପରିବର୍ତ୍ତନ ପାଇଁ ସେ ୟାଭିତରେ କେତେ କଳ୍ପନା ନ କରିଛି ? ନିଜର ରୁଗ୍‍ଣ ସାଇକେଲ ଖଣ୍ଡିକୁ ମରାମତି କରିବାକୁ ଇଚ୍ଛା କରି ପାରିନି । ଲଜ୍ଜିତ ହୋଇ ବହୁ ବନ୍ଧୁଙ୍କୁ ନିକଟ ଭବିଷ୍ୟତରେ ସଜାଡ଼ି ନେବାର ଛଳନା ମାତ୍ର କରିଛି । ଏଇ ତ ସେଦିନ ତା’ର ଚିକିତ୍ସକ ବନ୍ଧୁ ମିଃ ସୁବ୍ରମନିୟମ୍ ତାକୁ ପରାମର୍ଶ ଦେଇ କହିଥିଲେ–ଦେଖ ଜୀବନବାବୁ, ସାଧାସିଧା ଭାବରେ ଚଳିଯାଇ ଉଚ୍ଚଚିନ୍ତା କରିବା ଏକ ଆଦର୍ଶ ହୋଇପାରେ; କିନ୍ତୁ ତା ବୋଲି ବାସ୍ତବ ଜୀବନରେ ସେ ସବୁ ମହାସତ୍ୟକୁ ଏମିତି ମୁଳେଇ ଧରିଲେ ଚଳିବ ? ତୁମେ ଯେତେ ଶୀଘ୍ର ପାରୁଚ ହଳେ ଚପଲ କିଣିଲ ! ଏଇ ଯେଉଁ ସହରୀ ରାସ୍ତା ନା, କି ପ୍ରକାର ସଂକ୍ରାମକ ରୋଗର ଜୀବାଣୁ ଯେ ଉଠି ଖେଳି ବୁଲୁଛନ୍ତି ତାର ଠିକଣା ନାହିଁ । ହୁଏତ ଖାଲି ଗୋଡ଼ରେ ଚଳପ୍ରଚଳ ହେଲେ ସେଗୁଡ଼ିକ ଅକ୍କେଶରେ ତମ ପାଦ ଦେଇ ଶରୀର ଭିତରକୁ ପ୍ରବେଶ କରିଯିବେ । ଦେହର ଅନେକ କ୍ଷତି ଘଟାଇବେ । ସେତେବେଳେ ଅପର୍ଯ୍ୟାପ୍ତ ଅର୍ଥ ବ୍ୟୟ କରିବାକୁ ପୁଣି ବାଧ୍ୟ ହେବ । ସୁତରାଂ...”

 

ଚିକିତ୍ସକ ବନ୍ଧୁଙ୍କର ବ୍ୟାଧି ନିରାକରଣ ଯୋଜନାର କ୍ଷୁଦ୍ର ଭାଷଣ ଶୁଣି ବଡ଼ ଲଜ୍ଜିତ ହୋଇଥିଲା ଜୀବନ । ମନେ ମନେ ସେଦିନ ଶପଥ କରିନେଇଥିଲା–ଚଳନ୍ତି ମାସର ଦରମାଟା ମିଳିଗଲେ ନିଶ୍ଚୟ ହଳେ ମଟରଟାୟାର ତିଆରି ମଜବୁତ୍ ଚପଲ କିଣିନବ । କିନ୍ତୁ ପାରିଲା କାହିଁ...ପେଟସମସ୍ୟା ଯେଉଁଠି ଉତ୍କଟ ପରିସ୍ଥିତି ସୃଷ୍ଟି କରୁଛି, ସେଠି ଏସବୁ ବିଷୟରେ ଚିନ୍ତା କରିବାକୁ ସମୟ କାହିଁ ?

 

ବେଳେ ବେଳେ ଏ ସଂସାର ଛାଡ଼ି କେଉଁ ଏକ ସୁଖସମୃଦ୍ଧ ରାଜ୍ୟକୁ ପଳାଇଯିବାକୁ ଜୀବନ ମହାପାତ୍ର କଳ୍ପନା କରେ । ବିଶେଷକରି ପ୍ରତି ଶନିବାର ରାତିରେ ଯେତେବେଳେ ଦୀର୍ଘପଥ ସାଇକେଲିଂ କରି ସେ ଘରେ ପହଞ୍ଚେ, ସ୍ତ୍ରୀ’ର ଅଭିଯୋଗ ଫାଇଲ ଦେଖି ତା’ର ଏଇ ଇଚ୍ଛାଟା ତାରକା–ଭଳି ମନର ଆକାଶରେ ଗୋଟିକ ପରେ ଗୋଟିଏ ହୋଇ ଉଙ୍କି ମାରିଉଠେ । ନିଜର ଆତ୍ମଜମାନଙ୍କୁ ଦେଖିଲେ ପୁଣି ସେ ସବୁ କିନ୍ତୁ ଉଭେଇଯାଏ । ପିତୃତ୍ୱ ସେ ସବୁ ଅଶୁଭ କଳ୍ପନାକୁ ପ୍ରତିରୋଧ କରେ । ପିଲାଗୁଡ଼ିକ ସମୟ ସ୍ରୋତରେ କୁଟା ଖଣ୍ଡେ ଖଣ୍ଡେ ଭଳି ଭାସିଯିବେ, ଦୁନିଆ ତାର ଅପଦାର୍ଥ ପିତୃତ୍ୱକୁ ସମାଲୋଚନା କରିବ, ଆଉ ବୁଢ଼ୀ ମାଆ...

 

ବୁଢ଼ୀ ମା’ଙ୍କ ବିଷୟରେ ଚିନ୍ତା କଲେ ସେ ନିର୍ବାକ, ନିସ୍ପନ୍ଦ ହୋଇପଡ଼େ । କେତେ ଦୁଃଖ ନ କରିଛି ସେ ! ଧାନକୁଟି, ପରଘରେ ପାଞ୍ଚ ପାଇଟି କରି ସେ ତାକୁ ମଣିଷ କରିଛି । ସେ ଘର ଛାଡ଼ିଲେ କେଡ଼େ କଷ୍ଟ କେଡ଼େ ଯାତନା ନ ପାଇବ ସେ....

 

ଜୀବନ ମହାପାତ୍ର ଏକ ଦୀର୍ଘନିଶ୍ଵାସ ମାରିଲା । ପ୍ରକୃତି ହୁଏତ ତାକୁ ସମବେଦନା ଜଣାଇଲା । ଦମକାଏ ପବନରେ ଲିଭିଗଲା ଲ୍ୟାମ୍ପଟା ।

 

ଜୀବନ ମହାପାତ୍ର ବ୍ୟସ୍ତ–ବିବ୍ରତ ହୋଇପଡ଼ିଲା । ଘରଭିତରେ ବି ସେଇ ଅସହ୍ୟ ଅନ୍ଧକାର ।

 

ନା, ସେ ଏ ଅନ୍ଧକାର କବଳରୁ ରକ୍ଷା ପାଇବାକୁ ପଥ ଖୋଜିବ । ଦୀପ ସଳିତା ପରି ତିଳ ତିଳ ଜଳି ଲିଭିଯିବା ପୂର୍ବରୁ ବଞ୍ଚି ରହିବାପାଇଁ ସେ ନିଶ୍ଚୟ ପଥ ଆବିଷ୍କାର କରିବ.....

 

ଦଉଡ଼ିଆ ଖଟ ଉପରୁ ଉଠିଆସିଲା ଜୀବନ ।

 

ଚଟାଣ ଉପରେ ନୀରବ ହୋଇ କିଛିକ୍ଷଣ ଠିଆ ହେଲା ସେ ।

 

ଅନେକକ୍ଷଣ...

 

ତା’ପରେ ଅତି ଧୀରେ, ସନ୍ତର୍ପଣରେ ଦରଜା ଖୋଲିଲା ।

 

ବାହାରେ ବିକଟ ଅନ୍ଧକାର...

 

ଜୀବନ ଅନୁଭବ କଲା ସେଇ ଅନ୍ଧକାର ଯିମିତି ବାହୁ ବିସ୍ତାର କରି କହୁଛି–ଆସ ବନ୍ଧୁ ଆସ...

 

ଜୀବନ ମହାପାତ୍ର ପଦାକୁ ପାଦବଢ଼ାଇଲା । ସେଇ ବିକଟ–ଭୟାନକ ଅନ୍ଧକାର ଭିତରେ କ୍ରମେ କ୍ରମେ ନିଜକୁ ହଜାଇଦେଲା ।

 

ସ୍ୱପ୍ନଟା ହଠାତ୍ ଭାଙ୍ଗିଗଲା ବନଲତାର । ...ନିଦମଳମଳ ଆଖିରେ ଉଠିବସି ସେ ମନେପକାଉଥିଲା ସେଇ ସ୍ଵପ୍ନଟିକୁ । ତ୍ରିତଳପ୍ରାସାଦର ଉତ୍ତରାଧିକାରିଣୀ ହୋଇଯାଇଛି ସେ । ଜୀବନକୁ ବିବାହ କରିବାର ଅବ୍ୟବହିତ ପୂର୍ବରୁ ସୁମନ୍ତ ଜେନା ସହିତ ତାର ବିବାହ ପ୍ରସ୍ତାବ ଆସିଥିଲା ମାତ୍ର । କିନ୍ତୁ କିମିତି କେଜାଣି ସେ ତା’ର ଘରକୁ ବୋହୂ ହୋଇ ଯାଇଛି । ଲୁଗା କଣ୍ଟ୍ରାକ୍ଟର ସୁମନ୍ତ ଜେନାର ଗଡ଼ରେଜ ଆଲମିରାରେ ଥାକ ଥାକ ହୋଇ ଥୁଆ ହୋଇଥିବା ଟଙ୍କା ବିଡ଼ାକୁ ଦେଖି ସେ ସ୍ତମ୍ଭୀଭୂତା ହୋଇ ଯାଉଛି । ସେଗୁଡ଼ିକ ତା’ମନରେ ବଞ୍ଚି ରହିବାର ପ୍ରଲୋଭନକୁ ଦୃଢ଼ୀଭୂତ କରି ଦେଉଛି । ତା’ପରେ ସୁମନ୍ତ ହସି–ହସି ପଶି ଆସୁଛି ଘରଭିତରକୁ । ତା’ପରେ, ତା’ପରେ ସେଇ ଅଶ୍ଳୀଳ ବ୍ୟବହାର–

 

ଛିଃ ଛିଃ ସ୍ଵପ୍ନଟା କି ସାଂଘାତିକ !

 

ବାଜେ...

 

ଧଡ଼ପଡ଼ ହୋଇ ଉଠି ବସିଲା ବନଲତା । ସେ ନିଶ୍ଚୟ ଶୋଇ–ଯାଇଥିବେ । ଦୀର୍ଘପଥ ସାଇକେଲ ଚଳାଇ କ୍ଳାନ୍ତ ହୋଇ ପଡ଼ିଥିବ ପାଦ ଦିଟା । କେତେ କଷ୍ଟ ନ କରୁଚନ୍ତି ସେ ସତେ ! ସିଏ କିନ୍ତୁ ଟିକିଏ ଦୁଃଖ ସହ୍ୟ କରି ନପାରି ତାଙ୍କ ମନରେ ଆଘାତ ଦେଉଛି । ପରିଷ୍କାର କହି ଦେଇଛି–‘ତମକୁ ବିବାହ କରି ଦୁଃଖକଷ୍ଟ ଭୋଗିବା କଥା ଜାଣିଥିଲେ ମୁଁ ବିଷ ଖାଇ ଆତ୍ମହତ୍ୟା କରିଥାନ୍ତି ।’

 

ନିଜର ଅପରାଧ ଲାଗି ଦୁଃଖ ଓ ଲଜ୍ଜାରେ ଝାଉଁଳିପଡ଼ିଲା ବନଲତା ।

 

କ୍ଷମାଭିକ୍ଷା କରିବାକୁ ଉଠିପଡ଼ିଲା ସେ ।

 

ଖଟିଆରେ କେହି ନାହାନ୍ତି....

 

ଦରଜା ଅଧା ଖୋଲା....

 

ଅଜଣା ଆତଙ୍କରେ ଶିହରିଉଠିଲା ବନଲତା । କୁଆଡ଼େ ଗଲେ ତା’ ହେଲେ ସେ ?

 

ଘରପଛ ନିମଗଛ ଉପରୁ ପେଚାଟା ବଡ଼ କର୍କଶ କଣ୍ଠରେ ଡାକ ଛାଡ଼ୁଥିଲା ଏଁ, ଏଁ, ଏଁ...

 

ଅପରାହ୍ନ ଅତିକ୍ରାନ୍ତ ହୋଇଯାଇଛି । ଦୁଶ୍ଚିନ୍ତାର ମହାସାଗରରେ ଭାସିଚାଲିଛି ଜୀବନ ମହାପାତ୍ରର ଜୀବନତରୀ...ଆଗରେ ମହାନଦୀ । ଦିନେ ଥିଲା କୂଳପ୍ଲାବିନୀ । ଆଜି ଶୁଷ୍କ ।

 

କରୁଣ ଭାବରେ ଶୁଷ୍କ । ଠିକ୍ ଜୀବନ ମହାପାତ୍ର ଭଳି । ତା’ର ଯୌବନର ସମସ୍ତ ସ୍ଵପ୍ନ ଆଜି ବ୍ୟର୍ଥ ହୋଇ ଯାଇଛି । ଜୀବନଟା ଏଇ ମହାନଦୀ ଭଳି କରୁଣ ଆଉ ଶୁଷ୍କ ହୋଇପଡ଼ିଛି । ତଥାପି ଜୀବନ ମହାପାତ୍ର ଟିକେ ବଞ୍ଚି ରହିବା ଲାଗି ପଥ ଖୋଜୁଛି । କିନ୍ତୁ ପଥ ? ପଥ କାହିଁ ?

 

ତା’ ହେଲେ କଣ ଜୀବନ ମହାପାତ୍ର ଜୀବନ ଯୁଦ୍ଧରେ ପରାସ୍ତ ହୋଇଯିବ ? ବଞ୍ଚି ରହିବାରେ ସକଳ ପ୍ରଲୋଭନ, ସକଳ ମାୟାମମତାକୁ ଦମନ କରି ସେ ଆତ୍ମହତ୍ୟା କରିବ ?

 

ସହସା ସେ ସଚେତନ ହେଲା ।

 

ଗଲା, ଗଲା, ସବୁ ନେଇଗଲା……

 

ଜୀବନ ଦେଖିଲା ଭିକାରୀଟିଏ ଚିତ୍କାର କରୁଛି । ତା’ କାନି ଚାଉଳରୁ କାଉ ଥଣ୍ଟେ ନେଇ ଉଡ଼ିଯାଇଛି ।

 

ସମବେଦନାର ସ୍ପର୍ଶ ଲାଗିଲା ଜୀବନରେ ଅନ୍ତରରେ–

 

ବେଦନାର୍ତ୍ତ ଗଳାରେ ଭିକାରୀଟି କହିଲା–

 

“ଦେଖିଲ ବାବୁ, କାଉଟା……”

 

କାଉଟା କେବଳ ଥଣ୍ଟେ ନେଇ ଯାଇ ନଥିଲା, ଭିକରୀଟି ସେ ଚାଉଳ ଗୋଟାଉ ଗୋଟାଉ କହିଲା–“ଅଲକ୍ଷଣା କାଉଟାର ମୋ ଉପରେ ଅଦୌତି ବାବୁ……”

 

ଜୀବନ କହିଲା–ଏଇ ଚାଉଳତକରେ ତମର ଆଜିକ ଚଳିଯିବ ନିଶ୍ଚୟ । ଆଉ ବ୍ୟସ୍ତ କାହିଁକି ହେଉଛ ?

 

ଚାଉଳ ଗୋଟଉ ଗୋଟଉ ବିକୃତ ମୁଖଭଙ୍ଗୀ କରି ଭିକାରୀଟି–କହିଲା–‘ବ୍ୟସ୍ତ ହେବିନି-? ଏଇ ଚାଉଳତକ ମୋର ତିନିଦିନ ଯାଇଥାନ୍ତା । ସେ କାଉ……’

 

ଜୀବନ ହସି ହସି କହିଲା–‘ଆଜିକ ତ ଚଳିଯିବ, ତେବେ କାଲି–ପାଇଁ ଏତେ ବ୍ୟସ୍ତ କାହିଁକି ? ପୁଣି ଏ ଅସ୍ଥିର ଜୀବନରେ–କାଉଟା କିନ୍ତୁ ଆଜିକା ପାଇଁ ଥଣ୍ଟେ ନେଇ ଯାଇଛି–ବିଚାରା କାଉଟା……’

 

ଏଥର ଭିକାରୀଟି ତା’ର ସହ୍ୟ କରିବାର ସମସ୍ତ ଗୁଣ ହରାଇ ବସିଲା । ବିରକ୍ତି ମିଶା କଣ୍ଠରେ ସେ କହିଲା–‘ଆପଣ ଭଲ କହୁଛନ୍ତି ତ ବାବୁ, ମୁଁ ଏଇ ଚାଉଳ ସଂଗ୍ରହ କରିବାକୁ ନାକେଦମ ହେଲିଣି; ଅଥଚ ଆପଣଙ୍କର କୁଆ ଉପରେ ଦୟା……’

 

ଜୀବନ ସିମିତି ସହଜ କଣ୍ଠରେ କହିଲା–‘ତୁମେ କଷ୍ଟ ଅବଶ୍ୟ କରିଛି, ଦିନେ ଖଟି ତିନିଦିନ ଆନନ୍ଦରେ ବସି ଖାଇବ । ଆଉ କୁଆଟା ଏତେ କଷ୍ଟ କରି ଆଜି ଦିନକର ଆହାର ସଂଗ୍ରହ କଲା । ...ସେଥିରେ ତମେ ଈର୍ଷା କରୁଚ କାହିଁକି ? ତମେ କ’ଣ କହୁଚ, ତମେ ଦିନେ ଖଟି ସବୁଦିନେ ବସି ଖାଉଥିବ, ଆଉ ଅନ୍ୟମାନେ ସବୁଦିନ ଖଟି ଖଟି ଉପାସ ରହୁଥିବେ ??’

 

ଭିକାରୀ କିଛି ବୁଝିପାରିଲା କି ନାହିଁ ସେ ଜାଣେ । ବିରକ୍ତିରେ ସମ୍ଭବତଃ ନୀରବ ରହିଲା-

 

ଭିକାରୀର କାର୍ପଣ୍ୟ ଦେଖି, କାଉଟାର ବୁଦ୍ଧିକୁ ଜୀବନ କେବଳ ମନେ ମନେ ତାରିଫ୍ କରୁଥିଲା ।

 

ସାନ ଝିଅ କୁନାକୁ ଶୁଆଇ ପକାଇବାକୁ ଚେଷ୍ଟା କରୁଥିଲା ବନଲତା । ଯେତେପ୍ରକାର ଚେଷ୍ଟା କଲେ ବି କୁନା କିନ୍ତୁ ଶୋଉନଥିଲା । ସେ କେବଳ ରାହା ଧଇଲା……ସମ୍ଭବତଃ ଛୁଆଟା ଉଦରଜ୍ୱାଳାକୁ ସହ୍ୟକରି ପାରୁନଥିଲା ।

 

ନିଜର ସ୍ତନକୁ କୁନା ପାଟିରେ ଭରିଦେଇ ବନଲତା ତଥାପି ଚେଷ୍ଟା କରୁଥିଲା । କୁନା ଶୋଇପଡ଼ିବ, ଆଉ ସେ ହୁଏତ ଦୁଶ୍ଚିନ୍ତାରୁ ମୁକ୍ତ ହେବାକୁ ଟିକେ ଶୋଇଯିବାକୁ ଚେଷ୍ଟା କରିବ ।

 

ହେଲାନାହି...ବନଲତା ଚିତ୍କାର କରିଉଠିଲା ‘ଏମାନଙ୍କର ମରଣ ହଉନାହିଁ, କି ମୁଁ ବି ମରୁନି । କେତେ ଏବେ ଏଗୁଡ଼ାଙ୍କ ଜଞ୍ଜାଳ ସହିବି !’

 

ସେ ଘରୁ ଶାଶୁବୁଢ଼ୀ ପାଟି କରୁଛନ୍ତି–‘କିଲୋ, ତାକୁ ଟୋପେ ମିଶ୍ରିପାଣି ଦଉନୁ ?’ ମିଶ୍ରିପାଣି ! କ୍ଷୀର ତ ଛୁଉଁନାହିଁ । ସେ ପୁଣି ମିଶ୍ରିପାଣି ପିଇବ ?

 

ଗୁଣୁ ଗୁଣୁ ହୋଇ ବନଲତା କହୁଥିଲା, ‘ପିଲାଟା ଔଷଧ ଟିକେ ପାଇଲା ନାହିଁ । ଏଥିରେ ତାର ଜର ଛାଡ଼ିବ ନା ସେ ମଣିଷ ହବ ।’ କୁନାକୁ କୋଳରେ ଯାକିଧରି କଇଁ କଇଁ ହୋଇ କାନ୍ଦି ପକାଇଲା ବନଲତା । ମା କୋଳର ଉଷୁମ ପାଇ କୁନାବି ଟିକେ ଶୋଇଗଲା ।

 

ଶାଶୁବୁଢ଼ୀ ପୁଣି ପାଟି କରୁଛନ୍ତି–କିଏ କବାଟ ବାଡ଼ଉଛି ଦେଖିଲୁ ! ଏତେ ରାତିରେ ପୁଣି କିଏ ଡାକୁଛି ?

 

ଆଉ କ’ଣ ସିଏ–

 

ବନଲତା କାନ ପାରିଲା । ସେ ‘ତ ଶନିବାର ଆସିବେ ବୋଲି ଚିଠି ଦେଇଛନ୍ତି । ଆଜି ବୁଧବାର । ସେ’ବା କାହିଁକି ଆସିବେ ? କାଲି ତ କିଛି ଛୁଟି ନାହିଁ ।

 

ତଥାପି ବନଲତା ଦୁଆର ଖୋଲିଲା–ଘର ଭିତରକୁ ଝଡ଼ଭଳି ପଶିଆସିଲା ଜୀବନ ।

 

“ଏତେ ରାତିରେ ତମେ.... ??” ବନଲତା ଆଖିରେ ଗୁଡ଼ାଏ ପ୍ରଶ୍ନବାଚୀ ।

 

ନିଜ ହାତରେ କବାଟ ବନ୍ଦ କରିଦେଇ ହ୍ୟାଣ୍ଡବେଗ୍ ଖୋଲିଲା ଜୀବନ ।

 

ଅବାକ୍‍ ହୋଇ ଚାହିଁଥିଲା ବନଲତା... ହ୍ୟାଣ୍ଡବ୍ୟାଗରୁ ଥାନେ ନୋଟ କାଢ଼ି ଥୋଇଦେଲା ଜୀବନ ।

 

ନିଅ, ଏଥରକ ଆଉ ଅଭିମାନ କରିବନି ତ !

 

ଏକସଙ୍ଗରେ ଏତେଗୁଡ଼ାଏ ଟଙ୍କା କେବେ ଆଗରୁ ଦେଖିନଥିଲା ବନଲତା । ତାକୁ ସ୍ଵପ୍ନ ଦେଖିବା ପରି ମନେହେଲା । ବାଉଳି ଉଠିଲାଭଳି ସେ କହିଲା–ଏତେ ଟଙ୍କା ! କେଉଁଠୁ ଆଣିଲ–-?

 

ନିର୍ଲିପ୍ତ କଣ୍ଠରେ ଜୀବନ କହିଲା–ଚୋରିକରି ।

 

‘ଚୋରି ?’ ଆତଙ୍କିତା ବନଲତା ଅସ୍ପଷ୍ଟ ଚିତ୍କାର କରିଉଠିଲା । ‘ଚୋରି କରିବା ଯେ ମହାପାପ......’

 

ବୁଝାଇବା ଭଙ୍ଗୀରେ ଜୀବନ କହିଲା–ଚୋରି କରିବା ଏ ଯୁଗରେ ମହାପାପ ନୁହେଁ ବନଲତା, ଜୀବନ କଲବଲ କରିବାହିଁ ମହାପାପ ।

 

ଅବୁଝା ଭଳି ଜୀବନକୁ ଖାଲି ଚାହିଁ ରହିଥିଲା ବନଲତା । ମୁହଁରେ ତା’ର ଭାଷା ନ ଥିଲା-। ତାର ମନଶ୍ଚକ୍ଷୁରେ ଭାସି ଉଠୁଥିଲା ନାଲି ପଗଡ଼ି–ପିନ୍ଧା କେତୋଟି ଲୋକ ।

 

ଜୀବନ ଉନ୍ମାଦଙ୍କ ଭଳି କହି ଚାଲିଥିଲା–ଅଳ୍ପ ପାଇ ସନ୍ତୁଷ୍ଟ ହେବା ନୀତିରେ ମୁଁ ବେଶ୍ ଅନୁପ୍ରାଣିତ ହୋଇ ଉଠିଥିଲି ବନଲତା; କିନ୍ତୁ ଦାରିଦ୍ର୍ୟର କଷାଘାତରେ ଆଜି ମୋର ଚିନ୍ତାଧାରା ପରିବର୍ତ୍ତିତ ହୋଇଯାଇଛି । ଆଜି ମୁଁ ଠିକ୍ ବୁଝିଛି, ଆମର ସରଳତାର ସୁଯୋଗ ନେଇ ସମସ୍ତେ ଆମକୁ ଠକି ଚାଲିଛନ୍ତି । ଆମେ କଳ୍ପିତ ମିଥ୍ୟା–ପାପ ଭୟରେ ଦାରିଦ୍ର୍ୟ ବରଣ କରୁଛୁ ! ସମସ୍ତେ ଆମକୁ ଫାଙ୍କି ଦଉଛନ୍ତି । ଆଜି କିନ୍ତୁ ମୋର ଆଖି ଖୋଲିଯାଇଛି । ଯେଉଁ ନରପିଶାଚଗଣ ଆମର ସରଳତାର ସୁଯୋଗ ନେଇ ଆମକୁ ଏତେଦିନଧରି ଠକି ଆସିଛନ୍ତି, ଆଜି ସେମାନଙ୍କୁ ଠକାଇବାକୁ ପଡ଼ିବ । ସେମାନଙ୍କ ଗନ୍ତାଘରୁ ଗୁପ୍ତ କଳାଧନକୁ ବୋହି ଆଣିବାକୁ ହେବ । ଏ ଦେଶରେ ସମସ୍ତେ ଠକ ହେଲେ, କେହି କାହାକୁ ଠକିବାର ମନବୃତ୍ତି ଧରିବେନି । ଫଳରେ ଏ ଭଣ୍ଡାମି ଲୋପ ପାଇବ-

 

ବନଲତା ଚିତ୍କାର କରିଉଠିଲା, ‘ୟା ବୋଲି ତମେ ଚୋରିକରିବ ?’

 

‘ଚୋରି ! ଚୋରି ତ ମୁଁ ଏକା କରୁନି ଲତା ! ଏ ଦେଶରେ ସାଧୁ କିଏ ? ସାଧୁର ଖୋଳ ଭିତରେ ସବୁପ୍ରକାର ଅସାଧୁ ମନୋବୃତ୍ତି ଧରି ଯେଉଁମାନେ ସର୍ବସାଧାରଣଙ୍କ ସର୍ବସ୍ଵ ଅପହରଣ କରୁଛନ୍ତି, ଦେଶର ସ୍ଵାଧୀନ ଜାତୀୟ–ସରକାରକୁ ଠକି ନିଜର ପୁଞ୍ଜି ବଢ଼ାଇ ଚାଲିଛନ୍ତି, ସେମାନଙ୍କ ଭଳି ଚୋର, ସଇତାନକୁ ଠକିବାରେ ମୋର ଦୋଷ କଣ ?

 

ଜୀବନ କହି ଚାଲିଥିଲା–ଇଏ ମୋର ପ୍ରଥମ ପଦକ୍ଷେପ ଲତା ! ଆବଶ୍ୟକ ହେଲେ ଭବିଷ୍ୟତରେ ମୁଁ ଆହୁରି ଭୟଙ୍କର, ଆହୁରି ନୃଶଂସ ହେବି । ସେମାନେ ନିଜ ଗନ୍ତାଘରେ ଅଜସ୍ର ଧନ ସାଇତିରଖି ଦେଖୁଥିବେ, ଆନନ୍ଦରେ କାଳ କାଟୁଥିବେ, ଆଉ ଆମେ, ନିର୍ଯ୍ୟାତନା ପଙ୍କରେ ପଡ଼ି ଖାଲି ଆର୍ତ୍ତ ଚିତ୍କାର କରୁଥିବୁ ? ନା–ନା ଏଥର ସେମାନଙ୍କୁ ଆଉ କ୍ଷମା ଦେଇ ହବନି । ସେମାନଙ୍କର ଧନ ନିଶା ଛଡ଼ାଇବାକୁ ମୋତେ ସବୁପ୍ରକାର ଶକ୍ତି ସାମର୍ଥ୍ୟ ଏକତ୍ରିତ କରିବାକୁ ପଡ଼ିବ ।

 

ବନଲତା କେବଳ ଗୋଟିପଣେ ଥରୁଥିଲା....

 

ଜୀବନ ତାକୁ ହଲାଇଦେଇ କହିଲା–ମୁଁ ଜେଲ ଯିବିବୋଲି ତମେ ଭୟ କରୁଛ ? ଛିଃ । ସେ ସବୁ ବିଷୟରେ ମୁଁ ସବୁପ୍ରକାର ସତର୍କତା ଅବଲମ୍ବନ କରିଛି । ମୁଁ ଜାଣେ, ଯାହାର ଧନ ମୁଁ ଅପହରଣ କରିଛି, ସେ କେବେହେଲେ ଏ ଚୋରିକଥା ଅନ୍ୟ କାହାକୁ କହି ପାରିବନି । ତା’ ହେଲେ ତାର କଳାଧନ ପଦାରେ ପଡ଼ିଯିବ ଯେ–ନିଅ ଏ ଟଙ୍କାତକ ରଖ । ପିଲାଙ୍କର ଆବଶ୍ୟକତା ଅନୁସାରେ ସବୁ କିଛି ଯୋଗାଇ ଦିଅ । ମୋର ପିଲାଏ, ମୋରି ପରିବାର କେବଳ ଶାନ୍ତ ହେଲେ ତ ହେବନାହିଁ, ଏ ଦେଶରେ ଆହୁରି ଅନେକ ପିଲାଙ୍କ ପାଇଁ ମୋର କର୍ତ୍ତବ୍ୟ ଅଛି । ମୁଁ ଆସୁଛି–

 

ତା’ପରେ ରାତିର ସେଇ ମିଞ୍ଜି ମିଞ୍ଜି ତାରାର ଅସ୍ପଷ୍ଟ ଆଲୋକରେ ଉଲ୍‍କା ଭଳି ଛୁଟି ଚାଲିଗଲା ଜୀବନ । ସତେ ଯେପରି ସେ ଆଉ ଅନ୍ଧକାରକୁ ମାନିନେବାକୁ ପ୍ରସ୍ତୁତ ନୁହେଁ ।

 

ବନଲତା ଜୀବନର ଗତିପଥକୁ ନିଶ୍ଚଳ, ନିର୍ବାକ ଭାବରେ ଚାହିଁ ରହିଥିଲା, କୋଣାର୍କ ମନ୍ଦିରର ଏକ–ପାଷାଣ ପ୍ରତିମାଭଳି । ତା ମୁଣ୍ଡରେ ଗୁରେଇ ତୁରେଇ ହୋଇ ଉଙ୍କି ମାରୁଥିଲା କେବଳ ଗୋଟିଏ ପ୍ରଶ୍ନ–ତାର ଶାନ୍ତ ନିରୀହ ସ୍ଵାମୀଟିକୁ ଏ ନରପିଶାଚରେ ପରିଣତ କଲା କିଏ ?

 

କିଏ ?

☆☆☆

 

ଏକ ନୀଡ଼ ଅନେକ ଝଡ଼

 

ଏକ ଅସହାୟ ବିକଳ ବିକୃତ କଣ୍ଠରେ ଅସ୍ପଷ୍ଟ ଆର୍ତ୍ତ ଚିତ୍କାର କରି ଉଠିଲେ ଶ୍ରୀମତୀ ମନ୍ଦାକିନୀ । ଶତ ବୃଶ୍ଚିକର ଦଂଶନ ଜ୍ୱାଳାରେ ମୁଖମଣ୍ଡଳ ତାଙ୍କର ବିବର୍ଣ୍ଣ ନିଷ୍ପ୍ରଭ ହୋଇଉଠିଲା । କପୋତୀର ବୁକୁ ନେଇ ସେ ପ୍ରଳାପ କରିଚାଲିଲେ–ମୋ ପୁଅ ! ମୋ ପୁଅ–ଦେବଦୁର୍ଲ୍ଲଭ ତୁମକୁ ଲାଗିଲା ।

 

ବୈରିଗଞ୍ଜନଙ୍କର ଆତଙ୍କ ଚରମ ସୀମା ସ୍ପର୍ଶ କଲା । ଭୟଚକିତ ଚାହାଣୀରେ ଥରେ ସେ ପତ୍ନୀ ମନ୍ଦାକିନୀ ଆଡ଼େ ଚାହିଁଲେ । ମନ୍ଦାକିନୀ ପ୍ରଳାପ କରି ଚାଲିଛନ୍ତି । ସେ ପ୍ରଳାପ ବୈରିଗଞ୍ଜନଙ୍କ ଅନ୍ତରରେ କରୁଣ ଝଙ୍କାର ସୃଷ୍ଟିକଲା । ଶ୍ରାବଣର ଘନ ଘୋର ବର୍ଷାଭଳି ତାଙ୍କ ଆଖି–ଆକାଶରୁ ଅସମ୍ଭବ ରକମର ଅଶ୍ରୁର ବାରି ଝରିଗଲା । ମନ୍ଦାକିନୀର ରୋଗ–ପାଣ୍ଡୁର ମୁଖମଣ୍ଡଳରେ କିମିତି ଏକ ଅବିଶ୍ଵାସ ଅସମ୍ଭବର ରେଖା ଫୁଟି ଉଠୁଥିଲା । ବୈରିଗଞ୍ଜନ ସେ ଦୃଶ୍ୟ ଦେଖି ବ୍ୟଥିତ, ଅତିଷ୍ଠ ହୋଇ ଉଠିଲେ, ଦୁଇହାତ ପାପୁଲିରେ ମୁହଁ ଗୁଂଜି କାନ୍ଦି ଉଠିଲେ କଇଁ କଇଁ ହୋଇ... ।

 

ରାତି ! କୋକିଳ–କଳା–ଅନ୍ଧାର ! ଏକ ଅପ୍ରୀତିକର ପରିବେଶ ! ନିକଟବର୍ତ୍ତୀ କେଉଁ ଏକ ବୃକ୍ଷ କୋଟରରୁ ପେଚକର ରୁକ୍ଷ କର୍କଶ ସ୍ୱର ଭାସି ଆସୁଥିଲା । ଭାସି ଆସୁଥିଲା ଗ୍ରାମର ଶେଷ ପ୍ରାନ୍ତର ଶ୍ମଶାନ ବକ୍ଷରୁ ଏକ ଭେରେଣ୍ଡାର ବିକଟାଳ ରଡ଼ି...ସତେ ଯେମିତି ସେ କାହାକୁ ଆହ୍ଵାନ କରୁଛି–ହେ–ହେ–ହେ ।

 

ଶୁଣୁଥିଲେ ବୈରିଗଞ୍ଜନ ଶଙ୍କିତ ଚିତ୍ତରେ, ବିକୃତ ମସ୍ତିଷ୍କରେ... କିନ୍ତୁ ସେ ଆଉ ପାରିଲେ ନାହିଁ । ଭେରେଣ୍ଡାର ତାଡ଼କା–ରଡ଼ି ତାଙ୍କ ଚିତ୍ତକୁ ଚଞ୍ଚଳ କରି ପକାଇଲା, ସେ ଅସମ୍ଭବ ରକମରେ ଭୟାତିଷ୍ଠ ହୋଇ ପଡ଼ିଲେ... ।

 

ଦୁଇ ବର୍ଷର ଶିଶୁ ଦେବଦୁର୍ଲ୍ଲଭ ଶୋଇଯାଇଥିଲା । ଶୋଇ ଯାଇଥିଲା ଆଣ୍ଠୁଏ ବହଳର ଗଦିରେ । ପରମ ତୃପ୍ତିରେ...ଧୀରେ, ଖୁବ୍ ସତର୍କତା ସହ ଅତି ଧୀରେ । ବୈରିଗଞ୍ଜନ ଦେବଦୁର୍ଲ୍ଲଭର ମଥାକୁ ଟେକିଲେ । ତାପରେ ପୁଣି ଯଥା ସ୍ଥାନରେ ସ୍ଥାପନ କଲେ । ତାପରେ ଦେବଦୁର୍ଲ୍ଲଭର ଶଯ୍ୟାଧାରରେ ବସି ରହିଲେ ସଜଳ ନୟନରେ ନୀରବ ନିଶ୍ଚଳ ଭାବେ ଅନେକ ସମୟ ଧରି... ।

 

ଏଥି ମଧ୍ୟରେ ମନ୍ଦାକିନୀର ପ୍ରଳାପର ବେଗ କମି ଯାଇଛି । ସେ ହୁଏତ ଶୋଇଗଲାଣି...ବୈରିଗଞ୍ଜନଙ୍କର ଆଖିକୁ କିନ୍ତୁ ନିଦ ନାହିଁ । ସେ ଯେଭଳି ମୂକ ବଧିର ଭାବେ ବସି ଖୋଲି ଚାଲିଛନ୍ତି ତାଙ୍କର ଅତୀତ ଜୀବନର ଇତିହାସ ପୃଷ୍ଠା, ଗୋଟାଏ ପରେ ଗୋଟାଏ...।

 

ରୁପେଲି ପରଦାରେ ଛବି ଭଳି ତାଙ୍କ ମାନସ ପଟରେ ଭାସି ଭାସି ଯାଉଛି ସେ ବିଗତ ଦିନର ସ୍ମୃତି । ହଁ ସେ ହେବ, ଶେଷ–ଶରତର ଏକ ସୁବର୍ଣ୍ଣ ବର୍ଣ୍ଣର ସକାଳ, ତାଙ୍କ ଦାମ୍ପତ୍ୟ ଜୀବନର ଆନନ୍ଦର ସକାଳ ।

 

ସେ ଦିନ ତାଙ୍କ ପିତୃତ୍ଵ ଓ ମାତୃତ୍ଵକୁ ମାନିତ କରି ଏକ ନୂତନ ଶିଶୁର ଶୁଭାଗମନର ଶୁଭଶଙ୍ଖ ବାଜି ଉଠି ତାଙ୍କ ପରିବାରରେ ଏକ ଶାନ୍ତିର ମଳୟ ବୁହାଇ ଦେଲା । ଠିକ୍ ସେଦିନ ଏକାନ୍ତରେ ସେ ମନ୍ଦାକିନୀଙ୍କ ପାଖକୁ ଯାଇ କହି ପକାଇଥିଲେ ଶିଶୁଟିର ନାମ ମାନସ ରଞ୍ଜନ ଦେଲେ ଭଲହେବ ନାହିଁ ? ତାଙ୍କର ମନେ ଅଛି ମନ୍ଦାକିନୀ ସେଦିନ ସ୍ମିତ ହସି କହିଥିଲେ ନା ମୁଁ ଦେବତା ପଦରେ ଶରଣ ପଶି ଏ ନୂତନ ଶିଶୁକୁ ପାଇଛି । ତେଣୁ ଦେବଦୁର୍ଲ୍ଲଭ ହିଁ ଦେବା ।

 

ସେଦିନ ସ୍ତ୍ରୀଙ୍କର କଥା ଶୁଣି ସେ ହସିଥିଲେ । କଳ୍ପନାର କୌଣାର୍କ ତୋଳିଥିଲେ । ଦେବଦୁର୍ଲ୍ଲଭକୁ ସେ ମଣିଷ ଭଳି ମଣିଷଟିଏ କରିବେ । ମନ୍ଦାକିନୀଙ୍କୁ ଦେଖାଇ ଦେବେ, ତାଙ୍କ ପିତୃତ୍ୱର ଚରମ ନିଦର୍ଶନ । କିନ୍ତୁ...କିନ୍ତୁ... ।

 

ମନ୍ଦାକିନୀର ଚିତ୍କାରରେ ବୈରିଗଞ୍ଜନଙ୍କର ସହସା ଭାବନା ଭାଜି ଗଲା । ସେ ଅସ୍ପଷ୍ଟ ଚିତ୍କାର କରି ଉଠିଲେ–ମାମି, ମାମି, ମନ୍ଦାକିନୀ ଖାଲି ହାତ ଠାରୁଥିଲେ ପାଖକୁ ଆସ ।

 

ଚକିତ ବୈରିଗଞ୍ଜନ ତୀରବେଗରେ ଛୁଟିଗଲେ । ମନ୍ଦାକିନୀ ତାଙ୍କ ପଦରୁ ଧୂଳି ନେଇ ଶିରରେ ବୋଳିଲେ । ଅଷ୍ପଷ୍ଟ କଣ୍ଠରେ କହିଲେ…ଦେବ…ଦୁର୍ଲଭ ଲାଗିଲା । ତୁମେ ତାକୁ ମଣିଷ କରିବ । ଆଉ କହି ପାରିଲେ ନି । ବେଦନାରେ କଣ୍ଠ ତାଙ୍କର ରୁଦ୍ଧ ହୋଇ ଗଲା, ଆଖିରୁ ଦୁଇଧାର ଲୁହ ଝରି ପଡ଼ିଲା…ତା’ପରେ ?

 

ତା’ପରେ ଝଡ଼, ଅଚାନକ ଝଡ଼ ।

 

ସେ ଝଡ଼ର ପକ୍ଷାଘାତରେ ବୈରିଗଞ୍ଜନଙ୍କ ଘର ଭାଜିଗଲା ।

 

ଏକମାତ୍ର ପୁତ୍ର ଦେବଦୁଲ୍ଲର୍ଭକୁ ବୁକୁରେ ଚାପି ଧରି ଚପା କଣ୍ଠରେ କ୍ରନ୍ଦନ କରୁଥିଲେ ସେ, ସେଇ ଝଡ଼-ବିକ୍ଷୁବ୍‍ଧ ରାତ୍ରିରେ… ।

 

ଝଡ଼ ଥମି ଯାଇଛି… ।

 

ପତ୍ନୀଙ୍କର ବିୟୋଗ ଦୁଃଖରେ ତୀର ଆଉ ବିଶେଷ କ୍ଷତ କରୁନି ବୈରିଗଞ୍ଜନଙ୍କର ଅନ୍ତର ।

 

ବୈରିଗଞ୍ଜନ ସ୍ଥିର ନିଷ୍ପତ୍ତିରେ ବସିଛନ୍ତି–ସେ ପୁନର୍ବିବାହ କରିବେନି । ସ୍ଵର୍ଗତା ପତ୍ନୀଙ୍କର ଶେଷ ଭିକ୍ଷା ତାଙ୍କୁ ରକ୍ଷା କରିବାକୁ ପଡ଼ିବ । ଦେବଦୁର୍ଲ୍ଲଭକୁ ସେ ମଣିଷ ଭଳି ମଣିଷଟିଏ କରି ତିଆରି କରିବେ ।

 

ବୈରିଗଞ୍ଜନଙ୍କର ଏତାଦୃଶ ନିଷ୍ପତ୍ତିରେ ବିବ୍ରତ ହୋଇଛନ୍ତି ବନ୍ଧୁଗଣ । ସେ ବାରମ୍ଵାର ପରାମର୍ଶ ଦେଇଛନ୍ତି–ଦେଖ, ଦ୍ୱିତୀୟ ପକ୍ଷ ସ୍ତ୍ରୀ ଦୁଷ୍ଟା ହେଲେ ମଧ୍ୟ ସବୁ ଦ୍ୱିତୀୟ ପକ୍ଷ ସ୍ତ୍ରୀ ଦୁଷ୍ଟା ନୁହନ୍ତି । ତା ଛଡ଼ା ଖୁଣ୍ଟ ମଜଭୂତ ଥିଲେ ଘୋଡ଼ା କେତେ କୁଦି ହେବ ? ଆମ ବୋଲ ମାନ । ପୁନର୍ବିବାହ କରି ଘରସଂସାର କର ।

 

ବୈରିଗଞ୍ଜନଙ୍କ ଅନ୍ତରରେ ଝଡ଼ ଉଠିଛି…ସେ ବିଚାର କରିଛନ୍ତି ସତେ ତ ! ବନ୍ଧୁମାନେ ଯା କହୁଛନ୍ତି ତା ଅନେକାଂଶରେ ସତ୍ୟ । ସାବତ ମା ରାକ୍ଷସୀ, ହେଲେ ବି ଦେବଦୁର୍ଲ୍ଲଭର କ’ଣ ସେ କରିବ ? ନିଜେ ଭଲ ଥିଲେ ହେଲା… ।

 

ବୈରିଗଞ୍ଜନ ମତ ପରିବର୍ତ୍ତନ କରିଛନ୍ତି । ବନ୍ଧୁମାନେ ଆନନ୍ଦିତ ହୋଇଛନ୍ତି ।

 

ବୈରିଗଞ୍ଜନଙ୍କ ଭଙ୍ଗା କୁଡ଼ିଆରେ ଶୁଭଶଙ୍ଖର ଶୁଭ ମୂର୍ଚ୍ଛନା ବାଜିଉଠିଲା । ମଥାରେ ସିନ୍ଦୁର ହାତରେ ଶଙ୍ଖା ପିନ୍ଧି ମନ୍ଦାକିନୀ ବେଶରେ ଆସିଲେ ସବିତା । ବୈରିଗଞ୍ଜନଙ୍କ ପରିବାରରେ ପୁଣି ମଳୟ ବହିଲା । ଦେବଦୁର୍ଲ୍ଲଭ ଫେରିପାଇଲା ତା ମୃତ ମାଆକୁ ।

 

ତା’ପରେ ଅନେକ ଦିନ ଅନେକ ମାସ ଓ ଅନେକ ବର୍ଷ ହସ ଖୁସିରେ କଟିଗଲା । ବୈରିଗଞ୍ଜନଙ୍କ ପରିବାରରେ ପୁଣି ଏକ ନବ ସନ୍ତାନର ଶୁଭାବିର୍ଭାବ ହେଲା । ଏ ନବ ସନ୍ତାନର ଆବିର୍ଭାବରେ ଆନନ୍ଦ କି ଦୁଃଖ ପ୍ରକାଶ କରିପାରିଲେନି ବୈରିଗଞ୍ଜନ । କିନ୍ତୁ ଦେବଦୁର୍ଲ୍ଲଭର ଅନ୍ତର ଆନନ୍ଦରେ ଭରିଉଠିଲା । ତାର କୁନା ଭାଇକୁ ଦେଖି ଅଥୟ–ଆନନ୍ଦରେ ସେ ନାଚିଉଠିଲା…କିନ୍ତୁ…କିନ୍ତୁ…

 

ସୁଖପରେ ଦୁଃଖ ଆସେ; ଆସିଲା । ଦେବଦୁର୍ଲ୍ଲଭର ଭାଗ୍ୟାକାଶରେ ଘୋଟି ଆସିଲା କଳାହାଣ୍ଡିଆ ମେଘ…

 

ବୈରିଗଞ୍ଜନଙ୍କ ଅନ୍ତରରେ ବିସ୍ମୟର ନାଗ ମଥା ତୋଳିଲା, ଇଏ କଣ ? ଏଇ ନୂତନ ଶିଶୁ ସନ୍ତାନର ଆବିର୍ଭାବ ପରେ ବୈରିଗଞ୍ଜନ ଦେଖିଲେ, ସବିତା ମନରେ ବିରାଟ ପରିବର୍ତ୍ତନ ଆସିଛି । ତା ମନରେ ଗର୍ବର ହିମାଦ୍ରି ମଥା ଟେକିଛି । ସେ ପୁତ୍ର ସନ୍ତାନର ଜନନୀ ହୋଇ ଆଜି ପରମ ସୌଭାଗ୍ୟବତୀ–ଏଇ ତାର ଗର୍ବ ।

 

ଦିନ ଆସିଲା, ସବିତା ଅଯଥା ବିରକ୍ତ ହେଲା ଦେବଦୁର୍ଲ୍ଲଭ ଉପରେ । ଅଯଥା କଥାରେ ପ୍ରଚୁର ମାଡ଼ ଦେଲା । ନୀରବ ନତମସ୍ତକରେ ସମସ୍ତ ସହିଗଲା ଦେବଦୁର୍ଲ୍ଲଭ……ତଥାପି ରାକ୍ଷସୀ ସାବତ ମା ସବିତାର ଆକ୍ରୋଶ ଗଲାନି । ଦରକାର ପଡ଼ିଲେ ଦେବଦୁର୍ଲ୍ଲଭର ଭୋଜନ ବନ୍ଦକରି ଦେବାକୁ ପ୍ରସ୍ତୁତ ହେଲା ସେ… ।

 

ଏ ଅସହ୍ୟ ନିର୍ଯ୍ୟାତନା ସହି ପାରିଲାନି ଦେବଦୁର୍ଲ୍ଲଭ । କିନ୍ତୁ ତା ମା ସବିତା ଭୟରେ ସେ ଗାଆଁର ତୋଟାମାଳରେ ଲୁଚି ଲୁଚି ବୁଲେ । ଭୋକ ଉପାସରେ ପେଟ ତାର ଆଉଟି ପାଉଟି ହୁଏ । ଦେବଦୁର୍ଲ୍ଲଭ କାନ୍ଦେ ତାର ଯଦି ଆଜି ମାଆ ଥାଆନ୍ତା...... !

 

ଦିନେ ଅସହ୍ୟ ମାଡ଼ଖାଇ ବିକଳରେ ଦେବଦୁର୍ଲ୍ଲଭ ଧାଇଁ ଆସିଲା ଦୂର ତୋଟାମାଳକୁ । ଦେହରୁ ତା’ର ଧାର ଧାର ଲହୁ ବୋହି ଯାଉଥିଲା । ସେ ଏକ ଗଛ ମୂଳରେ ବସି ଯନ୍ତ୍ରଣା–ବିକଳ କଣ୍ଠରେ କାକୁତି କଲା, ‘ମା, ତୁ କେଉଁଠି ଅଛୁ ! ମତେ ନେଇ ଯା । ମୁଁ ଆଉ ସହି ପାରିବି ନାହିଁ...’ ତାପରେ ସେ କାନ୍ଦି କାନ୍ଦି ଶୋଇ ପଡ଼ିଲା...... ।

 

ସେଇ ରାତି ! ସେଇ ଝଡ଼...

 

ବୈରିଗଞ୍ଜନ ଏ ଝଡ଼–ବିକ୍ଷୁବ୍‍ଧ ରାତ୍ରିରେ ପରମାନନ୍ଦରେ ଶୋଇ ଯାଇଥିଲେ । ହଠାତ୍ ସେ ଗୋଟିଏ ସ୍ଵପ୍ନ ଦେଖିଲେ, ତାଙ୍କ ସ୍ତ୍ରୀ ମନ୍ଦାକିନୀ ଆସି କହୁଛି–ଦେଖ, ମୁଁ ଗଲାବେଳେ ତୁମକୁ ଏତେ କହିଥିଲି, ଦେବଦୁର୍ଲ୍ଲଭକୁ ତୁମେ ମଣିଷ କରିବ ବୋଲି । କିନ୍ତୁ ତୁମେ ତୁମ ସୁଖଲାଗି ବିବାହ କଲ ସବିତାକୁ । ଏବେ ସେ ପୁତ୍ରଜନ୍ମ କଲାଦିନୁ ଅଯଥା ମାରୁଛି ମୋ ଦେବକୁ । ଖାଇବାକୁ ଦେଉନି । ଓପାସ ଭୋକରେ ମୋ ପୁଅ ତୋଟାମାଳ ବୁଲି କାନ୍ଦୁଛି । ମତେ ଡାକୁଛି ନେଇଯିବାକୁ...-

 

‘କିନ୍ତୁ ଦେଖ ! ମୁଁ ଆଉ ତା ଦୁଃଖ କଷ୍ଟ ସହ୍ୟକରି ପାରିବି ନାହିଁ । ତମେ ତମ କନିଆ ସ୍ତ୍ରୀକୁ ଏବଂ ପୁତ୍ରକୁ ନେଇ ଘର କର ! ମୋ ଦେବକୁ ମୁଁ ନେଇ ଯାଉଛି...’

 

ସହସା ବୈରିଗଞ୍ଜନଙ୍କ ସୁଖନିଦ୍ରା ଭାଜିଗଲା । ଦେହ ବରଡ଼ା ପତ୍ର ପରି ଥରିବାକୁ ଲାଗିଲା । ସେ ଚିତ୍କାରକରି ଉଠିଲେ–ସବିତା ! ସବିତା ! ସବିତା କହିଲା–କ’ଣ ?

 

–ଦେବ କାହିଁକି ?

 

–ଦେବକୁ ପରା ଖରା ବେଳଠାରୁ ଅସମ୍ଭବ ରକମର ଜ୍ଵର ହୋଇଛି । ସେ ଘରେ ଶୋଇଛି–

 

ବୈରିଗଞ୍ଜନଙ୍କର ଆପାଦମସ୍ତକ କମ୍ପିଉଠିଲା । ସେ ତୀର ଗତିରେ ଦେବ ପାଖକୁ ଛୁଟି ଯାଇ ଡାକିଲେ ଦେବ...ଦେବ...ଦେବ... ।

 

ଜଳୁ ଜଳୁ କରି ଚାହିଁ ଦେବ କହିଲା–ବାବା ।

 

ବୈରିଗଞ୍ଜନ ତା ସର୍ବାଙ୍ଗରେ ହାତ ବୁଲାଇ ଆଣି କହିଲେ–ଭଲ ଲାଗୁଛି, ବାବା !

 

ଦେବଦୁର୍ଲ୍ଲଭ ଏତେଦିନ ପରେ ବାପାର କୋମଳ ସ୍ୱର ଓ କୋମଳ ସ୍ପର୍ଶ ପାଇ ଆଖି ବୁଜିଦେଇ କହିଲା–ମତେ ଭାରି ନିଦ ଲାଗୁଛି ବାବା ! ମୁଁ ଶୋଉଛି । ତା ପରେ ସେ ଅଚିନ୍ତା ନିଦରେ ଶୋଇଗଲା... ।

 

ଅନେକ କ୍ଷଣ ପରେ ବୈରିଗଞ୍ଜନ ଦେବଦୁର୍ଲ୍ଲଭକୁ ଡାକିଲେ । କିନ୍ତୁ ତାଠାରୁ ଆଉ କୌଣସି ଉତ୍ତର ପାଇଲେ ନାହିଁ ।

 

ବୈରିଗଞ୍ଜନ ଚିତ୍କାର କରିଉଠିଲେ–ସେ ଚିତ୍କାର ଶୁଣି ସବିତା ଛୁଟି ଆସିଲେ, ଦେଖିଲେ–ଘର ଚଟାଣ ଉପରେ କଞ୍ଚା ରକ୍ତର ଲହଡ଼ୀ ଭାଙ୍ଗୁଛି । ଦେବଦୁର୍ଲ୍ଲଭ ଉପରେ ହାମୁଡ଼େଇ ପଡ଼ିଛନ୍ତି ତା’ର ଇହ ଓ ପରକାଳର ଦେବତା ବୈରିଗଞ୍ଜନ......

 

ବାହାରେ ଝଡ଼ ବର୍ଷାର ରାତି ଗର୍ଜନ କରୁଛି–ହୁ–ହୁ–ହୁ–

 

☆☆☆

 

ଉଦୟ ଅସ୍ତ

 

ଅସହ୍ୟ ଯନ୍ତ୍ରଣାରେ ବ୍ୟତିବ୍ୟସ୍ତ ହୋଇପଡ଼ିଲେ ବୃଦ୍ଧ ବଳିଆର ସିଂ । ଘନ ଘନ କାଶ,–କଥା କହିବାକୁ ଅବସର ନାହିଁ ! ସେହି କାଶପୂର୍ଣ୍ଣ କଣ୍ଠରେ ଖଣ୍ଡି ଖଣ୍ଡି କଥା ଉଚ୍ଚାରଣ କଲେ, “ହେ ପ୍ରଭୁ, ରାଧାବଲ୍ଲଭ ମୁକ୍ତି ଦିଅ ।”

 

ବୃଦ୍ଧଙ୍କର ଏହି କରୁଣ ନିବେଦନରେ ଗୃହଦେବତା ରାଧାବଲ୍ଲଭ ବୋଧେ ଚକିତ ହୋଇଥିବେ । ସିଏ ବି ବିଶ୍ଵାସ କରି ପାରୁ ନଥିବେ, ବୃଦ୍ଧଙ୍କର ଏ ବିନୀତ ଆବେଦନ ସତ୍ୟ ବୋଲି-। କିନ୍ତୁ ବୃଦ୍ଧ ବଳିଆର ସିଂଙ୍କର ଏ ଆବେଦନ ଏକାନ୍ତ ସତ୍ୟ ଓ ହୃଦୟସ୍ପର୍ଶୀ । “ହେପ୍ରଭୁ ରାଧାବଲ୍ଲଭ ! ମୁକ୍ତି ଦିଅ ।” ବୃଦ୍ଧ ବଳିଆର ସିଂ ଟିକେ ବିସ୍ମୟଚକିତ ହେଲେ । କଣ ସେ ଆବେଦନ କଲେ ? ତାଙ୍କର ମୁକ୍ତିଭିକ୍ଷା ? ସେ ମାଗି ପାରିଲେ ? ନିଜ କଥାରେ ବି ଅଟଳ ବିଶ୍ଵାସ ରଖି ପାରିଲେନି । ସେ ବହୁ କଷ୍ଟରେ ଶଯ୍ୟାରୁ ଉଠି ପୁନର୍ବାର କର ଯୁଗଳରେ ସେହି ଆବେଦନର ପୁନରାବୃତ୍ତି କଲେ–ହେ ରାଧାବଲ୍ଲଭ, ମୁକ୍ତି ଦିଅ । ତା ପରେ ବୃଦ୍ଧ ନିଜର ଅଷ୍ଟିକଙ୍କାଳ ସାର ଶରୀରକୁ ଲୋଟାଇ ଦେଲେ ଶଯ୍ୟାରେ....

 

ବୃଦ୍ଧ ବଳିଆର ସିଂ ଶଯ୍ୟାରେ ଶୋଇରହି ଖୋଲା ବାତାୟନ ଦେଇ ବାହ୍ୟ ଜଗତକୁ ଦୃଷ୍ଟିପାତ କଲେ । ସନ୍ଧ୍ୟା ଘନେଇ ଆସୁଛି । ଏ ସମୟରେ ଶଯ୍ୟାରେ ଶୋଇ ରହିବା ନିତାନ୍ତ ନୀତିବିରୁଦ୍ଧ । ତଥାପି ସେ ଉଠି ପାରୁ ନାହାନ୍ତି । ଉଠିବା ପାଇଁ ଯେଉଁ ଶାରୀରିକ ଶକ୍ତି ଦରକାର, ତାହା ତାଙ୍କଠାରୁ ବିଦାୟ ନେଇଛି ।

 

ବୃଦ୍ଧ ବଳିଆର ସିଂ ସନ୍ଧ୍ୟାର ମନୋରମ ଦୃଶ୍ୟ ଉପଲବ୍‍ଧି କରୁଥିଲେ । ନିଃଶବ୍ଦରେ ଗୃହ ମଧ୍ୟରେ ପ୍ରବେଶ କରି ପୁରୋହିତ ଶ୍ରୀଧର ନନ୍ଦ ଜଣାଇଲେ, “ଭାଗବତ ଶୁଣିବେ ଆସନ୍ତୁ ।” ବାହ୍ୟ ଜଗତରୁ ଦୃଷ୍ଟି ଫେରାଇ ବଳିଆର ସିଂ ଚାହିଁଲେ କୁଳ ପୁରୋହିତଙ୍କ ଆଡ଼େ । କୁଳ ପୁରୋହିତ ଶ୍ରୀଧର ନନ୍ଦ ଡାକୁଛନ୍ତି ତାଙ୍କୁ, ସେ ଭଗବତ ଶୁଣିବେ.....

 

ଭାଗବତର ଗୋଟିଏ ପଦ ସ୍ମରଣ ହେଲା, “ନମଇଁ ନୃସିଂହ ଚରଣ..... ” ବୃଦ୍ଧ ବଳିଆର ସିଂ ମନେ ମନେ ଏହି ପଦଟିକୁ ସ୍ମରଣ କରୁ କରୁ କହିଲେ, “ହଉ ଚାଲ ।” ଶ୍ରୀଧର ନନ୍ଦ ଚାଲିଗଲେ, ବୃଦ୍ଧ ବହୁ କଷ୍ଟରେ ଶଯ୍ୟାରୁ ଉଠି ଧୀରେ ଧୀରେ ଆଗେଇଲେ । ରାଧାବଲ୍ଲଭଙ୍କ ସମ୍ମୁଖରେ ଭାଗବତ ପାଠ କରୁ କରୁ ଶ୍ରୀଧର ନନ୍ଦ ହଠାତ୍ ଅଟକି ଯାଇ ଚଷମାଯୁକ୍ତ ନେତ୍ରରେ ବୃଦ୍ଧଙ୍କ ଆଡ଼େ ଚାହିଁଲେ । ବୃଦ୍ଧ ବଳିଆର ସିଂଙ୍କ ମୁହଁରେ ଅସ୍ପଷ୍ଟ ତରଙ୍ଗ । ବୃଦ୍ଧ ବଳିଆର ସିଂ କହିଲେ, “ସଂସାରଟା ମାୟାପୂର୍ଣ୍ଣ, ନାହିଁ ନନ୍ଦେ” ? ହସିଉଠିଲେ ଶ୍ରୀଧର ନନ୍ଦ । ଏହି ପ୍ରଶ୍ନଟା ଆଜକୁ ଚାରୋଟି ବର୍ଷ ହେଲା ପ୍ରତ୍ୟହ ପଚାରନ୍ତି ବଳିଆର ସିଂ । ଏ ଚାରିବର୍ଷ ଭିତରେ ଏ ପ୍ରଶ୍ନଟି ପଚାରିବା ବୃଦ୍ଧଙ୍କର ଅଭ୍ୟାସଗତ ହୋଇଗଲାଣି, କିନ୍ତୁ ୟା ପୂର୍ବରୁ..... ?

 

ଭାଗବତ ପାଠ ସରି ଯାଇଥିଲା । ବୃଦ୍ଧ ସାଷ୍ଟାଙ୍ଗ ପ୍ରଣିପାତ କରି ରାଧାବଲ୍ଲଭଙ୍କୁ ପୁନର୍ବାର ନିବେଦନ କଲେ–ହେ ପ୍ରଭୁ ! ମୋତେ ମୁକ୍ତି ଦିଅ । ପ୍ରଭୁ ବୃଦ୍ଧଙ୍କର ଏ କରୁଣ ଆବେଦନ ଶୁଣିଲେ କି ନାହିଁ ସେ ଏକ ଜଟିଳ ପ୍ରଶ୍ନ ।

 

ସେ ପ୍ରଶ୍ନର ଉତ୍ତର ପାଇବା ଲାଗି ନନ୍ଦେ ଆପଣେ ରାଧାବଲ୍ଲଭ ବିଗ୍ରହ ଆଡ଼କୁ ଥରେ ଅର୍ଥପୂର୍ଣ୍ଣ ଦୃଷ୍ଟିରେ ଚାହିଁଲେ.....

 

ସବୁଦିନ ପରି ରାଧାବଲ୍ଲଭଙ୍କ ଅଧରରେ ହସର ଗାରେ ରେଖା ଫୁଟି ଉଠିଛି । ଶ୍ରୀଧରନନ୍ଦ ଆଶ୍ଚର୍ଯ୍ୟ ହେଲେ । ବୃଦ୍ଧଙ୍କର ଗୃହଦେବତା ରାଧାବଲ୍ଲଭ ବୃଦ୍ଧଙ୍କର ଆକୁଳ ଆବେଦନ କଣ ଶୁଣିଲେ ନାହିଁ ? ଥରି ଥରି ବୃଦ୍ଧ ବଳିଆର ସିଂ ନିଜ ଶୟନ ପ୍ରକୋଷ୍ଠ ଅଭିମୁଖରେ ଆଗଉ ଥିଲେ । ନନ୍ଦେ ଥରେ ତାଙ୍କ ଗତିପଥକୁ ଲକ୍ଷ୍ୟ କରି ପୁଣି ରାଧାବଲ୍ଲଭ ବିଗ୍ରହଆଡ଼େ ଦୃଷ୍ଟିପାତ କଲେ–କାଇଁ ? ରାଧାବଲ୍ଲଭ ତ ପୂର୍ବପରି ହସୁଛନ୍ତି । ତେବେ ସେ କଣ ବୃଦ୍ଧଙ୍କର ଏଭଳି ଦଶାରେ ଆହତ ନୁହନ୍ତି, ବରଂ ପ୍ରଫୁଲ୍ଲିତ.... ।

 

ରାଧାବଲ୍ଲଭଙ୍କର ନିଶ୍ଚୟ ଦୋଷ ହେବ । କାରଣ ବୃଦ୍ଧ ତାଙ୍କୁ ଅତି ଆଦରରେ ଗୃହଦେବତା କରି ତାଙ୍କର ସମସ୍ତ ସେବାପାଇଁ ନିଜ ଜମି ଖଞ୍ଜି ଦେଇଛନ୍ତି । ନଚେତ୍, ରାଧା ବଲ୍ଲଭ କେଉଁ ଏକ ଭଙ୍ଗାରୁଜା ଘରେ ପାଣି ପବନ ସୂର୍ଯ୍ୟ କିରଣ ପାଇ ପଡ଼ି ଥାଆନ୍ତେ ।

 

ବୃଦ୍ଧ ବଳିଆର ସିଂ ସଂପୂର୍ଣ୍ଣ ଲୁଚି ଯାଇଥିଲେ । ଶ୍ରୀଧର ନନ୍ଦଙ୍କର ଭୟ ନ ଥିଲା । ସେ ଶିକାରେ ଥିବା ଖଇ ହାଣ୍ଡିରୁ ମୁଠାଏ ଖଇ ବାହାର କରି ଦେବତାଙ୍କ ଆଗରେ ଥୋଇଲେ, ତାପରେ କିଛିକ୍ଷଣ ମୁଦ୍ରିତ ନୟନରେ ସ୍ତୋତ୍ର ପାଠକରି ବାମହସ୍ତରେ ହସ୍ତ ଘଣ୍ଟି ଶବ୍ଦ ସୃଷ୍ଟି କଲେ । ରାଧାବଲ୍ଲଭ ସେଭଳି ହସୁଛନ୍ତି । ଏ ହସ ଯେପରି ନିର୍ବାପିତ ହେବନି । ଆଉ ଏହି ହସର କାରଣ; ସେ ଯେଉଁ ସଂସାରରେ ମଣିଷ ସୃଷ୍ଟି କରି ତାଙ୍କ ଦେହରେ ଷଡ଼ରିପୁ ଦେଇଛନ୍ତି । ଶ୍ରୀଧର ନନ୍ଦଙ୍କର ଅବସର ନଥିଲା । ଏମିତି ଆହୁରି ଚାରୋଟି ଗୃହଦେବତାଙ୍କର ପୂଜାପାଠ କରିବାକୁ ତାଙ୍କୁ ହିଁ ପଡ଼ିବ । ଶୀଘ୍ର ଏ ପୂଜା ଶେଷ କଲେ ସେ ସତ୍ୟନାରାୟଣ ପୂଜା କରିଯିବେ । ଦେବତାଙ୍କ ଦୁଆର ରୁଦ୍ଧ କଲେ ନନ୍ଦେ, ତାପରେ ବଳିଆର ସିଂ ଶୁଣିବା ଭଳି କଣ୍ଠରେ କହିଲେ “ମୁଁ ଯାଉଛି ।”

 

ବୃଦ୍ଧ ବଳିଆର ସିଂ ଚମକିଉଠିଲେ । କଣ କହିଲେ ଶ୍ରୀଧର ନନ୍ଦେ ! ମୁଁ ଯାଉଛି ? ଶ୍ରୀଧର ନନ୍ଦେ ଏତିକି କହି ପାରିଲେ । ବୃଦ୍ଧ ବଳିଆର ସିଂ ନିଜ କପାଳରେ ହାତ ଦେଲେ–ଏ କଥା ଶୁଣିବା ତାଙ୍କ ଭାଗ୍ୟରେ ଥିଲା ? ଶ୍ରୀଧର ନନ୍ଦଙ୍କର ଏ କଥାପଦକ କିମିତି ତାଙ୍କ କର୍ଣ୍ଣକୁ ତିକ୍ତ ବୋଧ ହେଲା । ତାଙ୍କ ବୃଦ୍ଧ ରକ୍ତ ବି ଗରମ ହୋଇ ଉଠୁଥିଲା । ଶ୍ରୀଧର ନନ୍ଦେ ଯଦି ପାଖରେ ଥାଆନ୍ତେ.... ?

 

ବିଗତ ଦଶ ବର୍ଷର ସ୍ମୃତି ବୃଦ୍ଧ ବଳିଆର ସିଂଙ୍କର ମନେ ପଡ଼ି ଯାଉଥିଲା । ସେତେବେଳେ ସେ ଥିଲେ ପ୍ରତାପୀ ଐଶ୍ୱର୍ଯ୍ୟଶାଳୀ ଜମିଦାର ଶ୍ରୀ ଶ୍ରୀ ବଳଦେବ ବଳିଆର ସିଂ । ବାଟରେ ଗଲାବେଳେ ଗର୍ଭିଣୀ ଗାଈ ମଧ୍ୟ ବାଟ ଛାଡ଼ୁଥିଲା । ଆଉ ଏହି ଶ୍ରୀଧର ନନ୍ଦ ପରି ଅନେକେ “ଆଜ୍ଞା, ଆଜ୍ଞା” କରି ତାଙ୍କ ପଛରେ ଗୋଡ଼ାଇ ଥିଲେ । ସେହି ଶ୍ରୀଧର ନନ୍ଦ ଆଜି ଆଉ ତାଙ୍କୁ ଆଜ୍ଞା ଆପଣ କହିବାକୁ କୁଣ୍ଠାବୋଧ କରୁଛି ? ତାଙ୍କର ମନେ ହେଉଥିଲା ସେ ଆଦେଶ ଦେବେ କି ଚାକର ପୁରିଆକୁ, ଦାଣ୍ଡ ନଡ଼ିଆ ଗଛରେ ବାନ୍ଧିପକାଇ, ଦିଟା...... ।

 

ନା–ନା ସେ ପାରିବେ ନାହିଁ, ଯୁଗ ବଦଳି ଯାଇଛି । ସରକାର ବି ବଦଳିଛି । ଆଉ ସିଏ ନିଜେ ଅମିତ ପ୍ରତାପୀ ଜମିଦାର ବଳିୟାର ସିଂ ନୁହନ୍ତି, ବଳଭଦ୍ର ବଳିଆର ସିଂ.... ।

 

ସ୍ଵାଧୀନତା ଆସିବା ପରେ ପରେ ଜମିଦାର ବଳିୟାର ସିଂ ମରିଯାଇଛି । ଆଉ ସେ ଖାଲି ବଳିଆର ସିଂ ହୋଇପଡ଼ି ରହିଛନ୍ତି । ବିରାଟ ପରିବର୍ତ୍ତନ !!!

 

ବୃଦ୍ଧ ବଳିଆର ସିଂ ଏକ କରୁଣ ଦୃଷ୍ଟି ନିଜ ଶୟନ ପ୍ରକୋଷ୍ଠର ଛାତରେ ଘୂରାଇ ଆଣିଲେ । ବହୁ ଦିନର ଛାତ ଅମରାମତି ଥିବାରୁ ପାଣି ଝରିଲାଣି । ବର୍ଷାଦିନରେ ଏ ଘରେ ଶୋଇବା ସମ୍ଭବପର ନୁହେଁ । ଅଥଚ ସେ ଏହାର ସଂସ୍କାର କରିପାରୁ ନାହାନ୍ତି । ସଂସ୍କାର କରିବା ପାଇଁ ପାଖରେ ପଇସା ନାହିଁ, ପାଖରେ ପଇସା ନାହିଁ.... ।

 

ଏକ ହତାଶିଆ ଦୃଷ୍ଟିରେ ସେ ଛାତକୁ ଚାହିଁଥିଲେ । ବଳଭଦ୍ର ବଳିଆର ସିଂଙ୍କର ପଇସା ନାହିଁ, ଏ କଥା କଣ ଲୋକେ ଏବେ ବିଶ୍ୱାସ କରୁଛନ୍ତି ? ଜମିଦାରୀ ଗଲାରୁ ଜମିଦାର ପଦବୀ ଚାଲିଯାଇଛି । ଆଉ ତା ସହିତ ଚାଲିଯାଇଛି ତାଙ୍କର ମାନ, ମହତ, ଆଧିପତ୍ୟ ଏବଂ ଧନ । ବଳଭଦ୍ର ବଳିଆର ସିଂ ଈଷତ୍ ବିଚଳିତ ହୋଇ ଅସ୍ପଷ୍ଟ କଣ୍ଠରେ ଉଚ୍ଚାରଣ କଲେ,–ଆହା–ଆହା ସବୁ ଯାଇଛି । ଯଦି ଧନ ରହିଥାନ୍ତା, ତାହା ହେଲେ ସେହି ହିସାବରେ ସେ ସମ୍ମାନର ଅଧିକାରୀ ହୋଇ ପାରିଥାଆନ୍ତେ । ଆଉ ତାଙ୍କର ଆଦେଶକୁ ଦେବତାର ଆଦେଶ ଭାବି ପୂର୍ବପରି ପାଳନ କରୁ ଥାଆନ୍ତେ ଏ ନିରୀହ ମଣିଷଗୁଡ଼ାକ.... ।

 

ବଳଭଦ୍ର ସିଂଙ୍କ କୋଟରଗତ ଆଖିରୁ ଦୁଇ ଧାର ଲୁହ ବହି ଯାଉଥିଲା । ନିଜେ ତିଆରି କରିଥିବା କୋଠାଟିର ଚରମ ଦୁର୍ଗତି ଦେଖି ସେ ବିଶେଷ ମର୍ମାହତ ହୋଇ ପଡ଼ୁଥିଲେ । ଗୃହ ମଧ୍ୟକୁ ପ୍ରବେଶ କରି ଜଣେ ବୃଦ୍ଧା ଜଣାଇଲେ–ସାଆନ୍ତେ ! ଖାଇବେ ଆସନ୍ତୁ । ବୃଦ୍ଧଙ୍କର ଭାବନାରେ ବ୍ୟାଘାତ ଲାଗିଲା, ସେ ଫେରି ଚାହିଁଲେ–ଠିଆ ହୋଇଛି ଘରର ଚାକରାଣୀ ସୁମତି । ସୁମତି ତାଙ୍କୁ ସାଆନ୍ତେ ବୋଲି ସମ୍ବୋଧନ କରିଛି । ଆଉ ଏହି ସୁମତି ମୁହଁରୁ ସାଆନ୍ତ ପଦକ ଶୁଣି ସେ ଅନେକ ଥର ଭାବିଛନ୍ତି, ସୁମତିର ଏହି କଥାପଦକ ଠିକ୍ ସୁଚାଇ ଦିଏ, କର୍ପୂର–ହୀନ କନାର ମହତ୍ତ୍ଵ...ସେ ଠିକ୍ ବୁଝନ୍ତି । ସମସ୍ତେ ଏଇ ସୁମତିପରି ତାଙ୍କୁ ସାଆନ୍ତେ କହୁଥିଲେ । ଅଥଚ ଆଜି ! ଖାଲି ସୁମତି ବ୍ୟତୀତ.... ।

 

ବଳିଆର ସିଂ ଉଠିଲେ, ଚାଲ ସୁମ ! ସୁମତି କହିଲା କଣ ଧରିବି ?

 

‘ନା–ନା, ମୁଁ ଏତେ ନିର୍ବଳ ହୋଇ ଯାଇନି ସୁମ । ତେବେ ମୋର ବିଗତ ଦିନର ଭାବନା ମୋତେ ବିଶେଷ ନିର୍ବଳ କରିପକାଇଛି । ମୁଁ ଭାବୁଛି ଜମିଦାର ବଳିଆର ସିଂ ମରିଯାଇ ନାଇଁ ?’ ସୁମତି ଏହାର କିଛି ଉତ୍ତର ଦେଇପାରି ନଥିଲେ ।

 

ବୃଦ୍ଧ ଧୀରେ ଧୀରେ ଉଠି ଆଗଉଥିଲେ... । ରାତ୍ରି ଘନେଇ ଆସୁଥିଲା... ।

 

ବୃଦ୍ଧଙ୍କ ଶଯ୍ୟାପାଖରେ ଠିଆହୋଇ ପତ୍ନୀ ରତ୍ନମଣି ଦେବୀ ବିଚଳିତ କଣ୍ଠରେ–କହିଲେ, ମୁଁ ପାରିବିନି କାମକରି । ଏଥର.... ।

 

ସ୍ତ୍ରୀଙ୍କର ଏକଥା ପଦକରେ ବୃଦ୍ଧ ଦାରୁଣ ଆଘାତ ପାଇଲେ । ସେ କାନରେ ଶୁଣିଛନ୍ତି, ଆଖିରେ ଦେଖୁଛନ୍ତି, ତାଙ୍କର ସ୍ତ୍ରୀ, ଜମିଦାର ବଳିଆର ସିଂଙ୍କର ସ୍ତ୍ରୀ ରତ୍ନମଣି ମଧ୍ୟ ହାତରେ ରୋଷାଇ କରୁଛନ୍ତି । ଭାଗ୍ୟଚକ୍ର ତାଙ୍କର ଘୂରି ଯାଇଛି । ବଳିଆର ସିଂ ମୃଦୁ କଣ୍ଠରେ କହିଲେ–ଏ ଆମର ଭାଗ୍ୟ ! ଏ ଆମର ଭାଗ୍ୟ । ହେଉ, ସେ ରାଧାବଲ୍ଲଭ କଣ କରିବ କରୁ । ସ୍ତ୍ରୀ ରତ୍ନମଣି ଏ ପଦକ ଶୁଣି ବିରକ୍ତ ହୋଇ କହିଲେ–ବ୍ରାହ୍ମଣ ପିଲାଟିଏ ରଖିଲେ ?

 

ଚମକି ଉଠିଥିଲେ ବଳିଆର ସିଂ–ମାଗଣା ଯଦି ହୁଏ, ସେ ରଖିବାକୁ ପ୍ରସ୍ତୁତ, କିନ୍ତୁ ପଇସା ଦେଇ ? କେଉଁଠି ପାଇବେ ପ–ଇ–ସା ?

 

ଏ ତ ଜମିଦାରୀ ସମୟ ନୁହେଁ ଯେ, ପଇସା ହାଉଯାଉ ହେବ !” ତୁମେ ପାଗଳ ହୋଇଛ ରତ୍ନା । ପଇସା କାହୁଁ ପାଇବା ? ବରଂ ସୁମତି ଯଦି ରୋଷାଇ କରିବ ?”

 

“ଏ...” ରତ୍ନମଣି ଦେବୀଙ୍କର ଚକ୍ଷୁ ଦୁଇଟା ହିଂସ୍ର ହୋଇ ଉଠୁଥିଲା । ସୁମତି ରୋଷାଇ କରିବ । ସୁ–ମ–ତି !!!

 

ବୃଦ୍ଧ ସଂପୂର୍ଣ୍ଣ ନିରୁତ୍ତର ଥିଲେ । ରାତି ବି ଅନେକ ହୋଇଥିଲା । ଜମିଦାର ବଂଶର ସନ୍ତକ ସେ ମହାଦୀପକୁ ନିର୍ବାପିତ କରି ବୃଦ୍ଧ ଶୋଇବାର ଉପକ୍ରମ କଲେ ।

 

କିନ୍ତୁ ବୃଦ୍ଧ ଶୋଇପାରୁ ନଥିଲେ । ଏଇ ନିରନ୍ଧ୍ର ଅନ୍ଧକାରକୁ ଚାହିଁ ସେ ଦୀପର ଆଲୋକ କଥା ମନେପକାଉ ଥିଲେ । ଜମିଦାରୀ ସମୟର କଥା ମନେପକାଇ ସେ କାନ୍ଦିବେ ନାହିଁ ବୋଲି ସ୍ଥିର ଶପଥ କରିଥିଲେ ମଧ୍ୟ ସେ କାନ୍ଦୁଥିଲେ ।

 

ଏ କାନ୍ଦ ତାଙ୍କର ବନ୍ଦ ହେବନି, ଜମିଦାରୀ ଥିବାବେଳେ ସେ ଏମିତି ଅନେକ ଲୋକଙ୍କ କାନ୍ଦ ଦେଖି ହସିଛନ୍ତି । ତାଙ୍କୁ ସେତିକି ଦିନ ଅପେକ୍ଷା କରିବାକୁ ପଡ଼ିବ । ତାଙ୍କ କାନ୍ଦ ଦେଖି ଅନ୍ୟମାନେ ହସିବା ପର୍ଯ୍ୟନ୍ତ...ସେ ବି ଏତେ ଶୀଘ୍ର ମରୁ ନାହାନ୍ତି । ସେ ସେଇଦିନର ଅପେକ୍ଷାରେ ଥିବେ ।

 

☆☆☆

 

ଅଗ୍ନିଦାହ

 

ଏ ମାୟା ମମତାର ଲୌହପଞ୍ଜୁରୀରୁ ମୁକ୍ତି ଲଭି ଯେ ପ୍ରାଣର ପକ୍ଷୀଟି ପରପାରିକୁ ଉଡ଼ିଗଲା, ସେ ପ୍ରଥମେ ତାର ପ୍ରିୟ ପରିବାରବର୍ଗଙ୍କୁ ଏକ ନିଷ୍ଠୁର ଅଥଚ ସତ୍ୟବାଣୀ ଶୁଣାଇଲା–ମୁଁ ଆସିଥିଲି ଏବଂ ଦୀର୍ଘଦିନ ଧରି ଏ ମାୟା ମମତାର ନାଗଫାଶରେ ପଡ଼ି ତମମାନଙ୍କୁ ମୋର, ମୋର କହି, ମୋର ଧରା-ଖେଳ । ସାଙ୍ଗ କଲି । ମୋ ପାଇଁ ବ୍ୟଥିତ ବିଚଳିତ ହେବା, ଅଯଥା ଅଶ୍ରୁବର୍ଷଣ କରିବାର କିଛି କାରଣ ନାହିଁ । ଜନ୍ମମାତ୍ରେ ମୃତ୍ୟୁଟାଇ ଧ୍ରୁବ ସତ୍ୟ । ଏ ନିଷ୍ଠୁର ବିଧିର ବିଧାନକୁ ମାନିବାକୁ ମୁଁ ବାଧ୍ୟ, ସୁତରାଂ ମୁଁ ଯାଉଛି । ମୋ ପୂର୍ବରୁ ମୋର ପିତୃ ପିତାମହମାନେ ବି ଯାଇଛନ୍ତି । ମୋ ପରେ ବି ତମେମାନେ ସେଇ ପଥର ଯାତ୍ରୀ ହେବ । ଯିବାଆସିବା ଇମିତି ଲାଗିଛି, ତେଣୁ ଚିନ୍ତା କଣ ? ଦୁଃଖ କାହିଁକି ? ବରଂ ଅଯଥା ଅଶ୍ରୁବର୍ଷଣ କରିବାଅପେକ୍ଷା ମୋତେ ହସି ହସି ବିଦାୟ ଦିଅ । ଏ ଧରାରେ ମୋର କୀର୍ତ୍ତି ଅକ୍ଷୟ ରହୁ ।

 

ତା’ପରେ ସେ ଜଗତବାସୀଙ୍କ ଉଦ୍ଦେଶ୍ୟରେ କେଇଟି ସତର୍କବାଣୀ ଶୁଣାଇଲା–ରେ ଅବୋଧ ମାନବ ! ଏ ମାୟା ମମତାର ନିବିଡ଼ ବନ୍ଧନୀ ଭିତରେ ଆବଦ୍ଧ ହୋଇ ଏ ଏକ ନିଷ୍ଠୁର ସତ୍ୟବାଣୀ ଜାଣି ସୁଦ୍ଧା ତୁ ବିଶ୍ୱାସ କରୁନା । ଜଗତ ତୁଚ୍ଛ, ମିଥ୍ୟା ଏ ସଂସାର । ତୁ ଜାଣୁ, ତଥାପି ତୁ ଏ ଜଗତରେ ବଞ୍ଚି ରହିବାପାଇଁ, ପ୍ରତି–ପତ୍ତି ସ୍ଥାପନ କରିବାପାଇଁ, ଏକ ବିରାଟ ଧନାଢ଼୍ୟ ବ୍ୟକ୍ତି ହେବା ପାଇଁ ଅହରହ ସଂଗ୍ରାମ କରୁଛୁ । ନିଜପାଇଁ, ନିଜ ପ୍ରିୟଜନଙ୍କ ପାଇଁ ତୁ ଯେ କୌଣସି ପାପକାର୍ଯ୍ୟ କରିବାରେ ଏବେ ବି ଅଭ୍ୟସ୍ତ । କିନ୍ତୁ ରେ ଅବୋଧ ମାନବ ! ଥରେ ଜ୍ଞାନଚକ୍ଷୁ ଉନ୍ମୀଳିତ କରି ଦେଖ–ଜଗତଟା ଖାଲି ମିଛମାୟାର କ୍ରୀଡ଼ାକୁଞ୍ଜ । ଏ କ୍ରୀଡ଼ାକୁଞ୍ଜକୁ ଅନେକ ଆସୁଛନ୍ତି । ଅନେକ ଆସିଗଲେଣି, କିନ୍ତୁ ଏଠୁ କିଏ କିଛି ନେଇ ଯାଇନି ବା ନେବନି । ଜାତକାଳେ ଯେଭଳି ଉଲଗ୍ନ ଅବସ୍ଥାରେ ଆସୁ, ମୃତ୍ୟୁ କାଳେ ସେଇଭଳି ଅବସ୍ଥାରେ ଯିବୁ । ତୋର ଆଦରର ପୋଷାକ ପରିଚ୍ଛଦ, ତୋର ଅର୍ଜିତ ଧନ ସମ୍ପତ୍ତି, ତୋର ପ୍ରାଣର ପ୍ରିୟଜନ ଏଠି ରହିଯିବେ । ତୁ ଏକାକୀ ଆସିଥିଲୁ, ଏକା ମଧ୍ୟ ଯିବୁ । ଆସିବା ତୋର ଯିମିତି ବିରାଟ ସତ୍ୟ, ଯିବା ମଧ୍ୟ ସିମିତି ନିଷ୍ଠୁର ସତ୍ୟ । ଏକଥା ଜାଣୁ । ତଥାପି ତୁ ବାଚଳ ଏ ଦୁନିଆ ରଙ୍ଗମଞ୍ଚରେ ନାନା ଭାବରେ ନାନାପ୍ରକାର ରୂପରେ ନାନାପ୍ରକାର ଅଭିନୟ କରୁଛୁ । କିନ୍ତୁ ରେ ବାଚାଳ ! ଥରେ ଭାବି ଦେଖ, ଏସବୁ ଅଳୀକ, କ୍ଷଣ ଭଂଗୁର, ଅସ୍ଥାୟୀ । ଏଠି ଯଶକୀର୍ତ୍ତି ହିଁ ଏକମାତ୍ର ଚିରସ୍ଥାୟୀ । ଅଏତବ ମୋର ସଦୁପଦେଶ ପ୍ରତି କର୍ଣ୍ଣପାତ କର ।

 

ଚିରଜୀବୀ ହେବାକୁ ଚାହିଁଲେ ଜଗତବାସୀଙ୍କ ହିତ ସାଧନ କର । ଏଥିରେ ତୋର ମୃତଆତ୍ମା ଶାନ୍ତି ପାଇବ, ତୋ ଆତ୍ମା ନିର୍ବାଣ ପ୍ରାପ୍ତହେବ ଏବଂ ତୋର ଯଶକୀର୍ତ୍ତି ପରକାଳରେ କାଳର ଭାଲରେ ଲିଖିତ ହୋଇ ତୋତେ ଅମର ରଖିବ ।

 

ବିଦାୟୀ ସୂର୍ଯ୍ୟଙ୍କୁ ପ୍ରଣତି ଢାଳିଲା ସୂର୍ଯ୍ୟକାନ୍ତ । ପ୍ରଣତୋସ୍ମିଦିବାକର ! ତା’ପରେ ସେ ନିଜ ଅବସ୍ଥିତିର ଚତୁର୍ଦ୍ଦିଗକୁ ତରଙ୍ଗ ତରଙ୍ଗ କରି ଦୃଷ୍ଟିପାତ କଲା । ରାତ୍ରିର କୋକିଳ କଳା ଅନ୍ଧାର କ୍ରମେ ଘନେଇ ଆସୁଛି । ଏଇ ଘଣ୍ଟାକ ପୂର୍ବରୁ ଏଠି ରବିକର କ୍ରୀଡ଼ା କରିଥିଲା–ଏବେ ନିଶା ଶର ନିକ୍ଷେପ କଲା–ଅନ୍ଧାର ! ଅନେକ ପଥ ସେ ଅତିକ୍ରମ କରିବ–ଏଥିଭିତରେ ସେ ଅନେକ ପଥ ଅତିକ୍ରମ କରନ୍ତାଣି–ନିଜ ଉପରେ ଭୟଙ୍କର ଭାବେ ବିରକ୍ତ ହେଲା ସୂର୍ଯ୍ୟକାନ୍ତ ।

 

ସୂର୍ଯ୍ୟକାନ୍ତ କିଛି ପଥ ଅତିକ୍ରମ କରି ରାଜ–ରାସ୍ତାରୁ ଏକ ଗଳି ମଧ୍ୟକୁ ଯାତ୍ରାକଲା–ଉଁ !! କି ଭୟଙ୍କର ଅନ୍ଧାର ! ଆରେ ଏଠି ମ୍ୟୁନିସିପାଲିଟିର ବତୀଟିଏ ବି ଖଞ୍ଜା ନାହିଁ ?

 

ସୂର୍ଯ୍ୟକାନ୍ତ କାହା ଉପରେ ଏକ ବିରକ୍ତିକର ପ୍ରଶ୍ନପାତ କଲା କେଜାଣି ! ଓଃ.....ସୂର୍ଯ୍ୟକାନ୍ତ ମନ ବଡ଼ ବିଷାକ୍ତ ହୋଇଉଠିଛି ।

 

ହସିଲା ସୂର୍ଯ୍ୟକାନ୍ତ । ସତେ, କେଡ଼େ ସୁନ୍ଦର ନାଁଟିଏ ତାର ! ଏଇ ନାଁଟି ବଡ଼ ସୁନ୍ଦର ଶୁଭେ ବୋଲି ଫୋର୍ଥ ଇୟାରର ଅନର୍ସ ଛାତ୍ରୀ କୃଷ୍ଣା ଚୌଧୁରୀ ଥରେ ପ୍ରଶଂସା ନ କରି ରହିପାରିନଥିଲା–ଆପଣଙ୍କ ନାଁଟା କେଡ଼େ ସୁନ୍ଦର, ସୂର୍ଯ୍ୟବାବୁ !

 

ପୁନର୍ବାର ହସିଲା ସୂର୍ଯ୍ୟକାନ୍ତ–ନାଁଟା ତା’ର ଭାରି ସୁନ୍ଦର, ଆଉ ସୁନ୍ଦର, ମନୋରମ ରୂପ ବି......

 

ନାତିଦୂରର ବତୀଖୁଣ୍ଟ ନିକଟକୁ ଏଣୀ ଗତିରେ ଆଗେଇଲା ସେ, ପହଞ୍ଚିଲା ଏବଂ ସେଇ ମ୍ୟୁନିସିପାଲିଟି ଲଣ୍ଠନ ବତୀର ବିକିରୀତ ଲୋହିତାଲୋକରେ ସୂର୍ଯ୍ୟକାନ୍ତ ନିଜର ଶରୀର ଉପରେ ଏକ ଗମ୍ଭୀର ଚାହାଁଣୀ–ପାତ କଲା–ଇସ୍ !! ତା ପୋଷାକଟା କି ବାଜେ ରୁଚିର !

 

ଅତିଷ୍ଟ ହୋଇଉଠିଲା ସୂର୍ଯ୍ୟକାନ୍ତ । ଏ ସାଧା ଲୁଗା, ଏ ଧଳା ସାର୍ଟର ଚାହିଦା ଏ ଯୁଗରେ...ଖୁବ୍ କମ୍ ଲୋକ ଏକୁ ପରିଧାନ କରନ୍ତି–ଯେଉଁମାନେ ଗରିବ–ଯେଉଁମାନଙ୍କର ଧନାଭାବ–ଧନ !

 

ଧନ !

 

ଆରେ ଧନ ପଛରେ ତ ମଣିଷ ଧାବନ କରୁଛି । ମଣିଷକୁ ବଞ୍ଚିରହିବାକୁ ହେଲେ ଧନ ଦରକାର ଏବଂ ମଣିଷପରି ବଞ୍ଚିରହିବାକୁ ହେଲେ ଅଜସ୍ର ଧନ ଦରକାର... । ବଞ୍ଚିରହିବାପାଇଁ ଧନ ମଣିଷ ଜୀବନର ପ୍ରଧାନ ପାଥେୟ । ଧନହୀନ ଲୋକର ଏ ସଂସାରରେ ସ୍ଥାନ ଖୁବ୍ ନିମ୍ନରେ, ଆଉ ଧନଶାଳୀର.....

 

ଆରେ ପୁଣି ଏବି ହୁଏ, ଅତ୍ୟନ୍ତ ଧନାଢ଼୍ୟ ବ୍ୟକ୍ତି ବି ଧନ ପଛରେ ଦୌଡ଼ା ଆରମ୍ଭ କରିଛି ତ ? ହସିଲା ସୂର୍ଯ୍ୟକାନ୍ତ–ଏ ସବୁ ମୋହ–ମୋ–ହ ।

 

ସେଠି ଆଉ ଦଣ୍ଡେ ଦଣ୍ଡାୟମାନ ହୋଇନି, ଯେ ଚାଲିଛି ଆଉ ଅଟକିନି ଏ ପର୍ଯ୍ୟନ୍ତ, କିନ୍ତୁ ସେ ଖାଲି ଚାଲିଛି କ’ଣ ?

 

ସୂର୍ଯ୍ୟକାନ୍ତ ଭାବୁଥିଲା–ସୁ–ପୋଷାକ ପରିଚ୍ଛଦ କ’ଣ ମଣିଷକୁ ବିରାଟ କରିପାରେ ? ହଁ, ସେ ଠିକ୍ ଧରିଛି, ନଚେତ୍ ଶୀତିକଣ୍ଠ ଏଭଳି ମତ ବ୍ୟକ୍ତ କରି ନ ଥାନ୍ତା–ଶୀତକଣ୍ଠ– ତା’ର ଏକାନ୍ତ ମତ, ସୁ–ପୋଷାକ ହିଁ ମଣିଷ ମନକୁ ଉନ୍ନତ କରେ । ପୁଣି ସୁ–ପୋଷା–କହୀନ ଯେକୌଣସି ଜ୍ଞାନୀ ଲୋକର ଗୁଣ ଲୁକ୍‍କାୟିତ ରହିଯାଏ...

 

ଶୀତକଣ୍ଠର ଏପ୍ରକାର ମନ୍ତବ୍ୟକୁ ପସନ୍ଦ କଲାନି ସେ । ସେ ଲୁଗା ଏବଂ ଧଳା ହାଫ୍ ସାର୍ଟ ପରିଧାନ କରିଛି । ୟା ମନେ କ’ଣ ସେ ଅଭିଜାତ ବଂଶର ସନ୍ତାନ ନୁହେଁ ? ନାଁ, ଉଚ୍ଚ ଶିକ୍ଷିତ ନୁହେଁ ?

 

ଶବ୍ଦ ସୃଷ୍ଟି କରି ଏଥର ହସିଲା ସୂର୍ଯ୍ୟକାନ୍ତ । ହସୁ ହସୁ ସହସା ସ୍ଥମ୍ଭୀଭୂତ ହେଲା–ଆରେ ଏ କ’ଣ ?

 

ସୂର୍ଯ୍ୟକାନ୍ତ ସେଠି ଠିଆ ହେଲା ଦଣ୍ଡେ–କିଛି ଗୋଟେ ଭାବନାର କିନାରା ପାଇଲା ହୁଏତ, ସୂର୍ଯ୍ୟକାନ୍ତ ଆକାଶକୁ ଚାହିଁଲା–କେତେ ତାରାଆଖି ତାକୁ ଅନାଇଁ ନାହାନ୍ତି ସତେ ! ଆରେ ଏଗୁଡ଼ାକ ଏତେ ବୋକା ! କ’ଣ ଯେ ତା ଠାରୁ ଦେଖୁଛନ୍ତି.....

 

ପାଗଳ ସୂର୍ଯ୍ୟକାନ୍ତ–ହେଃ–ସେ । ପାଗଳ !

 

ଆଉ ନୁହେଁ ତ କ’ଣ ? ପାଗଳ କ’ଣ ଆମ୍ବ ପଣସ ଭଳି ଗଛରେ ଫଳନ୍ତି ? ଇମିତି ମଣିଷ ପାଗଳ ହୁଏ–ଉନ୍ମାଦ ହୁଏ–ହୁଏ ସର୍ବହରା...

 

ସୂର୍ଯ୍ୟକାନ୍ତର ଭୟ ହେଲା, ସେ ୟାଭିତରେ ପାଗଳ ହୋଇଯିବ ଯିମିତି, ଆଉ ତାକୁ ପାଗଳ କରିଦେଉଛି ସେଇ ଶୋଭାଯାତ୍ରାଟି......

 

ଶୋଭାଯାତ୍ରାଟି ! ନା ଶବଯାତ୍ରାଟି ! ଶିରି ଶିରି ହୋଇ ଶିହରି ଉଠିଲା ସୂର୍ଯ୍ୟକାନ୍ତ । ମଣିଷ ମଲେ ଶବ ହୁଏ । ଅଛୁଆଁ ହୁଏ–ତାକୁ ଛୁଇଁଲେ ଅପବିତ୍ର ହୁଏ ଏଇ ଦେହ, ଏଇ ମନ....

 

ସୂର୍ଯ୍ୟକାନ୍ତ ଏଥର ଏକ ସଜାଗ ଦୃଷ୍ଟିପାତ କଲା । ନିଜ ଉପରେ ସିଏ ଦିନେ ଏଇ ଅବସ୍ଥାର ସମ୍ମୁଖୀନ ହେବ । କିଏ–ସିଏ ? ହଁ ହୁଏ–ଇଏ ଉଚ୍ଚଶିକ୍ଷିତ ଧଳା ହାଫସାର୍ଟ ଏବଂ ଲୁଗାପରିଧାୟୀ ଗୌରବର୍ଣ୍ଣର ଭଦ୍ର ଯୁବକଟି । ଦିନେ ହେବ ସେ ମୁର୍ଦ୍ଦାର...ଠିକ୍ ସେ ସର୍ଦ୍ଦାରଟି ପରି...

 

ସେଇ.... !!!

 

ସୂର୍ଯ୍ୟକାନ୍ତ ।

 

–ହଁ, ସେ କ’ଣ ଶୁଣିଲା ?

 

–ଜଗତ ମିଥ୍ୟା....

 

–ଅସମ୍ଭବ

 

–ମୃତ୍ୟୁହିଁ ସତ୍ୟ

 

–ମୃତ୍ୟୁ ?

 

ସୂର୍ଯ୍ୟକାନ୍ତ ନିଜକୁ ସମ୍ବୋଧନ କଲା ! ହଁ ସେ କଣ ଶୁଣିଲା ? ଏଥିପୂର୍ବରୁ–ଜଗତ ମିଥ୍ୟା–ମାୟା ଏଠି କାୟା ବିସ୍ତାର କରି ମଣିଷ ପଛରେ ଛାୟାପରି ଚାଲିଛି ? ଦୟା ହେଲା ନିଜ ଉପରେ । ସୂର୍ଯ୍ୟକାନ୍ତ ଏକ କରୁଣ ଚାହାଣିରେ ନିଜର ସମସ୍ତ ଶରୀର ଉପରେ ଏକ ବିହଙ୍ଗମ ଦୃଷ୍ଟି ଖେଳାଇ ଆଣିଲା । ତା’ପରେ ସେ ନିଜକୁ ଯଥାସମ୍ଭବ ସଂଯତ କରି ପ୍ରଶ୍ନ କଲା । ରେ ଗତାୟୁ ! ତୋର ଏ ଘୋଷଣା କ’ଣ ନିରାଟ ନିଷ୍ଠୁର ସତ୍ୟ ?

 

ନିରାଟ ଅଭ୍ରାନ୍ତ ସତ୍ୟ ।

 

ତାହା ହେଲେ ମଣିଷ ଜୀବନରେ ମୃତ୍ୟୁହିଁ ନିଶ୍ଚିତ ସତ୍ୟ ବୋଲି ତୋର କଣ ଏକାନ୍ତ ମତ ?

 

ମୋର ଏକା କାହିଁକି, ଏଥି ପୂର୍ବରୁ ଯିଏ ଚାଲିଗଲେ, ସେମାନେ ବି ଏ ନିଷ୍ଠୁରୋକ୍ତି କରିଥିଲେ । ଦିନେ ତମ ପରି ବି ମୁଁ ଏ ବାଣୀ ଶୁଣିବି ବିଶ୍ଵାସ କରି ନଥିଲି । ଆଜି ମୁଁ ବେଶ ହୃଦୟଙ୍ଗମ କରିଛି–ଜଗତ ମିଥ୍ୟା ମାୟାର ଖେଳ ଘର...

 

ସୂର୍ଯ୍ୟକାନ୍ତର ହୃଦୟ–ପାହାଡ଼ ଦୁଃଖର ବଜ୍ରାଘାତରେ ଭାଙ୍ଗି ପଡ଼ୁଥିଲା....

 

–ତେବେ ରେ ଗତାୟୁ ! ଏ ସଂସାରରେ ସ୍ଥାୟୀ କଣ କିଛି ନାହିଁ ?

 

–କିଏ କହିଲା ନାହିଁ ? ଅଛି–ଯଶ, କୀର୍ତ୍ତି ଯ–ଶ, –କୀ–ର୍ତ୍ତି ! କୀର୍ତ୍ତିଯସ୍ୟ ସ ଜୀବତି...ଭଗବାନ ! ଆଲ୍ଲା ! ଓ ଜଗତ୍ । ପ୍ରତିପତ୍ତି ନୁହେଁ ? ଆଭିଜାତ୍ୟ ନୁହେଁ ? ଆତ୍ମବଡ଼ିମା ନୁହେଁ ? ଆଉ ଶୀତକଣ୍ଠର ମନ୍ତବ୍ୟ ବି ନୁହେଁ ?

 

ଶବଯାତ୍ରାଟି ଅନେକ ଦୂର ହୁଏତ ଆଗେଇ ଯିବଣି । ହୁଏତ ନିକଟରେ ଶ୍ମଶାନ ଥିଲେ ତା ଦେହର ଦାହ ହେବାର ଆୟୋଜନ ହେବଣି । ଆଉ କେଇଟି ଘଣ୍ଟା ପରେ ତାର ସେ ମରଶରୀର ଏ ମର ମଣିଷଙ୍କ ଚକ୍ଷୁର ଅନ୍ତରାଳେ ରହିଯିବ । କିନ୍ତୁ ଯଦିଚ ସେ ଯଶ କୀର୍ତ୍ତି କରି ଯାଇଥିବ, ହୁଏତ ହତଭାଗ୍ୟଟିର ନାଁଟା ହେଲେ......

 

ତେବେ ସେ ବି ଏକ ହତଭାଗ୍ୟ–ଆଉ ହତଭାଗ୍ୟ ଏ ଦୁନିଆଟାଯାକର ଲୋକେ ଯିଏ ଯଶ କୀର୍ତ୍ତି କରି ନାହାଁନ୍ତି, କରିବାକୁ ଯାହାଙ୍କର ଇଚ୍ଛା ବି ନାହିଁ, କରିବାକୁ ଇଚ୍ଛା କରି ବି କରିପାରି ନାହାନ୍ତି......

 

ଖୁବ୍ ଦ୍ରୁତ ପଦବ୍ରଜରେ ସୂର୍ଯ୍ୟକାନ୍ତ ଧମସି ଗଲା–ତାକୁ ଡରମାଡ଼ୁଛି...ଆଗରେ ମୁସଲମାନଙ୍କ କବର ସ୍ଥାନ ! ଯଥା ଶୀଘ୍ର ତାକୁ ଏ ସ୍ଥାନ ଅତିକ୍ରମ କରିବାକୁ ପଡ଼ିବ ।

 

ସୂର୍ଯ୍ୟକାନ୍ତ ଚିତ୍କାର କଲା–କିଏ ? ତାକୁ ପଛରୁ ଟାଣୁଛି ? ଓଃ–ଭୟ ! ଭୟ !!

 

ସୂର୍ଯ୍ୟକାନ୍ତ ! ହୁଃ–ହୁଃ–ହୁଃ......

 

‘ସର୍ବେ ଚଳିବେ କାଳ ବଳେ’

 

ତେବେ ସେ ଡରୁଛି କିଆଁ ? ତା ଦେହ, ତା ମନ ଅଜେୟ ଅମର ନୁହେଁ ତ !

 

ସୁର୍ଯ୍ୟକାନ୍ତ ଏଥର ଅସମ୍ଭବ ରକମର ଅଟ୍ଟହାସ୍ୟ କଲା । ଆମେ ସବୁ ପାଗଳ–ଆମେ ସବୁ ଇମିତି ମିଛଭୂତର ଭୟରେ ସର୍ବଦା ଭୀତତ୍ରସ୍ତ । ଏ ମିଛ ଭୂତ କବଳରୁ ପରିତ୍ରାଣ ପାଇବା ପାଇଁ ଆମେ ସବୁ ଆଗକୁ ଧାଇଁଛୁ–ଧାଇଁଛୁ, ନୁହେଁ ଆଉ କଣ ? ତେବେ ଆମର ଏ ଅଯଥା ଅହରହ ଧା ଧପଡ଼ କଣ ବନ୍ଦ ହେବନି ?

 

ସୂର୍ଯ୍ୟକାନ୍ତର ହୃଦଗତି କ୍ରମେ ଶିଥିଳ ହୋଇ ପଡ଼ିଲା । ଦେହରେ କିମିତି ଏକ ଅବ୍ୟକ୍ତ ଅସୁସ୍ଥି ଅନୁଭବ କଲା । ତଥାପି ସୂର୍ଯ୍ୟକାନ୍ତ ଚାଲିଛି, ତାକୁ ତାର ଲକ୍ଷ୍ୟ ସ୍ଥଳରେ ପହଞ୍ଚିବାକୁ ହିଁ ପଡ଼ିବ ।

 

ବିଶାଳ, ଖୁବ୍ ବିଶାଳ ବଟବୃକ୍ଷ ସେ ଗୋଟିଏ; ବହୁ ବାହୁ ମେଲାଇ ଦେଇଛି ବହୁ ଦୂରକୁ-। ଯେତେ ପ୍ରଚଣ୍ଡ ସୌରକର ହେଉ ପଛେ ତା ଅଜସ୍ର ପତ୍ର ଫାଙ୍କ ମଧ୍ୟ ଦେଇ ଭୂମିରେ ପହଞ୍ଚିବା ଏକ ବିରାଟ ବିଡ଼ମ୍ବନା । ପହଞ୍ଚେନି ସେଠି ସୂର୍ଯ୍ୟ କିରଣ, ତେଣୁ ବହୁ କ୍ଳାନ୍ତ ତୃଷାର୍ତ୍ତ ଆତ୍ମା ସେଠି ଶାନ୍ତି ପାଏ...

 

ଚାଲିଛି ସୂର୍ଯ୍ୟକାନ୍ତ । ସେଇ ପଥଦେଇ ତାକୁ ଯିବାକୁ ହେବ, ସେଠି ପୁଣି କଟ୍ କଟ୍ ଅଂଧାର । ସୂର୍ଯ୍ୟକାନ୍ତ ଏ ଅଂଧାରରେ ବି ସେ ପଥରେ ଯିବାକୁ ସାହସ କରିଛି । ଚିହ୍ନା ପଥ ।

 

ସେଇ ବଟବୃକ୍ଷର ଚରଣ ପଥରେ ଚରଣ ଦେଲା ସୂର୍ଯ୍ୟକାନ୍ତ । ବାଦୁଡ଼ି ଦୁଇ ଚାରିଟା ଫଡ଼ଫାଡ଼୍‍ ହୋଇ ଉଡ଼ିଗଲେ । ଚମକି ପଡ଼ିଲା ସେ । ଛାତି ତା’ର ଭାରି ପତଳା ହୋଇଯାଇଛି । ଭୂତଭୟ ତା ଛାତିରେ ଆସନ ଜମାଇଛି ।

 

ସୂର୍ଯ୍ୟକାନ୍ତ ସ୍ଥାଣୁପ୍ରାୟ ଠିଆହୋଇ ଗଲା, ଅଟ୍ଟହାସ୍ୟ କରିଉଠିଲା–ସେ ଏତେ ଭୟାଳୁ !

 

ସୂର୍ଯ୍ୟକାନ୍ତ ବହୁ ସତର୍କତା ଅବଲମ୍ବନ କରିଛି ନିଶ୍ଚୟ, ସେ ବଟ ବୃକ୍ଷର ସୀମା ଶେଷ ହେଲା । ଏଣିକି ହୁଏତ ଭୟ ହେବନି, ଖୋଲାସ୍ଥାନ–ନିକଟରେ ତେଲେଙ୍ଗା ବସ୍ତି ।

 

ମନରେ ଅଶେଷ ସାହାସ ଭରିଗଲା । ଅବଶ ପାଦରେ ବଳ ଭରି ଉଠିଲା । ସୂର୍ଯ୍ୟକାନ୍ତ ମନେ ମନେ ଠିକ୍ କଲା–ଏଇ ଅଦୂରରେ ଯେଉଁ ନବନିର୍ମିତ ପୋଲ ଦେଖାଯାଏ, ସେଠି ସେ ବସିବ ଦଣ୍ଡେ ।

 

ସେ ଉଦ୍ଦେଶ୍ୟରେ ସେ ଆଗେଇଲା ।

 

‘କୌନ ହେ’

 

ଯିଏ ହେଉ ପଛେ ଚୋର ନୁହେଁ

 

ଓ ବାବୁ, ଆପଣ ଏ ଅଂଧାରରେ...ପୁଣି ଏ ପଥରେ ? ନା, ଏ ପଥଟା ଅଳ୍ପ ପଡ଼ିବାରୁ ଚାଲି ଆସିଲି ।

 

କିନ୍ତୁ ଏ ପଥରେ ଏକାକୀ ଯିବାକୁ କିଏ ସାହାସ କରନ୍ତି ନି ।

 

କାଇଁ କବରସ୍ଥାନ ଥିବାରୁ ନା......

 

ହସିଲା ନାଇଟ୍ ଗାର୍ଡ଼୍ କନେଷ୍ଟବଲ୍ ।

 

ସୂର୍ଯ୍ୟକାନ୍ତ ପ୍ରଶ୍ନ କଲା–ତମେ ଏ ପଥରେ ଯାଉଛ ଯେ ବାବୁ ! ମୋର ଏ ଏରିଆ, ସରକାରୀ ଚାକିରି କରିଛୁ, ଜୀବନକୁ ପାଣି ଛଡ଼ାଇଛୁ–ଆମର ଡର କଣ, ଭୟ କଣ ?

 

ପରିହାସ କଲା ସୂର୍ଯ୍ୟକାନ୍ତ, ତମେ କଣ ଭାବ ଯେଉଁମାନେ ସରକାରୀ ଚାକିରି କରିନାହାଁନ୍ତି ସେମାନଙ୍କର ଜୀବନ ନିରାପଦ ? ନା, ତମେ ଭୁଲ ବୁଝିଛ । ବରଂ ଯେଉଁମାନେ ଚାକିରି କରିଛନ୍ତି ସେମାନଙ୍କ ଜୀବନ ନିରାପଦ, ଆଉ ଯେଉଁମାନେ ବେକାର ସେମାନଙ୍କ ଜୀବନ ପ୍ରମାଦବହୁଳ ।

 

ନାଇଟ୍ ଗାର୍ଡ଼ଟି ଯଥାର୍ଥ ଉତ୍ତର ଦେବାକୁ ସକ୍ଷମ ହୋଇ ପାରିଲାନାହିଁ । ବରଂ କହିଲା–ବାବୁ ! ବେଶୀ ରାତି ହେଉଛି । ଆପଣ ଯାଆନ୍ତୁ । ପରେ କେବେ...

 

ରାତି ଆରମ୍ଭ ହୋଇଛି ଯେତେବେଳେ କ୍ରମେ କ୍ରମେ ବେଶୀ ରାତିରେ ପରିଣତ ହୋଇ ପୁଣି ପରିସମାପ୍ତି–ହେବ । ଏଥିରେ ଭାବିବାର କରିବାର, କଣ ଅଛି ?

 

ବରଂ ଏ ସମୟ ସବୁଦିନେ ଜୁଟିବନି ।

 

–ତା ସତ ବାବୁ ! ତେବେ ମୋର ସମୟ ନାହିଁ । ଘେରେ ବୁଲିପଡ଼ି ଯାଉଁ ଯାଉଁ ଅନ୍ୟୂନ ରାତି ଦଶଟା ହୁଏ । ସ୍ତ୍ରୀପିଲା ଚାହିଁ ବସିଥିବେ । ଅନେକ ବାଟ ଯିବାକୁ ପଡ଼ିବ–ଆଜି ପୁଣି ଟିକେ ବିଳମ୍ବରେ ବାହାରିଛି...

 

ନା,ନା–ତମେ ଯାଅ । ତମକୁ ଅଟକାଇବା ଦ୍ଵାରା ମୋର କିଛି ଲାଭକ୍ଷତି ହେବନି । ବରଂ ହେବ ତମର ।

 

–ହଁ ବାବୁ, ଅନେକ ରାତି ହୋଇଯିବ । ମୁଁ ଯାଉଛି–

 

ନମସ୍କାର–

 

‘ନମସ୍କାର–

 

ବିଦାୟ ବିଦାୟ ନେଲା ନାଇଟ୍ ଗାର୍ଡ଼ କନେଷ୍ଟବଲ । ଚାକିରି କରିଛି ସେ । ତା ଡିଉଟି ସେ ନ କଲେ ବିପଦ । ତେଣୁ ତାକୁ ଅଟକାଇବା ଉଚିତ ନୁହେଁ ।

 

ସୂର୍ଯ୍ୟକାନ୍ତ ଚାଲିଲା–ଆଗକୁ । ପଥର ଏକ ବେଖିଆଲରେ ସେ ଚାଲିଛି । ପୁଣି ଚାଲୁ ଚାଲୁ ଅଟକି ଗଲା ।

 

ଅଦୂରରେ, ରାଜପଥର ଧାରରେ, ନବନିର୍ମିତ ରେଷ୍ଟୁରାଣ୍ଟରୁ, ମାଇକ୍–ମୁହଁରୁ ସୁଲଳିତ ସଂଗୀତ ମୂର୍ଚ୍ଛନା ଧୀର ସମୀରରେ ପହଁରି ପହଁରି ଭାସିଆସୁଛି । ଶୁଣୁଥିଲା ସେ...

 

‘ଚାହେଁନା, ଏ ମିଛ ବନ୍ଧନ ଚାହେଁନା, ଚାହେଁନା...

 

ଏ ମିଛବନ୍ଧନକୁ ସେ ଚାହୁଁନି । ସତେ ସେ ଚାହୁଁନି କାହିଁକି ? ଏ ସଂସାର କଣ ଏତେ ରୋଗଗ୍ରସ୍ତ ! ଏତେ ଅଭିଶପ୍ତ ? ମଣିଷ ଚାହୁଁନି ଏଠି ରହିବାକୁ । ତେବେ ରହିବ କିଏ ?

 

ନବନର୍ମିତ ପୋଲ ଉପରେ ବସିଲା ସେ । ସଂଗୀତଟି ସଂପୂର୍ଣ୍ଣ ହଜି ଯାଇଥିଲା । ଖୋଜିନାହିଁ ସେ । ଖୋଜିବାକୁ ଧାରଣା ନାହିଁ ତାର । ସୂର୍ଯ୍ୟକାନ୍ତ ସେ ସଂଗୀତର ଗୋଟିଏ ପାଦ ଉପରେ ଗଭୀର ଆଲୋଚନା ଆରମ୍ଭ କରିଛି...

 

ଆକାଶ ଅଗଣାରେ ଅସଂଖ୍ୟ ତାରର ସଲିତା ଜଳୁଥିଲେ ଦପ୍–ଦପ୍ ମିଞ୍ଜି, ମିଞ୍ଜି, ହୋଇ ଏକ ସ୍ଥିରଦୃଷ୍ଟି ଦେଇ ଚାହିଁଛି ସେଇ ଅଗଣିତ ତାରକା ଆଡ଼କୁ, ଯେଉଁମାନେ ତାକୁ ଆଖିମିଟିକା ମାରି କହୁଛନ୍ତି, ହେ ବନ୍ଧୁ ଆସ !

 

ଏ ଅନନ୍ତ ଆକାଶରେ ଆମମାନଙ୍କ ସହ ମିଶି, ଆଉ ପଥହଜା ପଥିକଙ୍କୁ ତୁମ କ୍ଷୀଣାଲୋକରେ ପଥ ଦେଖାଅ......

 

ନୀରବ, ନିଶ୍ଚଳ ଅପଲକ ନେତ୍ରଦୁଇଟିରେ ସୂର୍ଯ୍ୟକାନ୍ତ, ନିଥର ଆକାଶ ଆଡ଼େ ଚାହିଁଥିଲା । ଆକାଶରୁ ଏକ ଉଲକାର କକ୍ଷଚ୍ୟୁତ ହେଲା–ଇସ ! ମୃତ ନକ୍ଷତ୍ରର ପ୍ରତ୍ୟକ୍ଷ ଦର୍ଶନ, ଅମଙ୍ଗଳ ନିଶ୍ଚୟ !

 

☆☆☆

 

ସ୍ମୃତିତୀର୍ଥ

 

–ଚନ୍ଦ୍ରା, ଏ ହୃଦୟର ଅତୃପ୍ତ ବାସନାକୁ ପୂର୍ଣ୍ଣ କରିପାରିବ ?

 

–କିଏ, ସୁଧାକର ? ଚନ୍ଦ୍ରାର ନେତ୍ର ବିସ୍ଫାରିତ ହୋଇଉଠିଲା ?

 

–ମୁଁ ସୁଧାକର ନୁହେଁ, ସୁନ୍ଦରୀ ! ପ୍ରଭାକର.... ।

 

–ଏ ଛଳନା ବେଶ କାହିଁକି ପ୍ରଭୁ ?

 

–ତୁମେ କଣ ମୋ ମିନତି ବୁଝିପାରୁନ ଚନ୍ଦ୍ରା ?

 

ସମ୍ମୁଖରେ ନୀଳ ଜଳରାଶିର ନୀଳିମା ଭେଦ କରି ତୁହାଇ ତୁହାଇ ଉଠୁଛି ତରଙ୍ଗ ମାଳା-। ପିଟି ହେଉଛି ବେଳାଭୂମିରେ । ଫେରି ଯାଉଛି ଅନନ୍ତ ସାଗର ବକ୍ଷକୁ । ଅବସାଦ ତାର ମେଣ୍ଟୁନି ।

 

ପଦତଳେ ଦିଗନ୍ତ ବିସ୍ତାରୀ ସୈକତ ପ୍ରାନ୍ତର । ଆଉ ଉପରେ ଅନନ୍ତ ଅଙ୍ଗନ...

 

ସ୍ଵୟଂବର ସଭାମଣ୍ଡପରେ ସୁମନ୍ୟୁ ଋଷିଙ୍କ କନ୍ୟା ବନ କୁସୁମର ଗ୍ରଥିତ ମାଳା ଧରି ଚାହିଁଲା । କିନ୍ତୁ ସେ ଦେଖି ପାରିଲାନି ତା ପ୍ରାଣର ପ୍ରିୟକୁ । ତେବେ ସେ କାହାକୁ ବରମାଲ୍ୟ ଦେବ-? ଚନ୍ଦ୍ରା ଅତିଷ୍ଠ ହୋଇ ଉଠିଲା । ଦିଗ୍‍ବଳୟର ଶେଷସୀମା ରେଖାରେ ଦେଖାଗଲା ତାର ପ୍ରିୟର ମୁଖ । କିନ୍ତୁ ହାୟ... !

 

ସେହି ମୁହୂର୍ତ୍ତରେ ସ୍ଵୟଂବର ସଭାର ତ୍ୟାଗ କରି ଛୁଟି ଆସିଲା ଋଷିକନ୍ୟା ଚନ୍ଦ୍ରା । ଚକ୍ଷୁ ଜଳରେ ସାଗର ଶିଳା ଧୌତ କରି ପ୍ରିୟ ଚନ୍ଦ୍ରର ପ୍ରତୀକ୍ଷାରେ ବସିଥିଲା । ଚନ୍ଦ୍ରା କାନ୍ଦୁଥିଲା ଶ୍ରାବଣର ଅବାରିତ ବାରି ଧାରା ଝରୁଥିଲା ତା ଆଖିରୁ । କଜ୍ୱଳ ଅଶ୍ରୁବାରିରେ ଧୌତ ହୋଇ ତାକୁ ଆହୁରି ସୁନ୍ଦର କରି ତୋଳିଥିଲା ।

 

ଅନନ୍ତ ଅଙ୍ଗନରେ ସୂର୍ଯ୍ୟ ରଥାରୋହଣ ପୂର୍ବକ ପୃଥିବୀ ବକ୍ଷରେ ଆଲୋକ ବିଞ୍ଚିଲେ । ବୃକ୍ଷଲତାରେ ଛୁଟାଇଲେ ହରିଦ୍ରା ରଙ୍ଗର ବନ୍ୟା । ବିସ୍ତୀର୍ଣ୍ଣ ସୈକତ ପ୍ରାନ୍ତରରେ ବାଲିହରିଣ କ୍ରୀଡ଼ା ଆରମ୍ଭ କରୁଥିଲା । ସୂର୍ଯ୍ୟରଥ ପ୍ରତିବିମ୍ବିତ ହେଲା ସାଗର ବକ୍ଷରେ ।

 

ହଠାତ୍ ନେତ୍ରଯୁଗଳ ତାଙ୍କର ବିସ୍ଫାରିତ ହୋଇ ଉଠିଲା । ଅପୂର୍ବ ଶୋଭାର ପସରା ଅପରୂପ ଲାବଣ୍ୟ ଧରି ବେଳାଭୂମି ଉପରେ । ଚନ୍ଦ୍ରା ବସି ସ୍ଵନନଖରେ ସୈକତି ବକ୍ଷରେ ଆଙ୍କୁଥିଲା ଚନ୍ଦ୍ରର ପ୍ରତିମୂର୍ତ୍ତି । ସେ କେଡ଼େ ସୁନ୍ଦର ସତେ ! ସୂର୍ଯ୍ୟ ଭାବିଲେ–ଅସୀମ ଆଭାର ପସରା ଲାଳିତ୍ୟମୟୀ ଏ ନାରୀ କିଏ ? ସୁରସଭାର କୌଣସି ଏକ ପଟ୍ଟୀୟସୀ ନର୍ତ୍ତକୀ ନାଁ ମର୍ତ୍ତ୍ୟପୁରର କୌଣସି ଯୁବତୀ ? କି ସୁନ୍ଦର ତାର ତନୁଶ୍ରୀ !

 

ପଦରେଣୁର ସୁଗନ୍ଧ ବାରି ଯେଭଳି ପାଗଳ ହୋଇ ଉଠେ ଭୃଙ୍ଗ, ରାକାରଜନୀରେ ଶଶାଙ୍କର ବଦନମଣ୍ଡଳ ସଂଦର୍ଶନରେ ଆତ୍ମବିଭୋର ହୋଇଉଠେ ଚକୋର, ଆକାଶ ବକ୍ଷରେ କଳାବଉଦର ଦର୍ଶନରେ ଯେପରି ନର୍ତ୍ତନ ଆରମ୍ଭ କରିଉଠେ ବନ ମୟୂର; ସ୍ଵମନ୍ୟୁ ଋଷିଙ୍କ କନ୍ୟା ଚନ୍ଦ୍ରାବତୀର ରୂପଲାବଣ୍ୟରେ ପାଗଳ ହୋଇ ଉଠିଲେ ଦିବାକର । ମନମୟୂର ତାଙ୍କର ନୃତ୍ୟ କରି କରିଉଠିଲା । ମାର ଶରରେ ଜର୍ଜ୍ଜରିତ ହୋଇ ଭୁଲିଗଲେ ସେ ହିତାହିତ ଜ୍ଞାନ, ଭୁଲିଗଲେ ସେ ଦେବତ୍ଵ ଆତ୍ମମ୍ଭରିତା । ଦେହରେ ଖେଳିଲା ନବ କମ୍ପନ । ଶରୀର ଅତିଷ୍ଠ ହୋଇଉଠିଲା । ମର୍ତ୍ତ୍ୟକୁ ଓହ୍ଲାଇ ଆସିଲେ ଦିବାକର ଛଦ୍ମବେଶରେ । କ୍ରନ୍ଦସୀ ରୂପବତୀ ସମୀପରେ ଦଣ୍ଡାୟମାନ ହୋଇ ବିନୀତ କଣ୍ଠରେ ଡାକିଲେ–ଚନ୍ଦ୍ରା, ଏ ହୃଦୟର ଅତୃପ୍ତ ପିପାସାକୁ ପୂର୍ଣ୍ଣ କରିପାରିବ ?

 

ଭୀତତ୍ରସ୍ତ ହୋଇ ସେଦିନ ଅସହାୟ ଋଷିକନ୍ୟା, ତୁହାଇ ତୁହାଇ ପ୍ରଶ୍ନକରି ବୁଝିନେଲା, ତାର ପ୍ରେମଭିକାରୀ ସୁଧାକର ନୁହେଁ, ପ୍ରଭାକର । ଚନ୍ଦ୍ରାର ଆତଙ୍କର ସୀମା ରହିଲାନି । ଲଜ୍ଜାରେ ଭୟରେ ଶିହରି ଉଠି କରୁଣ କଣ୍ଠରେ ସଂବେଦନ କଲା, ହେ ଦେବ, ଆପଣ ଏତେ ନୀଚମନା ? କନ୍ୟାପ୍ରତି ପ୍ରେମଭିକ୍ଷା ?

 

ଚନ୍ଦ୍ରାର ଚନ୍ଦ୍ରାନନକୁ ବାରବାର ଚାହିଁ ମୁଗ୍‍ଧ ମିହିର ସେ ଦିନ ଶୁଣିପାରିଲେନି ତାର ଆକୁଳ ଅନୁରୋଧ । କମାନଳରେ ଦଗ୍‍ଧୀଭୂତ ହେଉଥିବା ଦେହକୁ ଶୀତଳ କରିବା ଅଭିପ୍ରାୟରେ ସେ ପୁନଃ ପୁନଃ ସଂବେଦନ କରି ଚାଲିଲେ–ବିମ୍ବୋଷ୍ଠି ! ଈର୍ଷା ବର୍ଜ୍ଜନ କରି ପ୍ରଣୟର ସୁରା ଟେକି ଦିଅ । ମୁଁ ଚାହେଁ ଗୋଟିଏ ମୁହୂର୍ତ୍ତ । ସୁରଭିମୟ ପ୍ରଣୟର ସୁରା...ମୁଁ ତୃଷାର୍ତ୍ତ । ଆରକ୍ତ ହୋଇ ଉଠିଲା ଚନ୍ଦ୍ରାର ମୁଖ । ଚକ୍ଷୁରେ ବିସ୍ଫୋରଣ, ତାର ହୃତକମ୍ପ ହେଲା । ଶରୀର କମ୍ପିଲା । ଘୃଣା ଭୟ ଏବଂ ରୋଷରେ ଆରକ୍ତ ହୋଇଉଠିଲା ଚନ୍ଦ୍ରାର ଗୋଲାପୀ ଗଣ୍ଡଦେଶ । ପରାକ୍ରମୀ ପୁରୁଷର ବିପୁଳ ଶକ୍ତି ପାଖରେ ନାରୀର ଶକ୍ତି ସଂପୂର୍ଣ୍ଣ ଦୁର୍ବଳ । ସେ ସେକଥା ହୃଦୟଙ୍ଗମ କଲା–ନଚେତ୍...... I

 

ଚନ୍ଦ୍ରା ଆକୁଳ ମିନତି କଲା । ଆକୁଳରେ କହିଲା–ପ୍ରଭୁ, ଜଗତର ପିତା ହୋଇ ଏଭଳି ଅପବିତ୍ର କାର୍ଯ୍ୟରେ ମନ ବଳାଇଲେ କାହିଁକି ? ତୁମେ ପୂଜ୍ୟ ଆଦର୍ଶ । ସାମାନ୍ୟ ନାରୀ ମୁଁ । ପୁଣି କନ୍ୟାସମ......ସେ ଆଉ କହିପାରିଲାନି ।

 

ସତୀର ଆର୍ତ୍ତବାଣୀ କାମାତୁରର ହୃଦୟକୁ ସ୍ପନ୍ଦିତ କରିପାରିଲା ନାହିଁ । ବରଂ, ସୂର୍ଯ୍ୟଦେବ ପୁନଃ ପୁନଃ ଆଶା ଆବେଗରେ ଚନ୍ଦ୍ରାର ନିକଟତର ହୋଇ ଥର ଥର ହସ୍ତରେ କରପଲ୍ଲବକୁ ଧରି ସମ୍ଭାଷଣ କଲେ–ପ୍ରିୟେ...

 

ରୋଷାଗ୍ନିରେ ପ୍ରଜ୍ୱଳିତ ହୋଇଉଠିଲା ଚନ୍ଦ୍ରାବତୀ । ବିକଳରେ ଆର୍ତ୍ତଚିକ୍ରାର କରି ଚନ୍ଦ୍ରାବତୀ କହିଲା–କଣ କଲ ଦେବ ? ମୋର ଏ ସତୀ ଅଙ୍ଗକୁ ସ୍ପର୍ଶ କରି ଅପବିତ୍ର କଲ ? ମୁଁ ଏ ପୋଡ଼ା ପ୍ରାଣକୁ ଆଉ ନେଇ ଦେଖାଇପାରିବିନି ମୋ ପ୍ରିୟତମକୁ...... I ଚନ୍ଦ୍ରାର ଚକ୍ଷୁର ଅଶ୍ରୁରେ ବନ୍ୟା ।

 

ଚନ୍ଦ୍ରାର ଆଖିଆଗରେ ନାଚିଉଠିଲା ନୀଳ ସମୁଦ୍ର ।

 

ଅସହାୟ ଋଷିକନ୍ୟା ଚକ୍ଷୁର ପଲକରେ ଛୁଟିଯାଇ ଲମ୍ଫଦେଲା ସାଗର ବକ୍ଷରେ । ନୀଳଜଳରାଶିର ନୀଳିମା ଭିତରେ ଲୁଚିଗଲା ଚନ୍ଦ୍ରା–ତାର ଅପରୂପ ସୌନ୍ଦର୍ଯ୍ୟ ।

 

ଚନ୍ଦ୍ରାବତୀ ଲୁଚିଗଲା...... I

 

ଆଗରେ ପଡ଼ିଛି ଅସରନ୍ତି ବାଲୁକା । ଉପରେ ନୀଳ ଆକାଶର ଅନନ୍ତ ଅଙ୍ଗନ । ସେ ଠିଆ ହୋଇଛନ୍ତି ନିସ୍ପନ୍ଦ ଭାବରେ । ସମ୍ମୁଖରେ ଫେନିଳ ସାଗର । ସୂର୍ଯ୍ୟଦେବ ଥରିଉଠିଲେ ଭୟରେ, ଆତଙ୍କରେ । ମନେ ପଡ଼ିଯାଉଥିଲା ତାଙ୍କର କାମଦେବର ପଦିଏ କଥା ।–ଏ କମାଣରେ ଟଳିଛି ଯୁଗ ପୁରୁଷର ହୃଦୟ । ସତୀ ନାରୀର କରୁଣ ଆର୍ତ୍ତ ଝରିପଡ଼ିଛି ଭୂଇଁରେ । ଆଉ ଆପଣ ? ....ଫୁଲ କମାଣ ଆଗରେ ଆପଣଙ୍କ ଶକ୍ତି ସାମର୍ଥ୍ୟ ତୁଛ । ସ୍ରଷ୍ଟାର ଇତିହାସରେ ଏ ହେଉଛି ପ୍ରଥମ ଅଙ୍କନ, ପ୍ରଥମ ପରିଚ୍ଛେଦ ।

 

ସୂର୍ଯ୍ୟଦେବ ଅସମ୍ଭବ ଭାବେ ଥରି ଉଠୁଥିଲେ । ଭାସମାନ ବଉଦ ପରି ତାଙ୍କ ମାନସପଟରେ ଭାସିଯାଉଥିଲା ଗୋଟିଏ ଦିନର ସ୍ମୃତି । ସେ ସ୍ମୃତି ଦୀର୍ଘ ଦିନର......

 

X X X

 

ମର୍ତ୍ତ୍ୟବୈକୁଣ୍ଠ ନୀଳାଚଳରେ ନୀଳାଦ୍ରିକନ୍ଦର ବିଜୟ ମହାସମାରୋହରେ ପାଳିତ ହେଉଥିଲା । ଏ ଉତ୍ସବ ମୁଖରିତ ହୋଇ ଉଠିଥିଲା ଦେବରାଜ ଇନ୍ଦ୍ର ସମେତ ଦେବଦେବୀମାନଙ୍କର ଉପସ୍ଥିତିରେ । ହଠାତ୍ ମଦନର ଔଦ୍ଧତ୍ୟ ବରଦାସ୍ତ ନ କରିପାରି ସୂର୍ଯ୍ୟଦେବ ଭୟଙ୍କର ଭାବେ ବିରକ୍ତ ହୋଇ ବଜ୍ରଗମ୍ଭୀର ସ୍ୱରରେ କହିଲେ–ମଦନ, ହର କୋପାନଳରେ ଥରେ ଜଳିଥିଲେ ସୁଦ୍ଧା ମନ ତୋର ଶାନ୍ତ ହୋଇନି; ପୁଣି ଏ ପ୍ରଭାକର ପ୍ରଭାରେ ଜଳିବାକୁ ମନ ବଳାଉଛୁ ? ତୁ ଜାଣୁ ଏ ଫୁଲକମାଣର ଭୟ ସୂର୍ଯ୍ୟ ନିକଟରେ ନିହାତି ତୁଚ୍ଛ–ହେୟ ।

 

ସେଦିନ ଏକ ଉଚ୍ଚ ହାସ୍ୟରେ ଗଗନମଣ୍ଡଳ ମଥିତ କରି ମଦନ କହିଥିଲା–କେତେ ବୀର, କେତେ ମହାପୁରୁଷ, କେତେ ତ୍ୟାଗୀ ଦେଖିଲି । କିନ୍ତୁ କେହି ଏଥିରୁ ତ୍ରାହି ପାଇନାହାନ୍ତି ।

 

ସୂର୍ଯ୍ୟଦେବ ଖାଲି ତାଚ୍ଛଲ୍ୟଭରା ହାସ୍ୟରେ ତାକୁ ଉଡ଼ାଇଦେଲେ ସିନା !

 

ସୂର୍ଯ୍ୟଦେବ ଥରି ଉଠିଲେ । ମଦନ ଆଜି ତାର କଥାର ସତ୍ୟତା ପ୍ରମାଣ କରିଛି । ଆଉ ସେ ? ତାଙ୍କର ସେ ଦମ୍ଭୋକ୍ତି ?

 

X X X

 

ଦେବ ଦିବାର, ଚରଣେ ପ୍ରଣତି ପ୍ରଭୁ । ସେଇଠି ସେଇ ସାଗର ବେଳାରେ ସୂର୍ଯ୍ୟଦେବ ବିଗତ ଦିନର ସ୍ମୃତି ମନେପକାଇ ଥରିଉଠୁଥିଲେ । ସୁମନ୍ୟୁଙ୍କର ଅଭୂମି ପ୍ରଣିପାତରେ ସେ ସଚେତନ ହେଲେ ।

 

ସୁମନ୍ୟୁଙ୍କର ଗୋଟିଏ ପ୍ରଶ୍ନ–

 

ମୋ କନ୍ୟା ଚନ୍ଦ୍ରାବତୀକୁ ଦେଖିଛନ୍ତି କି ? ସୁମନ୍ୟୁ ଋଷିଙ୍କର ପ୍ରଶ୍ନର ଉତ୍ତର ସେ କ’ଣ ଦେବେ ? ନିସ୍ପନ୍ଦ ଭାବରେ ଭାବୁଥିଲେ ।

 

ସୁମନ୍ୟୁ ପୁନର୍ବାର ଆବୃତ୍ତି କଲେ, ଦେବ ?

 

ସୁମନ୍ୟୁଙ୍କ ପ୍ରଶ୍ନ ରାଜିରେ ଆହତ ହୋଇ ଭୟମିଶ୍ରିତ ଥର ଥର କଣ୍ଠରେ ସୂର୍ଯ୍ୟଦେବ ଅସ୍ପଷ୍ଟଭାବରେ କଣ କହିଲେ, ସୁମନ୍ୟୁ ସଂପୂର୍ଣ୍ଣ ବୁଝିପାରିଲେ ନାହିଁ । କିନ୍ତୁ ତାଙ୍କ ଅଙ୍ଗୁଳି ନିର୍ଦ୍ଦେଶରୁ ସେ ବୁଝିଲେ... ।

 

ସୁମନ୍ୟୁ ଆର୍ତ୍ତନାଦ କରିଉଠିଲେ–ଦେବ, ତୁମେ କଣ କଲ ? ସୂର୍ଯ୍ୟଦେବ ଅନୁତପ୍ତ ଗଳାରେ ସକଳ ବୃତ୍ତନ୍ତ କହି ଚାଲିଲେ । ସୁମନ୍ୟୁ ଅଭିଶାପ ଦେଇ କନ୍ୟାର ପଥ ଅନୁସରଣ କରିବାକୁ ବସିଛନ୍ତି...... ।

 

ଶାନ୍ତି, ଶାନ୍ତି, ଶାନ୍ତି । ସ୍ଵୟଂ ଭଗବାନ ଆବିର୍ଭୂତ ହେଲେ । ପରମ ଜ୍ୟୋତିରେ ବେଳାଭୂମି ଆଲୋକିତ ହୋଇ ଉଠିଲା । ସେ ସାନ୍ତ୍ଵନା ଦେଲେ......

 

X X X

 

ଦୂର......ଅତି ଦୂର ଅତୀତର ଇତିହାସ କଥା । ସମୟ ସ୍ରୋତରେ ଭାସି ଯାଇଛି ଦୂର ଅତୀତର କାହାଣୀ; କିନ୍ତୁ ସେ ଦିନର ସ୍ମୃତି ଏବେ ବି ଏ ଦେଶରେ ରହିଛି ।

 

ଦିନ ଚାଲିଯାଇଛି । ସ୍ମୃତି ପଟରେ ରଖିଯାଇଛି ଅସରନ୍ତି ଲେଖା । ଚନ୍ଦ୍ରା ଆଉ ଫେରିନି-। ସୂର୍ଯ୍ୟଦେବ ନିଜର କର୍ମପାଇଁ ଅନୁତପ୍ତ ହୋଇ ଦଗ୍‍ଧୀଭୂତ ହେଉଛନ୍ତି ପ୍ରତ୍ୟହ-। ଆଉ ସୁମନ୍ୟୁ......ସେ କେଉଁ ନିଭୃତ କନ୍ଦରରେ ତପରତ ଥିବେ ନିଶ୍ଚୟ । କିନ୍ତୁ... ।

 

ସୁମନ୍ୟୁ ଋଷିଙ୍କର ଅଭିଶାପରେ ଟଳିଛି ଶିଳ୍ପ ମୁକୁଟ କୋଣାର୍କ । ଖଣ୍ଡ ବିଖଣ୍ଡ ଶିଳା ରାଜି ଆଜି ମନ୍ଦିର ଗାତ୍ରରୁ ଚ୍ୟୁତ ହୋଇ ପଡ଼ିଛନ୍ତି । ପ୍ରସ୍ତର ଉପରେ ଶିଳ୍ପୀର ସୂକ୍ଷ୍ମ କଳାର ନିକ୍ଵଣ ଆଜି କର୍ଣ୍ଣପଥ ମୁଗ୍‍ଧ କରୁନାହିଁ । ଶିଳା ଉପରେ ଖୋଦିତ ନର୍ତ୍ତକୀର ଚଞ୍ଚଳ ପଦଧ୍ୱନି କାହାକୁ ଶୁଭୁନାହିଁ । ବାଦକର ବାଦ୍ୟ ବନ୍ଦ ହୋଇଯାଇଛି । ରଣକ୍ଷେତ୍ରରେ ଦୁନ୍ଦୁଭି ଆଉ ଉଦ୍ଦୀପନା ସୃଷ୍ଟି କରୁନାହିଁ । ମଞ୍ଜୁଳ ବିତାନ ଆଜି ସ୍ତବ୍‍ଧ ସିନା, କିନ୍ତୁ ଏହି ଅତୀତ ବୈଭବ ପାଇଁ ଅସଂଖ୍ୟ ନରନାରୀଙ୍କ କଣ୍ଠରୁ ଆହା ଶବ୍ଦ ସ୍ଵତଃ ଗଗନ ମଥିତ କରୁଛି । ଜନତା ଆଖିର ଅଶ୍ରୁ ପୁଣ୍ୟତୋୟା ଚନ୍ଦ୍ରଭାଗାର ନୀର ସଙ୍ଗେ ମିଶିଯାଇଛି । ଏ ସବୁର ନୀରବତା ଭିତରେ ଭିତରେ ଗଢ଼ିଉଠିଛି ପବିତ୍ର ତୀର୍ଥ ‘ଚନ୍ଦ୍ରଭାଗା’ ଯେଉଁଠି ଆଜି ଅଗଣିତ ନରନାରୀ ସକଳ ପାପ ତାପ ଧୋଇ ଦେଉଛନ୍ତି । ମାଘ ସପ୍ତମୀରେ ଚନ୍ଦ୍ରଭାଗାର ବୈଭବ ନେଇ ଅନନ୍ତ ଆକାଶରେ ରହି ଚନ୍ଦ୍ରାର ଆତ୍ମା ଗର୍ବରେ ଫୁଲି ଉଠୁଥିବ, ସୂର୍ଯ୍ୟଙ୍କ ଉଦ୍ଦେଶ୍ୟରେ ପ୍ରଣତି ଢାଳୁଥିବ ନିଶ୍ଚୟ ।

☆☆☆

 

Unknown

ହୃଦୟ ବିଜୟ

 

ବୀର କଳିଙ୍ଗପୁତ୍ରର ଉତ୍ତପ୍ତ ଶୋଣିତରେ ସୃଷ୍ଟିହୋଇଛି ଖରସ୍ରୋତା ସ୍ରୋତସ୍ୱତୀ, ଗୋଟିଏ ମୁହୂର୍ତ୍ତ ପୂର୍ବରୁ ସେ କଳିଙ୍ଗର ସ୍ଵାଧିନତା ଅକ୍ଷୁଣ୍ଣ ରଖିବାପାଇଁ ମତ୍ତହସ୍ତୀପରି ପାଗଳ ହୋଇ ଉଠିଥିଲା, ପିତା, ମାତା, ପୁତ୍ର, କନ୍ୟା, ସ୍ତ୍ରୀକୁ ଯୁଦ୍ଧରେ ଜୟୀ ହୋଇ ନିର୍ବିଘ୍ନରେ ଫେରିଆସିବାପାଇଁ ଯେ ଆଶ୍ୱାସନା ଦେଇ ଆସିଥିଲା, ଏଇ....ରକ୍ତପିପାସୁ ମଗଧସେନାଙ୍କର ଶାଣିତ ତରବାରିର ପରଶରେ ଝଡ଼ିପଡ଼ୁଛି... I ଦୟାନଦୀର ରଙ୍ଗହୀନ–ନୀର ହୋଇଉଠିଛି ରକ୍ତାଭ... । ଅଚଳ ଅଟଳ, ଅଥର୍ବ ପାଷାଣ ଦେହଟା ବି ଥରି ଉଠୁଛି ଧଉଳିର... । ଚର୍ତୁଦିଗରେ ରଣାଗ୍ନିର ବିଶ୍ଵଧ୍ଵଂସୀ ଶକ୍ତି ଧ୍ୱଂସ କରିଚାଲିଛି କଳିଙ୍ଗର ପୁର, ପଲ୍ଲୀ ନଗର... । ଧଉଳି ପାହାଡ଼ର ଶିଖରଦେଶରେ ମଗଧ ସିଂହାସନର ଅଧିକାରୀ ହେବାପାଇଁ ଶତଭାତୃଙ୍କର ରକ୍ତରେ ଯେ ସ୍ୱ କୃପାଣ ରଞ୍ଜିତ କରିଥିଲା: ସେଇ ନିର୍ମମ, ନୃଶଂସ, ମଗଧ ସମ୍ରାଟ ଚଣ୍ଡାଶୋକ ଅବତୀର୍ଣ୍ଣ ହୋଇ, ସ୍ୱ ସୈନ୍ୟମାନଙ୍କର ଅପୂର୍ବ ବୀରତ୍ଵ ଦେଖି ହସିଉଠୁଥିଲା ଏକ ପୈଶାଚିକ ହସ । ଆଉ ସେଇ ହସର ବାତ୍ୟାରେ ସେ ଯେପରି ଏ ବିରାଟ କଳିଙ୍ଗ ଦେଶକୁ ଉଡ଼ାଇ ଦେବାକୁ ଚାହେଁ ।

 

କଳିଙ୍ଗର ପୁର, ପଲ୍ଲୀ ନଗରର ପ୍ରତି କୋଣେ କୋଣେ ଆତଙ୍କର ରୁଦ୍ରବାତାବରଣ ସୃଷ୍ଟି ହୋଇଛି । ଲକ୍ଷ ଲକ୍ଷ ଲଳନାଙ୍କର ସୀମନ୍ତରୁ ଲିଭିଯାଇଛି ଚିରଦିନ ପାଇଁ ସିନ୍ଦୁର ବିନ୍ଦୁ । ପୁତ୍ର–ମୃତ୍ୟୁ କାତରା ଜନନୀଙ୍କର ବିକଳ ବୁକୁଫଟା ରୋଦନରେ ବିକମ୍ପିତ ଧରିତ୍ରୀ; ତଥାପି ଏ ରଣାଗ୍ନି ନିର୍ବାପିତ ହେଉନି, ରକ୍ତପିପାସୁ ମାଗଧୀଙ୍କର ରକ୍ତତୃଷ୍ଣା ମେଣ୍ଟିନାହିଁ ।

 

କଳିଙ୍ଗର ଇତିହାସର ଏହା ହିଁ ହେଉଛି ଅଶ୍ରୁତପୁର୍ବ ଘଟଣା । କଳିଙ୍ଗ ବୀର ଜାତିର ଏହାହିଁ ହେଉଛି ପ୍ରଥମ ପରାଜୟ.... I

 

କଳିଙ୍ଗର ଏ ବିପନ୍ନ ଦଶାବେଳେ କଣ କରିବ ଠିକ୍ କରି ପାରିଲା ନାହିଁ କଳିଙ୍ଗର ରାଜକୁମାରୀ । ମୀନାକ୍ଷୀଝରା କେତେ ବିନ୍ଦୁ ଅଶ୍ରୁଜଳ କ’ଣ ଏ ରଣାଗ୍ନିକୁ ନିର୍ବାପିତ କରିପାରିବ ? ନାଁ, ତାକୁହିଁ ଯିବାକୁ ହେବ । ନିଜକୁ ମଗଧ ସମ୍ରାଟଙ୍କ କରରେ ସମର୍ପିତ କରି ବିକଳାଙ୍ଗ କଳିଙ୍ଗବାସୀଙ୍କର ଦୁଃଖ ମୋଚନ କରିବ । ସୁଜଳା, ସୁଫଳା, ଦେବଭୂମି କଳିଙ୍ଗକୁ ଧ୍ଵଂସ ମୁଖରୁ ଉଦ୍ଧାର କରିବାକୁ ପଡ଼ିବ । ନାଁ–ନା ସେ ଦେଖିପାରିବ ନାହିଁ କଳିଙ୍ଗର ଏ ଅନ୍ତିମ ଅବସ୍ଥା ।

 

ବିଚଳିତ ହୋଇଉଠିଳା କଳିଙ୍ଗର ଅସୂର୍ଯ୍ୟମ୍ପଶ୍ୟା ରାଜକୁମାରୀ, ନିଜର ବିନୟରେ ସେ କରିବ ଜନ୍ମଭୂମିର ଉଦ୍ଧାର ।

 

ଚଣ୍ଡାଶୋକର ଉପସ୍ଥିତିରେ ଭୟକାତର ନ ହୋଇ ରାଜକୁମାରୀ ପ୍ରଶ୍ନକଲା– “ଦିଗବିଜୟୀ ! କଳିଙ୍ଗ ବକ୍ଷରୁ କ’ଣ ଏ ରଣାଗ୍ନି ନର୍ବାପିତ ହେବନି ?”

 

ସୁଜଳା, ସୁଫଳା, ଦେବଭୂମି କଳିଙ୍ଗର ଦୁର୍ଦ୍ଦଶା ଦେଖି ନିଜ ଶକ୍ତିର ଅସୀମତା ଅନୁଭବ କରୁଥିଲା ଚଣ୍ଡାଶୋକ । ସହସା ଏକ ଯୁବତୀର ସଙ୍କୋଚହୀନ ନିର୍ଭୀକ ପ୍ରଶ୍ନରେ ବିଚଳିତ ହୋଇଉଠି ବିଜୟଗର୍ବରେ ଉନ୍ମତ୍ତ ଚଣ୍ଡାଶୋକ ପ୍ରଶ୍ନିଳ ଦୃଷ୍ଟି ହାଣି ପ୍ରଚାରିଲା–ହୁଁ, କଣ ପ୍ରଚାରିଲ ସୁନ୍ଦରୀ ?

 

ରାଜକୁମାରୀ ନିଜ ପ୍ରଶ୍ନର ପୁନରାବୃତ୍ତି କଲା–ଏ କଳିଙ୍ଗଯୁଦ୍ଧର ଅବସାନ ହେବାପାଇଁ ଆଉ କେତେଦିନ ବାକି ଅଛି ?

 

ଚଣ୍ଡାଶୋକ ହସିଲା–ଏକ ତାଚ୍ଛଲ୍ୟ ହସ–ଓ, ତୁମେ ବୋଧେ ଏ ସାମନ୍ୟ ଦୃଶ୍ୟଦେଖି ବିଚଳିତ ହୋଇ ଉଠିଛ ସୁନ୍ଦରୀ ? କିନ୍ତୁ ଏହାଠାରୁ ଯେ ଆହୁରି ଭୀଷଣ–ଆହୁରି ଭୟାନକ ଦୃଶ୍ୟ ଦେଖିବାକୁ ପାଇବ । ଏହା ତ କଳିଙ୍ଗ ଧ୍ଵଂସର ପ୍ରଥମ ପର୍ବ । କଳିଙ୍ଗ ରାଜା ତାର ଜେମା ସହିତ ମୋର ବୈବାହିକ ସମ୍ବନ୍ଧକୁ ପ୍ରତ୍ୟାଖ୍ୟାନ କରିଥିଲା, ଦାସୀପୁତ୍ର ବୋଲି ଲାଞ୍ଛନା କରିଥିଲା, ଆଉ ସେଇ ଲାଞ୍ଛନାର ପ୍ରତିଫଳ ଭୋଗ କରୁଛନ୍ତି କଳିଙ୍ଗର ଆବଳ ବୃଦ୍ଧ ବନିତା । କଳିଙ୍ଗର ଉନ୍ନତ ମସ୍ତକ ନଇଁ ପଡ଼ିଛି ଆଜି ମଗଧର ରାଜପୁତ୍ର ଛତ୍ରତଳେ । ଆଜି ବୀରଭୂମି କଳିଙ୍ଗ ମଗଧ ସମ୍ରାଟର ପଦାନତ ।

 

ଏକ ପୈଶାଚିକ ହସରେ ଗଗନ ପବନରେ ଶିହରଣ ସୃଷ୍ଟିକଲା ଚଣ୍ଡାଶୋକ ଏବଂ ତା’ପରେ ଯୋଗକଲା–ଯେତେବେଳ ଯାଏ କଳିଙ୍ଗ ରାଜକନ୍ୟା ମୋ ହାତରେ ସମର୍ପିତ ହୋଇ ନାହାନ୍ତି, ସେତେବେଳ ଯାଏ ଏ ରଣାଗ୍ନି ନିର୍ବାପିତ ହୋଇପାରିବ ନାହିଁ ।

 

–କଳିଙ୍ଗର ରାଜକୁମାରୀ ଯଦି ବଳେବଳେ ଆତ୍ମସମର୍ପଣ କରେ ?

 

ଦ୍ୱିଧା ସଂକୁଚିତ ଚକ୍ଷୁରେ ତରୁଣୀଟିକୁ ଚାହିଁଲା ଚଣ୍ଡାଶୋକ, “ତାହାହେଲେ କଳିଙ୍ଗ ତା ଅପହୃତ ସ୍ଵାଧୀନତା ଓ ସମ୍ପତ୍ତି ଫେରି ପାଇବ ।”

 

–ତେବେ ଶୁଣ ସମ୍ରାଟ ! ଏକ ସାଧାରଣ ନାରୀ ବିନିମୟରେ ସହସ୍ର ଆବାଳ ବୃଦ୍ଧ–ବନିତା ଜୀବନରେ ଯଦି ସୁଖ ଶାନ୍ତି ଫେରି ଆସିପାରେ; ତ ତାହାହେଲେ ସେ ନାରୀର ଜୀବନ ସାର୍ଥକ । ମୁଁ ସେଇ କଳିଙ୍ଗର ଭାଗ୍ୟବତୀ ରାଜନନ୍ଦିନୀ । ଆଜି ଏ ନଶ୍ୱର ଦେହ ବିନିମୟରେ ମୋ ଜନ୍ମଭୂମିର ଐଶ୍ୱର୍ଯ୍ୟ ଫେରାଇ ଆଣିବି ।

 

ନିଜକୁ ପଣ୍ୟ କରି ନିଜର ଜ୍ଞାତି ପରିଜନଙ୍କ ସୁଖ ଶାନ୍ତି ଫେରାଇ ଆଣିବାର ମହାଭାଗ୍ୟ ପ୍ରଦାନ କରିଥିବା ଯୋଗୁ ତୁମକୁ ଧନ୍ୟବାଦ ।

 

ଚମକି ଉଠିଲେ ଦିଗବିଜୟୀ ଚଣ୍ଡାଶୋକ । ପାଷାଣ ଛାତିରେ ତାର ବିଦ୍ୟୁତ୍ ଚମକ.... । ଅଦ୍ଭୁତ ଏକ ବିସ୍ମୟ ଏ ରାଜକୁମାରୀ ! ଏଇ ମୁହୂର୍ତ୍ତରେ ମୁଁ ଯୁଦ୍ଧ ବନ୍ଦ ପାଇଁ ଘୋଷଣା କରୁଛି । ଏ ଯୁଦ୍ଧରେ ମଗଧ ସେନା ଯାହାର ଯାହା ଲୁଣ୍ଠନ କରି ଆଣିଛନ୍ତି, ତାକୁ ମୁଁ ଫେରାଇ ଦେବାପାଇଁ ସ୍ଵୀକୃତି ଦେଉଛି ।

 

X X X

 

ଧଉଳି ପାଦଦେଶରେ କଳିଙ୍ଗବାସୀଙ୍କର ବିରାଟ ପଟୁଆର । କଳିଙ୍ଗ ଯୁଦ୍ଧରେ ଲୁଣ୍ଠିତ ହୋଇଥିବା ସମସ୍ତ ସମ୍ପତ୍ତି ସମ୍ରାଟ ସ୍ଵହସ୍ତରେ ବିତରଣ କରୁଛନ୍ତି । ସ୍ଵସଂପତ୍ତି ଫେରି ପାଇ ସମ୍ରାଟଙ୍କର ଭୁରି ଭୁରି ପ୍ରଶଂସା କରି ଫେରି ଯାଉଥିଲେ ସେମାନେ । ସମ୍ରାଟଙ୍କ ଅତି ନିକଟରେ ଠିଆ ହୋଇଥିଲେ କଳିଙ୍ଗର ରାଜକୁମାରୀ ।

 

ବୌଦ୍ଧ ଭିକ୍ଷୁ ଉପଗୁପ୍ତ ସମ୍ରାଟଙ୍କ ସମ୍ମୁଖୀନ ହୋଇ ଭିକ୍ଷା କଲେ–“ସମ୍ରାଟ ! କଳିଙ୍ଗ ଯୁଦ୍ଧରେ ଏ ଦେଶରୁ ସବୁ ସୁଖ ଶାନ୍ତି ନଷ୍ଟ ହୋଇଛି, ତାହାହିଁ ଫେରାଇ ଦେବାପାଇଁ ଏ ଭିକ୍ଷୁ ପ୍ରାର୍ଥନା କରେ ।”

 

ହଠାତ୍ ସ୍ଥାଣୁ ପରି ଠିଆ ହୋଇଗଲେ ଅଶୋକ ।

 

–କଣ କହୁଛ ଭିକ୍ଷୁ ! ଯୁଦ୍ଧ ଯେ ବନ୍ଦ ହୋଇଯାଇଛି ।

 

–ଯୁଦ୍ଧ ବନ୍ଦ ହୋଇଛି ସତ୍ୟ, ସୁଖ ଶାନ୍ତି ତ ଫେରିନାହିଁ !

 

ବୌଦ୍ଧ ଭିକ୍ଷୁର ପ୍ରଶ୍ନରେ ଅଶୋକ ନିର୍ବାକ ହୋଇ ଚାହିଁରହିଲେ । ସମ୍ମୁଖରେ ଯଷ୍ଟି ଧାରଣ ପୂର୍ବକ ଏକ ବୃଦ୍ଧା ଦଣ୍ଡାୟମାନ ହୋଇ ଭିକ୍ଷାକଲେ–ମଣିମା ! କଳିଙ୍ଗ ଯୁଦ୍ଧରେ ମୋର ପୁଅମାନେ ମରିଛନ୍ତି । ସେଇ ପୁଅମାନଙ୍କୁ ମୋତେ ଫେରାଇ ଦିଅନ୍ତୁ ।

 

ଅଶୋକ–ମୃତ ପୁତ୍ରକୁ କ’ଣ କେବେ କେ ଫେରାଇ ଦେଇ ପାରେ ?

 

–କାହିଁକି ? ପ୍ରତିଜ୍ଞା କଲାବଳେ କ’ଣ ଏହା ଭାବି ନଥିଲେ ସମ୍ରାଟ୍ ? ଲୁଣ୍ଠିତ ଧନକୁ ଫେରାଇ ଦେବାପାଇଁ ଯେପରି ଉଦଗ୍ରୀବ ହୋଇ ଉଠିଛନ୍ତି, ଲୁଣ୍ଠିତ ଜୀବନକୁ ଫେରାଇ ଦେବାକୁ ସେପରି ପଶ୍ଚାଦ୍‍ପଦ ହେଉଛନ୍ତି କାହିଁକି ? ଯେ ଲକ୍ଷ ଲକ୍ଷ ବୀରଙ୍କୁ ମୁହୂର୍ତ୍ତକରେ ଧୂଳି ଶେଯରେ ଲୋଟାଇ ଦେଇପାରେ, ଗୋଟାଏ ବୀର ଜୀବନ ସେ ଫେରାଇ ଦେଇ ପାରେ ନାଁ । ନେବା ପଦାର୍ଥକୁ ଫେରାଇ ଦେବାକୁ କହି, ଫେରାଇ ନ ଦେବା କ’ଣ ଧର୍ମପ୍ରାଣ ରାଜାର କର୍ତ୍ତବ୍ୟ ?

 

ବୃଦ୍ଧା କହିଲା–କ’ଣ ଫେରାଇ ଦେଇପାରିବ ନାହିଁ, ମଣିମା !

 

ଅଶୋକ–ମୁଁ ଅକ୍ଷମ ବୃଦ୍ଧା !

 

କୁମାରୀ–ଯାହା ଫେରାଇ ଦେଇ ନ ପାରିବେ, ତାହା ନେଲେ କାହିଁକି ?

 

ଚଣ୍ଡାଶୋକ ପ୍ରାଣରେ ଦାରୁଣ ଯନ୍ତ୍ରଣା, ସେ ଦିଗ୍‍ବିଜୟୀ ! କିନ୍ତୁ ଫେରାଇ ପାରୁନାହାନ୍ତି ନେଇଥିବା ପ୍ରାଣ । ତେବେ ସେ ନେଲେ କାହିଁକି ? ଏ ପାପର ପ୍ରାୟଶ୍ଚିତ୍ତ ???

 

ରାଜକୁମାରୀଙ୍କର ବାରମ୍ବାର ପ୍ରଶ୍ନ ବାଣରେ ଆହତ ହୋଇ ଶୋକାତୁର କଣ୍ଠରେ କହି ଉଠିଲେ ଅଶୋକ—ମୁଁ ପାପୀ, ମତେ ଶାସ୍ତି ଦିଅ ।

 

–କଳିଙ୍ଗ ତା ବିଜେତା କୁ ଶାସ୍ତି ଦେବ କିପରି ? ତେବେ ସେ ଆପଣଙ୍କୁ କ୍ଷମାକରିବ ।

 

– “କ୍ଷମା ? ଶାସ୍ତି ପରିବର୍ତ୍ତେ କ୍ଷମା ? କଳିଙ୍ଗର ଶାସ୍ତି କ’ଣ ଏଇ କ୍ଷମା ଖାଲି ?”

 

– “କ୍ଷମା ମହୀୟାନ”

 

ଚଣ୍ଡାଶୋକ କାନ୍ଦି ଉଠିଥିଲା–ନାଃ କଳିଙ୍ଗ ଅଜେୟ ରହିଗଲା । ବିରାଟ କଳିଙ୍ଗ, ଧର୍ମପ୍ରାଣ କଳିଙ୍ଗକୁ ସେ ଜୟ କରି ପାରିବେ ନାହିଁ । ସେ କରିଛନ୍ତି ରକ୍ତର ବିଜୟ, ହିଂସାର ବିଜୟ । କିନ୍ତୁ ହୃଦୟକୁ ଜୟ କରି ପାରିନାହାଁନ୍ତି । ବିରାଟ କଳିଙ୍ଗ, ଧର୍ମପ୍ରାଣ କଳିଙ୍ଗ କରିଛି କିନ୍ତୁ ତାଙ୍କ ହୃଦୟ ବିଜୟ.... । ତେବେ ସେ କ’ଣ ବିଶ୍ଵର ହୃଦୟ କୁ ଜୟ କରି ପାରିବେ ନାହିଁ ? “କୃପାଣର ବିଜୟ ହିଂସାର ବିଜୟ, ଧର୍ମର ବିଜୟ ହୃଦୟ ବିଜୟ” –ଆଜିଠାରୁ ଏହାହିଁ ହେଉ ମୋ ଜୀବନର ମନ୍ତ୍ର ।

 

ସେଇ ଶୁଭ ମୁହୂର୍ତ୍ତରୁ ଅଶୋକ ଶପଥ ନେଲେ ଏବଂ ବୌଦ୍ଧ ଧର୍ମ ଗ୍ରହଣ କରି ଧର୍ମାଶୋକ ନାମରେ ଅଭିହିତ ହେଲେ । ତାଙ୍କର ଜୀବନର ମନ୍ତ୍ର ହେଲା–“ହିଂସା ପ୍ରଣୋଦିତ ତରବାରୀର ଜୟ, ଜୟ ନୁହେଁ ।”

☆☆☆

 

କାଞ୍ଚି କାବେରୀ

 

ଚଳମାନ ସମୟ ସ୍ରୋତରେ ଚହଲି ଚହଲି ଯେଦିନଟି ଅନନ୍ତ କାଳ–ଗର୍ଭକୁ ଭାସି ଯାଇ ବିଲୀନ ହୋଇଛି, ସେଦିନଟି ଆଉ ଫେରିଆସିବ ନାହିଁ ତା’ ପ୍ରତୀପ ଗତିରେ । ସେ ସିନା ନିଶ୍ଚିହ୍ନ ହୋଇଛି, କିନ୍ତୁ ଇତିହାସପୃଷ୍ଠାରୁ କଣ କିଏ ତାକୁ ଲିଭାଇଦେଇପାରେ ? ସେ ସ୍ମୃତି ପରା ଏ ଜାତିର ସମ୍ବଳ, ଏ ଦେଶର ଗର୍ବ !

 

ସେଦିନ ଲକ୍ଷ ଲକ୍ଷ ଦେବଦର୍ଶୀ ଭକ୍ତଙ୍କ ଗହଣରେ ହସିଉଠିଥିଲା ମର୍ତ୍ତ୍ୟ–ବୈକୁଣ୍ଠ ଶ୍ରୀକ୍ଷେତ୍ର । ଆଉ ସେଇ ଅଗଣିତ ନରନାରୀଙ୍କ ହରିବୋଲ ହୁଳହୁଳି ଧ୍ୱନି ସହିତ ଏ ବାୟୁମଣ୍ଡଳରେ କମ୍ପନ ସୃଷ୍ଟିକରି ବାଜି ଉଠିଥିଲା ମର୍ଦ୍ଦଳ, ଶିଙ୍ଘା, କାହାଳୀ, ଘଣ୍ଟି, ଘଣ୍ଟାର ସମ୍ମିଳିତ ସ୍ୱନ । କର୍ପୂର ଚନ୍ଦନ ଗନ୍ଧରେ ମହକି ଉଠୁଥିଲା, ବଡ଼ଦାଣ୍ଡ । ପ୍ରବୀଣ ପାଞ୍ଜିକାର ବୋଲିଚାଲିଥିଲେ ମଙ୍ଗଳାଷ୍ଟକ । ଉତ୍କଳର ଭକ୍ତବର ଗଜପତି ବିରାଧୀ ବୀରବର ନବକୋଟିକର୍ଣ୍ଣାଟୋତ୍କଳ କଳବର୍ଗେଶ୍ଵର ଶ୍ରୀ ଶ୍ରୀ ପୁରୁଷୋତ୍ତମ ଦେବ ସୁବର୍ଣ୍ଣର ଝାଡ଼ୁରେ ପରିଷ୍କାର କରି କରି ଚାଲିଥିଲେ ବଡ଼ଦାଣ୍ଡ ଆଗେ ଆଗେ । ପହଣ୍ଡି ବିଜେ କରି ନିଳାଦ୍ରିନାଥ ଶ୍ରୀ ଜଗନ୍ନାଥଙ୍କୁ ପଛେ ପଛେ ଘେନିଆସୁଥିଲେ ପଣ୍ଡାଗଣ । ହଠାତ୍ ସମବେତ ଦର୍ଶକ ଦର୍ଶିକାଙ୍କର ନୟନ ସ୍ତବ୍‍ଧ ଚକିତ ହୋଇଉଠିଲା, ଆହୁରି ବିସ୍ମୟଚକିତ ହୋଇଉଠିଲେ ପୁରୁଷୋତ୍ତମ... । ଖସିପଡ଼ିଲା ଶ୍ରୀହସ୍ତରୁ ସୁବର୍ଣ୍ଣର ଝାଡ଼ୁ ଆକର୍ଣ୍ଣ ବିସ୍ତାରିତ ନେତ୍ର ଯୁଗଳରେ ଫୁଟିଉଠିଲା ଜିଜ୍ଞାସା । ନୃପତି ବିସ୍ମିତ ହୋଇ ପ୍ରଶ୍ନ କଲେ–କଣ କହିଲ ମନ୍ତ୍ରୀ ?

 

ସମ୍ମୁଖରେ କୋରକିତ ହସ୍ତରେ ଦଣ୍ଡାୟମାନ ମନ୍ତ୍ରୀ ନିର୍ଭୟରେ କହିଲେ–ମଣିମା ! ଦେବଦୁର୍ଲ୍ଲଭା ଲାବଣ୍ୟମୟୀ ପ୍ରତିମା କାଞ୍ଚିଜେମାର ପାଣିଗ୍ରହଣ କରିବା ହେଉ ।

 

ନୃପତି ଅସ୍ୱାଭାବିକ ଭାବେ ଆଶ୍ଚର୍ଯ୍ୟ ହୋଇଉଠିଲେ–କଣ କହୁଛ ମନ୍ତ୍ରୀ ! ମୁ ତୁମ୍ଭର ଅଭିପ୍ରାୟ କିଛି ବୁଝିପାରୁନାହିଁ ।

 

ସେଇଭଳି ଭୟଶୂନ୍ୟ ହୃଦୟରେ ମନ୍ତ୍ରୀ ଦଣ୍ଡାୟମାନ ହୋଇ ନିଜ ଅନୁରୋଧର ପୁନରାବୃତ୍ତି କଲେ–ମଣିମା ! କାଞ୍ଚିରାଜନନ୍ଦିନୀର ପାଣିଗ୍ରହଣ କରନ୍ତୁ ଛାମୁ !

 

ନୃପତିଙ୍କ ଅନ୍ତରରେ ଚମକ ଜାଗିଲା–ପଦ୍ମାବତୀ । ଓ......ହଁ ମନେପଡ଼ିଲା । ସେ ମୋର ଉଦ୍ଦାମ ଯୌବନର ଦୁର୍ବଳତା । ସେ ଏକ ଧୁସର ଅତୀତର କଳକଣ୍ଠବଚନା, ତପ୍ତକାଞ୍ଚନବର୍ଣ୍ଣୀ, ସୁଖସ୍ପର୍ଶାଂଗୀ କାଞ୍ଚି ରାଜନନ୍ଦିନୀର ରୂପମୁଗ୍ଧ ନୃପତି । ତାକୁ ବିବାହ କରିବା ପ୍ରସଙ୍ଗରେ କାଞ୍ଚିରାଜ ନିକଟକୁ ପ୍ରସ୍ତାବ ନେଇ ଯାଇଥିବା ଚର ଅପେକ୍ଷାରେ ବସିଥିଲେ ଗଜପତି ସ୍ଵୟଂ । ସହସା ଚର ପ୍ରବେଶ କରି ମଳିନ ମୁଖରେ କହିଲା, “ମଣିମା ! ଦର୍ପାନ୍ଧ କାଞ୍ଚିପତି ଆପଣଙ୍କ ସହିତ ତା’ କନ୍ୟାର ବୈବାହିକ ପ୍ରସ୍ତାବକୁ ପ୍ରତ୍ୟାଖ୍ୟାନ କଲା । ଚଣ୍ଡାଳ ବୋଲି ଲାଞ୍ଛନା କଲା । ଆଉ...”

 

ଦୂତ ମୁଖରୁ ଅବଶିଷ୍ଟ ବାକ୍ୟାଂଶ ଶୁଣିବାର ଧୈର୍ଯ୍ୟ ନ ଥିଲା ନୃପତିଙ୍କର । ସହସା ରୋଷ ପ୍ରଜ୍ୱଳିତ ହୋଇ ନୃପତି ବଜ୍ରଗମ୍ଭୀର ସ୍ଵରରେ ପ୍ରଶ୍ନକଲେ...କଣ ? ମୋ ସହିତ ତା’ କନ୍ୟାର ବିବାହ ପ୍ରସ୍ତାବ ପ୍ରତ୍ୟାଖ୍ୟାନ କଲା ? ଚଣ୍ଡାଳ ବୋଲି ଲାଞ୍ଛନା ଦେଲା ? ଏତେ ସ୍ପର୍ଦ୍ଧା ତା’ର ! ହୁଁ, ମୁଁ ଏହାର ଆଶୁ ପ୍ରତିଶୋଧ ନେବି । କାଞ୍ଚିଗଡ଼କୁ ଧ୍ୱଂସ କରି ଶ୍ମାଶାନରେ ପରିଣତ କରିବି । ଆଉ କାଞ୍ଚିପତିର ଉନ୍ନତ ମସ୍ତକକୁ ଭୁଲୁଣ୍ଠିତ କରି ତା’ର ଆଦରିଣୀ କନ୍ୟାକୁ ସେହି ଚଣ୍ଡାଳକୁ ହିଁ ବିଭା ଦେବୀ । ମନ୍ତ୍ରୀ ! ସେନାପତି ! ଅବିଳମ୍ବେ ସୈନ୍ୟ ସମାରୋହ କର ! ମୁଁ ଏଇ ଶୁଭ ବେଳରେ ଅଭିଯାନ ଆରମ୍ଭ କରିବି । କାଞ୍ଚିପତିର ଗର୍ବ ଗଞ୍ଜନ କରିବି ।

 

ପୁରୁଷୋତ୍ତମ ଦେବଙ୍କ ଆଜ୍ଞାରେ ଚକ୍ଷୁର ପଲକେ ସେନାପତି ସମରସଜ୍ଜା ଆରମ୍ଭ କଲା-। ବୀର ବାଦ୍ୟରେ କମ୍ପିଉଠିଲା ଦିଗବିଦିଗ । କିଳି କିଳା ନାଦ କରି ଅଗଣିତ ସୈନ୍ୟ ଯୁଦ୍ଧ–ଅଭିଯାନରେ କାଞ୍ଚି ଗଡ଼ରେ ପ୍ରବେଶ କଲେ ।

 

କାଞ୍ଚିପତି କିନ୍ତୁ ଏ ସୈନ୍ୟଥାଟ ଦେଖି ଭୀତତ୍ରସ୍ତ ହୋଇ ନ ଥିଲେ । ଅବିଳମ୍ବେ ସହସ୍ର ସେନା ଯୁଦ୍ଧର ସମ୍ମୁଖୀନ ହେଲେ । ନିଜେ ରଣପ୍ରାଙ୍ଗଣରେ ଅବତୀର୍ଣ୍ଣ ହୋଇ ଶତସିଂହର ପରାକ୍ରମରେ ସେ ଯୁଦ୍ଧ କଲେ । ଫଳରେ ଉତ୍କଳ ବୀରଙ୍କ ଭାଗ୍ୟାକାଶରେ ଘୋଟିଆସିଲା ଦୁର୍ଦ୍ଦିନ କୃଷ୍ଣ ବାଦଲର ଛାୟା । ସେ ପରାଜୟର ଶର ଶଯ୍ୟାରେ ଶାୟିତ ହେଲେ ଏବଂ ସେଇ ଅସହ୍ୟ ଅପମାନର ପ୍ରତିଶୋଧ ନେବା ଲାଗି ପୁରୁଷୋତ୍ତମ ଶ୍ରୀକ୍ଷେତ୍ରକୁ ଫେରିଆସିଲେ । ଏକୋଇଶ ଦିନ ପର୍ଯ୍ୟନ୍ତ ମନ୍ଦିରରେ ପରୋହୀ ପଡ଼ିଲେ...

 

ଏକାଦଶ ଦିନ ନିଶାର୍ଦ୍ଧରେ ନୃପତିଙ୍କୁ ଏକ ବୃଦ୍ଧ ଯତି ବେଶରେ ସ୍ୱପ୍ନ ଦେଖାଇଥିଲେ–ପୁନର୍ବାର ଯୁଦ୍ଧ କରିବାକୁ ନିର୍ଦ୍ଦେଶ ଆଉ ନିଜେ ସୈନିକ ହୋଇ ଯୁଦ୍ଧ କରି ଯିବାର ପ୍ରତିଶ୍ରୁତି ଦେଇ-

 

ଆନନ୍ଦରେ ରୋମାଞ୍ଚିତ ହୋଇଉଠିଥିଲେ ନୃପତି । ଦୀର୍ଘଦିନର ଅନାହାରଜନିତ କ୍ଳାନ୍ତି ତାଙ୍କର ଉଭେଇ ଯାଇଥିଲା । ପରାଜିତ ସିଂହ ପୁଣି ଥରେ ଗର୍ଜିଉଠିଲା ।

 

ନୃପତି ଚିନ୍ତା କରୁଥିଲେ–ତାଙ୍କର ଠିକ୍ ମନେଅଛି ! ତା’ପର ଦିନ ବାସନ୍ତିକାଙ୍କ ଆଗମନରେ ହସିଉଠୁଥିଲା ଧରା । କିନ୍ତୁ ଭକ୍ତର ଭଗବାନ ଏ ଶୁଭ ବେଳାକୁ ଉପଭୋଗ ନ କରି ସୈନିକ ବେଶରେ ଘୋଡ଼ାରେ ଚଢ଼ି ଯୁଦ୍ଧ ଅଭିଯାନ କରିଥିଲେ......ଦିଗନ୍ତ–ବିସ୍ତାରୀ ଚିଲିକାର ସୈକତପ୍ରାନ୍ତର ଉପରେ ତୀର ଗତିରେ ଛୁଟିଯାଇଥିଲେ ଦୁଇଟି ଅଶ୍ୱ । ଉପରୁ ସୂର୍ଯ୍ୟଙ୍କର ଅଜସ୍ର ଉତ୍ତପ୍ତ କିରଣ ଝରିପଡୁଥାଏ କେରି କେରି ହୋଇ । ତାଙ୍କର ତୃଷା ଦୂର କରି ରତ୍ନମୁଦି ବନ୍ଧା ରଖିଥିଲା ମାଣିକୀ ଗଉଡ଼ୁଣୀ ।

 

ପୁରୁଷୋତ୍ତମ ବିଶ୍ୱାସ କରିପାରୁ ନ ଥିଲେ ସ୍ଵପ୍ନବାଣୀ । ମାଣିକର ରତ୍ନମୁଦି ଆଣିଦେଲା ଅପୂର୍ବ ବିଶ୍ୱାସ । ଭକ୍ତି ଓ ତେଜରେ ଉଭାସିଉଠିଲା ପୁରୁଷୋତ୍ତମ ଦେବଙ୍କର ଭକ୍ତ–ବପୁ । ସେ ବିଜୟୋଲ୍ଲାସରେ ଭଗବାନଙ୍କର ଅନୁଧାବନ କଲେ ।

 

ମନ୍ତ୍ରୀ ମୁଖକୁ ଅର୍ଥପୂର୍ଣ୍ଣ ଦୃଷ୍ଟିରେ ଚାହିଁ ନୃପତି ପୁନର୍ବାର ପ୍ରଶ୍ନ କଲେ–ସେଇ ପଦ୍ମାବତୀ ! ଯାହାକୁ ଶ୍ରୀ ପ୍ରଭୁଙ୍କ କରୁଣାରୁ ମୁଁ କାଞ୍ଚି ଧ୍ଵଂସ କରି ପାଇଥିଲି ? ତାକୁ ତମେ ଏପର୍ଯ୍ୟନ୍ତ ଚଣ୍ଡାଳକୁ ବିବାହ ଦେଇନ ?

 

ବିନୀତ କଣ୍ଠରେ ମନ୍ତ୍ରୀ ଉତ୍ତର ଦେଲେ, “ନା, ମଣିମା ! ଛାମୁଙ୍କ ନିର୍ଦ୍ଦେଶାନୁସାରେ କୌଣସିଠାରେ ଏକ ଉପଯୁକ୍ତ ଚଣ୍ଡାଳ ବର ପାଇପରିଲି ନାହିଁ । ଆଜି ପରମ ସୌଭାଗ୍ୟ । ମୁଁ ଛାମୁଙ୍କ ଆଦେଶ ପାଳନ କରିବାକୁ କ୍ଷମ ହୋଇଛି । ଆପଣ ଆଜି ଚାଣ୍ଡାଳ ବେଶରେ ଛେରାପହଁରା କରୁଅଛନ୍ତି । ତେଣୁ ଆପଣ ଚଣ୍ଡାଳ । ଆଦି ଆପଣଙ୍କୁ ହିଁ ପଦ୍ମାବତୀଙ୍କୁ ପ୍ରଦାନ କରି ଏ ଗୁରୁ ଭାରରୁ ମୁକ୍ତିଲାଭ କରିବି ।”

 

ମନ୍ତ୍ରୀଙ୍କର ଶେଷ ବାଣୀ ଶୁଣି ଅଗଣିତ ଦର୍ଶକ ଦର୍ଶିକା ତାଙ୍କର ବିଚକ୍ଷଣ ବୁଦ୍ଧିରେ ଆନନ୍ଦରେ ଅଧୀର ହୋଇ ନୃପତିଙ୍କର ଜୟଗାନ କଲେ । ସେଇ ଶ୍ରୀପ୍ରଭୁଙ୍କ ସମ୍ମୁଖରେ, ସେଇ ଅଗଣିତ ଜନତାର ଜୟ ଜୟକାର ମଧ୍ୟରେ ଲମ୍ବାଇ ଦେଲେ ତ୍ରିଦିବ–ଦୁର୍ଲ୍ଲଭା କାଞ୍ଚିରାଜନନ୍ଦିନୀ ପୁରୁଷୋତ୍ତମଙ୍କ ଗଳାରେ ଶତବସନ୍ତସଞ୍ଚିତ ପ୍ରେମହାର ।

 

☆☆☆

 

ଜଳ ଦାନବ

 

ଜୀବନ ଯୁଦ୍ଧର ଜୟୀ, ପରାଜୟୀ, ରଥି, ମହାରଥୀଙ୍କ ମଧ୍ୟରେ ବିଭେଦ ରଖିନାହିଁ ବନ୍ୟା । ସେ ବତାସର ସର୍ବନାଶୀ ଅତ୍ୟାଚାରରେ ସେ ଜୀବନ ମହାଦୀପଗୁଡ଼ିକ ଅକାଳରେ ହଠାତ୍ ନିର୍ବାପିତ ହେଲା, ସେ ଗୁଡ଼ିଏ କଣ ଆଉ ଥରେ ଜଳି ଉଠିବ ? ନୀଳଗଗନ ତଳେ ଏକ ପାର୍ଥିବ ସ୍ଵର୍ଗର ମାୟା ରଚି ଝାଟି ମାଟିର ଯେଉଁ ଘରଗୁଡ଼ିକ ଠିଆ ହୋଇଥିଲା, ଜଳସ୍ରୋତରେ ବାର ବାର ଧକା ନ ସହି ପାରି ମାଟିରେ ମିଶିଗଲା–ସେ କଣ ଆଉ ମଥାଟେକି ଛିଡ଼ା ହେବ ସତେ ? ଗରିବ ଚାଷୀର ଲୁହ ଲହୁରେ ରୂପପାଇଥିବା ଶ୍ୟାମଳ କ୍ଷେତ ଉପରେ ବାଲିଚର ମାଡ଼ିଯାଇ ଯେ ଅପୂରଣୀୟ କ୍ଷତି ଘଟାଇଲା–ସେ କଣ ସହଜେ ପୂରଣ ହେବ ଗୋଟିଏ ବନ୍ୟା ହେବା ଫଳରେ କୋଟିଏ ଚକ୍ଷୁର ଅଶ୍ରୁ ଜଳରେ ଯେ ବନ୍ୟା ସୃଷ୍ଟି କରିଗଲା–ସେ ବନ୍ୟା ଛାଡ଼ିବ କେବେ ?

 

ତ୍ରିବିକ୍ରମ ଦେଖୁଛି । ଦେଖିବି ଦେଖୁନାହିଁ । କଣ ସେ ଦେଖିବାକୁ ଆସିଥିଲା ? ଏଇ ଧ୍ଵସ୍ତ, ବିଧ୍ୱସ୍ତ ଗ୍ରାମର ବିଭତ୍ସ ଦୃଶ୍ୟକୁ ? ଏଇ ସର୍ବହରା ନିରୀହ ଗ୍ରାମବାସୀଙ୍କର ବିଷର୍ଣ୍ଣ ରୂପକୁ ?

 

ତ୍ରିବିକ୍ରମ ଜଡ଼ ପାଲଟି ଯାଇଛି । ସେ ଆଗରୁ ଜଡ଼ ନଥିଲା । ସେ ଶକ୍ତି ସାମର୍ଥ୍ୟର ଜୀବନ୍ତ ପ୍ରତୀକ । ଏଇ ରୁକ୍ଷି ଦୃଶ୍ୟ ଦେଖି ସେ ଜଡ଼ ପାଲଟିଛି । ପାଦରେ ତାର ବଳ ନାହିଁ–ବୁଲି ବୁଲି ବନ୍ୟାଞ୍ଚଳ ପରିଦର୍ଶନ କରିବ ବୋଲି ହୃଦୟରୁ ଧୈର୍ଯ୍ୟ, ଦମ୍ଭ ଗୋଟି ଗୋଟି ହରାଇ ବସିଛି ସେ । ଅନ୍ତରରେ ତାର ଉଠୁଛି ଗୁଡ଼ାଏ ପ୍ରଶ୍ନ–ସ୍ଥାଣୁ ପରି ଠିଆ ହୋଇ ଚାହିଁଛି ସେ– l

 

ବନ୍ୟାରେ ଜଳାର୍ଣ୍ଣବ ହୋଇଥିବା ଗାଁଗୁଡ଼ାକର ନାଁ ସମ୍ବାଦପତ୍ରରୁ ପଢ଼ି ବନ୍ୟାପ୍ରପୀଡ଼ିତ ଗ୍ରାମବାସୀଙ୍କର ଦୁଃଖରେ ମ୍ରିୟମାଣ ହୋଇ ନିଜର ସର୍ବଶକ୍ତି ନିୟୋଜିତକରି ଗ୍ରାମବାସୀଙ୍କର ଦୁର୍ଦ୍ଦଶାକୁ ଯଥାସମ୍ଭବ ଲାଘବ କରିବା ପାଇଁ, ତାଙ୍କ ଦୁଃଖାର୍ତ୍ତ ପ୍ରାଣରେ ସାନ୍ତ୍ୱନା ଦେବାପାଇଁ କଲେଜ ଛାଡ଼ି ଆସିଥିଲା ତ୍ରିବିକ୍ରମ l ବହୁକଷ୍ଟ ଅବଶ୍ୟ ସହିବା ପରେ ବନ୍ୟାଅଞ୍ଚଳରେ ପହଞ୍ଚି ସେ ଯେଉଁ ବୀଭତ୍ସ ଭାୟାନକ ଦୃଶ୍ୟ ଦେଖିଥିଲା, ସେଇ ଦୃଶ୍ୟ ଦେଖି ତା ଆଖି ଦୁଇଟି ଆକର୍ଣ୍ଣ ବିସ୍ତାରିତ ହୋଇଗଲା । ହୃଦୟକଳସୀ ତାର ଶତଧା ବିଚୂର୍ଣ୍ଣିତ ହୋଇଗଲା, ବନ୍ୟା ପ୍ରପୀଡ଼ିତ ଗ୍ରାମବାସୀଙ୍କ ଦୁର୍ଦ୍ଦଶା ଦେଖି ତାଙ୍କ କରୁଣାର୍ତ୍ତ ଚିତ୍କାର ଶୁଣି ସେ ଅଭିଭୂତ ଏକ ପ୍ରକାର ଜଡ଼ ପାଲଟି ଯାଇଥିଲା ସେ l କାହିଁକି ସେ ଆସିଲା ? କଣ କହି ସେ ଏ ବନ୍ୟା ପ୍ରପୀଡ଼ିତ ଗ୍ରାମବାସୀଙ୍କୁ ସାନ୍ତ୍ୱନା ଦେବ ?

 

ଏଇ ପେଟରୁ ଦାନା କାଟି ପାଟିରେ କୋଲପ ପକାଇ ସଞ୍ଚିଥିବା ଧନ ସମ୍ପତ୍ତି ଲାଗି କୃପଣ ସାହୁକାର କାନ୍ଦୁଛି l କିନ୍ତୁ କଷ୍ଟରେ ମୂଲଲାଗି, ଫୁଲଗୁନ୍ଥି ନୂଆକରି କେତେ କଷ୍ଟରେ ତୋଳିଥିବା ଘରଟି ବନ୍ୟା ପାଣିରେ ଦୁଲଦୁଲ ଭାଙ୍ଗି ପଡ଼ୁଥିବା ଦେଖି ନିରୀହ ଗରିବ କଇଁ କଇଁ ହୋଇ କାନ୍ଦୁଚି l ଧନଗଲା–ଘରଗଲା, ଆଉ ପିଲାଏ କଣ ଖାଇ ବଞ୍ଚିବେ କହି ସମସ୍ତେ କାନ୍ଦ ବୋବାଳି ଛାଡ଼ୁଛନ୍ତି l

 

“ଏ ଏ କଣ ? ନ୍ତ୍ରିବିନ୍ତ୍ରମ ଚମକିଉଠିଲା–ବିକଳ ବୁକୁଫଟା ରୋଦନ ତା’ରି ପାଖରେ ତାର ସମ୍ମୁଖରେ କେତେବେଳୁ ଆସି କରୁଛି ଏକ ନାରୀ ସଧବା ନୁହେଁ ବିଧବା । ଗୁଡ଼ିଏ ଲୋକ ତାକୁ ଜାବୁଡ଼ି ଧରି କହୁଛନ୍ତି–ଆଉ କାନ୍ଦୁଛ କାହିଁକି, ଯେ ଯାଇଛି ସେ କଣ ଆଉ ଫେରିବ ?

 

ବିଧବାଟି ଜିଦ୍ ଧରିଛି l ସେ କାହା କଥା ଶୁଣିବ ନାହିଁ, ସେ କାନ୍ଦିବ l ସେ କାନ୍ଦିବା ଫଳରେ ତା ଆଖିରୁ ଯେଉଁ ଅଶ୍ରୁ ବନ୍ୟା ଶ୍ରୋତ ଗାଡ଼ିଆସିବ ହୁଏତ ସେଇ ସ୍ରୋତରୁ ପାଇବ ତାର ହଜି ଯାଇଥିବା ମଣି l ନା, ସେ କାହା କଥା ଶୁଣୁ ନଥିଲା l ବେଳେ ବେଳେ ଚିତ୍କାର କରୁଥିଲା କରୁଣ ଭାବରେ l

 

ୟା ଭିତରେ ତ୍ରିବିକ୍ରମ ପଚାରି ଦେଇଛି, “କଣ ହୋଇଛି ତୁମର ?” ବେଦନାର୍ତ୍ତ ଗଳାରେ ବିଧବା ନାରୀଟି କହି ଚାଲିଥିଲା, ତିନିଟା ପୁଅକୁ ଶମଶାନ ବୁକେ ଶୁଆଇ ଦେଇ ଆସିବାପରେ, ତା ଅନ୍ତରରେ ଯେଉଁ ଦୁଃଖର ଝଡ଼ ସୃଷ୍ଟି ହୋଇଥିଲା, ସେଇ ଦୁଃଖ ଝଡ଼କୁ ନିର୍ବାପିତ କରିଥିଲା ଏଇ ଶିଶୁଟି । ବହୁ ଦେବାଦେବୀ ପାଦରେ ଶରଣ ପଶି, ମୂଲିଆ ସ୍ୱାମୀର ଅର୍ଜିତ ମଜୁରିକୁ ତାଙ୍କରି ପୂଜୋପଚାରରେ ନିୟୋଜିତ କରି ସେ ପାଇଥିଲା ଏ ବୟସରେ ତାକୁ l ତାକୁହିଁ ଗର୍ଭରେ ଧାରଣ କରିବାର ତିନୋଟି ମାସ ପରେ ବାଡ଼ିଠାକୁରାଣୀ ତା ଲମ୍ବା ଜିଭ ବୁଲାଇ ଚାଟିଦେଲା ତା ସ୍ୱାମୀକୁ l ମୁଣ୍ଡିରେ ସିନ୍ଦୂର ଲିଭାଇ ଦେଇ, ହାତରୁ ଶଙ୍ଖା ଭାଙ୍ଗି ଦେଇ ସେ ସ୍ୱାମୀ ବିଚ୍ଛେଦରେ ଆତ୍ମହତ୍ୟା କରିପାରିଲା ନାହିଁ । ଏଇ ଶିଶୁଟିର ଜନ୍ମ ଅପେକ୍ଷାରେହିଁ ତାକୁ ବଞ୍ଚିବାକୁ ପଡ଼ିଲା l ଶିଶୁଟିର ମୁହଁ ଦେଖିବା ତା’ ସ୍ୱାମୀଙ୍କ ଭାଗ୍ୟରେ ନ ଥିଲା l ସେ ଚାଲିଗଲେ l ତାଙ୍କରି ରୂପ, କାନ୍ତିର ସାଦୃଶ୍ୟ ନେଇ ସାତ ମାସ ପରେ ତା’ ବିଧବା କୋଳ ମଣ୍ଡନ କଲା l ପରଘରେ ମୂଲଲାଗି, ଫୁଲଗୁନ୍ଥି ସେ ଏ ଶିଶୁଟିକୁ ବଞ୍ଚାଇବାକୁ ଲାଗିଲା l ହଠାତ୍ ବନ୍ଧ ଭାଙ୍ଗିବାର ଖବର ପାଇ ଘର ସମ୍ପତ୍ତିର ମୋହ ଛାଡ଼ି ଶିଶୁଟିକୁ ବଞ୍ଚାଇବ ବୋଲି କାଖରେ ଜାକି ଚାଲି ଆସୁଥିଲା l କିନ୍ତୁ ରଖି ପାରିଲା ନାହିଁ l ପ୍ରବଳ ବେଗରେ ପ୍ରବହମାନ ବନ୍ୟାସ୍ରୋତ ସେତେବେଳକୁ ତାକୁ ଘେରି ଆସିଥିଲା l ତଥାପି ଆପ୍ରାଣ ଚେଷ୍ଟା କରି ଶିଶୁଟିର ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଛି, କିନ୍ତୁ ସବୁ ଚେଷ୍ଟା ତାର ବ୍ୟର୍ଥ ହେଲା l ତାର ମାତୃ କୋଳକୁ ଶୂନ୍ୟକରି ବନ୍ୟାସ୍ରୋତ ଛଡ଼ାଇ ନେଲା ତାର ଶେଷ ସମ୍ବଳକୁ l ନିଜେ ସ୍ରୋତର ଭଉଁରୀରେ ଭାସି ଭାସି ଆଜି ଏଠି ଲାଗିଛି, କିନ୍ତୁ ସେ ତା’ର ପୁଅକୁ ପାଉ ନାହିଁ ।

 

ଏଇତ ସେ କହୁଛି–ବାବୁ ! ମୋ ପୁଅକୁ ଯଦି ପାଇଛ ଫେରାଇ ଦିଅ l ତମର କେତେ ଉଜୁତି ହେବ...ବାବୁ......

 

କେତେ ବିକଳ, କେତେ କରୁଣ ଭାବରେ ସେ କହୁଛି l ତ୍ରିବିକ୍ରମ ମୂକପରି ଠିଆ ହୋଇ ଭାବୁଛି–ବନ୍ୟା ଫଳରେ ଭାଙ୍ଗି ଯାଇଥିବା ମାଟିର କୁଡ଼ିଆ ପୁଣି ସାତ ମାହାଲା କୋଠା ହୋଇ ଠିଆ ହୋଇ ପାରିବ l ହଜି ଯାଇଥିବା ଧନ ପୁଣି ଫେରି ଆସିବ, ଗରିବ ଚାଷୀର ଶସ୍ୟକ୍ଷେତ୍ର ପୁଣି ଶସ୍ୟଶ୍ୟାମଳ ହୋଇ ଉଠିବ...... । କିନ୍ତୁ ନିର୍ବାପିତ ଜୀବନ ମହାଦୀପ ଗୁଡ଼ିକ କଣ ପୁଣି ଜଳି ଉଠିବ ? ବିଶେଷ କରି ଏ ବିଧବା ଜନନୀର ରିକ୍ତ ହୃଦୟ ପୁଣି କଣ ପୂରି ଉଠିବ ?

 

ତ୍ରିବିକ୍ରମ ବ୍ୟଥିତ–ବିଚଳିତ ହୋଇଉଠିଲା । ଆଖି ଆଗରେ ବନ୍ୟା ପ୍ରପୀଡ଼ିତ ଗ୍ରାମବାସୀଙ୍କର ଦୁର୍ଦ୍ଦଶା, ପୁତ୍ରହୀନା ବିଧବା ଜନନୀର ବିକଳ ବୁକୁଫଟା ଚିତ୍କାରର ମର୍ମନ୍ତୁଦ ଦୃଶ୍ୟ ଦେଖି ସେ ଦୁଃଖରେ ମୁହ୍ୟମାନ ହୋଇପଡ଼ିଥିଲା ।

☆☆☆

 

ଶୀତଳ ଦହନ

 

ଶାନ୍ତ ସାୟାହ୍ନର ଧୂସର ଆଲୋକରେ ସଞ୍ଜବତୀଟି ଶିଖା ଟେକି ଜଳି ଯାଉଥିଲା । ଅଶ୍ରୁଳ ନୟନରେ ସଞ୍ଜବତୀକୁ ପ୍ରଣତି କଲା ରେଣୁ । ଗାଁଦାଣ୍ତ ଚପଳମତି ଶିଶୁଙ୍କ କୋଳାହଳରେ ମୁଖର ହୋଇ ଉଠିଛି । ରେଣୁ ନିର୍ନିମେଷ ନୟନରେ ଅନେଇ ଦେଖୁଛି । ମନ ହେଉଛି ତା’ର ଧାଇଁ ଯାଇଁ ଗୋଟି ଗୋଟି କରି ସେମାନଙ୍କୁ ନିଜ ଦଗ୍‍ଧ ବକ୍ଷରେ ଚାପି ଧରିବ । ସେମାନଙ୍କ ଗଣ୍ଡଦେଶରେ ସ୍ନେହଚୁମ୍ବନର ମୁଦ୍ରା ଆଙ୍କିଦେଇ, ଦଗ୍‍ଧ ପ୍ରାଣକୁ ତା’ର ଶୀତଳ କରିବ; କିନ୍ତୁ...ମନ ତା’ର ମଉଳି ଯାଉଛି । କେଉଁ ଏକ ଅଜଣା ଆଶଙ୍କାରେ ମନ ତା’ର ଶୀତେଇ ଉଠୁଛି । ହୁଏତ ଯଦି ସେ କେଉଁ ପିଲାକୁ ଧରି ଥିବାର କିଏ ଦେଖେ, ତା’ ମା’ଆର ଝିଙ୍ଗାସ ତା’ ପକ୍ଷେ ଅସହ୍ୟ ହୋଇ ଉଠିବ ।

 

ରେଣୁ ଦୁଃଖରେ ଅତିଷ୍ଠ ହୋଇ ଉଠିଲା । ଏମିତି ଯଦି ଠିଆହୋଇ ସେ ଏ ପିଲାମାନଙ୍କ ଖେଳ ଦେଖେ, କିଏ କ’ଣ କହିପାରେ । ସହଜେ ତ ଡାଆଣୀ ଡାଆଣୀ ହୁରି ପଡ଼ିଛି ।

 

ରେଣୁ ଆଖିରୁ ଅଦିନିଆ ଚଲା ବର୍ଷାପରି ଥପ୍‍ଥପ୍ ହୋଇ ଲୁହ ଝରି ପଡ଼ୁଥିଲା । ଦୁଃଖରେ ଅନ୍ତର ତା’ର ଆର୍ତ୍ତ ହା–ହା–କାର କରି ଉଠୁଥିଲା । ରେଣୁ ଆଉ ଧୈର୍ଯ୍ୟ ଧରି ସେଠି ଠିଆ ହୋଇ ପାରିଲା ନାହିଁ । ନିଜ ଶୋଇବା ଘରକୁ ଛୁଟିଯାଇ ତକିଆ ଉପରେ ମୁହଁ ମାଡ଼ି କାନ୍ଦି ଉଠୁଥିଲା କଇଁ–କଇଁ ହୋଇ...... । ଚଳଚ୍ଚିତ୍ର ପରି ସ୍ମୃତି–ପଟରେ ଭାସିଗଲା ତା’ର ହା–ହୁତାଶମୟ ଦାମ୍ପତ୍ୟ ଜୀବନର କରୁଣ ଚିତ୍ର ।

 

ଏକ ମଧ୍ୟବିତ୍ତ ପରିବାରର ଅଲିଅଳ କୁମାରୀ କନ୍ୟା ରେଣୁ, ଶାଶୁଘରର ବଧୂ କିପରି ହେଲା, ସେ ଏକ ବିସ୍ତୃତ କାହାଣୀ । ଏ ଦୁଇଟି ଘଟଣା ଭିତରେ ଛପି ରହିଗଲା ଏକ ଅପଶକୁନ । ବହୁ ଖୋଜି ଲୋଡ଼ି ବାପା ବରପାତ୍ରଟିଏ ଯୋଗାଡ଼ କରି ଆଶା କରିଥିଲେ, ରେଣୁ ମୋର ସୁଖ–ସମ୍ଭୋଗରେ କାଳ କାଟିବ; କିନ୍ତୁ ବାପାଙ୍କର ସେ ସ୍ୱପ୍ନ ସଫଳ ହୋଇ ପାରିଲା ନାହିଁ ।

 

ରମେଶ ରେଣୁକୁ ହତାଦର କେବେ କରିନି । ମରୁଭୂମିର ଧୂସର ବାଲୁକା ପ୍ରାନ୍ତରରେ ସେ ଏକ ଛାୟା ଶୀତଳ ମରୁଦ୍ୟାନ । ସେ ଝରଣାର ପାଣି ଟୋପେ ନ ମିଳିଥିଲେ ରେଣୁ ହୁଏତ ଶୁଖି ମରି ଯାଇଥାଆନ୍ତା ଅକାଳରେ...... ।

 

ଚିର ରୋଗିଣା ଶ୍ଵଶୁର ଯେ ମୃତ୍ୟୁମୁଖରେ ପଡ଼ିଲେ–ସେ ଦୋଷ ହେଲା ନୂଆ ବୋହୂଟିର । ଲୋକେ କହିଲେ ବାନାମ୍ବର ବୋହୂ ଆଣି ନ ଥିଲା ତ କାଳନାଗୁଣୀଟିଏ ଆଣିଥିଲା । ପ୍ରଥମ ଚୋଟ ସେ ଖାଆନ୍ତା ନାହିଁ ତ, ଆଉ କିଏ ?

 

ଲୋକେ କହିଲେ । ସେ କହିବାର ଛୁରି ତା’ ଛାତିକୁ ବିଦ୍ଧକରି ନ ଥାଆନ୍ତା । ସେମାନେ ଇତର ଲୋକ, କିନ୍ତୁ ନିଜ ଶାଶୁଙ୍କ ଆଖିରୁ ଯେତେବେଳେ ନିଆଁ ଝରିଲା, ରେଣୁ ଭାବିଲା ସେ ପୋଡ଼ିଯିବ ।

 

ସବୁ ଦହନକୁ ଉପଶମ କରି ଯମଜ ଶିଶୁ ଦି’ଟି ଦିନେ ତା’ର କୋଳ ଉଜ୍ଜ୍ଵଳ କଲେ; କିନ୍ତୁ ସେ ହସନ୍ତ ଜୀବନର ଅବସାନ ଆଣି ସେମାନଙ୍କ ଅକାଳ ମୃତ୍ୟୁ ଘଟିଲା, ରେଣୁର ଡାଆଣୀ ଅପବାଦ ପ୍ରମାଣିତ ହେଲା କହିଲେ ଚଳେ ।

 

ଶାଶୁ ଚାଲିଗଲେ । ରେଣୁର ଅପବାଦ କିନ୍ତୁ ଗଲା ନାହିଁ ।

 

ରେଣୁ ଆଖିରୁ ଲୁହ ପୋଛିଲା ।

 

ଏ ଅଶ୍ରୁର ଉତ୍ସ ଅସରନ୍ତି । ଲୁହ ପୋଛି ପୋଛି ଜୀବନର ଅର୍ଦ୍ଧାଧିକ କଟିଗଲା । ତଥାପି ଲୁହ ଝରୁଛି...

 

ରେଣୁ ଆଉ କିଛି ଭାବିପାରିଲା ନାହିଁ । ସେ ମୁକ୍ତ ବାତାୟନ ଦେଇ ଅନ୍ତରୀକ୍ଷକୁ ଚାହିଁଲା–ପଞ୍ଚମୀ ତିଥିର ଚାନ୍ଦ ନିଷ୍ପ୍ରଭ ଦିଶୁଚି । ରେଣୁ ସେଇ ନିଷ୍ପ୍ରଭ ଚାନ୍ଦ ଆଡ଼କୁ ଚାହିଁ ନିଷ୍ପ୍ରଭ ଆସୁଥିବା ତା’ର ଯୌବନକୁ ଦେଖିକରି ଭାବୁଛି–ମୋ କୋଳରେ ଆଉ କ’ଣ ଶିଶୁ ସନ୍ତାନ ଜନ୍ମ ନେବେ ନାହିଁ ???

 

–ରେଣୁ.....

 

ଅଡ଼ୁଆ ତଡୁ଼ଆ ହୋଇ ଗଲା ରେଣୁର ସବୁ ଭାବନା । ସେ ପଛକୁ ଫେରି ଚାହିଁଲା—ଦୀର୍ଘ ସମୟ ଧରି ପିଲାଙ୍କ ସହିତ ଗପ କରି ଫେରି ଆସିଲେଣି ସ୍ୱାମୀ ! ଅଥଚ ସେ ଖାଇବେ କ’ଣ ? ସେ କ’ଣ ରୋଷାଇ ବସାଇଲାଣି ?

 

ରେଣୁ ନୟନରୁ ଅବାରିତ ଅଶ୍ରୁ ନିର୍ଝର ପୋଛି ଦେଇ ସହଜ ଗତିରେ ଚାଲି ଯାଉଥିଲା-। ରମେଶ ଡାକିଲା–ରେଣୁ ! ମୁଁ ତୁମକୁ ବାରମ୍ଵାର ମନା କରୁଛି ତୁମେ ନିରୋଳାରେ ବସି କିଛି ଭାବିବ ନାହିଁ । ଯେ ଯାଇଛି, ସେ ଯାଇଛି, ଚିରଦିନ ପାଇଁ ଏକ ଅଦେଖା ଅଣଲେଉଟା ପଥରେ-। ତାଙ୍କ ବିଷୟରେ ଭାବି ଭାବି ଦେହ ଶୁଖାଇ ଦେଲେ ବି ସେ ଫେରିବେ ନାହିଁ । ବିକଳ ରୋଦନ କରି ଏ ବାୟୁମଣ୍ଡଳରେ କମ୍ପନ ସୃଷ୍ଟି କଲେ ବି ସେ ଶୁଣି ପାରିବେ ନାହିଁ ତମର ରୋଦନ......ନା ଫେରିବେ ନାହିଁ । ସେ ଫେରନ୍ତା ପଥ ଭୁଲିଯାଇ ଅଫେରନ୍ତି ପଥରେ ପରପାରିକୁ ଛୁଟି ଯାଇଛନ୍ତି......ସେ ମରି ଯାଇଛନ୍ତି । ଏ ନିରାଟ ସତ୍ୟ କଥା, ମଲାଲୋକ ଆଉ ଫେରେ ନାହିଁ, ନା, ସେ ଫେରିବେ ନାହିଁ । ଏତେ କଥା ଜାଣି, ଏତେ କଥା ଶୁଣି ତଥାପି ତମେ ସବୁବେଳେ ଯେ ସେ ବିଷୟରେ କ’ଣ ଭାବୁଛ–ଦେଖିଲେ ଆଶ୍ଚର୍ଯ୍ୟ ଲାଗେ । ତମେ ଗଲ–ଖାଇବା ପିଇବା ବନ୍ଦୋବସ୍ତ କରିବ । ଆଜି ସ୍କୁଲ ଛାତ୍ରମାନେ ଡ୍ରାମା କରିବେ ଦେଖିବାକୁ ଯିବା ।

 

ରେଣୁ ନିର୍ବାକ୍ ହୋଇ ଧୀରେ ଧୀରେ ଚାଲି ଯାଉଥିଲା । ଗତିପଥରେ ତା’ର ବିଷାଦ ଫୁଟି ଉଠୁଥିଲା–କରୁଣଭାବରେ... । ରମେଶ ନିସ୍ତେଜ ହୋଇ ପଡ଼ିଥିବା ଶରୀରକୁ ଶଯ୍ୟାରେ ଲୋଟାଇଦେଲା । ରେଣୁର ଦଗ୍‍ଧ ହୃଦୟକୁ ଦେଖି ସମବ୍ୟଥିତ ହୋଇ ଉଠୁଥିଲା ତା’ର ହୃଦୟ......ଶିକ୍ଷକ ରମେଶର ଆଖି–ନଈରେ ଆଜି ଶ୍ରାବଣର ଅଶ୍ରୁପ୍ଳାବନ । ଅତୀତ ଅନ୍ଧକାରରେ ଆସ୍ତେ ଆସ୍ତେ ହଜି ଯାଉଥିବା ଏକ ବିଷାଦପୂର୍ଣ୍ଣ ସ୍ମୃତି ହଠାତ୍ ତାଙ୍କ ମାନସପଟରେ ଆବିର୍ଭୂତ ହୋଇ ହୃଦୟକୁ ବିମନ୍ଥିତ କଲା । ଏତେ କହିବାସତ୍ତ୍ୱେ କ’ଣ ରେଣୁ ବୁଝୁଛି । ସେ ସେଇ ଭଳି ଶୋଇରହି ସାଶ୍ରୁଳ ଅଥଚ ଉନ୍ମୁକ୍ତ ନୟନରେ ନିଜ ଉପରେ ପ୍ରଶ୍ନ ତୋଳୁଥିଲେ–ମାତୃହୃଦୟ ଭାରୀ କୋମଳ ନାଁ ?

 

ଶିକ୍ଷକ ରମେଶ ବ୍ୟଥିତ ବିଚଳିତ ହୋଇଉଠିଲେ । ଗୋଟିଏ ନୁହଁ, ଦୁ’ଇ ଦୁଇଟା ସନ୍ତାନକୁ ଶଶ୍ମାନଭୂଇଁରେ ଶୁଆଇ ଦେଲ ରେଣୁର ଅନ୍ତରରେ ଯେଉଁ ଦୁଃଖ–ଝଡ଼ ସୃଷ୍ଟି ହୋଇଛି, ସେ ଝଡ଼ ନିର୍ବାପିତ ହେବାର ନୁହେଁ ।

 

ଘରେ ଅନ୍ଧକାର ରାଜୁତି କରିଛି । ରମେଶ ନିର୍ବାକ୍, ନିଷ୍ପନ୍ଦ ହୋଇ ଶୋଇଛି ଉପରକୁ ଚାହିଁ । ଦୁଇ ନୟନରୁ ଦୁଇଧାର ଲୁହ ଗଡ଼ି ଯାଉଛି ତଳକୁ... ତଳକୁ... । ହାତରେ ଭଜା ଚୁଡ଼ା ଧରି ଘର ଭିତରକୁ ପଶି ଆସୁ ଆସୁ ତେଣୁ କହିଲା–କ’ଣ ଡିବିରିଟା ଲଗାଇଲନି କି ?

 

ରମେଶକୁ ଏ କଥା ପଦକ ଶୁଭିନି, ଶୁଭିଥିଲେ ବି ତା’ର ଖିଆଲ ନାହିଁ । ଭାବନାର ସୂତାଖିଅ ଧରି ସେ ଭାବନାଜାଲ ବୁଣି ଚାଲିଛି । ରେଣୁ ଭାବିଲା–ବୋଧେ ପଢ଼ାଇ ପଢ଼ାଇ ନିସ୍ତେଜ ହୋଇ ପଡ଼ିଛନ୍ତି, ତେଣୁ ଶୋଇ ପଡ଼ିଲେଣି । କାରଣ ଏମିତି ବେଳେ ବେଳେ ଆସି ସେ ଶୋଇ ପଡ଼ନ୍ତି । ରେଣୁ ଆଉ ତାଙ୍କୁ ନ ଉଠାଇ ରୋଷାଇଘର ଆଡ଼କୁ ଚାଲିଗଲା । ରୋଷାଇଘରୁ ଡିବିରିଟା ଆଣି ଘରଭିତରକୁ ପଶିଯାଇଁ ଦେଖିଲା–ରମେଶ ଆଖିରେ ଅଶ୍ରୁ । ରେଣୁ ଚମକି ପଡ଼ିଲା ।

 

ଦିନେ ରେଣୁ ରମେଶ ଆଖିରେ ଲୁହ ଦେଖିନି । ସେଇପାଇଁ ସେ ତାକୁ ନିର୍ମମ ପାଷାଣ ବୋଲି କେତେଥର କହିଛି, କିନ୍ତୁ ଆଜି ରମେଶ ଆଖିରେ ଅଶ୍ରୁ......ସେ କାନ୍ଦୁଛି ସେ କାନ୍ଦୁଛି କାହିଁକ-? ରମେଶର ଅବମାନିତ ପିତୃତ୍ଵ କାନ୍ଦୁ ନାହିଁ ତ ?

 

ଡିବିରର ବିଚ୍ଛୁରିତ ଆଲେକରେ ରମେଶ ଦେଖିଲା ରେଣୁକୁ–ସଜ ଗୋଲାପ ମୁହଁଟି ତା’ର ମଳିନ ହୋଇଆସୁଛି ଆସ୍ତେ–ଆସ୍ତେ । ନିର୍ବାଣୋନ୍ମୁଖୀ ଯୌବନକୁ ଦେଖି ସେ ହୁଏତ ବିଚଳିତା ହୋଇ ଉଠୁଥିବ... । ଦୁଇ ଦୁଇଥର ଗର୍ଭବେଦନା ସହି ମଧ୍ୟ ସେ ‘ମାଆ’ ଡାକ ପାଇବାର ହକଦାର ହୋଇ ପାରିଲା ନାହିଁ । ଗାଁଲୋକଙ୍କର କଠୋର ସମାଲୋଚନା...ସେ ଡାଆଣୀ...ସେ ଛୁଆଖାଇ......ସେ ରାକ୍ଷସୀ...

 

ରମେଶର ଆଖି ଦିଇଟା ଉଜ୍ଜ୍ୱଳ ଅଥଚ ହିଂସ୍ର ହୋଇ ଉଠିଲା–ରେଣୁ ଡାଆଣୀ ? ସେ ଛୁଆ ଖାଈ ? ସେ ରାକ୍ଷସୀ ?

 

ରେଣୁ ଆଖି–ନଈରେ ବନ୍ୟାର କଳକଲ୍ଲୋକ । ନୀରବ ନିଶ୍ଚଳ ଭାବେ ଆଖିରେ ଚାହାଣୀ ଫୁଟାଇ ଚାହିଁଛି ସ୍ଵାମୀଆଡ଼େ । ଭାବୁଛି–ସତରେ କ’ଣ ୟାଙ୍କ ରାଶିରେ ଛୁଆ ବଞ୍ଚିବେ ନାହିଁ-?

 

ରମେଶ ଚାହିଁଥିଲା ରେଣୁକୁ । ରେଣୁ ବାଷ୍ପକୁଳ କଣ୍ଠରେ କହିଲା–କ’ଣ ଖାଇବ ନାହିଁ ?

 

ରମେଶ ଆଶ୍ରୁଳନୟରେ ଉଠି ବସି ପ୍ରଶ୍ନ କଲା–ଗାଁଲୋକଙ୍କର କଠୋର ସମାଲୋଚନା ତମେ ସହିପାରୁ ନ ରେଣୁ ?

 

ରେଣୁ କଇଁ କଇଁ ହୋଇ ଉଠି କହିଲା–ତମ ରାଶିରେ ଛୁଆ ବଞ୍ଚିବେ ନାହିଁ ବୋଲି ଯେ କହନ୍ତି ସେ ପାଗଳ–ବଦ୍ଧପାଗଳ......

 

ରମେଶ କରୁଣ ଅଥଚ ବିସ୍ମିତ ଦୃଷ୍ଟିପାତ କରି ଚାହିଁଲା ରେଣୁଆଡ଼େ......

 

ରେଣୁ ଚାହିଁଥିଲା ନିଜ ଗର୍ଭଗହ୍ଵରକୁ......

☆☆☆

 

ଝଡ଼ର ଶେଷେ

 

ବୋଉ......ବୋଉ......ବୋଉ...... । ଏକ କ୍ଷୀଣସ୍ଵର ଭାସିଆସୁଛି ନଈ ଆରପଟ ମଶାଣି ଭୂଇଁରୁ । ମଳୟ ତାର ବୋଉର ଚିତାଭସ୍ମ ନିକଟରେ ବସି ଚିତାଭସ୍ମକୁ ଖେଳେଇ ଚାଲିଛି । କିନ୍ତୁ କାହିଁ ? ତାର ବୋଉକୁ ତ ସେ ଆଉ ପାଉନାହିଁ । ଯେତେ କରୁଣ ବୁକୁଫଟା ବିଳାପ କଲେ ବି ତା ଡାକ ତା ବୋଉ ଶୁଣୁନି । ଏ ପୁରୀର ଡାକ ସେ ପୁରୀକୁ ଶୁଭେ ନାହିଁ । ତଥାପି ମଳୟ ସେମିତି, ସେଇଠି ବସି ସଜଳ ନୟନରେ ତା ବୋଉର ଆଗମନ ପଥକୁ ପ୍ରତୀକ୍ଷା କରୁଛି ।

 

ଏମିତି କେତେ ଦିନ ହେବ ସେ ଏ ମଶାଣିକୁ ଆସେ । ତା ବୋଉର ଚିତାଭସ୍ମକୁ ମୁଠା ମୁଠା କରି ତା ବୋଉକୁ ଖୋଜେ । କିନ୍ତୁ ହାୟ ! ସେ ପାଏ ନାହିଁ । କି ନିଷ୍ଠୁର ହୃଦୟ ତାର ବୋଉର-! ସେ ଏମିତି ନିରୀହ ଶିଶୁଟି ପ୍ରତି ଚାହିଁବାକୁ ପ୍ରସ୍ତୁତ ନୁହେଁ । ମଳୟ ଭାବେ ତା ଜ୍ଞାତସାରରେ ସେ ତ ତାର ବୋଉର କିଛି ଅନିଷ୍ଟ କରି ନାହିଁ । ଯଦି କରିଥାଏ, ସେ ଆଜି କ୍ଷମା ମାଗୁଛି ତା ବୋଉ ଫେରି ଆସୁ । ମଳୟ ଚାହିଁଛି... ।

 

ଆକାଶ ମଥାନରେ ରହି ସପ୍ତମୀ ବଙ୍କିମଚାନ୍ଦର ନିଷ୍ପ୍ରଭ ଆଲୋକ ବୋଳିହୋଇ ଯାଇଛି ମଶାଣିର ପ୍ରତି ସ୍ତରେ ସ୍ତରେ । ସେହି ମଶାଣିରେ ବସିଛି ମଳୟ । ଆଦ୍ୟ ଆଷାଢ଼ ଆକାଶର ବର୍ଷା ଭଳି ତା ଆଖିରୁ ଧାର ଧାର ଅଶ୍ରୁ ଝରି ଯାଉଛି । ଅନତି ଦୂରରେ ଥିବା ଲଣ୍ଡା ବରଗଛର ଏକ କୋଟରରୁ ଭାସି ଆସୁଛି ପେଚକର ରୁକ୍ଷ ସ୍ଵର । ସେ ଶବ୍ଦ ମଳୟର କର୍ଣ୍ଣ କୁହରକୁ ପ୍ରକମ୍ପିତ କରୁ ନାହିଁ । ସେ ଅଚଳ, ଅଥର୍ବ ଭଳି ବସି ରହିଛି ।

 

ହଠାତ୍ ତାର ଅଶ୍ରୁପୂର୍ଣ୍ଣ ନୟନ ଦୁଇଟି ଏକ ନାରୀର ପ୍ରତିମୂର୍ତ୍ତି ସଂଦର୍ଶନରେ ଉଜ୍ଜ୍ୱଳ ହୋଇ ଉଠିଲା । ମଳୟ ସଜୋରେ ଧାଇଁ ଗଲା ଏବଂ ସେ ନାରୀଟିକୁ ଜାବୁଡ଼ି ଧରି ବୋଉ ବୋଉ ବୋଲି କାନ୍ଦି ଉଠିଲା । ତା ପରେ କରୁଣ କଣ୍ଠରେ କହିଲା, “ବୋଉ ତୁ ଏତେ ଦିନହେଲା କୁଆଡ଼େ ଛାଡ଼ି ଯାଇଥିଲୁ । ତୋତେ ମୁଁ କେତେ ଖୋଜିଲିଣି । ତୁ କଣ ପାଷାଣୀ ହୋଇ ଯାଇଥିଲୁ ! ମୋ ଡାକ ତୋ କାନରେ ପଡ଼ୁ ନ ଥିଲା !” ମଳୟର କରୁଣ ଆବେଦନ ଶୁଣି ତରଙ୍ଗମାଳା ସ୍ଥିର ହୋଇ ରହି ପାରିଲେ ନାହିଁ । ତାଙ୍କ ମାତୃ ହୃଦୟରେ ତରଙ୍ଗ ଉଠିଲା । ସେ ନିଜର ପଣତ କାନିରେ ମଳୟ ନୟନରୁ ନୀର ପୋଛି କୋଳ କରି ନେଲେ ଏବଂ ମଳୟ ଗଣ୍ଡ ଦେଶରେ ସ୍ନେହ ଚୁମ୍ବନ ମୁଦ୍ରା ଅଙ୍କନ କରୁ କରୁ କହିଲେ, ବାବା !

 

X X X

 

ମନ୍ଦରଧର ବାବୁ ତରଙ୍ଗମାଳା କୋଳରେ ମଳୟକୁ ଦେଖି ଆଶ୍ଚର୍ଯ୍ୟ ବିସ୍ମୟ ହୋଇ ଉଠିଲେ I ତାଙ୍କର ପ୍ରଧାନ ଶତ୍ରୁ ଗୋବର୍ଦ୍ଧନ ବାବୁଙ୍କ ପୁତ୍ର ତାଙ୍କର ଆଶ୍ରୟ ନେଇଛି । ତାଙ୍କ ମନରେ ବାରମ୍ଵାର ପ୍ରଶ୍ନ ଉଠିଲା ପୁତ୍ରକାଙ୍ଗାଳୁଣୀ ତରଙ୍ଗମାଳା ଏ ଶିଶୁଟିକୁ କୋଳକରି ଆଣିଛି ନା ମତା–ମୃତ୍ୟୁକାତର ଏହି ହତଭାଗା ସନ୍ତାନଟି, ବଳେ ବଳେ କୋଳ ହୋଇ ଆସିଛି ? ତରଙ୍ଗମାଳା କହିଲେ, ଏ ନିର୍ଜ୍ଜନ ରାତ୍ରିରେ ସେ ଏକ ସ୍ଵପ୍ନ ଦେଖି ତାଙ୍କ ମୃତ ପୁତ୍ରର ପଛରେ ଧାଇଁ ଗଲାବେଳେ ସେ ଏକ ଜୀବନ୍ତ ପୁତ୍ର ପାଇଛନ୍ତି । ସେ ଏହାକୁ କଦାପି ଛାଡ଼ି ପାରିବେ ନାହିଁ । ତରଙ୍ଗମାଳା ପାଗଳୀଙ୍କ ଭଳି ନାଚିଉଠିଲେ...... ।

 

ମନ୍ଦରଧର ବାବୁଙ୍କର ମନ୍ଦର ପର୍ବତ ଭଳି ଅଟଳ ଅନ୍ତର ଏ ହତଭାଗା ଶିଶୁ ସନ୍ତାନର ନିରାପତ୍ତା ଲାଗି ଅଥୟ ହୋ ପଡ଼ିଲା । ନିଜ ଶତ୍ରୁର ପୁତ୍ର ହେଲେ ମଧ୍ୟ ସେ ଏ ହତଭାଗା ସନ୍ତାନଟିକୁ କେବେ ଛାଡ଼ି ପାରିବେ ନାହିଁ । ସେ ମଧ୍ୟ ପାଗଳ ଭଳି କହି ଉଠିଲେ–ଏ ପୁତ୍ର ତୁମର ଏକା ନୁହେଁ ତରଙ୍ଗମାଳା, ମୋର ମଧ୍ୟ ।

 

X X X

 

ପର ଦିନ ପ୍ରଭାତରେ ଗୋବର୍ଦ୍ଧନ ବାବୁଙ୍କ ପରିବାରରେ ଏକ ବିଷାଦର ଝଡ଼ ଖେଳିଗଲା । କାହାରି ମୁହଁରେ ହସ ନାହିଁ । ସମସ୍ତଙ୍କ ମୁହଁ ବିଷାଦ ଅନ୍ଧାର ଆଚ୍ଛାଦିତ । ତାଙ୍କ ବଂଶର ଏକମାତ୍ର ଭବିଷ୍ୟତ ମଳୟ କାଲି ସଂଧ୍ୟାରୁ କେଉଁଆଡ଼େ ଚାଲି ଯାଇଛି । ଏ ଦାରୁଣ ଦୁଃଖରେ ଗୋବର୍ଦ୍ଧନ ବାବୁ ପିଲାଙ୍କ ଭଳି ଭୋ, ଭୋ, ହୋଇ କାନ୍ଦି ଉଠୁଛନ୍ତି । ସ୍ତ୍ରୀ ସରସ୍ଵତୀଙ୍କର ମୃତ୍ୟୁ କାଳୀନ ଅନୁରୋଧ ମନେ ପଡ଼ି ସେ ବିକଳର ଚରମ ସୀମାରେ ପହଞ୍ଚି ଅଛନ୍ତି । ଏକ ରାକ୍ଷସୀ ନାରୀର କବଳରେ ପଡ଼ି ସେ ନିର୍ଘାତ ଭୁଲ କରିଛନ୍ତି । ସେ ଭୁଲପାଇଁ ସେ ତିଳ ତିଳ କରି ଦଗ୍‍ଧିଭୂତ ହେଉଛନ୍ତି ।

 

ଉନ୍ମାଦଙ୍କ ଭଳି କେଶଗୁଡ଼ିକୁ ଉପାଡ଼ିବାର ଅପଚେଷ୍ଟା କରୁ କରୁ ଗୋବର୍ଦ୍ଧନ ବାବୁ ଆର୍ତ୍ତଚିତ୍କାର କରି ଉଠିଲେ । “ମୋତେ କ୍ଷମା ଦିଅ ସରସ୍ଵତୀ । ମୁଁ କେବଳ କ୍ଷମା ଚାହେଁ । ମୋତେ ଏ ମାୟାଗ୍ରସ୍ତ ସଂସାରରୁ ମୁକ୍ତ କର ।”

 

ମନ୍ଦରଧର ବାବୁଙ୍କ ଚାକର ଆସି ଜଣାଇଲା ମଳୟର ଶୁଭବାର୍ତ୍ତା । ମଳୟ ଅଛି ମନ୍ଦରଧର ବାବୁଙ୍କ ଘରେ ।

 

X X X

 

ଦିନ ପରେ ଦିନ, ରାତି ପରେ ରାତି, ଏହିପରି ବିତି ଯାଇଛି ଦୀର୍ଘ କୋଡ଼ିଏ ବର୍ଷ । ଗୋବର୍ଦ୍ଧନ ବାବୁ ଅନେକ ଥର ମଳୟକୁ ନେବାକୁ ଆସି ବିମର୍ଷ ବଦନରେ ଫେରି ଯାଇଛନ୍ତି । ମଳୟ ଏଣେ ମନ୍ଦରଧର ବାବୁଙ୍କ ଘରେ ରହି B.A. ପାସ କରିଛି । ମନ୍ଦରଧର ବାବୁ ସ୍ଥିର ନିଷ୍ପତ୍ତି କରିଛନ୍ତି, ତାଙ୍କର ଏକମାତ୍ର କନ୍ୟା ମେଘମାଳାକୁ ମଳୟ ହସ୍ତରେ ଅର୍ପଣ କରିବେ ଏବଂ ଏହି ଶୁଭ ବାର୍ତ୍ତା ଜଣାଇ ଦେଇଛନ୍ତି ଗୋବର୍ଦ୍ଧନ ବାବୁଙ୍କୁ । ପରି ଶେଷରେ ଗୋବର୍ଦ୍ଧନ ବାବୁ ସମ୍ମତି ଜଣାଇଛନ୍ତି । ବିବାହର ଦିନ ନିକଟେଇ ଆସୁଛି ।

 

ଆଜି ମଳୟର ବିଭାଘର । ଆଜି ଯଦି ସରସ୍ଵତୀଦେବୀ ଥାଆନ୍ତେ ତେବେ ଆନନ୍ଦ ହୋଇ ନ ଥାନ୍ତେ ? ଗୋବର୍ଦ୍ଧନ ବାବୁଙ୍କର ଆଖିରୁ ଧାର ଧାର ଲୁହ ବହି ପଡ଼ୁଥିଲା । ଅବୋଧ ଶିଶୁଭଳି ସେ କଇଁ କଇଁ ହୋଇ କାନ୍ଦୁଥିଲେ । ଗୃହ ଭିତରକୁ ପଶି ଆସୁ ଆସୁ ମଳୟ କହିଲା ଆପଣ କାନ୍ଦୁଛନ୍ତି ମଉସା.... ?

 

ମଉସା ! ଗୋବର୍ଦ୍ଧନ ବାବୁ ଅସହ୍ୟ ଅଧୀର ହୋଇ କାନ୍ଦି ଉଠିଲେ । ତାଙ୍କ ରକ୍ତମାଂସରେ ପରିପୁଷ୍ଟ ସନ୍ତାନ ଆଜି ତାଙ୍କୁ ମଉସା ବୋଲି ସମ୍ବୋଧନ କରୁଛି । କି ଦୁଃଖ ?

 

ଗୋବର୍ଦ୍ଧନ ବାବୁ ସ୍ଥିର ହୋଇ ପାରିଲେ ନାହିଁ । ସେ ନିଜ ବୁକୁରେ ମଳୟକୁ ଜାବୁଡ଼ି ଧରି ବାଷ୍ପାକୁଳ କଣ୍ଠରେ କହିଲେ ତୁ ମୋର ପୁତ୍ର । ମୁଁ ତୋର ମଉସା ନୁହେଁ ମଳୟ । ମୁଁ ତୋର ଜନ୍ମଦାତା ପିତା ।

 

ଏହି ରହସ୍ୟକୁ ବୁଝି ପାରିଲା ନାହିଁ ମଳୟ ।

 

ଏହି ନିରୀହ ରହସ୍ୟକୁ ଉଦ୍‍ଘାଟନ କରି ଏ ଆନନ୍ଦ ଦିନରେ ମଳୟ ଅନ୍ତରରେ ଝଡ଼ ଝଞ୍ଜା ବୁହାଇବାକୁ ବୃଦ୍ଧ ଗୋବର୍ଦ୍ଧନ ବାବୁ ଇଚ୍ଛା କଲେ ନାହିଁ । ସେ ଆଖି ଲୁହକୁ ପୋଛିବାକୁ ଚେଷ୍ଟା କରୁଥିଲେ । ମଳୟ ଚାହିଁଥିଲା ତାଙ୍କ ଅଶ୍ରୁ ଆଚ୍ଛନ୍ନ ମୁଖ ମଣ୍ଡଳକୁ ଏକ ନିର୍ବାକ ଚାହାଣୀରେ...।

 

X X X

 

ବେଦୀ ଉପରେ ବସିଛନ୍ତି ମଳୟ ଏବଂ ମେଘମାଳା । ଶୁଭ ଦିନର ଶୁଭଶଙ୍ଖ ବାଜି ଉଠୁଛି । ବ୍ରାହ୍ମଣମାନେ ଶୁଭ ମନ୍ତ୍ର ପାଠ କରୁଛନ୍ତି । ବେଦୀ ପାଖକୁ ଚାଲିଯାଇ ମନ୍ଦରଧର ବାବୁ ହାତ ଧରି ପକାଇଲା ଗୋବର୍ଦ୍ଧନ ବାବୁଙ୍କର । ତା ପରେ ଥର ଥର କଣ୍ଠରେ କହିଲେ, “ମୋର ଦୋଷ କ୍ଷମା କରିବ ସମୁଦି । ମୁଁ ଆଉ ତୁମର ପୁତ୍ର ଓ ପୁତ୍ରବଧୁକୁ ରଖିବାକୁ ପ୍ରସ୍ତୁତ ନୁହେଁ । ଏଣିକି ସେମାନେ ତମର । ଆମେ ଦୁଇଜଣ ବୁଢ଼ା ବୁଢ଼ୀ । ଆମ ଆୟୁଷର ଦୀପ ଶିଖା କ୍ରମେ କ୍ଷୀଣ ହୋଇ ଆସିଲାଣି । ଆଉ କେଇ ଦିନ ବା ! ମୋର ଏହି ବିଶାଳ ସମ୍ପତ୍ତି ତାଙ୍କରି । “ଏହା କହୁ କହୁ ଗୋବର୍ଦ୍ଧନ ବାବୁଙ୍କୁ କୁଣ୍ଡାଇ ଧଇଲେ । ଆନନ୍ଦାଶ୍ରୁରେ ଗୋବର୍ଦ୍ଧନ ବାବୁଙ୍କର ନୟନ ଯୁଗଳ ସଜଳ ହୋଇଗଲା । ତାଙ୍କ ଶୁଷ୍କ ଅଧର ଥରି ଉଠୁଥିଲା, ଦୁଃଖରେ ନୁହେଁ, ଆନନ୍ଦର ଆତିଶଯ୍ୟରେ...... ।

☆☆☆

 

ଏକ ଦେହ, ଏତେ ଦାହ !

 

ସାୟାହ୍ନର ଧୂସର ଆଲୋକରେ ଶିକ୍ଷାନୁଷ୍ଠାନର ଚୂନଲିପା କାନ୍ଥ ପରିଷ୍କାର ଦେଖା ଯାଉଥିଲା । ବୃଦ୍ଧ ବାନାମ୍ବର ମହାପାତ୍ର ବାତାୟନର ଲୌହ ରେଲିଂକୁ ଧରି ସେହି ଦିଗକୁ ଚାହିଁ ରହିଥିଲେ ଏକ ମନ, ଏକ ଲୟରେ... ।

 

ଆସନ୍ତାକାଲି ଶିକ୍ଷାନୁଷ୍ଠାନର ଷଷ୍ଠଦଶ ବାର୍ଷିକ ଉତ୍ସବ ପାଳନ କରାଯିବ । ପ୍ରଧାନ ଶିକ୍ଷକ ଅନୁରୋଧ କରି ଯାଇଛନ୍ତି–ଉତ୍ସବ ସଭାରେ ତାଙ୍କୁ ସଭାପତିତ୍ଵ କରିବାକୁ ପଡ଼ିବ । ଅନୁଷ୍ଠାନର ଜନ୍ମ ଇତିହାସ ତାଙ୍କୁ କହିବାକୁ ପଡ଼ିବ–କଣ ସେ କହିବେ ?

 

ବୃଦ୍ଧ ବାନାମ୍ବର ନିଜର ଚତୁର୍ଦ୍ଦିଗକୁ ଥରେ ତରଙ୍ଗ ତରଙ୍ଗ କରି ଚାହିଁଲେ । ପ୍ରକୋଷ୍ଠ ଏଥିଭିତରେ ସଂପୂର୍ଣ୍ଣ ଅନ୍ଧକାରାଛନ୍ନ ହୋଇ ଯାଇଛି । ମହା ଅନ୍ଧକାର ରାଜୁତି କରିଛି ସମଗ୍ର ବିଶ୍ଵରେ । ବାନାମ୍ବର ସେ ଅଶାନ୍ତି ଅନ୍ଧକାରରୁ ତାଙ୍କ ହଜିଗଲା ଅତୀତକୁ ଖୋଜୁଥିଲେ...... ।

 

ବୃଦ୍ଧ ବାନାମ୍ବରଙ୍କର ଆଜି ମନେ ପଡ଼ୁଛି ସେଇ କୋଡ଼ିଏ ବର୍ଷ ତଳର କଥା... ।

 

ସେବର୍ଷ ଇନ୍‍ଫ୍ଲୁଏନ୍‍ଜାରେ ପତ୍ନୀ ସୁଲତାଙ୍କର ଆକସ୍ମିକ ବିୟୋଗ ଘଟିଲା । ଏକମାତ୍ର କନ୍ୟା ମମତାକୁ ସାଥିରେ ଧରି ସେ ସୁଦୂର ରେଙ୍ଗୁନ ସହରରୁ ଗାଁକୁ ଚାଲିଆସିଲେ । ଅବଶିଷ୍ଟ ଜୀବନ କାଳକୁ ମାତୃସମା ଏହି ଗାଆଁ ମାଟିରେ କଟାଇବାକୁ ସେ ସ୍ଥିର ନିଷ୍ପତ୍ତି କଲେ ।

 

ଅନେକ ଦିନ, ଅନେକ ମାସ, ଅନେକ ବର୍ଷ ପରେ ସେ ଏଇ ମାଟିର କୋଳକୁ ଫେରିଛନ୍ତି ।

 

ଗ୍ରାମବାସୀ ଦଳ ଦଳ ହୋଇ ତାଙ୍କୁ ଦେଖିବାକୁ ଆସିଲେ । ତାଙ୍କର ମୁହଁରେ ତାଙ୍କର ପ୍ରଶଂସା ଗାନ କଲେ ଏବଂ ନିଜର ଦୁରବସ୍ଥା, ଗ୍ରାମର ଦୁରବସ୍ଥା, ଦୁର୍ବଳ ଉପରେ ଏଠି କିମିତି ପ୍ରବଳ ପ୍ରତାପୀ ଜମିଦାରର ଅତ୍ୟାଚାର ଚାଲିଛି ତା ମଧ୍ୟ ଜଣାଇବାକୁ ପଛାଇଲେ ନାହିଁ । ଗ୍ରାମର ଯୁବକଗଣ ମଧ୍ୟ ତାଙ୍କର ଅମାୟିକ ବ୍ୟବହାର ଓ ମିଷ୍ଟ ଭାଷାର ସଂଧାନ ପାଇ ଅତି ଅଳ୍ପ ଦିନେ ତାଙ୍କର ଆପଣାର ହୋଇଉଠିଲେ ।

 

ଯୁବଶକ୍ତିକୁ ହାତରେ ପାଇ ତାଙ୍କର ହଠାତ୍ ସେହି କଥା ସ୍ମରଣ ହୋଇଉଠିଲା । ଯୁବକମାନେ ହିଁ ଜାତିର ମେରୁଦଣ୍ଡ–ତେବେ ସେ କଣ ତାଙ୍କରି ଦ୍ଵାରା ଏ ଗ୍ରାମର କିଛି ଉନ୍ନତି କରିପାରିବେ ନାହିଁ ?

 

ଦିନେ ରାତିରେ, ସେ ଯୁବକମାନଙ୍କୁ ଏକତ୍ରିତ କରି ଏଇ ଗାଁରେ ଏକ ଶିକ୍ଷାନୁଷ୍ଠାନ ଗଠନ କରିବାକୁ ପ୍ରସ୍ତାବ କଲେ । ତାଙ୍କର ବିଶ୍ଵାସ ଥିଲା, ଯଦି ଗ୍ରାମବାସୀ ଶିକ୍ଷିତ ହୁଅନ୍ତି ତା’ ହେଲେ ସବୁକଥା ସେହିମାନେ ହିଁ ସମାଧାନ କରିବେ... ।

 

ତାଙ୍କର ଏହି ମହତ୍ କଳ୍ପନାକୁ ସାତଶୟ ଆନନ୍ଦିତ ହୋଇ ଗ୍ରହଣ କରିଗଲେ ଯୁବକମାନେ ଏବଂ ସେଇ ମୁହୂର୍ତ୍ତରୁ ସେମାନେ ଶପଥ କଲେ । ସେମାନେ ସଂଗଠିତ ହୋଇ ଅଣ୍ଟା ଭିଡ଼ିଲେ...କିନ୍ତୁ ଖାଲି ସଂଗଠିତ ହୋଇ ଅଣ୍ଟା ଭିଡ଼ିଲେ କଣ ଶିକ୍ଷାନୁଷ୍ଠାନ ଗଢ଼ାଯାଇ ପାରିବ ? ସେଥିଲାଗି ଅର୍ଥ ଦରକାର, ଜମି ଦରକାର, କିଏ ଦେବ ? ପରିଶେଷରେ ସେମାନେ ଜମିଦାର ରାୟଟସିଂଙ୍କ ଦ୍ଵାରସ୍ଥ ହେବାକୁ ସ୍ଥିରକଲେ ।

 

ଆଜି ତାଙ୍କର ଠିକ୍ ମନେ ପଡ଼ୁଛି । ଜଗଦ୍ଦେବ ରାୟଟସିଂ ତାଙ୍କ ମୁଖରୁ ଏ ଜମି ଭିକ୍ଷା କଥା ଶୁଣି ଦିନର ପରିଷ୍କାର ଆଲୁଅରେ ଏକ ଅଜ୍ଞାତ ଭୁତ ଭୟରେ ଚମକି ଉଠିଥିଲେ, ଆଉ ତାଙ୍କର ହିତୈଷୀ ହିସାବରେ ପରାମର୍ଶ ଦେଇଥିଲେ । ତୁମେ ଏ ସୃଷ୍ଟିଛଡ଼ା ଦୁବୁର୍ଦ୍ଧି ଛାଡ଼ ବାନାମ୍ବର-। ରେଙ୍ଗୁନ ଭୂଇଁରୁ ଯଦି ଅପର୍ଯ୍ୟାପ୍ତ ଅର୍ଥ ଆଣିଛ, ତା’ ହେଲେ ତାକୁ ସତ୍‍କାର୍ଯ୍ୟରେ ଲଗାଅ–ଜମି କିଣ, କୋଠା କର, ଦେଉଳ ନିର୍ମାଣ କର, କିନ୍ତୁ......ଏ ଶିକ୍ଷାନୁଷ୍ଠାନ ହେଲେ ପଢ଼ିବ କିଏ-? ଖାଇବାକୁ ଯେଉଁମାନେ ଚାରି ବେଳାରେ ଥରେ ପାଉ ନାହାନ୍ତି, ସେଇମାନେ ?

 

ଜମିଦାରଙ୍କ ଉକ୍ତିରେ ସେଦିନ ସେ ପ୍ରତିବାଦ କରି ପାରି ନ ଥିଲେ । ତଥାପି ତାଙ୍କ କଳ୍ପନାର କୋଣାର୍କ ତୋଳିବାକୁ ସେ କଦାପି ପଛଘୁଞ୍ଚା ଦେଇ ନ ଥିଲେ ବରଂ ଏକ ଜିଦ୍‍ରେ ଲାଗି ପଡ଼ିଥିଲେ; ଏବଂ ନିଜେ ଗ୍ରାମର ଯୁବକମାନଙ୍କୁ ଧରି ଜିଲ୍ଲା ମାଜିଷ୍ଟ୍ରେଟଙ୍କୁ ଦେଖାକରି ବିଦ୍ୟାଳୟ ପ୍ରତିଷ୍ଠା ପାଇଁ ସରକାରୀ ଜମି ଦଖଲ କରିବାକୁ ଅନୁମତି ଭିକ୍ଷା କଲେ । ସେମାନଙ୍କର ଆବେଦନ ଗୃହୀତ ହେଲା । ସରକାର ବାର୍ଷିକ ଦୁଇଟଙ୍କା ଖଜଣାରେ ଦୁଇ ଏକର ଜମି ଛାଡ଼ି ଦେଲେ । ତଥାପି ବି ଅବସ୍ଥାର ପରିବର୍ତ୍ତନ ଘଟିଲା ନାହିଁ । ମୂଲିଆ, ମିସ୍ତ୍ରୀ ସମସ୍ତେ ତ ଜମିଦାରଙ୍କର ପ୍ରଜା । ସେମାନେ ବିଦ୍ୟାଳୟର ଗୃହ ନିର୍ମାଣ ନ କରିବାକୁ ଜମିଦାର ସାହେବ ନିର୍ଦ୍ଦେଶ ଦେଲେ । ଯୁବକମାନେ କିନ୍ତୁ ଏଥିରେ ଦବିବାର ପାତ୍ର ନୁହଁନ୍ତି । ସେମାନେ ସହରର କଣ୍ଟ୍ରାକ୍‍ଟ ଦେଇଦେଲେ । ଦିନ ରାତି କାମ ଚାଲିଲା । ଆଉ ବାନାମ୍ବରଙ୍କର ଅଜସ୍ର ପଇସା ବ୍ୟୟରେ ମାତ୍ର ତିନୋଟି ମାସରେ ନିର୍ମାଣ କାର୍ଯ୍ୟ ଶେଷ ହୋଇ ଆସିଲା ।

 

୧୯୪୫ ମସିହା ଜୁଲାଇ ୩ ତାରିଖ । ସେଦିନ ବିଦ୍ୟାଳୟର ପ୍ରତିଷ୍ଠା ଦିବସ । ଠିକ୍ ସେଇଦିନ ଗ୍ରାମର କେତେକ ଯୁବକମାନଙ୍କୁ ପୁଲିସ୍ ଗିରଫ କରିନେଲେ । ସେମାନଙ୍କ ବିରୁଦ୍ଧରେ ଜମିଦାର ସାହେବଙ୍କ ଧାନ ଅମାର ଲୁଟି କରି ନେବାର ଉଦ୍ୟମ ସମ୍ବନ୍ଧରେ ଅଭିଯୋଗ କରିଥିଲେ, ଜମିଦାରଙ୍କ ଚାଣକ୍ୟ ମନ୍ତ୍ରୀ ରାଧୁମିଶ୍ର, ଖମାରୀ । ପ୍ରତିଷ୍ଠା ଦିବସ ନିରାଡ଼ମ୍ବରରେ ପାଳିତ ହୋଇଥିଲା । ଜମିଦାର ରାୟଟସିଂଙ୍କର ପିତାମହ ସ୍ୱର୍ଗତଃ ବଳଭଦ୍ର ରାୟଟସିଂଙ୍କ ନାମାନୁସାରେ ବିଦ୍ୟାଳୟର ନାମ ବଳଭଦ୍ର ବିଦ୍ୟାମନ୍ଦିର ରଖାଗଲା । ବଳଭଦ୍ର ରାୟଟସିଂ ଥିଲେ ପ୍ରଜାପାଳକ ଜମିଦାର । ତାଙ୍କର ଦୟାରୁ ବାନାମ୍ବର ମହାପାତ୍ରଙ୍କର ପିତାମହ ଆଦିକନ୍ଦ ମହାପାତ୍ର ୧୯୩୬ ମସିହାରେ ଚମ୍ପାପୁର ଗ୍ରାମରେ ବସତି ସ୍ଥାପନ କରିଥିଲେ ଓ ଜମିଦାର ସାହେବ ବ୍ରାହ୍ମଣ ପ୍ରଜା ଆଦିକନ୍ଦ ମହାପାତ୍ରଙ୍କୁ ୫ ଏକର ଜମି ଦାନ କରିଥିଲେ । ସେ କଥା ବାନାମ୍ବର ମହାପାତ୍ର ଭୁଲି ପାରି ନ ଥିଲେ ଏବେ ବି ।

 

ବିଦ୍ୟାଳୟର ପରିଚାଳନା ସଭାରେ ଜମିଦାର ରାୟଟସିଂଙ୍କୁ ବାନାମ୍ବର ମହାପାତ୍ରଙ୍କ ପ୍ରସ୍ତାବକ୍ରମେ ସଭାପତି ନିଯୁକ୍ତ କରାଗଲା । ବାନାମ୍ବର ବାବୁ ନିଜେ ପରିଚାଳନା ସଭାର ସଦସ୍ୟ ମଧ୍ୟ ହୋଇ ରହିଲେନି ।

 

ବିଚାରାଳୟରେ ରାଧୁମିଶ୍ରଙ୍କ ଅଭିଯୋଗ ଅମୂଳକ ବୋଲି ପ୍ରମାଣିତ ହେଲା । ଯୁବକମାନେ ନିର୍ଦୋଷରେ ଖଲାସ ପାଇଲେ । ତାପରେ ଇଜ୍ଜତ ଦାବୀ ନାଲିସରେ ଯୁବକମାନେ ଡିଗ୍ରୀ ପାଇବାରୁ ଜମିଦାରଙ୍କ ଘରୁ ୧୦ ହଜାର ଟଙ୍କା ଅନ୍ୟ ହାତକୁ ଚାଲିଗଲା । ତଥାପି ବି ଜମିଦାର ସାହେବଙ୍କ ଚେତା ପଶିଲାନି । ସେ ବାନାମ୍ବର ମହାପାତ୍ରଙ୍କୁ ଗ୍ରାମରୁ ତଡ଼ିବା ପାଇଁ ଉପାୟ ଚିନ୍ତା କରିବାକୁ ଲାଗିଲେ । ହେଲେ କ୍ରମେ କ୍ରମେ ତାଙ୍କ ଉପରେ ଲୋକଙ୍କର ଆସ୍ଥା ଦୃଢ଼ ହେବାକୁ ଲାଗିଲା ।

 

ଦିନେ କାର୍ଯ୍ୟୋପଲକ୍ଷେ ସେ ସହରକୁ ଯାଇଥାନ୍ତି । ଘରେ ମମତା ଏକାଟିଆ ଥାଏ । ହଠାତ୍ ପ୍ରାୟ ରାତି ୧୨ଟା ବେଳେ ଜମିଦାରଙ୍କର ଜ୍ୟେଷ୍ଠପୁତ୍ର ଅଶ୍ଳୀଳ ଭାଷାରେ ମମତାକୁ ଅପମାନ କଲେ । ......ସହରରୁ ଫେରି ଆସି ସେ ଏକଥା ଶୁଣି ଅତି ମ୍ରିୟମାଣ ହୋଇପଡ଼ିଲେ । ଠିକ୍ ତା’ର ପରଦିନ କାହାକୁ କିଛି ନ କହି ସେ କନ୍ୟାକୁ ସଙ୍ଗରେ ନେଇ ସହରକୁ ଚାଲିଗଲେ.... ।

 

ଆଉ ଫେରିଲେ ନି ସେ..... ।

 

ତା’ପରେ ଦୂରରେ ରହି ସେ ଗ୍ରାମର ଯୁବକମାନଙ୍କୁ ନିର୍ଦ୍ଦେଶ ଦେଲେ । ସେମାନଙ୍କର ହାଡ଼ଭଙ୍ଗା ପରିଶ୍ରମ ଓ ବାନାମ୍ବର ବାବୁଙ୍କର ଯତ୍ନରେ ସହରରୁ ତାଙ୍କର ଗ୍ରାମ ଚମ୍ପାପୁର ପର୍ଯ୍ୟନ୍ତ ଲମ୍ବି ଯାଇଥିବା ରାସ୍ତା ପକ୍କା ହୋଇଗଲା ।

 

୧୯୫୪ ମସିହା । ସରକାର ମଧ୍ୟ ସ୍ୱତ୍ୱାଧିକାର ଉଠାଇଦେଲେ । ଜମିଦାରଙ୍କ ଆୟ କମିଗଲା । ଆଉ କମିଗଲା ହାକିମି । ଠିକ୍ ସେତିକିବେଳେ ଜମିଦାରଙ୍କ ପ୍ରଥମ ପୁତ୍ର ଅତ୍ୟଧିକ ମଦ୍ୟପାନ ହେତୁ ଦିନେରାତିରେ ହୃତ୍‍ଯନ୍ତ୍ର କ୍ରିୟା ବନ୍ଦ ହୋଇଯିବାରୁ ପ୍ରାଣତ୍ୟାଗ କଲେ । ଆଉ ତାଙ୍କର ଯୁବତୀ ପତ୍ନୀ ପିତୃଗୃହକୁ ପଳାୟନ କଲେ । ଜମିଦାର ଦେଖିଲେ ଯେ, ଯେଉଁମାନେ ଦୈନନ୍ଦିନ ଜମିଦାର ସାହେବଙ୍କ ଦର୍ଶନ ନ କଲେ ଅନ୍ନଜଳ ସ୍ପର୍ଶ କରୁ ନଥିଲେ, ଡାକି ପଠାଇଲେ ବି ସେମାନେ ଆସୁ ନାହାନ୍ତି । ଅବସ୍ଥା କ୍ରମେ ବିପର୍ଯ୍ୟସ୍ତ ହେବାକୁ ଲାଗିଲା । ସବୁଠାରୁ ବେଶି ଧକ୍କା ଖାଇଲେ ଜମିଦାର ସାହେବ । ଯେତେବେଳେ ସେ ଗ୍ରାମପଞ୍ଚାୟତ ସଭ୍ୟ ହେବାକୁ ଚେଷ୍ଟାକରି ପରାଜିତ ହେଲେ, ଏ ଧକ୍କା ଜମିଦାର ସାହେବ ସହି ପାରିଲେନି । ଶରୀର ତାଙ୍କର ଭାଙ୍ଗିପଡ଼ିଲା । ସେ ଶଯ୍ୟାଶାୟୀ ହେଲେ ।

 

ଜମିଦାରଙ୍କର ଏପରି ଅବସ୍ଥାର ସମ୍ବାଦ ପାଇଲେ ବାନାମ୍ବର । ନିଜ କନ୍ୟା ମମତାକୁ ସାଙ୍ଗରେ ଧରି ଜମିଦାରଙ୍କୁ ଦେଖିବାକୁ ଚମ୍ପାପୁର ଆସିଲେ ।

 

ଆଉ ଠିକ୍ ସେତିକିବେଳେ ଜମିଦାରଙ୍କ କନିଷ୍ଠ ପୁତ୍ର ରତିକାନ୍ତ ବିଦେଶରୁ ଡାକ୍ତରୀ ବିଦ୍ୟା ପାଶ୍ କରି ଫେରି ଆସିଥା’ନ୍ତି । ଜମିଦାର ରାୟଟସିଂ ତାଙ୍କର ଏ ଦୁର୍ଦ୍ଦିନରେ ନିଜର ଶଯ୍ୟା ପାର୍ଶ୍ଵରେ ବନାମ୍ଵର ଓ ତାଙ୍କର କନ୍ୟା ମମତାକୁ ଦେଖି କୋହ ସମ୍ଭାଳି ପାରିଲେ ନି । ଦୁଇ ହାତରେ ବାନାମ୍ଵରଙ୍କର ଦୁଇହାତ ଜାବୁଡ଼ି ଧରି ପିଲାଙ୍କପରି କାନ୍ଦି ଉଠିଲେ ସେ । ତା’ ପରେ ସେ ଅଶ୍ରୁଳ କଣ୍ଠରେ କହିଲେ, “ବାନାମ୍ବର ବାବୁ ମୁଁ ଆପଣଙ୍କର ବହୁତ କ୍ଷତି କରିଛି, ଆପଣଙ୍କୁ ବାସଚ୍ୟୁତ କରିଛି, ହେଲେ ଆଜି ଆପଣଙ୍କୁ ଆଉ ଗୋଟିଏ ଭିକ୍ଷା କରୁଛି । ସେ ହେଉଛି ଆପଣଙ୍କର କନ୍ୟା ମମତା । ସେ ହେବ ଏ ବଂଶର କୁଳବଧୂ । ତାରି କୋଳରେ–କୁଆଁ–କୁଆଁ ହୋଇ କାନ୍ଦିବ ଜମିଦାର...ନା–ନା ରାୟଟସିଂ ବଂଶର ଅନାଗତ ବଂଶଧର । ସେ ହେବ ତା’ର ପିତାମହପରି ଜିଦଖୋର କିନ୍ତୁ ମାତାମହପରି ସହନଶୀଳ । କୁହନ୍ତୁ ଆପଣ କଣ ଶୂଦ୍ର ବ୍ରାହ୍ମଣ ଭେଦଭାବ ଭୁଲିଯାଇ ପାରିବେନି !”

 

ବୃଦ୍ଧ ବାନାମ୍ଵର କଣବା ଆଉ କହନ୍ତେ ? ସମ୍ମତି ଦେବା ବ୍ୟତୀତ ଜମିଦାର ରାୟଟ ସିଂଙ୍କ ଆକୁଳ ନିବେଦନ ନିକଟରେ ତାଙ୍କର ଆଉ କହିବାକୁ କିଛି ନଥିଲା ।

☆☆☆

 

ପୁଅ

 

ବିପ୍ରଚରଣର ପୁଅ ହୋଇଛି !

 

କନ୍ୟା–ବହୁଳ ବିପ୍ରଚରଣର ରୁକ୍ଷ ପରିବାର ଆକାଶରେ ଆନନ୍ଦର ମୌସୁମୀ ଡେଣା ପିଟିଦେଇଛି । ସତେ ଯେମିତି ଏ ପୃଥିବୀରେ ଏଥିପୂର୍ବରୁ କାହାର ପୁତ୍ର ସନ୍ତାନ ଜନ୍ମ ହୋଇ ନଥିଲା-। ବିପ୍ରଚରଣର ସେଇ ଦୁର୍ଲଭ ସନ୍ତାନ ଜନ୍ମ ହେବା ଫଳରେ ଆକାଶର ଆଉ ଏକ ଆଲୋକ ଏ ଅବନୀକୁ ଆଲିଙ୍ଗନ କରିଛି । ଏବଂ ଏଇ ପୁତ୍ର ସନ୍ତାନଲାଗି ବିପ୍ରଚରଣ, ତା ପରିବାର, ତା ଗାଁ, ତା ଦେଶର ମୁଖୋଜ୍ଜ୍ଵଳ ହୋଇଛି...

 

ସମ୍ବାଦଟା ବିପ୍ରଚରଣର ଗାଁରେ ବି ଚହଳ ସୃଷ୍ଟି କରିଛି । ବିପ୍ରଚରଣର ପୁତ୍ରସନ୍ତାନ ଜନ୍ମ ହେବାର ଶୁଣି ଗାଁର ବୁଢ଼ା ବୁଢ଼ୀ, ଛୁଆ ପିଲାଙ୍କ ମନରେ ଆନନ୍ଦ କହିଲେ ନସରେ । ବିପ୍ରଚରଣଙ୍କୁ ବେଢ଼ି କରି ସେମାନେ ଦାବୀ କରୁଛନ୍ତି ମିଠାଇ । ସତେଯେମିତି ପୁଅ ହେବା ପରେ ମିଠାଇ ତାଙ୍କର ଏକମାତ୍ର ପ୍ରାପ୍ୟ !

 

ନବ ଜାତକଟି କୁଆଁ କୁଆଁ ହୋଇ କ୍ରନ୍ଦନ କରୁଛି । ଏକ ଅନ୍ଧକାର ପୃଥିବୀରୁ ସେ ଆଲୋକ–ଉଜ୍ଜ୍ଵଳ ଆଉ ଏକ ପୃଥିବୀକୁ ଚାଲି ଆସିଛି ନା ! ସହ୍ୟ ହୁଏତ କରିପାରୁନି ସେ । ବିଚିତ୍ର ଲାଗୁଛି ତାକୁ ଏଇ ପୃଥିବୀ–ଏସବୁ କିଏ ? କଣ ? କାହିଁକି ?

 

ସଫଳ ପିତୃତ୍ଵର ଆନନ୍ଦରେ ବିପ୍ରଚରଣର ମନ ଫୁଲି ଫୁଲି ଉଠୁଛି...କିମିତି ହୋଇଛି ପୁଅଟି ? ତା’ ଭଳି ? ତା ମା’ ଭଳି ? ନା, ତା...

 

ବିପ୍ରଚରଣର ବାପା ଏଇ ମିଠେଇ ବାଣ୍ଟିବା ଆରମ୍ଭ କରି ଦେଲେଣି । ନିଜେ ବଞ୍ଚି ଥାଉଁ ଥାଉଁ ନିଜର ଭାବୀ–ବଂଶଧର ଜନ୍ମ ହୋଇଛି ! ଆନନ୍ଦ ହେବ ନାହିଁ ? ମିଠାଇ ବାଣ୍ଟିବେ ନାହିଁ ?

 

ଏଇ...ମିଠାଇ ନେବା ଲାଗି ଗ୍ରାମର ପିଲାଏ ସେଠି କଳହ ଆରମ୍ଭ କରି ଦେଲେଣି । ଆଗ ନେବାଲାଗି ଏ ପ୍ରତିଯୋଗିତା । ଆଗ ହେବା ପାଇଁ ପ୍ରତିଯୋଗିତା କରି ଶିଖିଲେଣି ସେମାନେ ।

 

ବିପ୍ରଚରଣର ପୁଅ ଆଉ କିଛି ବର୍ଷ ପରେ ଏମାନଙ୍କ ସାଙ୍ଗରେ ମିଶିଯିବ । ଏମିତି ମିଠାଇ ମାଗିବ, କଳହ କରିବ, ଦୁଷ୍ଟାମି ବାହାର କରିବ, ଆଉ...

 

ନା, ନା, ବିପ୍ରଚରଣ ତାକୁ ଏସବୁ ଶିଖିବାକୁ କଦାପି ପ୍ରଶ୍ରୟ ଦେବ ନାହିଁ । ସେ ତାର ଦୁଷ୍ଟାମିକୁ ଅବଶ୍ୟ ଜବତ୍ କରିବ । ଶାସନ କରି ତାକୁ ପାଠ ପଢ଼ାଇବ । ଅନ୍ତତଃ ତା’ ପରି ଯେମିତି ନ ହୁଏ...

 

ତା’ ପରି !

 

ବିପ୍ରଚରଣ ଚମକି ଉଠିଲା–ବାପା–ତାକୁ କହୁଛନ୍ତି କୁଳାଙ୍ଗାର...ସ୍ତ୍ରୀ କହୁଛି–‘ଅମଣିଷ’, ତା’ ହାତଧରି ସେ ଟିକେ ବାହାର ଦୁନିଆ ଦେଖି ପାରିଲା ନାହିଁ । ତା’ ପରିବାର କହୁଛି–ତା ଛଣ ଛପର ଘର ପରିବର୍ତ୍ତନ ହୋଇ ପାରିଲା ନାହିଁ । ଆଉ ଦେଶ, ତା’ ଭଳି ଜଣେ ଉଦରସର୍ବସ୍ଵ କୁମ୍ଭକର୍ଣ୍ଣଠାରୁ ଦେଶ କ’ଣ ବା ଆଶା କରିବ ? ଅଥଚ...ଅଥଚ ବିପ୍ରଚରଣ ଜନ୍ମଦିନ ତା’ ବାପା କେତେ ଇମିତି ଆନନ୍ଦ ହୋଇନଥିଲେ ?

 

ଏବେ ବି ବାପା କହନ୍ତି...ନ ଶୁଣିଲାପରି ସେସବୁ ଏଡ଼ାଇ ଦେଇଯାଏ ସେ ସିନା, ହେଲେ, ସେସବୁ କଥା କଣ ମିଥ୍ୟା ବୋଲି ସେ ଅସ୍ଵୀକାର କରିପାରେ ?

 

ଦୁଃଖ ହୁଏ...

 

ଆଖିକୁ ପାଣି ଆସିଯାଏ...

 

ପାଠ ପଢ଼ିବାକୁ ଯାଇଁ ସେତେବେଳେ ସେ ଯଦି ବାଟରେ ଲୁଚୁ ନଥାନ୍ତା, ସ୍କୁଲ ଦରମା ଯଦି ସେ ଗୁଡ଼ିଆ ଦୋକାନରେ ଦେଉ ନଥାନ୍ତା, ମାଡ଼ ଭୟରୁ ନିଜକୁ ରକ୍ଷା କରିବାକୁ ବାପାଙ୍କ ଆଗରେ ସେ ଯଦି ମିଛ କହୁ ନଥାନ୍ତା, ଗୋଟାଏ ଗୋଟାଏ ଶ୍ରେଣୀରେ ଏତେ ଏତେ ବର୍ଷ ବିଶ୍ରାମ ସେ ବା କାହିଁକି କରିଥାନ୍ତା ! ଆଉ ଆଜି କାହିଁକି ତାକୁ ସମସ୍ତଙ୍କ ପାଖରେ ମୁହଁ ଲୁଚାଇବାକୁ ପଡ଼ୁଥାଆନ୍ତା !

 

ନିଜ ଉପରେ ଚରମ ଅଭିମାନ ଜାଗେ...

 

ଅତୀତର ଭ୍ରମ ତଥାପି ସେ ସଂଶୋଧନ କରିପାରେନା...ଏ ଜୀବନରେ ‘ବଡ଼’ ହେବାର ଏକ ବଡ଼ ଅବଶୋଷ ତାର ଯିମିତି ରହିଯାଇଛି...

 

ଆଜି ବିପ୍ରଚରଣର ପୁଅ ହୋଇଛି । ତିନୋଟି କନ୍ୟା ଜନ୍ମପରେ ତା ପିତୃତ୍ୱ ଉପରେ ତା’ର ପରିବାର ସନ୍ଦେହ ପ୍ରକାଶ କରିଥିଲା, ଆଉ ପୁତ୍ରସନ୍ତାନ ଜନ୍ମ ହେବେ ନାହିଁ ବୋଲି ସମସ୍ତେ କିମିତି ବିଶ୍ଵାସ କରି ଯାଇଥିଲେ, ଥରକୁ ଥର ଏନ୍ତୁଡ଼ି ଘରେ ପଶି ଯାଇଁ ଆଶା ଆବେଗରେ ବୋଉ ପଚାରିଥିଲା–କ’ଣ ହୋଇଛି ?

 

ଝିଅ...

 

–ମଲା, ପୁଣି ସେଇଥିରୁ ଗୋଟାଏ... ! ରାଗରେ, ଅଭିମାନରେ ମୁହଁ ବୁଲାଇ ନେଉଥିଲା ବୋଉ, ଏପରି କି ଝିଅଟିକୁ ଆଡ଼ଆଖିରେ ଦେଖିବାକୁ ତା’ର ଇଚ୍ଛା ହେଉ ନଥିଲା...

 

ଆଜି କିନ୍ତୁ ପୁଅ ହୋଇଛି, ସେଇଥିଲାଗି ତ ସୃଷ୍ଟି ହୋଇଛି ଏ ଗହଳି !

 

ପୁଅ ହେଲେ ପିତାମାତାଙ୍କୁ ପୁତ୍‍ ନାମକ ନର୍କରୁ ପରିତ୍ରାଣ ମିଳେ ବୋଲି ପୁରାଣ ଘୋଷଣା କରୁଛି । ସମାଜ କହେ ପୁଅ ହେଲେ ବଂଶରକ୍ଷା ହେବ । ବାପ, ମାଆ ବି ଭାବନ୍ତି ପୁଅ ହେଲେ ଶେଷ ଜୀବନ ତାଙ୍କର ସୁଖରେ କଟିଯିବ, ମୃତ୍ୟୁପରେ ପିଣ୍ଡପାଣି ପାଇବେ । ସେଇଥି ଲାଗିତ ସଂସାରରେ ସମସ୍ତେ ଚାହାଁନ୍ତି ପୁଅ...

 

ପୁଅ–ପୁଅ

 

ଭବିଷ୍ୟତରେ ସେ ପୁତ୍ର ଅଜାତଶତ୍ରୁ ଭଳି ପିତାକୁ ତା’ର କାରାରୁଦ୍ଧ କରିପାରେ, ବୃଦ୍ଧଦେବଙ୍କ ଭଳି ସନ୍ୟାସବ୍ରତ ଅବଲମ୍ବନ କରିପାରେ, ରାମଚନ୍ଦ୍ରଙ୍କଭଳି ପିତୃସତ୍ୟ ପାଳନ କରିପାରେ, ଅଥବା କୃଷ୍ଣଙ୍କ ଭଳି ପିତାମାତାଙ୍କ ଦୁଃଖ ହରଣ କରିବାକୁ ଦୁଷ୍ଟଦଳନ କରିପାରେ, ସେଥିପ୍ରତି ଆଜହୁଁ କିନ୍ତୁ ଭ୍ରୂକ୍ଷେପ ନାହିଁ ତା’ର । କାରଣ ଅନ୍ଧକାର ଭବିଷ୍ୟତ ବିଷୟରେ ଭାବି ସମୟ ନଷ୍ଟ କରିବା ଆହୁରି ଏକ ବୋକାମି । ଯା’ ହେବାର ଥିବ, ତା ଅବଶ୍ୟ ହେବ, ତଥାପି ବିପ୍ରଚରଣ ମନରେ କି ଅମାପ ଆନନ୍ଦ ! ମନରେ ତା’ର କି ଚରମ ଆଶ୍ୱସ୍ତି । ଅନ୍ତତଃ ଯୌତୁକଜଞ୍ଜାଳରୁ ତାକୁ ଟିକେ ତ୍ରାହି ମିଳିବ ତ !

 

ବିପ୍ରଚରଣର ପୁଅ ହୋଇଛି...

 

ଏ ଜନବହୁଳ ଶତାବ୍ଦୀରେ, ଯେତେବେଳେ ତୃତୀୟ ସନ୍ତାନର ସ୍ଥାନ ଏଠି ନାହିଁ, ସେତେବେଳେ ବିପ୍ରଚରଣର ଚତୁର୍ଥ ସନ୍ତାନ ସମ୍ବାଦ ଅପ୍ରୀତିକର ହୋଇପାରେ । ତଥାପି ସେ ଆଜି ନ ହସି ରହିପାରିବ ନାହିଁ । କାରଣ ତା’ର ପୁଅ ହୋଇଛି । ତା’ର ସ୍ତ୍ରୀର କରୁଣ ପ୍ରାର୍ଥନା ଭଗବାନ ଶୁଣିଛନ୍ତି । ତା’ର ପୂଜା ଆରାଧନା ବ୍ୟର୍ଥ ହୋଇନି ।

 

ସେ ପୁତ୍ର ସନ୍ତାନ ଭାବିଷ୍ୟତରେ ଖାଦ୍ୟ ନ ପାଉ, ସେ ପୁତ୍ର ସନ୍ତାନ ଏ ଜନବହୁଳ ରାଷ୍ଟ୍ରର ଅମଙ୍ଗଳର କାରଣ ହେଉ, ଅଥବା ଏ ଦେଶର ଗଳଗ୍ରହ ହେଉ, ତଥାପି ବିପ୍ରଚରଣ ହସିବ, କାରଣ ତାର ପୁଅ ହୋଇଛି । ଅନ୍ତତଃ ଅପୁତ୍ରକ ଅପବାଦରୁ ତାକୁ ମୁକ୍ତି ମିଳିଛି । ତା’ର ବଂଶ ନାଶର ଭୟ ଆଉ ନାହିଁ । ତାର ପୁତ୍ ନାମକ ନର୍କରେ ପଡ଼ିବାର ଆଶଙ୍କା ଆଉ ନାହିଁ......

 

ବିପ୍ରଚରଣ ମନରେ ରହେ ଆନନ୍ଦ ଚାପିନେଇ ଉଠିଲା–ନା, ସେ ପୁତ୍ରକୁ ମଣିଷ ଭଳି ମଣିଷଟିଏ କରିବ । ନିଜେ ଅମଣିଷ ହୋଇଥିବା ଦୁଃଖର ଅନୁଭୂତି ଥାଇ ସେ ଆଉ ତାକୁ ପଶୁ କରିଦେବାକୁ ଛାଡ଼ି ଦେବ ନାହିଁ । ନିଜର ସମସ୍ତ ଶକ୍ତି, ସାମର୍ଥ୍ୟ, ସଞ୍ଚିତ ଅର୍ଥର ବିନିମୟରେ ସେ ତାକୁ ମଣିଷ କରି ଗଢ଼ି ତୋଳିବ । ତା’ ନ ହେଲେ ବୃଦ୍ଧ ବୟସରେ ତା’ ବାପାଙ୍କର ମନସ୍ତାପକୁ ତାକୁ ପୁଣି ନିଜର କରିନେବାକୁ ପଡ଼ିବ ଯେ...

 

ବିପ୍ରଚରଣ ପାଦ ମାପି ମାପି ଆଗେଇଲା–ଆଗରେ ତାର କର୍ତ୍ତବ୍ୟ । ପୁଅ ହେବାଠାରୁ ପୁଅକୁ ମଣିଷ କରିବାର ଦାୟିତ୍ଵ ତା’ ପାଖରେ ବେଶୀ । ତା ଛଡ଼ା ପ୍ରସୂତୀ...

 

ପ୍ରସୂତୀ ଆଉ ପୁଅ...

 

ବିପ୍ରଚରଣ ଏବଂ ତାର କର୍ତ୍ତବ୍ୟ...

 

ଭବିଷ୍ୟତ ଏବଂ ଭାଗ୍ୟ...

 

ବିପ୍ରଚରଣ ଦାର୍ଶନିକ ଭଳି ନିଜ ମୁଣ୍ଡକୁ ଗୋଳମାଳ କରୁଥିଲା ।

 

ଆଉ ପିଲାଏ ବିପ୍ରଚରଣକୁ ବେଢ଼ିଯାଇ ମାଗୁଥିଲେ–ମିଠେଇ ଦିଅ, ମିଠାଇ !”

☆☆☆

 

ତ୍ରିଶଙ୍କୁ

 

ତରୁଣ ମନର ସବୁଜ ସ୍ଵପ୍ନ !

 

ଆହା, ଆହା.... ।

 

ଭାନୁଚନ୍ଦ୍ରର ଅନ୍ତର–କପୋତୀ ବିକଳଭାବେ ବିଳପି ଉଠେ, ବ୍ୟର୍ଥ ବିଭକ୍ତ–ବେଦନା ବିଷ; ଦହନର ଜ୍ୱାଳାରେ ସେ ବ୍ୟଥିତ–ଅତିଷ୍ଠ ହୋଇ କହି ଉଠେ ନା–ନା । ସେ ତରୁଣ ମନର ସବୁଜ ସ୍ଵପ୍ନ ଏ ବୟସର ମନରେ କୌଣସି ଆଲୋଡ଼ନ ସୃଷ୍ଟି କରି ନପାରେ । ଏ ବୟସରେ ସେ ସ୍ୱପ୍ନର ମୂଲ୍ୟାଙ୍କନ କରିବାର ମାନେ ଇ କିଛି ନାହିଁ ।

 

ଅନେକ ଥର ସେ ଭାବିଛି, ଅତୀତଟାକୁ ସେ ସଂପୂର୍ଣ୍ଣ ଭୁଲିଯିବ, ଭୁଲିଯିବ ଦେଖିଥିବା ଅସଂଖ୍ୟ ରାତ୍ରିର ଅପର୍ଯ୍ୟାପ୍ତ ଦୁଃସ୍ଵପ୍ନ ଭଳି, କିନ୍ତୁ ନା, ସେ ପାରିନାହିଁ, କିମିତି ବା ଭୁଲିପାରିବ ? ନିଜ ଦେହରେ ସେ ଯାହା ଦାହ କରିଛି, ତା’କୁ ଭୁଲିଯିବା କ’ଣ ଏତେ ସହଜ ! ! ! ବରଂ ରାଜପଥରେ ପରିଭ୍ରମଣ କଲାବେଳେ ତା ଜୀବନ ଚଲାପଥର ଗଲା ପଥଆଡ଼େ ସେ ଫେରି ଚାହେଁ । କ୍ଷଣକ ଲାଗି ତା ପାଖରେ ଅତୀତଟା ବର୍ତ୍ତମାନ ହୋଇଉଠେ । ସେ ଅତୀତର ସୁନୀଳ କଳ୍ପନାର ସ୍ମୃତିକୁ ମନେ ପକାଇବାକୁ ତା’ର କାହିଁକି ଉଚ୍ଚାଟ ଆଗ୍ରହ ଜାତହୁଏ, ତନୁ ମନ ପୁଲକି ଉଠେ ତାର.... ।

 

ତାର ମାନଶ୍ଚକ୍ଷୁରେ ସେ ଅତୀତର ସ୍ମୃତି ସବୁ ପ୍ରତିଭାତ ହୋଇ ଉଠେ ।

 

ଭାନୁଚନ୍ଦ୍ର ଫେରି ଚାହିଁଲା, ପଛରେ ପଡ଼ିରହିଲା ଅନେକ ରାସ୍ତା । ଏଥିଭିତରେ ସେ ଅନେକ ପଥ ଆଗେଇ ଆସିଛି । ଆଗରେ ଆହୁରି ଅନେକ ପଥ ଅଛି । ସେ ପଥ ଖାଲ, ଢିପ, ପାଣି କାଦୁଅର ପଥ, ତାକୁ ସେ ପଥ ଅତିକ୍ରମ କରିବାକୁ ପଡ଼ିବ.... ।

 

ଭାନୁଚନ୍ଦ୍ର ନିଜ ଶରୀରର ସମସ୍ତ ବଳ ପ୍ରୟୋଗ କରି ହ୍ୟାଣ୍ଡେଲ ଧରିଲା, ତାର ସାଧ୍ୟାତୀତ ପରିଶ୍ରମ କରି ପ୍ୟାଡ଼େଲ ଘୂରାଇଲା । କିନ୍ତୁ ଏତେ ପରିଶ୍ରମ କରିବା ସତ୍ତ୍ୱେ ବି ସାଇକେଲର ଗତିରେ ବିଶେଷ କିଛି ପରିବର୍ତ୍ତନ ଦେଖାଗଲା ନାହିଁ ।

 

ଏକ ଦୟନୀୟ ଚାହାଣିରେ ସେ ସାଇକେଲଟିକୁ ଚାହିଁଲା–ତା ପତ୍ନୀ–ପିତାଙ୍କର ଶୁଭେଚ୍ଛାରୁ ସେହିଟିକି ସେ ପାଇଛି । ସେ ଆଜକୁ ଆଠବର୍ଷ ତଳର କଥା, ସେଇ କାଳୁ ସେ ଏଇ ସାଇକେଲକୁ ମରାମତି କରି ପାରି ନାହିଁ । ମରାମତି କରିବାକୁ ଯେ ତାର ମନ ନାହିଁ, ୟା ନୁହେଁ, ବରଂ ପଇସା ଅଭାବ ଯୋଗୁଁ ସେ ବାଧ୍ୟ ହୋଇ ସେ ଚିନ୍ତା କରିନି; କାରଣ ସାଇକେଲ ମରାମତି ଲାଗି ଯେ ପଇସା ଲୋଡ଼ା–କେଉଁଠୁ ସେ ପାଇବ ?

 

ପଇସା ! ଅର୍ଥ ! ପୁଞ୍ଜି !

 

ଭାନୁଚନ୍ଦ୍ର ଦେଖିଲା–ଏଇ କେଇଟା ଶବ୍ଦ ତା ଦେହରେ ଯିମିତି ଶେଳଘାତ କରୁଛି । ଯିମିତି ଏକ ଅବ୍ୟକ୍ତ ଯନ୍ତ୍ରଣା ସେ ଅନୁଭବ କରୁଛି ତାର ପ୍ରତି ଶିରା ପ୍ରଶିରାରେ..... ।

 

ଆଉ ଥରେ ସେହି ନାମଟିକୁ ସ୍ମରଣ କଲା ଭାନୁଚନ୍ଦ୍ର, “ପଇସା” ତା ମନେ ପଡ଼ିଗଲା କେଉଁ ଏକ ନାମଅଜଣା କବିର ସେହି ଗୀତ ପଦଟି ।

 

ପଇସା ଜଗତେ ସାର ଜାଗ୍ରତ ଦେବତା

ଗତି ମୁକ୍ତିଦାତା କୋଟି କାମକଳ୍ପଲତା ।

 

ଭାନୁଚନ୍ଦ୍ର ହସିବାକୁ ବାଧ୍ୟ ହେଲା–ବାସ୍ତବିକ ପଇସାହିଁ ଜଗତରେ ଜାଗ୍ରତ ଦେବତା, ଯାହା ପାଖରେ ପଇସା ଅଛି, ପ୍ରଚୁର ପଇସା ଅଛି, ସେ ମୂର୍ଖ ହେଲେ ବି ଏ ଯୁଗରେ ତାର କାଟ୍‍ତି ଅଛି । ତା’ଲାଗି ଏକ ଉଚ୍ଚାସନ ସମାଜରେ ଅଛି; କିନ୍ତୁ ଯାହା ପାଖରେ ପଇସା ନାହିଁ, ସିଏ ?

 

ସିଏ ଏ ଜୀବନ–ଯୁଦ୍ଧରେ ହାରିଯିବ ନିଶ୍ଚୟ । ଅଭାବ ଅନାଟନର ତୀବ୍ର କଷାଘାତ ସହି ନ ପାରି ସେ ଖାଲି ଆର୍ତ୍ତ ଚିତ୍କାର କରୁଥିବ । ତାକୁ ମୁକ୍ତି ଦେଇ ପାରିବେନି କେହି । ବରଂ ବିଦ୍ରୂପ କରିବେ, ପୁଞ୍ଜିପତିମାନେ କଠୋର ସମାଲୋଚନା କରିବେ, ତାକୁ ଘୃଣା କରି ଘଉଡ଼ାଇ ଦେବେ–ଯା, ଯା, କାଙ୍ଗାଳ କୁକୁର... ।

 

ଇସ୍‍–ଇସ୍, ଭାନୁଚନ୍ଦ୍ର କାନ୍ଦିବ ଖୁବ୍ ଜୋରରେ, ଏଥର କାନ୍ଦିବ । କାରଣ ତା’ର କାନ୍ଦିବାର ସମୟ ଆସିଛି । ସିଏ କାନ୍ଦିବ ନାହିଁ ତ ଆଉ ତା ଲାଗି କାନ୍ଦିବ କିଏ ?

 

ନା, ତାକୁ କାନ୍ଦିବାକୁହିଁ ପଡ଼ିବ; କାରଣ ସେ ପାପ କରିଛି । ସେ ନିଜର ପେଟ ପୂରାଇବାର ପୂର୍ବରୁ ଦେଶ ଓ ଜାତିର ଭୋକିଲା ପେଟକୁ ପୂରାଇବାକୁ ଚାହିଁଛି । ଇଏ ତାର ପାପ । ସେ ଜାଣି ଜାଣି ଅର୍ଥ ଉପାର୍ଜ୍ଜନ ପଥକୁ ଛାଡ଼ି ଆସିଛି, ସେ ନିର୍ବୋଧ ।

 

ଭାନୁଚନ୍ଦ୍ର ଚିତ୍କାର କରି ଉଠିଲା–ଧେତ୍ । ତା’ପରେ ସେ ସାଇକେଲର ବ୍ରେକକୁ ଜାବୁଡ଼ି ଧରିଲା, ବ୍ରେକ୍ କଷିଲା, ଅସ୍ପଷ୍ଟ ଚିତ୍କାର କରି ସ୍ଥିର ହେଲା ଗାଡ଼ି । ଭାନୁଚନ୍ଦ୍ର ଦୀର୍ଘ ନିଶ୍ଵାସ ପାତ କଲା–ଯା ହେଉ, ତା ପୈତୃକ ପ୍ରାଣଟା ରକ୍ଷା ପାଇଗଲା ।

 

ପୈତୃକ ପ୍ରାଣ ! –ନୁହେଁ ତ ଆଉ କଣ ? ଯାଉଁ ଯାଉଁ ଭାନୁଚନ୍ଦ୍ର ଭାବିଲା, ହଁ ଆକୁ ଆଉ କ’ଣ କୁହାଯାଇ ପାରେ ? ଏ ପ୍ରାଣଟା ଉପରେ ତାର କି ଅଧିକାର ଅଛି ? ବରଂ ୟା ଉପରେ ଖାଲି ଅତ୍ୟାଚାର କରିବା ସେ ଶିଖିଛି ଏବଂ ଏ ପ୍ରାଣକୁ କନ୍ଦାଇ ସେ ଅର୍ଥ ଉପାର୍ଜ୍ଜନ କରୁଛି–ସେହି ଅର୍ଥରେ ପ୍ରତିପାଳିତ ହେଉଛନ୍ତି ତା’ର ବାପା, ମା, ଆଉ ଚାରୋଟି ସନ୍ତାନ । ସେ ଏମାନଙ୍କୁ ଅବହେଳିତ କରିପାରିବ ନାହିଁ । ଯଦି ସେ ବେଖିଆଲି ମନରେ ଏଥିପ୍ରତି ଅବହେଳା କରେ, ତା’ହେଲେ ସଭ୍ୟ ମାନବ ତାକୁ ଘୃଣାକରି କହିବେ–ଏଇ ପାଠ ପଢ଼ିଥିଲା ଭାନୁଚନ୍ଦ୍ର, ଦେଖ, ପାଠ ପଢ଼ି କ’ଣ ହେବ ? ବାପା ମାଙ୍କୁ ପୋଷି ପାରୁ ନାହିଁ, ତିନିଦିନରେ ଥରେ ଖାଇବାକୁ ତାର ପିଲା ପାଉ ନାହାନ୍ତି, ଲାଭ କ’ଣ ? ଖାଲି ଗୁଡ଼ାଏ ପାଠ ପଢ଼ି ତ କେହି କେବେ ମଣିଷ ହୁଏ ନାହିଁ, ମଣିଷ ହେବାକୁ ହେଲେ ପ୍ରଚୁର ଅର୍ଥ ଦରକାର, କାର୍ ଦରକାର, ମୋଟରଗାଡ଼ି ଦରକାର ଆଉ ବ୍ୟାଙ୍କ ବାଲାନ୍‍ସ ଦରକାର । ବାସ୍ତବିକ ନିଷ୍ଠୁର ଧ୍ରୁବ ସତ୍ୟ ଇଏ । ତା ବାପ ମା ଦିନେ ସ୍ଵପ୍ନ ଦେଖିଥିଲେ ଭାନୁ ଆମର ପାଠ ପଢୁ଼ଛି, ବଡ଼ ମଣିଷ ହେବ, ଅପର୍ଯ୍ୟାପ୍ତ ଅର୍ଥ ଉପାର୍ଜ୍ଜନ କରିବ, ଆମେ ଶେଷଜୀବନକୁ ସୁଖ ସମ୍ଭୋଗରେ କଟାଇବୁ । ସେଇଥିପାଇଁ ସେ ତାଙ୍କ ସଞ୍ଚିତ ଧନକୁ ତା ପିଛାରେ ଉଡ଼ାଇଛନ୍ତି । କାରଣ, “ପୁଅ ଯଦି ଯୋଗ୍ୟର ହୁଏ ଧନ କାହିଁ ପାଇଁ ସଞ୍ଚୁ, ପୁଅ ଯଦି ଅଯୋଗ୍ୟ ହୁଏ ଧନ କାହିଁପାଇଁ ସଞ୍ଚୁ”–ଏହି ମହାନ ଆଦର୍ଶରେ ଅନୁପ୍ରାଣିତ ହୋଇ ସେ ତାକୁ ପାଠ ପଢ଼ାଇଥିଲେ । କିନ୍ତୁ ଆଜି ? ଆଜି ତାଙ୍କର ସେ ସ୍ଵପ୍ନ ଉଭେଇ ଯାଇଛି । ସେ ଆଜି ନିଶ୍ଚିତ ରୂପେ ଜାଣି ଗଲେଣି, ସେ ଯେଉଁ ପଥରେ ଧାଇଁଥିଲେ ତାହା ଏକ ମରୀଚିକା ପଥଛଡ଼ା ଅନ୍ୟ କିଛି ନୁହେଁ । ଏବଂ ଅନେକ ଥର ପ୍ରକାଶ୍ୟରେ ସେ ଏଇକଥା କହିଲେଣି ।

 

ବେଳେ ବେଳେ ତାଙ୍କର ଏ ଅପ୍ରିୟ ସତ୍ୟ କଥା ଶୁଣି ଭାନୁଚନ୍ଦ୍ର ବିରକ୍ତ ହୁଏ । ବଡ଼ ବଡ଼ ନୀତି ବାଗୀଶଙ୍କର ବାଣୀ ଶୁଣାଏ ଏବଂ ସେଗୁଡ଼ାକ ନିଜେ ମନେ ପକାଇ ନିଜକୁ ଶାନ୍ତ କରାଏ ।

 

ଭାନୁଚନ୍ଦ୍ର ଅଟକି ଗଲା, ଆରେ ସେ ଏଠି ପହଞ୍ଚି ଗଲାଣି !

 

ଭାନୁଚନ୍ଦ୍ର ପୋଲର ବାଡ଼ାରେ ସାଇକେଲ ଡେରି ଏକ ସୁସ୍ଥିର ନିଶ୍ଵାସ ମାରିଲା । ତା’ପରେ ସେ ଚତୁର୍ଦ୍ଦିଗକୁ ଥରେ ତରଙ୍ଗ ତରଙ୍ଗ କରି ଚାହିଁଲା । ରାସ୍ତାର ଦୁଇପାର୍ଶ୍ୱରେ “ଆ–ଦିଗନ୍ତ”, ବିସ୍ତାରୀ ଶସ୍ୟଶ୍ୟାମଳା ଧରିତ୍ରୀ । ଚଷାପୁଅର ଅକ୍ଳାନ୍ତ ପରିଶ୍ରମର ଚରମ ସ୍ୱାକ୍ଷର । ଭାନୁଚନ୍ଦ୍ରର ମନରେ ଏକ ଦାର୍ଶନିକ ଭାବ ଜାଗି ଉଠିଲା । ଯେଉଁମାନେ ଆଦ୍ୟ ଯୌବନରେ ଏଇ ଚଷାପୁଅଙ୍କ ଭଳି ଅକ୍ଳାନ୍ତ ପରିଶ୍ରମ କରିଛନ୍ତି ଆଜି ସେମାନଙ୍କର ପରିବାର ଏମିତି ଶସ୍ୟଶ୍ୟାମଳା ହୋଇ ଉଠିଛି । ଆଉ ଯେଉଁମାନେ ସେ ବୟସରେ ଦରିଦ୍ର ପଞ୍ଚାକ୍ଷର “କ’ଣ କରିବା” ଭାବି ଭାବି ଦିନ ବିତାଇ ଦେଇଛନ୍ତି, ସେମାନଙ୍କର ଜୀବନ ଏଇ ରାସ୍ତାଟି ଭଳି ଧୂସର, ବିବର୍ଣ୍ଣ, ଏଇ ରାସ୍ତାଭଳି ସେ ଲକ୍ଷ୍ୟ ପଦାଘାତ ଖାଉଥିଲେହେଁ ପ୍ରତିବାଦ କରି ପାରୁନାହାନ୍ତି । ତେବେ ଏ ଅବସ୍ଥା ତାଙ୍କର କ’ଣ ପରିବର୍ତ୍ତନ ହେବ ନାହିଁ ?

 

ଭାନୁଚନ୍ଦ୍ର ଥରେ ସେ ରାସ୍ତାଟା ଉପରକୁ ଏକ ଦୟନୀୟ ଚାହାଣୀରେ ଚାହିଁଲା । ଏକ ବିରାଟ ଅଜଗର ସାପ ଭଳି ଅନେକ ଦିନୁ ସେ ଶୋଇ ରହିଛି, ଅଥଚ ତା’ର ପରିବର୍ତ୍ତନ ହୋଇ ପାରିନାହିଁ ।

 

ଅନେକ ଥର ସମ୍ବାଦପତ୍ର ପୃଷ୍ଠାରୁ ପଢ଼ିଛି ଭାନୁଚନ୍ଦ୍ର–ସ୍ଵାଧୀନତା ପ୍ରାପ୍ତି ପରେ ଓଡ଼ିଶା ସରକାର ପଞ୍ଚବାର୍ଷିକ ଯୋଜନା କରି ଦେଶର ଢେର ଢେର ଉନ୍ନତି କରୁଛନ୍ତି । ନୂତନ ରାସ୍ତା, ପୋଲ ଘାଟ ପ୍ରଭୃତି ନିର୍ମାଣ କରୁଅଛନ୍ତି । ଅଥଚ ଏ ପୁରାତନ ରାସ୍ତାକୁ ନିର୍ମାଣ କଲେ କ’ଣ ହୁଅନ୍ତା ନାହିଁ ? ନା, ତା କରିବେନି, ପଞ୍ଚବାର୍ଷିକ ଯୋଜନା ପୁରାତନ ରାସ୍ତା ଘାଟ ନିର୍ମାଣ ପାଇଁ ହୁଏ ନାହିଁ, ତା କଲେ ସରକାରଙ୍କର ବାହାଦୁରୀ ରହିବ କେଉଁଠି ?

 

ହସିଲା ଭାନୁଚନ୍ଦ୍ର ଶବ୍ଦ ସୃଷ୍ଟି କରି ଏଥର । ତା’ ପରେ ସେ ଚାହିଁଲା–ଆକାଶରୁ ଦିନାନ୍ତର ରଙ୍ଗ କେତେବେଳୁ ଲିଭି ଗଲାଣି । ପୂର୍ବଦିଗରୁ ଘନେଇ ଆସିଲାଣି ଅନ୍ଧାର, ଏଇ ଶୁତ୍ର ତାରାଟି ସେଠି ଆଖି ମିଟିକା ମାରି କହିଲାଣି ରାତି ଆସୁଛି–ଅନ୍ଧାର ରାତି ।

 

ଭାନୁଚନ୍ଦ୍ର ଭାବିଲା ଦିନର ପରିଷ୍କାର ଆଲୋକ ପରେ ରାତିର ଅନ୍ଧାର ଘୋଟିଆସିବ । କି ନିଚ୍ଛୁକ ସତ କଥା ! ଯେମିତି ସୁଖ ପରେ ଦୁଃଖ ଆସିବା ନିଷ୍ଠୁର ସତ୍ୟକଥା, ତେବେ ତାର ତ ଆଜି ଦୁଃଖର ଦିନ ଆସିଛି, ନିଶ୍ଚୟ ସୁଖର ଦିନ ଆସିବ ।

 

ଆଶ୍ୱସ୍ତି ଅନୁଭବ କଲା ଭାନୁଚନ୍ଦ୍ର, ନିଜ ମନକୁ ସାନ୍ତ୍ଵନା ଦେଇ ସେ ପୁଣି ଥରେ ଚତୁର୍ଦ୍ଦିଗକୁ ଚାହିଁଲା–ଏଇ ଘୋଟି ଆସିଲାଣି ଅନ୍ଧାର, ଘନ ଅନ୍ଧାର–ଏଥର ଡାହାଣୀ, ଚିରୁଗୁଣୀ, ପିତାଶୁଣୀ ଆଲୁଅ ଜାଳି ବାହାରିବେ ତାକୁ ଡରାଇବାକୁ ପଛାଇବେ ନାହିଁ । ଯେମିତି ଦୁଃଖୀଲୋକଙ୍କୁ ପ୍ରବଳ ପ୍ରତାପୀ ପୁଞ୍ଜି ପତିମାନେ ଡରାଇବାକୁ ପଛାନ୍ତି ନାହିଁ । ନା, ଆଉ ଦଣ୍ଡେ ସେ ରହିବ ନାହିଁ । ନା, ଆଉ ଦଣ୍ଡେ ସେ ରହିବ ନାହିଁ । ସେ ଯଥାଶୀଘ୍ର ଚାଲିଯିବ–କେଉଁଠିକି ? ଭାନୁଚନ୍ଦ୍ରର ମନେ ପଡ଼ିଲା ଘର, ଯେଉଁ ଘରକୁ ତା’ର ପୂର୍ବ ପୁରୁଷମାନେ ନିଜର କରି ଆସିଥିଲେ । ଆଉ ସେବି ତାକୁ ନିଜର କରିଛି । ସେଇଠିକି ! ସ୍ତ୍ରୀ ତରଙ୍ଗମାଳା ଚୂଡ଼ା କିମ୍ଵା ଚାଉଳ ଭାଜି ତା ଆଗମନୀ ପଥକୁ ଚାହିଁ ରହିଥିବ । ଆଉ ତାର ଆତ୍ମଜ ସନ୍ତାନଗଣ ଚାହିଁଥିବେ, ବାପା ଆସିବେ । ମିଠାଇ ଆଣିବେ....ଘରେ ପହଞ୍ଚୁ ପହଞ୍ଚୁ ବାପା ଖର୍ଚ୍ଚର ଦୀର୍ଘ ତାଲିକା ଦେବେ, ବୋଉ ଏ ଶୁଖିଲା ଦେହ ଦେଖି ଅଭିଯୋଗ କରିବ । ଆଉ ଅଭିଯୋଗ କରିବ ତାର ସ୍ତ୍ରୀ, ଚୁନ, ପାଉଁଶ, ଶାଢ଼ି ଓ ଗହଣା ଆଣିଛ କି ?

 

ଭାନୁଚନ୍ଦ୍ର ଏକ ଅସହାୟ ଚାହାଣିରେ ଚାହିଁଲା । ତରଙ୍ଗମାଳାକୁ ତାର ପିତମାତା ଅପର୍ଯ୍ୟାପ୍ତ ଯୌତୁକ ଦେଇ ଯେତେବେଳେ ତା କରରେ ଛନ୍ଦିଦେଲେ, ସେତେବେଳେ ସେ ଭାବିଥିଲେ, ଭାନୁଚନ୍ଦ୍ର ଭଳି ସୁଯୋଗ୍ୟ ପାତ୍ର କରରେ ତାଙ୍କ କନ୍ୟାକୁ ଅର୍ପଣ କରି ସେ ନିଶ୍ଚିନ୍ତ ହେବେ; କାରଣ ତାଙ୍କର କନ୍ୟା ନିଶ୍ଚୟ ସୁଖ ସମ୍ଭୋଗରେ କାଳ କାଟିବ । ତରଙ୍ଗମାଳା ହୁଏତ ଭାବିଥିଲା ସେଇଆ, କିନ୍ତୁ ହାୟ, ସେ ଆଜି ତାର ଆଶା ପୂରଣ କରିପାରୁ ନାହିଁ ।

 

ଭାନୁଚନ୍ଦ୍ର ବିରକ୍ତ ହୋଇଉଠିଲା । ଏଇ ବିରକ୍ତ ହେବା ତାର ଯେମିତି ଗୋଟିଏ ଅଭ୍ୟାସରେ ପଡ଼ିଗଲାଣି । କାରଣ ସେ ଜାଣୁଛି, ଏ ବୋଝ ସମ୍ଭାଳିବାକୁ ତାର ଶକ୍ତି ନାହିଁ । ତେଣୁ ସେ ଅନେକ ଥର ଭାବିଛି ସେ ବାବାଜୀ ହୋଇଯିବ । କିନ୍ତୁ ଯଦି କେବେ ତାକୁ କାଳିଆବୋଦା ବାବାଜୀଙ୍କ ଭଳି ହେବାକୁ ପଡ଼େ ?

 

ନା, ସେ ଆଉ ଦଣ୍ଡେ ଏଠି ଅପେକ୍ଷା କରିବ ନାହିଁ । ଘରକୁ ଯିବାକୁ ଇଚ୍ଛା ହେଉ ନଥିଲେ ମଧ୍ୟ ତାକୁ ଯିବାକୁ ପଡ଼ିବ । ତା ନ ହେଲେ ଏ ବସ୍ତୁବାଦୀ ଦୁନିଆରେ ମୁଣ୍ଡ ଗୁଞ୍ଜିବାକୁ ସ୍ଥାନ ନାହିଁ ଯେ.... ।

 

ଭାନୁଚନ୍ଦ୍ର ସାଇକେଲ ଧରିଲା ।

 

ସେଇ ତରୁଣ ବୟସର ପାଗଳାମି କଥା ଆଜି ମନେ ପଡ଼ିଲେ, ମନେପଡ଼େ ମିସେସ୍ ମାର୍ଗାରେଟଙ୍କ କଥା । ମାର୍ଗାରେଟ ହେଉଛନ୍ତି ମିଷ୍ଟର ଫିଲିପସ୍‍ଙ୍କ ସ୍ତ୍ରୀ, ମିଷ୍ଟର ଫିଲିପସ୍ ଜଣେ ସୁଦକ୍ଷ ଡାକ୍ତର । ଇଂରେଜ ରାଜତ୍ଵ ଅମଳରେ ସେ ଭାରତକୁ ଆସନ୍ତି । ଭାରତର ପାଣି ପବନ ସବୁଦିନ ଲାଗି ଆବଦ୍ଧ କରି ରଖେ ତାଙ୍କୁ ।

 

ସେ ଦିନ ସ୍ୱର୍ଣ୍ଣ ଅପରାହ୍ନରେ ପୁରୀ ଦେଉଳରେ ସେ ପ୍ରଥମେ ତାଙ୍କର ସାକ୍ଷତ ପାଆନ୍ତି-। ଫିଲିପସ୍ ଭାରତୀୟମାନଙ୍କୁ ଭାରି ଭଲ ପାଆନ୍ତି । ସେ ବି ଜଣେ କବି, ଭାନୁଚନ୍ଦ୍ରଠାରେ ଏ କବିତ୍ଵ ଥିବାର ସନ୍ଧାନ ପାଇ ମିସେସ୍ ମାର୍ଗାରେଟ୍ ଏବଂ ମିଷ୍ଟର ଫିଲିପସ୍‍ ସେ ଦିନ କହିଥିଲେ–ଡୋଣ୍ଟ ଟ୍ରାଏ ଟୁ ଆରନ୍ ମନି, ବଟ୍ ଟ୍ରାଏ ଟୁ ଆରନ୍ ନେମ ଏଣ୍ଡ ଫେମ ।

 

ଭାନୁଚନ୍ଦ୍ର ତାଙ୍କରି କଥାରେ ସେଦିନ ଭାସିଯାଇ ତା ଜୀବନରେ ଯେଉଁ ଚରମ ଭୁଲ କରିଛି, ସେଥିପାଇଁ ସେ ଆଜି ତିଳ ତିଳ କରି ଜଳିବାକୁ ପଡ଼ିବ । ଆଜି ଯଦି ସେମାନେ ଦେଖା ହୁଅନ୍ତେ, ତା’ହେଲେ ସେ କହନ୍ତା–ନୋ, ନୋ ଆଇ ଡୋଣ୍ଟ କେୟାର୍ ଫର ନେମ ଏଣ୍ଡ ଫେମ୍, ଓନଲି ଆଇ ୱାଣ୍ଟ ପ୍ଳେଣ୍ଟି ଅଫ ମନି ।

 

–କି ଉତ୍ତର ସେ ଦିଅନ୍ତେ ?

 

ଆଜି ଅତୀତର ସେ ସୁଖସ୍ଵପ୍ନ ଭାଜି ଯାଇଛି । ସେ ମହାମାନବ ହୋଇପାରିନାହିଁ, ସେ ହୋଇଛି ଶିକ୍ଷକ । ଯାହାକୁ ପିଣ୍ଡା ଓଲୁ ବୋଲି ବନ୍ଧୁମାନେ ପରିହାସ କରନ୍ତି । ଦଶବର୍ଷ ଶିକ୍ଷକତା କରିବା ପରେ ତାଠାରୁ ଭୋଟ ଗ୍ରହଣ କରାଯିବ ନାହିଁ ବୋଲି କୁହନ୍ତି । ସ୍ତ୍ରୀ ନାସିକା କୁଞ୍ଚନ କରେ, ସମାଜ ଘୃଣା କରେ । ଆଜି ଦାରିଦ୍ର୍ୟର ନିର୍ଘାତ ପ୍ରହାରରେ ସେ ଜର୍ଜ୍ଜରିତ ! ଆଜି ତା’ର ମନ ଚାହୁଁଛି ଧନ, ତାର ପରିବାର ଚାହୁଁଚି ବିଳାସ ଏବଂ ଜାତି ଚାହୁଁଚି ତାଠାରୁ ଅନେକ କିଛି । କ’ଣ ସେ କରିବ ?

 

ଭାନୁଚନ୍ଦ୍ରର ଦୁଃଖ ହୁଏ, ସେ ସ୍ଵର୍ଗକୁ ଯାଇପାରିଲା ନାହିଁ । ବଡ଼ ହୋଇ ପାରିଲା ନାହିଁ । ନର୍କ ତାକୁ ସ୍ପର୍ଶ କରି ପାରୁନାହିଁ । ସ୍ୱର୍ଗ ନର୍କର ମଧ୍ୟ ସ୍ଥଳରେ ରହି ସେ ତ୍ରିଶଙ୍କୁ ପାଲଟି ଯାଇଛି । ଅନ୍ତର ତାର କାନ୍ଦି ଉଠୁଛି । ସେ ପଥ ଖୋଜୁଛି–କିନ୍ତୁ ପଥ କାହିଁ–ପଥ କାହିଁ ?

☆☆☆

 

Unknown

କାଳିମା

 

ସେ ମୋର ପୁତ୍ର–ଅଥଚ ତାକୁ ପୁତ୍ର ସମ୍ୱୋଧନ କରିପାରି ନାହିଁ ।

 

ମୁଁ ତା’ର ପିତା–ମୋ ରକ୍ତ ତା’ର ଶିରା ପ୍ରଶିରାରେ ପ୍ରବାହିତ; ଅଥଚ ମୁଁ ତାକୁ ପିତୃସ୍ନେହ ଦେଇପାରିଲି ନାହିଁ । ମୋ ବଡ଼ପଣରେ କଳଙ୍କ ଲାଗିବା ଭୟରେ । ମୁଁ ସ୍ଵୀକାର କରିପାରିଲି ନାହିଁ ସେ ମୋର ପୁତ୍ର–ସେ ମୋର ସ୍ନେହର ପୁତ୍ର–ବୋଲି....

 

ମୁଁ ଯଦି ତାକୁ ପୁତ୍ର ସମ୍ୱୋଧନ କରେ ? ମୁଁ ଯଦି ମୋ ପୁତ୍ର ବୋଲି ତାକୁ ପ୍ରମାଣିତ କରେ ? ମୁଁ ଯଦି ତାକୁ ପୁଅ କହେ ?

 

ଜଗତ ଅଟ୍ଟହାସ୍ୟ କରି ଉଠିବ, କିନ୍ତୁ ବୁଝିବ ନାହିଁ । କହିବ, ଅପୁତ୍ରକ ସପୁତ୍ରକ ହେବାକୁ ପାଗଳ ହୋଇ ଜାରଜ ସନ୍ତାନକୁ....

 

ଯଦି ବୁଝେ, ତା’ ହେଲେ ଏ ସମାଜର ବିଦ୍ରୂପ ମୋ ପକ୍ଷେ ଅସହ୍ୟ ହେବ । ମୋ ସୁନାମରେ କଳଙ୍କ ଲାଗିବ । ମୋ ନାମର ନିନ୍ଦା ହେବ । ସମାଜର ପ୍ରତ୍ୟେକ ସ୍ତରର ଲୋକେ ମତେ ଘୃଣା କରିବାକୁ ସାହସ କରିବେ । ସେ କଥାକୁ ଉପହାସରେ ଉଡ଼ାଇ ଦେବେ । ନା–ନା ମୁଁ ପାରିବି ନାହିଁ । ମୁଁ ପାରିବି ନାହିଁ । ମୁଁ ପାରିବି ନାହିଁ ତାକୁ ପୁତ୍ର ସମ୍ବୋଧନ କରି । ମୁଁ ତାକୁ ପ୍ରମାଣିତ କରିବନି ସେ ମୋର ପୁତ୍ର ବୋଲି । ସେ ସେଇଠି ରହୁ–ସେଭଳି ପିତୃ ମାତୃହୀନ ଅନାଥ ହୋଇ ରହୁ....

 

ଉତ୍ତପ୍ତ ଫାଲ୍‍ଗୁନ ମଧ୍ୟାହ୍ନର ଅବସାନ ହୋଇଛି । ଏ ଉତ୍ତପ୍ତ ସୌରରଶ୍ମିର ଜ୍ୱାଳା ଓ ଦହନ ହେଉ ! ତାହାହିଁ ସମସ୍ତେ ଚାହିଁଥିଲେ । ସେ ବି ଚାହିଁଥିଲେ । କିନ୍ତୁ କାହିଁ ? ସମସ୍ତଙ୍କର ଜ୍ୱାଳା ଯନ୍ତ୍ରଣାର ଅବସାନ ହେଲା, ଅଥଚ ସେ ତ ଶାନ୍ତି ପାଇ ନାହାନ୍ତି ! ଶାନ୍ତି କ’ଣ ତା’ ଭାଗ୍ୟରେ ନାହିଁ-??

 

ବନ ପୋଡ଼ିଗଲା, ସେ ପ୍ରଖର ଅଗ୍ନିଦାହ ବାୟୁକୁ ଉତ୍ତପ୍ତ କଲା । ସବୁରି ଦେହରେ ବାଜି ଦହନ–ଜଣାଇ ଦେଲା ବନ ପୋଡ଼ିଗଲା...

 

କିନ୍ତୁ ମନ ପୋଡ଼ି ଯାଉଛି । ସେ ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେଉଛି । କିନ୍ତୁ କେହି ଜାଣିପାରୁ ନାହାନ୍ତି–ସମସ୍ତଙ୍କର କ’ଣ ଅନୁଭବ କରିବାର ଶକ୍ତି ହ୍ରାସ ହୋଇଛି ? ଉଷ୍ଣ ପବନ କ’ଣ ଏ ସନ୍ଧ୍ୟାବେଳେ ସୁଦ୍ଧା ଶୀତଳ ହେବ ନାହିଁ ? ?

 

ଅସ୍ଥିର ହୋଇ ଉଠୁଛନ୍ତି ଭାନୁଚନ୍ଦ୍ର–ଅସହ୍ୟ ଯନ୍ତ୍ରଣାରେ ଛଟପଟ ହୋଇ ଉଠୁଛନ୍ତି ବିଧାନସଭାର ବିରୋଧୀ ଦଳର ନେତା ଭାନୁଚନ୍ଦ୍ର ଛୋଟରାୟ...... ।

 

ତାଙ୍କ ଆଖିରେ ଅନ୍ୟ ଜଣଙ୍କର ଏ ଭଳି ଦୁର୍ଦ୍ଦଶା ପଡ଼ିଥିଲେ ସେ ହୁଏତ ବିଧାନସଭାରେ କାଲି ମନ୍ତ୍ରୀମାନଙ୍କୁ କୈଫିୟତ ମାଗିଥାଆନ୍ତେ । ଆଜି ସେ ସେଇ ଯନ୍ତ୍ରଣାରେ ଛଟପଟ ହେଲେ ଓ ପଦେ ହେଲେ କାହାକୁ କିଛି ନ କହି ଚୁପ୍ ହୋଇ ବସିଛନ୍ତି ।

 

ବିଧାନସଭାର ବିରୋଧୀଦଳର ନେତା ବୋଧେ ବସିଛନ୍ତି କାଲି ବିଧାନ ସଭାର ଆଲୋଚ୍ୟ ବିଷୟ ଭାବି–ସ୍ମିତହସି ମିସେସ୍ ମଙ୍ଗରାଜ କହିଲେ ।

 

ମୁହଁରେ କୁଟିଳ ଭ୍ରୂକୁଟି–ରୋଷରେ ଆରକ୍ତ ନୟନ ଛୋଟରାୟ କହି ଉଠିଲେ–ଏ ପରିହାସର ସମୟ ନୁହେଁ ମିସେସ୍ ଛୋଟରାୟ ! ଯାଅ–ମୋ ସମ୍ମୁଖରୁ ଚାଲିଯାଅ । ସ୍ତ୍ରୀଙ୍କୁ ବି କହିପାରିଲେ ନାହିଁ । ଯଦି କହି ଥାଆନ୍ତେ ଆମ ଗୁଣବନ୍ତଙ୍କର ଇମିତି ଗୁଣଥିଲା ?

 

ମିସେସ୍ ଛୋଟରାୟ ଚାଲି ଯାଉଥିଲେ–ଲଜ୍ଜାରେ–ଅପମାନରେ.....

 

ଛୋଟରାୟ ଅସ୍ଵାଭାବିକ ଭାବେ ପୁଣି ଗମ୍ଭୀର ହୋଇ ଉଠିଲେ । ସେ ମନେପକାଇ ଚାଲିଥିଲେ–ବିଧାନସଭାର ଆଲୋଚ୍ୟ ବିଷୟ ନୁହେଁ, ତାଙ୍କ ନିର୍ବୋଧ ଯୌବନର ସ୍ମୃତି......

 

ଆଜି ସେ ଦେଶସେବୀ । ଆଜି ଏମ.ଏଲ.ଏ. । ଦେଶବାସୀଙ୍କର ଉପକାର କରିଛନ୍ତି, କରିବେ ବୋଲି ଜନତା ଏ ପଦବୀ ଦେଇଛି । ତାଙ୍କ–ମୁହଁରୁ ପଦେ କଥା ଶୁଣିବାକୁ ଚାତକପରି ଚାହିଁଛନ୍ତି । ଆଉ ଆଶା କରିଛନ୍ତି–ସେ ତାଙ୍କର ଉପକାର କରିବେ–ଆସନ୍ତା ପାଞ୍ଚବର୍ଷରେ ସେ ମନ୍ତ୍ରୀ ହେବେ–ଏ ଦେଶର ଦଣ୍ଡଧର ହେବେ......

 

ଛୋଟରାୟ ଅତିଷ୍ଠ ହୋଇ ଉଠିଲେ–ଏ ଜନତା ପୁଣି ଏତେ ବୋକା ! ସେ କଣ ତାଙ୍କର ବାସ୍ତବରେ ଉପକାର କରୁଛନ୍ତି ?

 

ଛୋଟରାୟଙ୍କ ହୃଦୟ ଦୁଃଖରେ ଭାଙ୍ଗିପଡ଼ୁଥିଲା । ଏତେ ଲୋକଙ୍କର ସେ ଯଦି ଉପକାର କରୁଛନ୍ତି, ତେବେ ସେ ଗୀତାଶ୍ରୀର ସର୍ବନାଶ କଲେ କାହିଁକି ? ଆଉ ଯେଉଁ ସର୍ବନାଶ ନିଆଁରେ ଜଳି ଗୀତାଶ୍ରୀ ସ୍ଵାମୀ ସୁଖରୁ ବଞ୍ଚିତା–ସଂସାର କରିବା ତା ପକ୍ଷେ ସମ୍ଭବ ନୁହେଁ ।

 

ଛୋଟରାୟଙ୍କ ଅନ୍ତରରେ ଚମକ ଲାଗିଲା–ଗୀତାଶ୍ରୀ ଆଜି ବଞ୍ଚିଛି । ଅଥଚ ମାତୃ ହୃଦୟ ତା’ର ସନ୍ତାନକୁ ପରିତ୍ୟାଗ କରିପାରିଲା ?

 

ଗୀତାଶ୍ରୀ ସହିତ ଆଦ୍ୟ ଯୌବନରେ ପ୍ରଣୟର ନୀଡ଼ ରଚନା କରିଥିଲେ ଛୋଟରାୟ । ତା’ ସରଳତାର ସୁଯୋଗ ନେଇ ଗରଳ ଭରି ଦେଇଥିଲେ । ଆଉ ସେ ଅନ୍ତଃସତ୍ତ୍ୱା ହେବା ଜାଣି ପରିତ୍ୟାଗ କରିଥିଲେ......

 

ସେ କଥା ଆଜି କେହି ବିଶ୍ୱାସ କରିବେନି । ଏତେବଡ଼ ଜନନାୟକଙ୍କ ନାମରେ କଳଙ୍କ ବୋଳିବେ ? ସତେ ତ ! –ସିଏ ବି ନିଜେ ବିଶ୍ୱାସ କରିପାରୁ ନାହାନ୍ତି ।

 

ଗୀତାଶ୍ରୀ ଆଜି ସେବିକା । ଗୋଟିଏ ସନ୍ତାନକୁ ମାତୃ ସ୍ନେହ ଦେଇ ନ ପାରି ଯିଏ ପରିତ୍ୟାଗ କରିଛି, ସେ କ’ଣ କୋଟିଏ ସନ୍ତାନର ସେବାଶୁଶ୍ରୂଷା ଭାର ଗ୍ରହଣ କରିବ ?

 

ଚକିତ ଭାନୁଚନ୍ଦ୍ରଙ୍କ ମୁହଁରେ କ୍ଷଣକ ପାଇଁ ଗାରେ ହସ ଉକୁଟି ଉଠି ପୁଣି ଲିଭିଗଲା.....

 

ଗୀତାଶ୍ରୀର ସର୍ବନାଶ ହୋଇଛି । ଏଇ ସର୍ବନାଶ ହେବାର ସୂଚନା ପାଇ ଗୀତାଶ୍ରୀ ତାଙ୍କ ପାଖକୁ ଚିଠି ଲେଖିଥିଲା । ନିଷ୍ଠୁର ସେ......ଯାଇନଥିଲେ । ପରେ ଶୁଣିଲେ ଗୀତାଶ୍ରୀ କଟକ ପାଠ ପଢ଼ିବାକୁ ଯାଇଛି । କିନ୍ତୁ ଏ କଥା ଶୁଣି ସେ ବେଶ୍ ବୁଝି ନେଇଥିଲେ, ଗୀତାଶ୍ରୀ ପଢ଼ିବାକୁ ଯାଇନି । ତା ଚତୁର ପିତା ମାତା ଗୀତାଶ୍ରୀ ଅନ୍ତଃସତ୍ତ୍ଵା ହେବା ଜାଣି ବିଚଳିତ ହୋଇ ପଡ଼ିଛନ୍ତି ଏବଂ କୁ’ଯଶ ପାଖକୁ ଜନକର୍ଣ୍ଣ ପର୍ଯ୍ୟନ୍ତ ନ ନେବା ପାଇଁ ସେ ପାଠ ପଢ଼ା ଆଳରେ କଟକ ନେଇଛନ୍ତି–ସେଠି ଗର୍ଭନଷ୍ଟ କରିବେ.....

 

ଛୋଟରାୟ ସେଦିନ ହସିଥିଲେ–ଯା’ହେଉ ଏକ ମସ୍ତ ଦୁଶ୍ଚିନ୍ତାରୁ ତ୍ରାହି ମିଳିଲା.....

 

ତା’ପରେ ଗୀତାଶ୍ରୀ ସହିତ ତାଙ୍କର ଆଉ ଦେଖା ହୋଇନି । ଆଜି ଶୁଣିଲେ ଗୀତାଶ୍ରୀ ଏକ ଅଖ୍ୟାତ ପଲ୍ଲୀଗ୍ରାମରେ ସେବିକା ହୋଇଛି–ମାତୃମଙ୍ଗଳ କେନ୍ଦ୍ରରେ ରହି ଔଷଧ ବିତରଣ କରୁଛି–

 

ଛୋଟରାୟଙ୍କ ମୁହଁରେ ବିସ୍ମୟର ରେଖା ଫୁଟିଉଠୁଥିଲା–ତା’ ହେଲେ ଗୀତାଶ୍ରୀ କଣ ତା’ ଗର୍ଭନଷ୍ଟ କରିପାରି ନଥିଲା ?

 

ଛୋଟରାୟଙ୍କର ସ୍ମରଣ ହେଉଥିଲା–ପୁରୀ–ସାଗର ଉପକଣ୍ଠର ସେଇ ଅନାଥାଶ୍ରମ କଥା–ତାଙ୍କରି ରୂପର ସେଇ କୌତୁକିଆ ପିଲାଟି କଥା–ଆଉ ତା’ର ଇତିହାସ କହୁଥିବା ସେଇ ପାଳିତା ମାତା ସୌଦାମିନି କଥା.... ।

 

ସତେ ଯେପରି ସେ ବର୍ତ୍ତମାନ ତାଙ୍କ ସମ୍ମୁଖରେ ଠିଆହୋଇ କହିଚାଲିଛି–

 

“ସାର୍ ! ଏ ବାଳକଟିର ମାତାର ନାମ ଗୀତାଶ୍ରୀ । ସେ ଏକ ଅବିବାହିତା କୁମାରୀ କନ୍ୟା । ଜଣେ ଶିକ୍ଷିତ ଯୁବକ, ତା’ର ନାମ ଭାନୁଚନ୍ଦ୍ର ବୋଧେ, ତା’ ସହିତ ଗୁପ୍ତ ପ୍ରଣୟ କରିଲା । ଫଳରେ ଗୀତାଶ୍ରୀ ଅନ୍ତଃସତ୍ତ୍ଵା ହେଲା । ତା’ ବାପ ମାଆ ଜାଣିପାରି ତା’ ଗର୍ଭନଷ୍ଟ କରିବାକୁ କଟକ ଆଣିଲେ । ଗର୍ଭନଷ୍ଟ ହୋଇ ପାରିଲା ନାହିଁ–ସମୟ ଗଡ଼ି ଯାଇଥିଲା । ତେଣୁ ସେ ଜନ୍ମ କରିବା ପର୍ଯ୍ୟନ୍ତ ଅପେକ୍ଷା କଲେ । ଜନ୍ମ କଲା ଏହି ଶିଶୁଟିକୁ...... ।”

 

ଛୋଟରାୟ ଥରି ଉଠିଥିଲେ–ସେବିକାଟି ତାଙ୍କୁ ଯଦି ଚିହ୍ନେ ? ଆଉ କୁହେ ଯେ ତୁମେ ସେହି ନିଷ୍ଠୁର ପ୍ରେମିକ ଗୀତାଶ୍ରୀର ? ତମେ ଏଇ ସନ୍ତାନର ପିତା ! ତେବେ...

 

ଛୋଟରାୟ ଭାବୁଥିଲେ–ଯା’ ହଉ ଏତକ ସେ କହିନି । କହିଥିଲେ ବିଧାନସଭାରେ ସିଏ ଯିମିତି ସରକାରୀ ଦଳଙ୍କ ବୁଦ୍ଧି ପରୀକ୍ଷା କରିବାକୁ ନା–ନା ଅବାନ୍ତର ପ୍ରଶ୍ନ ପଚାରନ୍ତି ଏବଂ ସତ ପ୍ରଶ୍ନ ହେଲେ ବି ମନ୍ତ୍ରୀମାନେ ମିଥ୍ୟା ମିଥ୍ୟା କହି ଚିତ୍କାର କରିଉଠନ୍ତି, ସିମିତି ସେ ଚିତ୍କାର କରି ଉଠିଥାନ୍ତେ–ନା–ନା–ଏ ମିଥ୍ୟା–ସଂପୂର୍ଣ୍ଣ ମିଥ୍ୟା–କପୋଳକଳ୍ପିତ...

 

ଛୋଟରାୟ ଦୀର୍ଘନିଶ୍ଵାସ ପକାଇଲେ–ଏ କଥା ସେ କହିପାରିଥାନ୍ତେ କାରଣ, ଏମିତିକା କଥା ଶୁଣି–ଶୁଣି ସେ’ବି ଅଭ୍ୟସ୍ତ ହୋଇଗଲେଣି । କିନ୍ତୁ...କିନ୍ତୁ ସେ ପାଳିତା ମାତାର ଶେଷ ଉକ୍ତି...

 

ଛୋଟରାୟ ଥରିଉଠିଲେ......ସତେ ଯେପରି ତାଙ୍କରି ଆଗରେ ଠିଆ ହୋଇ ସେ ପାଳିତା ମାତା ସୌଦାମିନୀ କହିଚାଲିଛି–“ଏ ଅନାଥ, ଆଜି ଏହାର ପିତା ମାତାଙ୍କ ନାଁ ଦୁନିଆ ଚକ୍ଷୁରେ ଲୁକ୍କାୟିତ । କିନ୍ତୁ ଏହାକୁ ମୁଁ ବଞ୍ଚାଇବି । ମଣିଷ କରିବି । ଏଇମାନେ ଏ ଦେଶର ଭାବୀଶାସକ, ଲେଖକ ହେବେ । ଏ ଦେଶର ମାନଦଣ୍ଡ ଧରିବେ । ଏ ଅସଂଖ୍ୟ କର୍ଣ୍ଣ ଏ ଦେଶର ଭାରତ ସମରରେ ସେନାପତିତ୍ଵ କରିବେ ! ସୁଯଶ ସୁକୀର୍ତ୍ତିରେ ଏ ଧରଣୀ ଜନନୀ ମୁହଁରେ ହସ ଫୁଟାଇବେ ।”

 

ଛୋଟରାୟ ଅସ୍ପଷ୍ଟ କଣ୍ଠରେ କହିଉଠୁଥିଲେ–ଥାଉ–ଥାଉ । ଯଥେଷ୍ଟ ହୋଇଛି–କହିବା ତୁମର ଯଥେଷ୍ଟ ହୋଇଛି । ମୁଁ ଆଉ ତମ କଥା ସହ୍ୟ କରିପାରିବିନି । ମୋ କାନ ବଧିର ହୋଇପଡ଼ୁଛି । ମୁଁ ଏହାର ପିତା ନ ହେଲେ ବି ଏହାକୁ ପିତୃ ସ୍ନେହ ଦେବି, ଏହାକୁ ମଣିଷ କରିବାର ଭାର ନେବି ।

 

ଛୋଟରାୟ ଖୁବ୍ ସାହସର ସହିତ ଏତକ କହି ଫେରିଥିଲେ । ସେବିକା ସୌଦାମିନୀ ଆମ ଦେଶସେବୀ ବରେଣ୍ୟ ନେତାଙ୍କର ବଦାନ୍ୟତାରେ ସେଦିନ କୃତଘ୍ନ ହୋଇ ପଡ଼ିଥିଲା....

 

ନୀଳ ଆକାଶରେ ଏକୁଟିଆ ଉଇଁଥିବା ଶୁକ୍ର–ତାରକାକୁ ନିର୍ଲିପ୍ତ ଭାବେ ଚାହିଁ ଭାନୁଚନ୍ଦ୍ର ଛୋଟରାୟ ସେ ହଜିଗଲା ଘଟଣାଗୁଡ଼ିକ ମନେପକାଇ ଚାଲିଥିଲେ । ସନ୍ଧ୍ୟାର ପ୍ରାୟାନ୍ଧକାରରେ ମୁହଁ ତାଙ୍କର କିମିତି ବିବର୍ଣ୍ଣ, ବିକୃତି ଦେଖା ଯାଉଥିଲା...

 

ସେଇ ଜାରଜ ସନ୍ତାନଟି ଆଜି ଉତ୍କଳ ବିଶ୍ଵବିଦ୍ୟାଳୟର କୃତୀ ଛାତ୍ର ରୂପେ ଡକ୍ତର ଉପାଧିରେ ଭୂଷିତ ହୋଇଛି, ଆଉ ସେଇ ସମ୍ମାନିତ ପଦବୀ ଦେଇ ଫେରିଛନ୍ତି ଛୋଟରାୟ ଭାନୁଚନ୍ଦ୍ର....

☆☆☆

 

ଭୂତ କୋଠିର ରହସ୍ୟ

 

ଅବଶେଷର ବନ୍ଧୁମାନଙ୍କୁ ବିଦାୟ ଦେଇ ଗୁଇନ୍ଦା ପାର୍ଥସାରଥି ଉପର ମହଲାକୁ ଉଠିଲେ । ସେପର୍ଯ୍ୟନ୍ତ ଚାକର ଗୋବରା, ପୂଝାରୀ ଫକିରା ଖିଆପିଆ ପର୍ବ ଶେଷ କରିନଥାନ୍ତି । ପାର୍ଥସାରଥି ଟିକେ ବିଚଳିତ ହୋଇପଡ଼ିଲେ । ଯଥାଶୀଘ୍ର ଖିଆପିଆ ପର୍ବ ଶେଷକରି ମିଷ୍ଟାନ୍ନ ହାଣ୍ଡିଗୁଡ଼ିକ ପୂଜା ହେବା ଘରେ ରଖିଦେବାକୁ ନିର୍ଦ୍ଦେଶ ଦେଇ ସେ ନିଜେ ଚୋରାବତୀ ଧରି ସ୍ନାନ କରିବାକୁ ଚାଲିଗଲେ । ରାତ୍ରିଟା ଅନ୍ଧକାର ପକ୍ଷ ଥିଲା । ଝାଉଁବଣ ଭେଦକରି ତୁହାଇ ତୁହାଇ ଭାସି ଆସୁଥିଲା ମନମତାଣିଆ ପାଗଳା ପବନ ! କିନ୍ତୁ ସେଥିପ୍ରତି ସଚେତ ନ ଥିଲେ ପାର୍ଥସାରଥି । ଯଥାଶୀଘ୍ର ସ୍ନାନସାରି ସେ ଫେରିବାକୁ ଚଞ୍ଚଳ ହୋଇ ଉଠିଲେ । ଚାକର ଗୋବରା ପଥର କୁଣ୍ଡରେ ପାଣି ଭରି ଦେଇଥିଲା । ନୋଟା ସାହାଯ୍ୟରେ ସେହି କୁଣ୍ଡରୁ ପାଣି ଉଦ୍ଧାର କରି ସ୍ନାନ ସାରିଲେ ପାର୍ଥସାରଥି । ସିକ୍ତ ବସ୍ତ୍ରକୁ ସେଠାରେ ସେହିପରି ଥୋଇ ଟାଉଲ (Towe।) ପିନ୍ଧି ପୁଣି ସିଏ ବାଲ୍‍ଟି କୂଅରେ ପକାଇଲେ । କାରଣ ସ୍ନାନ ସାରି ସୂର୍ଯ୍ୟଦେବଙ୍କୁ ପାଣି ଟେକିବା ତାଙ୍କର ବହୁଦିନର ଏକ ଅଭ୍ୟାସ । କିନ୍ତୁ...ଏ ନିଷ୍ଠୁର ନିରନ୍ଧ୍ର ଅନ୍ଧକାର ରାତିରେ ସୂର୍ଯ୍ୟ କେଉଁଠୁ ଆସିବେ ?

 

ତଥାପି ବାଲ୍‍ଟି ପାଣିରୁ ନୋଟାଏ ନେଇ ସେ କେଉଁ ଏକ ଅଜଣା ଦେବତା ଉଦ୍ଦେଶ୍ୟରେ ପାଣି ଢାଳିଲେ...ଗୁଣୁ ଗୁଣୁ କରି ସ୍ତୋତ୍ର ପାଠକରି ଆଉ ଏକ ନୋଟା ପାଣି ଧରି ଫେରିଲେ...

 

ଗୋବରା ଖଣ୍ଡେ ସଫାଲୁଗା ଆଣି ଦେଇଗଲା । ସେହି ସ୍ତୋତ୍ର ପାଠ କରିବା ଅବସରରେ ସିଏ ସେହି ଲୁଗା ଖଣ୍ଡିକ ବଦଳି ପକାଇ ମୁଣ୍ଡ ସାଉଁଳେଇବା ଆରମ୍ଭ କରିଦେଲେ...।

 

ଫକିରା କେବଳ ସବୁ ଆଁ କରି ଦେଖି ଯାଉଥାଏ । ଗୋବରା କହିଲା–ଫକିନନା, ଡର ମାଡ଼ୁଛି କି ? ପାର୍ଥସାରଥି ସ୍ମିତ ହସି କହିଲେ–ଡର ମାଡ଼ିଲେ ରଙ୍ଗନା ମୋଦକ ଖାଇ ଶୋଇପଡ଼ ।

 

କିନ୍ତୁ ଫକିରା ଭାବିଲା....ଯଦି ନିଦ ନ ହୁଏ ? ପୁଣି ବାବୁ ଯେଉଁ ଫିକର ବାହାର କଲେଣି....ବାପା ଲୋ, କାହିଁକି ସେ ବାବୁଙ୍କ ସାଙ୍ଗରେ ଏଠିକି ଧାଇଁ ଆସିଲା.....ଓହୋଃ ! କାଲି କଣ ସତରେ ବଞ୍ଚିକରି ପୁଣି ସେ ଏକ ସୂର୍ଯ୍ୟ ଦେଖିବ ?

 

ଭୟ ନ କରିବାକୁ ପାର୍ଥସାରଥି ସେ ଦୁଇଜଣଙ୍କୁ ସତର୍କ କରାଇ କହିଲେ–ଆରେ....ତମ ଦେହମୁଣ୍ଡ ମୁଁ ବନ୍ଦି ଦେଇଛି । ଭୂତପ୍ରେତ ତୁମର କିଛି କରିପାରିବେ ନାହିଁ.... । ତମେସବୁ ଧୈର୍ଯ୍ୟ ଧରି ଦେଖ...ତାପରେ ସେ ପୂଜାଘରେ ବସି ମିଷ୍ଟାନ୍ନ ହାଣ୍ଡି ଗୁଡ଼ିକ ସଜାଇ ରଖିଲେ । ନିଜ ଲାଗି ଏକ ଆସନ ପକାଇ ତା ଆଗରେ ଗୀତା ବହିଟି ରଖିଦେଲେ । ଗୋବରା ଓ ଫକିରାକୁ ସେହି ଘରକୁ କାମସାରି ଶୀଘ୍ର ଆସିବାକୁ କହି ନିଜ କାମରେ ଲାଗି ପଡ଼ିଲେ । ....ନିଜେ ବସିବା ସ୍ଥାନରେ ଟର୍ଚ୍ଚ, ଦିଆସିଲ, ଡିବିରି, ରିଭଲଭର ଗୁଡ଼ିକ ଉତ୍ତମ ରୂପେ ପରୀକ୍ଷା କରି ରଖିଲେ.... । ଲଣ୍ଠନ ଲାଇଟରେ ପୁରାଦମ ଦେଇସାରି ସେ ଘଡ଼ିକୁ ଚାହିଁ ବ୍ୟସ୍ତ ହେଲେ । ଦଶଟା ବାଜିଗଲା....କୁଆଡ଼େ ଗଲା ନର....ଫକିରା, ଗୋବରା ଡରିକରି ସେ ଘରେ ବସିଲେ.... ।

 

–ସବୁଘର ବନ୍ଦ କରି ଦେଇଛ ଗୋବର୍ଦ୍ଧନ ?

 

–ଆଜ୍ଞା !

 

–ତେବେ ଏ ଘର ଦ୍ୱାର ବନ୍ଦ କର । ହଁ ଟିକେ ରୁହ । ଆଗେ ଧୂପଦାନୀରେ ନିଆଁ ଧରାଇଲ !

 

ଫକିରାକୁ ଛାନିଆ କଫ ସେତେବେଳକୁ ଆରମ୍ଭ ହୋଇଗଲାଣି....ତା’ର ଏ ଉଦବେଗ ଅବସ୍ଥା ଦେଖି ଗୋବରା ଫେଁ କିନା ହସିଉଠିଲା...

 

ପାର୍ଥ ବିରକ୍ତ ହୋଇ କହିଲେ–ଶୀଘ୍ର ଝୁଣା ପକା !

 

ଗୋବରାର ହସ ଯେ ପର୍ଯ୍ୟନ୍ତ ବନ୍ଦ ହୋଇନି...ସେ ଝୁଣା ପକାଉ ପକାଉ ଫକିରାକୁ କହିଲା–ନନା ! –ଡର ଲାଗୁଛି ।

 

ହଁ ଡରିବି କିଆ–ମୁଁହ ଟାଣକରି ଜବାବ ଦେଲା ଫକିରା...ପାର୍ଥସାରଥି ଉଠି ଠିଆ ହେଲେ...ମୋ ପଛେ ପଛେ ଆ...ତା’ପରେ ଧୂପଦାନୀ ଧରି ପାର୍ଥସାରଥି ସବୁଆଡ଼େ ବୁଲିଆସିଲେ....

 

କବାଟ ବନ୍ଦକରି ଗୋବରା ଫକିରା ପାଖରେ ଥଣ୍ଟ ବନ୍ଦ କରି ବସିଲା....

 

ପାର୍ଥସାରଥି ଗୀତା ଖୋଲି ପଢ଼ିବାକୁ ଆରମ୍ଭ କରିଛନ୍ତି....ସହସା ବାହାରେ ଧଡ଼ଧାଡ଼୍ ହୋଇ କବାଟ ଖୋଲିଗଲା...ପୁରା ଦମରେ ଜଳୁଥିବା ଲଣ୍ଠନ ଲାଇଟ ସହସା ଲିଭିଗଲା... ।

 

କ୍ଷିପ୍ର ହସ୍ତରେ ଟର୍ଚ୍ଚ ଟିପି ଚମକି ଉଠିଲେ–ଏ ଘରେ ହାଡ଼ ଖଣ୍ଡେ କେଉଁଠୁ ଆସିଲା ?

 

ଭାବିବାକୁ ଅବସର ନଥିଲା । ଆଉ ଖଣ୍ଡେ ହାଡ଼ ଓ ଗୋଟିଏ ମୁଣ୍ଡ ଆସି ପଡ଼ିଲା କେଉଁଠୁ–ତା ପରେ ସେ ହାଡ଼ ସେ ଗଣ୍ଡିହୀନ ମୁଣ୍ଡ ଅଟ୍ଟହାସ୍ୟ କରି ନାଚିବାକୁ ଲାଗିଲେ... ତାଙ୍କ ନାଚ ସହିତ ତାଳ ପକାଇ ସେ ଗୃହର ପ୍ରତ୍ୟେକ ବସ୍ତୁ ନାଚ ଆରମ୍ଭ କରିଦେଲେ...

 

ଗୋବରା ଛାନିଆରେ କହିଲା–ଫକିରାନା !

 

ଫକିରାନା କହିଲା–ମଲି...

 

ତାପରେ ସେ ଦୁହେଁ ଧରାଧରି ହୋଇ ଗଡ଼ାଗଡ଼ି ହେବାକୁ ଲାଗିଲେ–

 

ଅଦୃଷ୍ଟ ପୂର୍ବ, ଅଦ୍ଭୁତପୂର୍ବ, ଅଦ୍ଭୁତପୂର୍ବ, ଅନୁଭୂତ ! ତା’ହେଲେ ଏହି ଅନୁଭୂତି କଣ କହିବା ପର୍ଯ୍ୟନ୍ତ ଗୁଇନ୍ଦା ପାର୍ଥସାରଥି ରହିପାରିବେ ନାହିଁ ? ଏମିତି ଏଇଠି ମୃତ୍ୟୁ ସ୍ଵୀକାର କରିବେ-! ନା–ନା–ଗଡ଼ାଗଡ଼ି ହେଉଥିବା ଗୋବରା ଓ ଫକିରାଙ୍କୁ ଏକ ଏକ ନାତ ମାରି ସେ କଠୋର କଣ୍ଠରେ ଡାକିଲେ–

 

ଗୋ–ବ–ରା...

 

ବା–ବା–ବା ।

 

ଚୁପ୍ !

 

–ବାଉ...ତ...ତ ହେଇ...ହେଇ–ଆରେ କାହିଁ ?

ପାର୍ଥସାରଥି ସତକୁ ସତ ଦେଖିଲେ ଟର୍ଚ୍ଚ ଜଳୁଛି ।

ସେ ଡିଆସିଲି ମାରି ଡିବିରି ଲଗାଇବାକୁ ଚେଷ୍ଟା କଲେ... ବ୍ୟର୍ଥଶ୍ରମ... । ତଥାପି ସେ ଦୃଢ଼ତାର ସହ ବିପଦର ସମ୍ମୁଖୀନ ହେବାକୁ ପ୍ରସ୍ତୁତ ହେଲେ... । ତାଙ୍କର ମନେ ପଡ଼ିଲା–ବିପଦର ସମ୍ମୁଖୀନ ହେଲେ ବିପଦ ଅଧା କଟିଯାଏ...ଏଇ ସତ୍ୟ–ନୀତି...

ଗୃହଟି ନିଷ୍ଠୁର ଅନ୍ଧକାରର ପକ୍ଷତଳେ ! ସେଇ ନିରନ୍ଧ୍ର ଅନ୍ଧକାର ମଧ୍ୟରେ ପାର୍ଥସାରଥି ଦେଖିଲେ ଗୁଡ଼ାଏ ବିକୃତାଙ୍ଗ ବର୍ଣ୍ଣହୀନ ମୁଣ୍ଡ ମହାଶୂନ୍ୟକୁ ହାତ ବଢ଼ାଇ ଧାଇଁଛନ୍ତି... । ଚଳଚ୍ଚିତ୍ର ଭଳି ଗୁଡ଼ାଏ ଭୟଙ୍କର ଦୃଶ୍ୟ ଦେଖୁଛନ୍ତି ପାର୍ଥସାରଥି । କିଏ ଲହଲହ ଜିଭ କାଢ଼ି, ଟହ ଟହ ହସି, କଅଁ କଅଁ କରି ରକ୍ତ ପିଇ ଯାଉଛି...କିଏ ଭୈରବୀ ରଡ଼ି ଛାଡ଼ୁଛନ୍ତି ତ କିଏ ବିକଳ ପ୍ରଳାପ କରୁଛି...

ଏଁ–ଏଁ ଏ କଣ ? ପାର୍ଥସାରଥି ଦେଖିଲେ ସେ ଦୃଶ୍ୟ ସହସା ଉଭାନ ହୋଇଗଲା । ଆଉ ତା’ପରେ କୋଠା ଛାତରେ ଗୋଟାଏ ମୁର୍ଦ୍ଦାର ଟାଙ୍ଗି ହୋଇଗଲା...ସତେ ଯେମିତି ସହସା କିଏ ରଜ୍ଜୁ ଗଳାରେ ଦେଇ ଆତ୍ମହତ୍ୟା କରିଛି.....

ପାର୍ଥସାରଥି ନିଜ ନାଡ଼ି ଦେଖିଲେ । ଛାତିରେ ହାତଦେଇ ଦେଖିଲେ...ନା, ଠିକ୍ ଅଛି ସବୁ...କିନ୍ତୁ ଗୋବରା ! ଫକିରା !

ସହସା ଟର୍ଚ୍ଚଟା ଜଳି ଉଠିଲା । ଲଣ୍ଠନ ଲାଇଟି ବି...ପାର୍ଥସାରଥି ସେଇ ଭଜ୍ଜ୍ଵଳ ଆଲୋକରେ ଦେଖିଲେ, ଗୋବରା ଫକିରା କୁଣ୍ଢିଆ କୁଣ୍ଢି ହୋଇ ଗୋଡ଼ ଛନ୍ଦାଛନ୍ଦି ହୋଇ ପଡ଼ିଛନ୍ତି... । ତାଙ୍କ ପ୍ରତି ଦୃଷ୍ଟି ନ ଦେଇ ସେ ଗୀତା ପାଠ ଆରମ୍ଭ କଲେ....

 

ଧର୍ମକ୍ଷେତ୍ରେ କୁରୁକ୍ଷେତ୍ରେ ସମବେତାଃ ଯୁଯୁତ୍ସବଃ...

 

ମାମକାଃ ପାଣ୍ଡବାଃ ଚୈବ କିମକୁର୍ବତ ସଂଜୟ...

 

–ସେତିକି ଥାଉ ।

 

–କିଏ ?

 

ପାର୍ଥସାରଥିଙ୍କ ଆଖିର ତାରକା ଜଳିଉଠିଲା–ସେ ଦେଖିଲେ–କୋଡ଼ିଏ–ପଚିଶ ବର୍ଷର ଏକ ସୁଶ୍ରୀ ତରୁଣୀ ।

 

ପାର୍ଥସାରଥି ନମସ୍କାର କଲେ । ପ୍ରତିନମସ୍କାର ଏକ ବିଶିଷ୍ଟ ଭଙ୍ଗୀରେ ଅବଶ୍ୟ ସେ ଜଣାଇଲେ...ତଥାପି ତାଙ୍କର ହାତ ଗୋଡ଼ ଥିବାର ତ ଦେଖିପାରୁ ନଥିଲେ ପାର୍ଥସାରଥି !

 

ଅଦ୍ଭୁତ ଏକ ତରୁଣୀ ସେ । ବିସ୍ମୟ ସେ ଦୃଶ୍ୟ । କଟିବିକଟିନୀ ରମଣୀ କିଛି କହିବାକୁ ଆରମ୍ଭ କରୁଥିଲେ...

 

ନିଜକୁ ସଂଯତ କରି ପାର୍ଥସାରଥି ପ୍ରଶ୍ନ କଲେ, ଆପଣ କିଏ ? ଏଠାରେ ଏପରି ଭୌତିକ କାଣ୍ଡ ସୃଷ୍ଟି କରିବାର ଉଦ୍ଦେଶ୍ୟ କଣ ?

 

କଳ କଳ ଝରଣା ଜଳ ଭଳି ହସିଉଠି ସେ ରମଣୀଟି ପ୍ରତ୍ୟୁତ୍ତର କଲା...ମାଲୋ–ମୋ ଘରେ, ମୋ ଘରେ ମୁଁ କ୍ରୀଡ଼ା କରିବିନି ତ ଆଉ କିଏ କରିବ ?

 

କିନ୍ତୁ ଆପଣ ବଞ୍ଚିଥିବା ଭଳି ମୋର ତ ଅନୁମାନ ହୁଏନି ।...

 

ଅନୁମାନ ତୁମର ସତ୍ୟ...ମୁଁ ପ୍ରେତାତ୍ମା...ମୁଁ ଏକ ଅତୃପ୍ତ ଆତ୍ମା ଆଉ ମୋ ସଙ୍ଗରେ ଅଛନ୍ତି ମୋର ସ୍ଵାମୀ ଏଇ...ସେବି ଆସିଲେଣି ।

 

ପାର୍ଥସାରଥି ନମସ୍କାର କଲେ–ଜଣେ ପୂରାପ୍ୟାଣ୍ଟ ପରିଧାୟୀ ସ୍ୱାସ୍ଥ୍ୟବାନ ଯୁବକଙ୍କ ଉଦ୍ଦେଶ୍ୟରେ... ଆଖିରେ ତାଙ୍କର ରୋଲଡ଼ ଗୋଲ ଫ୍ରେମ ଚଷମା, ନାକ ତଳେ ସରୁ ନିଶ...

 

ରମଣୀଟି ପାର୍ଥ ସାରଥିଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ କଲେ–ଶୁଣ, ଆମର ଗୋଟିଏ କଥା ରକ୍ଷା କରି ପାରିବ ? ଏଥି ପୂର୍ବରୁ ଅନେକ ଲୋକ ଏଠି ମରଣ ବରଣ କରିଛନ୍ତି–ଆମର ସର୍ତ୍ତ ପୂରଣ ନକରି ପାରି...ଯା ସବୁ ଏଥିପୂର୍ବରୁ ତୁମେ ଦେଖିଲ, ସେ ବିକୃତ ଦୃଶ୍ୟ ସେମାନେ ହିଁ ସୃଷ୍ଟି କରିଛନ୍ତି–ଆମେ ନୋହୁ...

 

ପାର୍ଥ ସାରଥି ଭଙ୍ଗା ଗଳାରେ କହିଲେ...ଚେଷ୍ଟା କରିବି...

 

ନ ପାରିଲେ କିନ୍ତୁ ତୁମେ ଏଠୁ ବଞ୍ଚିକରି ଫେରି ଯାଇ ପାରିବନି ।

 

ପାର୍ଥ ସାରଥିଙ୍କ ଅନ୍ତରରେ କମ୍ପନ...ସ୍ଵାସ୍ଥ୍ୟ–ବାନ ଯୁବକଟି ପ୍ରତିବାଦୀ ଗଳାରେ କହିଲେ...ନା ତମକୁ ଆମେ ବି ସାହାଯ୍ୟ କରିବୁ । ଭୟ କରିବାର କାରଣ ନାହିଁ । ଏଇ ଭୟ କରି ଅନେକ ମରିଛନ୍ତି । ତମେ ଯଦି ଭୟ କର ତେବେ ଆମର ଏ ଆତ୍ମା ମୁକ୍ତି ପାଇ ପାରିବ ନାହିଁ...ଆଜକୁ ପଚାଶ ବର୍ଷ ହେଲା ଆମେ ଏ ଭଳି ବୁଲୁଛୁ...

 

ରମଣୀଟି କହିବାକୁ ଆରମ୍ଭ କଲା–‘‘ମୋର ଏ ସ୍ଵାମୀ ପ୍ରଥମେ ଯକ୍ଷ୍ମା ରୋଗାକ୍ରାନ୍ତ ହୋଇ ଏ ସ୍ଥାନକୁ ପରିବର୍ତ୍ତନ କରିବାକୁ ଆସନ୍ତି...ସେତେବେଳେ ସେ ଥିଲେ ହେଷ୍ଟିଙ୍ଗ୍‍ସ କଲେଜର ଇଂରାଜୀ ଅଧ୍ୟାପକ...ଏଠାରେ ମାତ୍ର ଦୁଇବର୍ଷ ରହଣି ମଧ୍ୟରେ ସ୍ଵାସ୍ଥ୍ୟର ଯଥେଷ୍ଟ ଉନ୍ନତି ହେବାର ଲକ୍ଷ୍ୟକରି ଏ ବାୟୁମଣ୍ଡଳ ଛାଡ଼ିବାକୁ ଏକାନ୍ତ ଅନିଚ୍ଛୁକ ହେଲେ । ଏହାଙ୍କର ପିତା ଜଣେ ବିଖ୍ୟାତ ଆଡ଼ଭୋକେଟ୍, ଅପର୍ଯ୍ୟାପ୍ତ ଅର୍ଥ...ଗାଡ଼ି ଆଉ ବାଡ଼ି...ସବୁଥିରେ ପୂର୍ଣ୍ଣ; କିନ୍ତୁ ଏକମାତ୍ର ପୁତ୍ରର ଏ ପ୍ରକାର ନିଷ୍ପତ୍ତିରେ ସେ ମୂହ୍ୟମାନ ହୋଇ ପଡ଼ିଲେ...ନିଜ ଅର୍ଜିତ ସମସ୍ତ ଅର୍ଥ ବିନିମୟରେ ଏ କୋଠାଟି ପୁତ୍ର ଲାଗି ନିର୍ମାଣ କରିବାର ପରେ ପରେ ସେ ଏଇଠି ହିଁ ମରିଗଲେ ।

 

ମୋ ଘର ଏହି ସହରର ଅନତି ଦୂରରେ, ଗାଁ ନା କହି ଲାଭ ନାହିଁ । ଏଇ ବିଖ୍ୟାତ କଲେଜରେ ମୁଁ ଥିଲି ଏକ ଅର୍ଥନୀତିର ଛାତ୍ରୀ । ଆକସ୍ମିକ ଭାବେ ଏହାଙ୍କ ସଙ୍ଗେ ମୋର ସାକ୍ଷାତ ହୁଏ । ତା’ପରେ ଆମ ଦୁହିଁଙ୍କ ଭିତରେ ଘନିଷ୍ଠତାର ବନ୍ଧ ପଡ଼େ । ମୋ ପିତା ମାତା ଭ୍ରାତାଙ୍କର କଥା ଲଙ୍ଘନ କରି ପରିସ୍ଥିତିର ତାଡ଼ନାରେ ମୁଁ ଏହାଙ୍କୁ ବିବାହ କରେ ।

 

କିନ୍ତୁ ଦୁର୍ଯୋଗ, ନିୟତିର ବିଧାନ ଅନ୍ୟ ପ୍ରକାର । ମୋ ସ୍ୱାମୀ ବିଭା ହେବାର କିଛିଦିନ ପରେ ହେଷ୍ଟିଙ୍ଗସ କଲେଜକୁ ଯାଉଥିବା ବେଳେ କାର ଦୁର୍ଘଟଣାରେ ମରଣ ବରଣ କରନ୍ତି । ଏଇ ଦୁଃସମ୍ବାଦ ପାଇ ମୁଁ ଗଳାରେ ରଜ୍ଜୁ ବାନ୍ଧି ଆତ୍ମହତ୍ୟା କରେ । ଏଇ ହେଲା ଆମ ନିରୀହ ପ୍ରାଣ ଦୁଇଟିର କରୁଣ କାହାଣୀ; କିନ୍ତୁ ଆମର ଆତ୍ମା ଅତୃପ୍ତ । କାରଣ ଆମେ ଏ ଘରକୁ ଭୋଗ କରି ପାରିଲୁନି ।

 

ଆମର ଶେଷ ଅନୁରୋଧ ବହୁଜନ ଯେପରି ଏ ଘରେ ପାଦପକାଇ ଏ ଘରକୁ ପବିତ୍ର କରନ୍ତି, ଏଥିଲାଗି ବ୍ୟବସ୍ଥା କର ! ଏ ଜୀର୍ଣ୍ଣ ଗୃହର ସଂସ୍କାର କରିବାକୁ ହୁଏ ତ ପ୍ରଚୁର ଅର୍ଥ ଲୋଡ଼ା-। କିନ୍ତୁ ଦୁଃଖ କଣ ? ମୁଁ ମରିବାର ଅବ୍ୟବହିତ ପୂର୍ବରୁ ଟଙ୍କା ବାକ୍ସଟା ଗୋଟାଏ ସ୍ଥାନରେ ପୋତି ଦେଇଛି । ଆସ...ମୋ ସଙ୍ଗରେ ଆସ ।

 

ତା’ପରେ ପାର୍ଥ ତାଙ୍କର ଅନୁସରଣ କଲେ ଯନ୍ତ୍ରଚାଳିତ ଭଳି ।

 

ଆର ପାଖ ଘରର ଗୋଟାଏ କଣକୁ ଆଙ୍ଗୁଳି ଦେଖାଇ ରମଣୀଟି କହିଲା–ସେ ତୀର ଚିହ୍ନକୁ ଦେଖି ପାରୁଛ ?

 

ହଁ–ପାର୍ଥସାରଥି ସମ୍ମତି ଜ୍ଞାପନ କଲେ ।

 

ଯାଅ, ସେହି ଯେଉଁ ପଟା ଅଛି ତାକୁ ଟେକିଲ ! ପାର୍ଥ ସାରଥି ଟେକିଲେ ।

 

କଣ ଦେଖୁଛ ?

 

ଗୋଟିଏ iron chest

 

ଠିକ୍ ଅଛି, ତାକୁ ଉପରକୁ ଆଣ, ପାରିବ ?

 

ଚେଷ୍ଟା କରି ବିଫଳ ହେଲେ ପାର୍ଥସାରଥି ।

 

ଆଚ୍ଛା ତମେ ଚାଲିଆସ । ଏଇ ଦେଖ–ତା’ପରେ ସେ ଗୋଟିଏ ଗାତକୁ ଲକ୍ଷ୍ୟ କରି କହିଲେ । ସେ ଗାତରୁ ଚାବିନେଇ ଫିଟାଅ ।

 

ପାର୍ଥସାରଥି ତାହାହିଁ କଲେ । ଦେଖିଲେ ଖାଲି ଟଙ୍କା ଆଉ ଟଙ୍କା । ଖାଲି ଛପା ଟଙ୍କାରେ 24” ର iron chest ଟା ପୂର୍ଣ୍ଣ ।

 

ଏଥର ବନ୍ଦକର । ପାର୍ଥସାରଥି ବନ୍ଦ କଲେ ।

 

ଏଥର ଏ ଧନ ତମ ହାତରେ ଦେଇ ଆମେ ନିଶ୍ଚିନ୍ତ । ଦେଖ ବହୁ କଷ୍ଟରେ ମୋ ଶ୍ୱଶୁର ଏ ଧନ ଅର୍ଜନ କରିଥିଲେ । ଆମେ ଚାହୁଁ ଏହାର ସଦ୍‍ବ୍ୟବହାର ଆଉ...

 

ପାର୍ଥସାରଥି ହସିଲେ ।

 

ଆମେ ଯାଉଛୁ ।

 

କିନ୍ତୁ ଆପଣଙ୍କ ନାମ ତ ଅଜଣା ରହିଗଲା । ସାହସ ସଂଚୟ କରି ପାର୍ଥସାରଥି କହିଲେ-

 

ମୋ ନା’ ସୁଷମା, ଆଉ ମୋ ସ୍ଵାମୀଙ୍କ ନା’ ମାନସ । ତା’ପରେ ପାର୍ଥସାରଥି ଚାରିଆଡ଼ ଖୋଜିଲେ କିନ୍ତୁ କିଏ କାହିଁ ?

 

ସକାଳ ହେଲା ।

 

ପାର୍ଥସାରଥିଙ୍କ ବନ୍ଧୁମାନେ ଅଶୁଭ ଆଶଂକା କରି ଡରି ଡରି ଅନେକ ଡେରିରେ ଆସି ଦେଖିଲେ । ପାର୍ଥସାରଥି ଶୋଇ ପଡ଼ିଛନ୍ତି । ଆଉ ଗୋବରା ଫକିରାର ନାଡ଼ି ମିଳୁନି । ବନ୍ଧୁମାନେ ବିଷଣ୍ଣ ମୁଖରେ ଫେରି ଯାଉଥିଲେ । କଡ଼ ଲେଉଟାଇ ପାର୍ଥସାରଥି ବନ୍ଧୁମାନଙ୍କୁ ସୁପ୍ରଭାତ ଜଣାଇଲେ ।

 

ପାର୍ଥ ମରିନି, ବଞ୍ଚିଛି । ଭଗବାନଙ୍କର ଜୟ ହେଉ । ଅଟ୍ଟହାସ୍ୟ କରି ପାର୍ଥସାରଥି କହିଲେ ଆଉ ମୋରି କାହାଣୀ ଶୁଣିବାକୁ ତ ଆସିଛ ? ସିଂହ ଭଳି ଉଠି ବସିଲେ ? ସିଏ ।

 

ମାନସ–ସୁଷମା–ଛାତ୍ର ନିବାସ ! ବହୁ ପରିଶ୍ରମ ଏବଂ ଅର୍ଥବ୍ୟୟ ପରେ ଭୂତ କୋଠିର ଜୀର୍ଣ୍ଣ କଳେବର ସଂସାର କରାଗଲା । ଗୁଇନ୍ଦା ପାର୍ଥବାବୁ ଗଭୀର ଚିନ୍ତା ପରେ ବିନା ଭଡ଼ାରେ ଗରିବ ପିଲାମାନେ ରହି ପାଠ ପଢ଼ିବା ଲାଗି ସେଇଟିକୁ ଉତ୍ସର୍ଗ କଲେ ।

 

ଆଜି ସେ କାହାଣୀ ଦୀର୍ଘ ପଚିଶି ବର୍ଷର ହୋଇଗଲାଣି କିନ୍ତୁ... ମାନସ ସୁଷମାଙ୍କର ଅତୃପ୍ତ ଆତ୍ମା ମୁକ୍ତି ପାଇଲାଣି ତ ?

 

ମାନସ–ସୁଷମା ଛାତ୍ରନିବାସର ଜୟ ଜୟକାର କର । ଦୁଇ ଅତୃପ୍ତ ଆତ୍ମାର ସଦ୍‍ଗତି କାମନା କର ।

 

☆☆☆

 

ମୂଷିକାୟ ନମଃ

 

ବିଶେଷ ଜ୍ଞାନ ତୁଳନାରେ ସାଧାରଣ ଜ୍ଞାନ ଯେ ମୋର ଯଥେଷ୍ଟ ବେଶୀ ଅଛି, ଏହା ମୁଁ ବେଟ୍ ମାରି କହିବି । ସାଧାରଣ ଜ୍ଞାନ ଚର୍ଚ୍ଚା ହେଉଥିବା ସ୍ଥାନରେ ମୁଁ ସିଂହଭଳି କୁଦିପଡ଼େ । ହେଲେ ମୂଷାମାନେ ଯେ ମଣିଷ ମାଉଁସ ଖାଆନ୍ତି ଏହା ମୋର ବିଲକୁଲ ଧାରଣା ନଥିଲା । ଅବଶ୍ୟ ମୁଁ ନବମ ଶ୍ରେଣୀରେ ପଢ଼ୁଥିବାବେଳେ ଆମ ବିଶ୍ଵବିଦ୍ୟାଳୟ ନିର୍ଦ୍ଧାରିତ ପ୍ରୋଜ ପୋଏଟ୍ରି ପାଠ୍ୟ ବହିରୁ ମୁଁ ପଢ଼ିଥିଲି ଯେ, ମୂଷାମାନଙ୍କ ଭୟରେ ରାଇନ୍ ନଦୀ ଭିତରେ ଘର କରି ରହିଲେ ମଧ୍ୟ ବିଶପ୍‍ହାଟୋଙ୍କୁ ଏହି ଦୁର୍ବୃତ୍ତ ମୂଷାମାନେ ଟିକି–ଟିକି କରି କାମୁଡ଼ି ଖାଇଗଲେ । ସତରେ ମୁଁ ହଲପ୍ କରି କହିବି–ସେତେବେଳେ ମୁଁ କଥାଟାକୁ ହସରେ ଭଡ଼ାଇ ଦେଇଥିଲି । କିନ୍ତୁ କଥାଟା ଯେ ନିହାତି ସତ୍ୟ ହୋଇଥିବ, ଏକଥା ମୁଁ ବର୍ତ୍ତମାନ ଭାବୁଛି । ଖାଲି ଭାବୁଛି କଣ ମୂଷାମାନଙ୍କୁ ଦେଖିଲେ ଭୟରେ ମୋ ପ୍ରାଣ ଛାଡ଼ି ଯାଉଛି । Bishop Hattoକୁ କାମୁଡ଼ି, ଝିଞ୍ଜାଡ଼ି ଖାଇଲାପରି ମୋତେ ଆଉ ଖାଇଯିବେ ନାହିଁ ତ ?

 

–ହେ ଭଗବାନ ! ମୋତେ ଏ ବିପଦରୁ ରକ୍ଷା କର । ଶୁଣିଛି ହରିଣୀକୁ କୁଆଡ଼େ ବ୍ୟାଧ ଜାଲରୁ ରକ୍ଷା କରିଥିଲ । ଏବେ ମୋ ମନ ହରିଣୀକୁ ମୂଷା ବ୍ୟାଧ ଜାଲରୁ ରଖ; ମୋତେ ବଞ୍ଚାଅ !

 

ପାଠକେ ! କଥାଟା ନିହାତି ମିଛ ନୁହେଁ । ବିଲକୁଲ ସତ, ବିଦ୍ୟାରାଣ, ଆଖିଛୁଇଁ କହୁଛି ତିଳ ପରି ଟିକିଏ ସୁଦ୍ଧା ମିଛ ନାହିଁ ଏଥିରେ । ମୂଷାଟାଏ ଯେ ମୋ ଉପରେ ଅକସ୍ ରଖି ଦୌରାତ୍ମ୍ୟ କରିବ, ଏ କଥା ମୁଁ ମନରେ କାହିଁକି, ସ୍ୱପ୍ନରେ ସୁଦ୍ଧା ଭାବି ନଥିଲି ।

 

ହଠାତ୍ ମୁଁ ଗାଧୋଇବା ବେଳେ ପଥରରେ ଗୋଡ଼ ଘଷୁ ଘଷୁ ଆବିଷ୍କାର କଲି ଯେ, ମୋ ଡାହାଣ ଗୋଡ଼ ଗୋଇଠିରୁ ଛେଲାଏ ମାଉଁସ ନାହିଁ । ମୋ ହଂସା ଉଡ଼ିଗଲା । ଆରେ ଛେଲାଏ ମାଉଁସ ଗଲା କୁଆଡ଼େ ??? ମାଂସକୁ ଖୋଜି ଖୋଜି ଗାଧୋଇ ଫେରିଲି । ହେଲେ ମାଂସ ମିଳୁଛି କେଉଁଠି ? ମୁଁ କିନ୍ତୁ ଭାବିଲି, ଗୋଡ଼ରେ କୁଆଡ଼େ ଚାଲୁଣିଆ ହୁଏ, ତେବେ ମୋର କଣ ଚାଲୁଣିଆ ହେଲାଣି କି ? ମୋତେ ଭାରି ଭୟ ଲାଗିଲା । ଚାଲୁଣିଆ ଏକ ସାଙ୍ଘାତିକ ରୋଗ । ତା’ପରେ ଏମିତି ଯଦି ମୋ ଗୋଡ଼ ଖାଲି ଗାଡ଼ମୟ ହୋଇଯାଏ, ତା ହେଲେ ପାଇଖାନାରୁ ହୁକଓ୍ୱାରମ୍ ସେଇ ବାଟେ ଚଢ଼ି ମୋର ସର୍ବନାଶ କରିବେ, କଣ କରିବି !

 

ପାଠକେ, ମୁଁ ସିନା ଭାବିଥିଲି ଚାଲୁଣିଆ ବୋଲି କିନ୍ତୁ ତା ପରଦିନ ଆବିଷ୍କାର କଲି, ଡାହାଣ ଗୋଡ଼ ପରିବର୍ତ୍ତେ ବାଁ ଗୋଡ଼ରେ ବି ସେମିତିକା ଗାଡ଼ । କି ମୁଷ୍କିଲ । ଦିଗୋଡ଼ ଯାକ ଗାଡ଼-। ଆଉ କଣ ଡାକ୍ତର ପରାମର୍ଶ କରିବି କି ? ଏମିତି ଡହଳ ବିକଳ ହୋଇ ସେ ଦିନଟି କଟାଇ ଦେଲି । ରାତିକୁ ମୋର ଜଣେ ଆତ୍ମୀୟ ବନ୍ଧୁ ଆସି ମୋ ବସାରେ ରହିଲେ । ରାତି ଏଗାରଟା ଯାଏ ପାଠ ପଢ଼ି ମୁଁ ନିଶ୍ଚିନ୍ତରେ ଶୋଇ କୁମ୍ଭକର୍ଣ୍ଣ ପରି ଘୁଙ୍ଗୁଡ଼ି ମାରିବାରେ ବ୍ୟସ୍ତ । ହଠାତ୍ ବନ୍ଧୁ ଜଣକ ମୋତେ ଧକ୍କାଟାଏ ଦେଲେ । ମୁଁ କଣ ହେଲା ବୋଲି ଧଡ଼ପଡ଼ ହୋଇ ଉଠି ଦେଖେ ତ ସେ ଲଣ୍ଠନ ଲଗାଇ ତାଙ୍କ ଗୋଡ଼ର ଗାଡ଼ ଦେଖୁଛନ୍ତି । ମୁଁ ପଚାରିବାରୁ ସେ ବିରକ୍ତ ହୋଇ କହିଲେ, ଏଠାରେ ମଶା ଆଉ ମୂଷା ଦୁହିଁଙ୍କର ଅଦୌତି ମଣିଷଠାରେ । ମୁଁ କିଛି ଭାବି ପାରିଲି ନାହିଁ । ବଣୁଆ ଜାଗାଟାରେ ମଶା ବିସ୍ତାର ବୋଲି ମୁଁ ଜାଣେ । ଟିକିଏ ଲଣ୍ଠନ ଲଗାଇ ଶୋଇବାର ଉପକ୍ରମ କଲେ-। ଶହ ଶହ ମଶା କେନ୍ଦରା, ବୀଣା ବଜାଇ କାନ ପାଖରେ ସଙ୍ଗୀତ ଆରମ୍ଭ କରିଦେଲେ-। ଖାଲି ସଙ୍ଗୀତ କରନ୍ତେ ଭଲା ପାଠକେ, ସେ ଯେଉଁ ବିକଳିଆ କରି କାମୁଡ଼ନ୍ତି–ସେକଥା ମୋ ମନ ଜାଣେ-। ତେଣୁ ମୁଁ କହିଲି–ମଶା ତ ନିଶ୍ଚୟ କାମୁଡ଼ୁଥିବେ ତେବେ ମୂଷା କଣ କଲା ?

 

ଦିନେ ହେଲେ ମୋର ଚେତା ଅବସ୍ଥାରେ ମୂଷା ମୋ ଘରେ ମୁଁ ଦେଖି ନାହିଁ । କେମିତି ବା ବିଶ୍ୱାସ କରିବି ? ମୁଁ ଉପହାସ କରି କହିଲି–ଆରେ ମୂଷା କୁଆଡ଼ୁ ଆସିବେ ?

 

ସେ ରାଗରେ ଗରଗର ହୋଇ କହିଲେ–ଆରେ ତୁ ତ କୁମ୍ଭକର୍ଣ୍ଣ ପରି ଶୋଇବୁ, ଆଉ ମୂଷା କି ବିଲୁଆ କାମୁଡ଼ିଲେ ତୁ ଜାଣିବୁ କୁଆଡ଼ୁ ! ହେଇ ଦେଖିଲୁ, ମୋ ଗୋଡ଼କୁ ମୂଷା କିପରି କାମୁଡ଼ି ପକାଇଛି । ବନ୍ଧୁଙ୍କ କଥା ଶୁଣି ଚମକି ପଡ଼ି ପଚାରିଲି–କଣ ମୂଷା ତୋ ଗୋଡ଼କୁ କାମୁଡ଼ୁଛନ୍ତି ? ସେ କହିଲେ–ତାଙ୍କ ଗୋଡ଼କୁ କାମୁଡ଼ିଲା ବେଳେ ସେ ଗୋଇଠା ମାରିଲେ ଯେ, ମୂଷା ଚେଁ ଚେଁ ହୋଇ ପଳାଇଲା । ମୁଁ ଦୀର୍ଘ ନିଃଶ୍ୱାସ ପକାଇଲି । ରକ୍ଷା ହେଉ, ମୋ ଗୋଡ଼ରେ ସେ ମାରାତ୍ମକ ଚାଲୁଣିଆ ରୋଗ ହୋଇ ନାହିଁ, ମୂଷା କାମୁଡ଼ିଛି । ମୁଁ ଭାବୁଥିଲି–କଣ ମୂଷା ବି ମୋ ଗୋଡ଼ କାମୁଡ଼ିବାକୁ ଟିକିଏ ଭୟ କଲା ନାହିଁ ? ତା ପରେ ମୁଁ ମୋ ଗୋଡ଼ ଦେଖାଇଲି । ସେ ଦିନ ରାତିରେ ଶୋଇବା ସେମିତି ସେମିତି......

 

ତା’ ପରଦିନ ସକାଳୁ ଆମେ ଦୁହେଁ ସେ ବନ୍ଧୁଙ୍କ ବସାକୁ ଗଲୁ । ସେଠାରେ ଏହି ବିଷୟରେ ଆଲୋଚନା ହେଲା । ଜନୈକ ପୂଜନୀୟ ନାରୀ ଆମକୁ ଡରେଇ ଦେଇ କହିଲେ–ତମେ ଡାକ୍ତରଖାନା ଯାଅ । ଆମେ ହସିଉଠିଲୁ । ମୂଷା କାମୁଡ଼ିଛି । ଡାକ୍ତର କଣ କରିବ ? ସେ ଆମ କଥାର ପ୍ରତିବାଦ କରି ବଞ୍ଚେଇ ବଞ୍ଚେଇ କହିଲେ–ମୂଷା ବିଷ ଭାରି ସାଙ୍ଘାତିକ । ତାଙ୍କ ଅଜା କୁଆଡ଼େ ଏଇ ମୂଷା କାମୁଡ଼ାରେ ତିନିମାସ ତଳେ ମରିଛନ୍ତି । ତା’ପରେ ସେ ସକଳ ବୃତ୍ତାନ୍ତ କହିଚାଲିଲେ । ହଠାତ୍ ତାଙ୍କ ଅଜା ଯୋତା ପିନ୍ଧୁ ପିନ୍ଧୁ ଯୋତା ଭିତରେ ଥିବା ଏକ ମୂଷା ତାଙ୍କୁ କାମୁଡ଼ି ଦେଲା । ଯାହା ଫଳରେ ତିନୋଟି ମାସ ପୂରିଲା ନାହିଁ । ତାଙ୍କୁ କୋକେଇରେ ପୁଣି ଶ୍ମଶାନ ଭୂଇଁକୁ ଯାତ୍ରା କରିବାକୁ ପଡ଼ିଲା । ପୂଜନୀୟାଙ୍କ କଥା ଶୁଣି ମୋ ପିଳେହି ପାଣିହୋଇ ଯାଉଥିଲା । ସେହି ନିକଟରେ ଯଦି କୌଣସି ଡାକ୍ତର ଥାଆନ୍ତେ, ଧାଇଁଯାଇ ବିକଳରେ କହିଥାନ୍ତି–ହଜୁର ! ମୂଷା ବିଷ କବଳରୁ ରକ୍ଷାକର ।

 

କିନ୍ତୁ ଦୂର୍ଯୋଗ–ଡାକ୍ତର ସେଠି କେହି ନ ଥିଲେ । ସେତିକି ବେଳଠାରୁ ମୋ ଦେହରେ ବାଇକଫ ହେଲା ପରି ମୋତେ ଲାଗିଲା । ତାପରେ ଫେରି ଆସି ରାତିରେ ଗୋଡ଼କୁ ଗୁଡ଼େଇ ଗାଡ଼େଇ ଶୋଇଲି । ମୂଷା ଦାଉ । ମୂଷା ଭୟରେ ଆଖିକୁ ନିଦ ଆସୁନି । ମୁଁ ନିଶ୍ଚଳ ହୋଇ ପଡ଼ିଛି-। ହଠାତ୍ ସେଇ ଦୁର୍ବୃତ୍ତ ମୂଷା ଆସି ମୋ ଗୋଡ଼ ଉପରେ ଆକ୍ରମଣ ଚଳାଇଲା । ପ୍ରଥମେ ପ୍ରଥମେ ମୋତେ ସଲସଲ ଲାଗିଲା । ପରେ ମୋତେ କାମୁଡ଼ି ପକାଇବାରୁ କାଟିଲା । ମୁଁ ଉଠି ଦେଖେ ତ ମୂଷା ନାହିଁ । ଆରେ ଗଲା କୁଆଡ଼େ ? ଆଉ କଣ ମନର ଭୟହେତୁ ଏପରି ଜଣାଗଲା-! ପୁଣି ଶୋଇଲି । ତା ଅଧଘଣ୍ଟାକେ ପୁଣି ଆକ୍ରମଣ–ପାଠକେ, ଏଥର ମୁଁ ବହୁ ସାବଧାନରେ ଉଠି ଏକା ନାତେ ମାଇଲି ଯେ ମୋ ନାତରେ ଗୋଡ଼–ତଳେ ଥିବା ଟ୍ରଙ୍କ କମ୍ପି ଉଠି ସ୍ଥାନତ୍ୟାଗ କଲା-। ଠିକ୍ ରାମଚନ୍ଦ୍ରଙ୍କ ପଦାଘାତରେ ଦୁର୍ବୃତ୍ତ ଦୈତ୍ୟର ଅସ୍ଥି ଯେପରି ଯୋଜନେ ବାଟକୁ ଚାଲିଯାଇଥିଲା-। କିନ୍ତୁ ବଡ଼ ଦୁଃଖର କଥା, ସେ ସିହାଣା ମୂଷାର ଲୋମଟାଏବି ଦୋହଲି ନଥିଲା । ବହୁ ସତର୍କତା ସହକାରେ ସେ ଯାଇଁ ଆତ୍ମଗୋପନ କଲା । ରାଗରେ ମୋର ସର୍ବାଙ୍ଗ କମ୍ପି ଉଠିଲା । କଣ-? ସାମାନ୍ୟ ମୂଷାଟାଏ, ସେ ମୋତେ ଶୁଆଇ ଦେବ ନାହିଁ । ଉଠି କବାଟଝରକା ବନ୍ଦକରି ଟ୍ରଙ୍କ ଗୁଡ଼ାକ ଚଟାଣ ମଧ୍ୟକୁ ଟାଣି ଆଣିଲି ଓ ମୂଷା ଅନ୍ୱେଷଣ କଲି । ମୁଁ ଉଠିବାର ଦେଖି ସେ କନାତଳେ ଜୁଳୁଜଳୁ କରି ଅନାଇ ଆତ୍ମଗୋପନ କରିଛି । ମୋ ଆଖିରେ ଯେମିତି ପଡ଼ିଛି ଖଣ୍ଡିଏ ବାଡ଼ିରେ ପିଟି ତ ଦେଇ ଥାଆନ୍ତି……ସେ ପାର । କିନ୍ତୁ ଯିବ କୁଆଡ଼େ ? ଚାରିଆଡ଼େ ଦ୍ଵାର ରୁଦ୍ଧ-। ଅଭିମନ୍ୟୁକୁ ଯେପରି ସପ୍ତରଥୀ ଚାରିଆଡ଼େ ଘେରି ମାରିବାପାଇଁ ତିଆରି ଥିଲେ, ମୂଷା ଅଭିମନ୍ୟୁଙ୍କୁ କବାଟ, ଦୁଇଟା ଝରକା, ଦ୍ଵାର ବନ୍ଧ ନଳୀ, ମୁଁ ଓ ମୋ ବାଡ଼ି ଏମିତି ଷଷ୍ଠରଥୀ ମାରିବା ପାଇଁ ତିଆର । ବିଚାରା କଣ କରିବ ? ଇତସ୍ତତଃ ଭାବେ ଏ କଣରୁ ସେ କଣ, ସେ କଣରୁ ଏ କଣ ଧାଁ ଧପଡ଼ କଲା । ମୁଁ ଆଉ କେଉଁଠି ନୀରବରେ ଗୋଡ଼ଯାକି ଠିଆ ହେଉଛି ! ମୂଷା ମାରିବା ପାଇଁ ମୁଁ ଭୀମରୂପ ଧାରଣ କରିଛି ଏକ ବିରାଟ ଠେଙ୍ଗାରୂପକ ଗଦା ଧରି । ଠିଆ ହେଲେ ସବୁ ବିଫଳ । ତେଣୁ ତା ପଛରେ ବି ମୋର ଧାଁ ଧପଡ଼ ଚାଲିଥାଏ । ହଠାତ୍ ସେ ବିଚକ୍ଷଣ ବୁଦ୍ଧିମାନ୍ ମୂଷା କଣ କଲା–ବହୁ ଚିନ୍ତା ଅବଶ୍ୟ କରି ସେ ଏହା କରିଛି । କାରଣ ଗଣେଶ ମହାପ୍ରଭୁଙ୍କର ବାହାନ ନା-!!! ଭୁସ୍‍କିନା କାନ୍ଥରେ ଟଙ୍ଗା ହୋଇଥିବା ଫଟୋ ଉପରକୁ ଡେଇଁଲା । ପାଠକେ, ମୁଁ ଯେପରି ତିଆର ହୋଇ ଠିଆ ହୋଇଥିଲି ଫଟୋ ଭାଙ୍ଗୁ ପଛେ ଏକା କଷି କରି ତା ବ୍ରହ୍ମତାଳୁରେ ପାହାରେ ବସେଇ ଦେଇ ଥାଆନ୍ତି । କିନ୍ତୁ ଦୁର୍ଯୋଗ–ମୂଷା ଉପରେ ରାଗି ମୁଁ ଏତେ ନିର୍ବଳ ହୋଇ ଯାଇଥିଲି ଯେ, ପଛଆଡ଼ୁଆ ଟ୍ରଙ୍କ ଉପରେ କଚାଡ଼ି ହୋଇ ପଡ଼ିଲି ଗଛ କାଟିଲା ପରି-

 

ମୋ ପଡ଼ିବା ଶୁଣି ମୋ ପାଖ ବସାରୁ ଜବାବ୍ ଆସିଲା କଣ ହେଲା ? କଣ ହେଲା ? ପାଠକେ, ଏଇ ଜବାବରେ ମୁଁ କଚଡ଼ା ଖାଇବା ଭୁଲିଯାଇ ହସିଉଠି କହିଲି–ଶଳା ମୂଷା ଗଲା କୁଆଡ଼େ ? ରାତିରେ ଶୁଆଇ ଦେଉନାହିଁ ହୋ ।

 

ଚତୁରପଣିଆରେ ଯେ ଅଙ୍କୁଶକୁ ଲଡ଼ୁ କରିଥିଲେ, ତାଙ୍କ ବାହନ ବି ଏତେ ଚତୁର ହୋଇଥିବ ଆଜ୍ଞା ମୁଁ ଜାଣି ନଥିଲି । ମୁଁ ସିନା ଟ୍ରଙ୍କ ଉପରେ ପଡ଼ି ଦେହ ହାତ ଆଉଁସୁଛି, ସେ କିନ୍ତୁ ଫଟୋରୁ କାନ୍ଥକୁ ଡେଇଁ ଭାଗେ–

 

ଦୁଃଖ, ଭୟ, ରାଗରେ ମୋ ସର୍ବାଙ୍ଗ ଥରିବାକୁ ଲାଗିଲା । ନିଜ ରାଗ ନିଜ ଉପରେ ମାରି ଟ୍ରଙ୍କ, ବାକ୍‍ସ ଗୁଡ଼ିକୁ ଯଥାସ୍ଥାନରେ ରଖିଲି । ମୂଷା ମାରିବା ମୋର ବ୍ୟର୍ଥ ହେଲା । ଅଭିମନ୍ୟୁକୁ ସପ୍ତରଥୀ ମାରିଥିଲେ । ଆମେ ଷଷ୍ଠରଥୀ ଥିବାରୁ ମୂଷାକୁ ମାରି ନପାରି ମନ ବଡ଼ ଦୁଃଖ ହେଲା ଏବଂ ମୂଷା ଭୟ ମୋ ଅନ୍ତରରୁ ଗଲା ନାହିଁ । ଲଣ୍ଠନଟାକୁ ହୁତୁହୁତୁ ଜଳାଇ ଦେଇ ଶୋଇବାର ଉପକ୍ରମ କଲି । ମୂଷାକୁ କେଉଁ ଉପାୟରେ ମାରିଥିଲେ ହୋଇଥାନ୍ତା ! ତା ଯିବା ପରେ ମୋ ମାନସ ପଟରେ ଚଳଚ୍ଚିତ୍ର ପରି ଦେଖାଯାଉଥାଏ ।

 

ମୁଁ ଶୋଉ ଶୋଉ ମନେ ମନେ ପ୍ରଣତି ଢାଳୁଥାଏ–ଗଣେଶାୟ ନମଃ, ତସ୍ୟ ବାହନ ମୂଷିକାୟ ନମଃ ।

 

☆☆☆

 

ଶେଷ ସୁମନର ସୁରଭୀ

-ଏକ-

 

ସୁପ୍ତ ନିଶିଥିନୀର ବୁକୁ ବିଦୀର୍ଣ୍ଣ କରି, କାହାର ବେଣୁ–ବିଳାପ ଶ୍ରାବଣୀ ରାତ୍ରିର ଘନ ଘୋର ବର୍ଷାଭଳି ଝରି ପଡ଼ୁଛି ମଗଧ ରାଜଧାନୀ ପାଟଳୀପୁତ୍ରରେ ! ଆଃ କି କରୁଣ, ମର୍ମ୍ମସ୍ପର୍ଶୀ ସେ ବିଳାପ !

 

ସୁନିଦ୍ରା ହୋଇ ନଥିଲା ମହମାନ୍ୟ ମଗଧ ସମ୍ରାଟ ଅଶୋକଙ୍କର....ବହୁଦିନର ସେହି ଦୁରନ୍ତ ଅନିଦ୍ରା ବ୍ୟାଧି ସେଦିନ ହଠାତ୍ କାହିଁକି ଅସମୟରେ ଗ୍ରାସକରି ବସିଲା ତାଙ୍କ ତନୁମନ....ନିଜର ପୁତ୍ରକନ୍ୟାମାନଙ୍କୁ ବୌଦ୍ଧ ଧର୍ମ ପ୍ରଚାର ଉଦ୍ଦେଶ୍ୟରେ ପ୍ରେରଣ କରି ସେ ନୀରବରେ ବସି ପାରି ନଥିଲେ...ନିଜର ସେହି ଭିକ୍ଷୁ, ଭିକ୍ଷୁଣୀ ପୁତ୍ର କନ୍ୟାଙ୍କର ଶାରୀରିକ ଅସୁସ୍ଥତା ଆଶଙ୍କାଜନିତ ଚିନ୍ତାରେ, ଅନେକ ସମୟରୁ ଅନ୍ତଃପୁରର କାରୁକାର୍ଯ୍ୟବିମଣ୍ଡିତ ନିର୍ଦ୍ଦିଷ୍ଟ ପ୍ରକୋଷ୍ଠରେ ଦୁଗ୍ଧ ଫେନନିଭ ଶଯ୍ୟାରେ ଶୋଇ ଶୋଇ ବ୍ୟସ୍ତ ଚଞ୍ଚଳ ହୋଇ ଉଠିଲେ, ସେଇ ରସିକ ବେଣୁବାଦକର ସନ୍ଧାନ ନେବା ଅଭିପ୍ରାୟରେ । ସିଏ ତଡ଼ିତ୍ ଗତିରେ ମୁକ୍ତ ବାତାୟନ ଦେଇ ରାତିର ଅଙ୍ଗାର କଳା ଅନ୍ଧକାରରୁ ଖୋଜି ବାହାର କରିବାକୁ ଛୁଟିଗଲେ । କିନ୍ତୁ ନା ! ନିବିଡ଼ ନିରନ୍ଧ୍ର ଅନ୍ଧକାରର ପକ୍ଷତଳେ ମଗଧ ରାଜଧାନୀ ପାଟଳୀପୁତ୍ର ନିଦ୍ରିତ । ସେ ଅନ୍ଧକାରରୁ ବେଣୁ ବାଦକର ସନ୍ଧାନ ନେବା କି ସମ୍ଭବ ?

 

ନିରାଶ–ବିବ୍ରତ–ପଦବ୍ରଜରେ ସମ୍ରାଟ ପୁଣି ରୁଦ୍ଧଦ୍ୱାର ଉନ୍ମୁକ୍ତ କରି ଡାକିଲେ–ରକ୍ଷୀ ! ରକ୍ଷୀ !

 

ଏ ଅସମୟରେ ସମ୍ରାଟଙ୍କର କଣ୍ଠସ୍ଵର ! ଆତଙ୍କିତ ରକ୍ଷୀ ସସମ୍ମାନେ ସମ୍ରାଟଙ୍କର ସମ୍ମୁଖୀନ ହୋଇ ଆଦେଶ ଅପେକ୍ଷା କଲା–କହନ୍ତୁ ମଣିମା !

 

ଟିକିଏ ନୀରବ ରହିବା ପରେ (ହୁଏତ ବେଣୁ ସ୍ୱନକୁ ସେ ଭାବବିହ୍ୱଳିତ ହୋଇ କର୍ଣ୍ଣପାତ କରିଥିଲେ) ଅଶୋକ କଣ୍ଠ ଖୋଲିଲେ–ରକ୍ଷୀ ! ତମେ ଶୁଣି ପାରୁଛ ଏଇ ସେଇ ବେଣୁସ୍ୱନ !

 

–ମଣିମା...

 

ତମେ କହି ପାରିବ ରକ୍ଷୀ ! ସେ ରସିକ ବାଦକର ସନ୍ଧାନ ନିଅ । ଆଉ ମୋର ଆଦେଶ–ତାକୁ ଘେନିଆସ, ମୋ ସମ୍ମୁଖକୁ ।

 

ଯଥା ଆଜ୍ଞା ।

 

ଅଭିବାଦନ ପୂର୍ବକ ରକ୍ଷୀ ଫେରିଗଲା...ସମ୍ରାଟ କିନ୍ତୁ ଫେରି ପାରିଲେ ନାହିଁ । ସ୍ଥାଣୁ ଭଳି ସେଇଠି ସେ ଠିଆ ହୋଇ ରକ୍ଷୀର ଗତିପଥକୁ ଲକ୍ଷ୍ୟ କରିଥିଲେ, ଏକମନ ଏକ ଲୟରେ...ରକ୍ଷୀ ପଦର ଚର୍ମପାଦୁକାର ଶ୍ରୁତିକଟୁ ଶବ୍ଦ କେବଳ ଶୁଭୁଥିଲା...ରକ୍ଷୀ ହୁଏତ ସୋପାନ ପରେ ସୋପାନ ଅତିକ୍ରମ କରି ଚାଲିଥିଲା ବୀର ବିକ୍ରମରେ...

 

–ଦୁଇ–

 

ଭିକ୍ଷୁ ମହେନ୍ଦ୍ର । ଭିକ୍ଷୁଣୀ ସଙ୍ଘମିତ୍ରା । ସୁଦୂର ସିଂହଳରେ ସେ ହୁଏତ ବୁଦ୍ଧଦେବଙ୍କର ଅମର ବାଣୀ ପ୍ରଚାର କରିଛନ୍ତି–ରାଜପୁତ୍ର, ରାଜପୁତ୍ରୀ ଆଜି ଭିକ୍ଷୁ, ଭିକ୍ଷୁଣୀ...ହସିଲେ ଅଶୋକ...ସବୁ ବୁଦ୍ଧଦେବଙ୍କର ଇଚ୍ଛା...କିନ୍ତୁ କୁନାଳ ?

 

ଅଶୋକଙ୍କ ଅନ୍ତରରେ ଚମକ.....

 

ମାତ୍ର କେଇଦିନ ତଳେ ସିଏ ଏକ ଦୁଃସ୍ୱପ୍ନ ଦେଖିଥିଲେ “କୁନାଳର ଅଙ୍ଗହାନୀ”–ଗଣକ ମଧ୍ୟ କୁନାଳର କୋଷ୍ଠୀ ଗଣନା କରି ସେଇ କଥା କହି ସତର୍କ କରାଇ ଦେଇଥିଲେ, କୁନାଳଙ୍କୁ ପାଖରୁ ନ ଛାଡ଼ିବାକୁ । କିନ୍ତୁ କୁନାଳ !

 

କୁନାଳ ଆଜି ବିଦ୍ରୋହ ଦମନ କରିବାକୁ ଯାଇଛି ମାଳବ । ଏଇ କେଇଦିନ ତଳେ ସେ ସମ୍ବାଦ ପାଇଥିଲେ–ବିଦ୍ରୋହୀ ଗୋଷ୍ଠୀର ପତି କୁଞ୍ଜର କର୍ଣ୍ଣଙ୍କୁ ସେ ଅକ୍ଳେଶରେ କରଗତ କରି ପାରିଛି–ବିନା ଯୁଦ୍ଧରେ, ଧର୍ମ ମନ୍ତ୍ରରେ...ସମଗ୍ର ମାନବ ଆଜି କୁନାଳର ପ୍ରେମରେ ବନ୍ଦୀ । କିଏ କହିବ, ସମ୍ରାଟ ଇତସ୍ତତଃ ହୋଇ ଉଠିଲେ । ଯଦି ବିଦ୍ରୋହୀ ଗୋଷ୍ଠୀ କୌଶଳ କରି କୁନାଳର ସର୍ବନାଶ କରିବାକୁ ଏଭଳି ସନ୍ଧିର ଆଶ୍ରୟ ନେଇ ଥାଆନ୍ତି ।

 

ନା, ବାଜେ, ଏକାନ୍ତ ଭାବେ ବାଜେ । ଏ ସବୁ ମନର ବିକାର । ବୁଦ୍ଧଦେବଙ୍କର ହୁଏତ ଏଭଳି ଇଚ୍ଛା ନାହିଁ...ହଉ ପ୍ରଭୁ ସତ୍ୟଦ୍ରଷ୍ଟା, ତୁମର ଇଚ୍ଛା ପୂରଣ ହେଉ...

ତଥାପି ରାତି ଅନେକ ଅଛି–କିନ୍ତୁ ଆଉ ଶୁଭୁନି ସେହି ବେଣୁ ବାଦକର ମେଘଲ୍ଲାର ଚାରିଣୀ–ସମ୍ଭବତଃ ରକ୍ଷୀ ସହ ସଂଳାପରତ ସେ ନିଶ୍ଚୟ...ଅଶୋକ ଶୋଇବାକୁ ଚେଷ୍ଟା କଲେ–କାଲି ରାଜସଭାର ପ୍ରଥମ ବ୍ୟକ୍ତି ତା ହେଲେ ଏଇ ବେଣୁ ବାଦକ ନା ।

 

–ତିନି–

 

ଭିକ୍ଷୁ

 

ନା ଖାଲି ଭିକ୍ଷୁ ନୁହେଁ, ଅନ୍ଧ ମଧ୍ୟ....

 

ଆଶ୍ଚର୍ଯ୍ୟ, ଅଥଚ ଏ ନିରନ୍ଧ୍ର ଅନ୍ଧକାରରେ ତୁମେ ଏପର୍ଯ୍ୟନ୍ତ ଆସିଲ କିପରି ଅନ୍ଧ !

 

ଅନ୍ଧ ହସିଲେ–ତାଙ୍କ ଆବକ୍ଷଲମ୍ବିତ କୃଷ୍ଣ ଶ୍ମଶ୍ରୁ ଭିତରେ ଶୁଭ୍ର ଦନ୍ତ ପନ୍ତି, କୃଷ୍ଣ ବାଦଲ କୋଳରେ ଚପଳା ଭଳି ଚପଳ ହୋଇଉଠିଲା । ଅନ୍ଧାର ରାତି ଆଉ ଦିନ ଭିତରେ କିଛି ପାର୍ଥକ୍ୟ ନାହଁ ମହାତ୍ମା । ଯିଏ ଅନ୍ଧ ତା ପାଖରେ ଦୁନିଆଁ ଅନ୍ଧାର...ତାକୁ ଯେ କୌଣସି ମୁହୂର୍ତ୍ତରେ ଚାଲିବାକୁ ହେଲେ ସେଇ ନିଶିକୃତ କଷ୍ଟ କରିବାକୁ ପଡ଼ିବ...

 

ରକ୍ଷୀ ମନରେ ଟିକିଏ ଦୁଃଖ ଆସିଲା–ନିରୀହ ଭିକ୍ଷୁର ଯଥାର୍ଥ କଥା ଶୁଣି ସେ ଟିକିଏ ଥମି ଯାଇଥିଲେ । ପୁଣି କଣ ଭାବି ପଚାରିଲେ–ତମେ ଏତେ ସୁନ୍ଦର ବଂଶୀ ବଜାଇ ଶିଖିଲ କେଉଁଠୁ ?

 

ଭିକ୍ଷୁ ସଂକ୍ଷେପରେ ଉତ୍ତର ଦେଲେ–ବୁଦ୍ଧଦେବଙ୍କ ଆଶୀର୍ବାଦ ।

 

ଭିକ୍ଷୁ ।

 

କଣ ଆଉ ପଚାରିବେ ?

 

ନା, ..... .....

 

ଆଛା ତୁମ ପରିଚୟ...

 

ମୁଁ ରକ୍ଷୀ, ସମ୍ରାଟଙ୍କର ଦେହରକ୍ଷୀ ।

 

ତମେ ସମ୍ରାଟଙ୍କର ଦେହରକ୍ଷୀ ? ତା ହେଲେ ମୁଁ କଣ ପାଟଳୀପୁତ୍ରରେ !

 

ଖାଲି ପାଟଳୀପୁତ୍ରରେ ନୁହେ; ରାଜ ପ୍ରାସାଦର ଖୁବ୍ ନିକଟରେ ।

 

ରକ୍ଷୀ ?

 

ତମେ ଏପରି ଥରି ଉଠୁଛ କାହିଁକି ଅନ୍ଧ ? ଅନ୍ଧ ଉଦ୍‍ଗତ କୋହକୁ ଚାପିରଖିବାର ବ୍ୟର୍ଥ ଚେଷ୍ଟା କରୁଥିଲେ ।

 

ରକ୍ଷୀ କହିଲା–ତମେ କାନ୍ଦୁଛ ସେ...

 

ଅନ୍ଧ ନିଜ ନୟନରୁ ଲୁହ ପୋଛୁ କରୁଣ ଅଥଚ ମର୍ମ ସ୍ପର୍ଶୀ କଣ୍ଠରେ କହିଲେ–ଦୟାକରି ମତେ ଏ ସ୍ଥାନରୁ ଦୁରକୁ ନେହିଯାଅ ରକ୍ଷୀ । ମୁଁ ପ୍ରାଣାନ୍ତକ ଯନ୍ତ୍ରଣା ପାଇଛି–

 

କିନ୍ତୁ ସମ୍ରାଟଙ୍କ ଆଦେଶ ତୁମକୁ ମାନିବାକୁ ହେବ ଭିକ୍ଷୁ ।

 

ସମ୍ରାଟଙ୍କ ଆଦେଶ ?

 

ଭିକ୍ଷୁ ସ୍ଵଗତୋକ୍ତି କରି ଉଠିଲେ–‘‘ଅଦୃଷ୍ଟର ଇଙ୍ଗିତ ଶିରୋଧାର୍ଯ୍ୟ ମମ”–

 

ରକ୍ଷୀ କହିଲେ–ମୋ ହାତ ଧର ଭିକ୍ଷୁ । ହୁଏତ ଅଚିହ୍ନା ପଥରେ ଯିବାକୁ କଷ୍ଟହୋଇ ପାରେ–

 

ପୁନର୍ବାର ଆଖିରୁ ଲୁହ ପୋଛି, ନିଜର ପ୍ରିୟ ବଂଶୀ ଖଣ୍ଡିକ ଧରି ରକ୍ଷୀ ଉଦ୍ଦେଶ୍ୟରେ ଊର୍ଦ୍ଧ୍ୱକୁ ହାତ ତୋଳିଲେ ଅନ୍ଧ–

 

ରାତି ସେ ପର୍ଯ୍ୟନ୍ତ ବି ସଂପୂର୍ଣ୍ଣ ପାହି ନ ଥିଲା–ତଥାପି ରାଜପ୍ରାସାଦରୁ ଭାଟମାନଙ୍କର ସମ୍ରାଟଙ୍କ ସ୍ତୁତି ଶୁଭୁଥିଲା–ଏକ ମେଷର କଣ୍ଠ ସ୍ୱର ପରି–

 

–ଚାରି–

 

ଅତୀତ, ବର୍ତ୍ତମାନ, ଭବିଷ୍ୟତ !

ନା–ସେ ନିଷ୍ଠୁର ଅତୀତ କଥା ଭାବି ଲାଭ ନାହିଁ, ବର୍ତ୍ତମାନର ଭିକ୍ଷାସର୍ବସ୍ଵ, ଅନ୍ଧ । ଅତୀତର ଯୁବରାଜ ଥିବାର ଗର୍ବ ଅଳିକ ଅବାନ୍ତର ସିନା ! କିନ୍ତୁ ବୁଦ୍ଧଦେବ–ଏ ପାଟଳୀପୁତ୍ରକୁ ମତେ କାହିଁକି ଟାଣି ଆଣିଲେ ବରଂ....

ଆସନ୍ତୁ ଭିକ୍ଷୁ ! ମହାମାନ୍ୟ ସମ୍ରାଟଙ୍କ ଆଦେଶ ।

ଭିକ୍ଷୁ ଚାଲିଲେ, ଦୁଃଖ ଯନ୍ତ୍ରଣାରେ ପାଦ ଅତିଷ୍ଠ ହୋଇ ଉଠୁଥିଲା । କୋହ ସମ୍ବରଣ ନକରି ପାରି ଭିକ୍ଷୁ ଚିତ୍କାର କରିଉଠିଲେ–ବାବା !

କିଏ ? କିଏ ?

କେଶରୀ ଆସନ୍ତୁ କେଶରୀ ଭଳି କୁଦିପଡ଼ି ଅଶୋକ ଚିତ୍କାର କରି ଉଠିଲେ–କିଏ, କୁନାଳ ?

ଆପଣ କେଉଁଠି ବାବା ! ମୋତେ ଦେଖାଯାଉ ନାହିଁ......

ତୀର ଗତିରେ ଛୁଟି ଆସି କୁନାଳକୁ କୋଳାଗ୍ରତ କରି ଅବୋଧ ଶିଶୁ ଭଳି କାନ୍ଦିଉଠିଲେ ଅଶୋକ–ଆରେ ତୋତେ ଏ ଦୁର୍ଦ୍ଦଶା କିଏ ଦେଲା ବାବା ! କୁନାଳ ନିରୁତ୍ତର...

କିନ୍ତୁ ପରେ ଜଣାଗଲା, ବିମାତା ତିଷ୍ୟରକ୍ଷିତାର ଏ ଚକ୍ରାନ୍ତ ।

ଅଶୋକ କର୍କଶ କଣ୍ଠରେ ଚିତ୍କାର କରିଉଠିଲେ–ପାଷାଣୀ, ନାରକୀ, ଘୃଣ୍ୟା ତିଷ୍ୟରକ୍ଷିତା......ହଁ ମହାମନ୍ତ୍ରୀ ରାଧାଗୁପ୍ତ, ଅମାତ୍ୟ ଯଶ...ପାପିନୀ ତିଷ୍ୟରକ୍ଷିତାକୁ ତୁମେ ଜୀବନ୍ତ ସମାଧି ଦେଇଦିଅ–ଯାଅ–

କିନ୍ତୁ ଦୟାବତାର କୁନାଳ ଅଶୋକଙ୍କ ପାଦ ଧରି ବିନମ୍ର ନିବେଦନ ସହ କହିଲେ–ବାବା ! ବୁଦ୍ଧଦେବ କହିଛନ୍ତି, ଦୋଷୀକୁ କ୍ଷମାଦିଅ । କ୍ଷମା ମହୀୟସୀ ଶକ୍ତି ।

ଅଶୋକ କାନ୍ଦିଉଠିଲେ–

ତିଷ୍ୟରକ୍ଷିତା ବି......

ସେଦିନ ରାଜକୁମାର କୁନାଳର ଏଇ ପ୍ରତିଭା ପୂର୍ଣ୍ଣ ମହାନ୍ ହୃଦୟର ସନ୍ଧାନ ପାଇ ଚକିତ ହୋଇ ଉଠିଲା ରାଜସଭା......ବିବାହ ଉତ୍ସବରେ ଯୋଗ ଦେଇ ବର–କନ୍ୟାଙ୍କୁ ଆଶୀର୍ବାଦ କରିବା ମୋ ପକ୍ଷରେ ତେଣୁ ସମ୍ଭବ ହୋଇ ନଥିଲା । ବି.ଏ. ପରୀକ୍ଷା ଦେଇ ସାରି ମୁଁ ଯେତେବେଳେ ତୃପ୍ତି ଘରକୁ ଆସିଲି, ମଉସା, ମାଉସୀ ତୃପ୍ତିର ସୁସମ୍ବାଦ ଜଣାଇବା ସାଥେ ସାଥେ ମୋ ହାତକୁ ଖଣ୍ଡେ ପତ୍ର ବଢ଼ାଇ ଦେଇଥିଲେ ! ଶାଶୁଘରୁ ତୃପ୍ତି ଲେଖିଥିଲା ପତ୍ର, ସେଇ ଛଟା–ଛଟା ଅକ୍ଷର–‘ମୋ ରାଣ, ମୋ ମୁଣ୍ଡ ଖାଅଟି, ମୋତେ ଯଦି ଟିକେ ଭଲ ପାଉଥାଅ, ଆସିବ, ନିଶ୍ଚୟ ଆସିବ, ମୁଁ ତୁମ ଆଗମନ ପଥକୁ ଅନାଇ ରହିଛି’...

ଚିଠିଟି ପଢ଼ି ମୁଁ ହସି ଦେଇଥିଲେ ବି ଅଜାଣତରେ ଆଖିରେ ମୋର ଲୁହ ଭରି ଉଠିଥିଲା । ମଉସା ମାଉସୀ କଥାଟା ବୁଝିପାରି ତୃପ୍ତି ଘରକୁ ଥରେ ଯାଇଁ ବୁଲି ଆସିବାକୁ ମତେ ଅନୁରୋଧ କରିଥିଲେ–ତୃପ୍ତିର କେଉଁ ଏବେ ଭାଇ ଅଛି ଯେ, ତା ଦୁଆରେ ଯାଇଁ ଛତାବାଡ଼ି ଡେରିବ-? ତମେ ଟିକେ ଯାଅ–ନୂଆ ହୋଇ ଯାଇଛି, ମନ ଲାଗୁ ନ ଥିବ, ତମକୁ ଦେଖିଲେ ହେଲେ ତା’ ମନ ପରିବର୍ତ୍ତନ ହେବ...ମନରେ ଟିକେ ସାହସ ବାନ୍ଧିବ...

ତାଙ୍କ ପାଖରେ ସେଦିନ ନିର୍ଭର–ପ୍ରତିଶ୍ରୁତି ଦେଇଥିଲି–ଏଇଥି ଭିତରେ ସୁବିଧା ଦେଖି ନିଶ୍ଚୟ ଯିବି । କିନ୍ତୁ ଘରକୁ ଫେରି ଆସିବା ପରେ ମନରେ ମୋର ପ୍ରଶ୍ନର ନାଗ ମଥା ତୋଳିଥିଲା–ତୃପ୍ତି ଘରେ ମୁଁ କଣ ଦେବି ମୋର ପରିଚୟ ?

ତୃପ୍ତି ସହ ମୋର ସାକ୍ଷାତ, ସଂପର୍କ ପ୍ରତିଷ୍ଠା ଏକାନ୍ତ ଆକସ୍ମିକ ।

ସେ ବର୍ଷ ମକରଯାତ୍ରାକୁ ଏକ ସର୍କସ ଦଳ ଆସିଥିବାରୁ ପୂର୍ବ ବର୍ଷାପେକ୍ଷା ସେ ବର୍ଷ ଜନସମାରାମ ମାତ୍ରାଧିକ ହୋଇପଡ଼ିଥିଲା । ହେବା ବି ସ୍ଵାଭାବିକ୍ । ମଫସଲ ଭୂଇଁରେ ସିନେମା, ସର୍କସ, ଥିଏଟର ନାହିଁ । କେବେ କିମିତି ଯଦି କେଉଁଠିକୁ ସର୍କସ କିମ୍ଵା ସିନେମା ଆସିଯାଏ, ଲୋକଙ୍କୁ ଆୟତ୍ତ କରିବ ପୁଣି କିଏ ! ପିମ୍ପୁଡ଼ିଧାର ଭଳି ପିଲା– ପିଚିକାଙ୍କୁ ଧରି ଚୁଡ଼ା ଚାଉଳ ବାନ୍ଧି ଗାଁ ଗଣ୍ଡାରୁ ଛୁଟନ୍ତି । ଟିକେଟ ନ ମିଳିଲେ ତିନିଦିନ ରହିଯିବେ ପଛେ, ସର୍କସ ନ ଦେଖି ଫେରିବେ ନାହିଁ...

ସେଇ ସର୍କସ ଦେଖିବାକୁ ବାପା, ବୋଉ ସହ ବଡ଼ ଆଗ୍ରହରେ ଆସିଥିଲା ତୃପ୍ତି, ଚଉଦ ବର୍ଷର ଝିଅ ତୃପ୍ତି ବାପା ବୋଉଙ୍କ ହାତଧରି ଭିଡ଼ ଠେଲି ଠେଲି ଚାଲିଥିଲା । ସହସା ଗହଳି ଭିତରୁ କୌଣସି କାରଣରୁ ଗୋଳମାଳ ସୃଷ୍ଟି ହେବା ଦେଖି, ଆଗେଇ ଯାଉଥିବା ଜନତା ପଛେଇ ଗଲା...ବାପା, ବୋଉଙ୍କ ହାତରୁ ଖସିଯାଇ ତୃପ୍ତି ବି ପଛେଇ ଗଲା...ଅନେକ ଅନେକ ପଛକୁ....

ଗୋଳମାଳ ଶାନ୍ତ ହେଲା ! କିନ୍ତୁ ତୃପ୍ତିର ଅଶାନ୍ତ କ୍ରନ୍ଦନ ରୋଧିବ କିଏ ?

ମକରଯାତ୍ରା ଆମ ଅଞ୍ଚଳର ଏକ ପ୍ରସିଦ୍ଧ ମେଳା–ମାଘମାସରେ ଧାନ ଅମଳ ହେବା ଫଳରେ ଲୋକଙ୍କ ହାତକୁ ଲକ୍ଷ୍ମୀସାଆନ୍ତାଣୀ ଆସିଯାଇ ଥାଆନ୍ତି । ସେଇ ଲକ୍ଷ୍ମୀଙ୍କୁ ବିକ୍ରୟ କରି ଏ ଯାତ୍ରାରେ ଗହଳି ସୃଷ୍ଟି କରିବାକୁ ଛୁଟି ଆସନ୍ତି ଲୋକେ...ଆଉ ଏଇ ଉଦ୍‍ବେଳିତ ଜନ–ସମୁଦ୍ରକୁ ଶାନ୍ତ, ଆୟତ୍ତ, ସାହାଯ୍ୟ କରିବାକୁ ଶ୍ରୀକୃଷ୍ଣ ଏକାଡ଼େମୀର ଛାତ୍ରମାନେ ସ୍ୱେଚ୍ଛାସେବକ ରୂପେ କାର୍ଯ୍ୟ କରନ୍ତି । ସେ ବର୍ଷ ଜନତାର ସେବା କରିବାର ପ୍ରଲୋଭନ ଦମନ କରି ନପାରି ମୁଁ ନିଜକୁ ସ୍ୱେଚ୍ଛାସେବକ ଭାବେ ସଜାଇ ଦେଇଥାଏ । ଦେହରେ ଖାକି କନାର ପୋଷକ, ମୁଣ୍ଡରେ ଟୋପି, ଛାତିରେ ବ୍ୟାଜ୍...ହାତରେ ତାଳୁଏ ଉଞ୍ଚର ଠେଙ୍ଗା..... ଲୋକ ଗହଳି ଭିତରେ ତୃପ୍ତିର ଅଶାନ୍ତ କ୍ରନ୍ଦନର କାରଣ ପଚାରି ବୁଝିନେବାକୁ ଛୁଟିଯାଇ ପଚାରିଲି–କଣ ହୋଇଛି ଭଉଣୀ ?

ତୃପ୍ତି କେବଳ କାନ୍ଦୁଥିଲା; ନିଜର କରପ ପୁଲିରେ ଆଖି ମିଳିମଳି ଅଶ୍ରୁ ବିଗଳିତ କଣ୍ଠରେ କହିଥିଲା–ବାପା, ବୋଉ...ତା’ ବାପା ବୋଉଙ୍କୁ ଯେ ସେ କେଉଁଠି ଛାଡ଼ି ଦେଇଛି, ଏକଥା ବୁଝିବାକୁ ମତେ ବାକି ରହିଲା ନାହିଁ । ତାକୁ ସାନ୍ତ୍ଵନା ଦେବା କଣ୍ଠରେ କହିଲି–କିଛି ବ୍ୟସ୍ତ ହୁଅନି ଭଉଣୀ, ବାପା, ବୋଉ ତମର କୁଆଡ଼େ ଯିବେନି । ମୁଁ ତାଙ୍କୁ ଖୋଜିଦେବି, ଆସ–ମୋ ସହିତ ଆସ...

ଯାତ୍ରାରେ ଗହଣା ଚୋରି କରିବାକୁ ଅନେକ ଚୋର ଭଦ୍ରଲୋକ ବେଶରେ ବୁଲୁଥିବାର ଗୁଜବ–କାହାଣୀ ଶୁଣିଥିଲା ତୃପ୍ତି । ମୋ କଥା ଶୁଣି ସେ ସାନ୍ତ୍ଵନା ପାଇବା ପରିବର୍ତ୍ତେ ଭୀତା, ଚକିତା ହୋଇ ଖୁବ୍ ଉଚ୍ଚରେ କାନ୍ଦିଉଠିଲା...ମୋ ସହିତ ଯିବାକୁ ତାର ଏକାନ୍ତ ଅନିଚ୍ଛା ଦେଖି ମୁଁ ପ୍ରଥମେ କିଂକର୍ତ୍ତବ୍ୟବିମୂଢ଼ ହୋଇ ପଡ଼ିଲି । ତୃପ୍ତି ମନରେ ବିଶ୍ୱାସ ଜନ୍ମାଇବାକୁ ମୋର ସଂପୂର୍ଣ୍ଣ ପରିଚୟ ଦେଇ କହିଲି–ପାଠ ପଢ଼ୁଛ ?

ତୃପ୍ତି ମୁଣ୍ଡ ଦୋହଲାଇ ସମ୍ମତି ଜ୍ଞାପନ କଲା ।

–କେଉଁ କ୍ଳାସରେ ?

–ସପ୍ତମ...

–କେଉଁ ସ୍କୁଲ ?

–ଶାଳିଜଙ୍ଗ ।

–ଶାଳିଜଙ୍ଗ ! ମହା–ସମୁଦ୍ର ଭିତରେ ଭାସି ଯାଉଁ ଯାଉଁ ମୁଁ ଏକ କୁଟାଖିଆ ଧରି ପକାଇଥିବା ଆନନ୍ଦରେ ନାଚି ଉଠିଲି । କହିଲି–ଶାଳିଜଙ୍ଗ ସ୍କୁଲ ତ ଆମ ସ୍କୁଲକୁ ଏଥର ମାଇନର ପରୀକ୍ଷା ଦେବାକୁ ଆସିବେ; ଏ ବର୍ଷ କଣ ତୁମେ ଆସିବ ନାହିଁ ?

ତୃପ୍ତି ଟିକେ ସାହସ ପାଇଲା କଣ୍ଠରେ କହିଲା–ଆପଣ ଶ୍ରୀକୃଷ୍ଣ ଏକାଡ଼େମୀର ଛାତ୍ର !

–ହଁ ଭଉଣୀ, ଏକାଦଶ ଶ୍ରେଣୀରେ ମୁଁ ପଢ଼େ । ଏଠିକି ସ୍ଵେଚ୍ଛାସେବକ ଭାବେ ଆସିଛୁ; ଆମର କାର୍ଯ୍ୟ ହେଲା–ହଜିଗଲା ଲୋକକୁ ଖୋଜିଦେବା...ବିପଦରେ ପଡ଼ିବା ଲୋକକୁ ସାହାଯ୍ୟ କରିବା...ମତେ ବିଶ୍ୱାସ କର, ମୁଁ ମାତ୍ର କେଇ ଘଣ୍ଟା ଭିତରେ ତମ ବାପା, ବୋଉଙ୍କୁ ଖୋଜି ଦେଉଛି...

ତୃପ୍ତି ଆସିଥିଲା । ତୃପ୍ତିର ନିରାପତ୍ତା ରକ୍ଷା କରିବାର ଦାୟିତ୍ଵ ବହନକରି ମୁଁ କ୍ୟାମ୍ପକୁ ଫେରିଲି । କ୍ୟାମ୍ପରେ ଆମ ଦାୟିତ୍ଵରେ ଥିବା ଶିକ୍ଷକଙ୍କ ଜିମା ଦେଇ ଲାଉଡ଼ ସ୍ପୀକରରେ ତାର ବାପ ମାଆଙ୍କୁ ସମ୍ବାଦ ଦେବାକୁ ଗଲାବେଳେ ତୃପ୍ତି କି ମତେ ଛାଡ଼େ !

ଶିକ୍ଷକ ମହାଶୟ ତୃପ୍ତିକୁ ଛାଡ଼ି ନଯିବାକୁ ମତେ ନିର୍ଦ୍ଦେଶ ଦେଇଥିଲେ । ତା’ପରେ ଅନ୍ୟ ପିଲାଙ୍କ ଦ୍ଵାରା ଲାଉଡ଼ସ୍ପିକରରେ ଘୋଷଣା କରିଥିଲେ–ଚଉଦବର୍ଷର ଝିଅ ତୃପ୍ତି ମିଳିଛି । ତାର ବାପ, ମାଆ ଆମ କ୍ୟାମ୍ପରୁ ନେଇ ଯାଆନ୍ତୁ....

ଯାତ୍ରାଗହଳି ଭିତରେ ପାଗଳ–ପାଗଳୀ ଭଳି ‘ତୃପ୍ତି, ତୃପ୍ତି’ ହୋଇ ଛୁଟିଥିଲେ ତାର ବାପ, ମାଆ...ଆମର ଏ ଘୋଷଣା ଶୁଣି ସେମାନେ କ୍ୟାମ୍ପକୁ ଆସିଥିଲେ । ବାପା, ବୋଉଙ୍କୁ ଦେଖି ତୃପ୍ତି ଆନନ୍ଦରେ ନାଚିଉଠି କହିଲା–ବାଃ, ତମେ ମତେ ଛାଡ଼ି ଚାଲିଗଲ, ଏଇ ବାବୁ ଯଦି ନ ଥାଆନ୍ତେ...

ତୃପ୍ତିକୁ ବୁକୁରେ ଚାପିଧରିଥିଲେ ତାର ମାଆ...ବାପା ତାର ଆମକୁ ଆଶୀର୍ବାଦ କରି ବିଦାୟ ହେଲାବେଳେ କହିଥିଲେ–ତୃପ୍ତି ଜିଦ ଧରିଛି, ତମେ ସୁବିଧା ଦେଖି ଟିକେ ଆମ ଘରଆଡ଼େ ଯିବ ବାବୁ...ଯିବିବୋଲି ଯେତେବେଳେ ପ୍ରତିଶ୍ରୁତି ଦେଇଛି, ନଗଲେ କଣ କହିବେ ମୋତେ ମଉସା, ମାଉସୀ ? ତା’ଛଡ଼ା ତୃପ୍ତି ବି ନିଜେ ଲେଖିଛି, କଣ ସେ ଭାବିବ ? ତା’ଛଡ଼ା ଏଇ କେଇ ବର୍ଷର ସମ୍ପର୍କ ଭିତରେ ତା, ମୋ ଭିତରେ ଯେଉଁ ନିବିଡ଼ ଆତ୍ମୀୟତା ପ୍ରକାଶ ପାଇଛି, ତା’ ଯେ ଖାଲି ଛଳନା, ଏ କଥା ତୃପ୍ତି କାହିଁକି, କିଏ ଯେ ନ ଭାବିବ ?

ଯାଇଥିଲି । ହେଲେ ମୋତେ ତୃପ୍ତିର ଭାଇ ରୂପେ ଗ୍ରହଣ କରି ତାହା ସହ କଥୋପକଥନ କରିବାକୁ ସୁବିଧା ଦେବାକୁ ତାର ରକ୍ଷଣଶୀଳ ପରିବାର ନାଶିକା କୁଞ୍ଚନ କଲା । ନିରାଶ–ଦୁଃଖ–ଯନ୍ତ୍ରଣାରେ ଅତିଷ୍ଠ ହୋଇ ଫେରୁଥିଲି । କିନ୍ତୁ ତୃପ୍ତିର ସ୍ୱାମୀ ଦେଖାହୋଇ ମୋତେ ତା ସହ ସାକ୍ଷାତ କରିବାକୁ ଅନୁମତି ଦେଲେ । ତା’ ନ ହୋଇଥିଲେ ଏତିକି ମନସ୍ତାପ କରିବାକୁ ବା ମତେ କାହିଁକି ପଡ଼ିଥାଆନ୍ତା !

ସ୍ଥିର ଅପଲକ ନେତ୍ରରେ ମୁଁ ଚାହିଁଥିଲି ତୃପ୍ତିକୁ...ମୋର ଏ ଚାହାଣୀର ଶରବ୍ୟ ହୋଇ ତୃପ୍ତି ଅନେକ କିଛି କହିବ କହିବ ହୋଇ କହିପାରୁନଥିଲା...

ମୁଁ କେବଳ ମୋର ସ୍ମୃତିର ଆଲ୍‍ବମରୁ ଖୋଜି ଆବିଷ୍କାର କରିବାକୁ ଚେଷ୍ଟା କରୁଥିଲି କୁମାରୀ ତୃପ୍ତି ରାୟକୁ...ଯିଏ ମତେ ଦେଖୁ ଦେଖୁ ଦୌଡ଼ି ଆସୁଥିଲା । ମତେ ଅନେକ କଥା ପଚାରି ବ୍ୟସ୍ତ କରୁଥିଲା...

ଆଖିରେ ମୋର ଲୁହ ଟଳମଳ ହୋଇ ଆସିଥିଲା । ତୃପ୍ତିର ବି...ହୁଏତ ମୋ ଭିତରେ ସେଇ ‘ଭାଇ’କୁ ନ ପାଇ ନିଜର ଚାହାଣୀ ନିମ୍ନଗାମୀ କରି ନେଇଥିଲା...ଆଖିରୁ ଲୁହକୁ ଚାପିନେଇ ମୁଁ ବାହାରକୁ ଛୁଟି ଆସିଲି....

☆☆☆

 

ନୀଳ ସାଗରର ଧୂସର ବାଲୁକା

 

–ତମେ ସ୍ଵପ୍ନକୁମାରକୁ ଚିହ୍ନିଛ, ପାନ୍ଥ ?

 

–ସ୍ଵପ୍ନ କୁମାର !

 

–ହଁ, ସିଏ ମୋତେ ଏକାକୀ ଅସହାୟା ଭାବେ ଏଠାରେ ଛାଡ଼ି ଅନେକ ଦିନରୁ କେଉଁଆଡ଼େ ଚାଲି ଯାଇଛନ୍ତି । ଅନେକ ପାନ୍ଥଙ୍କୁ ମୁଁ ତାଙ୍କ ସନ୍ଧାନ ପଚାରି ନିରାଶ–ବିଚଳିତା–ଦୁଃଖିତା...ମୋ ରାଣ, ସତ କହିଲ ପାନ୍ଥ, ତମେ ତାଙ୍କ ସନ୍ଧାନ ପାଇଛ ? –କଣ୍ଠରେ ବ୍ୟଗ୍ର–କରୁଣ ଭାବ ପ୍ରକାଶ କରି ସେ କହିଲେ–

 

ଚକିତ ହେଲି, ଦୁଃଖିତ ହେଲି, ବିସ୍ମିତ ହେଲି, ବ୍ୟଥିତ ହେଲି ବି... କିଛି ସମୟ ଆଖି ଡୋଳାକୁ ଉର୍ଦ୍ଧ୍ଵକୁ ଟେକି, ସ୍ମୃତିର ଡାଏରୀ ପୃଷ୍ଠାରୁ ସ୍ଵପ୍ନ କୁମାରକୁ ଖୋଜି ଆବିଷ୍କାର କରିବାକୁ ଚେଷ୍ଟାକରି ବ୍ୟର୍ଥ ହେଲି । –ନା, ସ୍ଵପ୍ନକୁମାର ନାମଧାରୀ କୌଣସି ବ୍ୟକ୍ତି ସହ, କୌଣସି ସ୍ଥାନରେ ମୋର ତ ସାକ୍ଷାତ ହୋଇନି...

 

ସେ ଆହତ ହେଲେ...ଚକ୍ଷୁ ତାରକା ତାଙ୍କର ଜଳି ଉଠି ନିଷ୍ପ୍ରଭ ହୋଇଗଲା...ତାଙ୍କ ଜବାଧରରେ ଈଷତ୍–କମ୍ପନର ମୁଦ୍ରା ସୃଷ୍ଟି ହେଲା...ସିଏ ଥରି ଉଠୁଥିଲେ ଯେମିତି...ଆରେ ତମେ ସ୍ଵପ୍ନ କୁମାରକୁ ଚିହ୍ନିବ ? ହେ ମା ! ଅଥଚ ତମ ଜାତି ଲାଗି ସେ କଣ ନ କରିଛି ? ନିଜ ଜୀବନକୁ ବିପନ୍ନ କରି, ନିଜ ପରିବାର ମମତାକୁ ଛିନ୍ନ କରି ଯିଏ ତମ ଜାତିର ମାନ ମର୍ଯ୍ୟାଦାକୁ ଅକ୍ଷୁଣ୍ଣ ରଖିଛି, ତାକୁ ତମେ ଚିହ୍ନିନ ପାନ୍ଥ ?

 

ତାଙ୍କ କଥାର ସହଜ ସମାଧାନ କରିବା ଏକ ନିଷ୍ଠୁର ସମସ୍ୟା !

 

ହୁଏତ ସ୍ୱପ୍ନକୁମାର ଲାଗି ସେ ପ୍ରତୀକ୍ଷମାଣ ପାଗଳୀ... କାରଣ ଏଭଳି ପାଗଳୀ ଆମ ସମାଜରେ ତ ଏପରି ପ୍ରଳାପ କରୁଛନ୍ତି...ସମସ୍ତଙ୍କ ପ୍ରଳାପର ରହସ୍ୟ ଉଦ୍‍ଘାଟନ କରିବା କ’ଣ ସମ୍ଭବ ? ତେବେ...

 

ସେ ପୁଣି ଆରମ୍ଭ କଲେ–ତମେ ସ୍ୱପ୍ନକୁମାରକୁ ତାହାହେଲେ ଚିହ୍ନିନ ପାନ୍ଥ !! ତଥାପି ମୋର ଆକଣ୍ଠ ବିଶ୍ଵାସ ଥିଲା ତମଭଳି ଜୀବନ–ଶିଳ୍ପୀ ନିଶ୍ଟୟ ତାଙ୍କୁ ଚିହ୍ନିଥିବ...କାରଣ ଜୀବନ ସହିତ ତମେ ଖେଳି ଚାଲିଚ–ସିଏ ବି ଖେଳିଥିଲେ ତୁମ ଭଳି...ତେଣୁ ନିଶ୍ଚୟ...

 

ନିର୍ବାକ ନିଶ୍ଚଳ ଥିଲି...ସତେ ଯିମିତି ଗୁଡ଼ାଏ ଦୁର୍ବୋଧ୍ୟ ଲାଟିନ୍ ଶବ୍ଦ ଶୁଣୁଥିଲି...ଅଥଚ ବୁଝିବାର ସମସ୍ତ ଶକ୍ତି ଯେପରି ଲୋପ ହୋଇ ଆସୁଥିଲା ଆସ୍ତେ...ଆସ୍ତେ–

 

–‘ତା ହେଲେ ତମେ ସ୍ୱପ୍ନ କୁମାରକୁ ଚିହ୍ନିବାକୁ ଚାହଁ, ନାଇଁ !

 

ସାଂକେତିକ ପ୍ରତ୍ୟୁତ୍ତର କରି ମୌନ ରହି (ମୈନଂ ସମ୍ମତି ଲକ୍ଷଣଂ !!!)

 

–ତେବେ ଆସ । ଫେରିଆସ ପାନ୍ଥ ! ଫେରି ଆସିଲି...

 

ଏ ପତିତ ଜାତିର ଗୌରବ ଉଜ୍ଜ୍ୱଳ ଯୁଗକୁ...

 

–କ–

 

–ଶିଳ୍ପୀ !

 

...ମଣିମା ।

 

ପୁଣ୍ୟତୋୟା ମହୋଦଧିର ଉପକଣ୍ଠରେ, ସେଇ ବିସ୍ତୀର୍ଣ୍ଣ ସୈକତ ପ୍ରାନ୍ତରର ବୁକୁ ଉପରେ ଏକ କାରୁକାର୍ଯ୍ୟବିମଣ୍ଡିତ ମନ୍ଦିର ନିର୍ମାଣ କରିବାକୁ ହେବ ।... ଏଥିଲାଗି ମୋର ରାଜକୋଷର ସମସ୍ତ ଧନ ବ୍ୟୟ କରିବାକୁ ମୁଁ ସ୍ଥିରସଂକଳ୍ପ...କିନ୍ତୁ ଜଗତରେ ତାହା ଯେପରି ଅଦ୍ୱିତୀୟ ହୁଏ...ଏହାହିଁ ମୋ ମନର ଚରମ ଏବଂ ପରମ ଲକ୍ଷ୍ୟ...ତମେ ପାରିବ ଶିଳ୍ପୀ ?

 

ଶିଳ୍ପୀ ସ୍ମିତ ହସିଲେ...ଶିଳ୍ପୀର ନିହାଣ ଆଉ ମୁଗୁର ପାଖରେ କିଛି ଅସାଧ୍ୟ ନାହିଁ ମଣିମା...ଆଉ ଉତ୍କଳର ଶିଳାଶିଳ୍ପୀ ପାଖରେ ଏହାହିଁ ଅତି ସାମାନ୍ୟ...

 

ଉଚ୍ଛ୍ଵସିତ ଆନନ୍ଦରେ ମହାମାନ୍ୟ ସମ୍ରାଟଙ୍କ ମୁଖର ଦୀପ୍ତି ପ୍ରଫୁଲ୍ଲ, ପ୍ରସନ୍ନ ହୋଇ ଉଠିଲା...ଧନ୍ୟବାଦ ! ତେବେ ଆସନ୍ତା କାଲିର ପ୍ରଭାତ ଶଙ୍ଖ ନେଉ ଏହାର ପ୍ରଥମ ପଦକ୍ଷେପ...

 

–ଆସୁଛି ମଣିମା...

 

–ଖ–

 

–ପାନ୍ଥ !

 

–କହନ୍ତୁ ।

 

–ଏଇ ଦେଖ...କଣ ଦେଖୁଛ ପାନ୍ଥ ?

 

ଦେଖିଲି...ଡିଣ୍ଡିମ ନାଦରେ ମହାମାନ୍ୟ ସମ୍ରାଟଙ୍କ ଆଦେଶ ଘୋଷଣା କରାଯାଇଛି...ସାଗର ଅଭିମୁଖରେ ଏ ଘେଷଣା ଶୁଣି ଛୁଟିଛନ୍ତି ମଣିଷ...ଧାଡ଼ି ଧାଡ଼ି ମଣିଷ ଆଉ ମଣିଷ...ଯେପରି ଏକ ମଧୁ ପଦାର୍ଥ ସଂଗ୍ରହାର୍ଥେ ଛୁଟି ଥାଆନ୍ତି ପିପିଲିକା...ପୁଷ୍ପରେଣୁ ଘେନି ମଧୁଚକ୍ର ସୃଷ୍ଟି କରିବାକୁ ଚାଲିଥାନ୍ତି ମଧୁ ମକ୍ଷିକା...ଆଉ ସାଗର ଉପକଣ୍ଠରେ ! ପଥର ଆଉ ପଥର... ଗଦା ଗଦା ପଥର...ବୁହା ଚାଲିଛି ପଥର–ଆଉ ଶିଳ୍ପୀମାନଙ୍କ ନିହାଣ–ମୁଗୁର କର୍ମତତ୍ପର ହୋଇଉଠିଛି ।

 

ଆଉ...

 

କେତେ ଲୋକ କଳନା କରି ପାରୁଛ ପାନ୍ଥ ? ଗଣିବାକୁ ଚେଷ୍ଟା କଲି...କିନ୍ତୁ ନା, ଆକାଶର ତାରା ଗଣିବା, ସାଗରର ଢେଉ ଗଣିବା କଣ ଏତେ ସହଜ !

 

ସେ ହସିଲେ..... ନା ତମେ ଗଣନା କରି ପାରିବ ନାହିଁ; କିନ୍ତୁ ମନେରଖ, ଏ ମଣିଷ ଦଳର ଗଣନା କରୁଛି ଜଣେ..... ସିଏ କିଏ ଜାଣ ?

 

–ନା । (ସଂକ୍ଷେପ ଉତ୍ତର)

 

–ଏଇ ଦେଖ, ସେଇ ଯେଉଁ ଲୋକଟି..... ଦେଖିଲି..... ସେଇ ପୂର୍ବୋକ୍ତ ଶିଳ୍ପୀଙ୍କୁ.....

 

–ଗ–

 

–ସ୍ୱପ୍ନ କୁମାର !

 

–ମା !

 

–ଆରେ ନା, ନା, ମୋତେ ମାତୃତ୍ଵ ଗୌରବରେ ଅଭିସିକ୍ତ କରି କିଛି ଲାଭ ନାହିଁ; ବରଂ ମୋତେ କୁହ ମାୟାବିନୀ, କୁହ ମାନସୀ ସୁନ୍ଦରୀ.....

 

–ମାୟାବିନୀ ! ମାନସୀ ସୁନ୍ଦରୀ.....

 

–କଣ ଡରି ଯାଉଛ ଶିଳ୍ପୀ ? ଆରେ ଏ ପର୍ଯ୍ୟନ୍ତ ବି ତମେ ମତେ ଚିହ୍ନି ପାରିଲ ନି..... । ମୁଁ..... ମୁଁ ସୁରସଭାର ଏକ ପଟ୍ଟୀୟସୀ ନର୍ତ୍ତକୀ ପରା ! ମୋ ନାଁ ଟା ହେଲା.....

 

–ମେନକା ! ଉର୍ବଶୀ ! ରମ୍ଭା !

 

–ଆଃ..... ! ପୁଣି ସେଇ ଈର୍ଷା ଯନ୍ତ୍ରଣାର ତିକ୍ତ ଜ୍ୱାଳା । ସେଇ ମେନକା ! ସେଇ ଉର୍ବଶୀ-! ସେଇ ରମ୍ଭା ! ନାଁ ଶିଳ୍ପୀ, ସେ ନର୍ତ୍ତକୀମାନଙ୍କ ନାମ ପୁନରାବୃତ୍ତି ଆଉ କରନି.....ଏ ବକ୍ଷରେ ସେ ତ୍ରିନର୍ତ୍ତକୀଙ୍କ ନାମ ଶୋଳାଘାତ କରିଛି.....ତମେ ଜାଣିଛ ଶିଳ୍ପୀ..... ଆଜି ମୁଁ ଏ ମାୟାବିନୀ ରୂପ କାହିଁକି ଧରିଛି ? ନା, ତୁମେ ଜାଣିନ..... ତୁମେ ଏକାନ୍ତ ଭାବେ ଅଜ୍ଞ ! ଶୁଣ, ଏକଦା ସୁର ସଭାରେ ନୃତ୍ୟର ଆସର ବସିଥିଲା.....ସେ ସଭାରେ ସେଦିନ ସମସ୍ତ ଅମର ବୃନ୍ଦ ଯୋଗ ଦେଇଥିଲେ.....ଗୋଟାଏ ବିଶିଷ୍ଟ ଉତ୍ସବ ହୁଏତ ପାଳିତ ହେଉଥିଲା..... କିନ୍ତୁ.....ମୁଁ ଆଉ କହି ପାରିବିନି ଶିଳ୍ପୀ । ସେ ମର୍ମନ୍ତୁଦ ଦୁଃଖ ଯନ୍ତ୍ରଣା ମୁଁ ଆଉ ସହି ପାରୁନି.....ମୋର ଏ ଦେହର ସ୍ତରେ ସ୍ତରେ ସେ ବେଦନା ବିଷ ସଂଚରଣ ଜ୍ୱାଳା..... ଆଃ କି ନିଷ୍ଠୁର.....

 

–ମାନସୀ ସୁନ୍ଦରୀ.....

 

–ତଥାପି କହୁଛି କହିବାକୁ ମୋତେ ହେବ..... ନ କହିଲେ ସେ କାହାଣୀ ଆଉ ତୁମକୁ କହିବ କିଏ ? ତା’ପରେ କହିଚାଲିଲେ ସେ.....ସେଇ ସୁର ସଭାରେ, ଏ ତ୍ରିନର୍ତ୍ତକୀଙ୍କର ଅଖଣ୍ଡ ପତିପର୍ତ୍ତି..... ସେ ଦିନ ସେହି ନୃତ୍ୟ ଆସରରେ ସେମାନେ ମୋର ସାମାନ୍ୟ ଭୁଲ ଦେଖି ଭର୍ତ୍ସନା କଲେ, ଆଉ ସେହି ଅପମାନର ପ୍ରତିଶୋଧ ନେବା ଲାଗିହିଁ ମୋର ଏ ବେଶ ! .....ତମେ ପାରିବ ଶିଳ୍ପୀ ? ତମେ ସେ ପ୍ରତିଶୋଧ ନେଇ ପାରିବ ? ହଁ, ତମେ ପାରିବ–ତମେ ନିଶ୍ଚୟ ପାରିବ–ଅନ୍ତତଃ ଏଇ ଅଟଳ ଗମ୍ଭୀର ବିଶ୍ୱାସ ମୋର ଅଛି । ଉତ୍କଳର ଶିଳାଶିଳ୍ପୀ ପାଖରେ ଅସାଧ୍ୟ କିଛି ନାହିଁ–

 

–ମୁଁ କିଛି ବୁଝିପାରୁନି ସୁନ୍ଦରୀ–କଣ ତମେ ଚାହିଁ ?

 

–ମୋର ପ୍ରତିକୃତି–ତମେ ପାରିବ ଶିଳ୍ପୀ ? ଠିକ୍ ମୋ ଭଳି ହେବ ସେ ପୂର୍ଣ୍ଣ ଯୌବନା ଯୁବତୀର ରୂପ । ଠିକ୍ ଏଇଭଳି ଅଙ୍ଗରେ ଝିନବସ୍ତ୍ର, କର୍ଣ୍ଣରେ କେୟର–ମଥାରେ ମଥାମଣି.....ଗଳାରେ ଗଜମୁକ୍ତା ଖଚିତ ହାର, କଟୀରେ କିଙ୍କିଣୀ, ପାଦରେ ନୂପରେ–

 

ତା ପରେ ! ତା ପରେ !

 

–ହସ୍ତରେ ବହୁମୂଲ୍ୟର ଅଳଙ୍କାର ଦେବ ନିଶ୍ଚୟ ଶିଳ୍ପୀ ! ଥରେ ମୋର ଶରୀରରେ ପୂର୍ଣ୍ଣ ସତର୍କ ଦୃଷ୍ଟି ଘୂରାଇ ନିଅ, ଦେଖ..... କିନ୍ତୁ ସାବଧାନ, ଟିକିଏ ଏଥିରେ ବ୍ୟତିକ୍ରମ ହେବନି..... ଠିକ୍ ଯେଭଳି ମୋର ଅବିକଳ ନୃତ୍ୟଭଙ୍ଗୀ..... ଦେଖ..... ଏହି ଭଳି ଟଣା ଟଣା ଆଖି..... ଚଟୁଳ ଗଣ୍ଡ..... ପଦର ଛନ୍ଦ..... କଟୀ, ହସ୍ତ ଅଙ୍ଗୁଳିର ମୁଦ୍ରା..... ଦେଖୁଛ ଶିଳ୍ପୀ ? ହସର ଭଙ୍ଗିମା ! ନିଶ୍ଚୟ ଏଇଭଳି ହିଁ ହେବ.....

 

–ତା ପରେ ?

 

ଏଥିରେ ଅଣୁମାତ୍ର ବ୍ୟତିକ୍ରମ ହେଲେ ମୁଁ ତୁମକୁ ପାଗଳ କରିଦେବି..... ସଂପୂର୍ଣ୍ଣ ପାଗଳ କରିଦେବି.....

 

ଝୁମୁରୁ ଝୁମୁରୁ ରୁମ୍ ଝୁମ୍ !

 

–ପାଗଳ କରିଦେବ ମୋତେ ? ଉତ୍ତେଜିତ ହୋଇ ଉଠିଲା ସପନା...ସୁନିଦ୍ରା ଭାଜି ଯାଇଥିଲା...କର୍ଣ୍ଣ ପଟରେ ପ୍ରତିଧ୍ଵନିତ ହେଉଥିଲା ସେଇ ନର୍ତ୍ତକୀ ପଦ ମଞ୍ଜିରର ନୂପୁର ନିକ୍ୱଣ ଧ୍ଵନି...ରୁମ୍ ଝୁମ୍ ଝୁମ ! ! ଏଇ ତ ନାଚି ନାଚି ସେ ଅନନ୍ତ ଅନ୍ଧକାରରେ ତା କାୟାକୁ ହଜାଇ ଦେଲା...

 

–କଣ ଏସବୁ ? ସ୍ଵପ୍ନ ? ସ୍ଵପ୍ନ ଦେଖିଲୁ ସପନି ?

 

ହଁ, ଗୋଟିଏ ସ୍ଵପ୍ନ ଦେଖିଲି ବିଶି ଭାଇ ! ସେ ଏକ ଅସାର ସପ୍ନ...ସେ ଏକ ବିଚିତ୍ର ସ୍ଵପ୍ନ...ସେ ଏକ ନିଷ୍ଠୁର ସ୍ଵପ୍ନ...

 

ସପନୀ ପିଠିରେ ହାତ ଥାପୁଡ଼େଇ ବିଶ୍ଵନାଥ କହିଲେ–

 

–କଣ ପିଲା କବିଲାଙ୍କ ଦେହପା ଏମିତି କିଛି– ?

 

ନା, ଆଜକୁ ଆମେ ଅନେକ ଦିନ ହେବ ଆସିଲେଣି ସତ; କିନ୍ତୁ କହି ପାରିବ ଭାଇ, ଘରକଥା ବାସ୍ତବିକ କଣ ଆମର ମନେ ପଡ଼େ ?

 

–ନା, ଉତ୍କଳର କଳାଶିଳ୍ପୀ ତା’ କର୍ମକ୍ଷେତ୍ରରେ ଥିଲାବେଳେ ସବୁ ଭୁଲି ଯାଇଥାଏ, ତେବେ ?

 

–ସେ ଗୋଟାଏ ସ୍ଵପ୍ନ... ଏକାନ୍ତ ଭାବେ ଏକ ଉଦ୍ଧତା ନର୍ତ୍ତକୀର ନିଷ୍ଠୁର ସ୍ୱପ୍ନ...

 

–କୁହ...

 

–ତାର ନାମ ସେ କହିଗଲା ମାନସୀ ସୁନ୍ଦରୀ ଆଉ ମତେ ସେ ତା’ ନୃତ୍ୟକଳା ଦେଖାଇବା ଅବସରରେ ସତର୍କ କରିଗଲା ଯଦି ମୁଁ ତା ପ୍ରତିକୃତି ପାଷାଣ ବୁକୁରେ ଫୁଟାଇ ନ ପାରେ, ସେ ମାତେ ପାଗଳ କରିଦେବ...ପାଗଳ କରିଦେବ...

 

ବିଶ୍ଵନାଥ ହସି ଉଠିଲେ...ଆନନ୍ଦର ସେ ହସ...ପରିତୃପ୍ତିର ସେ ହସ...... ।

 

ହୁଁ...ହୁଁ...ହୁଁ...ଆରେ ସପନି ! ସେ ସବୁ ତୋର ମନର କଳ୍ପନା...ଦିବସରେ ଯାହା କଳ୍ପନା କରିଥିଲୁ ରାତିରେ ତା ସ୍ଵପ୍ନରୂପେ ଦେଖାଗଲା । ଛାଡ଼ । ଆମେ ଏଠିକି ଦେବ ଦିବାକରଙ୍କର ମନ୍ଦିର ନିର୍ମାଣ କରିବାକୁ ଆସିଛେ...ଏଇ ଦେଖ ସେଇ ଦେବତା ପୂର୍ବ ଦିଗ ମଣ୍ଡିତ କଲେଣି...ଯାଅ ସ୍ନାନ ତର୍ପଣ କରି ତାଙ୍କ ନାମରେ ନିହାଣ ଧର...ତାପରେ ସେ ସ୍ଵଗତୋକ୍ତି କରି ଉଠିଲେ–ଧନ୍ୟ ଧନ୍ୟ ଶିଳ୍ପୀକୁଳ ! କଳା ଲାଗି ତୁ କଣ ନ କରୁ ? ବିଶ୍ୱନାଥ ଚାଲିଗଲେ–ସାରାରାତି ମନ୍ଦିର ନିର୍ମାଣ ଚିନ୍ତାରେ ଜାଗ୍ରତ ସେ... ତଥାପି କେତେ ଦିନ ? ନିଦ୍ରା ବିଜଡ଼ିତ ନୟନ ଯୁଗଳ ତାଙ୍କର ମୁଦ୍ରିତ ହୋଇ ଆସୁଥିଲା...ତଥାପି ନିରୁପାୟ...

 

ସ୍ଵପ୍ନକୁମାର ଉଦୟଭାନୁଙ୍କୁ ପ୍ରଣତି ଢାଳୁଥିଲେ–

 

ଜବାକୁସୁମ ସଂକାଶଂ କାଶ୍ୟପେୟଂ ମହାଦ୍ୟୁତିଂ

ଧ୍ଵାନ୍ତାରିଂ ସର୍ବପାପଘ୍ନଂ ପ୍ରଣତୋସ୍ମି ଦିବାକରଂ ।

 

–ମଧ୍ୟାହ୍ନ–

 

ଲେଖକ ଜୀବନର ସେ ଏକ ବିଚିତ୍ର ଅନୁଭୂତି ! ଅର୍କତୀର୍ଥ ଦର୍ଶନ ! ପୁଣ୍ୟତୋୟା ଚନ୍ଦ୍ରଭାଗାର ପବିତ୍ର ଜଳରେ ଅବଗାହନ କରି ସକଳ ଜନ୍ମର ଗଚ୍ଛିତ ପାପ ଜଳୁଷକୁ ଧୌତ କରିବାର ଅଦମ୍ୟ ପିପାସା, କି ଉଚ୍ଚାଟ ସତେ !

 

କିନ୍ତୁ ଗଚ୍ଛିତ ପାପ କଳୁଷ ଧୌତ ହେଲା କି ନା ଜାଣିବାର ସୌଭାଗ୍ୟରୁ ବଞ୍ଚିତ ! ହେଲେ ସୁଯୋଗ ହରାଇଲେ ଆଉ ଥରେ ସୁଯୋଗ ଯୁଟିବା କି ସମ୍ଭବ ? ନା–ନା–

 

ଏ ତୀର୍ଥଠାରୁ ସେ ମହାତୀର୍ଥ–ମାତ୍ର କେତେ ବା ବାଟ ! ଗଲି । ଆଦିଗନ୍ତ ବିସ୍ତାରୀ ସୈକତ ସାଗର ଉପରେ ପହଁରି...ପହଁରି...

 

ମାସଟା ମାଘ...ମାଘ ଶୁକ୍ଳ ସପ୍ତମୀର ଅପରାହ୍ନ ! କହିଲେ–“ହେଇ ତ”–କେତେ ସହଜରେ କଣ୍ଠରୁ ବାହାରି ପଡ଼େ କିନ୍ତୁ ଯିବା କେଡ଼େ କଷ୍ଟସାଧ୍ୟ ! ତଥାପି ଅଦମ୍ୟ ପିପାସାର ବଶବର୍ତ୍ତୀ ମୋର ପାଦ ଦୁଇଟି ଥକି ଯିବାର ନୁହେଁ, ଆଉ ମନ ?

 

ମନରେ ଡେଣା ଲାଗିଛି...ସେ ଉଡ଼ିଯାଉଛି ପାଦ ଗତିଠାରୁ ଆହୁରି ଆହୁରି ଦ୍ରୁତରେ...ନା, ନା, ବୈଜ୍ଞାନିକ ଗତିଠାରୁ ତାର ଗତି ବହୁତ...ସେ ଗତିର ବେଗ ମାପିବ କିଏ ?

 

ମନ ଆଗରୁ ପହଞ୍ଚି ସାରିଥିଲା...ସେଇଠି...ସଶରୀରରେ ପହଞ୍ଚିଲି, ଟିକେ ବିଳମ୍ବରେ...କିନ୍ତୁ ଆଃ...ମୁଁ ସ୍ଵପ୍ନ ଦେଖୁନି ତ ???

 

ସ୍ଵପ୍ନ !!!

 

ଦିନର ପରିଷ୍କାର ଆଲୋକରେ ସ୍ଵପ୍ନ, ତାହା ନିଷ୍ଠୁର ବିଡ଼ମ୍ବନା ସିନା ! କାରଣ ମୁଁ ଜାଗ୍ରତ...

 

ତେବେ କିଏ ସେ ? ମେନକା ? ଉର୍ବଶୀ ?? ରମ୍ଭା ???

 

ଫୁଃ–ଏ ସବୁ କବିର କଳ୍ପନା ମାତ୍ର, କିନ୍ତୁ ବାସ୍ତବରେ ତାଙ୍କୁ କଣ କିଏ ଦେଖିଛି ? ତଥାପି ସିଏ ଏପରି ହୋଇଥିବେ ନିଶ୍ଚୟ କିମ୍ବା ତାଙ୍କ ଭିତରୁ କିଏ ଜଣେ–ତେବେ ତାହାକୁ ତାର ଏ ନୀରବ ପ୍ରତୀକ୍ଷା ???

 

ପଚାରି ଥାଆନ୍ତି । ସନ୍ଦେହର କୁଜ୍‍ଝଟିକା ଅପସରି ଯାଇଥାଆନ୍ତା । କିନ୍ତୁ ନିମ୍ନଗାମୀ ମନ ମୋର ସଙ୍କୁଚିତ ହୋଇ ବାଦ ସାଧିଲା–ହେ, ସିଏ ନାରୀ–

 

ଆଉ ମୁଁ ?

 

ପୁରୁଷ ! ପୁରୁଷ ନାରୀର ସମ୍ବନ୍ଧ ସବୁବେଳେ କ୍ଷୀରନୀରର ନୁହେଁ, ଅହି ନକୁଳର ମଧ୍ୟ–ପଚାରିଲେ ହୁଏତ ଯଦି କିଛି ଭାବେ ?

 

ସେ କିନ୍ତୁ ସେଇଠି, ସେଭଳି ଠିଆ ହୋଇଥିଲା–ବିନା ସଂକୋଚରେ ତନ୍ଦ୍ରାଳସ ନୟନ ପକ୍ଷରେ ତା’ର ଅୟତ ଯୁଗର ପ୍ରତୀକ୍ଷାର ସ୍ୱାକ୍ଷର ସୁସ୍ପଷ୍ଟ–କାହାକୁ ତାର ଏ ଅପେକ୍ଷା...।

 

ମନରେ ଶତ ପ୍ରଶ୍ନର ନାଗ ମଥା ତୋଳିଲା–ସନ୍ଦେହ ହେଲା । ଭୟ ହେଲା । ଆଶଙ୍କା ବି ହେଲା–କୌଣସି ପିଶାଚିନୀର ଏ ଚକ୍ରାନ୍ତ ନୁହେଁ ତ ???

 

ଶୀତ ! ଅସହ୍ୟ ଶୀତ ! ବିଶେଷ କରି ଏ ନିରୋଳା ପରିବେଶରେ ଶୀତର ପ୍ରାଦୁର୍ଭାବ–ଟିକେ ମାତ୍ରାଧିକ–ଓଃ–ନା ଆଉ ହେବ ନି–ଫେରୁଥିଲି–ସହସା ଚମକି ଉଠିଲି–ଓଲଟା ଗତି ମୋର ଓଲଟି ଗଲା–ସେଇଠି, ସେଇ ନିର୍ଜ୍ଜନ ପରିବେଶରେ କାହାର ଏ ଲଲିତ–ମଧୁର କଣ୍ଠସ୍ଵର...

 

–ତମେ ସ୍ଵପ୍ନ କୁମାରକୁ ଚିହ୍ନିଛ ପାନ୍ଥ ?

 

ଚିହ୍ନିଲି...ଝରି ଆସୁଥିବା ଲୁହ ଟୋପାକୁ ପୋଛି ନେଇ ଆଉ ଥରେ ସେ ତରୁଣୀ ନର୍ତ୍ତକୀର ସର୍ବାଙ୍ଗରେ ଦୃଷ୍ଟି ଘୂରାଇ ଆଣିଲି–ତଥାପି ସେ ହସୁଛି...ତଥାପି ସେ... ଭାରତ ନାଟ୍ୟମଞ୍ଚର ଏକ ବିଶିଷ୍ଟ ମୁଦ୍ରାଙ୍କନ କରିଛି...ତଥାପି ତାର ନୟନରେ ସେଇ ପ୍ରତୀକ୍ଷାର ସଙ୍କେତ... ହୁଏତ ସେ ଭୁଲି ପାରୁ ନାହାଁନ୍ତି ତାଙ୍କୁ...ଦୁଃଖିତ ହେଲି, କିନ୍ତୁ ହାୟ...

 

ସ୍ଵପ୍ନ କୁମାରର ଆଜି ମୃତ୍ୟୁ ହୋଇଛି...ସ୍ଵପ୍ନ କୁମାରର କଳା କୌଶଳ ଆଜି ଜଳିଯାଇଛି ତା’ ଚିତାଗ୍ନିରେ । ତା କଣ୍ଠର କାକଳୀ...ମୁଗୁର ନିହାଣର ଠୁକ୍ ଠୁକ୍ ଶବ୍ଦ ସବୁ ଏଇ ବାୟୁମଣ୍ଡଳରେ ହଜି ଯାଇଛି...ଉଡ଼ି ଯାଇଛି କର୍ପୂର, ରହିଯାଇଛି କନା... ଶିଳ୍ପକନା, ଏଇ ନର୍ତ୍ତକୀ...ଯାହାକୁ ଦେଖି ଦର୍ଶକଙ୍କ ନେତ୍ର ଆକର୍ଣ୍ଣ ବିଷ୍ଫାରିତ ହୋଇ ଉଠୁଛି । ସେ ଶିଳ୍ପୀର ବିରାଟ କଳାପ୍ରାଣର ସନ୍ଧାନ ପାଇ ସମବେଦନା ଅନ୍ତରରୁ ବାହାରି ଆସୁଛି, ଆହା... ଆହା...

 

କିନ୍ତୁ ସ୍ଵପ୍ନକୁମାର ଏକଥା ଶୁଣି ପାରୁନି । ଶୁଣିବାକୁ ବି ପ୍ରଲୋଭନ ନ ଥିଲା ତାର । ରାଜା ଆଦେଶ ପାଳନ କରି ପେଟକୁ ଖାଇ ସେ ସେଠି ଖଟିଥିଲା, ତା ପିଲାପିଲିଙ୍କ ପେଟ ପୂରାଇବାକୁ ସେ ଖଟି ପଇସା ଉପାର୍ଜନ କରିଥିଲା...ପାଷାଣ ବୁକୁ ଉପରେ ନିହାଣ ମୁଗୁର ଚଞ୍ଚଳ ହୋଇ ଉଠୁଥିଲା କାରଣ ରାଜା ମନ ନେବା ତା ପକ୍ଷେହିଁ ଯଥେଷ୍ଟ...କିନ୍ତୁ ତାର କଳା, ଭବିଷ୍ୟତରେ କାଳ ଦରବାରରେ ଯେ ଏଭଳି ଏକ ବିଶିଷ୍ଟ ସ୍ଥାନାଧିକାର କରିବ, ଏକଥା କଣ ସେ କଳ୍ପନା କରିଥିଲା...କର୍ମମୟ ଏ ଦୁନିଆରେ ସମସ୍ତେ କର୍ମକରି ଚାଲିଛନ୍ତି । ସେ ସୁକର୍ମ କଲା କି କୁକର୍ମ କଲା ତା’ର ବିଚାରକହିଁ ଦର୍ଶକ... ତା’ ମୃତ୍ୟୁ ପରେ ତା କର୍ମ ଯୋଗୁ ଯଦି ସେ ପ୍ରଶଂସିତ, ସମ୍ମାନିତ ନ ହୁଏ ତା’ ହେଲେ ସେଭଳି କର୍ମ କରିବାରେ କି ପ୍ରୟୋଜନ ! ଅନ୍ୟ ପକ୍ଷେ କର୍ମ କରିବା ମଣିଷର ଧର୍ମ ! ସେଇଥି ଲାଗି ସେ ଆସିଛି..... ସେଇ କର୍ମରତ ସମୟରେ ସେ କର୍ମକରି ଚାଲିଲେ ମଧ୍ୟ ଜାଣିପାରେ ନା ଯେ ଭବିଷ୍ୟତରେ ଏଥିଲାଗି ତାକୁ କି ପ୍ରକାର ପୁରସ୍କାର ଗ୍ରହଣ କରିବାକୁ ପଡ଼ିବ.....

 

ସ୍ଵପ୍ନ କୁମାର ଆଜି ମରିଯାଇଛି ସତ; କିନ୍ତୁ ତା’ର କୀର୍ତ୍ତି ଯେ ପର୍ଯ୍ୟନ୍ତ ବିଶ୍ଵ ଦରବାରରେ ଜୀବିତ ଥିବ, ସେ ପଯ୍ୟନ୍ତ ଜୀବିତ ରହିବ ସେ; କାରଣ ଯଶ କୀର୍ତ୍ତି ଯାହାର , କାଳ ଦରବାରରେ ବଞ୍ଚି ରହିବାର ଅଧିକାର ଅଛି ତାର–

 

ତଥାପି ସ୍ୱପ୍ନ କୁମାର ଉଦ୍ଦେଶ୍ୟରେ ପ୍ରଣତି ଢାଳିଲି । ତା ଆତ୍ମାର ସଦ୍‍ଗତି କାମନା କଲି, ତା ଉଦ୍ଦେଶ୍ୟରେ ଅଶ୍ରୁ ତର୍ପଣ କଲି–କାରଣ ସେ ଦରିଦ୍ର ହୋଇପାରେ; କିନ୍ତୁ ତାର କୀର୍ତ୍ତି ଲାଗି ଆମେ ଗର୍ବିତ–ଆମ ଦେଶ ପ୍ରଶଂସିତ, ଆମ ଜାତି ସମ୍ମାନିତ.....

 

ମୁଁହ ଫେରାଇ ଚାହିଁଲି..... ଅଦୁରରେ ତରଙ୍ଗାୟିତ ମହୋଦଧି ବଙ୍ଗୋପସାଗରର ଆଉ ସମ୍ମୁଖ ପୃଥିବୀର ମୋର ଆଦିଗନ୍ତ ବିସ୍ତାରି ସୈକତ ସାଗର.....

 

କଳା ମୁକୁଟ କୋଣାର୍କକୁ ଚାହିଁଲି..... ନୀଳ ସାଗରର, ଧୂସର ବାଲୁକା କୋଳରେ ଭଗ୍ନ କଳେବର ତାର ତଥାପି ବଞ୍ଚି ରହିବାକୁ ଚାହେଁ । ଭଗବାନ ତାକୁ ବଞ୍ଚାଇ ରଖ–

 

☆☆☆

 

ଦିନ ଗଡ଼ିଯାଏ.... ଚିହ୍ନ ରଖିଥାଏ....

 

ସେଇ ନିଷ୍ଠୁର ଅତୀତ କଥା ଭାବିଲେ ସୁନନ୍ଦା ଆଖିରେ ଆଖିଏ ଲୁହ ଭରିଯାଏ ! ଲେଡ଼ି ଡାକ୍ତର ସୁନନ୍ଦା ପଟ୍ଟନାୟକ ଦୁଇ ହାତର ପାପୁଲି ଭିତରେ ମୁହଁ ଗୁଞ୍ଜି ଆଷାଢ଼ର ନଈବଢ଼ି ପାଣି ଭଳି ଫୁଲି ଫୁଲି କାନ୍ଦି ଉଠେ..... ତା’ ମନଶ୍ଚକ୍ଷୁରେ ଶୁଭଙ୍କରର ପ୍ରଶାନ୍ତ–ଗମ୍ଭୀର ମୁଖ, ଉପଦେଶ ପୂର୍ଣ୍ଣ କଥା ଚଳଚ୍ଚିତ୍ର ଭଳି ଭାସି ଉଠେ..... ନିଜ ଜୀବନର ସୁଖ ସଳିତାକୁ ତିଳ ତିଳ କରି ଜାଳି ତା’ ଜୀବନର ଅନ୍ଧକାର ପଥକୁ ଯିଏ ଆଲୋକିତ କରିଥିଲେ, ନିଜ ଉପାର୍ଜ୍ଜିତ ଅର୍ଥର ବିନିମୟରେ ଦୁନିଆ ଦରବାରରେ ତାକୁ ଯିଏ ଉଚ୍ଚ ଶିକ୍ଷିତା ରୂପେ ଠିଆ କରି ପାରିଥିଲେ, ସେ ଶୁଭଙ୍କର ଆଜି କାହାନ୍ତି ?

ଏକ ଦରିଦ୍ର ପରିବାରର କନ୍ୟା ସୁନନ୍ଦା ! କିନ୍ତୁ ଏତିକି ପାଠ ପଢ଼ି ସେ ଯେ ଏକ ସୁଶିକ୍ଷିତା ହୋଇ ପାରିବ, ଏକଥା କଣ କିଏ କଳ୍ପନା କରିପାରେ । ଏଇ ଅସମ୍ଭବକୁ ସମ୍ଭବ କରିଥିଲେ ଶୁଭଙ୍କର ଚୌଧୁରୀ; ଛାତ୍ରୀ ଅବସ୍ଥାରେ ସୁନନ୍ଦା ହୁଏତ ଭଲ ପଢ଼ୁଥିଲା..... କିନ୍ତୁ ଶୁଭଙ୍କରର ମନ ତା’ ଲାଗି ଯେ କାହିଁକି ଚହଲି ଉଠିଲା ଭାବିଲେ ବିସ୍ମିତ ହୁଏ ସୁନନ୍ଦା.....

ଦିନ ଯାଏ,.....

ସେ ବର୍ଷ ମାଟ୍ରିକ୍ ପରୀକ୍ଷା ଦେବାର କଥା..... ପରୀକ୍ଷା ଥିଲା ଆଉ ମାସ ଚାରୋଟି । ଅର୍ଥାଭାବ ଯୋଗୁଁ ବାପା ତା’ର ପାଠପଢ଼ା ହଠାତ୍ ବନ୍ଦକରି ଦେଇଥିଲେ–ସୁନନ୍ଦା କାନ୍ଦିଥିଲା–ଦରିଦ୍ର ଘରେ ବଡ଼ ମନ ନେଇ ଜନ୍ମ ହେବା ନିରର୍ଥକ ସିନା ! ସୁନନ୍ଦା ଦେବତାଙ୍କୁ ଧିକ୍କାର କରିଥିଲା–ତମେ କେଡ଼େ ନିଷ୍ଠୁର ଦେବତା ! ଦରିଦ୍ର ଘରେ ଜନ୍ମ ଦେଇ ଏ ପାଠ ପଢ଼ିବାର ମୋହ କାହିଁକି ଦେଲ ?

 

ତା’ର ଆକୁଳ ପ୍ରାର୍ଥନା ଶୁଣି ଦେବତା ହୁଏତ ଏଇ ମଣିଷ ଦେବତାଙ୍କୁ ପଠାଇଥିଲେ ତା’କୁ ସାହାଯ୍ୟ କରିବାକୁ.....

 

ସେଦିନ ସକାଳୁ ଉଠି ସୁନଦା ସ୍ଥିର କରିଥିଲା ବହି ବିକ୍ରି କରିଦେବ.....ନିଜ ପାଠପଢ଼ାରେ ପୂର୍ଣ୍ଣଚ୍ଛେଦ ପକାଇ ସେ ନର୍ସିଂ କୋର୍ସ କମ୍ପ୍ଲିଟ୍ କରିବାକୁ ଯିବ.....ହୁଏତ ଜନତାର ସେବା କରି ତା ବକ୍ଷ ବହ୍ନିକୁ ନିର୍ବାପିତ କରିବ.....

 

କିନ୍ତୁ ତା ହେଲା ନାହିଁ..... ନିଜ ଭବିଷ୍ୟତ କଳ୍ପନାରେ ବୁଡ଼ି ରହିଥିବାବେଳେ ବାହାରେ ବାବାଙ୍କର ପାଟି ଶୁଣି ଚମକି ଉଠିଲା.....

 

–ନନ୍ଦା ! ତୋ ସାର ଡାକୁଛନ୍ତି.....

 

–ସାର୍ ! ସୁନନ୍ଦା ଛୁଟି ଯାଇଁ ଦେଖିଲା..... ଶୁଭବାବୁ ! ପ୍ରଣତି କଲା ସେ, ପାଦଧୂଳି ଆଣି ମଥାରେ ମାରିଲା.....

 

ଶୁଭବାବୁ ହଠାତ୍ କହିଲେ–ପରୀକ୍ଷା ନିକଟରେ, ତୁ ସ୍କୁଲକୁ ଯାଉନୁ କାହିଁକି ?

 

ସୁନନ୍ଦା ନିରୁତ୍ତର ଥିଲା.....

 

ଶୁଭବାବୁ କହିଲେ–ତୋ ବାପାଙ୍କଠାରୁ ମୁଁ ଶୁଣିଛି ସବୁ..... ତେବେ ବ୍ୟସ୍ତ ହେବାର କିଛି ନାହିଁ–କାଲିଠାରୁ ତୁ ସ୍କୁଲକୁ ଚାଲ..... ତୋ ପଢ଼ାପଢ଼ି ଭାର ମୁଁ ନେଲି.....

 

ଶୁଭବାବୁଙ୍କ କଥା ଶୁଣି ସୁନନ୍ଦା ତା’କର୍ଣ୍ଣକୁ ବି ବିଶ୍ଵାସ କରି ପାରୁ ନଥିଲା–ଯେଉଁ ଶୁଭବାବୁଙ୍କ ନାମ ଶୁଣିଲେ ପିଲାମାନେ ଆତଙ୍କିତ ହୋଇ ଉଠନ୍ତି, ତାଙ୍କ ହୃଦୟ ଏଡ଼େ କୋମଳ, ଉଦାର ହୋଇପାରେ ? ସୁନନ୍ଦା ସ୍ଵପ୍ନ ଦେଖୁନି ତ ?

 

କିନ୍ତୁ ଦିନର ପରିଷ୍କାର ଆଲୋକରେ କଣ କିଏ ସ୍ୱପ୍ନ ଦେଖି ପାରେ ?

 

ଶୁଭବାବୁ ଉତ୍ତର ଚାହୁଁଛନ୍ତି–କଣ କହୁଛୁ ନନ୍ଦା !

 

ସୁନନ୍ଦା ନିରୁତ୍ତର । କଣ ସେ ଉତ୍ତର ଦେବ !

 

ଶୁଭବାବୁ ଯିବାକୁ ବାହାରିଲେ । ସୁନନ୍ଦା ସେ ପର୍ଯ୍ୟନ୍ତ ନିରୁତ୍ତର ଥିଲା । ଗଲାବେଳେ ଶୁଭବାବୁ କହିଲେ–ହଁ, ମୁଁ ଯାଉଛି ନନ୍ଦା ! ଆସନ୍ତା କାଲି ତୁ ସ୍କୁଲକୁ ଯିବୁ..... ଏଁ.....

 

ସୁନନ୍ଦା ନିମ୍ନ କଣ୍ଠରେ ସମ୍ମତି ଜଣାଇଲା–ହ–ଉ..... କିନ୍ତୁ ଶୁଭବାବୁ ସେତେବେଳକୁ ନଥିଲେ..... ତାଙ୍କ ସାଇକେଲ ଚକ ଘୂରିଯାଇ ଥିଲା ଅନେକ ଦୂରକୁ.....

 

ତା’ପରେ ଶୁଭବାବୁ ତା’ର ସାର ହୋଇ ରହିଲେ ନାହିଁ । ଭାଇ ହେଲେ..... ନିଜେ ନିଜ ଘରେ ତାକୁ ରଖି ପାଠ ପଢ଼ାଇଲେ..... ଫଳରେ ମାଟ୍ରିକ୍ ପରୀକ୍ଷାରେ ପ୍ରଥମ ଶ୍ରେଣୀରେ ପାସ୍ କଲା ସୁନନ୍ଦା.....

 

ସୁନନ୍ଦା ଦେଖିଛି–ଯେଉଁ ଦିନ ସମ୍ବାଦପତ୍ର ପୃଷ୍ଠାରେ ତାର ନାମ ବାହାରିଲା–ଶୁଭଙ୍କର ସେ ଦିନ କେତେ ଆନନ୍ଦିତ ନ ହୋଇଛି ? କିନ୍ତୁ ସେ ନିଜେ ପାସ୍ କରିବା ପରେ ତ ସେତେ ଆନନ୍ଦିତ ହୋଇ ପାରିନି–ବରଂ ମନେ ପଡ଼ି ସେ ଥରିଉଠିଚି–ଆଜିଠାରୁ ତା’ର କଣ ଛାତ୍ରୀ ଜୀବନ ଶେଷ ହୋଇଗଲା ?

 

ସୁନନ୍ଦାର ଭାବପ୍ରବଣତା ଲକ୍ଷ୍ୟ କରି ସେ ଦିନ ଶୁଭଙ୍କର କହିଥିଲା–

 

ପ୍ରଥମ ଦଶଜଣଙ୍କ ଭିତରେ ରହିନୁ ବୋଲି ମନ ଦୁଃଖ କରୁଛୁ ନା ? ଛି..... ଗଲା କଥାକୁ ଭୁଲିଯାଇ ତୁ କିମିତି I. Sc. ରେ ଫାଷ୍ଟ ହେବୁ ସେଥିପ୍ରତି ଦୃଷ୍ଟି ଦେ.....

 

ସୁନନ୍ଦା ଚମକି ଉଠିଲା–ସେ I Sc. ପଢ଼ିବ ?

 

ଶୁଭଙ୍କର କହିଲେ ଲକ୍ଷ୍ୟ ଥିଲା ମୋର M. Sc. ପଢ଼ି ଗୋଟାଏ ବୈଜ୍ଞାନିକ ହେବାକୁ, କିନ୍ତୁ B. Sc ପରେ ବାପା ମରି ଯିବାରୁ ମୁଁ ପାଠପଢ଼ାରୁ ବଞ୍ଚିତ ହେଲି..... ହେଲେ ତୋତେ ଗୋଟାଏ ଡାକ୍ତରାଣୀ ନ କରିବା ପର୍ଯ୍ୟନ୍ତ ମୋର ଆଶା ପୂରଣ ହେବନି । ଆଜି ଏ ଦେଶରେ ଡାକ୍ତର ଅଭାବ..... ଅନ୍ତତଃ ମୁଁ ଯଦି ସେଇ ଅଭାବରୁ ଗୋଟାଏ ପୂରଣ କରେ.....

 

ତା’ପରେ ସତକୁ ସତ ଶୁଭଙ୍କର ଜିଦ୍ ବଜାୟ ରହିଲା..... ଶିକ୍ଷକ ଶୁଭଙ୍କରର ଉପାର୍ଜିତ ଅର୍ଥ ସୁନନ୍ଦା ପାଠପଢ଼ାରେ ବ୍ୟୟ ହେଲା..... ଫଳରେ I. Sc. ରେ ପ୍ରଥମ ଏବଂ MBBS ରେ ପ୍ରଥମ ସ୍ଥାନ ଅଧିକାର କରି ସୁନନ୍ଦା ଆମେରିକା ଚାଲିଲା । କାରଣ ଆମେରିକାରେ ପାଦ ପକାଇ ନ ଆସିଲେ ଭଲ ଡାକ୍ତର କେହି ହୋଇ ପାରନ୍ତି ନାହିଁ..... ସୁନନ୍ଦାକୁ ସରକାରୀ ସାହାଯ୍ୟ ଏଥିଲାଗି ମିଳିଥିଲେ ହେଁ ଶୁଭଙ୍କର ବି କିଛି ପଠାଏ..... କ୍ରମେ କ୍ରମେ ସୁନନ୍ଦା ସୁନାମ ସିଡ଼ିର ଶିଖର ଦେଶକୁ ଉଠିଲା..... ଆମେରିକାରୁ କୃତିତ୍ୱ ସହ ପାଶ୍ କରି ସେ ଫେରିଲା କଟକ ମେଡ଼ିକାଲକୁ..... ଛାତ୍ରୀ ସୁନନ୍ଦା ପଟ୍ଟନାୟକ ହୋଇ ନୁହେଁ, ଡାକ୍ତରାଣୀ ସୁନନ୍ଦା ପଟ୍ଟନାୟକ ହୋଇ.....

 

ସୁନନ୍ଦା ଆଖିରୁ ଲୁହ ପୋଛିଲା..... ଡାକ୍ତରାଣୀ ହେବାପରେ ସେ ଭାବିଥିଲା ଏଥର ତା’ ଋଣ ପରିଶୋଧ କରିବ..... କିନ୍ତୁ ଶୁଭଙ୍କର ତାକୁ ଗ୍ରହଣ କରି ନଥିଲା..... ବରଂ ସୁନନ୍ଦାର ଏ ପ୍ରକାର ମନୋବୃତ୍ତି ଦେଖି ସେ ଚକିତ ବିସ୍ମିତ ହୋଇ ଉଠିଲା..... ସୁନନ୍ଦା ତା’ହେଲେ ତାକୁ ଭାଇ ବୋଲି ଗ୍ରହଣ କରି ପାରିନି.....

 

ତା’ ପରେ ଦୀର୍ଘ ପାଞ୍ଚବର୍ଷ କଟିଯାଇଛି । କର୍ମ ବ୍ୟସ୍ତତାରେ ସୁନନ୍ଦା ଶୁଭଙ୍କର ସହ ସାକ୍ଷାତ କରିବାକୁ ଯାଇପାରିନି..... ଶୁଭଙ୍କର ବି କେଉଁ ଆସୁଛି ? ବରଂ ଶୁଭଙ୍କର ସୁନନ୍ଦାକୁ ପାଠ ପଢ଼ାଇ ସର୍ବସ୍ଵାନ୍ତ ହୋଇ ଯାଇଛି–ଡାକ୍ତରାଣୀ ସୁନନ୍ଦା ପଟ୍ଟନାୟକ ପାଖକୁ ଦରିଦ୍ର ଶିକ୍ଷକ ଜଣେ ଆସିବା ଯେ କେତେ ଅପ୍ରୀତିକର, ନିଜେ ହୃଦୟଙ୍ଗମ କରି ସେ ନୀରବ ରହିଛି.....

 

ଶୁଭଙ୍କରର ପରିବାରରେ ଦେଖା ଦେଇଛି ଅଭାବ, ଅନାଟନ..... ଏପରି କି ତାର ଏକ ମାତ୍ର ପୁତ୍ରକୁ ସେ ପାଠ ପଢ଼ାଇବାକୁ ସକ୍ଷମ ହୋଇ ପାରିନି..... ନିଜେ ମଧ୍ୟ ଔଷଧ ଲାଗି ପଇସା ପାଇନି.....

 

ଶୁଭଙ୍କର ସ୍ତ୍ରୀ ଅନେକ ଥର ସୁନନ୍ଦା ପାଖକୁ ଚିଠି ଲେଖିବାକୁ ଅନୁରୋଧ କରିଛି–ହେଲେ ଶୁଭଙ୍କର ପାଖରେ ସେ ଅନୁରୋଧ ଅଳୀକ ସିନା !

 

ସେ ଦିନ କିନ୍ତୁ ଶୁଭଙ୍କରର ସ୍ତ୍ରୀ ସାରଳା ଧୈର୍ଯ୍ୟ ଧରି ରହି ପାରିଲା ନି..... ଶୁଭଙ୍କରର ସ୍ଵାସ୍ଥ୍ୟହାନୀରେ ବିବ୍ରତ–ଅତିଷ୍ଠ ହୋଇ ସେ ଏକ ବଳଦ ଗାଡ଼ିରେ ଶୁଭଙ୍କରକୁ ଧରି କଟକ ଚାଲିଛି.....

 

ସୁନନ୍ଦା ସେତେବେଳେ ଡିଉଟି ସାରି ବସାକୁ ଫେରିଛି..... ବାହାର ଦରଜାରେ କାହାର କରାଘାତ ଶୁଣି ସେ ଦରଜା ଖୋଲି ଦେଖିଲା..... ଜଣେ ନାରୀ । ହୁଏତ ଶାରୀରିକ ଅସୁସ୍ଥତା ଲାଗି ପରାମର୍ଶ ପାଇଁ ଆସିଛି ।

 

...କିଛି ସମୟ ଅପେକ୍ଷା କରିବାକୁ କହି ସୁନନ୍ଦା ବାଥରୁମକୁ ଗଲା । ସ୍ନାନ ସାରି ଫେରି ଦେଖିଲା କେହି ନାହିଁ..... କିଛି ସମୟ ଅନୁସନ୍ଧାନ କରିବା ପରେ ସେ ଦରଜା ରୁଦ୍ଧ କଲା ।

 

କିନ୍ତୁ ଇଏ କଣ ? ପୁଣି କାହାର କରାଘାତ ?

 

ସୁନନ୍ଦା ଦରଜା ମୁକ୍ତକଲା–ମେଡ଼ିକାଲର ଚପରାଶି ଗିରିଜା ।

 

–କିରେ କଣ ?

 

–ଆପଣଙ୍କୁ ଶୁଭଙ୍କର ବାବୁ ଖୋଜୁଛନ୍ତି ।

 

–ଶୁଭଙ୍କର ! କେଉଁଠି ?

 

ମେଡ଼ିକାଲରେ । ୧୨୮ ନମ୍ୱର୍ ବେଡ଼ରେ.....

 

ଏ, ସେ କଣ ବେମାର.....

 

ଖାଲି ବେମାର ନୁହେଁ, ସାଙ୍ଘାତିକ–

 

ଦରଜାରେ ଯଥାଶୀଘ୍ର ତାଲା ଦେଇ ଏକ ପ୍ରକାର ଦୌଡ଼ୁଥିଲା ସୁନନ୍ଦା–କିନ୍ତୁ ନିଷ୍ଫଳ–ସୁନନ୍ଦା–ଅନେକ ବିଳମ୍ବରେ ପହଞ୍ଚିଲା–ସେତେବେଳକୁ ଶୁଭଙ୍କରର ଆତ୍ମାପକ୍ଷୀ ଉଡ଼ିଯାଇ ଥିଲା–ସୁନନ୍ଦା ସେଇ ମୃତ ଶରୀର ଉପରେ ଲୋଟିପଡ଼ି କାନ୍ଦୁଥିଲା ଏକ ସଦ୍ୟ ମୃତଭର୍ତ୍ତୃକା ତରୁଣୀ ବଧୂ ଭଳି ଫୁଲି ଫୁଲି–

☆☆☆

 

ଚକ୍ର

 

ହଠାତ୍ ମୋର ମୃତ୍ୟୁ ହୋଇଗଲା । ଆଶ୍ଚର୍ଯ୍ୟ ହେବାର କିଛି ନାହିଁ । ଏଭଳି ଅନେକ ଲୋକ ହଠାତ୍ ମୃତ୍ୟୁ ବରଣ କରୁଥିବାର ଦୁଃସମ୍ବାଦ ଆପଣ ଅବଶ୍ୟ ପାଇଥିବେ । ଏବେ ଶୁଣନ୍ତୁ !

 

ତା’ ପରେ ମୋର ଆତ୍ମା–ପକ୍ଷୀ ଏ ଦେହର ପିଞ୍ଜରୀ ଛାଡ଼ି ଉଡ଼ିଗଲା । ଅନନ୍ତ ବାୟୁ ସାଗରରେ ଇତସ୍ତତଃ ଭାବେ ସନ୍ତରଣ କରି ଖୋଜି ଚାଲିଲା ଆଉ ଏକ ଆଶ୍ରୟ–ଦେହ ! ହେଲେ ମୋ’ଭଳି ଅତୃପ୍ତ ଆତ୍ମା ଲାଗି ଏତେ ଶୀଘ୍ର ଆଉ ଏକ ଆଶ୍ରୟ ମିଳିଲା କେଉଁଠୁ ?

 

ଅତି ଅସମୟରେ ମୋର କାଳ ହୋଇଗଲା । ସଂସାର ପ୍ରତି ଆକର୍ଷଣ ମୋର ଯେତେବେଳେ ନିବିଡ଼, ଠିକ୍ ସେତିକିବେଳେ ସଂସାରର ବନ୍ଧନ ଛିନ୍ନ ହୋଇଗଲା । ଅନେକ ଅବଶୋଷ ତେଣୁ ରହି ଯାଇଥିଲା । ମୋ ସଂସାରରେ ଥିଲେ ଅବସର ପ୍ରାପ୍ତ ପୋଲିସ କର୍ମଚାରୀ ପିତା, ବୃଦ୍ଧାମାତା, ତନ୍ୱୀ ପତିବ୍ରତା ପତ୍ନୀ ଏବଂ ଦୁଇଟି ସନ୍ତାନ–ମୀନା ଏବଂ ମିଟୁ । ଏ ସମସ୍ତଙ୍କୁ ମୁଁ ଗଭୀର ଭାବେ ଭଲ ପାଉଥିଲି, ନିଜ ଶରୀରକୁ କ୍ଷୟ କରି ମୁଁ ଯେଉଁ ଅର୍ଥ ଉପାର୍ଜ୍ଜନ କରୁଥିଲି, ତାରି ବିନିମୟରେ ଏମାନଙ୍କ ମୁହଁରେ ହସର ମୁକ୍ତା ଫୁଟାଇବାକୁ ମୁଁ ଲାଳାୟିତ ହୋଇ ପଡ଼ୁଥିଲି । ବାପାମାଆଙ୍କର ଏକୋଇର ବଳା ବିଶିକେଶନ ମୁଁ । ଶ୍ଵଶୁର ଘରର ଜ୍ୟେଷ୍ଠ ଜ୍ୱାଇଁ, ଶିକ୍ଷିତା ଗୁଣବତୀ ପତ୍ନୀଙ୍କର ପତି, ଆଉ ମିନା ଓ ମିଟୁଙ୍କର ଅତି ଆଦରର ବାପା, ପାପା... । ଦୁନିଆରେ ମୁଁ ସବୁଠାରୁ ବେଶୀ ସୁଖରେ ଥିଲି । ମୋ ପରିବାର ପ୍ରତି ମୋର ଯେତେ ମମତା ଥିଲା, ପରିବାରର ପ୍ରତ୍ୟେକ ଲୋକ ସେମିତି ମତେ ସ୍ନେହ, ଶ୍ରଦ୍ଧା ଓ ଭକ୍ତି କରୁଥିଲେ । ସେଥିନେଇ ମୁଁ ମୋ ପରିବାରକୁ ଏତେ ଭଲ ପାଉଥିଲି । ସପ୍ତାହରେ ଥରେ ଆସି ଦେଖିଯିବାକୁ ମୁଁ ବ୍ୟାକୁଳ ହୋଇ ପଡ଼ୁଥିଲି । ସରକାରୀ ଚାକିରିରୁ ଟିକେ ଛୁଟି ମିଳିଲେ ଚାଳିଶ ମାଇଲ ପଥ ମୁଁ ସାଇକେଲରେ ଭିଡ଼ୁଥିଲି । ଅବଶ୍ୟ ଆମ ଗ୍ରାମକୁ ବସ୍ ଲାଇନ ଯେ ନାହିଁ, ଏ କଥା ନୁହେଁ । ତେବେ ବସରେ ପଇସା ଦେଇ ଯିବାକୁ ମୁଁ ଆଦୌ ପସନ୍ଦ କରୁ ନଥିଲି । ବରଂ ସେଇ ପଇସା ମୋ ପରିବାର ଲାଗି ବ୍ୟୟ କରିବାକୁ ଏତେ ଟିକେ ବି କୁଣ୍ଠାବୋଧ କରୁ ନ ଥିଲି । ମୋର ଏ ହାବଭାବ ଦେଖି ବନ୍ଧୁମାନେ ବ୍ୟଙ୍ଗ କରୁଥିଲେ, ଗଲାବେଳେ ଏ ସବୁ ନେଇଯିବେ ପରା...

ସତେ ମ ! ମୁଁ କିଛି ଆଣିଲି ନାହିଁ ତ !

ବିଦେଶରେ ମୋର ମୃତ୍ୟୁ ହୋଇଗଲା । ଶନିବାର ଦିନ ଠିକ୍ ଦୁଇଟା । ମୋର ଏ ଆକସ୍ମିକ ମୃତ୍ୟୁ ସମ୍ବାଦ ମୋର ବନ୍ଧୁମାନଙ୍କୁ ଚମକାଇ ଦେଲା । ଗଭୀର ଦୁଃଖର ଛାୟା ଖେଳିଗଲା-। ସାରା ଅଫିସରେ ଯିଏ ଯେଉଁଠି ଥିଲେ ଛୁଟିଲେ–ମୋ ମୃତ୍ୟୁ ସମ୍ବାଦର ସତ୍ୟତା ପ୍ରମାଣ କରିବାକୁ–ଛୁଟି ଆସିଲେ ମୋ ପାଖକୁ । କଣ ହୋଇଥିଲା ?

–କିଛି ନାହିଁ, ଶୁକ୍ରବାର ଦିନ ଅଫିସରୁ ଫେରିଲେ । ସାମାନ୍ୟ ଜ୍ୱର ଥିଲା ଦେହରେ, ରାତିରେ କିଛି ଖାଇଲେ ନାହିଁ । ଘୋଡ଼ିଘାଡ଼ି ହୋଇ ଶୋଇଲେ ଯେ...

–ଡାକ୍ତର ଡାକିଥିଲ ?

–ରାତି ତିନିଟାରେ ଭୀଷଣ କମ୍ପ ହେଲା । ଓଃ...ଏତେ ଦେହରେ ପୁଣି ତାତି ହୁଏ ! ମୋତେ ପାଣି ମାଗିଲେ ପାଣି ଦେଲି ନାହିଁ, କେବଳ ତାଙ୍କୁ ମାଡ଼ି ବସିଥାଏ । ଏମିତି ରାତି କଟିଗଲା । ସକାଳ ହେବାରୁ ସାହାସ ପଶିଲା । ତାଙ୍କ ଗାଁ ଲୋକଙ୍କ ପାଖକୁ ଖବର ଦେଲି । ସେମାନେ ଡାକ୍ତର ଡାକିଲେ । ଡାକ୍ତର କହିଲେ ଟାଇଫଏଡ଼୍ । ଭୟ କରିବାର କିଛି ନାହିଁ । କିନ୍ତୁ...

...କିନ୍ତୁ....

–ବାରଟା ପରେ ଦେହ ଚାଟଳ ଦେଲା । ତା’ପରେ ଝାଳ, ଝାଳ ବୋଲି ଏତେ ଝାଳ ଯେ ଶେଯ ବିଛଣା ଜୁଡ଼ୁବୁଡ଼ୁ ହୋଇଗଲା । ପୁଣି ଡାକ୍ତର ପାଖକୁ ଧାଇଁଲୁ । ଡାକ୍ତର ଆସିଲେ । ବହୁ ସମୟ ନାଡ଼ି ଦେଖିଲେ । ତା’ପରେ କହିଲେ ଘୋଡ଼ାଇ ଦିଅ ।

–ଆହା ! ଆହା...ଘରକୁ ତାଙ୍କର କିଏ ଗଲା ?

–ଗଲା ଆଉ କିଏ, ଏଇ ବର୍ତ୍ତମାନ ତ ଯିବି....

ତା’ପରେ ମୋର ମୃତ୍ୟୁ ସମ୍ବାଦ ନେଇ ମୋର ପୁଝାରୀ ଛୁଟିଲା...

ମୋର ସ୍ତ୍ରୀ ସମୟ ଗଣୁଥିଲେ, ମିଟୁ, ମିନା ମିଠେଇ ଖାଇବାକୁ ଉଜାଗର ହୋଇ ବସିଥିଲେ । ପୁଝାରୀ ଦେଲା ସମ୍ବାଦ, ସେ ତ ସମ୍ବାଦ ନୁହେଁ । ଆମ ଶାନ୍ତ ପରିବାର ଉପରେ ଯିମିତି ଏକ ନିର୍ମ୍ମମ ବଜ୍ରପାତ !

ପିତା ଥିଲେ ମୋର ଇଂରେଜ ଅମଳର ପୋଲିସ କର୍ମଚାରୀ–ଗଡ଼ଜାତର ଦୁର୍ଦ୍ଧର୍ଷ–ସାହସୀ ମହାବଳ ବାଘ ! ମୋର ମୃତ୍ୟୁ ସମ୍ବାଦ ଶୁଣି ତାଙ୍କର ସେ ଧୈର୍ଯ୍ୟ, ସାହସ କୁଆଡ଼େ ଉଭେଇ ଗଲା । ସେ ବୋକା ପାଲଟି ଗଲେ...

ବୋଉ ମୁଣ୍ଡ ପିଟି ଦେଲା...

ଆଉ ପତ୍ନୀ ! ନା, ଥାଉ....

ଖାଲି ମୋର ପରିବାର କାହିଁକି, ମୋର ପ୍ରିୟ ଗାଁ ମାଟିରେ ବି ମୋର ଏ ଆକସ୍ମିକ ମୃତ୍ୟୁ ସମ୍ବାଦରେ ଆତଙ୍କ ଖେଳିଗଲା । କାହାରି ପାଟିରେ ଭାଷା ନାହିଁ; କାହାରି ପଦରେ ବଳ ନାହିଁ, ସତେ ଯିମିତି ସମସ୍ତେ ଦୁର୍ବଳ, ସ୍ଥବିର ।

କିନ୍ତୁ ଦୁଃଖ କରିବାକୁ, ଅନୁତାପ କରିବାକୁ ସମୟ ନଥିଲା । ମୋ ଶବ ଗାଁକୁ ନେବାକୁ ହେବ । ମୋର ବାଲ୍ୟବନ୍ଧୁମାନେ ଅଣ୍ଟା ଭିଡ଼ିଲେ । ଏକ ଟ୍ରକରେ ମୋର ମୃତ ଶରୀରକୁ ଗାଁକୁ ବୋହିନେଲେ । ମୋର ଆତ୍ମୀୟସ୍ଵଜନ, ବନ୍ଧୁବାନ୍ଧବମାନେ ଶେଷ ଦର୍ଶନ କରିନେଲେ । ତାପରେ ମୋର ଶବକୁ ଧରି ଶ୍ମଶାନ ଆଭିମୁଖରେ ଯାତ୍ରା କଲେ । ସମସ୍ତଙ୍କ ଆଖିରେ ଲୋତକର ବନ୍ୟା । ମୋର କର୍ମକ୍ଷେତ୍ରରୁ ଯେଉଁ ଭକ୍ତମାନେ ଆସିଥିଲେ ମୋର ମୁକ୍ତି କାମନା କରି ସ୍ଲୋଗାନ ଦେଲେ ପ୍ରିୟତମା ପତ୍ନୀ ମୋର ମଥା ପିଟୁଥାନ୍ତି, ବୃଦ୍ଧା ମାତା ପାଗଳୀ ହୋଇଯାଇଥାଏ । ବାପା ସତେ ଯିମିତି ଏକ ସ୍ଥାଣୁ । ଅନନ୍ତ ବାୟୁମଣ୍ଡଳରେ ରହି ମୁଁ ଏ ସବୁ ଦୃଶ୍ୟ ଦେଖୁଥାଏ । ଦୁଃଖରେ ମୋର ବୁକୁ ଭାରି ହୋଇ ଯାଉଥାଏ । ଭାବିଲି–ନା, ମୁଁ ଫେରିବି । ମୋ ଜନନୀ, ମୋ ପତ୍ନୀ, ମୋ ପିଲାମାନଙ୍କର ଏ ବିକଳ କ୍ରନ୍ଦନ ମୁଁ ସହ୍ୟ କରି ପାରିବି ନାହିଁ । କିନ୍ତୁ ହାୟ...ବନ୍ଧୁମାନେ ମୋ ଦେହକୁ ଦାହ କରି ପକାଇଥିଲେ । ମୁଁ ଆଉ ଫେରି ପାରିଲି ନାହିଁ.....

ଅନନ୍ତ ବାୟୁସାଥିରେ ତ ମୁଁ ଘୂରି ବୁଲୁଥାଏ, ହେଲେ ମୋର ସତକ ଦୃଷ୍ଟି କିନ୍ତୁ ଲାଖି ରହିଥାଏ ମୋର ସଂସାର ଉପରେ ।

ମୋର ମୃତ୍ୟୁ ପରେ ଅନେକ କହିଲେ–ଆହା ଅତି ସୁନ୍ଦର ଲୋକ ଥିଲା । କେହି କେହି କହିଲେ ଭାରି କୃପଣ, ଅନେକ କହିଲେ ବଡ଼ ପ୍ରେମିକ । ସାହିତ୍ୟିକ ଥିଲା ବୋଲି ଭାରି ଅଭିମାନ, ମୋର ଭକ୍ତମାନେ କହିଲେ–ବଡ଼ ହୃଦୟବାନ୍, ତାଙ୍କ ପରି ଆଉ କ’ଣ କେହି ମିଳିବେ ?

 

ମୋର ମୃତ୍ୟୁରେ ଅନେକ ଶୋକସଭା ହେଲା । ମୋ ଆତ୍ମାର ସଦ୍‍ଗତି କାମନା କରାଗଲା, ଅନେକ ବି ମୁହଁରେ ମୋର ସ୍ମୃତିଗାନ କଲେ । ସବୁ ଶୁଣେ, ଜାଣେ, କାହାକୁ କିଛି ନ କହି ଅନନ୍ତ ବାୟୁ ସାଗରରେ ପହଁରି ଚାଲିଥାଏ–

 

ହଁ, ମୋ ମୃତ୍ୟୁ ପରେ ଜନନୀ ତ ମୋର ପାଗଳୀ ହୋଇ ଯାଇଥିଲା । ସବୁବେଳେ ବକି ଚାଲିଥିଲା–”ଏଇ ଆସିଲାଣି, ହେଇପରା କାଲି ଆସିବ ବୋଲି ବାତେଣି ଦେଇଛି–ଆସିଛି, ଆ –ଆ–କୁଆଡ଼େ ଯାଇଥିଲୁ–ଏଁ–ଏଁ–ଏଁ–” କେତେବେଳେ ହସେ, କେତେବେଳେ କାନ୍ଦେ, କେତେବେଳେ ମୁଣ୍ଡ ପିଟେ । ମାଆର ଏ ଦୁଃଖ ଦେଖି ମୁଁ ସ୍ଥିର ହୋଇ ରହି ପାରିଲି ନାହିଁ । ଦିନେ ସ୍ଥିର କଲି ମାଆକୁ ମୋର ଦେଖା ଦେବି ବୋଲି !

 

–“ବୋଉ ତୁ ଆଉ କାନ୍ଦେନା । ମୁଁ ତୋତେ ମୋ’ ପାଖକୁ ଏଥର ଘେନି ଆସିବି ।”

 

ତା’ ପରଦିନ ଦେଖିଲି ମାଆ ମୋର ବେଶି ପାଗଳୀ ହୋଇଗଲା । ମୁଣ୍ଡ ବାଡ଼େଇଲା–ଭାବିଥିଲି ମୋ ସାକ୍ଷାତ ପରେ ମାଆର ଦୁଃଖ ଲାଘବ ହୋଇଯିବ; କିନ୍ତୁ ଦେଖିଲି ମୁଁ ସାକ୍ଷାତ ଦେଇ ନିର୍ଘାତ ଭୁଲ କରିଛି ।

 

ସ୍ତ୍ରୀର ଦୁଃଖ କଣ କହିବି ! ଏତେ ସୁନ୍ଦର ରୂପ ତାର କେଇଟା ଦିନ ଭିତରେ ଏମିତି ହୋଇଗଲା ଯେ ମୁଁ ତାକୁ ଆଉ ଚିହ୍ନି ପାରିଲି ନାହିଁ । ଦିନେ ତା ମନରୁ ଦୁଃଖ ଦୂର କରିବାକୁ ମୁଁ କହିଲି–‘‘ହେ, ଏମିତି ବାଳ ମୁକୁଳା କରି ଶୋଇଛ କଣ’ମ, ଦେଲ ଦି’ଟା କ’ଣ ଖାଇବା, ମତେ ଭୀଷଣ ଭୋକ କରୁଛି ।”

 

ହାଃ–ମୋ ସ୍ତ୍ରୀକୁ କାହିଁକି ଦେଖାଦେଲି ? ମୋତେ ଭୁଲି ଯିବାକୁ ଚେଷ୍ଟା କଲାବେଳେ, ମୁଁ ପୁଣି ସାକ୍ଷାତ ଦେଇ ତା’ ମନରେ ପୁଣି ଦୁଃଖ ଭରି ଦେଲି ଯାହା–

 

ନା, ଏଣିକି ମୁଁ ଆଉ କାହାକୁ ଦେଖା ଦେବି ନାହିଁ । ମୋର ପୁତ୍ର କନ୍ୟା ମତେ ଖୋଜନ୍ତି-। ଇଚ୍ଛା ହୁଏ ତାଙ୍କ ପାଖକୁ ଯିବାକୁ । କିନ୍ତୁ ଯାଏ ନା, ଦେଖିଲେ ମତେ ସେମାନେ ଯଦି ଡରନ୍ତି–-?

 

ନାଁ ସବୁ ଭୁଲି ଯିବାକୁ ହେବ । ସମସ୍ତେ ଯେତେବେଳେ ମୋତେ ଭୁଲି ଯିବାକୁ ଚେଷ୍ଟା କରୁଛନ୍ତି, ମୁଁ ବା କାହିଁକି ସମସ୍ତଙ୍କୁ ମନେ ରଖିବି ?

 

ଏବେବି ମନେ ପଡ଼ିଯାଏ, ଅତୀତର ସେ ସ୍ୱର୍ଣ୍ଣ ଉଜ୍ଜ୍ୱଳ ସ୍ମୃତି, ସବୁ ମନେ ପଡ଼ିଗଲେ ବେଦନାରେ ମୋର ବୁକୁ ଭାରି ହୋଇଯାଏ । ମୁଁ ଏଁ–ଏଁ ହୋଇ କାନ୍ଦିଉଠେ ।

 

ବେଳେ ବେଳେ ଅତୀତ ସ୍ମୃତିକୁ ଭୁଲି ଭବିଷ୍ୟତ ଜୀବନକୁ ରଙ୍ଗିନ କରିବାକୁ ମୁଁ କଳ୍ପନା କରି ଉଠେ । ନିଜର ସୁନ୍ଦର ଭବିଷ୍ୟତ କଳ୍ପନାରେ ବିଭୋର ହୋଇ ମୁଁ ଆନନ୍ଦରେ ହସି ଉଠେ ।

 

ବର୍ତ୍ତମାନ ଯେଉଁ ପୃଥିବୀ କଥା କହୁଛି, ସେଠି ମୋର ବିଶେଷ ପରିଚୟ ନାହିଁ । ଖୁବ୍ କମ୍ ଦିନ ହେଲା ଏମାନଙ୍କ ସହ ଦେଖା ସାକ୍ଷାତ୍ । ଏମାନେ ମୋତେ ନିଜର କରିବାକୁ ବେଶ ଯତ୍ନ କରୁଛନ୍ତି । ମୋର ସେବାରେ ଏତେ ଟିକେ ବି ଅଣହେଳା କରୁ ନାହାନ୍ତି । ହେଲେ ମୋ ମନ କଥା ଏମାନେ ବୁଝିପାରୁ ନାହାଁନ୍ତି । ମୁଁ କାନ୍ଦିଲେ କିବା ହସିଲେ ଏମାନେ କରୁଛନ୍ତି ଷଷ୍ଠୀଦୁଶେଳ ଖେଳାଉଛନ୍ତି......

 

ହଁ–ଏମାନେ ମୋତେ ଖୁବ୍ ସ୍ନେହ କରୁଛନ୍ତି, ମୋତେ ନିଜର କରିବାକୁ ଅନେକ ପ୍ରଯତ୍ନ କରୁଛନ୍ତି । ହେଲେ ଅତୀତ ସ୍ମୃତିକୁ ସୁଁ ପାଶୋରି ପାରୁ ନାହିଁ । ତେବେ ଏତିକି ମୋର ବିଶ୍ୱାସ, ଏମାନେ ମୋତେ ଯେତେ ସ୍ନେହ କରୁଛନ୍ତି ନା ଭବିଷ୍ୟତରେ ଦିନେ ମୋତେ ଅତୀତକୁ ଭୁଲି ଯିବାକୁ ପଡ଼ିବ । ପୁରୁଣା ପୃଥିବୀର ମୋହ ଛାଡ଼ି ନୂଆ ପୃଥିବୀ ପଛରେ ଧାଇଁବି, ତାପରେ ହୁଏତ ଦିନେ ମୋତେ ଏ ପୃଥିବୀରୁ ବି ବିଦାୟ ନେବାକୁ ପଡ଼ିବ ।

☆☆☆

 

ଦିନେ ରାତିରେ

 

ସମୟ ନିଶ୍ଚୟ ବାରଟା ହେବ । ହାତରେ ଘଣ୍ଟା ଥିଲେ ବି ଦେଖି ପାରିଲି ନାହିଁ, କାରଣ ରାତିର ଦେହରେ ଅନେକ ଅନ୍ଧାର ବୋଳି ହୋଇ ଯାଇଥିଲା । ତା’ ସାଥିରେ ଝିପି ଝିପି ବର୍ଷା–ରାସ୍ତାରେ ଆଣ୍ଠିଏ ବହଳରେ କାଦୁଅ । ସାଇକଲକୁ ଘୋଷାରି ଘୋଷାରି ତଥାପି ମୁଁ ଚାଲିଥିଲି । ଯେ କୌଣସି ପ୍ରକାରେ ଏଇ ରାତିରେ ମୋତେ ଗାଁରେ ପହଞ୍ଚିବାକୁ ହେବ ।

 

ବଜାରରୁ ବାହାରିଲା ବେଳେ ଏକୁଟିଆ ନ ଯିବାକୁ ଅନେକ ବାରଣ କରୁଥିଲେ । କିନ୍ତୁ ମୋର ଜିଦ୍ ଦେଖି ସେମାନେ ପରାମର୍ଶ ଦେଲେ ସାଇକଲଟା ଅନ୍ତତଃ ଥୋଇଦେଇ ଯାଆନ୍ତୁ ।

 

“ମୁଁ ଯିବି ଏବଂ ସାଇକଲ ନେବି ।” ଆସନ୍ତାକାଲି ଅନୁଜର ବିହାହ ହେବ । ବିବାହ ଉତ୍ସବରେ ମୋର ଯେମିତି କର୍ତ୍ତବ୍ୟ ରହିଛି, ତା’ଠାରୁ ମୋ ସାଇକଲଟିର ପ୍ରୟୋଜନୀୟତା ବେଶୀ-। ସୁତରାଂ ବନ୍ଧୁମାନଙ୍କ ଅନୁରୋଧ ପ୍ରତ୍ୟାଖ୍ୟାନ କରିବା ଛଡ଼ା ମୋର ଆଉ କ’ଣ ଉପାୟ ଥିଲା କୁହନ୍ତୁ ତ ?

 

ରାସ୍ତାରେ ଗଲାବେଳେ ମଡ଼ଗାର୍ଡ଼ ସନ୍ଧିରେ କାଦୁଅ ଭର୍ତ୍ତି ହୋଇ ଯିବାରୁ ମୋ ସାଇକଲଟି କହୁଥାଏ, “ମୋତେ ଟିକେ କାନ୍ଧାଅ ବନ୍ଧୁ !”

 

ମୋ ବାହନର ଏ ଅନୁରୋଧ ମୋତେ ଆର୍ତ୍ତନାଦ ଭଳି ଶୁଭୁଥିଲା । ମନର ବଳ ମୋର ନିଃଶେଷ ହୋଇ ଯାଇଥିଲା । ମୋ ଉପରେ, ମୋ ପରିବାର ଉପରେ ଜାଗୁଥିଲା ଗୁଡ଼ାଏ ଅଭିମାନ–ଏ ବର୍ଷା ଦିନଟାରେ ବିଭାଘର ନ କରିଥିଲେ କ’ଣ ଚଳି ନ ଥାନ୍ତା ।

 

ନା–ସବୁ ଦୋଷ ଓଡ଼ିଶା ସରକାରଙ୍କର । ଏ ରାସ୍ତାଟିକୁ ପକ୍କା କରି ଦେଇଥିଲେ କ’ଣ ଓଡ଼ିଶା ରାଜକୋଷ ଶୂନ୍ୟ ହୋଇଯାଇଥାନ୍ତା ! ତଥାପି ମୁଁ ସାଇକଲରୁ ବାରମ୍ବାର କାଦୁଅ କାଢ଼ି, ବେଳେ ବେଳେ ବିରକ୍ତ ହୋଇ ସାଇକଲକୁ କଚଡ଼ା କଚଡ଼ି କରି ଚାଲିଥାଏ । ମନ ହେଉଥାଏ ଉଡ଼ିଯିବାକୁ, କିନ୍ତୁ ହଁସୁଆ ରାସ୍ତା କହୁଥାଏ–ତୁମକୁ ବୁଡ଼େଇ ଦେବି, କାଦୁଅ ପଙ୍କରେ ତୁମକୁ ଚିତ୍ର କରିଦେବି... !!!

 

କାଦୁଅ ପଙ୍କକୁ ମୋର ଭୟ ନ ଥାଏ ! ବର୍ଷାଦିନେ କାଦୁଅ ପଙ୍କ ତ ଆମର ସାଥି ! ହେଲେ ଏ ନିଶାର୍ଦ୍ଧରେ ମୋ ମନରେ ଦୁଗୁଣେଇ ହୋଇ ଦେଖା ଦେଉଥାନ୍ତି ଭୂତ, ପ୍ରେତ, ପିଶାଚଙ୍କ ଛବି...! ଆଃ କି ଭୀଷଣ ଦୃଶ୍ୟ ସେ । ଦାନ୍ତଟାମାନ ଲଙ୍ଗଳର ଲୁହାଭଳି, ଶଗଡ଼ ଚକଭଳି ଆଖି, କଦଳୀ ଭଣ୍ଡା ଭଳି ଜିଭ, ହାତରେ ସେମାଙ୍କର ହାଡ଼ । ସେମାନେ ଯେମିତି ହଳ ହଳ ହୋଇ କଳକଳ କରି ହସି ହସି ମାଂସହୀନ ଆଙ୍ଗୁଠି ଗୁଡ଼ାକ ଦେଖେଇ ମୋ ଆଡ଼କୁ ଭିଡ଼ି ଆସୁଛନ୍ତି ।

 

ନାଁ–ଏସବୁ ମନର ବିକାର ଛଡ଼ା ଅନ୍ୟ କିଛି ନୁହେଁ । ଆଉ ସତରେ ଯଦି ଭୂତ, ପ୍ରେତ ଥାଆନ୍ତି ତା’ ହେଲେ ଆଜିର ରାତି ସେମାନଙ୍କୁ ଦେଖାଇବା ପାଇଁ ମୋତେ ବେଶ୍ ସାହାଯ୍ୟ କରିବି-। ଅନ୍ତତଃ ମୋ ମନର “ଭୂତ ନାହିଁ” ଭ୍ରମ ତ ଦୂରୀଭୂତ ହୋଇଯିବ ! ତଥାପି ସାଇକଲ ଘୋଷାରି ଘୋଷାରି ଛୁଟିଥିଲି, ସେ ରାତିରେ ଏକାକୀ ଭୀମଭଳି ପାହୁଲ ପକାଇ । ଭଗବାନଙ୍କୁ ଧନ୍ୟବାଦ ଜଣେଇଲି । ଏଥର ଗୋଟିଏ ଗାଁ ପଡ଼ିଲା । ଏଇ ଗାଁଠାରୁ ଆମ ଗାଁ ମାତ୍ର ଦେଢ଼ ମାଇଲ ବ୍ୟବଧାନ । ସାଇକଲଟି ରଖିଗଲେ ବେଶୀ କିଛି ଅସୁବିଧା ହେବ ନାହିଁ ।

 

ଯାହା ହେଉ, ସାଇକଲଟି ରଖିବା ପରେ ମୁଁ ସ୍ଵସ୍ତିରେ ନିଶ୍ବାସ ମାଇଲି । ଗାଁରୁ ଖଣ୍ଡେ ଲଣ୍ଠନ ଧରି ମୁଁ ଚାଲିଲି...ଏକା–ଏକା

 

ଏଣିକି ରାସ୍ତା ଯେତେ ସରି ସରି ଆସୁଥାଏ ମନରେ ଭୟ ସେତେ ବେଶୀ ବସା ବାନ୍ଧୁଥାଏ । ଆଗରେ ଖେଳୁ ନ ଥିବେ ତ !

 

ଅନେକ ଲୋକଙ୍କ ମୁହଁରୁ ଶୁଣିଛି ଏଇ ବଡ଼ ଦଣ୍ଡାରେ କୁଆଡ଼େ ଚିରୁଗୁଣୀ ନିଆଁ ଜାଳି ପୁଅ ସେକେ ! ଏକୁଟିଆ ପଥିକଙ୍କୁ ଦେଖିଲେ ପିତାସୁଣୀ ଦାନ୍ତ କଡ଼ମଡ଼ କରି ଗୋଡ଼େଇ ଆସେ; ଆଉ ବାଳ ଝାମ୍ପୁରୀ ରାସ୍ତା ଉପରେ ବସି ବାଳ ମୁକୁଳା କରି ଉକୁଣୀମାରେ ।

 

“ହେ ଭଗବାନ ! ହେ ବଳୀୟାର ଭୁଜ ! ହେ ପ୍ରଭୁ ଅନ୍ତର୍ଯ୍ୟାମୀ ! ତ୍ରାହି ମାଂ ଦୁଃଖ ସାଗରଂ ।” ବଡ଼ ଦଣ୍ଡାଟା ଯେତେ ନିକଟ ହୋଇ ଆସୁଥାଏ ମୋ ଦେହରେ କମ୍ପନ ସେତେ ପ୍ରଖର ହେଉଥାଏ । ରାସ୍ତାର ଚତୁର୍ଦ୍ଦିଗକୁ ମୁଁ ମୋର ସତର୍କ ଦୃଷ୍ଟି ଘୂରାଉ ଥାଏ । କେଉଁଠି ଯଦି ରାସ୍ତା ଉପରେ କୁଦଟାଏ ଅଛି, ମୁଁ ଭୂତ ଦେଖିଲା ଭଳି ଥରି ଉଠୁଥାଏ । ହାତରେ ହୁତ୍‍ହୁତ୍ ହୋଇ ଜଳୁଥାଏ ଲଣ୍ଠନଟା । ସେଥିପ୍ରତି ମୋର ନିଘା ନାହିଁ । ମୁଁ ଛୁଟିଛି । ଦୁନିଆଁରେ ଯେତେ ଠାକୁର ଅଛନ୍ତି ସମସ୍ତଙ୍କୁ ମୁଁ ଭୋଗ ଯାଚି ଗଲିଣି । ହେଲେ ବଡ଼ ଦଣ୍ଡା ଯାଉନି କି ମୋ ଦୁଃଖ ସରୁନି ।

 

“ଭଗବାନଙ୍କର ଜୟ ହେଉ” ଏକା ନିଶ୍ଵାସକେ ବଡ଼ ଦଣ୍ଡା ଟପି ମୁଁ ଏକ ନିରୋଳା ଜାଗାରେ ଠିଆହେଲି । ପଛକୁ ଚାହିଁଲି, ଭୂତ, ପ୍ରେତ ମୋ ପଛରେ ଦଉଡ଼ି ନାହାନ୍ତି ତ । ନା’–ଏଠି ଠିଆ ହୋଇ ଆଉ ଲାଭ ନାହିଁ । ଆହୁରି ଅଧମାଇଲିଏ ରାସ୍ତା । ମନେ ପଡ଼ିଗଲା ମୋର ହଜିଲା ଅତୀତରେ ବିଷାଦପୂର୍ଣ୍ଣ ମୁହୂର୍ତ୍ତ । ସେତେବେଳେ ରାସ୍ତାକଡ଼ରେ ଅନେକ ଖଜୁରୀ ଗଛ ଥିଲା । ଖଜୁରୀ କୋଳି ତୋଳିବାକୁ ଆସି ଗଛରୁ ପଡ଼ି ମରିଥିଲା ଆମ ଗାଁର ଜଣେ ଯୁବକ ।

 

ମୁଁ ଥରି ଉଠିଲି । ରାସ୍ତା କଡ଼ରେ ସିଏ ଆଉ କୋଉଠି ବସି ନାହିଁ ତ ! ମୋ ମନରେ ଆତଙ୍କ । ଏ ଅନ୍ଧାର ରାତିରେ ମୁ ଯେମିତି ଧପାଲିଚି–ସେ ଯଦି ରାସ୍ତା ଉପରେ ବସିଥାଏ, ଝୁଣ୍ଟି ପଡ଼ିବି ନାହିଁ ତ ।

 

ଇଲୋ ବୋପା ଲୋ ! ମୁଁ କଚାଡ଼ି ହୋଇ ପଡ଼ିଲି । କିନ୍ତୁ ନା, ଭୂତ ନୁହେଁ ଗୋଟିଏ ବେଙ୍ଗ । ବିଚରା ରାସ୍ତା ଉପରେ ବସିଥିଲା । ମୋ ପାଦ ଶବ୍ଦ ଶୁଣି ସେ କୁଦାମାରିଛି । ଆଉ ତା’ପରେ ମୁଁ ତ ସାଧନ ଭାଙ୍ଗିଲି...

 

ଯାହା ହେଉ ରକ୍ଷା ହୋଇଛି । ରାତିଟାରେ କେହି ମୋତେ ଦେଖି ନାହାନ୍ତି, ମନେ ମନେ ବହୁ ହସିଲି । ଝାଡ଼ିଝୁଡ଼ି ହୋଇ ଉଠି ମାଇଲି ଚିରା–। ଆଉ କେତେ ବାଟ ! ହଠାତ୍ ଦେଖିଲି ଆମ ଗାଁ ମୁଣ୍ଡରେ ଗୋଟାଏ ଆଲୁଅ ଜଳି ଉଠୁଛି ପୁଣି ଲିଭି ଯାଉଛି–ଚିରୁଗୁଣୀ ନିଶ୍ଚୟ–ଚିରୁଗୁଣୀ-। ମନେ ପଡ଼ିଲା ଅପର୍ତ୍ତିଆ ମାଇପ ଚିରୁଗୁଣୀ ହୋଇଛି । ଆସିଲା କି ! ଚିରୁଗୁଣୀ ଦେଖିବା ପାଇଁ ମନରେ ମୋର କୌତୂହଳ ମଥା ଟେକିଲା । ଗାଁ ତ ହୋଇ ଗଲାଣି । ଏଥର ପାଖକୁ ଆସିଲେ ଲଢ଼ାଇ କରିବି । ରାତି ପାହିବାକୁ କେତେ ବା ସମୟ ବାକି ! ରାସ୍ତା ଉପରେ ଗୋଟିଏ ପୋଲ ଥିଲା–ପୋଲର ଏଇ ମୁଣ୍ଡରେ ଲଣ୍ଠନଟାକୁ କମେଇ ଦେଇ ଜାକିଜୁକି ହୋଇ କଟାସ ଭଳି ଆତ୍ମଗୋପନ କଲା ।

 

ଆଲୁଅଟା କ୍ରମେ କ୍ରମେ ମୋ ପାଖକୁ ଆଗେଇ ଆସୁଛି । ଆଉ ମୋ ଦେହରୁ ଖସି ଖସି ଆସୁଛି ଯେପରି ଜୀବନ । ହଠାତ୍ ନିଆଁଟା ଲିଭିଗଲା । ପୋଲ ସେ ମୁଣ୍ଡରେ ଦେଖିଲି ଦି’ଟା କାଳିଆ, ଡେଙ୍ଗା ଡେଙ୍ଗା ଭୂତ । ମୁଣ୍ଡରେ କ’ଣ ମୁଣ୍ଡେଇଛନ୍ତି । ମୁଁ ହସିଦେଲି । ଲୋକ ଦି’ଟା ଦିଆସିଲି କାଠିମାରି ଆସୁଥିଲେ । ମୁଁ ଏତେ ଡରୁଛି ? ହଠାତ୍ ଉଠି ଠିଆହେଲି । ମୁଁ ଠିଆ ହେବା ଦେଖି ସେମାନେ ମୋତେ, ଚିରୁଗୁଣୀ ଭାବି ମାଇଲେ ଚିରା । ଗୋଟିଏ ଦଉଡ଼ୁଛି, I ଆଉ ଗୋଟିଏ ପଛରେ ପଡ଼ିଯାଇ ଡାକ ଛାଡ଼ୁଛି–ଆରେ ନବୀନା–ଆ–ଆ । ମୁଁ ଡାକ ଛାଡ଼ୁଛି, ହେ ଭାଇ ଶୁଣ । ଆଗଲୋକଟି ଡାକ ଛାଡ଼ୁଛି ପଳେଇଆ । ମୁଁ ଡାକ ଛାଡ଼ୁଛି । ଆଉ ମଝିରେ ପଡ଼ିଥିବା ଲୋକ କଥା ଏଥର ନ କହିବା ହିଁ ଭଲ । ମୁଁ ଚିତ୍କାର କରି ଉଠିଲି । ତମେ ଦି’ଜଣ ଆସୁଛ ତମକୁ ଏତେ ଭୟ ? ମଣିଷ କଣ୍ଠସ୍ଵର ଶୁଣି ସେମାନେ ନୀରବ ହେଲେ ସତ, ହେଲେ ମୋ ପାଖକୁ ଆସିବାକୁ ସେମାନେ ଇଚ୍ଛା କରୁ ନ ଥିଲେ । କାରଣ ଭୂତମାନେ ଯେ ଏମିତି ବେଳେ ବେଳେ ମଣିଷଙ୍କ ଭଳି କଥା କହନ୍ତି-। ଏ କଥା କେମିତି କେଜାଣି ତାଙ୍କର ଧାରଣା ହୋଇଯାଇଥିଲା । ତାଙ୍କ ପାଖକୁ ଗଲି ପରିଚୟ ନେଲି । ଆମ ଗାଁକୁ ନେଇ ପିଇବାକୁ ପାଣି ଦେଲି । ଲଣ୍ଠନଟିଏ ଦେଲି । ତାଙ୍କ ମନରେ ଭୂତ ନାହାନ୍ତି ବୋଲି ଦୃଢ଼ ବିଶ୍ୱାସ ଜନ୍ମାଇ ଘରକୁ ଯିବାକୁ କହିଲି । ଢୋଲେ ପାଣି ପିଇ ସେମାନେ ଧପାଳି ଥାଆନ୍ତି । ଶୁଖିଲା ନଡ଼ିଆ ଭଳି ତାଙ୍କ ପେଟ ଟକ୍ ଟକ୍ ହେଉଥାଏ । ଘରକୁ ଫେରିଲି ମୁଁ-l

 

ରାତି ତିନି !

Image